ଭୂତାଣୁର ଚକ୍ରାନ୍ତ!

ଦାର୍ଶନିକମାନଙ୍କର ବିଶେଷତ୍ବ ହେଲା ସାଧାରଣ ମନୁଷ୍ୟଙ୍କର ସୀମିତ ଦୃଷ୍ଟିକ୍ଷେତ୍ରକୁ ଅତିକ୍ରମ କରି ସେମାନେ ଅସଲ ସତ୍ୟକୁ ଦେଖିପାରନ୍ତି ଓ ଉପସ୍ଥାପନ କରିପାରନ୍ତି। ନିତିଦିନିଆ ଜୀବନ କିନ୍ତୁ ଯାହାକୁ ଆଶ୍ରୟ କରି ଚାଲିଥାଏ, ତାହା ସେଇ ଅନ୍ତିମ ସତ୍ୟ ନୁହେଁ, ତାହା ହେଉଛି ପ୍ରତି ମୁହୂର୍ତ୍ତରେ ଜୀବନକୁ ପ୍ରଭାବିତ କରୁଥିବା ମିଥ୍ୟାର ସତ୍ୟରୂପୀ ଛଦ୍ମବେଶ। ଏକ ଉଦାହରଣ ସ୍ବରୂପ ଦାର୍ଶନିକ ଭଲ୍‌ଟେଆର‌୍‌ ପୃଥିବୀ ନାମକ ଗ୍ରହ ପୃଷ୍ଠରେ ବାସ କରୁଥିବା ମନୁଷ୍ୟ ନାମକ ପ୍ରାଣୀକୁ ଏଇ ଭଳି ବର୍ଣ୍ଣନା କରିଥିଲେ: ‘‘ଏକ କାଦୁଅର ଅଣୁ ଉପରେ ମାତ୍ର କେତେ ସେକେଣ୍ତ ପାଇଁ ବାସ କରୁଥିବା ଏକ କୀଟ’’। ଅର୍ଥାତ୍‌ ଅନନ୍ତ ମହାଶୂନ୍ୟରେ ଭାସମାନ ମାଟି କାଦୁଅର ଏଇ ଗ୍ରହଟି ମହାଶୂନ୍ୟର ଅସୀମ ବିଶାଳତା ତୁଳନାରେ ହେଉଛି ଏକ କ୍ଷୁଦ୍ରାତିକ୍ଷୁଦ୍ର ଅଣୁ ଭଳି ଏବ˚ ନିଜକୁ ବୁଦ୍ଧିମାନ ଓ ଶକ୍ତିମାନ ବୋଲି ବିଚାର କରୁଥିବା ତାହା ଉପରେ ଆଶ୍ରୟ ନେଇଥିବା ମନୁଷ୍ୟ ହେଉଛି ମାତ୍ର ଏକ କ୍ଷଣସ୍ଥାୟୀ ଅସହାୟ କୀଟ ଭଳି।

ଭଲ୍‌ଟେଆର‌୍‌ଙ୍କର ଏହି ଉକ୍ତିକୁ କେହି ଆକ୍ଷରିକ ଭାବରେ ଗ୍ରହଣ କରି ଧରି ନିଏ ନାହିଁ ଯେ ମନୁଷ୍ୟ ପ୍ରକୃତରେ ହେଉଛି ଏକ କାଦୁଅ କଣିକାରେ ଲାଖି ରହିଥିବା ଏକ କୀଟ। ଉତ୍ତରାଖଣ୍ତର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସି˚ ରାଵତ୍‌ କିନ୍ତୁ କୌଣସି ଦାର୍ଶନିକ ନୁହଁନ୍ତି। ତେଣୁ ସେ ଗତ ଗୁରୁବାର ଦିନ ଏକ ନିଉଜ୍‌ ଚାନେଲ୍‌କୁ ସାକ୍ଷାତ୍‌କାର ଦେବା ଅବସରରେ ଯେତେବେଳେ କହିଲେ ଯେ ‘‘ଦାର୍ଶନିକ’’ ଦୃଷ୍ଟିକୋଣରୁ ବିଚାର କଲେ କୋଭିଡ୍‌ ଭୂତାଣୁ ମଧୢ ହେଉଛି ଏକ ‘‘ଜୀବନ୍ତ ବସ୍ତୁ’’ ଯିଏ ‘‘ବଞ୍ଚିବାକୁ ଚାହେଁ’’ ଏବ˚ ଯାହାର ‘‘ବଞ୍ଚିବାର ଅଧିକାର ଅଛି’’, ଠିକ୍‌ ମନୁଷ୍ୟମାନଙ୍କ ପରି; ତାଙ୍କୁ କେହି ଭଲ୍‌ଟେଆର‌୍‌ଙ୍କ ପରି ଜଣେ ଦାର୍ଶନିକ ରୂପେ ଗ୍ରହଣ ନ କରି, ତାଙ୍କର ମନ୍ତବ୍ୟକୁ ଆକ୍ଷରିକ ଭାବରେ ନେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତା’ପରେ ରାଵତ୍‌ ତୀବ୍ର ବିଦ୍ରୂପ ଓ ସମାଲୋଚନାର ସମ୍ମୁଖୀନ ହେବାରେ ମଧୢ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ରାଵତ୍‌ଙ୍କ ସମ୍ପୂର୍ଣ୍ଣ ମନ୍ତବ୍ୟ ନ ଦେଖି ଉପର ଲିଖିତ ଆ˚ଶିକ ମନ୍ତବ୍ୟକୁ ଆକ୍ଷରିକ ଭାବରେ ଗ୍ରହଣ କଲେ ଏହା ଚୀନା କରୋନା ଭୂତାଣୁ ସପକ୍ଷରେ ତାଙ୍କର ଏକ ଓକିଲାତି ଭଳି ମନେହୁଏ। ଏହା ରାଵତ୍‌ଙ୍କ ଉଦ୍ଦେଶ୍ୟ ହୋଇଥାଉ ବା ନ ହୋଇଥାଉ, ତାଙ୍କର ଏହି ଉକ୍ତିରେ ଯେଉଁ ଏକ ବିଶେଷ ଦୁର୍ବଳତା ରହିଛି, ତାହା ହେଲା ସେ କରୋନା ଭୂତାଣୁକୁ ପ୍ରଦାନ କରିଥିବା ଏକ ‘ଜୀବନ୍ତ ବସ୍ତୁ’ର ମର୍ଯ୍ୟାଦା। ଜୈବ ବିଜ୍ଞାନୀମାନଙ୍କ ମତରେ ଭୂତାଣୁମାନେ ଜୀବକୋଷରୁ ନିର୍ମିତ ହୋଇନଥାନ୍ତି, ସେମାନେ ନିଜକୁ ଏକ ସ୍ଥିର ଅବସ୍ଥାରେ ରଖି ପାରନ୍ତି ନାହିଁ, ସେମାନଙ୍କର ଶାରୀରିକ ବୃଦ୍ଧି ଘଟେ ନାହିଁ ଏବ˚ ସେମାନେ ନିଜର ଶକ୍ତି ଉତ୍ପାଦନ କରି ପାରନ୍ତି ନାହିଁ। ଯଦିବା ସେମାନେ ନିଜର ସ˚ଖ୍ୟା ବୃଦ୍ଧି କରିପାରନ୍ତି ଏବ˚ ପରିବେଶ ସହିତ ଖାପ ଖାଇ ପାରନ୍ତି, ତଥାପି ଉପରୋକ୍ତ କାରଣମାନ ଯୋଗୁଁ ସେମାନଙ୍କୁ ଜୀବନ୍ତ ବସ୍ତୁ ବୋଲି କୁହାଯାଇପାରିବ ନାହିଁ।

ପ୍ରସିଦ୍ଧ ବିବର୍ତ୍ତନୀୟ ଜୈବବିଜ୍ଞାନୀ ରିଚାର୍ଡ ଡକିନ୍‌ସଙ୍କ ବର୍ଣ୍ଣନା ଅନୁସାରେ ଆମ ଭଳି ଜୀବନ୍ତ ବସ୍ତୁମାନେ ହେଉଛୁ ପରସ୍ପର ପରିପୂରକ ଜିନ୍‌ମାନଙ୍କର ବିଶାଳ ଉପନିବେଶମାନ। ଭୂତାଣୁମାନେ ହେଉଛନ୍ତି ଆମ ଶରୀର ରୂପକ ଉପନିବେଶରୁ ଖସି ଆସିଥିବା ଜିନ୍‌ମାନ। ଭୂତାଣୁମାନଙ୍କର ଗଠନ ହେଉଛି ଏକ ପ୍ରୋଟିନ୍‌ ଆବରଣ ଭିତରେ ରହିଥିବା ବିଶୁଦ୍ଧ ଡିଏନ୍‌ଏ (ବା ଆତ୍ମନକଲ କରିପାରୁଥିବା ଏକ ସମ୍ପର୍କିତ ଅଣୁ-ମଲିକ୍ୟୁଲ୍‌) ସମସ୍ତ ଭୂତାଣୁ ହେଉଛନ୍ତି ପରାଙ୍ଗପୁଷ୍ଟ। ଡକିନ୍‌ସ ଯାହା ସୂଚାଇବାକୁ ଚାହାନ୍ତି, ତାହା ହେଲା ଖସି ପଳାଇ ଆସିଥିବା ବିଦ୍ରୋହୀ ଜିନ୍‌ମାନଙ୍କ ଠାରୁ ଭୂତାଣୁମାନଙ୍କର ବିବର୍ତ୍ତନ ଘଟିଛି। ପାରମ୍ପରିକ ଭାବରେ ଗୋଟିଏ ଶରୀରରୁ ଅନ୍ୟ ଏକ ଶରୀରକୁ ଗମନ କରିବା ପାଇଁ ଜିନ୍‌ମାନେ ଶୁକ୍ରାଣୁ ଓ ଡିମ୍ବାଣୁକୁ ବାହନ ଭାବରେ ବ୍ୟବହାର କରିଥାନ୍ତି; କିନ୍ତୁ ଏହି ଭୂତାଣୁ-ରୂପୀ ବିଦ୍ରୋହୀ ଜିନ୍‌ମାନେ ଏକ ଶରୀରରୁ ଅନ୍ୟ ଏକ ଶରୀରକୁ ସିଧାସଳଖ ପବନ, ପାଣି, ସ୍ପର୍ଶ ଆଦି ମାଧୢମ ଦେଇ ମଧୢ ଗମନ କରିଥାନ୍ତି। (ଏ ଦୃଷ୍ଟିରୁ ବିଚାର କଲେ ଆମ ଶରୀରକୁ ଭୂତାଣୁମାନଙ୍କର ଉପନିବେଶ ବୋଲି କହିଲେ ଭୁଲ୍‌ ହେବ ନାହିଁ।)

ଆମେ ସମସ୍ତେ ଜାଣୁ ସର୍ଦ୍ଦି ହେଉଛି ଏକ ଭୂତାଣୁ ଜନିତ ରୋଗ। ସର୍ଦ୍ଦି ଧରିଥିବା ସମୟରେ ଯେତେବେଳେ ଆମର ଛିଙ୍କ, କାଶ ହୁଏ, ଆମେ ତାହାକୁ ରୋଗର ପାର୍ଶ୍ବ ପ୍ରଭାବ ବୋଲି ବିଚାର କରିଥାଉ। ଆମେ ପ୍ରାୟ ସଚେତନ ନ ଥାଉ ଯେ ନିଜର ଏକ ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ସାଧନ ପାଇଁ ଭୂତାଣୁମାନେ ଏହି ସୁଚିନ୍ତିତ କୌଶଳ ଅବଲମ୍ବନ କରିଥାନ୍ତି। ସେମାନଙ୍କର ଉଦ୍ଦେଶ୍ୟ ହେଲା ନିଜର ପରାଙ୍ଗ ପୁଷ୍ଟ ପ୍ରବୃତ୍ତି ଚରିତାର୍ଥ କରିବା ନିମିତ୍ତ ରୋଗୀର ଶରୀରରୁ ଅନ୍ୟ ସୁସ୍ଥ ବ୍ୟକ୍ତିର ଶରୀରକୁ ଡିଆଁ ମାରିବା। ସେମାନେ ତେଣୁ ସ˚କ୍ରମିତ ବ୍ୟକ୍ତିଠାରେ ଜୋର‌୍‌ଦାର‌୍‌ ଛିଙ୍କ କାଶ ଆଦି ସୃଷ୍ଟି କରିଥାନ୍ତି, ଯାହାଦ୍ବାରା ଭୂତାଣୁ ତୀବ୍ର ବେଗରେ ବାୟୁମଣ୍ତଳରେ ପ୍ରବେଶ କରି ତୁରନ୍ତ ସୁସ୍ଥ ଲୋକ ପାଖରେ ପହଞ୍ଚିଯିବ।

ଜଳାତଙ୍କ ରୋଗଗ୍ରସ୍ତ କୁକୁର, ବିଲୁଆ ଭଳି ପ୍ରାଣୀ ଅନ୍ୟ ଜୀବକୁ କାମୁଡ଼ିଲେ ତା’ର ଳାଳ ଦେଇ ରୋଗର ଭୂତାଣୁ ଅନ୍ୟ ପ୍ରାଣୀ ଠାରେ ପ୍ରବେଶ କରେ। ସେଇଥିପାଇଁ ସର୍ଦ୍ଦି ଭୂତାଣୁ ଆମକୁ ଛିଙ୍କିବାକୁ ପ୍ରବୃତ୍ତ କଲା ଭଳି, ଜଳାତଙ୍କ ଭୂତାଣୁ ସ˚କ୍ରମିତ କୁରୁର ବା ବିଲୁଆକୁ ଅନ୍ୟକୁ କାମୁଡ଼ିବା ପାଇଁ ପ୍ରବୃତ୍ତ କରିଥାଏ। ଏକ ସାଧାରଣ ସୁସ୍ଥ କୁକୁର ତା’ର ଜାଗା ଛାଡ଼ି ବେଶୀ ଦୂରକୁ ଯାଏ ନାହିଁ; କିନ୍ତୁ ଏକ ଜଳାତଙ୍କ ଭୂତାଣୁ ବାହକ ରୋଗଗ୍ରସ୍ତ କୁକୁର ସେଇ ଭୂତାଣୁର ତାଡ଼ନାରେ ଉଦ୍‌ଭ୍ରାନ୍ତ ପରି ଦିଗ୍‌ବିଦିଗ୍‌‍ଶୂନ୍ୟ ହୋଇ ଦୂରଦୂରାନ୍ତରେ ଘୂରି ବୁଲି ଯାହାକୁ ପାଏ କାମୁଡ଼ି ଦିଏ ଓ ଭୂତାଣୁକୁ ନୂତନ ଆଶ୍ରୟସ୍ଥଳୀ ଯୋଗାଇ ଦିଏ। ଭୂତାଣୁର ଚକ୍ରାନ୍ତ ନ ଜାଣି ଆମେ ସେ କୁକୁରକୁ ପାଗଳା କୁକୁର କହିଥାଉ।

ପ୍ରଶ୍ନ ଉଠୁଛି, ଚୀନା କରୋନା ଭୂତାଣୁ (‘ସାର‌୍‌ସ କୋଭ୍‌-୨’) ସର୍ଦ୍ଦି ଭୂତାଣୁ ବା ଜଳାତଙ୍କ ଭୂତାଣୁ ଭଳି ଆମକୁ ଏପରି କିଛି ଆଚରଣ ପ୍ରଦର୍ଶନ କରିବା ପାଇଁ ଆମ ଅଜାଣତରେ ପ୍ରବୃତ୍ତ କରୁଛି କି ଯାହା ତା’ର ପ୍ରସାରରେ ସହାୟକ ହେବ? କୁମ୍ଭମେଳାରେ ବୁଡ଼ ପକାଇବା ପାଇଁ ଧାଇଁବା, କିମ୍ବା ସବାନ୍ଧବେ ବିବାହ ବ୍ରତ ଆଦି ଉତ୍ସବ ପାଳନ କରିବା କିମ୍ବା ବଜାର ହାଟରେ ଗହଳି କରିବା, କିମ୍ବା ମାସ୍କ ନ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ନ କରିବା ଆଦି ଭଳି ଆମର ବିପଜ୍ଜନକ ଆଚରଣ ପଛରେ କ’ଣ ବାସ୍ତବରେ ଏଇ ଚୀନା ଭୂତାଣୁର ଚକ୍ରାନ୍ତ ନିହିତ ଅଛି କି ଆଉ?
ତ୍ରିବେନ୍ଦ୍ର ରାଵତ ତାଙ୍କର ସମ୍ପୂର୍ଣ୍ଣ ମନ୍ତବ୍ୟରେ ଚତୁର କରୋନା ଭୁତାଣୁ ଠାରୁ ଦୂରେଇ ରହି ତାକୁ ହରାଇବା ପାଇଁ ବୁଦ୍ଧିମାନ ମନୁଷ୍ୟକୁ ଆହ୍ବାନ ଦେଇଛନ୍ତି। ଠିକ୍‌ ଯେମିତି କୁମ୍ଭମେଳା ଆୟୋଜନକୁ ସ˚କୁଚିତ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ମତ ପ୍ରକାଶ କରିଥିଲେ। ତାଙ୍କର କିନ୍ତୁ ଦୁର୍ଭାଗ୍ୟ, ତାଙ୍କର ଏହି ଉଚିତ୍‌ ପରାମର୍ଶ ପାଇଁ ସେତେବେଳେ ଯେଉଁଭଳି ତାଙ୍କ ଦଳ ଭାଜପା କ୍ଷୁବ୍‌ଧ ହୋଇ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଦେଲା, ବର୍ତ୍ତମାନ ତାଙ୍କର ସାଧୁ ଉପଦେଶ ପାଇଁ ବିରୋଧୀ ଦଳମାନେ ସେଇଭଳି ତାଙ୍କର ବିଦ୍ରୂପ କରୁଛନ୍ତି। ଏହା ମଧୢ ଭୂତାଣୁର ଚକ୍ରାନ୍ତର ଅ˚ଶ କି?

ସମ୍ବନ୍ଧିତ ଖବର