ମାଟି ଶଗଡ଼ି

ରାଜା ଶୂଦ୍ରକ ରଚିତ ‘ମୃଚ୍ଛକଟିକ’ ଅନେକ ଦୃଷ୍ଟିରୁ ଗତାନୁଗତିକ ଧାରାରୁ ଦୂରେଇ ଯାଇଥିବା ଏକ ଭିନ୍ନ ଶ୍ରେଣୀର ନାଟକ ରୂପେ ବିବେଚିତ ହୋଇଥାଏ। ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର ଉଜ୍ଜୟିନୀ ରାଜ୍ୟକୁ ଘଟଣାବଳୀର ସ୍ଥାନ ଓ କାଳ ରୂପେ ବ୍ୟବହାର କରି ଖ୍ରୀଷ୍ଟପୂର୍ବ ପଞ୍ଚମରୁ ଦ୍ବିତୀୟ ଶତାବ୍ଦୀ ମଧୢରେ ରଚନା କରାଯାଇଥିବା ଏହି ନାଟକରେ ବିଭିନ୍ନ ଭାବରେ ଭରତଙ୍କ ‘ନାଟ୍ୟଶାସ୍ତ୍ର’ ଅନୁମୋଦିତ ପାରମ୍ପରିକ ବିଧି ଉଲ୍ଲ˚ଘନ କରାଯାଇଥିଲା ବୋଲି ସ˚ସ୍କୃତ ପଣ୍ତିତମାନେ ମତ ଦେଇଥାନ୍ତି। ଉଦାହରଣ ସ୍ବରୂପ ଶୂଦ୍ରକ ତାଙ୍କର ନାଟକର ପ୍ରତ୍ୟେକ ଅଙ୍କରେ ନାୟକଙ୍କୁ ଆବିର୍ଭୂତ କରାଇ ନଥାନ୍ତି, ଯାହା ପରମ୍ପରା ଭଙ୍ଗ ଥିଲା। ଭରତ ମଞ୍ଚରେ ଶୟନ କିମ୍ବା ହି˚ସାଚରଣ ଦୃଶ୍ୟ ପ୍ରଦର୍ଶନକୁ ନିଷିଦ୍ଧ କରିଥିଲେ ହେଁ ଶୂଦ୍ରକ ତାଙ୍କ ନାଟକରେ ସେଭଳି ଦୃଶ୍ୟମାନ ଅନ୍ତର୍ଭୁକ୍ତ କରିଥିଲେ। ସେଇଭଳି ଭରତମୁନି ମଞ୍ଚରେ କାମୋଦ୍ଦୀପକ ଦୃଶ୍ୟ ପ୍ରଦର୍ଶନ ଅନୁମୋଦନ କରି ନଥିଲେ ହେଁ ଶୃଙ୍ଗାରରସଭିତ୍ତିକ ‘ମୃଚ୍ଛକଟିକ’ରେ ଏଭଳି ଦୃଶ୍ୟ ଭରି ହୋଇ ରହିଥାଏ। କିନ୍ତୁ ବୋଧହୁଏ ଯାହା ସର୍ବପ୍ରଥମ ଓ ସର୍ବାଧିକ ତାତ୍ପର୍ଯ୍ୟପୂର୍ଣ୍ଣ ବ୍ୟତିକ୍ରମ ଥିଲା, ତାହା ହେଲା ନାଟକଟିର ଶୀର୍ଷକ। ପରମ୍ପରା ଅନୁସାରେ ନାୟକ ବା ନାୟିକାଙ୍କ ନାମ ଅନୁସାରେ କିମ୍ବା କୌଣସି ପ୍ରମୁଖ ଘଟଣା ଅନୁସାରେ ନାଟକର ନାମକରଣ କରାଯାଇଥାଏ। ଶୂଦ୍ରକ କିନ୍ତୁ ଏକ ଅତ୍ୟନ୍ତ ନଗଣ୍ୟ ମନେହେଉଥିବା ପଦାର୍ଥ (‘ମୃଚ୍ଛକଟିକ’ ଅର୍ଥାତ୍‌ ‘ମାଟି ଶଗଡ଼ି’) ଅନୁସାରେ ତାଙ୍କ ନାଟକର ନାମକରଣ କରି ସେ ପରମ୍ପରା ଭଙ୍ଗ କରିଥିଲେ। ଏକ ଶିଶୁର ଏହି ମାଟିର ଖେଳଣା ଶଗଡ଼କୁ କେନ୍ଦ୍ର କରି ନାଟକର କାହାଣୀ ଏକ ଚାଞ୍ଚଲ୍ୟକର ଓ ଗୁରୁତ୍ବପୂର୍ଣ୍ଣ ମୋଡ଼ ନେଇଥିଲା। କିନ୍ତୁ ଏକ ସାମାନ୍ୟ ଖେଳନାକୁ ଏପରି ମର୍ଯ୍ୟାଦା ପ୍ରଦାନ କରି ନାଟ୍ୟକାର ରାଜା ଶୂଦ୍ରକ ଯେ ଏକ ବିରଳ ବିଜ୍ଞତା ଓ ସାହସିକତାର ପରିଚୟ ଦେଇଥିଲେ, ଏଥିରେ ସମସ୍ତ ନାଟ୍ୟ ପଣ୍ତିତମାନେ ଏକମତ ହୋଇଥାନ୍ତି।

ରାଜା ଶୂଦ୍ରକଙ୍କୁ ଅନୁକରଣ କଲା ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଭାରତରେ ଖେଳନା ନିର୍ମାଣକୁ ଯେଉଁଭଳି ଗୁରୁତ୍ବ ପ୍ରଦାନ କରିବା ଦେଖାଯାଇଛି, ତାହା ଅନୁରୂପ ଭାବରେ ଅଣପାରମ୍ପରିକ ତଥା ତାତ୍ପର୍ଯ୍ୟପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦେଶରେ ଆଣବିକ ଶକ୍ତି କେନ୍ଦ୍ର ସ୍ଥାପନ କିମ୍ବା ଯୁଦ୍ଧ ବିମାନ ଉତ୍ପାଦନ କିମ୍ବା ବୁଲେଟ୍‌ ଟ୍ରେନ୍‌ ପ୍ରବର୍ତ୍ତନ ଭଳି ଯୋଜନା କିମ୍ବା ନୀତି ନିର୍ଦ୍ଧାରଣ ସହିତ ତୁଳନା କଲେ ଖେଳଣା ଉତ୍ପାଦନକୁ ଏ ଭଳି ଛାମୁହାଁ ଗୁରୁତ୍ବ ପ୍ରଦାନ ନିଶ୍ଚିତ ରୂପେ ହଠାତ୍‌ ଏକ ହାଲୁକା ହାସ୍ୟାସ୍ପଦ ନୀତି ଭଳି ମନେ ହେବାର ବିପଦ ଯେ ରହିଛି ଏହା ପ୍ରଧାନମନ୍ତ୍ରୀ ମୋଦୀ ନିଶ୍ଚିତ ରୂପେ ହୃଦୟଙ୍ଗମ କରିଥିବେ। କିନ୍ତୁ ତା’ ସତ୍ତ୍ବେ ସେ ତାଙ୍କର ସଦ୍ୟତମ ରେଡିଓ ଭାଷଣ ‘ମନ୍‌ କୀ ବାତ୍‌’ରେ ଦେଶରେ ଖେଳଣା ଉତ୍ପାଦନ ଉପରେ ବିଶେଷ ଗୁରୁତ୍ବ ଆରୋପ କରିବା ଦେଖାଯାଇଥିଲା। ଏଥିପୂର୍ବରୁ ସେ ଦେଶରେ ‘ଷ୍ଟାର୍ଟଅପ୍‌’ ବ୍ୟବସାୟ ପ୍ରତିଷ୍ଠାକୁ ଗୁରୁତ୍ବ ପ୍ରଦାନ କରି ଆସିବା ଦେଖାଯାଇଛି। ଏକ ‘ଷ୍ଟାର୍ଟଅପ୍‌’ ସାଧାରଣତଃ ମନରେ ଯେଉଁ ଛବି ଆଙ୍କି ଥାଏ, ତାହା ହେଉଛି କୌଣସି ‘ଇ କମର୍ସ’ କିମ୍ବା ‘ସଫ୍‌ଟେଵଆର‌୍‌’, ‘ଆଇଟି’ ଇତ୍ୟାଦି କ୍ଷେତ୍ରରେ ପ୍ରତିଷ୍ଠିତ ଏକ ନୂତନ ଉଦ୍ୟୋଗର ଚିତ୍ର। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବାର୍ତ୍ତାରେ ଦେଶରେ ଖେଳଣା ଉତ୍ପାଦନ ପ୍ରସାର ଓ ବୃଦ୍ଧି ପାଇଁ ଆହ୍ବାନ ଦେବା ସଙ୍ଗେ ସଙ୍ଗେ ଏ କ୍ଷେତ୍ରରେ ‘ଷ୍ଟାର୍ଟ ଅପ୍‌’ ମାନ ହାତ ମିଳାଇ କେବଳ ଦେଶର ଚାହିଦା ପୂରଣ ପାଇଁ ନୁହେଁ ସାରା ପୃଥିବୀକୁ ଖେଳଣା ଯୋଗାଇବା ପାଇଁ ଭାରତକୁ ଏକ ମୁଖ୍ୟ ଖେଳଣା ଉତ୍ପାଦନକାରୀ କେନ୍ଦ୍ରରେ ପରିଣତ କରିବା ପାଇଁ ଆହ୍ବାନ ଦେଇଥିଲେ, ଯାହାକୁ ଦେଶର ଖେଳନା ଉତ୍ପାଦନକାରୀମାନେ ମୁକ୍ତ କଣ୍ଠରେ ସ୍ବାଗତ କରିଛନ୍ତି।

ଦେଶରେ ଖେଳନା ଉତ୍ପାଦନକୁ ଏଭଳି ଗୁରୁତ୍ବ ପ୍ରଦାନ ପ୍ରଧାନମନ୍ତ୍ରୀଙ୍କ ଏହି ଗୋଟିଏ ରେଡିଓ ବାର୍ତ୍ତାରେ ଅବଶ୍ୟ ସୀମିତ ନୁହେଁ। ଏଥି ପୂର୍ବରୁ ନିକଟରେ ଘୋଷିତ ‘ଜାତୀୟ ଶିକ୍ଷା ନୀତି’ (‘ଏନ୍‌ଇପି’)ରେ ଖେଳଣା ତିଆରି ଭଳି ସ୍ଥାନୀୟ କାରିଗରିକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଇଛି। ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଛାତ୍ରଛାତ୍ରୀମାନଙ୍କୁ ଖେଳଣା ତିଆରିରେ ଶିକ୍ଷା ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ବିଦ୍ୟାଳୟରେ କର୍ମଶାଳା ପ୍ରତିଷ୍ଠା କରି, ସ୍ଥାନୀୟ କାରିଗରମାନଙ୍କୁ ତାଲିମଦାତା ରୂପେ ବ୍ୟବହାର କରି ଓ ଛାତ୍ରଛାତ୍ରୀମାନଙ୍କୁ ଖେଳଣା ନିର୍ମାଣ କରୁଥିବା କାରଖାନାମାନଙ୍କୁ ପରିଦର୍ଶନରେ ନେଇ ସେମାନଙ୍କ ଦକ୍ଷତା ବୃଦ୍ଧିର ଉଦ୍ୟମ କରାଯିବାର ଯୋଜନା ରହିଛି। ତାଙ୍କର ‘ମନ୍‌ କୀ ବାତ୍‌’ ବାର୍ତ୍ତା ପୂର୍ବରୁ ମଧୢ ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୨୨ରେ ଅନୁଷ୍ଠିତ ‘ଆତ୍ମନିର୍ଭର ଭାରତ ମିସନ୍‌’ ସମ୍ପର୍କିତ ଏକ ବୈଠକରେ ଦେଶରେ ଖେଳଣା ଉତ୍ପାଦନକୁ ଏହି ଉଦ୍ୟମର ଏକ ଗୁରୁତ୍ବପୂର୍ଣ୍ଣ ଅ˚ଶ ରୂପେ ଚିତ୍ରଣ କରିଥିଲେ। ବିଶୁଦ୍ଧ ଅର୍ଥନୈତିକ ଦୃଷ୍ଟିକୋଣରୁ ଦେଖିଲେ ଦେଶରେ ଖେଳଣା ଉତ୍ପାଦନ ପ୍ରତି ଏପରି ଗୁରୁତ୍ବ ଆରୋପ କେବଳ ସମୟୋପଯୋଗୀ ନୁହେଁ, ବର˚ ଏକ ବିଳମ୍ବିତ ପଦକ୍ଷେପ ବୋଲି ମନେହୁଏ। କେବଳ ଭାରତରେ ଖେଳଣା ବଜାରର ଆକାର ହେଉଛି ପ୍ରାୟ ୧.୭ ବିଲିଅନ୍‌ ଡଲାର‌୍‌, ଯାହାର ୮୫-୯୦ ଶତା˚ଶ ଦୁର୍ଭାଗ୍ୟପୂର୍ଣ୍ଣ ଭାବରେ ଚୀନ୍‌ ନିୟନ୍ତ୍ରଣରେ ରହିଛି ବୋଲି କୁହାଯାଇପାରେ! ଆମ ଦେଶରେ ବିକ୍ରି ହେଉଥିବା ଖେଳଣା ସବୁର ଏହି ଅ˚ଶ ଚୀନ୍‌ରୁ ଆମଦାନି ହୋଇଥାଏ। ଆନ୍ତର୍ଜାତିକ ଦୃଷ୍ଟିକୋଣରୁ ଦେଖିଲେ ଦେଖାଯାଏ ଯେ ସାରା ପୃଥିବୀରେ ହେଉଥିବା ଖେଳଣା ରପ୍ତାନିରେ ଚୀନ୍‌ର ଭାଗ ହେଉଛି ପ୍ରାୟ ୪୦ ଶତା˚ଶ ଏବ˚ ଲଜ୍ଜାଜନକ ଭାବରେ ଭାରତର ଭାଗ ହେଉଛି ମାତ୍ର ଏକ ଶତା˚ଶର ଅଧାରୁ ବା ୦.୫ ଶତା˚ଶରୁ ମଧୢ କମ୍‌। ସ୍ଥାନୀୟ ନିର୍ମାତା ଓ ବ୍ୟବସାୟୀମାନେ କିନ୍ତୁ ଆଶାବାଦୀ ଯେ ଯଦି ଦେଶରେ କେତେକ ସୁବିଧା ସୁଯୋଗ ଉପଲବ୍‌ଧ ହୁଅନ୍ତା, ତେବେ ସେମାନେ ଉନ୍ନତ ମାନର ଖେଳଣା ତିଆରି ଓ ରପ୍ତାନିରେ ଚୀନ୍‌କୁ ଉଚିତ ଟକ୍‌କର ଦେଇପାରନ୍ତେ- କାରଖାନା ପ୍ରତିଷ୍ଠା ପାଇଁ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରତିବନ୍ଧ ଦୂର ଠାରୁ ଆରମ୍ଭ କରି ଡିଜାଇନ୍‌ ଓ ବିକାଶ କେନ୍ଦ୍ରମାନ ପ୍ରତିଷ୍ଠା ପର୍ଯ୍ୟନ୍ତ ଏହାର ଅନ୍ତର୍ଭୁକ୍ତ। ଭାରତରେ ଖେଳଣା ଉତ୍ପାଦନ ପ୍ରସାର ପାଇଲେ ଅବିଳମ୍ବେ ଚୀନ୍‌ରୁ ସମସ୍ତ ଖେଳନା ଆମଦାନି ଅନ୍ୟାନ୍ୟ ଆମଦାନି ଭଳି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାର ମଧୢ ଏକ ଦୃଢ଼ ସମ୍ଭାବନା ଦେଖା ଦେଲାଣି।

ତେବେ ଖେଳଣାର ଗୁରୁତ୍ବ ଏହି ଅର୍ଥନୈତିକ ବିଚାରରେ ଯେ ସୀମିତ ନୁହେଁ, ଜାତୀୟ ଶିକ୍ଷାନୀତିରେ ଏଥିପ୍ରତି ଦିଆଯାଇଥିବା ଗୁରୁତ୍ବରୁ ତାହା ସ୍ପଷ୍ଟ ହୋଇଥାଏ। ପିଲାମାନଙ୍କର ବୌଦ୍ଧିକ-ଅଙ୍ଗ ସଞ୍ଚାଳନ କୌଶଳରେ ଉନ୍ନତି ସାଧନରେ ଖେଳଣାର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଏଥିରେ ସ୍ବୀକୃତି ଦିଆଯାଇଛି। ମନସ୍ତତ୍ତ୍ବବିତ୍‌ମାନେ ଶିଶୁର ବ୍ୟକ୍ତିତ୍ବ ବିକାଶରେ ଖେଳଣାର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ଏକମତ ହୋଇଥିବା ବେଳେ ଏ ସମ୍ବନ୍ଧରେ ଯେ ଏକ ଶକ୍ତିଶାଳୀ ରଚନା ସମ୍ପୃକ୍ତ ବୁଦ୍ଧିଜୀବୀ ମହଲରେ ସୁପରିଚିତ ତାହା ହେଉଛି ୧୮୫୩ରେ ପ୍ରକାଶିତ ଫରାସୀ କବି ଓ ଦାର୍ଶନିକ ଚାର୍ଲସ୍‌ ବଡ଼େଲେଆର‌୍‌ଙ୍କ ଦ୍ବାରା ରଚିତ ପ୍ରବନ୍ଧ ‘ଖେଳଣାର ଦର୍ଶନ’ (‘ଫିଲସଫି ଅଫ୍‌ ଟଏଜ୍‌’)। ତାଙ୍କ ମତରେ ଏକ ଶିଶୁ ଓ ତାର ପାରିପାର୍ଶ୍ବିକ ସ˚ସ୍କୃତି ମଧୢରେ ଯିଏ ପ୍ରଥମେ ସମ୍ପର୍କ ସ୍ଥାପନରେ ସହାୟକ ହୋଇଥାଏ, ସିଏ ହେଉଛି ତା’ର ଖେଳଣା। ସ˚ସ୍କୃତି ଯେତେବେଳେ ଏକ ନୂତନ ଗୁରୁତ୍ବ ଧରି ଉଭା ହେବାରେ ଲାଗିଛି, ଖେଳଣା ସେତେବେଳେ ଏକ ନୂତନ ଗୁରୁତ୍ବ ଲାଭ କରିବା ତେଣୁ ସମ୍ପୂର୍ଣ୍ଣ ଯଥାର୍ଥ ମନେହୁଏ, ଶୂଦ୍ରକଙ୍କ ନାଟକରେ ମାଟି ଶଗଡ଼ି ଯେମିତି ଗୁରୁତ୍ବ ଲାଭ କରିଥିଲା।

ସମ୍ବନ୍ଧିତ ଖବର