ଶିକ୍ଷା ଆଲୋଚନା, ଭାରତୀୟ ଭାଷାରେ ବୈଷୟିକ ଶିକ୍ଷା?

ନଳିନୀକାନ୍ତ ଧର

ଆସନ୍ତା ଶିକ୍ଷା ବର୍ଷରୁ ଭାରତରେ ବୈଷୟିକ ଶିକ୍ଷାରେ ସବୁଠାରୁ ଉତ୍କୃଷ୍ଟ ଆଇ.ଆଇ.ଟି. ଓ କେତେକ ପ୍ରମୁଖ ଶିକ୍ଷାନୁଷ୍ଠାନରେ ଭାରତୀୟ ଭାଷାରେ ଶିକ୍ଷାଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପ୍ରଶ୍ନ ଉଠେ ଭାରତୀୟ ଭାଷାରେ ଉଚ୍ଚତର ବୈଷୟିକ ଶିକ୍ଷାଦାନ କେତେ ଦୂର ଯଥାର୍ଥ ଓ ସମୟୋପଯୋଗୀ। ଏଠାରେ ଉଲ୍ଲେଖନୀୟ ଯେ ବୈଷୟିକ ଶିକ୍ଷାର କୌଣସି ଭୌଗୋଳିକ ସୀମା ନାହିଁ। ଏହି ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀମାନେ ମେଧାବୀ। ଏମାନେ ବଡ଼ ବଡ଼ ଉଦ୍ୟୋଗ ଓ ବହୁଦେଶୀୟ କଂପାନିମାନଙ୍କରେ ନିଯୁକ୍ତି ପାଆନ୍ତି। ତେଣୁ ପ୍ରଶ୍ନ ଉଠେ ଯେ ଭାରତୀୟ ଭାଷାରେ ବୈଷୟିକ ଶିକ୍ଷା ଲାଭ କରିଥିବା ଛାତ୍ରଛାତ୍ରୀ ବିଦେଶରେ ନିଯୁକ୍ତି ପାଇପାରିବେ କି?

ସଂପ୍ରତି ଗୁଗୁଲ ବା ମାଇକ୍ରୋସଫ୍‌ଟ ଭଳି ଅନେକ ବିଶ୍ବ ସ୍ତରୀୟ ଉତ୍କୃଷ୍ଟ କଂପାନିର ମୁଖ୍ୟମାନେ ହେଉଛନ୍ତି ଭାରତୀୟ। ଏମାନେ ଭାରତୀୟ ଶିକ୍ଷାନୁଷ୍ଠାନରେ ବୈଷୟିକ ଶିକ୍ଷା ଲାଭ କରିଥିଲେ। ସେମାନେ ଯଦି ଭାରତୀୟ ଭାଷାରେ ଏହି ଶିକ୍ଷା ଲାଭ କରିଥାଆନ୍ତେ, ତେବେ କ’ଣ ଆଜି ଯେଉଁଠି ପହଞ୍ଚିଛନ୍ତି ସେହି ଠାରେ ପହଞ୍ଚି ପାରିଥାଆନ୍ତେ? ଏବେ ଇଂଜିନିଅର୍‌ମାନଙ୍କୁ ମୁଖ୍ୟତଃ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଚାକିରି ମିଳୁଛି। ଏହି କ୍ଷେତ୍ରରେ ୯୦ ପ୍ରତିଶତରୁ ଅଧିକ କାର୍ଯ୍ୟ ବିଦେଶରୁ ପ୍ରାପ୍ତ ହୁଏ। ତେଣୁ ମାତୃଭାଷାରେ ବୈଷୟିକ ଶିକ୍ଷା ଲାଭ କରିଥିବା ଛାତ୍ରଛାତ୍ରୀ ଏଭଳି କ୍ଷେତ୍ର ଲାଗି ଅପ୍ରାସଙ୍ଗିକ ହୋଇପଡ଼ି‌େବ।

ଦ୍ବିତୀୟ‌େର ଭାରତୀୟ ଭାଷାରେ ସାଧାରଣ ବୈଷୟିକ ଜ୍ଞାନ ସମ୍ବଳିତ ପାଠ୍ୟ ପୁସ୍ତକ ପ୍ରାୟତଃ ଲେଖାଯାଇ ନାହିଁ। ତେଣୁ ଭାରତୀୟ ଭାଷାରେ ଉଚ୍ଚତର ଜ୍ଞାନ ସମ୍ବଳିତ ପୁସ୍ତକ ଲେଖାଯିବା ଏକ ଅତ୍ୟନ୍ତ ଅସମ୍ଭବ ବ୍ୟାପାର ହୋଇପଡ଼ିବ। ଏହି ଭାଷାରେ ଶିକ୍ଷାଦାନ କରିବା ପାଇଁ ଶିକ୍ଷକମାନେ ମଧ୍ୟ ଅସଫଳ ରହିବେ, କାରଣ ସେମାନେ ଇଂରେଜୀ ଭାଷାରେ ହିଁ ତାହା ପାଠ କରିଛନ୍ତି। ପୁଣି ଆଉ ଏକ ବଡ଼ ପ୍ରସଙ୍ଗ ହେଲା ଭାରତୀୟ ଭାଷା ବୋଇଲେ ସବୁ ଆଂଚଳିକ ଭାଷା। କିନ୍ତୁ ଆଂଚଳିକ ଭାଷାଗୁଡ଼ିକ ବୈଷୟିକ ଜ୍ଞାନକୁ ରୂପ ଦେବା ଭଳି ଏ‌େତ ସମୃଦ୍ଧ ତ? ଅବଶ୍ୟ ସରକାରଙ୍କର ଯୁକ୍ତି ହେଲା ଆଂଚଳିକ ଭାଷାରେ ଶିକ୍ଷାଦାନ କରାଗଲେ ଇଂରେଜୀରେ ଅଦକ୍ଷ ଛାତ୍ରଛାତ୍ରୀ ବୈଷୟିକ ଜ୍ଞାନ ଲାଭ କରିବାର ସୁଯୋଗ ପାଇବେ। କିନ୍ତୁ ତାହା ସେମାନଙ୍କୁ ଯଦିବା ଜ୍ଞାନ ଦେବ, କିନ୍ତୁ ନିଯୁକ୍ତି ଯୋଗ୍ୟ କରିପାରିବ ନାହିଁ। ବିଗତ ତିନି ଦଶନ୍ଧିରେ ମୁକ୍ତ ଅର୍ଥନୀତି ଓ ଜଗତ୍‌କରଣ ଯୋଗୁଁ ବହୁ-ଦେଶୀୟ କଂପାନିଗୁଡ଼ିକ ନିଯୁକ୍ତିର ମୁଖ୍ୟ କ୍ଷେତ୍ର ପାଲଟିଛନ୍ତିି। ଏଠାରେ ଚାକିରି କରିବା ଲାଗି କେବଳ ସେହିମାନେ ସକ୍ଷମ ହେବେ, ଯେଉଁମାନେ ଇଂରେଜୀରେ ବୈଷୟିକ ଜ୍ଞାନ ଲାଭ କରିଥିବେ।

ଭାରତରେ ଗୋଟିଏ ଅାଂଚଳିକ ଭାଷା ନାହିଁ ବରଂ ହାରାହାରି ୧୫ଟି ଭାଷା ଅଛି। ସବୁ ଭାଷା ସମାନ ଭାବରେ ଉନ୍ନତ ନୁହଁନ୍ତି। ରାଜ୍ୟଗୁଡ଼ିକ ସୀମିତ ଅାଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ଦେଇ ବୈଷୟିକ ଶିକ୍ଷାଦାନ ପାଇଁ କେତେ ଦୂର ସମର୍ଥ ହେବେ ତାହା ମଧ୍ୟ ପ୍ରଶ୍ନବାଚୀ।
ପୃଥିବୀର ବୈଷୟିକ ଜ୍ଞାନ ଭଣ୍ଡାର, ଗବେଷଣା, ନିଯୁକ୍ତି ସବୁ କିଛି ଇଂରେଜୀ ଭାଷା ଉପରେ ନିର୍ଭରଶୀଳ। ତେଣୁ ସରକାର ଏଭଳି ଏକ ଯୋଜନା କରିବା ଦରକାର, ଯାହା ଫଳରେ ସବୁ ଛାତ୍ରଛାତ୍ରୀ (ଗ୍ରାମାଞ୍ଚଳର ମଧ୍ୟ) ଇଂରେଜୀ ଭାଷାରେ ପ୍ରବେଶ ହାସଲ କରିବେ। ମାତୃଭାଷା ସହିତ ଇଂରେଜୀ ଭାଷାରେ ପ୍ରବେଶ ଆସିଗଲେ ଆମ ପିଲାମାନେ କୌଣସି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ପଛରେ ପଡ଼ିବେ ନାହିଁ। ବୈଷୟିକ ଶିକ୍ଷା ଓ ଗବେଷଣାରେ ମଧ୍ୟ ସେମାନେ ବ୍ୟୁତ୍ପତ୍ତି ପ୍ରଦର୍ଶନ କରିପାରିବେ।
ରାଉରକେଲା
ମୋ- ୯୪୩୭୩୪୪୬୫୪

ସମ୍ବନ୍ଧିତ ଖବର