ଟେଁଟେଁଇଁ ଟେଷ୍ଟ୍

‘‘ଲକ୍ଷେ ମହଣର ବୋଝ ବୋହି, ପୁଣି ବସାଇ ଅସ˚ଖ୍ୟ ଲୋକ/ବସୁଧା କମ୍ପାଇ ଧାଇଁ ଥାଏ ମୁହିଁ, ମତେ କହୁ ପୁଣି ପୋକ?’’ ଦୂର ଆକାଶରୁ ତଳକୁ ଚାହିଁଲେ ପୋକଟିଏ ଚାଲୁଥିବା ଭଳି ଦେଖା ଯାଉଥିବା ରେଳଗାଡ଼ିଟିକୁ ଆକାଶରେ ଉଡୁଥିବା ବ୍ୟୋମଯାନ ‘ପୋକ’ କହି ଛିଗୁଲାଇବାରୁ, ଏହା ଥିଲା ରେଳର ପ୍ରତ୍ୟୁତ୍ତର। ବ୍ୟୋମଯାନର ପକ୍ଷୀ ଭଳି ଆକାଶରେ ଉଡ଼ି ପାରୁଥିବାର ଗର୍ବକୁ ରେଳଗାଡ଼ି ଏହିପରି ନିଜର ଭୀମକାୟ ରୂପ ବର୍ଣ୍ଣନା କରି ଖର୍ବ କରିବାକୁ ସୁପରିଚିତ ଶିଶୁ କବିତାଟିରେ ଚେଷ୍ଟା କରିଥିଲା। ଉଡ଼ାଜାହାଜକୁ ଯଦି ଜଣାଥାନ୍ତା ଯେ ଯେଉଁ ଭୀଷଣ ଅତିକାୟ ଚେହେରାକୁ ନେଇ ରେଳଗାଡ଼ି ଏପରି ଆତ୍ମ ବଡ଼ିମା ଦେଖାଉଛି, ତା’ଠାରୁ କ୍ଷୁଦ୍ରାତିକ୍ଷୁଦ୍ର ଆକାରର ଏପରି ଏକ ପକ୍ଷୀଟିଏ ଅଛି ଯିଏ ତାକୁ ତିଳେ ମାତ୍ର ଭୟ ନ କରି ତା’ର ଯିବା ଆସିବା ରାସ୍ତାରେ ହିଁ ଜାଗା ଦଖଲ କରି ଘର ତିଆର କରିଥାଏ, ସେ ତାକୁ ବ୍ୟବହାର କରି ରେଳକୁ ଉପଯୁକ୍ତ ପାଲଟା ଜବାବ ଦେଇଥାଆନ୍ତା।

ପକ୍ଷୀଟି ହେଉଛି ଦେଶର ପ୍ରତ୍ୟେକ ଅଞ୍ଚଳରେ ଦେଖିବାକୁ ମିଳୁଥିବା ଏକ ଜଣାଶୁଣା ଭୂମିଚର, ନଳିଗୋଡ଼ିଆ, ବଡ଼ପାଟିଆ, ବିନିଦ୍ର ଜଗୁଆଳି- ଯାହାକୁ ଆମେ ଟେଁଟେଁଇଁ ବଣି ନାମରେ ଜାଣୁ ଏବ˚ ଯାହାର ଇ˚ରେଜୀ ନାମ ହେଉଛି- ‘ରେଡ୍‌ଵାଟ୍‌ଲ୍‌ଡ ଲ୍ୟାପଵିଙ୍ଗ’। ଘାସ ପଡ଼ିଆ, ପାଣି କୂଳ, ଫସଲ କିଆରିରୁ ସହରର ପାର୍କ, ପଡ଼ିଆ ଏବ˚ ଅଟ୍ଟାଳିକା ଛାତ ପର୍ଯ୍ୟନ୍ତରେ ଏମାନେ ବିଚରଣ କରିବା ଦେଖାଯାଇଥାଏ। ଲମ୍ବା ଗୋଡ଼ ଯୋଗୁଁ ପାଦଠାରୁ ମୁଣ୍ତ ପର୍ଯ୍ୟନ୍ତ ଏହାର ଉଚ୍ଚତା ପ୍ରାୟ ଏକ ଫୁଟ୍‌ ସରିକି ହୋଇଥାଏ ଏବ˚ ବାଦାମି-ବ୍ରୋଞ୍ଜ ରଙ୍ଗର ପିଠି; ଧଳା ପେଟ; ମୁଣ୍ତ, ଛାତି ଓ ଡେଣାର କଳା; ଥଣ୍ଟର ନାଲି-କଳା; ଗୋଡ଼ର ହଳଦିଆ ଏହାକୁ ଏକ ଆକର୍ଷଣୀୟ ପକ୍ଷୀରେ ପରିଣତ କରିଥାଏ। ଦୁଇ ଆଖି ତଳେ ଲମ୍ବିଥିବା ଲାଲ୍‌ ରଙ୍ଗର ମା˚ସଳ ପଟି ବା ‘ଵାଟ୍‌ଲ’ ହିଁ ଏହାକୁ ଏହାର ଇ˚ରେଜୀ ନାମ ପ୍ରଦାନ କରିଥାଏ। ଏହାକୁ ଦେଖିଥିବା ତଥା ନ ଦେଖିଥିବା ସମସ୍ତେ ଅବଶ୍ୟ ଏହାର ତୀବ୍ର ଡାକ ଶୁଣିଥିବେ: ‘ଡିଡ୍‌ ହି ଡୁ ଇଟ୍‌?’ ଏବ˚ ବେଳେବେଳେ – ‘ପିଟି ଟୁ ଡୁ ଇଟ୍‌’।

ଅନେକ ପକ୍ଷୀ ସେମାନଙ୍କର ଜଟିଳ ନୀଡ଼ ନିର୍ମାଣ କୌଶଳ ଦ୍ବାରା ଆମକୁ ଚମତ୍କୃତ କରିଥାନ୍ତି। ଟେଁଟେଁଇଁ ବଣି କିନ୍ତୁ ସର୍ବାଧିକ ସମ୍ଭବ ସରଳ ପଦ୍ଧତିରେ ତା’ର ବସା ନିର୍ମାଣ କରିଥାଏ, କିନ୍ତୁ ତା’ ସତ୍ତ୍ବେ ଏହା ଆମକୁ ଯେଉଁଭଳି ଚମତ୍କୃତ କରିଥାଏ, କୌଣସି ବାୟା ଚଢ଼େଇ କିମ୍ବା କିପ୍‌ଲିଙ୍ଗଙ୍କ ଦରଜୀ ରୂପେ ପ୍ରସିଦ୍ଧି ଲାଭ କରିଥିବା ଟିକି ଚଢ଼େଇ (‘ଟେଲର‌୍‌ ବାର୍ଡ’) ମଧୢ ସେମାନଙ୍କ ବସା ନିର୍ମାଣ ଚାତୁରୀ ଦ୍ବାରା କରିପାରିନଥାନ୍ତି। ଭୂଇଁକୁ ନଖରେ ରାମ୍ପି ସାମାନ୍ୟ ଖାଲୁଆ କରି ଦେଇ ଟେଁଟେଁଇଁ ସେଥିରେ ଅଣ୍ତା ଦେଇଥାଏ। ଭୂଇଁ ନ ଥିଲେ ସିମେଣ୍ଟ ଛାତର ଏକ କୋଣରେ ମଧୢ ସେ ଅଣ୍ତା ଦେବାକୁ ପଛାଇ ନ ଥାଏ। କିମ୍ବା ଯାହା ଆମକୁ ହତବାକ୍‌ କରିଦିଏ ତାହା ହେଲା- ଦୁଇ ରେଳ ଧାରଣା ମଝିରେ ବିଛା ଯାଇଥିବା ଛୋଟ ଛୋଟ ପଥର ଖଣ୍ତ ଶଯ୍ୟା ବା ‘ବାଲାଷ୍ଟ’କୁ ସେ ତା’ର ଆଦର୍ଶ ଗୃହନିର୍ମାଣସ୍ଥଳୀ ରୂପେ ବ୍ୟବହାର କରିବା ମଧୢ ଦେଖାଯାଇଥାଏ।

ସେଠାରେ ପଥର ସନ୍ଧିରେ ଟେଁଟେଁଇଁ ନିର୍ଭୟରେ ଅଣ୍ତା ଦେଇ ଛୁଆ ଫୁଟାଇ ବଡ଼ କରି ଉଡ଼ାଇ ନେବା ହେଉଛି ତା’ପାଇଁ ଏପରି ଏକ ସାଧାରଣ, ନିୟମିତ ଘଟଣା, ଯେମିତି ଘାସ ସନ୍ଧିରୁ ପୋକଟିଏ ଧରି ଟକ୍‌ କରି ଗିଳି ଦେବା। ସେ ଅଣ୍ତା ପୁଞ୍ଜି ଉପରେ ବସି ଉଷୁମ କରୁଥିବା ବେଳେ ଯଦି ଲୌହଦାନବଟିଏ ମାଡ଼ି ଆସେ, ସେ ଶେଷ ମୁହୁର୍ତ୍ତରେ ଜାଗା ଛାଡ଼ି ଉଡ଼ିଯାଏ ଓ ରେଳ ଚାଲିଯିବା ପରେ ପୁଣି ଆସି ଅଣ୍ତା ଉଷୁମାଇବାରେ ଲାଗିଯାଏ। ଓଳିଆରୁ ପଡ଼ି ଗଜା ଭଳି ଛୁଆମାନେ ମଧୢ ରେଳ ଗାଡ଼ି ଯିବା ବେଳେ ପଥର ସନ୍ଧିରେ ଗୁଞ୍ଜି ହୋଇ ରହିଯାଆନ୍ତି।
ଉଡ଼ାଜାହାଜ କିନ୍ତୁ ଯେତେବେଳେ ରେଳଗାଡ଼ିର ଫୁଟାଣି ଭାଙ୍ଗିବା ପାଇଁ ଟେଁଟେଁଇଁର ଉଦାହରଣ ଦିଅନ୍ତା, ରେଳଗାଡ଼ି ଜବାବରେ ଏପରି ଏକ ତାଜା ଘଟଣା ପ୍ରତି ତା’ର ଦୃଷ୍ଟି ଆକର୍ଷଣ କରନ୍ତା, ଯାହା ଯୋଗୁଁ ଉଡ଼ାଜାହାଜ ଲାଜରେ କେଉଁଠି ମୁହଁ ଲୁଚାଇବାକୁ ଜାଗା ପାଆନ୍ତା ନାହିଁ। ଘଟଣାଟି ପୁଣି ଏକ ସାଧାରଣ ଯାତ୍ରୀବାହୀ ବିମାନକୁ କେନ୍ଦ୍ର କରି ନୁହେଁ, ଟେଁଟେଁଇଁ ଯେଉଁ ବିମାନ ସବୁକୁ ଭୟରେ ଜଡ଼ସଡ଼ କରି ଦେଇଛି, ସେମାନେ ହେଉଛନ୍ତି ଭାରତୀୟ ବାୟୁସେନାର ବଛାବଛା ଲଢୁଆ ବିମାନ ମାନ। ଟେଁଟେଁଇଁ ଓ ରେଳଗାଡ଼ି ତ ସର୍ବଦା ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରି ଆସିଛନ୍ତି- କେହି କାହାକୁ ଭୟ କରନ୍ତି ନାହିଁ। ପ୍ରକାଶିତ ସମ୍ବାଦ ଅନୁସାରେ କିନ୍ତୁ ଆଗ୍ରାସ୍ଥିତ ଭାରତୀୟ ବାୟୁସେନାର ବିମାନଘାଟୀରେ ବସବାସ ଓ ବିଚରଣ କରୁଥିବା ଟେଁଟେଁଇଁ ଓ ଅନ୍ୟାନ୍ୟ ପଶୁପକ୍ଷୀମାନେ ସେଠାରେ ଉଡ଼ାଣ ଓ ଅବତରଣ କରୁଥିବା ଯୁଦ୍ଧ ବିମାନମାନଙ୍କ ପ୍ରତି ଏପରି ବିପଦ ସୃଷ୍ଟି କରୁଛନ୍ତି ଯେ ସେମାନଙ୍କୁ ଘଉଡ଼ାଇବା ପାଇଁ ବିମାନ ବାହିନୀ ବର୍ତ୍ତମାନ ସେଠାରେ ଏକ କୁକୁର ସ୍କ୍ବାଡ୍‌ ଗଠନ କରିବାକୁ ବାଧୢ ହୋଇଛି।

ଏହି ଉଦ୍ଦେଶ୍ୟରେ ଗତ ରବିବାର ଦିନ ସେଠାରେ ଚାରି ଗୋଟି ବିଶେଷ ଭାରତୀୟ ପ୍ରଜାତିର କୁକୁର ଛୁଆ ଆସି ପହଞ୍ଚିଛନ୍ତି- ଦୁଇଟି ଅଣ୍ତିରା ଓ ଦୁଇଟି ମାଈ। ‘ମୁଧୋଲ୍‌ ହାଉଣ୍ତ’ ନାମକ ପ୍ରଜାତିର ଏହି କୁକୁରମାନଙ୍କର ମୂଳସ୍ଥାନ ହେଉଛି କର୍ଣ୍ଣାଟକ ଏବ˚ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦ କାରାଜୋଲ୍‌ ଗାଲ୍‌କୋଟ୍‌ସ୍ଥିତ କୁକୁର ଗବେଷଣା ସ˚ସ୍ଥା ‘କ୍ରିକ୍‌’ ତରଫରୁ ଭାରତୀୟ ବାୟୁସେନାଙ୍କୁ ଛୁଆ ଚାରିଟିଙ୍କୁ ହସ୍ତାନ୍ତରିତ କରିଥିଲେ। ଏହି ମୁଧୋଲ୍‌ ହାଉଣ୍ତ କୁକୁରମାନେ ହେଉଛନ୍ତି ଡେଙ୍ଗା, ପତଳା ଏବ˚ କମ୍‌ ରକ୍ଷଣାବେକ୍ଷଣ ଆବଶ୍ୟକ କରୁଥିବା ଏକ ଭାରତୀୟ ପ୍ରଜାତି। ଏମାନଙ୍କର ତୀବ୍ର ଦୃଷ୍ଟିଶକ୍ତି ଓ ଘ୍ରାଣଶକ୍ତି ଯୋଗୁଁ ଏମାନେ ପଶୁପକ୍ଷୀମାନେ ଯେଉଁଠି ବି ଲୁଚି ରହିଥିଲେ ମଧୢ ସେମାନଙ୍କୁ ତୁରନ୍ତ ଠାବ କରିପାରନ୍ତି ଏବ˚ ଏମାନେ ଅତି ଦ୍ରୁତ ଗତିରେ ଧାଇଁ ପାରୁଥିବାରୁ ତତ୍‌କ୍ଷଣାତ୍‌ ଲକ୍ଷ୍ୟର ପିଛା କରିପାରନ୍ତି।

ଉଲ୍ଲେଖଯୋଗ୍ୟ ଯେ ବାୟୁସେନା ମୁଧୋଲ୍‌ ହାଉଣ୍ତକୁ ଏହି କାର୍ଯ୍ୟରେ ନିଯୁକ୍ତ କରିବା ପାଇଁ ବାଛିବାର କାରଣ ହେଉଛି ଗତ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ‘ମନ୍‌ କୀ ବାତ୍‌’ ରେଡିଓ ବାର୍ତ୍ତାରେ ଦେଶବାସୀଙ୍କୁ ଦେଇଥିବା ଆହ୍ବାନ। ଭାରତ ସବୁଥିରେ ଆତ୍ମନିର୍ଭର ହେବାପାଇଁ ସେ ଯେଉଁ ଆହ୍ବାନ ଦେଇଥିଲେ, ସମସ୍ତଙ୍କୁ ଆମୋଦିତ କରି ସେଥିରେ ସେ କୁକୁରପ୍ରେମୀମାନଙ୍କୁ ସୌଖୀନ ବିଦେଶୀ କୁକୁର ନ ପାଳି ବିଭିନ୍ନ ଜାତିର ଦେଶୀ ଭାରତୀୟ କୁକୁର ପାଳିବାକୁ ଅନୁରୋଧ କରିଥିଲେ। ସେଥିରେ ସେ ଯେଉଁ କେତେକ ଭାରତୀୟ ପ୍ରଜାତିର କୁକୁରଙ୍କ ନାମ ସୁପାରିସ କରିଥିଲେ, ସେଥିରେ ମୁଧୋଲ୍‌ ହାଉଣ୍ତ ଥିଲା ଅନ୍ୟତମ। ଭାରତୀୟମାନେ ଯଦି କୁକୁର ପାଳିବାରେ ଆତ୍ମନିର୍ଭର ହୁଅନ୍ତି ତାହା ମଧୢ ବିଦେଶୀ କୁକୁରମାନଙ୍କ ପ୍ରତି ଏକ ଆଶୀର୍ବାଦ ହେବ, କାରଣ ଏଠାରେ ଏକ ଅପ୍ରାକୃତିକ ପରିବେଶ ଓ ଅପ୍ରାକୃତିକ ଢ଼ଙ୍ଗରେ ସେମାନଙ୍କର ଯେଉଁଭଳି ପ୍ରଜନନ ଓ ପାଳନ କରାଯାଏ, ତାହା ସେମାନଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ। ମୁଧୋଲ୍‌ ହାଉଣ୍ତମାନେ ଯେ ବିମାନଘାଟୀକୁ ଟେଁଟେଁଇଁ କବଳରୁ ସୁରକ୍ଷିତ ରଖିବେ ଏଥିରେ ସନ୍ଦେହ ନାହିଁ; କିନ୍ତୁ ଏହାଦ୍ବାରା ରେଳ-ବ୍ୟୋମଯାନ ଝଗଡ଼ାରେ ସେମାନେ ବ୍ୟୋମଯାନର ମର୍ଯ୍ୟାଦାକୁ ଅସୁରକ୍ଷିତ କରିଦେବେ! କାରଣ ଟେଁଟେଁଇଁ ଟେଷ୍ଟରେ ବ୍ୟୋମଯାନ ଫେଲ୍‌ ହୋଇଛି।

ସମ୍ବନ୍ଧିତ ଖବର