ଲିଙ୍ଗ ଲଢ଼େଇ

ଜୈବବିଜ୍ଞାନୀମାନଙ୍କ ବିଚାରରେ ଏକ ପ୍ରାଣୀ ପ୍ରଜାତି (ଯେମିତି ମନୁଷ୍ୟ)ର ତିଷ୍ଠି ରହିବାର ଆବଶ୍ୟକତା ଦୃଷ୍ଟିରୁ ପୁରୁଷ ହେଉଛି ଏକ ଅପେକ୍ଷାକୃତ ଅଲୋଡ଼ା, ଶୋଷକ, ସ୍ବାର୍ଥପର ଲିଙ୍ଗ। ସେମାନେ ଦର୍ଶାଇଥାନ୍ତି ଭ୍ରୂଣ ସଞ୍ଚାର ସମୟରୁ ହିଁ ସ୍ତ୍ରୀ-ଲିଙ୍ଗ ଶୋଷଣର ଶିକାର ହୋଇଥାଏ। ଏହା ମୂଳରେ ଯାହା ରହିଛି, ତାହା ହେଲା ସ୍ତ୍ରୀର ଯୌନକୋଷ (‘ଗ୍ୟାମେଟ୍’) ଓ ପୁରୁଷର ‘ଗ୍ୟାମେଟ୍’ମାନଙ୍କର ଆକାର ଓ ସଂଖ୍ୟାରେ ରହିଥିବା ଉଲ୍ଲେଖନୀୟ ମୌଳିକ ଫରକ। ଫରକ ହେଲା ଏହା ଯେ, ସ୍ତ୍ରୀ-ଗ୍ୟାମେଟ୍ ତୁଳନାରେ ପୁରୁଷ ଗ୍ୟାମେଟ୍ ଆକାରରେ ବହୁତ କ୍ଷୁଦ୍ର ହୋଇଥାଏ କିନ୍ତୁ ସଂଖ୍ୟାରେ ବହୁଗୁଣ ଅଧିକ ହୋଇଥାଏ। ମନୁଷ୍ୟ କ୍ଷେତ୍ରରେ ନାରୀର  ଡିମ୍ବାଣୁର ଆକାର କ୍ଷୁଦ୍ରାତିକ୍ଷୁଦ୍ର ହୋଇଥିଲେ ହେଁ, ତାହା ପୁରୁଷର ଶୁକ୍ରାଣୁର ଆକାର ଠାରୁ ବହୁଗୁଣ ବଡ଼ ହୋଇଥାଏ।

ଭ୍ରୂଣ ସଞ୍ଚାର ଘଟିଲେ ଭ୍ରୂଣକୁ ଉଭୟ ଶୁକ୍ରାଣୁ ଓ ଡିମ୍ବାଣୁ ସମାନ ସଂଖ୍ୟକ ଜିନ୍ ଦାନ କରିଥା’ନ୍ତି, କିନ୍ତୁ ଆରମ୍ଭ ସମୟରେ ଭ୍ରୂଣ ଆବଶ୍ୟକ କରୁଥିବା ସମସ୍ତ ଖାଦ୍ୟ ବୃହଦାକାର ଡିମ୍ବାଣୁ ଯୋଗାଇଥିବା ବେଳେ ଶୀର୍ଣ୍ଣକାୟ ଶୁକ୍ରାଣୁର ଖାଦ୍ୟ ଅବଦାନ ଶୂନ୍ୟ ହୋଇଥାଏ। ଶୁକ୍ରାଣୁର ଏକମାତ୍ର ଦାୟିତ୍ବ ହେଉଛି ଯେତେ ଶୀଘ୍ର ସମ୍ଭବ ତା’ର ଜିନ୍ ଭାଗ ଡିମ୍ବାଣୁ ପାଖରେ ପହଞ୍ଚାଇ ଦେବା। ଯେହେତୁ ଶୁକ୍ରାଣୁର ଆକାର ଅତ୍ୟନ୍ତ କ୍ଷୁଦ୍ର ହୋଇଥାଏ, ଜଣେ ପୁରୁଷ ପ୍ରତିଦିନ ନିୟୁତ ନିୟୁତ ଶୁକ୍ରାଣୁ ଉତ୍ପନ୍ନ କରିପାରିଥାଏ। ଏହାର ଅର୍ଥ ଜଣେ ପୁରୁଷ ଚାହିଁଲେ ସ୍ବଳ୍ପ ସମୟ ମଧ୍ୟରେ ବହୁସଂଖ୍ୟକ ନାରୀମାନଙ୍କ ମାଧ୍ୟମରେ ବହୁସଂଖ୍ୟକ ସନ୍ତାନ ସୃଷ୍ଟି କରି ପାରିବ। ଏହା କିନ୍ତୁ କେବଳ ଏଇଥି ପାଇଁ ସମ୍ଭବ ହୋଇପାରେ ଯେ ପ୍ରତ୍ୟେକଟି ନୂତନ ଭ୍ରୂଣ ତା’ର ମା’ଠାରୁ ଯଥେଷ୍ଟ ଖାଦ୍ୟ ଭଣ୍ଡାର ପାଇଥାଏ। ଏହି କାରଣରୁ ହିଁ ଜଣେ ନାରୀ ସୃଷ୍ଟି କରିପାରିବା ସର୍ବାଧିକ ସନ୍ତାନ ସଂଖ୍ୟା ଅତ୍ୟନ୍ତ ସୀମିତ ହୋଇଥିବା ବେଳେ, ଜଣେ ପୁରୁଷ ସୃଷ୍ଟି କରିପାରିବା ସନ୍ତାନ ସଂଖ୍ୟା ବସ୍ତୁତଃ ଅସୀମ ହୋଇଥାଏ। ଏଣୁ ଏହା କହିବା ଆଦୌ ଅତିରଞ୍ଜନ ନୁହେଁ ଯେ ନାରୀ ତା’ର ଜୀବନ ସାରା ଯେଉଁ ବିଭିନ୍ନ ପ୍ରକାର ଶୋଷଣର ଶିକାର ହୋଇଥାଏ, ତାହାର ଅୟମାରମ୍ଭ ହୋଇଥାଏ ଏହି ମୂଳ ମୁହୂର୍ତ୍ତରୁ- ଭ୍ରୂଣ ସଞ୍ଚାର ମୁହୂର୍ତ୍ତରୁ।

ଏଥିରୁ ଯେଉଁ କଠୋର ସତ୍ୟର ଆବିର୍ଭାବ ଘଟିଥାଏ, ତାହା ହେଲା, ଏକ ପ୍ରଜାତି ତିଷ୍ଠି ରହିବା ପାଇଁ ନାରୀ ଅତ୍ୟନ୍ତ ମୂଲ୍ୟବାe ହୋଇଥିବା ବେଳେ ପୁରୁଷ ହେଉଛି ନିତାନ୍ତ ମୂଲ୍ୟହୀନ। ଯେହେତୁ ମାତ୍ର ଜଣେ ପୁରୁଷ ଦ୍ବାରା ବହୁସଂଖ୍ୟକ ନାରୀ ଗର୍ଭଧାରଣ କରି ପାରିବେ, ତେଣୁ ଏକ ପ୍ରଜାତିର ଜନସଂଖ୍ୟାରେ ନାରୀ ତୁଳନାରେ ପୁରୁଷ ସଂଖ୍ୟା ବହୁତ କମ୍ ହେଲେ ଚଳିବ। ତେଣୁ ସମ୍ପୃକ୍ତ ପ୍ରଜାତି ପାଇଁ ନାରୀ ଅପରିହାର୍ଯ୍ୟ ହୋଇଥିବା ବେଳେ ପୁରୁଷ ହେଉଛି ପ୍ରାୟ ପରିହାର୍ଯ୍ୟ। ଏହି ଯୁକ୍ତି ସବୁ ପ୍ରଜାତି ପରି ମନୁଷ୍ୟ ପାଇଁ ମଧ୍ୟ ପ୍ରଯୁଜ୍ୟ। ଏହି ଯୁକ୍ତି ସ୍ବାଭାବିକ ଭାବରେ ଯେଉଁ ଭଳି ଜନସଂଖ୍ୟାର ଲିଙ୍ଗ ଅନୁପାତ (ସେକ୍‌ସ ରେସିଓ) ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ, ତାହା ହେଲା ଜନସଂଖ୍ୟାରେ ନାରୀ ସଂଖ୍ୟା ତୁଳନାରେ ପୁରୁଷ ସଂଖ୍ୟା ବହୁତ କମ୍ ହେବା ଉଚିତ।

ପ୍ରକୃତି କିନ୍ତୁ ଜିନ୍‌କୁ ଯେଉଁଭଳି ସ୍ବାର୍ଥପର କରି ଗଢ଼ିଛି, ସେଥିଯୋଗୁଁ ଶେଷରେ ଜନସଂଖ୍ୟାରେ ନାରୀ-ପୁରୁଷ ଅନୁପାତ ଏଭଳି ଅସମତୁଲ ନ ହୋଇ ସମତୁଲ ହେବାର ସମ୍ଭାବନା ଅଧିକ ହୋଇଥାଏ। ଏଭଳି ସମତୁଲ ସମ୍ଭାବନା ପ୍ରତି ଯିଏ ପ୍ରଥମେ ଆମର ଦୃଷ୍ଟି ଆକର୍ଷଣ କରିଥିଲେ, ସେ ହେଉଛନ୍ତି ଆଧୁନିକ ପରିସଂଖ୍ୟାନ ଶାସ୍ତ୍ରର ପ୍ରତିଷ୍ଠାତା ରୂପେ ପ୍ରସିଦ୍ଧ ସାର୍ ରୋନାଲ୍‌ଡ ଫିସର୍। ସେ କହିଥିବା ଭଳି ଲିଙ୍ଗ ଅନୁପାତ କାହିଁକି ୫୦:୫୦  ହେବ, ତାହାର କାରଣ ହେଉଛି ଏଇ ଭଳି। ମନେକର ଏକ ଜନସଂଖ୍ୟାରେ କନ୍ୟା-ଉତ୍ପାଦନକାରୀ ଜିନ୍ ଅତ୍ୟନ୍ତ ସକ୍ରିୟ ହୋଇ ନାରୀ ସଂଖ୍ୟାରେ ବିସ୍ଫୋରଣ ଘଟାଇ ପୁରୁଷ ସଂଖ୍ୟାକୁ ହାତଗଣତି ହେବା ଭଳି ସୀମିତ କରି ତୋଳିଲା। ଏହି କତିପୟ ପୁରୁଷ ପ୍ରାଣପଣେ ଲାଗି ପଡ଼ି ଜନସଂଖ୍ୟାର ପ୍ରଜନନ ହାର ବଜାୟ ରଖିଲେ। ଏବେ ଏହି ସୀମିତ ସଂଖ୍ୟକ ପୁରୁଷମାନଙ୍କର ମାତ୍ର ଅଳ୍ପ କେତେ ହଳ ପିତାମାତାମାନଙ୍କ କଥା ଚିନ୍ତା କରନ୍ତୁ: ସେମାନେ ହେବେ ଜନସଂଖ୍ୟାର ଅଧିକାଂଶ ପିଲାମାନଙ୍କର ପିତାମହ ପିତାମହୀ। ଅପରପକ୍ଷେ କନ୍ୟା ପିତା ମାତା ହଳେ କେବଳ ସୀମିତ ସଂଖ୍ୟକ ପିଲାଙ୍କର ପିତାମହ ପିତାମହୀ ହୋଇପାରିବେ। ଏହି ଧାରା ବଳବତ୍ତର ରହିଲେ ଜନସଂଖ୍ୟାରେ କ୍ରମେ ପୁତ୍ର-ଉତ୍ପାଦନକାରୀ ଜିନ୍‌ର ପ୍ରସାର ବୃଦ୍ଧି ପାଇବ ଓ କନ୍ୟା-ଉତ୍ପାଦନକାରୀ ଜିନ୍‌ର ଉପସ୍ଥିତି ସଂକୁଚିତ ହେବାରେ ଲାଗିବ। ଅବଶେଷରେ ଜନସଂଖ୍ୟାରେ ନାରୀ-ପୁରୁଷ ଅନୁପାତ ୫୦:୫୦ ବା ସମତୁଲ ହୋଇଯିବ।

ଫିସର୍‌ଙ୍କ ଏହି ସମତୁଲ ଅନୁପାତ କିନ୍ତୁ ବଜାୟ ରହିବ କି ନାହିଁ ତାହା ଅନ୍ୟ ଏକ ସାମାଜିକ-ଅର୍ଥନୈତିକ-ମନସ୍ତାତ୍ତ୍ବିକ-ସାଂସ୍କୃତିକ କାରଣ ଉପରେ ନିର୍ଭର କରେ: ପିତାମାତାଙ୍କ ଦ୍ବାରା ସନ୍ତାନ ସନ୍ତତିଙ୍କ ପାଇଁ ସମ୍ବଳ ନିବେଶ (‘ପ୍ୟ‌ାରେଣ୍ଟାଲ୍ ଇନ୍‌ଭେଷ୍ଟମେଣ୍ଟ୍’)। ଯଦି ଏହି ସମ୍ବଳ ନିବେଶରେ ପୁତ୍ର-କନ୍ୟାଙ୍କ ମଧ୍ୟରେ ପାତର ଅନ୍ତର କରାଯାଉଥାଏ, ତେବେ ଲିଙ୍ଗ ଅନୁପାତ ଅସମତୁଲ ହେବାକୁ ବାଧ୍ୟ। ଏକ ସମାଜରେ ଯଦି ପୁତ୍ର ସନ୍ତାନମାନଙ୍କୁ ବହୁତ ଆଦର କରାଯାଇଥାଏ ଏବଂ କନ୍ୟା ସନ୍ତାନମାନଙ୍କ ପ୍ରତି ପ୍ରବଳ ହତାଦର ପ୍ରଦର୍ଶନ କରାଯାଇଥାଏ, ତେବେ ଜନସଂଖ୍ୟାରେ ଲିଙ୍ଗ ଅନୁପାତ ତଥା ଜନ୍ମ ସମୟରେ ଲିଙ୍ଗ ଅନୁପାତ ନିଶ୍ଚିତ ରୂପେ ପୁରୁଷମାନଙ୍କ ସପକ୍ଷରେ ଯିବ।

କୌଣସି ସମାଜରେ ଯଦି ଲିଙ୍ଗ ଅନୁପାତ କ୍ରମାଗତ ଭାବରେ ନାରୀମାନଙ୍କ ପାଇଁ ପ୍ରତିକୂଳ ହୋଇଥାଏ, ତାହାର ଭୟାନକ କ୍ଷତିକାରକ ପ୍ରଭାବମାନ ସୁବିଦିତ। ସେଇ କାରଣରୁ ଉଭୟ ଭାରତରେ ଓ ରାଜ୍ୟରେ ଦେଖାଯାଇ ଆସିଥିବା ପ୍ରତିକୂଳ ଲିଙ୍ଗ ଅନୁପାତ ଆମ ପାଇଁ ସର୍ବଦା ଚିନ୍ତାର ବିଷୟ ହୋଇ ଆସିଛି ଓ ସେଥିରେ ସୁଧାର ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ମାନ ନିଆହୋଇ ଆସିଛି- ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିରୂପଣ ନିଷେଧ କରାଯିବା ଠାରୁ ଆରମ୍ଭ କରି ‘ବେଟୀ ବଚାଓ ବେଟୀ ପଢ଼ାଓ’ ଆଦି ଭଳି ଯୋଜନାମାନ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ।

ଏହି ପୃଷ୍ଠଭୂମିରେ ନିକଟରେ ପ୍ରକାଶିତ ଏ ସଂକ୍ରାନ୍ତ ଏକ ରିପୋର୍ଟରୁ ଯେଉଁ ଚିତ୍ର ଦେଖିବାକୁ ମିଳିଛି, ତାହା ଆମକୁ ଏକ ମିଶ୍ର ସନ୍ଦେଶ ଦେଇଥାଏ ବୋଲି କହିବା ବୋଧହୁଏ ଠିକ୍ ହେବ। ଫିସର୍‌ଙ୍କ ନିୟମ ଅନୁସାରେ ପ୍ରାକୃତିକ ଲିଙ୍ଗ ଅନୁପାତ ୫୦:୫୦ ହୋଇଥିଲେ ହେଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆକଳନ ଅନୁସାରେ ଜନ୍ମ ସମୟର ପ୍ରାକୃତିକ ଲିଙ୍ଗ ଅନୁପାତ  (‘ଏସ୍‌ଆର୍‌ବି’) ହେଉଛି ପ୍ରତି ୧,୦୦୦ ପୁତ୍ର ସନ୍ତାନ ପିଛା ୯୫୨ କନ୍ୟା ସନ୍ତାନ। ସଦ୍ୟ ପ୍ରକାଶିତ ୨୦୧୯ ପାଇଁ ‘ସିଭିଲ୍ ରେଜିଷ୍ଟ୍ରେସନ୍ ସିଷ୍ଟମ୍’ (‘ସିଆର୍‌ଏସ୍’) ବାର୍ଷିକ ରିପୋର୍ଟ ଅନୁସାରେ ଦେଶର ମାତ୍ର ଛ’ଟି ରାଜ୍ୟରେ ‘ଏସ୍‌ଆର୍‌ବି’ ୯୫୨ ଉପରେ ଅଛି- ଏମାନଙ୍କ ମଧ୍ୟରୁ ତିନିଗୋଟି ହେଉଛନ୍ତି ଅଧିକ ଲିଙ୍ଗ ସଚେତନ ରୂପେ ଜଣାଶୁଣା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ। ସାଧାରଣତଃ ବିଶ୍ବାସ କରାଯାଇଥାଏ ଯେ ଆଦିବାସୀ ସମାଜରେ ଲିଙ୍ଗଗତ ପାତର ଅନ୍ତର କମ୍ ଦେଖାଯାଇଥାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ଆଦିବାସୀବହୁଳ ରାଜ୍ୟ ଛତିଶଗଡ଼ରେ ‘ଏସ୍‌ଆର୍‌ବି’ରେ ସର୍ବାଧିକ ସ୍ଖଳନ ଘଟିବା ଦେଖାଯାଇଛି- ୨୦୧୭ରେ ତାହା ୯୬୮ ଥିବା ବେଳେ ୨୦୧୯ରେ ଖସି ଆସିଛି ୯୩୧କୁ। ସନ୍ତୋଷର କଥା ଏହି ସମୟ ମଧ୍ୟରେ ଓଡ଼ିଶାରେ ‘ଏସ୍‌ଆର୍‌ବି’ ୯୩୦ରୁ ବୃଦ୍ଧି ପାଇ ୯୪୭ ହୋଇଥିଲେ ହେଁ, ଏହା ତଥାପି ବିଶ୍ବ ବ୍ୟାଙ୍କ୍ ସୂଚିତ ଅନୁପାତର ତଳେ ରହିଛି।

ମୋଟ ଉପରେ ‘ସିଆର୍‌ଏସ୍’ ରିପୋର୍ଟରୁ ଯେଉଁ ଚିତ୍ର ମିଳୁଛି, ସ୍ବାଧୀନତାର ପ୍ରାୟ ୭୫ ବର୍ଷ ପରେ ମଧ୍ୟ ଏ ଦେଶରେ ନାରୀମାନେ ତଥାପି ସେଇଭଳି ପାତର ଅନ୍ତରର ସମ୍ମୁଖୀନ ହୋଇଚାଲିଛନ୍ତି, ଯେଉଁଭଳି ଭ୍ରୂଣ ସଞ୍ଚାର ସମୟରୁ ଆରମ୍ଭ ହୋଇଥାଏ। ଏହି ଚିରନ୍ତନ ଲିଙ୍ଗ-ଲଢ଼େଇର ଫଳାଫଳ ତଥାପି ନାରୀ ପାଇଁ ଅନୁକୂଳ ହୋଇ ନାହିଁ।

ସମ୍ବନ୍ଧିତ ଖବର