ପୁଣି ତାଲିବାନ୍‌

୨୦୦୧ ସେପ୍‌ଟେମ୍ବର ୨୬ରେ ଆମେରିକାର ସୈନ୍ୟ ସାମନ୍ତ ଆଫଗାନିସ୍ତାନରେ ପ୍ରବେଶ କଲେ। ତାହାର ଠିକ୍‌ ପନ୍ଦର ଦିନ ତଳେ ନ୍ୟୁୟର୍କ ନଗରୀର ଅନ୍ୟତମ ପ୍ରସିଦ୍ଧ ପ୍ରତୀକ ରୂପେ ପରିଗଣିତ ‘ଵାର୍ଲଡ୍‌ ଟ୍ରେଡ୍‌ ସେଣ୍ଟର‌୍‌’ର ଦ୍ବୈତ ଟାଵାର ଉପରେ ବିମାନ ମାଡ଼ କରି ଓସାମା ବିନ୍‌ ଲାଦେନ୍‌ ନେତୃତ୍ବାଧୀନ ଇସ୍‌ଲାମୀୟ ଆତଙ୍କବାଦୀ ସ˚ଗଠନ ‘ଆଲ୍‌ କାଏଦା’ ତାହାକୁ ବିସ୍ଫୋରଣ ଘଟାଇ ନିଶ୍ଚିହ୍ନ କରିଦେବା ପରେ ପ୍ରତିଶୋଧ ନେବା ପାଇଁ ଆଲ୍‌ କାଏଦା ତଥା ଲାଦେନ୍‌ର ଆଡ୍‌ଡାସ୍ଥଳୀ ଆଫଗାନିସ୍ତାନ ମାଟିରେ ଆମେରିକୀୟ ସୈନ୍ୟମାନଙ୍କର ସେଦିନ ପ୍ରଥମ ବୁଟ୍‌ ପଡ଼ିଥିଲା। ୨୦୨୧ ସେପ୍‌ଟେମ୍ବର ୧୧ ତାରିଖ ଦିନ ମୋଟ ୨୯୯୬ଟି ପ୍ରାଣହାନି ଘଟାଇଥିବା ସେଇ ବର୍ବର ଆକ୍ରମଣର ୨୦ ବର୍ଷ ପୂରଣ ହେବା ଠିକ୍‌ ସେଇ ଦିନ ଆଫ୍‌ଗାନିସ୍ତାନରୁ ଆମେରିକା ତା’ର ଶେଷ ସୈନ୍ୟ ଅପସାରିତ କରି ନେବ ବୋଲି ସେ ଦେଶର ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ କୌଣସି ବିଦେଶୀ ଭୂଇଁରେ ଦୀର୍ଘତମ ସମୟ ପାଇଁ ଲଢେ଼ଇରେ ବ୍ୟାପୃତ ହେବା ଅବସରରେ (ଭିଏତ୍‌ନାମଠାରୁ ମଧୢ ଲମ୍ବା) ଏକ ସମୟରେ ଆମେରିକାର ପ୍ରାୟ ଏକ ଲକ୍ଷରୁ ଅଧିକ ସୈନ୍ୟ ଆଫଗାନିସ୍ତାନରେ ଉପସ୍ଥିତ ରହି ପ୍ରଥମେ, ଆଲ୍‌ କାଏଦା ଓ ପରେ ଅନ୍ୟ ଏକ ଚରମ ପନ୍ଥୀ ଇସଲାମୀୟ ସ˚ଗଠନ ‘ତାଲିବାନ୍‌’ ବିରୋଧରେ ଲଢେ଼ଇ ଚଳାଇଥିଲେ। ସେପ୍‌ଟେମ୍ବର ୧୧ ତାରିଖ ପରେ ସେଇ ସ˚ଖ୍ୟା ଶୂନ୍ୟରେ ପରିଣତ ହେବାକୁ ଯାଉଛି। ବିଦାୟ ବେଳକୁ ଏହି ବିଦେଶୀ ଲଢେ଼ଇରେ ପ୍ରାୟ ୨,୫୦୦ ଆମେରିକୀୟ ସୈନ୍ୟ ଆଫ୍‌ଗାନ୍‌ ମାଟିରେ ପ୍ରାଣ ବଳି ଦେଇ ସାରିଛନ୍ତି।

ପ୍ରାୟ ବାର ବର୍ଷ ତଳୁ ଆଫଗାନିସ୍ତାନ ଆମେରିକୀୟ ସେନା ଦ୍ବାରା ସ୍ଥାପିତ ଅପେକ୍ଷାକୃତ ଶାନ୍ତି ଓ ସ୍ଥିରତା ପରିତ୍ୟାଗ କରି ପୁଣି ଚିରାଚରିତ ହି˚ସା ଓ ନର ସ˚ହାର ମଧୢକୁ ଖସିବାକୁ ଆରମ୍ଭ କରିଥିଲା। ଯେଉଁ ତାଲିବାନ୍‌ ଯୋଦ୍ଧାମାନେ ଆମେରିକୀୟ ସୈନ୍ୟମାନଙ୍କ ଆକ୍ରମଣ ସମ୍ଭାଳି ନ ପାରି ପଳାୟନ କରି ଦୂରଦୂରାନ୍ତ ଗାଁ ଗଣ୍ତାରେ ଆତ୍ମଗୋପନ କରି ରହିଥିଲେ, ସେମାନେ କ୍ରମେ ପୁଣି ଏକାଠି ହୋଇ ଆମେରିକୀୟ ସୈନ୍ୟମାନଙ୍କ ଉପରେ ଆକ୍ରମଣ ରଚନା କରିବା ଆରମ୍ଭ କରିଦେଲେ। ଏଥିରେ ଯେତେ ଅଧିକ ସ˚ଖ୍ୟକ ଆମେରିକୀୟ ସୈନ୍ୟ ପ୍ରାଣ ହରାଇବାକୁ ଲାଗିଲେ, ଆମେରିକା ଭିତରେ ଜନମତ ସେତେ ବିଭାଜିତ ହେବାକୁ ଲାଗିଲା। ତତ୍‌କାଳୀନ ଆମେରିକା ରାଷ୍ଟ୍ରପତି ବାରାକ୍‌ ଓବାମା ଯୁକ୍ତି କରୁଥିଲେ ଯେ ଆଫଗାନିସ୍ତାନର ନିର୍ବାଚିତ ଶାସକମାନେ ସେମାନଙ୍କର ସମସ୍ତ ଦୋଷତ୍ରୁଟି ସତ୍ତ୍ବେ ଜିହାଦୀମାନଙ୍କ ଅପେକ୍ଷା ବହୁ ଅଧିକ ଶ୍ରେୟସ୍କର ଏବ˚ ତେଣୁ ଆମେରିକା ସେମାନଙ୍କୁ ସୁରକ୍ଷା ଓ ସହାୟତା ପ୍ରଦାନ କରିବା ଉଚିତ।

ଓବାମାଙ୍କର ଉପରାଷ୍ଟ୍ରପତି ବାଇଡେନ୍‌ (ବର୍ତ୍ତମାନର ରାଷ୍ଟ୍ରପତି) କିନ୍ତୁ ସେତେବେଳେ ଯେଉଁ ମତ ପୋଷଣ କରିଥିଲେ, ତାହା ହେଲା ଆମେରିକା ଆଫଗାନିସ୍ତାନରୁ ତା’ର ଅଧିକା˚ଶ ସୈନ୍ୟମାନଙ୍କୁ ଫେରାଇ ଆଣିବା ଉଚିତ ଏବ˚ କେବଳ ଏକ କ୍ଷୁଦ୍ର ଆତଙ୍କବାଦ-ବିରୋଧୀ ସୈନ୍ୟ ଦଳ ସେଠାରେ ସ୍ଥାପିତ କରାଯାଇ ପାରେ। ଓବାମା କିନ୍ତୁ ବାଇଡେନ୍‌ଙ୍କ ଉପଦେଶ ପ୍ରତ୍ୟାଖ୍ୟାନ କରି ଆଫଗାନିସ୍ତାନକୁ ଆହୁରି ୧୭,୦୦୦ ଅଧିକ ସୈନ୍ୟ ପଠାଇ ନିର୍ବାଚିତ ଆଫଗାନ ସରକାରଙ୍କୁ ମଜଭୁତ କରିବା ପାଇଁ ଉଦ୍ୟମ କରିଥିଲେ। ବର୍ତ୍ତମାନ ରାଷ୍ଟ୍ରପତି କ୍ଷମତା ଉପଭୋଗ କରୁଥିବା ବାଇଡେନ୍‌ ଏବେ ଏକ ଅନୁରୂପ ଦ୍ବନ୍ଦ୍ବର ସମ୍ମୁଖୀନ। ତାଲିବାନ୍‌ ସେଠାରେ ପୂର୍ବ ଭଳି ସୁଦୃଢ଼ ସ୍ଥିତିରେ ରହିଛି। ଅପରପକ୍ଷେ ଆମେରିକା ଓ ନାଟୋ ସେନାଦ୍ବାରା ଛିଡ଼ା କରାଯାଇଥିବା ଆଫଗାନ ସରକାର ସେଇଭଳି ଟଳଟଳ ଅବସ୍ଥାରେ ରହିଛି। ଏଥର କିନ୍ତୁ ବାଇଡେନ୍‌ଙ୍କ ହାତରେ ଅଛି ଶେଷ ନିଷ୍ପତ୍ତି ନେବାର ଅଧିକାର, ଯାହାକୁ ବ୍ୟବହାର କରି ସେ ସେପ୍‌ଟେମ୍ବର ସୁଦ୍ଧା ଆଫଗାନିସ୍ତାନରେ ଏବେ ରହିଯାଇଥିବା ବାକି ୨,୫୦୦ ସୈନ୍ୟଙ୍କୁ ଘରକୁ ଫେରାଇ ନେବାକୁ ଘୋଷଣା କରିଛନ୍ତି। ମାତ୍ର କେତେ ଜଣ ହାତଗଣତି ସୈନ୍ୟ କାବୁଲ୍‌ଠାରେ ଅବସ୍ଥିତ ଆମେରିକାର ଦୂତାବାସକୁ ଜଗି ରହିବେ ଯାହା। ଆମେରିକାର ସେନାପତିମାନେ ଏଭଳି ସେନା ପ୍ରତ୍ୟାହାରକୁ ବିରୋଧ କରୁଥିଲେ ମଧୢ ବାଇଡେନ୍‌ ନିଜର ନିଷ୍ପତ୍ତିରେ ଅଟଳ ରହିଛନ୍ତି।

ନିର୍ବାଚନ ପ୍ରଚାର ସମୟରେ ବାଇଡେନ୍‌ ଆମେରିକାର ‘ଚିରନ୍ତନ ଯୁଦ୍ଧ’ରେ ଅନ୍ତ ଘଟାଇବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଏହି ନିଷ୍ପତ୍ତି ଦ୍ବାରା ତାହା ପୂରଣ କରିଛନ୍ତି ବୋଲି କୁହାଯାଇପାରେ। ତେବେ ଯୁକ୍ତିଯୁକ୍ତ ଭାବରେ ଦେଖିଲେ, ବାଇଡେନଙ୍କର ଏହି ପଦକ୍ଷେପ ଅଯୌକ୍ତିକ ମନେହୁଏ। ଏମିତିରେ ଆଫଗାନିସ୍ତାନରେ ଥିବା ଆମେରିକୀୟ ସୈନ୍ୟ ସ˚ଖ୍ୟା ଅତ୍ୟନ୍ତ ନଗଣ୍ୟ ଥିଲା। ବିଗତ ବର୍ଷେରୁ ଅଧିକ କାଳ ମଧୢରେ ସେଠାରେ ଲଢେ଼ଇରେ ଜଣେ ହେଲେ ମଧୢ ଆମେରିକୀୟ ସୈନ୍ୟ ପ୍ରାଣ ହରାଇ ନାହିଁ। ଆଫଗାନିସ୍ତାନରେ ଏକ କ୍ଷୁଦ୍ର ସୈନ୍ୟ ଦଳ ମୁତୟନ କରି ରଖିବା ପାଇଁ ଆମେରିକୀୟ କରଦାତାଙ୍କ ଉପରେ ବିଶେଷ କିଛି ବୋଝ ପଡ଼ି ନଥାଏ। ବର˚ ଯେଉଁ ବହୁ ଅଧିକ ସ˚ଖ୍ୟକ ‘ନାଟୋ’ ସୈନ୍ୟମାନେ ଆଫଗାନ୍‌ ସରକାରୀ ସୈନ୍ୟମାନଙ୍କୁ ତାଲିମ ଦେବାରେ ବ୍ୟାପୃତ ଅଛନ୍ତି, ଆମେରିକୀୟ ସୈନ୍ୟମାନଙ୍କ ଉପସ୍ଥିତି ସେମାନଙ୍କର ସୁରକ୍ଷା ନିଶ୍ଚିତ କରିଥାଏ। ଏବେ ଆମେରିକାର ସୈନ୍ୟମାନେ ନିଜ ଦେଶକୁ ଫେରିଯିବା ପରେ ସେଇ ‘ନାଟୋ’ ସୈନ୍ୟମାନେ ମଧୢ ଆଫଗାନିସ୍ତାନ ଛାଡ଼ି ପଳାଇବା ପ୍ରାୟ ନିଶ୍ଚିତ। ଆଫଗାନିସ୍ତାନ ସରକାରଙ୍କୁ ତାଲିବାନ ଗଧିଆମାନଙ୍କ ମୁହଁକୁ ଏପରି ଅସହାୟ ଭାବରେ ଠେଲି ଦେଇ ପଳାଇବା ଦ୍ବାରା ଆମେରିକା ନିଜ ପ୍ରତି ତା’ର ଅନ୍ୟାନ୍ୟ ମିତ୍ରମାନଙ୍କର ବିଶ୍ବାସ ହରାଇବ।

ଏହା ପରେ ପରେ ତାଲିବାନ ପୁଣି ଆଫଗାନିସ୍ତାନ ଦଖଲ କରିନେବା ନିଶ୍ଚିତ ଏବ˚ ସେଠାରେ ପୁଣି ଏକ ଧର୍ମାନ୍ଧ ମୌଳବାଦୀ ଶାସନ ପ୍ରତିଷ୍ଠା କରିବା ଅବଶ୍ୟମ୍ଭାବୀ। ଭାରତ ପାଇଁ ଏହା ଏକ ନୂତନ ସ˚କଟ ସୃଷ୍ଟି କରିବାକୁ ଯାଉଛି। ବିଗତ ୨୦ ବର୍ଷରେ ଆଫଗାନିସ୍ତାନରେ ଅପେକ୍ଷାକୃତ ଶାନ୍ତି ବିରାଜମାନ କରୁଥିବା ବେଳେ ଭାରତ ସେଠାରେ ବିଭିନ୍ନ ଉନ୍ନୟନମୂଳ କାର୍ଯ୍ୟରେ ସହାୟତା ପ୍ରଦାନ କରି ସେଠାକାର ଜନସାଧାରଣମାନଙ୍କର ଯେତିକି ପ୍ରିୟଭାଜନ ହୋଇଥିଲା, ମୌଳବାଦୀ ତାଲିବାନ୍‌ର ସେତିକି ଅପ୍ରିୟଭାଜନ ହୋଇଥିଲା। ପାକିସ୍ତାନ, ଚୀନ୍‌ ଆଦି ଭାରତର ଶତ୍ରୁମାନେ କିନ୍ତୁ ତାଲିବାନ୍‌ ସହିତ ସୁସମ୍ପର୍କ ରକ୍ଷା କରି ଆସିଛନ୍ତି ଏବ˚ ପାକିସ୍ତାନ ତାଲିବାନର ମୁଖ୍ୟ ଆଶ୍ରୟ ସ୍ଥଳୀରେ ପରିଣତ ହୋଇଛି। ବର୍ତ୍ତମାନ ଆମେରିକାର ପ୍ରସ୍ଥାନ ପରେ ଏମାନେ ମିଳିତ ହୋଇ ଭାରତ ପାଇଁ ଯେଉଁ ନୂତନ ବିପଦ ସୃଷ୍ଟି କରିବେ, ବର୍ତ୍ତମାନର ବହୁଚର୍ଚ୍ଚିତ ‘କ୍ବାଡ୍‌’ ତା’ର ମୁକାବିଲା କରିବାରେ ଭାରତକୁ କେତେଦୂର ସାହାଯ୍ୟ କରିବ, ତାହା ନିକଟ ଭବିଷ୍ୟତରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର