ମାଇନ୍‌ ଫିଲ୍‌ଡ

କୌଣସି ଅର୍ଥନୈତିକ କାର୍ଯ୍ୟର ହିସାବ ବହିର୍ଭୂତ ବାହ୍ୟ କ୍ଷତିକାରକ ପ୍ରଭାବ ବା ‘ନକାରାତ୍ମକ ବାହ୍ୟ ପ୍ରଭାବ’ର ଉଦାହରଣ ଯେତେବେଳେ ଖୋଜାଯାଏ, ସେତେବେଳେ ଯେଉଁ ଉଦାହରଣଟି ଅର୍ଥନୀତିଜ୍ଞମାନଙ୍କର ପ୍ରିୟତମ ଉଦାହରଣ ରୂପେ ସର୍ବପ୍ରଥମେ ପ୍ରଦର୍ଶିତ ହୋଇଥାଏ, ତାହା ହେଉଛି ଏକ କୋଇଲା ଜଳୁଥିବା ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ବା ଥର୍ମାଲ୍‌ ପାଵାର‌୍‌ ଷ୍ଟେସନ୍‌। ବାୟୁ ପ୍ରଦୂଷଣରୁ ଆରମ୍ଭ କରି ଜଳ ପ୍ରଦୂଷଣ, ଭୂମି ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ଇତ୍ୟାଦି ମାଧୢମରେ ତାପଜ ଶକ୍ତି ଉତ୍ପାଦନ ଅନ୍ୟମାନଙ୍କର ଯେଉଁ କ୍ଷତି ସାଧନ କରିଥାଏ, ତାହା ତା’ର ଉତ୍ପାଦନ ଖର୍ଚ୍ଚ ହିସାବରେ ଅନ୍ତର୍ଭୁକ୍ତ ହୋଇ ନଥାଏ। ଉଦାହରଣ ସ୍ବରୂପ ଏଭଳି ଶକ୍ତି ଉତ୍ପାଦନ କେନ୍ଦ୍ରରୁ ନିର୍ଗତ ସଲ୍‌ଫର‌୍‌ ଡାଇଅକ୍ସାଇଡ୍‌, ନାଇଟ୍ରସ୍‌ ଅକ୍ସାଇଡ୍‌ସ ଆଦି ଯୋଗୁଁ ସୃଷ୍ଟ ଶ୍ବାସପ୍ରଶ୍ବାସ ରୋଗ, ହୃଦ୍‌ରୋଗ, ଚକ୍ଷୁରୋଗ ଆଦିରେ ପୀଡ଼ିତ ବ୍ୟକ୍ତିମାନଙ୍କର ଚିକିତ୍ସା ଖର୍ଚ୍ଚ ବିଦ୍ୟୁତ୍‌ ଉତ୍ପାଦନ ଖର୍ଚ୍ଚ ହିସାବରେ ମିଶି ନଥାଏ।

ତାପଜ ବିଦ୍ୟୁତ୍‌ ଉତ୍ପାଦନର ଏଭଳି ବ୍ୟାପକ ଓ ବିଶାଳ ନକାରାତ୍ମକ ବାହ୍ୟ ପ୍ରଭାବରୁ ମୁକ୍ତି ପାଇବା ପାଇଁ ଯେଉଁ ବିକଳ୍ପକୁ ପ୍ରଥମେ ପସନ୍ଦ କରାଯାଇଥାଏ, ତାହା ହେଉଛି ଜଳ ବିଦ୍ୟୁତ୍‌, ଯାହାର ଉତ୍ପାଦନ କୌଣସି ଇନ୍ଧନର ଦହନ ଉପରେ ନିର୍ଭର ନକରି ଜଳର ପ୍ରବାହ ଉପରେ ନିର୍ଭର କରିଥାଏ। ଏଥି ଯୋଗୁଁ ପରିବେଶ ଉପରେ ତାପଜ ବିଦ୍ୟୁତ୍‌ ଉତ୍ପାଦନରୁ ସୃଷ୍ଟି ହେଉଥିବା ଭଳି କୌଣସି ମନ୍ଦ ପ୍ରଭାବ ପଡ଼ି ନଥାଏ। ଜଳ ବିଦ୍ୟୁତ୍‌ କେନ୍ଦ୍ରର ଟର୍ବାଇନ୍‌କୁ ଘୂରାଇବା ପାଇଁ ଆବଶ୍ୟକ ପ୍ରଖର ଜଳସ୍ରୋତ ଏବ˚ ଏଥିପାଇଁ ନଦୀରେ ବନ୍ଧ ବାନ୍ଧି ଡ୍ୟାମ୍‌ ନିର୍ମାଣ କରାଯାଇଥାଏ। କିନ୍ତୁ ଏଭଳି ଜଳ ବିଦ୍ୟୁତ୍‌ କେନ୍ଦ୍ର ସ୍ଥାପନ ପାଇଁ ଯଦି ଅବିଚାରିତ ଭାବରେ ସ୍ଥାନ ଚୟନ କରାଯାଇଥାଏ, ସେଥିରୁ ଯେଉଁ ନକାରାତ୍ମକ ବାହ୍ୟ ପ୍ରଭାବ ସୃଷ୍ଟି ହୋଇପାରେ, ତାହା ଯେ ତାପଜ ବିଦ୍ୟୁତ୍‌ ଉତ୍ପାଦନରୁ ସୃଷ୍ଟି ହେଉଥିବା ଏଭଳି କ୍ଷତିକାରକ ପ୍ରଭାବ ଠାରୁ ବହୁଗୁଣ ଭୟଙ୍କର, ତାହାର ଏକ ଲୋମହର୍ଷଣକାରୀ ଉଦାହରଣ ଦେଖିବାକୁ ମିଳିଛି ଗତ ରବିବାର ଦିନ ପଶ୍ଚିମ ହିମାଳୟ କୋଳରେ ଅବସ୍ଥିତ ଉତ୍ତରାଖଣ୍ତ ରାଜ୍ୟର ଋଷିଗଙ୍ଗା ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଡ୍ୟାମ୍‌ ଭୁଶୁଡ଼ିବା ପରେ। ତାପଜ ବିଦ୍ୟୁତ୍‌ ଉତ୍ପାଦନ ତୃତୀୟ ପକ୍ଷ ପାଇଁ ଘଟାଉଥିବା କ୍ଷତି କ୍ରମଶଃ ଅନୁଭୂତ ହେବା ପାଇଁ କିଛି ସମୟ ଲାଗିଥାଏ। ଋଷିଗଙ୍ଗା ଡ୍ୟାମ୍‌ ଭୁଶୁଡ଼ିବାର କ୍ଷତି କିନ୍ତୁ ହେଉଛି ତତ୍‌କ୍ଷଣାତ୍‌ ଓ ଚରମ ଶ୍ରେଣୀର। ଏହା ଲେଖା ହେବା ବେଳକୁ ବରଫ ଅତଡ଼ା ଖସି ଡ୍ୟାମ୍‌ ଭୁଶୁଡ଼ିବା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ଅନ୍ତତଃ ୨୬ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଆହୁରି ପ୍ରାୟ ୨୦୦ ଲୋକ ନିଖୋଜ ଅଛନ୍ତି ଯାହା ମୃତ୍ୟୁ ସ˚ଖ୍ୟାରେ ଆହୁରି ବହୁତ ବୃଦ୍ଧି ଘଟାଇବା ନିଶ୍ଚିତ।

ଏହି ମର୍ମନ୍ତୁଦ ଘଟଣା ଖବର ପ୍ରସାରିତ ହେବା ପରେ ପରେ ପୂର୍ବତନ କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ଦାୟିତ୍ବ ନିର୍ବାହ କରିଥିବା ମନ୍ତ୍ରୀ ଉମା ଭାରତୀ ଏ ସମ୍ପର୍କରେ ପ୍ରଦାନ କରିଥିବା ମନ୍ତବ୍ୟ ସ୍ବଚ୍ଛ ଶକ୍ତି ଉତ୍ପାଦନ ଉଦ୍ୟମର ଏହି କ୍ରୂର ବିଡ଼ମ୍ବନାକୁ ପଦାରେ ପକାଇଥାଏ। ସେ କହିଛନ୍ତି, ସେ ମନ୍ତ୍ରୀ ଥିବା ସମୟରେ (ପ୍ରଥମ ପାଳି ମୋଦୀ ସରକାରରେ) ଗଙ୍ଗା କିମ୍ବା ତାହାର କୌଣସି ଉପନଦୀର କୌଣସି ସ୍ଥାନରେ ଜଳ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ବିରୋଧ କରିଥିଲେ। ସେ ପ୍ରକାଶ କରିଥିଲେ ଯେ ତାଙ୍କ ବିଭାଗ ଏକ ସତ୍ୟପାଠ ଜରିଆରେ ଜଣାଇଥିଲା ଯେ ହିମାଳୟ ହେଉଛି ଏକ ଅତ୍ୟନ୍ତ ସ୍ପର୍ଶକାତର ଅଞ୍ଚଳ ଏବ˚ ତେଣୁ ଗଙ୍ଗା କିମ୍ବା ତା’ର କୌଣସି ଗୁରୁତ୍ବପୂର୍ଣ୍ଣ ଉପନଦୀ ଉପରେ କୌଣସି ଶକ୍ତି ଉତ୍ପାଦନ କେନ୍ଦ୍ର ନିର୍ମିତ ହେବା ଉଚିତ ନୁହେଁ। ସେ ଅଞ୍ଚଳର ବିଦ୍ୟୁତ୍‌ ଶକ୍ତି ଆବଶ୍ୟକତା ପୂରଣ ନିମିତ୍ତ ସେ ଅଞ୍ଚଳକୁ ଜାତୀୟ ବିଦ୍ୟୁତ୍‌ ଗ୍ରୀଡ୍‌ ସହିତ ସ˚ଯୁକ୍ତ କରିବା ପାଇଁ ମଧୢ ସେ ପ୍ରସ୍ତାବ ଦେଇଥିଲେ ବୋଲି ଉମା ଭାରତୀ ପ୍ରକାଶ କରିଛନ୍ତି। ଉମାଙ୍କ ଉପଦେଶକୁ ବେଖାତିର କରି ହିମାଳୟର ସମ୍ବେଦନଶୀଳ ଇଲାକାରେ ଯେଉଁ ଗଣ୍ତା ଗଣ୍ତା ଜଳ ବିଦ୍ୟୁତ୍‌ କେନ୍ଦ୍ରମାନ ନିର୍ମିତ ହୋଇ ଚାଲିଥିଲା, ସେଥି ମଧୢରୁ ହତଭାଗ୍ୟ ଋଷିଗଙ୍ଗା ଡ୍ୟାମ୍‌ ହେଉଛି ଗୋଟିଏ।

ବିଶେଷଜ୍ଞମାନେ ଯଦିବା ଏହି ବିପର୍ଯ୍ୟୟ ଘଟିବା ପଛରେ ଥିବା ନିର୍ଦ୍ଦିଷ୍ଟ କାରଣ ସମ୍ବନ୍ଧରେ ନିଶ୍ଚିତ ହୋଇପାରି ନାହାନ୍ତି- ତାହା ଅନୁଶୀଳନ କରି ଆବିଷ୍କାର କରିବା ପାଇଁ କିଛି ସମୟ ଲାଗିବ- ସେମାନେ କିନ୍ତୁ ଯେଉଁ ସବୁ ସମ୍ଭାବ୍ୟ କାରଣମାନ ସମ୍ବନ୍ଧରେ କଳ୍ପନାଜଳ୍ପନା କରୁଛନ୍ତି, ତାହା ସେ ଅଞ୍ଚଳର ଅତ୍ୟଧିକ ସ୍ପର୍ଶକାତରତା ସମ୍ବନ୍ଧରେ ଉମା ଭାରତୀ ପୂର୍ବରୁ ଉଚ୍ଚାରଣ କରିଥିବା ସାବଧାନବାଣୀର ଯଥାର୍ଥତା ପ୍ରମାଣିତ କରିଥାଏ। ସେମାନେ ଅନୁମାନ କରୁଛନ୍ତି, ଏହା ଏକ ଗ୍ଲେସିଅର‌୍‌ ବା ବରଫ ଚଟାଣ ଦ୍ବାରା ସୃଷ୍ଟ ହ୍ରଦ ବା ଜଳାଶୟ ବନ୍ଧ ଭାଙ୍ଗି ମାଡ଼ି ଆସିବା ଯୋଗୁଁ ଘଟିଥାଇ ପାରେ; କିମ୍ବା ଏକ ବରଫ ଅତଡ଼ା ଖସିବା ଯୋଗୁଁ ଘଟିଥାଇ ପାରେ; କିମ୍ବା ଉପର ମୁଣ୍ତରେ ଏକ ବାଦଲ ଫଟା ବର୍ଷା ଯୋଗୁଁ ଘଟିଥାଇ ପାରେ। ଉମା ଭାରତୀଙ୍କ ଆଶଙ୍କାକୁ ସତରେ ପରିଣତ କଲା ଭଳି ମାତ୍ର ଦୁଇଦିନ ତଳେ ସେ ଅଞ୍ଚଳରେ ଏକ ବରଫ ଅତଡ଼ା ଖସିବା ଘଟଣା ଘଟିବା ଦେଖାଯାଇଥିଲା। ଗ୍ଲେସିଅର‌୍‌ ବିଶେଷଜ୍ଞ ଯେଉଁ ଏକ ସମ୍ଭାବନାକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି, ତାହା ହେଲା ଏକ ଗ୍ଲେସିଅର‌୍‌ ସୃଷ୍ଟ ଜଳାଶୟ ଭୁଶୁଡ଼ିବା, ଯାହାକୁ ସେମାନେ ‘ଗ୍ଲଫ୍‌’ ନାମରେ ସ˚କ୍ଷେପରେ ବର୍ଣ୍ଣନା କରିଥାନ୍ତି। ଏହି ହ୍ରଦ ଭୁଶୁଡ଼ିବା ଯୋଗୁଁ ତଳ ଅଞ୍ଚଳରେ ସେଇ ଭଳି ପ୍ରଖର ଅଚାନକ ବନ୍ୟା ସୃଷ୍ଟି ହୋଇଥାଏ, ଯେଉଁଭଳି ଚାମୋଲି ନିକଟରେ ରବିବାର ସକାଳେ ଘଟିବା ଦେଖାଯାଇ ୨୦୧୩ରେ ସେ ରାଜ୍ୟରେ ଦେଖା ଦେଇଥିବା ପ୍ରଳୟର ପୁନରାବୃତ୍ତିର ଆଶଙ୍କା ସୃଷ୍ଟି କରିଥିଲା। ସନ୍ଧ୍ୟା ସମୟକୁ ଅବଶ୍ୟ ସେ ଆଶଙ୍କା ଦୂରୀଭୂତ ହୋଇଯାଇଥିଲା କିନ୍ତୁ ସେତିକି ସମୟରେ ଯେତିକି କ୍ଷୟକ୍ଷତି ଘଟିଥିଲା, ତାହାକୁ ଏକ ଖଣ୍ତପ୍ରଳୟ କୁହାଯାଇପାରେ।

ଯାହା ବର୍ତ୍ତମାନ ପର୍ଯ୍ୟବେକ୍ଷକମାନଙ୍କ ମଧୢରେ ଘୋର ଚିନ୍ତା ସୃଷ୍ଟି କରିଚାଲିଛି, ତାହା ହେଲା ହିମାଳୟର ଚିର ବରଫାବୃତ ଅଞ୍ଚଳରେ ଥିବା ବିସ୍ତୃତ ବରଫ ଚଟାଣମାନଙ୍କର ଆୟତନରେ ଘଟି ଚାଲିଥିବା ସ˚କୋଚନ। ଏହି ସ˚କୋଚନର କାରଣ ଅବଶ୍ୟ ହେଉଛି ପୃଥିବୀର ବାୟୁମଣ୍ତଳର ତାପମାତ୍ରାରେ ଲଗାତାର ବୃଦ୍ଧି, ଯାହା ବିଶ୍ବ ତାପନ ବା ଜଳବାୟୁ ପରିବର୍ତ୍ତନ ନାମରେ ସୁବିଦିତ। ଏକ ଅପସୃୟମାନ ଗ୍ଲେସିଅର‌୍‌ ପଛକୁ ହଟିଯିବା ବେଳେ ପରିତ୍ୟକ୍ତ ଅଞ୍ଚଳରେ ଜଳାଶୟମାନ ସୃଷ୍ଟି କରି ଛାଡ଼ି ଦେଇ ଯାଇଥାନ୍ତି- ଯେମିତି ଯୁଦ୍ଧ ସମୟରେ ପଛକୁ ହଟିଯାଉଥିବା ସୈନ୍ୟମାନେ ପରିତ୍ୟକ୍ତ ଅଞ୍ଚଳରେ ବିପଜ୍ଜନକ ମାଇନ୍‌ ବିଛାଇ ଦେଇ ଚାଲିଯାଇଥାନ୍ତି। ଏହି ବିଶାଳ ଜଳାଶୟମାନଙ୍କର ଜଳରାଶିକୁ ଯାହା ବନ୍ଧ ଭଳି ଅଟକାଇ ରଖିଥାଏ, ତାହା ହେଲା ପଟୁ ଓ ଗୋଡ଼ି ପଥର ଆଦି ଦ୍ବାରା ଆବିର୍ଭୂତ ହୋଇଥିବା ପ୍ରାକୃତିକ ବନ୍ଧ। କୌଣସି କାରଣରୁ ଏହି ଦୁର୍ବଳ ବନ୍ଧ ଯଦି ଭୁଶୁଡ଼ି ପଡ଼େ, ତାହା ତଳ ଅଞ୍ଚଳରେ ଥିବା ନଦୀ ଓ ଝରଣାମାନଙ୍କରେ ସାମୟିକ ଭାବରେ ପ୍ରବଳ ବନ୍ୟା ସୃଷ୍ଟି କରିଥାଏ, ଯେଉଁଭଳି ଋଷିଗଙ୍ଗା ଠାରେ ଘଟିଛି।

ନିର୍ଦ୍ଦିଷ୍ଟ କାରଣ ଯାହା ହୋଇଥାଉନା କାହିଁକି, ଏଥିରେ ସନ୍ଦେହ ନାହିଁ ଯେ ତାହା ହେଉଛି ଏକ ଆଞ୍ଚଳିକ କାରଣ, ଯାହା ସେଠାରେ ଜଳ ବିଦ୍ୟୁତ୍‌ କେନ୍ଦ୍ର ସ୍ଥାପନ ନକରିଥିଲେ ଏଡ଼ାଇ ଦିଆଯାଇ ପାରିଥାନ୍ତା। ପ୍ରଶ୍ନ ଉଠେ, ଏଭଳି ଜଳ ବିଦ୍ୟୁତ୍‌ କେନ୍ଦ୍ରରୁ ଯେଉଁ ବିଦ୍ୟୁତ୍‌ ଶକ୍ତି ଉତ୍ପାଦିତ ହେବ, ତାହାର ଉତ୍ପାଦନ ଖର୍ଚ୍ଚରେ ଏବ˚ ଉତ୍ପାଦିତ ବିଦ୍ୟୁତ୍‌ ଶକ୍ତିର ଦର ନିର୍ଦ୍ଧାରଣରେ ବର୍ତ୍ତମାନ ନଷ୍ଟ ହୋଇଥିବା ଅମୂଲ୍ୟ ଜୀବନମାନଙ୍କର ମୂଲ୍ୟ ମଧୢ ଅନ୍ତର୍ଭୁକ୍ତ ହେବ କି?

ସମ୍ବନ୍ଧିତ ଖବର