କଥା ବଢ଼ିଆ, ରାୟଗଡ଼ିଆ!

ସତ୍ୟନାରାୟଣ ଗନ୍ତାୟତ

ଯା’ ଥାନ ତା’ ପାଇଁ ମହାନ ଜରୁର୍। ଏ କଥା ଆମେ ମଧ୍ୟ ଜାଣୁ ଆଜ୍ଞା! ହେଲେ ଆମ ପରିକା ରାୟଗଡ଼ିଆଟାକୁ ଆପଣ ପଚାରି ଦେଇଚନ୍ତି ପରା, ‘ବାବୁହେ, ତମ ସେଠେଇଁ କ’ଣ ଅଛି?’
ତ’ ଅଗତ୍ୟା ଶୁଣିବା ହୁଅନ୍ତୁ।
ପର୍ବତ ଝରଣା ପରିବେଷ୍ଟିତ ଐତିହାସିକ ଗୁରୁତ୍ୱରେ ଭରା ଆମ ରାୟଗଡ଼ା। ଶସ୍ୟ ଶ୍ୟାମଳ ସବୁଜ ସୁନ୍ଦର ଶୋଭାମୟ ଆମ ରାୟଗଡ଼‌ା। ଏଠି ଅଛି ଲକ୍ଷେ ଚମ୍ପାର ଦେଶ କାଶୀପୁରଠୁ ଆରମ୍ଭ କରି ଘଞ୍ଚ ଅରଣ୍ୟାନୀରେ ସୁଶୋଭିତା ପ୍ରକୃତିର ଅପରୂପା ମଞ୍ଜୁଷା ଚନ୍ଦ୍ରପୁର!
କହିବାକୁ ଗଲେ ଏଠି ସବୁ ଅଛି ଆଜ୍ଞା। ଏଠିକା ପର୍ବତର କୁଆଁରୀ ଝରଣାଏ ମନ୍ଦ୍ର ମଧୁର ସୁରରେ ଗାଇ ଗାଇ ମନ୍ଦେ ଅଳସ ଛନ୍ଦେ ନାଚିନାଚି ଆସୁଥାନ୍ତି। ସେଇ ମନୋପୂତ ପ୍ରାକୃତିକ ସଙ୍ଗୀତର ମୂର୍ଚ୍ଛନାରେ ମୁଖର ହେଉଥାଏ ଏଠି ଫି ମୁହୂର୍ତ୍ତ! ସମ ତାଳେ ଶିଳ୍ପାୟନ ବି ଏଠି କରି ଚାଲୁଚି ସମୃଦ୍ଧିର ସଂରଚନା, ପୁନର୍ନିର୍ମାଣ ଓ ଉନ୍ନୟନ!
ସରଳ ଆଦିମ ଜୀବନ ବିବର୍ତ୍ତନରେ ବେଳୁ ବେଳ ହୋଇ ଚାଲିଚି ଆହୁରି ଋଦ୍ଧିମନ୍ତ। ଅତୀତରେ ବିଡ଼ମ୍ବିତ ବିକାଶର ବିବଶ ଇଲାକା ଭାବେ ପରିଚିତ ଅଞ୍ଚଳମାନ ଏବେ କୃଷି ଶିଳ୍ପାଦି କ୍ଷେତ୍ରରେ ପାଲଟିଛନ୍ତି ଏକ ଏକ ଆକର୍ଷଣ।
ଏକଦା ଗମନାଗମନରେ ପଛୁଆ ହୋଇ ଯହିଁ ବାଘମାମୁଁଙ୍କ ସ୍ୱଚ୍ଛନ୍ଦ ଚଳପ୍ରଚଳ ସହ ଅଜଗର ଅହିରାଜ ଭଳି ଶ୍ୱାପଦ ତଥା ହସ୍ତୀ ଓ ଶୁକାଦି ପକ୍ଷୀଏ ପରିଦୃଷ୍ଟ ହେଉଥିଲେ, ସେସବୁ ମନୋମୁଗ୍‌ଧକର ଓ ମଞ୍ଜୁଳ ଇଲାକକୁ ଫିଟି ପାରିଚି ପଥ। ବିକାଶୋନ୍ମୁଖୀ ଏବେ ସେ ସବୁ ଇଲାକା, ଛତ୍ରେ ଛତ୍ରେ ପ୍ରଶାସନ ଓ ପ୍ରଗତିର ଆଲୋକରେ ଆଲୋକିତ।
କେଉଁଠି ସବୁଜିମାର ପ୍ରାଚୁର୍ଯ୍ୟ ତ ଆଉ କେଉଁଠି ସୁନାର ଫସଲ ବଳରେ ତାହା ପାଲଟି ଯାଇଚି ଜନଗଣଙ୍କ ଭାତହାଣ୍ଡି! ପୁଣି କିଛି ଅଞ୍ଚଳ ଏବେ ଭଳିକି ଭଳି କୃଷି ସାଙ୍ଗକୁ ଉଦ୍ୟାନ କର୍ମ, ମତ୍ସ୍ୟ ପଶୁପାଳନାଦି କ୍ଷେତ୍ରରେ ପାରଦର୍ଶିତାର ଉଲ୍ଲେଖଯୋଗ୍ୟ ଉତ୍କର୍ଷରେ ଉଦ୍ଭାସିତ! ଏ କ୍ଷେତ୍ରରେ ନିମଗ୍ନ ପ୍ରତ୍ୟେକ ମନେ ହୁଅନ୍ତି ସତେ ଅବା ଜଣେ ଜଣେ କର୍ମଯୋଗୀ।
ତେବେ ଗୋଟେ କଥା ମନରେ ଘାଣ୍ଟି ଚକଟି ହୁଏ ଯେ ପରିବ୍ୟାପ୍ତ ପ୍ରାକୃତିକ ସୁଷମା ସତ୍ତ୍ବେ ଏଠିକା ପର୍ଯ୍ୟଟନ ବ୍ୟବସ୍ଥା ଆଶାନୁରୂପ ନୁହଁଇ। ତା’ ହେଲେ ଆହୁରି ସମୃଦ୍ଧି ସମ୍ଭବ ହୁଅନ୍ତା!
ହଁ କହିବାକୁ ଗଲେ ଏଠି ସବୁ ଅଛି। ତଥାପି, କେଜାଣି କାହିଁକି ଆମ ମନ କିନ୍ତୁ କୁଣ୍ଢେ ମୋଟ ହୋଇପାରେ ନାହିଁ। ଏଥକୁ ଯଦି ଆପଣ ପୁଚ୍ଛିବେ : ହୈଓ, କହୁନା, କୁହ, ତୁମ ମନ ଖୋଲି ସବୁ କହିଦିଅ!
ତ ଆ‌‌େମ କହିବୁ: ‘ହେଲା ହେଲା, ମହାଶୟ, ଆମେ ଶାନ୍ତ ସରଳ ଅମାୟିକ ଭଦ୍ର ନିରୀହ ପ୍ରଜାତିର! ତେଣୁ ଫି କଥାରେ ଆମ ମହାର୍ଘ ମନର କୋଲପ ଏମିତି ମାହାଳିଆରେ ଫିଟାଇ ତହିଁରେ ଡିଆଁ ନଚା କରୁଥିବା ହରେକ କଥା ଉଗାଳି ପକାଇବା ଏକରକମ ନାକରା କାମ ବୋଲି ମଣି ଆସିଛୁ। ତେବେ କିଛି ନ କହିଲେ ବି ଆପଣମାନେ ଜରୁର୍ ୟାଡୁସ୍ୟାଡୁ କହିବେ ଆମ୍ଭ ନାଁରେ!
ସୁତରାଂ କହି ଦେଉଛୁ!
ଆଜ୍ଞା, ପହିଲେ ଆମ ଦିହ ପା’ କଥା! ବିଭିନ୍ନ ସମୟରେ ହୋଇଥିବା ରଞ୍ଜଘଷ ହୋ ହୋ ଘୋ ଘୋ ମାନଙ୍କରେ ଯିଏ ଯାହା ଯେମେତେ କରିବ କରିବ ବୋଲି କହି ଆସିଚ ବା ପାଞ୍ଚି ଆସିଚ, ଆମେ ସଫା ସଫା କହି ଦେଉଚୁ ଯେ ଜଲଦି ଜଲଦି ଆମ ଏଠେଇଁ ସେସବୁ କରି ପକାଅ; ବଡ଼ ଧର୍ମ ହେବ ତୁମର! ଆମେ ଧଡ଼କଚ ଧଡ଼କଚ ହୋଇ ଭାଇଜାଗ, ବିଜୟ ନଗରମ୍, ଶ୍ରୀକାକୁଲମ କି କଡ଼କ୍, ଭୋଁସର୍ ଦୌଡ଼ି ଦୌଡ଼ି କେଡ଼େ ସରି ନାକେଦମ୍ ହେଉଛୁ ଦେଖୁଥିବ ତ’! ଆମ ଏଠି ଦିହପା ମାମଲା ହେଲା ମାନେ ଜାଣ ଯେ କିସମ କିସମର ‘ନାହିଁ, ନାହିଁ’ମାନଙ୍କୁ ସାମନା କରିବା!
ଇଞ୍ଜିନିୟରିଂ ପଢ଼ା ପାଇଁ ମାତବରିଆ ବ୍ୟବସ୍ଥା ଥିବାରୁ ଆମ ଜିଲ୍ଲା ଗୌରବ ଗୋଟେଇ ଥାଇଁ ଜରୁର୍! ହେଲେ ମେଡିକଲ ପଢ଼‌ା ବି ହୋଇ ପାରନ୍ତାନି ଏଠେଇଁ? ସେଇମିତି ଆଇନ, ସାମ୍ବାଦିକତା ପରିକା ପାଠଙ୍କ କଥା ବି ଉଠୁଚି। ଏଇମିତି ଏଠି ନାନା ଜାତି ପାଠଙ୍କ ବଢ଼ତି ହେଉ; ଏ ଅଞ୍ଚଳ ଜ୍ଞାନ ଗରିମାରେ ଦାଉ ଦାଉ ହୋଇ ଆହୁରି ଉଜ୍ଜ୍ବଳି ଉଠୁ ବୋଲି କଥାଏ ଆମ ମନକୁ ଜାବୁଡ଼ି ଧରିଚି ଯେ ଧରିଚି।
କ’ଣ କହିବା, ମନ ଭାରି ଦୁଃଖେଇ ଗଲା ଆମର, ଯେବେ ଆମର ଜନୈକ ପିଲାଦିନିଆ ରାୟଗଡ଼ିଆ ମିତ୍ର ବିଦେଶରୁ ଉଡ଼ି ଆସି ଭାଇଜାଗରେ ପହଞ୍ଚି ଆମକୁ ଆସିବାକୁ କହନ୍ତେ ଆମେ ଅଗତ୍ୟା ସେଇ ଧଡ଼କଚ ଧଡ଼କଚ ହୋଇ ଯାଇ ତାକୁ ଭେଟ ପଡ଼ିଲୁ। ହେଲେ ଆମ ମନଟା ଫଟା ବେଲୁନ ବାଗିଆ ହୋଇଗଲା।
କିଆଁ କହନି?
ମିତ୍ର ଯେବେ ଆମ୍ଭ ହାତ ଧରି ପକାଇ କହିଲା : ଦୋସ୍ତ୍ ତୋ ଭାଉଜଙ୍କୁ ତ ଜାଣିଚୁ ଆମେରିକୀ ଓଡ଼ିଆଣୀଟେ। ରାୟଗଡ଼ା ଯିବା କଥା ଶୁଣୁଶୁଣୁ ସେ ସିଧା ସିଧା ଶୁଣାଇ ଦେଲେ ଯେ ଫ୍ଲାଇଟ୍‌ ନ ଥିଲେ ସେ ଯାଇ ପାରିବେନି, ଆଉ ମିଛ କିଆଁ କହିବି? ମୁଁ ବି ଆମେରିକାନ୍ ହୋଇଯିବା ପରଠୁ ଏବେ କ’ଣ ଆଉ ଆଗ ପରି ଯାଇ ପାରୁଚିକିରେ? ତୋତେ ବାଧ୍ୟ ହୋଇ ଡକାଇଲି ସେଥିପାଇଁ ..ସରି ୟା’ର୍ !
ଆଶା କରୁ, ଆପଣ ଏତେ ବେଳକୁ ସମଝି ଯିବେଣି ଯେ ଆମେ ଏଠେଇଁ କ’ଣ ଚାହୁଁ?
ପୁଣି, ଆମ ନିଜର ରେଡିଓ ଷ୍ଟେସନ ଗୋଟିଏ ଏଠି ଥିଲେ କେତେ ମସ୍ତ ହୋଇ ନ ଥାଆନ୍ତା କି? ଜୟପୁରରେ କୋଉ କାଳୁ ଆକାଶବାଣୀ କେନ୍ଦ୍ର ଥିବାରୁ ଆଞ୍ଚଳିକ ଭାଷା ସଂସ୍କୃତି ବି ସମତାଳରେ କେମିତି ସମୁନ୍ନତ ହେବାର ସୁଯୋଗ ପାଇଛି। ଆମେ ମୋବାଇଲ ଆପ୍ ଦୟାରୁ ଆକାଶବାଣୀ ଶୁଣୁଥାଇଁ ସିନା! ଏଠି ଅତି କମ୍‌ରେ ଏଫ୍ଏମ୍ ରେଡିଓଟେ ରହିଥିଲେ ତହିଁରୁ ‘କଥା ବଢ଼ିଆ ରାୟଗଡ଼ିଆ’ ଶୁଭିବା ସହ ଗାନାଟାନା ଗପସପର ମାହୋଲ ଜମି ଯାଆନ୍ତାନି କି?
ହଁ, ଆପଣ ପଚାରିଲେ ବୋଲି ମନ କଥା ନାଁରେ ଆମ ପରିକା ମାମୁଲି ମଣିଷ ଏସବୁ ୟାଡୁସ୍ୟାଡୁ କହି ଚାଲିଛି ସେତେବେଳୁ! ଆପଣ ବି ଶୁଣିଲେ! ଆପଣଙ୍କ ଭଳି ମହାନୁଭବ ଜୁଟିବା ଆମ କୋଟି ଜନ୍ମର ପୁଣ୍ୟ ଫଳ ମହାଭାଗ!
କିନ୍ତୁ ଜାଣୁ ଆପଣ ଭାବୁଥିବେ: ବାବୁ ହେ, ତେମେ ସପନ ଦେଖିବାକୁ ତ ଆଉ ଟିକସ ପଡୁନି! ଦେଖି ଚାଲ, ଦେଖି ଚାଲ!
ସତ କହିଲ ହେ ମାହପ୍ରୁ, ଆମେ ସବୁବେଳେ ଏଠିକା ପର୍ବତ ଓ ଝରଣା ମେଳରେ ରହି ସପନ ବଣିକ ହୋଇ ଆସିଛୁ!
ଏଁ ପୁଣି କ’ଣ କହୁଚନ୍ତି?
ଆମେ ସବୁ ଦିନ ଏଇମିତି ହୋଇ ରହିଥିବୁ!
ମୋ- ୯୪୩୭୯୦୯୬୭୫

ସମ୍ବନ୍ଧିତ ଖବର