ଅଚାନକ ଲମ୍ଫ

୧୮୯୦ରେ ପ୍ରକାଶିତ ତାଙ୍କର ସର୍ବଶ୍ରେଷ୍ଠ ପୁସ୍ତକ ‘ଦି ପ୍ରିନ୍‌ସିପ୍‌ଲସ ଅଫ୍ ଇକନୋମିକ୍‌ସ’ (‘ଅର୍ଥନୀତିର ତତ୍ତ୍ବ’)ର ପ୍ରଥମ ସଂସ୍କରଣରେ ଊନବିଂଶ ଶତାବ୍ଦୀର ଶ୍ରେଷ୍ଠତମ ତଥା ସର୍ବକାଳୀନ ମହାନ୍ ଅର୍ଥନୀତିଜ୍ଞ ଆଲ୍‌ଫ୍ରେଡ୍ ମାର୍ଶାଲ୍ ଯେଉଁ ଏକ ଲାଟିନ୍ ଉକ୍ତିକୁ ତାଙ୍କ ଶାସ୍ତ୍ରର ଅାଦର୍ଶ ରୂପେ ଛାପିଥିଲେ, ତାହା ହେଲା: ‘ନାଚୁରା ନନ୍ ଫାସିଟ୍ ସାଲ୍‌ଟମ୍’, ଅର୍ଥାତ୍ ‘ପ୍ରକୃତି ହଠାତ୍ ଲମ୍ଫ ପ୍ରଦାନ କରି ନଥାଏ’। ୧୯୨୦ରେ ପ୍ରକାଶିତ ସେଇ ପୁସ୍ତକର ଶେଷ ସଂସ୍କରଣରେ ମଧ୍ୟ ସେଇ ଆଦର୍ଶ ଉକ୍ତି ତା’ର ସ୍ଥାନ ବଜାୟ ରଖିଥିଲା।

ଏଥିରୁ ତେଣୁ ବୁଝା ପଡ଼ିଥାଏ ଯେ ଅର୍ଥନୀତିଜ୍ଞମାନେ ସର୍ବଦା ବିଶ୍ବାସ କରି ଆସିଛନ୍ତି ଯେ ଏକ ଉଦାର ପୁଞ୍ଜିବାଦୀ ଅର୍ଥନୈତିକ ବ୍ୟବସ୍ଥାରେ ଯାହା ସବୁ ପରିବର୍ତ୍ତନ ଘଟିଥାଏ, ତାହା ହେଉଛି ସର୍ବଦା କ୍ରମଶଃ ଏବଂ ଅର୍ଥନୀତିର ସନ୍ତୁଳିତ ଅବସ୍ଥାରେ କିଛି ବ୍ୟତିକ୍ରମ ଦେଖା ଦେଲେ, କ୍ରମେ ଯୋଗାଣ ଓ ଚାହିଦା ପାର୍ଶ୍ବରେ ସଂଶୋଧନ ମାନ ଘଟି ଅର୍ଥନୀତି ପୁଣି ସନ୍ତୁଳିତ ଅବସ୍ଥାକୁ ଫେରି ଆସେ। ଯୋଗାଣ ପାର୍ଶ୍ବରେ ଶ୍ରମ, ପୁଞ୍ଜି, ଭୂମି ଓ ପରିଚାଳନା ଆଦି ଉତ୍ପାଦନର ବିଭିନ୍ନ ସାଧନ ମାନ ମିଳିତ ହୋଇ ଦ୍ରବ୍ୟ ଓ ସେବାର ଉତ୍ପାଦନ ସ୍ରୋତ ସକ୍ରିୟ ରଖନ୍ତି ଓ ଚାହିଦା ପାର୍ଶ୍ବରେ ଖାଉଟିମାନେ ନିଜ ନିଜର ଆୟ ଖର୍ଚ୍ଚ କରି ଉତ୍ପାଦିତ ଦ୍ରବ୍ୟମାନ କ୍ରୟ କରି ନିଅନ୍ତି।

ଯେଉଁ ସବୁ ଦ୍ରବ୍ୟ ପ୍ରତି ଚାହିଦା ବଳିଷ୍ଠ ଥାଏ, ନିବେଶକମାନେ ସେ ସବୁର ଉତ୍ପାଦନରେ ପୁଞ୍ଜିନିବେଶ କରିଥାନ୍ତି। ତେଣୁ ଯେଉଁ ଉଦ୍ୟୋଗମା‌ନ କ୍ରମାଗତ ଭାବରେ ବଜାରରେ ଉତ୍ପାଦନ ଓ ଲାଭ ଅର୍ଜନରେ ଭଲ ପ୍ରଦର୍ଶନ କରିଅାସିଥାନ୍ତି, ସେଇମାନଙ୍କ ପ୍ରତି ନିବେଶକମାନେ ସ୍ବାଭାବିକ ଭାବେ ଅଧିକ ଆକୃଷ୍ଟ ହୋଇଥାନ୍ତି, ସେଇ କମ୍ପାନିମାନଙ୍କର ଅଂଶପତ୍ରର ମୂଲ୍ୟ ସେଆର୍ ବଜାରରେ ଉଚ୍ଚା ‌ରହେ ଓ ସେଇ ଅନୁସାରେ ମୂଲ୍ୟାୟନ ହୋଇ କମ୍ପାନିମାନଙ୍କର ମୂଲ୍ୟ ଉଚ୍ଚା ହୋଇଥାଏ। ଏହି ପ୍ରକାର ବ୍ୟବସ୍ଥା ମାର୍ଶାଲ୍‌ଙ୍କର ‘ନାଚୁରା ନନ୍ ଫାସିଟ୍ ସାଲ୍‌ଟମ୍’ ନିୟମକୁ ବିଶ୍ବସ୍ତ ଭାବରେ ଅନୁସରଣ କରିଥାଏ ବୋଲି କୁହାଯାଇପାରେ। ଏଥିରେ ଅଚାନକ କିଛି ନ ଥାଏ।

ଏହି ନିୟମ ପାଳନ କରି ବିଗତ ଏକଶହ ବର୍ଷରୁ ଅଧିକ କାଳ ଧରି ଭାରତରେ ଇସ୍ପାତ ଶିଳ୍ପର କର୍ଣ୍ଣଧାର ଭୂମିକା ନିର୍ବାହ କରିଆସିଥିବା ତଥା ଦେଶର ସର୍ବବୃହତ୍ ଇସ୍ପାତ ଉତ୍ପାଦନକାରୀର ମର୍ଯ୍ୟାଦା ଉପଭୋଗ କରୁଥିବା ଟାଟା ଷ୍ଟିଲ୍ କମ୍ପାନି ୨୦୨୦-୨୧ ବିତ୍ତ ବର୍ଷର ଶେଷ ଚଉଠରେ ଅର୍ଜନ କରିଥିବା ମୋଟ ଆୟର ପରିମାଣ ଥିଲା ୬,୯୧୬ କୋଟି ଟଙ୍କା ଏବଂ ଏହାର ଅଂଶପତ୍ରର ମୂଲ୍ୟ ଅନୁସାରେ ବଜାରରେ ନିର୍ଣ୍ଣିତ ହୋଇଥିବା ଏହି କମ୍ପାନିର ମୋଟ ମୂଲ୍ୟ ହେଉଛି ୫୨,୦୦୦ କୋଟି ଟଙ୍କା। ଗତ ସପ୍ତାହରେ ସେଇ ସେଆର୍ ବଜାରରେ ଅଚାନକ ଏପରି ଏକ ଘଟଣା ଘଟିବା ଦେଖାଯାଇଛି, ଯାହା ମାର୍ଶାଲ୍‌ଙ୍କର ଉପରୋକ୍ତ ସୁପ୍ରତିଷ୍ଠିତ ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ଏପରି ଏକ ନବଜାତକ କମ୍ପାନିର ବଜାର ମୂଲ୍ୟାୟନ ଏହା ଠାରୁ ଅଧିକ, ୬୦,୦୦୦ କୋଟି ଟଙ୍କା କରି ଦେଇଛି, ଯିଏ ଏ ପର୍ଯ୍ୟନ୍ତ କେବେ ହେଲେ ଟଙ୍କାଟିଏ ବି ଲାଭ କରିନାହିଁ ଏବଂ କେତେ ବର୍ଷ ପରେ ଯାଇ ଲାଭ ଅର୍ଜନ ଆରମ୍ଭ କରିବ, କାହାରିକୁ ଜଣା ନାହିଁ। କମ୍ପାନିଟି ହେଉଛି ଚୀନା କରୋନାଜନିତ ଦୀର୍ଘ ଗୃହବନ୍ଦୀ ଅବସ୍ଥା ଦେଇ କାଳ କାଟୁଥିବା ଭାରତୀୟମାନଙ୍କୁ ଖାଦ୍ୟ ଯୋଗାଇ ଦେଇ ଦେଶର ଅଧିକାଂଶ ସହରରେ ସୁପରିଚିତ ଲାଭ କରିଥିବା ଇଣ୍ଟର୍‌ନେଟ୍ ଖାଦ୍ୟ ବାହକ ପ୍ଲାଟ୍‌ଫର୍ମ ‘ଜୋମାଟୋ’।

ଗତ ବୁଧବାର ଦିନ ଆରମ୍ଭ ହୋଇ ଶୁକ୍ରବାର ଶେଷ ହୋଇଥିବା ‘ଜୋମାଟୋ’ର ପ୍ରାଥମିକ ଅଂଶପତ୍ର ବିକ୍ରି ବା ‘ଆଇପିଓ’ ଅବସରରେ ଏଥି ପ୍ରତି ଚାହିଦା ଏତେ ଅଧିକ ଥିଲା ଯେ ତାହା ଉପଲବ୍‌ଧ ଅଂଶ ପତ୍ରର ୪୦ ଗୁଣରୁ ଅଧିକ ଥିଲା, ଯାହା ଭାରତୀୟ ପୁଞ୍ଜି ବଜାର ଇତିହାସରେ ହେଉଛି ତୃତୀୟ ସର୍ବୋଚ୍ଚ। ଉଲ୍ଲେଖଯୋଗ୍ୟ, ‘ଆଇପିଓ’ ସମାପ୍ତ ହେବା ପରେ ଯେତେବେଳେ ସେଆର ବଜାରରେ ଏହି କମ୍ପାନିର ସେଆର ସବୁର ବିଧିବଦ୍ଧ ଖର୍ଦ୍ଦି ବିକ୍ରି ଆରମ୍ଭ ହୋଇଯିବ, ସେତେବେଳେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ପ୍ରଚାର ଦ୍ବାରା ଆକର୍ଷିତ ହୋଇ ଗ୍ରାହକମାନେ ଯେଉଁଭଳି ‘ଜୋମାଟୋ’ ସେଆର୍ ପାଇଁ ଆହୁରି ଉଚ୍ଚା ମୂଲ୍ୟ ଦେବା ପାଇଁ ଆଗେଇ ଆସିବେ, ତାହା କମ୍ପାନିର ବଜାର ମୂଲ୍ୟରେ ଆହୁରି ବୃଦ୍ଧି ଘଟାଇବା ନିଶ୍ଚିତ।

ଏଥିରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା ଗତାନୁଗତିକ ଅର୍ଥନୈତିକ ଚିନ୍ତାଧାରାକୁ ଓଲଟ ପାଲଟ କରି ନିବେଶକମାନେ ଅତୀତରେ ବା ବର୍ତ୍ତମାନ ସମ୍ପୃକ୍ତ କମ୍ପାନିର ଲାଭ ଅର୍ଜନ ରେକର୍ଡ ଦ୍ବାରା ଆକର୍ଷିତ ହେବା ପରିବର୍ତ୍ତେ ଭବିଷ୍ୟତ୍‌ରେ କମ୍ପାନିର ଲାଭ ଅର୍ଜନ ସମ୍ଭାବନା ଦ୍ବାରା ଅଧିକ ପ୍ରଭାବିତ ହୋଇଛନ୍ତି। ଏଭଳି ଆଚରଣର ବିଜ୍ଞତା ନେଇ ଯେଉଁମାନେ ସନ୍ଦେହ ପ୍ରକାଶ କରନ୍ତି, ସେମାନଙ୍କୁ ‘ଆମାଜନ୍’ ଭଳି ଇଣ୍ଟର୍‌ନେଟ୍ ପ୍ଲାଟ୍‌ଫର୍ମ କମ୍ପାନିମାନଙ୍କର ଉଦାହରଣ ଦିଆଯାଇଥାଏ। ପୃଥିବୀର ସର୍ବଶ୍ରେଷ୍ଠ ଧନୀକଙ୍କୁ ପ୍ରସବ କରିଥିବା ଏହି କମ୍ପାନିର ଅଂଶପତ୍ରର ମୂଲ୍ୟ ହେଉଛି ଆକାଶଛୁଆଁ, କିନ୍ତୁ ବିଗତ ପ୍ରାୟ ୨୫ ବର୍ଷର ଜୀବନ କାଳ ମଧ୍ୟରେ ଏହି କମ୍ପାନି ଏ ପର୍ଯ୍ୟନ୍ତ କେବେ ହେଲେ ଲାଭ ପ୍ରଦର୍ଶନ କରି ପାରି ନାହିଁ। ତେବେ ବ୍ୟବସାୟର ପ୍ରତିଷ୍ଠା ଓ ସମ୍ପ୍ରସାରଣ ପାଇଁ ଆମାଜନ୍ ଯେଉଁ ବିପୁଳ ଅର୍ଥ ବ୍ୟୟ କରି ଚାଲିଛି, ତାହାକୁ ଯଦି ବାଦ୍ ଦିଆଯାଏ, ତେବେ ଆମାଜନ୍‌ର ଲାଭ ବେଶ୍ ଉଚ୍ଚା ଥିବା ଭଳି ପ୍ରତୀୟମାନ ହେବ। ‘ଜୋମାଟୋ’ ଏ ପର୍ଯ୍ୟନ୍ତ ସେପରି ଅବସ୍ଥାରେ ପହଞ୍ଚି ନ ଥିଲେ ବି, ଏଇ ନୂଆ ପିଢ଼ିର ଖେଳାଳି ଯେ ନିବେଶକମାନଙ୍କର ବିଶ୍ବାସଭାଜନ ହୋଇପାରିଛି, ତାହା ତା’ର ସଦ୍ୟ ସମାପ୍ତ ‘ଆଇପିଓ’ରୁ ଶକ୍ତିଶାଳୀ ଢଙ୍ଗରେ ସାବ୍ୟସ୍ତ ହୋଇଛି।

ସମ୍ପଦ ଉତ୍ତରାଧିକାର ଏ ପର୍ଯ୍ୟନ୍ତ ପୁଞ୍ଜିବାଦ ଅର୍ଥନୈତିକ ବ୍ୟବସ୍ଥାର ଏକ ପ୍ରମୁଖ ଅଂଶ ହୋଇ ଆସିଛି। କିନ୍ତୁ ଲକ୍ଷ୍ୟ କରିବା କଥା ‘ଜୋମାଟୋ’ ଭଳି କମ୍ପାନିମାନଙ୍କର ସ୍ଥାପୟିତାମାନଙ୍କୁ ଉତ୍ତରାଧିକାର କିଛି ହେଲେ ସାହାଯ୍ୟ କରିନାହିଁ। ସେମାନଙ୍କର ଏକମାତ୍ର ପାଥେୟ ହେଉଛି ସେମାନଙ୍କର ମେଧା ଓ ଭବିଷ୍ୟ ଦୃଷ୍ଟି। ଏଠାରେ ଯାହା ହେଉଛି ଅସଲ ଚମତ୍କାରିତା, ତାହା ହେଲା ହିସାବୀ ପ୍ରାଣୀ ରୂପେ ପରିଚିତ ନିବେଶକମାନେ ମଞ୍ଚରେ ଅଚାନକ ଆବିର୍ଭୂତ ହେଉଥିବା ଏହି ଅଣ-ମାର୍ଶାଲୀୟ ସମ୍ପଦସ୍ରଷ୍ଟାମାନଙ୍କ ଉପରେ ଏଭଳି ବିଶ୍ବାସ ସ୍ଥାପନ କରିବା। ଆଶା, ରାଷ୍ଟ୍ର ମଧ୍ୟ କେବେ ନିଜର ପ୍ରଭୁତ୍ବ ବିସ୍ତାର କରି ମେଧାର ଏହି ଜୟଯାତ୍ରାରେ ଯେପରି ବାଧା ସୃଷ୍ଟି ନ କରେ।

ସମ୍ବନ୍ଧିତ ଖବର