ପଦାର୍ଥ ବିଜ୍ଞାନର ଯାଦୁକର ରୂପେ ପରିଚିତ ବି˚ଶ ଶତାବ୍ଦୀର ଅନ୍ୟତମ ମହାନ ପଦାର୍ଥ ବିଜ୍ଞାନୀ ତଥା ‘ମାନ୍ହାଟାନ୍ ପ୍ରୋଜେକ୍ଟ’ ନାମକ ପ୍ରଥମ ପରମାଣୁ ବୋମା ନିର୍ମାଣ ଟିମ୍ର ବିଚକ୍ଷଣ ଯୁବ ସଦସ୍ୟ ରିଚାର୍ଡ ଫେନ୍ମ୍ୟାନ୍ ବା ଫାଇନ୍ମ୍ୟାନ୍ ପିଲାଦିନରୁ ଜଣେ ବିରଳ ବାଲ୍ୟ-ପ୍ରତିଭା ରୂପେ ତାଙ୍କର ପରିବାର ଓ ସାଙ୍ଗସାଥୀ ମହଲରେ ଜଣାଣୁଣା ଥିଲେ। ତାଙ୍କର ଅସାଧାରଣ ମେଧା ଓ ସ୍ମରଣ ଶକ୍ତି ଯୋଗୁଁ ଯେ କୌଣସି ଗୋଲକଧନ୍ଦା ବା ପ୍ରହେଳିକାର ତତ୍କ୍ଷଣାତ୍ ସମାଧାନ କରିଦେବାରେ ତାଙ୍କର ପାରଦର୍ଶିତା ତାଙ୍କର ସାଙ୍ଗସାଥୀମାନଙ୍କୁ ଚମତ୍କୃତ କରି ଦେଉଥିଲା। ଯେତେବେଳେ ସ୍ନାତକ ଶିକ୍ଷା ଲାଭ କରିବା ପାଇଁ ସେ କିଶୋର ବୟସରେ ଆମେରିକାର ପ୍ରସିଦ୍ଧ ‘ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’ (‘ଏମ୍ଆଇଟି’)ରେ ପ୍ରବେଶ କଲେ, ତାଙ୍କର ଏହି ପ୍ରହେଳିକା ସମାଧାନ ଦକ୍ଷତା କଥା କୌଣସି ଉପାୟରେ ସେଠାକାର ଛାତ୍ର ସମାଜରେ ପ୍ରଚାରିତ ହୋଇଯାଇଥିଲା।
ସେଠାକାର ପ୍ରଥା ଅନୁସାରେ ସମୟ ସମୟରେ ସା˚ସ୍କୃତିକ ଜୀବନର ଅ˚ଶ ସ୍ବରୂପ ଛାତ୍ରଛାତ୍ରୀମାନଙ୍କୁ ବଲ୍ ଡ୍ୟାନ୍ସ ପରି ସମବେତ ନୃତ୍ୟ କାର୍ଯ୍ୟକ୍ରମରେ ଅ˚ଶ ଗ୍ରହଣ କରିବାକୁ ପଡୁଥିଲା। ଏଇଭଳି ଏକ ନୃତ୍ୟ ସମାବେଶରେ ନବାଗତ ଛାତ୍ର ଫେନ୍ମ୍ୟାନ୍ ତାଙ୍କର ଉପରୋକ୍ତ ଦକ୍ଷତା ସମ୍ପର୍କିତ ଏକ ଅନୁଭୂତିର ଏକ ରୋଚକ ବର୍ଣ୍ଣନା ତାଙ୍କର ସ୍ମୃତି ସମ୍ବଳିତ ଏକ ପୁସ୍ତକର ସ˚କଳୟିତାଙ୍କୁ ପ୍ରଦାନ କରିଥିଲେ।
ଘଟଣାଟି ଥିଲା ଏହିପରି। ନୃତ୍ୟରେ ଅ˚ଶ ଗ୍ରହଣ କରିଥିବା ଜଣେ ବରିଷ୍ଠ ବା ସିନିଅର୍ ଛାତ୍ରଙ୍କର ଯୁବତୀ-ବନ୍ଧୁ ସେଠାରେ ଫେନ୍ମ୍ୟାନ୍ଙ୍କୁ ପରୀକ୍ଷା କରିବା ପାଇଁ ନୃତ୍ୟରେ ପ୍ରତି ଥର ବିରତି ସମୟରେ ଫେନ୍ମ୍ୟାନ୍ଙ୍କ ପାଖକୁ ଆସିଯାଇ ତାଙ୍କୁ ଏକ ପ୍ରହେଳିକା ପଚାରିବାକୁ ଆରମ୍ଭ କରି ଦିଅନ୍ତି। କିନ୍ତୁ ଯେହେତୁ ଫେନ୍ମ୍ୟାନ ପୂର୍ବରୁ ଅସୁମାରି ପ୍ରହେଳିକାମାନ ମନେରଖି ଥାଆନ୍ତି, ସେ ତରୁଣୀଙ୍କ ପାଟିରୁ ପ୍ରଶ୍ନର ପ୍ରଥମ ଧାଡ଼ିଟି ବାହାରୁ ବାହାରୁ ଫେନ୍ମ୍ୟାନ୍ ତା’ର ସମାଧାନ କହିଦେଇ ତାଙ୍କୁ ଚମତ୍କୃତ କରିଦିଅନ୍ତି। ଶେଷରେ ତରୁଣୀ ଜଣକ ଏପରି ଏକ ପ୍ରଶ୍ନ ଧରି ଆସିଲେ ଯାହା ଫେନ୍ମ୍ୟାନ୍ଙ୍କୁ ଧରାଶାୟୀ କରିବ ବୋଲି ସେ ଦୃଢ଼ ନିଶ୍ଚିତ ଥିଲେ। ତରୁଣୀ ପଚାରିବାକୁ ଆରମ୍ଭ କଲେ: ‘‘ଜଣେ ମା’ ଓ ଝିଅ ୟୁରୋପ ଭ୍ରମଣରେ ବାହାରି ଯା’ନ୍ତି....’’। ତାଙ୍କ ପାଟିରୁ ଏତିକି ବାହାରିବା ବେଳକୁ ଫେନ୍ମ୍ୟାନ୍ଙ୍କ ପାଟିରୁ ଉତ୍ତର ବାହାରି ପଡ଼ିଲା: ‘‘ଝିଅକୁ ବ୍ୟୁବୋନିକ୍ ପ୍ଲେଗ୍ ହୋଇଗଲା’’। ପ୍ରଶ୍ନକର୍ତ୍ତ୍ରୀ ସେଇଠି ଅବଶ ହୋଇ ଲଥ୍ କରି ତଳେ ବସି ପଡ଼ିଲେ। କାରଣ ଉତ୍ତର ଠିକ୍ ଥିଲା, କିନ୍ତୁ ପ୍ରଶ୍ନର ମାତ୍ର ଏତିକି ଅ˚ଶରୁ ଫେନ୍ମ୍ୟାନ୍ କିପରି ଠିକ୍ ଉତ୍ତରର ସୁରାକ ପାଇଲେ, ତାହା ତରୁଣୀଙ୍କୁ ହତବାକ୍ କରି ଦେଇଥିଲା।
ଫେନ୍ମ୍ୟାନ୍ ଅବଶ୍ୟ କାହାଣୀଟି ପୂର୍ବରୁ ଶୁଣିଥିଲେ ବୋଲି ତାଙ୍କର ସ୍ମୃତି-ସ˚କଳୟିତାଙ୍କ ନିକଟରେ ପ୍ରକାଶ କରିଥିଲେ। ଚତୁର୍ଦ୍ଦଶ ଶତାବ୍ଦୀର ମଧୢଭାଗରେ ସମଗ୍ର ୟୁରୋପକୁ କବଳିତ କରିଥିବା ‘ବ୍ଲାକ୍ ଡେଥ୍’ ନାମକ ‘ବ୍ୟୁବୋନିକ୍ ପ୍ଲେଗ୍’ ମହାମାରୀ (ପ୍ରାୟ ଅଢ଼େଇ କୋଟି ଲୋକ ପ୍ରାଣ ହରାଇ ଥିଲେ) ସେତେବେଳେ ସେଇଭଳି ଭୟ ଓ ଆତଙ୍କ ଖେଳାଇ ଦେଇଥିଲା, ଯେଉଁ ଭଳି ବିଗତ ବର୍ଷାଧିକ କାଳ ଧରି ଚୀନା କରୋନା ଜନିତ କୋଭିଡ୍-୧୯ କରିବା ଆମେ ଅଙ୍ଗେ ନିଭାଇ ଚାଲିଛୁ। କାହାଣୀଟିରେ ଉକ୍ତ ମା’ ଓ ଝିଅ ଆସି ପ୍ୟାରିସ୍ ନଗରୀର ଏକ ହୋଟେଲ୍ରେ ପହଞ୍ଚନ୍ତି ଓ ଦୁଇଟି ଅଲଗା ଅଲଗା କୋଠରି ନେଇ ରାତ୍ରିଯାପନ କରନ୍ତି। ମା’ ସକାଳେ ଉଠି ଝିଅ କୋଠରିକୁ ଆସି ଦେଖନ୍ତି ତ କୋଠରି ବାହାରେ ତାଲା ଝୁଲୁଛି ଓ ଝିଅର ଚିହ୍ନବର୍ଣ୍ଣ ନାହିଁ। ହୋଟେଲ୍ର ରେଜିଷ୍ଟର୍ରେ ମଧୢ ମା’ଙ୍କ ନାମ ଅଛି, କିନ୍ତୁ ଝିଅର ନାମ ଗନ୍ଧ ନାହିଁ। ଏଭଳି ଅଲୌକିକ ମନେ ହେଉଥିବା କାଣ୍ତ ପଛରେ ଯେଉଁ କାରଣ ନିହିତ ଥିଲା, ତାହା ହେଲା, ରାତିରେ ଝିଅଟି ଠାରେ ବ୍ୟୁବୋନିକ୍ ପ୍ଲେଗ୍ର ଲକ୍ଷଣ ପ୍ରକାଶ ପାଇଛି ଓ ହୋଟେଲ୍ କର୍ତ୍ତୃପକ୍ଷ ଗୋପନରେ ଝିଅଟିକୁ ସ୍ଥାନାନ୍ତରିତ କରି ଦେଇ ରାତି ସାରା ଲାଗି ହୋଟେଲ୍ର ରେକର୍ଡପତ୍ର ବଦଳାଇ ଦେଇଛନ୍ତି, ସତେ ଯେମିତି ଝିଅଟି ସେ ହୋଟେଲ୍ରେ ଆଦୌ ପ୍ରବେଶ ହିଁ କରିନଥିଲା।
ପୂରା କାହାଣୀଟି ଅବଶ୍ୟ ଲମ୍ବା, କିନ୍ତୁ ଏଠାରେ ଯାହା ପ୍ରାସଙ୍ଗିକ, ତାହା ହେଲା, ବଦନାମ ହେବା ଭୟରେ ହୋଟେଲ୍ର ପରିଚାଳକ ଏଭଳି ଏକ ନାଟକୀୟ ପଦକ୍ଷେପ ନେଇଥିଲେ। ତୀବ୍ର ଭାବରେ ସ˚କ୍ରାମକ ବ୍ୟୁବୋନିକ୍ ପ୍ଲେଗ୍ଗ୍ରସ୍ତ ରୋଗୀ ହୋଟେଲ୍ରେ ପ୍ରବେଶ କରିଥିବା ଜଣାପଡ଼ିଲେ ଆଉ କୌଣସି ଗ୍ରାହକ ହୋଟେଲ୍ର ଦ୍ବାର ମାଡ଼ିବା ଦୂରେ ଥାଉ, ହୋଟେଲ୍ର ପାଖଆଖକୁ ମଧୢ ଆସନ୍ତେ ନାହିଁ। ବ୍ୟବସାୟ ବୁଡ଼ିଯାଆନ୍ତା। ବର୍ତ୍ତମାନର କରୋନା ସମୟ ଭଳି ସେ ସମୟରେ ମଧୢ ‘ବ୍ଲାକ୍ ଡେଥ୍’ ମହାମାରୀ ଯେଉଁ ବ୍ୟବସାୟକୁ ସର୍ବାଧିକ କ୍ଷତିଗ୍ରସ୍ତ କରିଥିଲା, ତାହା ଥିଲା ପର୍ଯ୍ୟଟନ ଓ ହୋଟେଲ୍ ବ୍ୟବସାୟ। ତେଣୁ ପ୍ୟାରିସ୍ର ସେଇ ହୋଟେଲ୍ର ପରିଚାଳକ ଏପରି ଏକ ଆତ୍ମରକ୍ଷାକାରୀ ପଦକ୍ଷେପ ନେବାରେ ଆଶ୍ଚର୍ଯ୍ୟ ହେବାର କିଛି ନ ଥିଲା, ଯଦିବା କିଶୋର ଫେନ୍ମ୍ୟାନ୍ କାହାଣୀଟି ସହିତ ପରିଚିତ ଥିବା ତାଙ୍କର ପରୀକ୍ଷିକାଙ୍କ ପାଇଁ ଥିଲା ଆଶ୍ଚର୍ଯ୍ୟଜନକ।
ସାରା ପୃଥିବୀ ଭଳି ଭାରତରେ ବର୍ତ୍ତମାନ ହୋଟେଲ୍ ବ୍ୟବସାୟ କୋଭିଡ୍ ଯୋଗୁଁ କିଭଳି ଦୁର୍ଦିନ ଦେଇ ଗତି କରୁଛି, ତାହାର ବର୍ଣ୍ଣନା ଅନାବଶ୍ୟକ। ମାଲିକମାନେ ଲାଭ ପରିବର୍ତ୍ତେ ଋଣ ସାଗରରେ ଉବୁଟୁବୁ ହେଉଛନ୍ତି, କର୍ମଚାରୀମାନେ ହୁଏ’ତ ନିଯୁକ୍ତି ହରାଇ ବେକାର ହୋଇ ଘରେ ବସିଛନ୍ତି ଏବ˚ ହୋଟେଲ୍ର ଅଗଣିତ ଯୋଗାଣକାରୀମାନେ ହାତବାନ୍ଧି ଆୟ ଶୂନ୍ୟ ହୋଇ ବସିଛନ୍ତି। ଏମାନଙ୍କର ପରିବାର ବର୍ଗ ଏଥିଯୋଗୁଁ କିଭଳି ଅଭାବ ଅନଟନ ଦେଇ କାଳ କାଟୁଛନ୍ତି, ତାହା ସହଜେ ଅନୁମେୟ। ଏଭଳି ଘୋର ବିଷାଦଜନକ, ହତାଶାମୟ ପୃଷ୍ଠଭୂମିରେ ପ୍ରକାଶିତ ସମ୍ବାଦ ଅନୁସାରେ ଦେଶରେ କେତେକ ହୋଟେଲ୍ ପରିସ୍ଥିତିର ମୁକାବିଲା ପାଇଁ ଯେଉଁ ଏକ ନୂତନ କୌଶଳ ପ୍ରୟୋଗ କରିବାକୁ ବାହାରିଛନ୍ତି, ତାହା ଫେନ୍ମ୍ୟାନ୍ଙ୍କ ପ୍ରହେଳିକାର ସେଇ ହୋଟେଲ୍ ମ୍ୟାନେଜର୍ ଅବଲମ୍ବନ କରିଥିବା ସେଇ କୌଶଳର ବିପରୀତ ରୂପ ପରିଗ୍ରହଣ କରି ସେ ବ୍ୟବସାୟ ପାଇଁ କ୍ଷୀଣ ହେଉ ପଛକେ, ଏକ ନୂତନ ଆଶାର ଆଲୋକ ସୃଷ୍ଟି କଲା ଭଳି ମନେ ହେଉଛି।
କୌଶଳଟି ଅବଶ୍ୟ ପରିଚାଳନା ଶାସ୍ତ୍ରରେ ସୁପରିଚିତ। ଏହା ହେଲା- କୌଣସି ଏକ ‘ବିପଦ’କୁ ‘ସମ୍ପଦ’ରେ ରୂପାନ୍ତରିତ କରିବା କିମ୍ବା ଅନ୍ୟ ଭାଷାରେ ‘ଅସୁବିଧା’କୁ ‘ସୁବିଧା’ରେ ପରିଣତ କରିବା। ସୂଚନା ଅନୁସାରେ କୋଭିଡ୍ ସ˚କ୍ରମିତ ସ୍ବଚ୍ଛଳ ବର୍ଗଙ୍କ ମଧୢରେ ଥିବା କେତେକଙ୍କ ଚାହିଦା ଚିହ୍ନଟ କରି କେତେକ ହୋଟେଲ୍ ସେମାନଙ୍କ ପାଇଁ ଆରାମପ୍ରଦ ଏକାନ୍ତ ବାସ ବା ‘ଆଇସୋଲେସନ୍’ ସୁବିଧା ଯୋଗାଇ ଦେବା ଆରମ୍ଭ କଲେଣି। ଏଥିପାଇଁ ସେମାନେ ଉପଯୁକ୍ତ ହସ୍ପିଟାଲମାନଙ୍କ ସହିତ ହାତ ମିଳାଇଛନ୍ତି ମଧୢ, ଯେମିତି ଅତିଥିମାନେ ଠିକଣା ସ୍ବାସ୍ଥ୍ୟସେବା ପାଇପାରିବେ। ଅନ୍ୟ କେତେକ ହୋଟେଲ୍ରେ ଆରାମଦାୟକ ରହଣି ସହିତ ଅନୁମୋଦନ ପ୍ରାପ୍ତ କୋଭିଡ୍ ଟିକାଦାନ ପ୍ୟାକେଜ୍ ମଧୢ ଉପଲବ୍ଧ କରାଯିବା ପାଇଁ ଉଦ୍ୟମ ହେଉଛି। ଆଶା କରାଯାଏ ସୋମବାର ଦିନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷିତ ନୂତନ ଟିକା ନୀତି ସହାୟତାରେ ଏଥର ସେମାନଙ୍କର ଏହି ଉଦ୍ୟମ ସଫଳ ହେବ ଏବ˚ ଯେଉଁ କୋଭିଡ୍ ସେମାନଙ୍କର ବ୍ୟବସାୟ ଖାଇଛି ସେଇ କୋଭିଡ୍ ଏଥର ବ୍ୟବସାୟ ଯୋଗାଇବ।