ବାଟ ବନ୍ଦ

ଭାରତର ସେଆର୍ ବଜାରରେ ବର୍ତ୍ତମାନ କରୋନା ଭାଲୁର ଉପଦ୍ରବ ଚାଲିଛି। ଏହି ଉପଦ୍ରବର ଫଳ ସ୍ବରୂପ ଚୀନା କରୋନାର ଆବିର୍ଭାବ ପୂର୍ବରୁ ଏକଦା ୪୧,୦୦୦ ଛୁଇଁଥିବା ବମ୍ବେ ସେନ୍‌ସେକ୍‌ସ ସୂଚକାଙ୍କ ଖସି ଖସି ୩୦,୦୦୦ ପାଖରେ ଏପଟ ସେପଟ ହେଉଛି। ଏଭଳି ନିବେଶ ବଜାରରେ ଯେଉଁ ନିବେଶକମାନଙ୍କ ପାଖରେ ଯଥେଷ୍ଟ ସମ୍ବଳ ଥାଏ, ସେମାନେ ଭବିଷ୍ୟତ ଲାଭକୁ ଦୃଷ୍ଟିରେ ରଖି ଭଲ ଭଲ କମ୍ପାନିମାନଙ୍କର ସେଆର୍ ଶସ୍ତାରେ ସଂଗ୍ରହ କରି ଠୁଳ କରିବାରେ ଲାଗନ୍ତି। ଏମିତି ବି ହୁଏ, ଏହାର ପରିଣତି ସ୍ବରୂପ ସ୍ବାଭାବିକ ଅବସ୍ଥା ଫେରିବା ପରେ ଏ କମ୍ପାନିମାନେ ଏହି ସୁବିଧାବାଦୀ ନିବେଶକମାନଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାନ୍ତି। ଯେଉଁ ଦେଶରୁ ବାହାରି କରୋନା ଭାଇରସ୍ ପୃଥିବୀସାରା ସେଆର୍ ବଜାର ସବୁକୁ ଛାରଖାର କରିବାରେ ଲାଗିଛି, ସେଇ ଚୀନ୍ ବିଗତ ବର୍ଷମାନଙ୍କରେ ଏକ ଅତି ବିଶାଳ ଆକାରର ବୈଦେଶିକ ମୁଦ୍ରା ଭଣ୍ଡାର ସୃଷ୍ଟି କରିବାରେ ସଫଳ ହୋଇଛି। ପାଶ୍ଚାତ୍ୟ ଦେଶମାନେ ଅନୁସରଣ କରି ଆସୁଥିବା ଦୂରଦୃଷ୍ଟିହୀନ ଚୀନା-କୈନ୍ଦ୍ରିକ ଶିଳ୍ପବାଣିଜ୍ୟ ନୀତିର ଫଳ ସ୍ବରୂପ ଚୀନ୍ ଏହିପରି ଏକ ବିତ୍ତୀୟ ଶକ୍ତି ହାସଲ କରିବାରେ ସକ୍ଷମ ହୋଇଛି। ବର୍ତ୍ତମାନ ପରିସ୍ଥିତିରୁ ଫାଇଦା ଉଠାଇବା ପାଇଁ ତେଣୁ ଯେଉଁ ଗୋଟିଏ ଦେଶ ସବୁଠାରୁ ସୁବିଧାଜନକ ସ୍ଥିତିରେ ଅଛି, ସେ ହେଉଛି ଚୀନ୍। ପୃଥିବୀସାରା ନିବେଶ ବଜାରମାନଙ୍କରେ ତେଣୁ ଏକ ଛନକା ପଶିଛି ଯେ ଚୀନ୍ ଏବେ ଖୋଲାଖୋଲି ଭାବରେ କିମ୍ବା ପରୋକ୍ଷ ଭାବରେ ବିଦେଶୀ ନିବେଶ ବଜାରମାନଙ୍କରେ ପ୍ରବେଶ କରି ଗୁରୁତ୍ବପୂର୍ଣ୍ଣ କମ୍ପାନିମାନଙ୍କୁ ଦଖଲ କରିବାକୁ ଆରମ୍ଭ କରିବ, ଯାହା କ୍ରମେ ସମ୍ପୃକ୍ତ ଦେଶର ଅର୍ଥନୀତି ଉପରେ ନିୟନ୍ତ୍ରଣ ବିସ୍ତାର କରିବ।

ଏହାର ଏକ ପ୍ରାକ୍-ସୂଚନା ସ୍ବରୂପ ଭାରତର ଏକ ଛାମୁହାଁ କମ୍ପାନି ‘ହାଉସିଙ୍ଗ୍ ଡେଭଲପ୍‌ମେଣ୍ଟ ଫାଇନାନ୍‌ସ କର୍ପୋରେସନ୍ ଲିମିଟେଡ୍’ (‘ଏଚ୍‌ଡିଏଫ୍‌ସି’) ପ୍ରକାଶ କରିଛି ଯେ ମାର୍ଚ୍ଚରେ ସମାପ୍ତ ହୋଇଥିବା ଚଉଠ ବର୍ଷରେ ଖୋଲା ବଜାରରୁ କ୍ରୟ କରି କରି ଚୀନ୍‌ର ‘ପିପୁଲ୍‌ସ ବ୍ୟାଙ୍କ୍ ଅଫ୍ ଚାଇନା’ (‘ପିବିଓସି’) ଏହି ଭାରତୀୟ ଗୃହ ଋଣ ପ୍ରଦାନକାରୀ ବ୍ୟାଙ୍କ୍‌ରେ ଥିବା ତା’ର ଅଂଶପତ୍ର ପରିମାଣକୁ ପୂର୍ବର ୦.୮ ଶତାଂଶରୁ ବୃଦ୍ଧି କରି ୧.୦୧ ଶତାଂଶ ଅନୁପାତରେ ପହଞ୍ଚାଇ ଦେଲାଣି। ଏହି ଖବର ସ୍ବାଭାବିକ ଭାବରେ ଏକ ବ୍ୟାପକ ଛାନିଆ ଭାବ ସୃଷ୍ଟି କରିଛି ଯେ ଦେଶର ଅର୍ଥନୀତି ପାଇଁ ଯେଉଁ ସବୁ କମ୍ପାନିମାନେ ‘ଏଚ୍‌ଡିଏଫ୍‌ସି’ ଭଳି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ଭାଲୁ ଉପଦ୍ରୁତ ବଜାରର ସୁଯୋଗ ନେଇ ଚୀନ୍ ଅନତି ବିଳମ୍ବେ ସେଥିରେ ନିଜର ଉପସ୍ଥିତି ବୃଦ୍ଧି କରି ଶେଷରେ ଭାରତୀୟ ଅର୍ଥନୀତିକୁ ନିଜ ନିୟନ୍ତ୍ରଣକୁ ନେଇ ଯିବ। ଜାତୀୟ ଅର୍ଥନୈତିକ ସ୍ବାର୍ଥ କେବଳ ନୁହେଁ, ଜାତୀୟ ନିରାପତ୍ତା ପାଇଁ ଏହା କିଭଳି ବିପଦ ସୃଷ୍ଟି କରିବ, ତାହା ବୁଝାଇବା ଅନାବଶ୍ୟକ। ପୃଥିବୀ ସାରା ଠିକ୍ ଏହିଭଳି ଆଶଙ୍କାରେ ବୁଡ଼ିରହିଥିବା ବେଳେ, ଭାରତ ହେଉଛି ପ୍ରଥମ ଦେଶ ଯିଏ ଚୀନ୍‌ର ଏଭଳି ଦୂରଭିସନ୍ଧିକୁ ବ୍ୟର୍ଥ କରିବା ପାଇଁ କଠିନ ପଦକ୍ଷେପ ନେବା ଆରମ୍ଭ କରିଛି। ଗତ ଶନିବାରଦିନ କେନ୍ଦ୍ର ସରକାର ଭାରତରେ ପୁଞ୍ଜିନିବେଶ ପ୍ରତି ଲାଗୁ ହେଉଥିବା ନିୟମାବଳୀରେ ଯେଉଁ ପରିବର୍ତ୍ତନ ଘୋଷଣା କରିଛନ୍ତି, ତାହା ଯଦିବା ଭାରତର ସମସ୍ତ ସୀମାନ୍ତ ପଡ଼ୋଶୀ ଦେଶମାନଙ୍କ ପ୍ରତି ଉଦ୍ଦିଷ୍ଟ ବୋଲି କାଗଜପତ୍ରରେ ଉଲ୍ଲେଖ କରାହୋଇଛି, ପ୍ରକୃତରେ ଚୀନ୍‌କୁ ଅଙ୍କୁଶ ଲଗାଇବା ପାଇଁ ହିଁ ଏହା ପ୍ରସ୍ତୁତ କରାଯାଇଛି। ଭାରତର ବର୍ତ୍ତମାନର ବୈଦେଶିକ ପୁଞ୍ଜିନିବେଶ ନୀତି ଅନୁଯାୟୀ କେତେକ କ୍ଷେତ୍ରରେ ଧାର୍ଯ୍ୟ ସୀମା ପର୍ଯ୍ୟନ୍ତ ବୈଦେଶିକ ପୁଞ୍ଜିନିବେଶ ପାଇଁ ସ୍ବୟଂକ୍ରିୟ ପଥ (ଅଟୋମେଟିକ୍ ରୁଟ୍) ଉପଲବ୍‌ଧ ଅଛି। ଯେମିତି ନୂତନ ବିମାନବନ୍ଦର ନିର୍ମାଣ, ତୈଳ ଓ ବାଷ୍ପ, ରେଳବାଇ ଭିତ୍ତିଭୂମି ସୃଷ୍ଟି ଆଦି କ୍ଷେତ୍ରରେ ଏହି ରୁଟ୍‌ରେ ୧୦୦ ଶତାଂଶ ବୈଦେଶିକ ପୁଞ୍ଜିନିବେଶ ପାଇଁ ସୁଯୋଗ ରହିଛି। ଅନ୍ୟ କେତେକ କ୍ଷେତ୍ର ପାଇଁ ଏହି ରୁଟ୍‌ରେ ବୈଦେଶିକ ପୁଞ୍ଜିନିବେଶକୁ ୨୬% କିମ୍ବା ୪୯ ଶତାଂଶ ଭଳି ସୀମା ମଧ୍ୟରେ ଆବଦ୍ଧ ରଖାଯାଇଛି। ଏହି ସୀମା ଅତିକ୍ରମ କରିବା ପାଇଁ ସରକାରଙ୍କ ଅନୁମତି ଆବଶ୍ୟକ ହୋଇଥାଏ। ପ୍ରତିରକ୍ଷା, ଗଣମାଧ୍ୟମ, ବିମାନ ସେବା କ୍ଷେତ୍ର ଆଦି ଏହି ଶ୍ରେଣୀ ଅନ୍ତର୍ଭୁକ୍ତ। କେତେକ କ୍ଷେତ୍ରରେ ମଧ୍ୟ ବିଦେଶୀ ପୁଞ୍ଜିନିବେଶ ସମ୍ପୂର୍ଣ୍ଣ ନିଷିଦ୍ଧ- ଆଣବିକ ଶକ୍ତି, ସିଗାରେଟ୍, ଲଟେରି ଆଦି।

ଭାରତ ସରକାର ବର୍ତ୍ତମାନ ଭାରତର ଏଇଭଳି ବୈଦେଶିକ ପୁଞ୍ଜିନିବେଶ ନୀତି ଅନୁସରଣ କରି ଏଠାରେ ପୁଞ୍ଜିନିବେଶ କରିବା ପାଇଁ ଯୋଗ୍ୟ ବିବେଚିତ ଦେଶମାନଙ୍କ ତାଲିକାକୁ ଆଂଶିକ ଭାବରେ ସଂକୁଚିତ କରିଦେଇଛନ୍ତି। ନିର୍ଦ୍ଦେଶନାମା ଅନୁସାରେ ଯେଉଁ ଦେଶମାନଙ୍କର ଭାରତ ସହିତ ଏକ ସାଧାରଣ ଭୂମି ସୀମା ରହିଛି ସେ ସବୁ ଦେଶର ନିବେଶକମାନଙ୍କୁ ଆଉ ସ୍ବୟଂକ୍ରିୟ ପଥ ଉପଲବ୍‌ଧ ହେବ ନାହିଁ । ଏଠାରେ ପୁଞ୍ଜିନିବେଶ କରିବାକୁ ଚାହିଁଲେ, ସେମାନଙ୍କୁ କେବଳ ଅନୁମୋଦିତ ପଥ ଉପଲବ୍‌ଧ ହେବ। ଅର୍ଥାତ୍, ଭାରତ ସରକାରଙ୍କ ପୂର୍ବାନୁମୋଦନ ବିନା ସେମାନେ ଭାରତରେ ପ୍ରତ୍ୟକ୍ଷ ପୁଞ୍ଜିନିବେଶ କରିପାରିବେ ନାହିଁ କିମ୍ବା ସେଆର୍ ବଜାରରେ ମଧ୍ୟ ପ୍ରବେଶ କରି କ୍ରୟ କରିପାରିବେ ନାହିଁ। ସେତିକି ନୁହେଁ, କୌଣସି ନିବେଶରୁ ଲାଭ ପାଉଥିବା ବ୍ୟକ୍ତିି ବା ଅନୁଷ୍ଠାନ ଯଦି ଉପରୋକ୍ତ କୌଣସି ଦେଶର ନାଗରିକ ହୋଇଥିବେ କିମ୍ବା ସେଠାରେ ଅବସ୍ଥିତ ହୋଇଥିବେ, ଏ ନୂତନ କଟକଣା ସେଥିପ୍ରତି ମଧ୍ୟ ଲାଗୁ ହେବ। ତେଣୁ ଏହି ନୂତନ ନିୟମ ଦ୍ବାରା ଉଭୟ ପ୍ର‌ତ୍ୟକ୍ଷ ଓ ପରୋକ୍ଷ ‌ସନ୍ଦେହଜନକ ବୈଦେଶିକ ପୁଞ୍ଜିନିବେଶକୁ ଅଟକାଇ ଦିଆଯିବ। ଆଶା କରାଯାଉଥିବା ଭଳି ଚୀନ୍ ଏହା ବିରୋଧରେ ତୀବ୍ର ପ୍ରତିବାଦ କରିସାରିଲାଣି। ଚୀନ୍‌ର ଏହି ପ୍ରତିବାଦ ହିଁ ତାକୁ ପଦାରେ ପକାଇ ଥାଏ। ଯେ କୌଣସି ସାର୍ବଭୌମ ଦେଶର ନିଜ ଦେଶ ଭିତରେ ବିଦେଶୀ ନିବେଶକୁ ନିୟନ୍ତ୍ରଣ କରିବାର ଅଧିକାର ରହିଛି, ଭାରତ ତାହା ହିଁ ମାତ୍ର କରିଛି, ଚୀନା ନିବେଶକୁ ନିଷିଦ୍ଧ ତ କରିନାହିଁ। ଅତୀତରେ ପ୍ରବଳ ଚାପ ସତ୍ତ୍ବେ ଭାରତ ଚୀନ୍‌ର ‘ବେଲ୍‌ଟରୋଡ୍ ଇନିସିଏଟିଭ୍ (‘ବିଆର୍ଆଇ’) ଏବଂ ‘ରିଜନାଲ୍ କମ୍ପ୍ରିହେନ୍‌ସିଭ୍ ଇକନମିକ୍ ପାର୍ଟନର୍‌ସିପ୍’ (ଆରସିଇପି) କାର୍ଯ୍ୟକ୍ରମାନଙ୍କରୁ ଦୂରେଇ ରହିଥିଲା- ଯାହା ବର୍ତ୍ତମାନ ବୁଦ୍ଧିମାନର କାର୍ଯ୍ୟ ରୂପେ ସାବ୍ୟସ୍ତ ହୋଇଛି। ଶନିବାରର ଘୋଷଣା ସେଇ ଭଳି ଆଉ ଏକ ବୁଦ୍ଧିମାନ କାର୍ଯ୍ୟ।

ସମ୍ବନ୍ଧିତ ଖବର