ତୁଣ୍ଡି ଓ ତୁଣ୍ଡ

ଚୀନା କରୋନା ଏଯାବତ୍ ସାରା ପୃଥିବୀରେ ପ୍ରାୟ ଏକ କୋଟି ଲୋକଙ୍କର ପ୍ରାଣ ନେଇ ସାରିଲାଣି। କିନ୍ତୁ କେତେକ କଳା ବାଦଲ ଏକ ରୁପେଲି ଧାର ପ୍ରଦର୍ଶିତ କରୁଥିବା ଭଳି ଏହି କୋଭିଡ୍ ବାଦଲରୁ ମଧ୍ୟ ଏକ କ୍ଷୀଣ ରୁପେଲି ଧାର ଉଙ୍କି ମାରିବା ଦେଖା ଯାଇଛି। ତାହା ହେଲା ଉତ୍ତର ଗୋଲାର୍ଦ୍ଧରେ ଏବେ ଶେଷ ହୋଇ ଆସୁଥିବା ଇନ୍‌ଫ୍ଲୁଏନ୍‌ଜା ବା ସଂକ୍ଷେପରେ ‘ଫ୍ଲୁ’ ଋତୁରେ ଏହି ଶ୍ବାସ ପ୍ରଶ୍ବାସ ସମ୍ପର୍କିତ ମାରାତ୍ମକ ସଂକ୍ରାମକ ରୋଗର ପ୍ରାଦୁର୍ଭାବରେ ଦେଖା ଯାଇଥିବା ଉଲ୍ଲେଖନୀୟ ହ୍ରାସ।

ଉଦାହରଣ ସ୍ବରୂପ ଭାରତରେ ସର୍ବଭାରତୀୟ ଔଷଧ ବିକ୍ରେତା ସଂଘ ‘ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ୍‌ସ ଆଣ୍ଡ୍ ଡ୍ରଗିଷ୍ଟ୍‌ସ’ ସୂତ୍ରରୁ ଗଣମାଧ୍ୟମକୁ ଉପଲବ୍‌ଧ ସୂଚନା ଅନୁସାରେ ଭାରତରେ ୨୦୨୦ର ଫ୍ଲୁ ଋତୁ ତୁଳନାରେ ୨୦୨୧ର ଫ୍ଲୁ ଋତୁରେ ଏହି ସଂକ୍ରାମକ ବ୍ୟାଧିର ଚିକିତ୍ସାରେ ବ୍ୟବହୃତ ଔଷଧପତ୍ର ବିକ୍ରୟରେ ୧୪ ଶତାଂଶ ହ୍ରାସ ଘଟିବା ଦେଖାଯାଇଛି। ଏହାର ଅର୍ଥ ଚଳିତ ବର୍ଷର ଫ୍ଲୁ ଋତୁରେ ସଂକ୍ରମଣ ପ୍ରସାରରେ ଅନୁରୂପ ସଂକୋଚନ ଘଟିଛି। ଆମେରିକା ଭଳି ଉତ୍ତର ଗୋଲାର୍ଦ୍ଧ ଦେଶରେ ତ ଫ୍ଲୁର ଏପରି ପୃଷ୍ଠଭଙ୍ଗ ଆହୁରି ଉଲ୍ଲେଖନୀୟ ହୋଇଛି। ଏପ୍ରିଲ୍ ଶେଷ ସୁଦ୍ଧା ସେ ଦେଶରେ ଏ ବର୍ଷ ଫ୍ଲୁରେ ଆକ୍ରାନ୍ତ ହୋଇ ମୋଟ ୬୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହି ସଂଖ୍ୟା ହେଉଛି ଗତ ବର୍ଷ ସେଠାରେ ଫ୍ଲୁ ଜନିତ ପ୍ରାୟ ୨୪,୦୦୦ ମୃତ୍ୟୁ ସଂଖ୍ୟାର ୪୦ ଭାଗରୁ ଏକ ଭାଗ ମାତ୍ର।

ଫ୍ଲୁର ଉତ୍ପାତରେ ଦେଖାଯାଇଥିବା ଏହି ହ୍ରାସ ପଛରେ ରହିଥିବା ପ୍ରଧାନ କାରଣ ଯେ ହେଉଛି ଜନସାଧାରଣ କୋଭିଡ୍ ବିରୋଧରେ ଅବଲମ୍ବନ କରିଥିବା ବିଭିନ୍ନ ଆଚରଣ ସତର୍କତା, ଏଥିରେ କୌଣସି ସନ୍ଦେହ ନାହିଁ। ଆଉ ଏହି ସମସ୍ତ ବିଭିନ୍ନ ସତର୍କତାମୂଳକ ଆଚରଣମାନଙ୍କ ମଧ୍ୟରୁ ଯେଉଁଟି ହେଉଛି ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଉଛି ‘ମାସ୍କ’ ବା ମୁଖୋସ୍ ପରିଧାନ ଅଭ୍ୟାସ। ମାସ୍କ ପରିଧାନର ଏହି ପାର୍ଶ୍ବ-ସୁଫଳ ଜଣାପଡ଼ିବା ପରେ ବର୍ତ୍ତମାନ ଏକ ପ୍ରଶ୍ନ ଉଙ୍କିମାରିବାକୁ ଆରମ୍ଭ କଲାଣି- କୋଭିଡ୍‌ର ଅବଶେଷରେ ଅବସାନ ଘଟିବା ପରେ ମଧ୍ୟ ମାସ୍କ ମନୁଷ୍ୟର ନିୟମିତ ପରିଧାନର ଅଂଶ ହୋଇ ରହିବା ଉଚିତ କି? ଉପରୋକ୍ତ ବର୍ଣ୍ଣନା ପରେ ଏ ପ୍ରଶ୍ନର ଉତ୍ତର ଏକ ସିଧାସଳଖ ‘ହଁ’ ଭଳି ମନେ ହେଉଥିଲେ ହେଁ, ତାହା ବାସ୍ତବରେ ଏପରି ସିଧାସଳଖ ନୁହେଁ।

ମାସ୍କ ବ୍ୟବହାର ସପକ୍ଷରେ ସ୍ବାଭାବିକ ଭାବରେ ଅନେକ ବଳିଷ୍ଠ ଯୁକ୍ତି ରହିଛି। ଯଦିବା ମୁହଁରେ ତୁଣ୍ଡି ବାନ୍ଧିବା ହେଉଛି ଏକ ଅଡୁଆ ଲାଗୁଥିବା ବ୍ୟବସ୍ଥା, ଏହାକୁ ବ୍ୟକ୍ତିର ଜୀବନଶୈଳୀରେ ଏକ ଗୁରୁତର ଅନୁପ୍ରବେଶକାରୀ ରୂପେ ବିଚାର କରାଯାଇ ପାରିବ ନାହିଁ। ଏହା ମଧ୍ୟ ବ୍ୟୟବହୁଳ ନୁହେଁ। ସର୍ବୋପରି ଏହା ପୂର୍ବେ ସୂଚାଇ ଦିଆଯାଇଥିବା ଭଳି ହେଉଛି ସଂକ୍ରମଣ ବିରୋଧରେ ଏକ ଫଳପ୍ରଦ ସୁରକ୍ଷା ବ୍ୟବସ୍ଥା। ଏହାକୁ ବ୍ୟବହାର କରିବା ଯୋଗୁଁ ମଧ୍ୟ କୌଣସି ଅଭାବିତ ଅଘଟଣ ଘଟିବାର ସମ୍ଭାବନା ନଥାଏ- ଅର୍ଥାତ୍ ଏହା ହେଉଛି ନିରାପଦ। କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣରେ ମାସ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ଆମେରିକାର ଶୀର୍ଷ ସଂକ୍ରାମକ ବ୍ୟାଧି ନିୟନ୍ତ୍ରଣ ଓ ନିରାକରଣ ସଂସ୍ଥା ‘ସିଡିସି’ ପ୍ରଦାନ କରିଥିବା ଏକ ସୂଚନା ମାସ୍କ ପିନ୍ଧିବା ସପକ୍ଷରେ ଏକ ବଳିଷ୍ଠ ପ୍ରମାଣ ରୂପେ ଆବିର୍ଭୂତ ହୋଇଥାଏ। ଏହି ସୂଚନା ଅନୁସାରେ ଆମେରିକାରେ ଯେଉଁ ଯେଉଁ ଅଞ୍ଚଳରେ କର୍ତ୍ତୃପକ୍ଷ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିଲେ, ସେଠାରେ ୨୦ ଦିନ ମଧ୍ୟରେ କୋଭିଡ୍ କେସ୍ ସଂଖ୍ୟା ଓ କୋଭିଡ୍‌ ଜନିତ ମୃତ୍ୟୁ ସ˚ଖ୍ୟାରେ ହ୍ରାସ ଘଟିବା ଦେଖାଯାଇଥିଲା।

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକମତ ଯେ ଏକ ସ˚କ୍ରାମକ ମହାମାରୀ ସମୟରେ ସ˚କ୍ରମଣକୁ ରୋକିବାରେ ମାସ୍କ ସହାୟକ ହେବାର କାରଣ ହେଉଛି, ସେଗୁଡ଼ିକ ସ˚କ୍ରମଣର ‘ଉତ୍ସ-ନିୟନ୍ତ୍ରକ’ ରୂପେ କାର୍ଯ୍ୟ କରିଥାନ୍ତି। ମାସ୍କ ପିନ୍ଧିଥିବା ଜଣେ ସ˚କ୍ରମିତ ବ୍ୟକ୍ତି ବାୟୁମଣ୍ତଳକୁ ନିଜର ନିଃଶ୍ବାସ ବା କାଶ ମାଧୢମରେ ଯଥେଷ୍ଟ ପରିମାଣର ସ˚କ୍ରାମକ କଣିକା ଛାଡ଼ି ପାରେ ନାହିଁ- ତେଣୁ କୁହାଯାଇପାରେ ସୁସ୍ଥ ଲୋକ ଶ୍ବାସକ୍ରିୟା ପାଇଁ ବ୍ୟବହାର କରୁଥିବା ବାୟୁ ସୀମା ମଧୢରେ ଭୂତାଣୁ ପ୍ରବେଶ କରିପାରେ ନାହିଁ। ଯେହେତୁ କୌଣସି ଲକ୍ଷଣ ନ ଥିବା ସ˚କ୍ରମିତ ବ୍ୟକ୍ତିମାନେ ମଧୢ ନିଜର ଶ୍ବାସ ପ୍ରଶ୍ବାସ ଆଦି ମାଧୢମରେ ସୁସ୍ଥ ଲୋକଙ୍କୁ ସ˚କ୍ରମିତ କରି ପାରନ୍ତି, ତେଣୁ ଏକ ଗୋଷ୍ଠୀକୁ ସ˚କ୍ରମଣମୁକ୍ତ ରଖିବାକୁ ହେଲେ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ମାସ୍କ ପିନ୍ଧିବା ବେଶ୍‌ ସହାୟକ ହୋଇଥାଏ।

ବିଶେଷଜ୍ଞମାନେ କିନ୍ତୁ ଏହାର ବିପରୀତ ପ୍ରଭାବର ଫଳପ୍ରଦତା ନେଇ ସନ୍ଦେହ ପ୍ରକାଶ କରିଥାନ୍ତି- ଅର୍ଥାତ୍‌ ମାସ୍କ ଯେ ସୁସ୍ଥ ବ୍ୟକ୍ତିକୁ ଭୂତାଣୁ ଦ୍ବାରା ସ˚କ୍ରମିତ ହେବାରୁ ରକ୍ଷା କରିଥାଏ, ଏ ନେଇ ସେମାନେ ସନ୍ଦିହାନ। ସେମାନେ ଜାଣନ୍ତି ଯେ ଉଭୟ କପଡ଼ା ତିଆରି ମାସ୍କ ଓ ସର୍ଜିକାଲ ମାସ୍କ ଉତ୍ସ-ନିୟନ୍ତ୍ରଣ କରିବାରେ ଯେଉଁଭଳି ଫଳପ୍ରଦ ହୋଇଥାନ୍ତି, ବାୟୁମଣ୍ତଳରେ ଭାସମାନ ଭୂତାଣୁକୁ ଛାଣି ଅଟକାଇ ଦେବାରେ ସେଭଳି ଫଳପ୍ରଦ ହୋଇନଥାନ୍ତି। ଏଣୁ କୋଭିଡ୍‌ ଭଳି ମହାମାରୀ ଥମିଯିବା ପରେ ଜନସାଧାରଣ ମାସ୍କ ପିନ୍ଧିବା ଅବ୍ୟାହତ ରଖିଲେ କିଛି ସୁଫଳ ମିଳିବ ନାହିଁ ବୋଲି ସେମାନଙ୍କ ମତ। ଅପରପକ୍ଷେ ସର୍ବଦା ମାସ୍କ ପିନ୍ଧିବା ଦ୍ବାରା ଆଦୌ ଜୀବାଣୁ ଭୂତାଣୁ ଆଦି ସ˚ସ୍ପର୍ଶରେ ନ ଆସିବାରୁ ବ୍ୟକ୍ତିର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୁଏ ନାହିଁ, ଯାହା ଫଳରେ ସେ ସହଜରେ ସ˚କ୍ରମଣର ଶିକାର ହୋଇଥାଏ। ଯେତେବେଳେ ସମାଜରେ ଅପେକ୍ଷାକୃତ କମ୍‌ ମାରାତ୍ମକ ରୋଗ ପ୍ରସାର ଲାଭ କରୁଥାଏ, ଏହି ଚିନ୍ତାଧାରା ଅନୁସାରେ ସେତେବେଳେ ତେଣୁ ଉତ୍ସ-ନିୟନ୍ତ୍ରଣର ସେଭଳି ଆବଶ୍ୟକତା ନ ଥାଏ, ଯେଉଁଭଳି କୋଭିଡ୍‌ ପରି ମହାମାରୀ ବ୍ୟାପିବା ସମୟରେ ଆବଶ୍ୟକ ହୋଇଥାଏ।

ତା’ଛଡ଼ା ମାସ୍କ ବ୍ୟବହାରର ଅନ୍ୟ କେତେକ ଅବିଗୁଣ ପ୍ରତି କରାଯାଉଥିବା ଅଙ୍ଗୁଳି ନିର୍ଦ୍ଦେଶ ମଧୢ ପ୍ରଣିଧାନଯୋଗ୍ୟ। ସମ୍ପୂର୍ଣ୍ଣ ବା ଆ˚ଶିକ ବଧିରମାନେ ଅନ୍ୟର କହିବା କଥା ବୁଝିବା ପାଇଁ ତା’ର ଓଷ୍ଠ ସଞ୍ଚାଳନ ଉପରେ ଦୃଷ୍ଟି ନିବଦ୍ଧ କରିଥାନ୍ତି, ଯାହା ମାସ୍କ ସମ୍ପୂର୍ଣ୍ଣ ଘୋଡ଼ାଇ ଦେଇ ସେମାନଙ୍କୁ ଘୋର ଅସୁବିଧାରେ ପକାଇଥାଏ। ଏମିତିରେ ସାଧାରଣ ଲୋକଙ୍କ କ୍ଷେତ୍ରରେ ମଧୢ ଉଭୟ ପକ୍ଷ ମାସ୍କ ପିନ୍ଧିଥିବା ବେଳେ କଥୋପକଥନର ସାବଲୀଳତା ଓ ଫଳପ୍ରଦତା ବ୍ୟାହତ ହୋଇଥାଏ। ଅବଶ୍ୟ ୧୯୧୮-୨୦ ସ୍ପାନିସ୍‌ ଫ୍ଲୁ ପାଣ୍ତେମିକ୍‌ ପରେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ବିଚକ୍ଷଣ ଭାଷା ତତ୍ତ୍ବବିତ୍‌ ସି କେ ଓଗ୍‌ଡେନ୍‌ ମତ ପ୍ରକାଶ କରିବା ଦେଖାଯାଇଥିଲା ଯେ ଏହି ମହାମାରୀର ଅନ୍ତ ଘଟିବା ପରେ ମଧୢ ସମସ୍ତେ ମାସ୍କ ପିନ୍ଧିବା ଅଭ୍ୟାସ ଜାରି ରଖିବା ଉଚିିତ, କାରଣ ମାସ୍କ କଥୋପକଥନର ଦକ୍ଷତା ବୃଦ୍ଧି କରିଥାଏ। ଉଲ୍ଲେଖଯୋଗ୍ୟ ଯେ ଓଗ୍‌ଡେନ୍‌ ଏଭଳି ମତ ପୋଷଣ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ଇ˚ରେଜୀ ଭାଷାର ମୋଟ ଶବ୍ଦ ସ˚ଖ୍ୟାକୁ ସମୁଦାୟ ମାତ୍ର ୮୫୦ଟିରେ ସୀମିତ କରିବା ଉଦ୍ଦେଶ୍ୟରେ ସେ ‘ବେସିକ୍‌’ ନାମକ ଏକ ବିଧିବଦ୍ଧ ପ୍ରକଳ୍ପ ଆରମ୍ଭ କରିଥିଲେ। କମ୍‌ ଶବ୍ଦ ଅର୍ଥ କମ୍‌ କଥା- ଏଣୁ ମାସ୍କ ସେଥିରେ ଅସୁବିଧା ସୃଷ୍ଟି କରିବ ନାହିଁ ବୋଲି ସେ ବୋଧହୁଏ ବିଚାର କରୁଥିଲେ। ଏହା ଅବଶ୍ୟ ଅବାସ୍ତବ। ଦୀର୍ଘକାଳୀନ ମାସ୍କ ବ୍ୟବହାର ମଧୢ ଖୋଦ୍‌ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ- ମୁହଁରେ ବ୍ରଣ ଉଠିବାରୁ ପ୍ରଶ୍ବାସରେ ଯାଇ ମାସ୍କର ସୂକ୍ଷ୍ମ ତନ୍ତୁ ଫୁସ୍‌ଫୁସ୍‌ରେ ପ୍ରବେଶ କରିବା ପର୍ଯ୍ୟନ୍ତ। ତେବେ ଯାହା ମନେ ହୁଏ କୋଭିଡ୍‌ ନିୟନ୍ତ୍ରଣରେ ମାସ୍କର ଫଳପ୍ରଦ ଭୂମିକାର ପ୍ରଭାବ ଯୋଗୁଁ କୋଭିଡ୍‌ ପରେ ମଧୢ ଏ ଅଭ୍ୟାସ ବେଶ୍‌ କିଛିଦିନ ବଳବତ୍ତର ରହିବ ଏବ˚ ଅନ୍ତତଃ ହାଟ ବଜାର, ମେଳା ମହୋତ୍ସବ ଆଦି ବିପଜ୍ଜନକ ସ୍ଥାନମାନଙ୍କରେ ଲୋକମାନେ ମାସ୍କ ଦ୍ବାରା ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରି ଚାଲିବେ।

ସମ୍ବନ୍ଧିତ ଖବର