ରାଜା ରାମ

ଭାରତର ସଭ୍ୟତାର ଇତିହାସ ଏଠାରେ ମୋଗଲ ଆକ୍ରମଣକାରୀ ବାବରଙ୍କ ଅନୁପ୍ରବେଶଠାରୁ ବହୁ ଅଧିକ ପ୍ରାଚୀନ। ସେଇ ଇତିହାସର ଚକ ଅନିବାର୍ଯ୍ୟ ଭାବରେ ଘୂରି ଶେଷରେ ଆଜି ଅଯୋଧୢାଠାରେ ରାମ ଜନ୍ମଭୂମି ସ୍ଥଳୀରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହେଉଛି। ଅଯୋଧୢାରେ ଏହି ମନ୍ଦିର ନିର୍ମାଣ ଏକ ଅବଧାରିତ ସତ୍ୟରେ ପରିଣତ ହୋଇ ସାରିଥିଲେ ହେଁ ତଥାପି କେତେକ ଏପରି ଅଛନ୍ତି, ଯେଉଁମାନେ ଏହାକୁ ଗ୍ରହଣ କରି ନ ପାରି ଏହାକୁ ନେଇ ବିଭିନ୍ନ କିସମର ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରି ଚାଲିଛନ୍ତି।

ଇକ୍‌ବାଲ୍‌ ଆନ୍‌ସାରି କିନ୍ତୁ ସେମାନଙ୍କ ମଧୢରୁ ଜଣେ ନୁହଁନ୍ତି। ରାମ ଜନ୍ମଭୂମି-ବାବ୍‌ରି ମସ୍‌ଜିଦ୍‌ ଅଦାଲତୀ ମାମଲାରେ ଅନ୍ୟତମ ମୁଖ୍ୟ ପକ୍ଷ ଥିବା ଆନ୍‌ସାରି ଭୂମିପୂଜନ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରିତ ହୋଇଥିବା ପ୍ରଥମ ବ୍ୟକ୍ତିର ଗୌରବ ଲାଭ କରି ତାହାକୁ ସାଦରେ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ଅଯୋଧୢାରେ ମନ୍ଦିର ନିର୍ମାଣ ଉଭୟ ସମ୍ପ୍ରଦାୟ ମଧୢରେ ଏକ ସକାରାତ୍ମକ ସମ୍ପର୍କ ସୃଷ୍ଟି କରିବାରେ ସହାୟକ ହେବ। ଆହୁରି ଦୂରଦୃଷ୍ଟିର ପରିଚୟ ଦେଇ ଆନ୍‌ସାରି ଏ କଥା ମଧୢ କହିଛନ୍ତି ଯେ ମନ୍ଦିର ନିର୍ମାଣ ଅଯୋଧୢାବାସୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସେ ପୁଣି କହିଛନ୍ତି, ଯେଉଁଭଳି ଯୋଜନା ପ୍ରସ୍ତୁତ ହୋଇଛି, ଅଯୋଧୢାରେ ମଧୢ ଅନେକ ଶିଳ୍ପର ଆବିର୍ଭାବ ଘଟିବ।

ସୂଚାଇବା ଅନାବଶ୍ୟକ, ଇକ୍‌ବାଲ୍‌ ଆନ୍‌ସାରି ହେଉଛନ୍ତି ସ˚ଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟ ଏବ˚ ତାଙ୍କ ପିତା ହସିମ୍‌ ଆନ୍‌ସାରିଙ୍କ ମୃତ୍ୟୁ ପରେ ସେ ପିତାଙ୍କ ଭୂମିକା ଗ୍ରହଣ କରି ଅଦାଲତରେ ଲଢ଼େଇ ଜାରି ରଖିଥିଲେ, କିନ୍ତୁ ଗତ ନଭେମ୍ବରରେ ସୁପ୍ରିମ୍‌ କୋର୍ଟ ରାମ ମନ୍ଦିର ନିର୍ମାଣ ସପକ୍ଷରେ ରାୟ ଦେବା ପରେ ସେ ତାକୁ ଅକୁଣ୍ଠିତ ଚିତ୍ତରେ ଗ୍ରହଣ କରିଥିଲେ। ତାଙ୍କର ଆଚରଣ ଦର୍ଶାଉଛି ଯେ ସେ ନିଜର ସ˚ଖ୍ୟାଲଘୁ ପରିଚୟ ଯେଉଁଭଳି ସ୍ବାଭାବିକ ଭାବରେ ବହନ କରନ୍ତି, ସେଇଭଳି ସାବଲୀଳ ଭାବରେ ସେ ନିଜକୁ ସାମ୍ପ୍ରଦାୟିକତାରୁ ମୁକ୍ତ ରଖିଛନ୍ତି; ଯାହା ଅନେକ ଉଦାରପନ୍ଥୀ ବୋଲାଉଥିବା ଲୋକଙ୍କଠାରେ ଦେଖିବାକୁ ମିଳି ନଥାଏ। ସେମାନେ ସର୍ବଦା ଏକ ସାମ୍ପ୍ରଦାୟିକ ଚଷମା ଦେଇ ଦୁନିଆକୁ ଦେଖିଥାନ୍ତି।

ଯେମିତି ରଘୁରାମ ରାଜନ। ବିଦେଶରେ ଥାଇ ରିଜର୍ଭ ବ୍ୟାଙ୍କ୍‌ର ଏହି ପୂର୍ବତନ ଗଭର୍ନର‌୍‌ କେତେ ଦିନ ହେବ କହି ଚାଲିଛନ୍ତି ଯେ ମୋଦୀ ସରକାର ଦେଶରେ ସ˚ଖ୍ୟାଗରିଷ୍ଠ-କୈନ୍ଦ୍ରିକ ଲକ୍ଷ୍ୟ ମାନ ଅନୁସରଣ କରୁଛି, ଅର୍ଥନୀତିକୁ ସହାୟକ ହେବା ଭଳି ନୀତି ଅବଲମ୍ବନ କରୁନାହିଁ। ଗତ ସପ୍ତାହରେ ପ୍ରିନ୍‌ସଟନ୍‌ ୟୁନିଭର୍ସିଟି ଦ୍ବାରା ଆୟୋଜିତ ଏକ େଵବ୍‌ଭିତ୍ତିକ ଆଲୋଚନାଚକ୍ର (େଵବିନାର‌୍‌)ରେ ଅ˚ଶ ଗ୍ରହଣ କରିବା ଅବସରରେ ରାଜନ ପୁଣିଥରେ ମୋଦୀ ସରକାର ଅର୍ଥନୀତିକୁ ସୁଧାରିବା ପାଇଁ ରାଜକୋଷୀୟ ପ୍ରୋତ୍ସାହନ ଦେବା ପରିବର୍ତ୍ତେ ନିଜର ସମସ୍ତ ଧୢାନ ସ˚ଖ୍ୟାଗରିଷ୍ଠ ଅନୁକୂଳ ଲକ୍ଷ୍ୟ ମାନଙ୍କରେ କେନ୍ଦ୍ରୀଭୂତ କରିଛି ବୋଲି ଅଭିଯୋଗ କରିବା ଦେଖା ଯାଇଥିଲା।

ରଘୁରାମ ରାଜନ ଯେ ଜଣେ ଦକ୍ଷ ପ୍ରୟୋଗାତ୍ମକ ଅର୍ଥନୀତିଜ୍ଞ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ତାଙ୍କର ମନ୍ତବ୍ୟରେ ରହିଥିବା ସୁଚିନ୍ତିତ ଅର୍ଦ୍ଧସତ୍ୟ ଦୁଇଟି କଥାରୁ ଗୋଟିଏ କିମ୍ବା ଦୁଇଟିଯାକ ସାବ୍ୟସ୍ତ କଲା ଭଳି ମନେ ହୋଇଥାଏ: ଗୋଟିଏ, ସେ ହେଉଛନ୍ତି ଜଣେ ପ୍ରତିହି˚ସାପରାୟଣ ପରାଜିତ ଚରିତ୍ର (ବ୍ୟାଡ୍‌ ଲୁଜର‌୍‌) କିମ୍ବା ଜଣେ ସାମ୍ପ୍ରଦାୟିକ ଚଷମା ପିନ୍ଧିଥିବା ତଥାକଥିତ ଉଦାରବାଦୀ। କିମ୍ବା, ଉଭୟ। ବର୍ତ୍ତମାନ ଅର୍ଥନୀତିକୁ ପୁନରୁଜ୍ଜୀବିତ କରିବା ପାଇଁ ଯେ ବିପୁଳ ରାଜକୋଷୀୟ ପ୍ରୋତ୍ସାହନର ଆବଶ୍ୟକତା ରହିଛି ଏବ˚ ନରେନ୍ଦ୍ର ମୋଦୀ ସରକାର ଆବଶ୍ୟକତା ଠାରୁ ବହୁ କମ୍‌ ସେଭଳି ସହାୟତା ପ୍ରଦାନ କରିଛନ୍ତି, ଏହା ସତ ଏବ˚ ତାହା ଏପରି ବ୍ୟାପକ ରୂପେ ଆଲୋଚିତ ହେବାରେ ଲାଗିଛି ଯେ ରାଜନ ତାହା କହି କିଛି ନୂଆ, ଗହନ ବିଦ୍ୟା ପ୍ରଦର୍ଶନ କରିନାହାନ୍ତି। କିନ୍ତୁ ରାମ ମନ୍ଦିର ଭୂମି ପୂଜନର ପୂର୍ବ ସପ୍ତାହରେ ହିଁ ରାଜନ ଯେଉଁ ମନ୍ତବ୍ୟ ପ୍ରଦାନ କରିଛନ୍ତି ଯେ ସରକାର ଦେଶର ଅର୍ଥନୀତିର ମରାମତି ପ୍ରତି ଧୢାନ ଦେବା ପରିବର୍ତ୍ତେ ସ˚ଖ୍ୟାଗରିଷ୍ଠବାଦ ପ୍ରତି ସମସ୍ତ ଧୢାନ କେନ୍ଦ୍ରୀଭୂତ କରିବାରେ ଲାଗିଛନ୍ତି, ଇକ୍‌ବାଲ ଆନ୍‌ସାରିଙ୍କର ଉପରୋକ୍ତ ମନ୍ତବ୍ୟ ତାହାକୁ ମିଥ୍ୟା ପ୍ରମାଣିତ କରିଥାଏ।

ଏଥିରେ ସନ୍ଦେହ ନାହିଁ ଯେ ରାଜନଙ୍କ ମନ୍ତବ୍ୟ ପ୍ରଦାନର ସମୟ ରାମ ମନ୍ଦିର ନିର୍ମାଣକୁ ପରୋକ୍ଷରେ ସରକାରଙ୍କର ସଦ୍ୟତମ ସ˚ଖ୍ୟାଗରିଷ୍ଠତାବାଦୀ ପ୍ରକଳ୍ପ ରୂପେ ପ୍ରଦର୍ଶିତ କରୁଛି। ଆମେରିକାକୁ ନିଜର ବାସସ୍ଥଳୀ ଓ କର୍ମଭୂମି ରୂପେ ବାଛିଥିବା ରାଜନ ନିଶ୍ଚିତ ରୂପେ ସେ ଦେଶର ଅର୍ଥନୈତିକ ଇତିହାସ ସହିତ ସୁପରିଚିତ ଥିବେ। ୧୯୩୦ ଦଶକରେ ଯେତେବେଳେ ଆମେରିକାର ଅର୍ଥନୀତି ଏକ ଗଭୀର ଅବସ୍ଫୀତି କବଳରେ ପଡ଼ି ଛଟପଟ ହେଉଥିଲା, ସେତେବେଳେ ଫ୍ରାଙ୍କ୍‌ଲିନ୍‌ ରୁଜ୍‌ଭେଲ୍‌ଟ ସରକାର ରାଜନ ଏବେ କହୁଥିବା ଭଳି ଅର୍ଥନୀତିରେ ପ୍ରାଣ ସଞ୍ଚାର କରିବା ପାଇଁ ବ୍ୟାପକ ରାଜକୋଷୀୟ ସହାୟତା କାର୍ଯ୍ୟକ୍ରମ ଜାରି ରଖିଥିଲେ। ‘ନିଉଡିଲ୍‌’ ନାମରେ ପ୍ରସିଦ୍ଧି ଅର୍ଜନ କରିଥିବା ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଥିବା ବିଭିନ୍ନ ପ୍ରକଳ୍ପମାନଙ୍କ ମଧୢରେ ଥିଲା- ସରକାରୀ କୋଠାବାଡ଼ିରେ ରଙ୍ଗ ବୋଳା ଯିବାରୁ ଆରମ୍ଭ କରି ସେଫ୍‌ଟି ପିନ୍‌ର ଇତିହାସର ଗବେଷଣା କରିବା ପର୍ଯ୍ୟନ୍ତ।

ସ˚କୋଚନ ସମ୍ମୁଖୀନ ଅର୍ଥନୀତିର ଉଦ୍ଧାର ପାଇଁ ରାଜକୋଷୀୟ ହସ୍ତକ୍ଷେପ କୌଶଳର ଉଦ୍ଭାବକ ଜନ୍‌ ମେନାର୍ଡ କିନ୍‌ସ ଯେଉଁ ଖାଲି ବୋତଲରେ ଡଲାର ନୋଟ୍‌ ଭର୍ତ୍ତି କରି ତାକୁ ପୋତିବା ଓ ପୁଣି ଖୋଳି ବାହାର କରିବା ମାଧୢମରେ ନିଯୁକ୍ତି ସୃଷ୍ଟି କରାଯାଇପାରିବ ବୋଲି ଲଘୁ ମନ୍ତବ୍ୟ ପ୍ରଦାନ କରିଥିଲେ, ରୁଜ୍‌ଭେଲ୍‌ଟଙ୍କ ନିଉଡିଲ୍‌ ତା’ଠାରୁ ଅଧିକ ଉତ୍ପାଦନଶୀଳ ଓ ଅର୍ଥପୂର୍ଣ୍ଣ ଥିଲା- ଏହା ରାଜନ ଭଲ ରୂପେ ଜାଣିଥିବେ। ରାମ ମନ୍ଦିର ନିର୍ମାଣ ଯେ ନିଉଡିଲ୍‌ ଠାରୁ ଆହୁରି ଅଧିକ ଫଳପ୍ରଦ ପ୍ରକଳ୍ପ, ସେ କଥା ଇକ୍‌ବାଲ୍‌ ଆନ୍‌ସାରିଙ୍କ ପରି ସାଧାରଣ ନାଗରିକ ଯେତେବେଳେ ବୁଝି ପାରିଛନ୍ତି, ରାମ ନାମଧାରୀ ରାଜନଙ୍କ ଭଳି ବିଚକ୍ଷଣ ଅର୍ଥନୀତିଜ୍ଞ କ’ଣ ବୁଝି ପାରି ନଥିବେ?

ସେଫ୍‌ଟି ପିନ୍‌ର ଇତିହାସ ଗବେଷଣା ଦ୍ବାରା ଉନ୍ମୋଚିତ ହେଲେ ତାହା ଆମେରିକାର ଦେଶବାସୀଙ୍କୁ ଗୋଟିଏ ଭାବରଜ୍ଜୁରେ ବାନ୍ଧି ଜାତୀୟତାଭାବକୁ ସୁଦୃଢ଼ କରିବାର କୌଣସି ସମ୍ଭାବନା ନଥିଲା। ରାମ ମନ୍ଦିର ନିର୍ମାଣ କିନ୍ତୁ ହେଉଛି ଭାରତୀୟମାନଙ୍କର ଏକ ଐତିହାସିକ ଅଭିଳାଷାର ବାସ୍ତବ ରୂପାୟନ। ଜାତୀୟ ଚେତନା ଓ ଜାତୀୟ ସ˚ହତିକୁ ସୁଦୃଢ଼ କରୁଥିବା ଏପରି ଏକ ପ୍ରକଳ୍ପର ସାମଗ୍ରିକ ଅବଦାନ କେବଳ ଅର୍ଥନୈତିକ ଲାଭକ୍ଷତିରେ ସୀମିତ ନୁହେଁ, ତା’ଠାରୁ ବହୁଗୁଣ ଗଭୀର ଓ ବ୍ୟାପକ। ଏହା ଆଦୌ ଏକ ସ˚ଖ୍ୟାଗରିଷ୍ଠତାବାଦୀ ପ୍ରକଳ୍ପ ନୁହେଁ, ଏହା ହେଉଛି ଏକ ପ୍ରାଚୀନତମ ସଭ୍ୟତାର ଇତିହାସର ଉତ୍‌ଥାନ ପତନ ମଧୢରେ ନିଜର ମୌଳିକତା ଓ ଆଦର୍ଶ ନହରାଇ ତିଷ୍ଠି ରହିଥିବାର ଏକ ବହୁ ଅପେକ୍ଷିତ ପ୍ରମାଣ।

ଇତିହାସର ଏହି ଅପ୍ରତିହତ ଯାତ୍ରା ନିକଟରେ ପରାସ୍ତ ହେବା ପରେ ମଧୢ ନିଜର ଅଭ୍ୟାସ ମୁତାବକ ଓ ଔପଚାରିକତା ପୂରଣ କଲା ଭଳି ଅନ୍ୟ ସମାଲୋଚକମାନେ ମଧୢ ଏହା ବିରୋଧରେ ବିଭିନ୍ନ ପ୍ରକାର ହତାଶାମୂଳକ ସ୍ବର ଉତ୍ତୋଳନ କରିବାରେ ଲାଗିଛନ୍ତି। ଯେମିତି କ˚ଗ୍ରେସ୍‌ ନେତା ଦିଗ୍‌ବିଜୟ ସି˚ହ ଭୂମିପୂଜନର ମୁହୂର୍ତ୍ତ ଅଶୁଭ ହୋଇଥିବାରୁ ଭାଜପା ନେତାମାନଙ୍କୁ କୋଭିଡ୍‌ ଆକ୍ରାନ୍ତ କରିଛି ବୋଲି କହୁଛନ୍ତି ତ ଚରମପନ୍ଥୀ ମୁସଲମାନ ନେତା ଆସାଉଦ୍ଦିନ ଓଵାଇସି ଭୂମି ପୂଜନରେ ପ୍ରଧାନମନ୍ତ୍ରୀଙ୍କ ଅ˚ଶ ଗ୍ରହଣକୁ ବିରୋଧ କରୁଛନ୍ତି ତ ସ୍ବାର୍ଥାନ୍ବେଷୀ ଚତୁର ଏନ୍‌ସିପି ନେତା ଶରଦ୍‌ ପାଵାର‌୍‌ କରୋନା ସମୟରେ କାହିଁକି ଭୂମି ପୂଜନ ହେଉଛି ବୋଲି ପ୍ରଶ୍ନ କରୁଛନ୍ତି, ଇତ୍ୟାଦି। କହିବା ବାହୁଲ୍ୟ ଏ ସମସ୍ତ ହତାଶ ପକ୍ଷମାନଙ୍କର ଅରଣ୍ୟ ରୋଦନ ସତ୍ତ୍ବେ ଆଜି ରାମଙ୍କ ଜନ୍ମଭୂମିରେ ତାଙ୍କର ମନ୍ଦିର ନିର୍ମାଣର ଶୁଭାରମ୍ଭ ହେବ ଏବ˚ ଅଚିରେ ରାମ ରାଜ୍ୟର ଏକ ଚିରନ୍ତନ ସ୍ମାରକୀ ସେଠାରେ ଆକାଶକୁ ଛୁଇଁ ଛିଡ଼ା ହେବ। ଏହି ଅବସରରେ ଅନ୍ତତଃ ଗାନ୍ଧୀଙ୍କୁ ଅନୁସରଣ କରି ସମସ୍ତେ ଗାଇ ପାରିବେ: ରଘୁପତି ରାଘବ ରାଜା ରାମ…।

ସମ୍ବନ୍ଧିତ ଖବର