ଯେଉଁମାନେ କୌଣସି ଇଚ୍ଛା ପୂରଣ ପାଇଁ ଠାକୁରଙ୍କ ପାଖରେ ମାନସିକ କରିବାରେ ବିଶ୍ବାସ କରନ୍ତି, ଭାରତରେ ସେମାନଙ୍କ ପାଇଁ କଳିଯୁଗ ବୈକୁଣ୍ଠ ରୂପେ ପରିଚିତ ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଅବସ୍ଥିତ ବାଲାଜୀ ମନ୍ଦିରଠାରୁ ଆଉ ପ୍ରସିଦ୍ଧତର ପୀଠ କିଛି ନାହିଁ। ରାଜନେତାଙ୍କ ଠାରୁ ଚିତ୍ରତାରକା ପର୍ଯ୍ୟନ୍ତ, କ୍ରିକେଟ୍ ଖେଳାଳିଙ୍କ ଠାରୁ ଶିଳ୍ପପତି ପର୍ଯ୍ୟନ୍ତ ଏଠାରେ ମାନସିକ ପୂରଣ ପାଇଁ କରୁଥିବା ବିଶାଳ ଦାନ ମାନ ଯେତିକି ନିୟମିତ ଚର୍ଚ୍ଚାର ବିଷୟ ହୋଇଥାଏ, ସାଧାରଣ ଭକ୍ତମାନଙ୍କର ଅସୁମାରି ସ˚ଖ୍ୟାରେ ପ୍ରଭୁ ଭେଙ୍କଟେଶ୍ବରଙ୍କ ଦର୍ଶନ ଓ ମାଗୁଣି ପାଇଁ ଅସାଧାରଣ ଭିଡ଼ ମଧୢ ସେତିକି କି˚ବଦନ୍ତିର ବିଷୟବସ୍ତୁ ପାଲଟି ଥାଏ। ତେଣୁ ଗତ ବୁଧବାର ଦିନ ସେଇ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ତିରୁମଲା ଯାଇ ପ୍ରଭୁଙ୍କ ଦର୍ଶନ କରିବାରେ କୌଣସି ଅସ୍ବାଭାବିକତା ନାହିଁ କିମ୍ବା ଏହା କୌଣସି ସାମାନ୍ୟତମ ଭ୍ରୂ-କୁଞ୍ଚନ ସୃଷ୍ଟି କରିବା କଥା ନୁହେଁ। ଜଗନଙ୍କର ଏହି ଦର୍ଶନ କିନ୍ତୁ କେବଳ ଭ୍ରୂ-କୁଞ୍ଚନ ନୁହେଁ, ଏକ ଛୋଟକାଟିଆ ଝଡ଼ ସୃଷ୍ଟି କରି ଅଧିକା˚ଶ ବାଲାଜୀ ଭକ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
ବାଲାଜୀଙ୍କଠାରେ ନିଜର କୌଣସି ଗୋପନ ଇଚ୍ଛା ପୂରଣ ପାଇଁ ମାଗୁଣି କରିବାର ଅଧିକାର ସମସ୍ତଙ୍କର ରହିଛି- ରାଜାରୁ ରଙ୍କ ପର୍ଯ୍ୟନ୍ତଙ୍କର। କିନ୍ତୁ ଜଗନଙ୍କ ସମସ୍ୟା ହେଲା- ଭେଙ୍କଟେଶ୍ବର ହିନ୍ଦୁ ଦେବତା ବିଷ୍ଣୁଙ୍କର ଏକ ରୂପ ହୋଇଥିବା ବେଳେ, ଜଗନ ହେଉଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ। ସେ ହେଉଛନ୍ତି ପ୍ରୋଟେଷ୍ଟାଣ୍ଟ୍ ସମ୍ପ୍ରଦାୟର। ଅଣ ହିନ୍ଦୁମାନେ ଭେଙ୍କଟେଶ୍ବରଙ୍କ ଦର୍ଶନ କରିବାରେ ବାରଣ ନାହିଁ, କିନ୍ତୁ ସେଥିପାଇଁ ସେମାନଙ୍କୁ କେତେକ ବିଧି ପାଳନ କରିବାକୁ ହୋଇଥାଏ। ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ପୋଷାକ ପରିଧାନ କରିବା ସହିତ, ବିବାହିତ ହୋଇଥିଲେ ନିଜର ପତ୍ନୀଙ୍କ ସହିତ ଆସିବାକୁ ହୁଏ ଏବ˚ ପ୍ରଭୁ ଭେଙ୍କଟେଶ୍ବରଙ୍କ ଠାରେ ତାଙ୍କର ବିଶ୍ବାସ ଅଛି ବୋଲି ଏକ ଘୋଷଣାପତ୍ର ସ୍ବାକ୍ଷର କରିବାକୁ ହୁଏ। ଜଗନ ରେଡ୍ଡି ହିନ୍ଦୁ ଭକ୍ତ ଭଳି ପୋଷାକ ପରିଧାନ କରିଥିଲେ ଏବ˚ କପାଳରେ ବୈଷ୍ଣବସୁଲଭ ଚିତା ଲଗାଇଥିଲେ ତଥା ମସ୍ତକରେ ଠାକୁରଙ୍କ ପାଇଁ ଉଦ୍ଦିଷ୍ଟ ରେଶମ ପୋଷାକ ମୁଣ୍ତାଇ ମନ୍ଦିରରେ ପ୍ରବେଶ କରିଥିଲେ ହେଁ, ନିଜ ପତ୍ନୀଙ୍କୁ ସାଥିରେ ଆଣିନଥିଲେ କିମ୍ବା ଉପର ବର୍ଣ୍ଣିତ ଘୋଷଣାରେ ସ୍ବାକ୍ଷର କରିନଥିଲେ।
ଏହି ବ୍ୟତିକ୍ରମକୁ କେନ୍ଦ୍ର କରି ସେଠାରେ ବିଭିନ୍ନ ହିନ୍ଦୁ ସ˚ଗଠନ ଓ ରାଜନୈତିକ ଦଳମାନେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବା ଦେଖାଯାଇଛି। ଆଶା କରାଯାଉଥିବା ଭଳି ହିନ୍ଦୁତ୍ବବାଦୀ ଦଳ ଭାରତୀୟ ଜନତା ପାର୍ଟି ଏହାର ପ୍ରତିବାଦ କରିଛି, କିନ୍ତୁ ଆଶା କରା ଯାଉ ନ ଥିବା ଭଳି ତଥାକଥିତ ଧର୍ମ ନିରପେକ୍ଷତାକୁ ନିଜର ପ୍ରଧାନ ରାଜନୈତିକ ଭିତ୍ତିଭୂମିରେ ପରିଣତ କରିଥିବା କ˚ଗ୍ରେସ ପାର୍ଟି ଏବ˚ ଏକ ପ୍ରଗତିଶୀଳ ଦଳ ରୂପେ ନିଜକୁ ସର୍ବଦା ଉପସ୍ଥାପନ କରି ଆସୁଥିବା ଚନ୍ଦ୍ରବାବୁ ନାଇଡୁ ନେତୃତ୍ବାଧୀନ ତେଲୁଗୁଦେଶମ୍ ଦଳ ମଧୢ ଏହାର ଘୋର ବିରୋଧ କରିବା ଦେଖାଯାଉଛି। ଏପରିକି ତିରୁମଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ ବୋର୍ଡର ଚେଆର୍ମ୍ୟାନଙ୍କ ପକ୍ଷରୁ ଅଣହିନ୍ଦୁ ଦର୍ଶନାର୍ଥୀମାନେ ଏଭଳି କୌଣସି ଘୋଷଣାପତ୍ର ସ୍ବାକ୍ଷର କରିବା ବାଧୢତାମୂଳକ ନୁହେଁ ବୋଲି ସ୍ପଷ୍ଟୀକରଣ ଦିଆଯାଇ ଏକ ବିବୃତି ଜାରି କରାଯିବା ପରେ ମଧୢ ଉପରୋକ୍ତ ଗୋଷ୍ଠୀମାନେ ଶାନ୍ତ ହେବା ପରିବର୍ତ୍ତେ ଅଧିକ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବାରୁ ଶତାଧିକ ଏଭଳି ପ୍ରତିବାଦକାରୀଙ୍କୁ ପୁଲିସ୍ ପ୍ରତିଷେଧମୂଳକ ଗିରଫ କରିବା ପର୍ଯ୍ୟନ୍ତ କଥା ଯାଇଛି। ସୂଚନାଯୋଗ୍ୟ ଏଥି ପୂର୍ବରୁ ଜଗନ ଏପରି ସ୍ବାକ୍ଷର ନ କରି ଦର୍ଶନ କରିଥିଲେ ହେଁ ଏ ଥର ଅଡ଼ୁଆରେ ପଡ଼ିଛନ୍ତି।
ଜଗନଙ୍କ ମାନସିକ ସ˚କଟ ବୁଝିବା କଷ୍ଟକର ନୁହେଁ। ଭାରତରେ ପ୍ରାୟ କୌଣସି ରାଜନେତା ନାହାନ୍ତି ଯିଏ ସଫଳତା ପାଇଁ କୌଣସି ନା କୌଣସି ଦେବଦେବୀଙ୍କର ବିଶେଷ ଆଶୀର୍ବାଦ ଲୋଡ଼ି ନଥାନ୍ତି। ହିନ୍ଦୁନେତାମାନଙ୍କ ପାଇଁ ଏହା ଅପେକ୍ଷାକୃତ ସୁବିଧାଜନକ ହୋଇଥାଏ- କାରଣ ସେମାନଙ୍କ ପ୍ରାର୍ଥନା ଶୁଣିବା ପାଇଁ ଦେବଲୋକରେ ତେତିଶ କୋଟି ଦେବଦେବୀ ମହଜୁଦ ଥା’ନ୍ତି, ନିଜର ବିଶ୍ବାସ ଅନୁଯାୟୀ କୌଣସି ଜଣେ ଦେବୀ ବା ଦେବତାଙ୍କର ସେ ଶରଣ ପଶି ପାରିବେ। ଜଗନ୍ଙ୍କ ଧର୍ମ କିନ୍ତୁ ହେଉଛି ଏକେଶ୍ବରବାଦୀ ଏବ˚ ଜଗନଙ୍କ ପ୍ରୋଟେଷ୍ଟାଣ୍ଟ ଶାଖା ପୁଣି ଆଦୌ ମୂର୍ତ୍ତି ପୂଜାରେ ବିଶ୍ବାସ କରେ ନାହିଁ। ଏହା ଇତିହାସସିଦ୍ଧ ଯେ ଏକେଶ୍ବରବାଦର ଆବିର୍ଭାବ ପୂର୍ବରୁ ସାରା ମାନବ ଜାତି ହିନ୍ଦୁମାନଙ୍କ ପରି ବହୁ ସ˚ଖ୍ୟକ ଦେବଦେବୀଙ୍କୁ ପୂଜା କରୁଥିଲା ଓ କ୍ରମେ ସେମାନଙ୍କୁ ବିତାଡ଼ିତ କରି ତିନିଗୋଟି ପ୍ରମୁଖ ଏକେଶ୍ବରବାଦୀ ଧର୍ମର ଆବିର୍ଭାବ ଘଟିଲା ଯେଉଁମାନଙ୍କର ମୂଳ ହେଉଛନ୍ତି ଆବ୍ରାହମ୍। (ନାସ୍ତିକ ଲେଖକ) ଇବ୍ନ ଵାରାକ୍ ରହସ୍ୟରେ କହିଛନ୍ତି- ଗୋଟିକ ପରେ ଗୋଟିଏ ଈଶ୍ବରଙ୍କୁ ବିତାଡ଼ିତ କରି ବର୍ତ୍ତମାନ ଏକେଶ୍ବରବାଦରେ ଆଉ ଗୋଟିଏ ମାତ୍ର ଈଶ୍ବର ବଳି ପଡ଼ିଛନ୍ତି, କିଛି ଦିନ ପରେ ସେଇ ଶେଷ ଈଶ୍ବର ମଧୢ ଅନୁରୂପ ଭାବରେ ବିଦାୟ ନେବା ପରେ ଏକେଶ୍ବରବାଦ ସମ୍ପୂର୍ଣ୍ଣ ଈଶ୍ବର ଶୂନ୍ୟ ହୋଇଯିବ। ସେତେବେଳେ ମଣିଷର ଗୁହାରି ଶୁଣିବାକୁ କେହି ନଥିବେ।
ଷୋଡ଼ଶ ଶତାବ୍ଦୀରେ ଜର୍ମାନୀରେ କ୍ୟାଥଲିକ୍ ଖ୍ରୀଷ୍ଟଧର୍ମରେ ଏକ ସ˚ସ୍କାର ରୂପେ ଆରମ୍ଭ ହୋଇଥିବା ପ୍ରୋଟେଷ୍ଟାଣ୍ଟ୍ବାଦ (ଆକ୍ଷରିକ ଅନୁବାଦ- ‘ପ୍ରତିବାଦବାଦ’) କେବଳ ବିଶ୍ବାସ ଉପରେ ପ୍ରତିଷ୍ଠିତ। ମାନସିକ କରିବା ଦୂରେ ଥାଉ, ଏମାନେ ପ୍ରକୃତ ଖ୍ରୀଷ୍ଟିଆନ୍ ହେବା ପାଇଁ କୌଣସି ପୁଣ୍ୟ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମଧୢ ବିଶ୍ବାସ କରନ୍ତି ନାହିଁ; ଏମାନେ କେବଳ ବାଇବ୍ଲର ମୂଳ ବାଣୀକୁ ହିଁ ବିଶ୍ବାସ କରିଥାନ୍ତି। ହିନ୍ଦୁମାନେ ଯେଉଁ ଅଦ୍ବୈତ ବ୍ରହ୍ମରେ ବିଶ୍ବାସ କରନ୍ତି, ସେ ବ୍ରହ୍ମ ମନୁଷ୍ୟର ସା˚ସାରିକ ଆଚାର ବ୍ୟବହାର, ଆଶା ଆକା˚କ୍ଷା, ସୌଭାଗ୍ୟ ଦୁର୍ଭାଗ୍ୟ ଠାରୁ ବହୁ ଊର୍ଦ୍ଧ୍ବରେ ଥା’ନ୍ତି। ହିନ୍ଦୁମାନେ ନିଜର ମନୋବାଞ୍ଛା ପୂରଣ ପାଇଁ କେବେହେଲେ ବ୍ରହ୍ମଙ୍କ ଦ୍ବାରସ୍ଥ ହୁଅନ୍ତି ନାହିଁ। ସେମାନେ ମାଗୁଣି କରିଥାନ୍ତି ଉପରୋକ୍ତ ତେତିଶ କୋଟି ଦେବଦେବୀଙ୍କ ମଧୢରୁ ନିଜର ବିଶ୍ବାସ ଓ ଭକ୍ତି ଅନୁସାରେ କାହା କାହା ପାଖରେ। ବେଳେ ବେଳେ ପୁଣି ତାହା ବି ଯଥେଷ୍ଟ ହୁଏ ନାହିଁ ଯେ, ନିଜ ଭିତରୁ କେତେକ ମନୁଷ୍ୟଙ୍କୁ ବାବା କିମ୍ବା ମାତା ସଜାଇ ତାଙ୍କ ପାଖରେ ମଧୢ ସେମାନେ ମାଗୁଣି କରିବା ଦେଖାଯାଇଥାଏ। ହିନ୍ଦୁମାନେ ପାରମ୍ପରିକ ଭାବରେ ଅନ୍ୟ ଧର୍ମ ପ୍ରତି ସହନଶୀଳ ହେବାର କାରଣ ମଧୢ ହେଉଛି ଏହା ହିଁ: ଯେଉଁଠି ତେତିଶ କୋଟି ଦେବଦେବୀଙ୍କ ପାଇଁ ସ୍ଥାନ ଅଛି ସେଠାରେ ଆଉଜଣେ ଅଧେ ବହିରାଗତ ଈଶ୍ବରଙ୍କୁ ମଧୢ ଜାଗାଟିଏ ଦେବା ଆଦୌ କଷ୍ଟକର ନୁହେଁ।
ଏଥର ଜଗନଙ୍କ ପରିସ୍ଥିତି ସହଜରେ ବୁଝି ହେବ। ଏଠାରେ ସେ କ୍ଷମତା ରାଜନୀତିରେ ପ୍ରବୃତ୍ତ ଅଛନ୍ତି। ସେଥିରେ ସେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଛନ୍ତି। ପିତାଙ୍କ ଅକାଳ ମୃତ୍ୟୁ ପରେ ସେ ଏକାକୀ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ବର୍ତ୍ତମାନ ପାଇଁ ସଫଳତା ହାସଲ କରିଛନ୍ତି; କିନ୍ତୁ ରାଜନୀତି ଏପରି ଏକ ଅସ୍ଥିର ଓ ଅନିଶ୍ଚିତ ଖେଳ ଯେ ଏଥିରେ ପ୍ରତି ମୁହୂର୍ତ୍ତରେ ସତର୍କ ନ ରହିଲେ କେତେବେଳେ ଯେ ସବୁ ଓଲଟ ପାଲଟ ହୋଇ ନ ଯିବ ସେ କଥା କିଏ କହିବ? ଏଣୁ ନିଜର ବୁଦ୍ଧି ଓ ବଳ ଊର୍ଦ୍ଧ୍ବରେ ଥିବା କୌଣସି ଐଶୀ ଶକ୍ତିର ଆଶୀର୍ବାଦ ମଧୢ ଲୋଡ଼ା। ସହନଶୀଳ ହିନ୍ଦୁମାନେ ମଧୢ ସେମାନଙ୍କ ଦେବତା ଭେଙ୍କଟେଶ୍ବରଙ୍କ ଠାରେ ଜଗନ ଆଶୀର୍ବାଦ ଭିକ୍ଷା କରିବାକୁ ବିରୋଧ କରନ୍ତି ନାହିଁ। ହିନ୍ଦୁମାନଙ୍କର ଏହି ଉଦାରତାକୁ ସମ୍ମାନ ଦେଇ ଜଗନ୍ ତେଣୁ ସେମାନଙ୍କର ବିଧି ପାଳନ କରି ବାଲାଜୀଙ୍କ ପ୍ରତି ତାଙ୍କର ବିଶ୍ବାସ ଘୋଷଣା କରୁଥିବା କାଗଜ ଖଣ୍ତକରେ ସ୍ବାକ୍ଷର କରିଦେବା ଉଚିତ ହୁଅନ୍ତା। ଏହା କଲେ ହୁଏତ ତାଙ୍କର ମନସ୍କାମନା ପୂରଣ ନିଶ୍ଚିତ ହୋଇଯାଆନ୍ତା। କୁହାଯାଏ- ବିଶ୍ବାସେ ମିଳଇ ହରି!