ଯଦି କୌଣସି ଏକ ସମ୍ପୂର୍ଣ୍ଣ ରୂପେ ଭାରତୀୟ ପକ୍ଷୀ ତା’ର ପ୍ରଭାବଶାଳୀ ଉପସ୍ଥିତି ଓ ଆଚରଣ ପାଇଁ ସର୍ବୋଚ୍ଚ ମର୍ଯ୍ୟାଦା ପାଇବାକୁ ହକ୍ଦାର, ସେ ହେଉଛି ଖୁବ୍ କମ୍ ଲୋକ ତାକୁ ଦେଖିବାର ସୌଭାଗ୍ୟ ଲାଭ କରିଥିବା ‘ଦି ଗ୍ରେଟ୍ ଇଣ୍ତିଆନ୍ ବଷ୍ଟାର୍ଡ’ ବା ସ˚କ୍ଷେପରେ ‘ଜିଆଇବି’। ତେଣୁ ଗତ ସପ୍ତାହରେ ଭାରତର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଏହାର ସୁରକ୍ଷା ନିମିତ୍ତ ଆଗତ ଏକ ଆବେଦନର ବିଚାର କରି ସେ ସମ୍ବନ୍ଧରେ ଚିନ୍ତା ପ୍ରକଟ କରିବା ଦେଶର ତଥା ପୃଥିବୀର ଏହି ସର୍ବବୃହତ୍ ଉଡ଼ନ୍ତା ବିରଳ ପକ୍ଷୀ ପ୍ରତି ଉପଯୁକ୍ତ ମର୍ଯ୍ୟାଦା ପ୍ରଦର୍ଶନ ବୋଲି କେହି ଯଦି କହେ, ତାହା ଅତିରଞ୍ଜନ ହେବ ନାହିଁ।
ତେବେ ମନେ ରଖିବା କଥା, ‘ଜିଆଇବି’ କିନ୍ତୁ ସର୍ବଦା ଏକ ବିରଳ ପକ୍ଷୀ ନ ଥିଲା। ଦିନ ଥିଲା ଯେତେବେଳେ ପଶ୍ଚିମରେ ସିନ୍ଧୁ ନଦୀଠାରୁ ପୂର୍ବରେ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଏବ˚ ଦକ୍ଷିଣରେ ତାମିଲନାଡୁ ପର୍ଯ୍ୟନ୍ତ ଶୁଷ୍କ ଓ ଅର୍ଦ୍ଧଶୁଷ୍କ ବୁଦୁବୁଦୁକିଆ ତୃଣଭୂମି ଅଞ୍ଚଳମାନଙ୍କରେ ଏମାନଙ୍କୁ ବିଚରଣ କରିବା ଦେଖିବାକୁ ମିଳୁଥିଲା। କିନ୍ତୁ ରେକର୍ଡ ଅନୁସାରେ ୧୮୩୦ ଠାରୁ ଏମାନଙ୍କ ସ˚ଖ୍ୟା ଓ ଇଲାକାରେ ସ˚କୋଚନ ଘଟିବାକୁ ଆରମ୍ଭ କଲା। ୧୯୬୯ରେ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଏହାର ସ˚ଖ୍ୟା ୧,୨୬୦ ଥିବାବେଳେ ୨୦୧୮ରେ ହୋଇଥିବା ଗଣତି ଅନୁସାରେ ଏହି ସ˚ଖ୍ୟା ଖସି ଆସିଥିଲା ଏକ ଲଜ୍ଜାଜନକ ୧୫୦ଟି ମାତ୍ର ପକ୍ଷୀକୁ- ଅର୍ଥାତ୍ ବିଲୟର ଦ୍ବାର ଦେଶ। ୧୯୫୨ରେ ଭାରତରୁ ଚିତାବାଘ ଲୋପ ପାଇଯିବା ଭଳି (କଲରା ପତରିଆ ନୁହେଁ), ଏହି ଗରିମାମୟ ପକ୍ଷୀ ମଧୢ ଏଠାରୁ ତଥା ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବାର ବାସ୍ତବ ସମ୍ଭାବନା ଉପସ୍ଥିତ।
ଖୋଲା ତୃଣଭୂମିରେ ଏହି ପକ୍ଷୀକୁ ଏକୁଟିଆ କିମ୍ବା ଛୋଟିଆ ଦଳରେ ଦେଖିଲେ, ଯେ କେହି ପ୍ରଭାବିତ ନ ହୋଇ ରହିପାରିବ ନାହିଁ। ଏକ ଛୋଟିଆ ଓଟପକ୍ଷୀ ଭଳି ଦେଖାଯାଉଥିବା ‘ଜିଆଇବି’ର ଉଚ୍ଚତା ପ୍ରାୟ ୧୨୦ ସେମି ଏବ˚ ଓଜନ ୧୫ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ ଏବ˚ ଏହାର ଲମ୍ବା ସରୁୁଆ ବେକ ଶେଷରେ ଏକ କୋଣାକୃତି ମସ୍ତକ ଅଗରେ ଏକ ଲମ୍ବା ମୁନିଆ ଥଣ୍ଟ ପ୍ରାୟ ସର୍ବଦା ଆକାଶ ମୁହାଁ ଠାଣି ଅବଲମ୍ବନ କରିଥାଏ। ମୁଣ୍ତ ଓ ବେକର ମୁଖ୍ୟତଃ ଧଳା, ମୁଣ୍ତ ଉପରୁ କପାଳ ପର୍ଯ୍ୟନ୍ତ ଲମ୍ବି ଥିବା ଟୋପିର କଳା, ପିଠି ଉପରି ଭାଗର ମୁଖ୍ୟତଃ ଧୂସର ବାଦାମୀ ଆଦି ମିଶି ଏହାକୁ ଯେଉଁ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଚେହେରାରେ ମଣ୍ତିତ କରିଥାନ୍ତି, ତାହା ଆହୁରି ଗମ୍ଭୀରତର ହୋଇଯାଏ, ଯେତେବେଳେ ପୁରୁଷ ପକ୍ଷୀମାନେ ପାରମ୍ପରିକ ପ୍ରଦର୍ଶନୀ ସ୍ଥଳୀରେ ରୁଣ୍ତ ହୋଇ ନିଜ ନିଜର ଚେହେରା ଓ ଶକ୍ତି ପ୍ରଦର୍ଶନରେ ମାତି ଯାଆନ୍ତି। ପୁରୁଷ ପକ୍ଷୀ ଏହି ସମୟରେ ତା’ର କଣ୍ଠର ଥଳୀକୁ ଅପ୍ରାକୃତିକ ଭାବରେ ଫୁଲାଇ ଏକ ଯୋଗୀ ଥାଳ ଭଳି କରିଦେବା ସହିତ ସେଥିରୁ ଏକ ଗୁରୁଗମ୍ଭୀର ଧ୍ବନି ନିର୍ଗତ କରିଥାଏ। ସେଇ ସମୟରେ ସେ ଲାଞ୍ଜକୁ ଉପରକୁ ଉଠାଇ ଓଲଟାଇ ଦେଇ, ଦୁଇ ଡେଣାକୁ ତଳକୁ ଝୁଲାଇ ଦେଇ ପାଦ ଗଣି ଗଣି ଯେଉଁ ଚାଲି ପକାଇଥାଏ, ତାହା ଦର୍ଶକ ସ୍ମୃତିରେ ଏକ ଦୀର୍ଘସ୍ଥାୟୀ ଛବି ଆଙ୍କି ଦେଇଥାଏ।
ପ୍ରାୟ ଦେଢ଼ ଶତାବ୍ଦୀ ଧରି ଗ୍ରେଟ୍ ଇଣ୍ତିଆନ୍ ବଷ୍ଟାର୍ଡର ସ˚ଖ୍ୟା ହ୍ରାସ ପାଇ ଚାଲିଥିଲେ ହେଁ, ଭାରତୀୟ ଜନମାନସରେ ଏହାର ବିଲୟ ଆସନ୍ନ ବୋଲି ପ୍ରଥମ ଥର ପାଇଁ ଏକ ବ୍ୟାପକ ଆଶଙ୍କା ସୃଷ୍ଟି ହେଲା ୧୯୭୦ ଦଶକରେ, ଯେତେବେଳେ ଦଳେ ଆରବ ଶେଖ୍ ଗାଡ଼ିଘୋଡ଼ା, ଦଳବଳ ସହ ରାଜସ୍ଥାନର ଜୟସାଲ୍ମେର୍ ମରୁ ଅଞ୍ଚଳରେ ଛଞ୍ଚାଣ ଉଡ଼ାଇ ଛୋଟ ପଶୁପକ୍ଷୀ ଶିକାର କରିବା ବାହାନାରେ ପ୍ରବେଶ କରି ବହୁ ସ˚ଖ୍ୟକ ବଷ୍ଟାର୍ଡଙ୍କୁ ବନ୍ଧୁକ ଚଳାଇ ଶିକାର କରି ପକାଇଲେ। ଏହା ବିରୋଧରେ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଯୋଧପୁର ହାଇକୋର୍ଟ ୧୯୭୮ରେ ଛଞ୍ଚାଣ ଦ୍ବାରା ଶିକାର ଉପରେ ଏକ ନିଷେଧାଦେଶ ଜାରି କଲେ- ଉଦ୍ଦେଶ୍ୟ, ସେ ବାହାନାରେ ଆରବ ଶେଖ୍ମାନେ ଯେମିତି ଜୟସାଲ୍ମେର୍ ମରୁଭୂମିରେ ପ୍ରବେଶ କରି ‘ଜିଆଇବି’ ଶିକାର କରି ନ ପାରିବେ।
ଅଦାଲତଙ୍କର ଏହି ଆଦେଶକୁ କିନ୍ତୁ ଭଣ୍ତୁର କରିବାକୁ ବାହାରି ପଡ଼ିଲେ ଜୟସାଲ୍ମେର୍ର ପାରମ୍ପରିକ ରାଜା, ଯାହାଙ୍କ ଆଦେଶକୁ ସେ ଅଞ୍ଚଳର ଜନସାଧାରଣ ଅଦାଲତଙ୍କ ନିର୍ଦ୍ଦେଶ ଅପେକ୍ଷା ଅଧିକ ମର୍ଯ୍ୟାଦା ଦେଇଥାନ୍ତି। ରାଜା ଶେଖ୍ମାନଙ୍କ ସପକ୍ଷରେ ଆଭିମୁଖ୍ୟ ଗ୍ରହଣ କଲେ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନ ଥିଲା, କାରଣ ରାଜା ସେଥିପାଇଁ ଧନାଢ଼୍ୟ ଶେଖ୍ମାନଙ୍କ ଠାରୁ ପ୍ରଚୁର ପାରିତୋଷିକ ପାଇଥିଲେ। ସୀମା ଆରପଟେ ‘ଜିଆଇବି’ର ଛୋଟିଆ ସମ୍ପର୍କୀୟ ଭାଇ/ଭଉଣୀ ‘ହୁବାରା ବଷ୍ଟାର୍ଡ’ ଶିକାର ପାଇଁ ଆରବ ଶେଖ୍ମାନଙ୍କୁ ଅନୁମତି ପ୍ରଦାନ ମାଧୢମରେ ପାକିସ୍ତାନ ସରକାର ବିପୁଳ ବୈଦେଶିକ ମୁଦ୍ରା ଅର୍ଜନ କରିଥାଏ, ଯାହା ଜିଆ ଉଲ୍ ହକ୍ ଶାସନ ସମୟରେ ସେ ଦେଶର ଏକ ମୁଖ୍ୟ ବୈଦେଶିକ ମୁଦ୍ରା ଆୟ ସୂତ୍ରରେ ପରିଣତ ହୋଇଥିଲା। ଏହି ସମୟରେ ‘ଗ୍ରେଟ୍ ଇଣ୍ତିଆନ୍ ବଷ୍ଟାର୍ଡ’କୁ ରାଜାଙ୍କ କବଳରୁ ରକ୍ଷା କରିବା ପାଇଁ ଯିଏ ଆଗେଇ ଆସିଥିଲେ, ସେ ହେଉଛନ୍ତି ତତ୍କାଳୀନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ରାଜାଙ୍କ ଠାରେ ଶୁଭ ବୁଦ୍ଧି ଉଦୟ କରାଇବା ପାଇଁ ବାଜପେୟୀ ନିଜେ ଯୋଧପୁର ଆସି ହାଇକୋର୍ଟଙ୍କ ଆଦେଶକୁ ଆନ୍ତରକିତାର ସହ ପାଳନ କରିବା ପାଇଁ ଜୟସାଲ୍ମେର୍ବାସୀଙ୍କୁ ବୁଝାଇବା ଦାୟିତ୍ବ ରାଜାଙ୍କ ଉପରେ ନ୍ୟସ୍ତ କଲେ। ରାଜା ବାଟକୁ ଆସିଲେ। ରାଜସ୍ଥାନରେ ବଷ୍ଟାର୍ଡ ଶିକାର ବନ୍ଦ ହେଲା।
ବର୍ତ୍ତମାନ ଦେଶରେ ଯେତିକି ବଷ୍ଟାର୍ଡ ଅବଶିଷ୍ଟ ଅଛନ୍ତି, ସେମାନଙ୍କ ମଧୢରୁ ଅଧିକା˚ଶ ଅଛନ୍ତି ରାଜସ୍ଥାନରେ, ଏବ˚ ଅଳ୍ପ କେତେକ ଦେଖାଯାଇଥାନ୍ତି ଗୁଜରାଟର କଚ୍ଛ ଅଞ୍ଚଳରେ, ମହାରାଷ୍ଟ୍ରର ସୋଲାପୁର, ଆନ୍ଧ୍ରର କୁର୍ନୁଲ ଓ କର୍ଣ୍ଣାଟକର ବେଲାରି ଅଞ୍ଚଳରେ। ଏହି ହାତଗଣତି ‘ଜିଆଇବି’ମାନେ ବର୍ତ୍ତମାନ ଶିକାରୀ ଶେଖ୍ମାନଙ୍କ ଠାରୁ ସୁରକ୍ଷିତ ଥିଲେ ମଧୢ,ଏକ ନୂତନ ଦାନବର ଶିକାର ହେବା ଆରମ୍ଭ କରିଛନ୍ତି: ପ୍ରଗତି। ପ୍ରଗତି ଦାନବର ମୁଖ୍ୟ ଆହାର ହେଉଛି ବିଦ୍ୟୁତ ଶକ୍ତି। ବଷ୍ଟାର୍ଡର ବିଚରଣ ଇଲାକା ଦେଇ ଟଣା ହୋଇ ଚାଲିଥିବା ଉଚ୍ଚଶକ୍ତି ସମ୍ପନ୍ନ (ହାଇ ଟେନ୍ସନ୍) ବିଦ୍ୟୁତ ତାର ଏହି ବିଶାଳ, ଦୀର୍ଘ ଡେଣା ବିଶିଷ୍ଟ ଉଡ଼ନ୍ତା ପକ୍ଷୀ ପାଇଁ କାଳ ହୋଇଛି। ଭୂମି ଠାରୁ ଅପେକ୍ଷାକୃତ ଅଳ୍ପ ଉଚ୍ଚତାରେ ଏହାର ଉଡ଼ାଣ ମନ୍ଥର କିନ୍ତୁ ସ୍ଥିର ହୋଇଥାଏ ଏବ˚ ଏକା ଥରେ ଏହି ବିଶାଳ ପକ୍ଷୀ ନିଜର ପକ୍ଷ ବିସ୍ତାର କରି ଦୀର୍ଘ ପଥ ଅତିକ୍ରମ କରିପାରେ। ଏଣୁ ଇଏ ବିଦ୍ୟୁତ୍ ତାର ସ˚ସ୍ପର୍ଶରେ ଆସି ସକ୍ ଲାଗି ପ୍ରାଣ ହରାଇବା ଅନିବାର୍ଯ୍ୟ। ଭୂ-ତଳ ତାର ଦ୍ବାରା ବିଦ୍ୟୁତ ଶକ୍ତି ପରିବହନ ପାଇଁ କୋର୍ଟ ପ୍ରସ୍ତାବ ଦେଇଥିଲେ ହେଁ ଏହା ଅସହ୍ୟ ଭାବେ ବ୍ୟୟ ସାପେକ୍ଷ ହେବ ବୋଲି ଶକ୍ତି କମ୍ପାନିମାନେ ଦର୍ଶାଇଛନ୍ତି। ତା’ଛଡ଼ା ହାଇ ଭୋଲ୍ଟେଜ୍ ଲାଇନ୍କୁ ମାଟିି ତଳେ ବିଛାଇବା ସମ୍ଭବ ନୁହେଁ। ଚଢେ଼ଇ ହୁରୁଡ଼ା ଯନ୍ତ୍ର ଖଞ୍ଜିବା ମଧୢ ଅତ୍ୟନ୍ତ ବ୍ୟୟ ସାପେକ୍ଷ ହେବ ବୋଲି କୋର୍ଟଙ୍କୁ ଜଣାଇ ଦିଆହୋଇଛି। କିନ୍ତୁ ପରିବେଶ ସୁରକ୍ଷା ଦିଗରେ ଖର୍ଚ୍ଚ ଯେତେବେଳେ ପ୍ରାଥମିକତା ଲାଭ କରିଛି, ସେତେବେଳେ ‘ଜିଆଇବି’କୁ ବିଲୟରୁ ରକ୍ଷା କରିବା ପାଇଁ କୌଣସି ଖର୍ଚ୍ଚକୁ ଅତ୍ୟଧିକ କହି ଆଡେ଼ଇ ଦେଇ ହେବ ନାହିଁ। ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ ସରକାର ଓ ସମ୍ପୃକ୍ତ କମ୍ପାନିମାନଙ୍କୁ ଏହା ଚେତାଇ ଦେବେ ବୋଲି ଆଶା।