ପଞ୍ଚ ତାରକା

ପୃଥିବୀର ଅନ୍ୟତମ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଆମେରିକାର ‘ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’ (‘ଏମ୍ଆଇଟି’) ର ଖ୍ୟାତନାମା ପଦାର୍ଥ ବିଜ୍ଞାନୀ ମାକ୍‌ସ ଟେଗ୍‌ମାର୍କ‌୍ଙ୍କୁ ହୁଏ’ତ ଭାରତର ତାମିଲନାଡ଼ୁ ନାମକ ରାଜ୍ୟ ସମ୍ବନ୍ଧରେ କିଛି ଜଣା ନଥିବ। କିନ୍ତୁ କେହି ଜଣେ ଯଦି ତାଙ୍କୁ ତାମିଲନାଡ଼ୁର ନବନିର୍ବାଚିତ ସରକାର ଘୋଷଣା କରିଥିବା ଏକ ସଦ୍ୟ ନିଷ୍ପତ୍ତି ସମ୍ବନ୍ଧରେ ଅବଗତ କରାଏ, ତାହା ତାଙ୍କୁ ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟ ଓ ଆମୋଦିତ କରିବ। ନିଷ୍ପତ୍ତିଟି ହେଉଛି ସେ ରାଜ୍ୟ ସରକାର ଗଠନ କରିଥିବା ଏକ ଅର୍ଖ ନୂଆ ଅର୍ଥନୈତିକ ପରାମର୍ଶଦାତା କମିଟି ସମ୍ପର୍କିତ। ଏପରି ଏକ ଅର୍ଥନୈତିକ ପ୍ରସଙ୍ଗର ଜଣେ ଛାମୁହାଁ ପଦାର୍ଥ ବିଜ୍ଞାନୀଙ୍କ ସହିତ ସମ୍ପର୍କ କ’ଣ ହୋଇପାରେ, ଏହା ଅନେକଙ୍କୁ ଆନ୍ଦୋଳିତ କରୁଥାଇ ପାରେ।

ବ୍ୟାପାରଟି ଏଇ ଭଳି। ଟେଗ୍‌ମାର୍କ‌୍ଙ୍କର ବହୁଳ ଆଦୃତ ପୁସ୍ତକ, ‘ଆୱାର୍ ମାଥେମାଟିକାଲ୍ ୟୁନିଭର୍ସ’ (‘ଆମ ଗାଣିତିକ ବିଶ୍ବ’)ରେ ସେ ଏହାର ବର୍ଣ୍ଣନା କରିଛନ୍ତି। ଟେଗ୍‌ମାର୍କ‌୍‌ ଯେତେବେଳେ ସ୍କୁଲ ଶିକ୍ଷା ଶେଷ କରି କଲେଜ ଯିବାକୁ ବାହାରିଲେ, ତାଙ୍କର ଉଦ୍ଦେଶ୍ୟ ନ ଥିଲା ପଦାର୍ଥ ବିଜ୍ଞାନ ଅଧ୍ୟୟନ କରିବା; ଅର୍ଥନୀତିରେ ଶିକ୍ଷା ଲାଭ କରିବା ଥିଲା ତାଙ୍କର ଲକ୍ଷ୍ୟ। କିଶୋର ଟେଗ୍‌ମାର୍କ‌୍‌ ବିଶ୍ବାସ କରୁଥିଲେ ଯେ ଲୋକମାନଙ୍କର ଅର୍ଥନୈତିକ ଆଚରଣରେ ପରିବର୍ତ୍ତନ ଆଣିବା ମାଧ୍ୟମରେ ହିଁ ସମାଜର ଓ ପରିବେଶର ମଙ୍ଗଳ ସାଧନ କରାଯାଇ ପାରିବ। ଏଇ ଉଚ୍ଚାଶା ନେଇ ସେ ସ୍ବିଡେନ୍‌ର ପ୍ରସିଦ୍ଧ ‘ଷ୍ଟକ୍‌ହୋମ୍ ସ୍କୁଲ୍ ଅଫ୍ ଇକୋନୋମିକ୍‌ସ’ରେ ଭର୍ତ୍ତି ହୋଇଗଲେ। କିନ୍ତୁ ଟେଗ୍‌ମାର୍କ‌୍‌ଙ୍କ କହିବା ଅନୁସାରେ ଅବିଳମ୍ବେ ତାଙ୍କର ଏହି ଭ୍ରମ ଧାରଣା ଦୂରୀଭୂତ ହୋଇଗଲା। ସିଏ ଅନୁଭବ କଲେ ଯେ ‘‘ଅର୍ଥନୀତି ହେଉଛି ମୁଖ୍ୟତଃ ଏକ ପ୍ରକାର ବୌଦ୍ଧିକ ବେଶ୍ୟାବୃତ୍ତି ଯେଉଁଥିରେ କ୍ଷମତାଧାରୀମାନେ ଯାହା ଶୁଣିବାକୁ ଚାହାଁନ୍ତି, ତାହା କହିବା ପାଇଁ ତୁମେ ପାରିତୋଷିକ ପାଇ ଥାଅ।’’

ଜଣେ ରାଜନେତା ଯାହା କରିବାକୁ ଚାହାଁନ୍ତି, ସେ ସର୍ବଦା ଏମିତି ଜଣେ ଅର୍ଥନୈତିକ ଉପଦେଷ୍ଟା ପାଇଯିବେ, ଯିଏ ଠିକ୍ ତାହା ହିଁ କରିବା ଉଚିତ ବୋଲି ସର୍ବଦା ଯୁକ୍ତି କରି ଆସିଥିବେ। ଟେଗ୍‌ମାର୍କ‌୍‌ ଏହାର ଉଦାହରଣ ଦେଇ କହିଛନ୍ତି: ରାଷ୍ଟ୍ରପତି ଫ୍ରାଙ୍କ୍‌ଲିନ୍ ଡି. ରୁଜ୍‌ଭେଲ୍‌ଟ ସରକାରୀ ଖର୍ଚ୍ଚରେ ବୃଦ୍ଧି ଘଟାଇବାକୁ ଚାହୁଁଥିଲେ, ତେଣୁ ସେ ଜନ୍ ମେନାର୍ଡ କେନ୍‌ସଙ୍କୁ ଶୁଣିଲେ; ଅପରପକ୍ଷେ ରାଷ୍ଟ୍ରପତି ରୋନାଲ୍‌ଡ ରେଗାନ୍ ସରକାରୀ ଖର୍ଚ୍ଚରେ ହ୍ରାସ ଘଟାଇବାକୁ ଚାହୁଁଥିଲେ, ତେଣୁ ସେ ମିଲ୍‌ଟନ୍ ଫ୍ରିଡ୍‌ମ୍ୟାନ୍‌ଙ୍କୁ ଶୁଣିଲେ। ଅବଶ୍ୟ ସୂଚାଇବା ଅନାବଶ୍ୟକ, ଏହା ପରେ ଟେଗ୍‌ମାର୍କ‌୍‌ ଅର୍ଥନୀତି ଛାଡ଼ି ପଦାର୍ଥବିଜ୍ଞାନ ଅଧ୍ୟୟନ ଦିଗରେ ମୁହାଁଇଲେ।

ଏହି ପୃଷ୍ଠଭୂମିରେ ‌ଟେଗ୍‌ମାର୍କ‌୍‌ଙ୍କୁ ଯାହା ଅଡ଼ୁଆ ଲାଗିବ, ତାହା ହେଲା ତାମିଲନାଡ଼ୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ଘୋଷଣା କରିଥିବା ଅର୍ଥନୈତିକ ପରାମର୍ଶଦାତା କମିଟିର ଗଠନ। ଏହି କମିଟିର ଉଚ୍ଚ ଖ୍ୟାତି ସମ୍ପନ୍ନ ପାଞ୍ଚଜଣ ସଦସ୍ୟ ହେଲେ: ଟେଗ୍‌ମାର୍କ‌୍‌ଙ୍କ ଅନୁଷ୍ଠାନ ‘ଏମ୍‌ଆଇଟି’ର ନୋବେଲ୍ ପୁରସ୍କାରପ୍ରାପ୍ତ ଅର୍ଥନୀତିଜ୍ଞ ଏସ୍‌ଥର୍ ଡଫ୍ଲୋ, ପୂର୍ବତନ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ରଘୁରାମ ରାଜନ୍, ଭାରତ ସରକାରଙ୍କର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍, ୟୁପିଏ ସରକାର ସମୟର ‘ନେସନାଲ୍ ଆଡ୍‌ଭାଇଜରି କାଉନ୍‌ସିଲ୍‌’ର ସଦସ୍ୟ ଥିବା ବିକାଶ ଅର୍ଥନୀତିଜ୍ଞ ଜିନ୍ ଡ୍ରେଜେ ଏବଂ ପୂର୍ବତନ କେନ୍ଦ୍ର ସରକାରଙ୍କର ଅର୍ଥ ସଚିବ ଏସ୍ ନାରାୟଣ। କମିଟିର ଏହି ଗଠନ ଟେଗ୍‌ମାର୍କ‌୍‌ଙ୍କୁ ଗୋଳମାଳିଆ ଲାଗିବ ଏଥିପାଇଁ ଯେ, ଏଥିରୁ ଷ୍ଟାଲିନ୍ ପ୍ରକୃତରେ କ’ଣ ଚାହୁଁଛନ୍ତି, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳୁ ନାହିଁ। ଟେଗ୍‌ମାର୍କ‌ କହିବା ଭଳି କେନ୍‌ସ ସରକାରୀ ଖର୍ଚ୍ଚ ବୃଦ୍ଧିର ଦୃଢ଼ ସମର୍ଥକ ଥିଲେ, ଯାହା ଥିଲା ରୁଜ୍‌ଭେଲ୍‌ଟଙ୍କ ପସନ୍ଦ; ଫ୍ରିଡ୍‌ମ୍ୟାନ୍ ସରକାରୀ ଖର୍ଚ୍ଚ ବୃଦ୍ଧିର ଘୋର ବିରୋଧୀ ଥିଲେ, ଯାହା ରେଗାନ୍‌ଙ୍କ ନୀତି ସହିତ ମେଳ ଖାଉଥିଲା; କିନ୍ତୁ ଏ ପଞ୍ଚ ତାରକାଙ୍କର କେଉଁ ଆଭିମୁଖ୍ୟ ସହିତ ଷ୍ଟାଲିନ୍‌ଙ୍କ ନୀତି ମେଳ ଖାଉଛି?

ଉଦାହରଣ ସ୍ବରୂପ, ଉଭୟ ଡ୍ରେଜେ ଓ ଡଫ୍ଲୋଙ୍କ ଅର୍ଥନୈତିକ ବିକାଶ ଆଭିମୁଖ୍ୟଙ୍କୁ ଅଧିକତର ସରକାରୀ ଖର୍ଚ୍ଚ କୈନ୍ଦ୍ରିକ ବାମପନ୍ଥୀ ଆଭିମୁଖ୍ୟ ରୂପେ ବିଚାର କରାଯାଇଥାଏ। ଉ‌େଲ୍ଲଖଯୋଗ୍ୟ ଡଫ୍ଲୋ ହେଉଛନ୍ତି କଂଗ୍ରେସର ନିର୍ବାଚନ ଇସ୍ତାହାର ଅନ୍ତର୍ଗତ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନା ‘ନ୍ୟାୟ’ର ମାନସ ପିତା ନୋବେଲ୍ ପୁରସ୍କାରପ୍ରାପ୍ତ ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀଙ୍କ ପତ୍ନୀ। ଅରବିନ୍ଦ ସୁବ୍ରମଣ୍ୟନ୍ ବହୁ ଦିନ ଧରି ଜନସଂଖ୍ୟାର ତିନି-ଚତୁର୍ଥାଂଶଙ୍କ ପାଇଁ ଏକ ‘ସାର୍ବଜନୀନ ମୌଳିକ ଆୟ’ (‘ୟୁନିଭର୍ସାଲ୍ ବେସିକ୍ ଇନ୍‌କମ୍’) ଯୋଜନା କାର୍ଯ୍ୟକାରୀ କରାଯିବା ଦାବି କରି ଆସୁଛନ୍ତି। ରଘୁରାମ ରାଜନ୍ କିନ୍ତୁ ହେଉଛନ୍ତି ଜଣେ ବଜାର-ବିଶ୍ବାସୀ ଅର୍ଥନୀତିଜ୍ଞ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ଅତୀତରେ ସେ ଆନ୍ତର୍ଜାତିକ ସ୍ତରରେ ବଜାର ଅର୍ଥନୀତିର ଅନ୍ୟତମ ମୁଖ୍ୟ ପୃଷ୍ଠପୋଷକ ସଂସ୍ଥା ‘ଆଇଏମ୍‌ଏଫ୍‌’ର ମୁଖ୍ୟ ଅର୍ଥନୀତିଜ୍ଞ ପଦ ଅଳଙ୍କୃତ କରିଥିଲେ। (କେତେଦିନ ତଳେ କେରଳର ତୀବ୍ର ବଜାର-ବିରୋଧୀ ବାମପନ୍ଥୀ ସରକାର ଏକ ସମ୍ପୂର୍ଣ୍ଣ ପ୍ରଚାର ସର୍ବସ୍ବ ପଦକ୍ଷେପ ନେଇ ‘ଆଇଏମ୍‌ଏଫ୍‌’ର ବର୍ତ୍ତମାନ ମୁଖ୍ୟ ଅର୍ଥନୀତିଜ୍ଞ ପଦ ମଣ୍ଡନ କରିଥିବା କେରଳ-କନ୍ୟା ଗୀତା ଗୋପୀନାଥଙ୍କୁ ରାଜ୍ୟ ସରକାରଙ୍କର ଅର୍ଥନୈତିକ ଉପଦେଷ୍ଟା ରୂପେ ଦାୟିତ୍ବ ଅର୍ପଣ କରିଥିଲେ। ଏ ପରି ବେଖାପ୍ ବ୍ୟବସ୍ଥାର ଫଳ ଯାହା ହେବା କଥା ହୋଇଛି- ଶୂନ୍ୟ। ମନ୍ତବ୍ୟକାରମାନେ ଏହାକୁ ଏକ ଫାର୍ସ‌୍ ବୋଲି ବିଦ୍ରୂପ କରୁଛନ୍ତି)।

ଉପଦେଷ୍ଟା କମିଟିର ପଞ୍ଚମ ତାରକା ଏସ୍ ନାରାୟଣ ଅବଶ୍ୟ ହେଉଛନ୍ତି ଜଣେ ଦ୍ରାବିଡ଼ବାଦୀ ମଧ୍ୟମପନ୍ଥୀ ପୂର୍ବତନ ଅମଲା ଯାହାଙ୍କୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ଙ୍କ ଯେ କୌଣସି ଇଚ୍ଛା ସହିତ ଖାପ ଖାଇବାକୁ କଷ୍ଟ ହେବ ନାହିଁ। ଅବଶ୍ୟ ଏହି ବିଶିଷ୍ଟ ଅର୍ଥନୀତିଜ୍ଞମାନଙ୍କ ବିଚାରଧାରାରେ ଯଦି କିଛି ତାରତମ୍ୟ ରହିଥାଏ, ତାହା ସେମାନଙ୍କର ରାଜନୈତିକ ଆଭିମୁଖ୍ୟ ଦ୍ବାରା ଯୋଡ଼ି ହୋଇଯିବ: ଏମାନେ ସମସ୍ତେ ହେଉଛନ୍ତି ଜଣାଶୁଣା ଭାବେ ଭାଜପା ଓ ମୋଦୀ-ବିରୋଧୀ ଏବଂ କଂଗ୍ରେସ ସମର୍ଥକ, ଯିଏ ହେଉଛି ରାଜ୍ୟ ସରକାରରେ ଏକ ଅଂଶୀଦାର।

ହୁଏ’ତ ‌ଟେଗ୍‌ମାର୍କ‌୍‌ଙ୍କୁ ଭୁଲ୍ ପ୍ରମାଣିତ କରି ଷ୍ଟାଲିନ୍ ନିଜର ଇଚ୍ଛାକୁ କମିଟି ତୁଣ୍ଡରେ କୁହାଇବାକୁ ନୁହେଁ, ପ୍ରକୃତରେ ଆନ୍ତରିକତାର ସହିତ କମିଟିର ଉପଦେଶ ଶୁଣି ସେ ଅନୁଯାୟୀ ନୀତି ନିର୍ଦ୍ଧାରଣ କରିବା ପାଇଁ ଏଭଳି ଏକ ପଦକ୍ଷେପ ନେଇଛନ୍ତି। ଯଦି ତାହା ହୋଇଥାଏ, ଏହା ଏକ ଶୁଭ ସୂଚନା। କେନ୍ଦ୍ର ହେଉ ବା ରାଜ୍ୟ ହେଉ, ଏକ ଆଧୁନିକ ଅର୍ଥନୀତି ହେଉଛି ଏକ ଅତ୍ୟନ୍ତ ଜଟିଳ ବ୍ୟବସ୍ଥା, ଯାହାର ଟିକିନିଖି ଆଚରଣ ବୁଝିବା ରାଜନୀତିର ଘନଘଟା ମଧ୍ୟରେ ବୁଡ଼ି ରହିଥିବା ଜଣେ ନେତାଙ୍କ ପକ୍ଷରେ କଷ୍ଟକର ହୋଇଥାଏ। ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ବିଶେଷ-ଜ୍ଞାନ ଥିବା ବି‌େଶଷଜ୍ଞମାନଙ୍କ ଠାରୁ ଉପଦେଶ ଗ୍ରହଣ କରି କାର୍ଯ୍ୟ କରିବା ପାଇଁ ଇଚ୍ଛା କରିବା ଜଣେ ନୂତନ ମୁଖ୍ୟମନ୍ତ୍ରୀ ରୂପେ ଷ୍ଟାଲିନ୍‌ଙ୍କର ନିଶ୍ଚିତ ରୂପେ ଏକ ଉତ୍ତମ ବିଚାର। ଯେହେତୁ ତାଙ୍କର ଉଚ୍ଚ ଶିକ୍ଷିତ ବିତ୍ତ ମନ୍ତ୍ରୀ ପିଟିଆର୍ ପାଲାନିଭେଲ୍ ତ୍ୟାଗରାଜନ୍‌ଙ୍କ ସହିତ ଉପଦେଷ୍ଟାମାନେ ଘନିଷ୍ଠ ଭାବରେ ଜଡ଼ିତ ରହି କାର୍ଯ୍ୟ କରିବେ, ଆଶା ସେମାନଙ୍କର ଅମୂଲ୍ୟ ଉପଦେଶ ବାସ୍ତବତାରେ ପରିଣତ ହୋଇ ରାଜ୍ୟବାସୀଙ୍କର ମଙ୍ଗଳ ସାଧନ କରିବ।

ସମ୍ବନ୍ଧିତ ଖବର