ଡିଆଁ-ବୁଢ଼ିଆଣୀ

ସମସ୍ତେ ଜାଣନ୍ତି ବୁଢ଼ିଆଣୀଟିଏ ଜାଲ ବିଛାଇ ଶିକାରକୁ ଧରିଥାଏ। କିନ୍ତୁ ଯାହା ବିଶେଷ ଜଣାଶୁଣା ନୁହେଁ, ତାହା ହେଲା ଏମିତି ବି ଏକ ଶ୍ରେଣୀର ବୁଢ଼ିଆଣୀ ଅଛନ୍ତି ଯେଉଁମାନଙ୍କୁ ଜାଲ ବୁଣିବା କୌଶଳ ଜଣାଥିଲେ ବି ସେମାନେ ଛକି ଛକି ସିଧାସଳଖ ଶିକାର ଉପରକୁ ଲମ୍ଫ ମାରି ତାକୁ କାବୁ କରିଥା’ନ୍ତି। ବୁଢ଼ିଆଣୀ ପ୍ରତି ଆଗ୍ରହ ଥିବା କେହି କେହି ହୁଏ’ତ ବଗିଚାରେ ଏଭଳି ବୁଢ଼ିଆଣୀକୁ ଦେଖିବାକୁ ପାଇଥିବେ। ଏହି ଡିଆଁ-ବୁଢ଼ିଆଣୀମାନଙ୍କର ଲମ୍ଫ ପ୍ରଦାନ କ୍ଷମତା ସମ୍ବନ୍ଧରେ ଏହି ସୂଚନାରୁ ସହଜରେ ଧାରଣା କରି ହେବ- ଇଏ ନିଜ ଶରୀର ଦୈର୍ଘ୍ୟର ପଚାଶ ଗୁଣ ଦୂରତା ଅତିକ୍ରମ କରି ଡିଆଁ ମାରିପାରେ। ଏଥିରୁ ଏକ ଧାରଣା ହେବା ସ୍ବାଭାବିକ ଯେ ଏହି ବୁଢ଼ିଆଣୀର ଗୋଡ଼ର ମାଂସପେଶୀ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିବ। ପ୍ରକୃତ କଥା କିନ୍ତୁ ତାହା ନୁହେଁ। ସେମାନଙ୍କର ଗୋଡ଼ ଉପରେ ନଜର ପକାଇଲେ ସ୍ପଷ୍ଟ ହୋଇଥାଏ ଯେ ଗୋଡ଼ଗୁଡ଼ିକ ପେଶୀ ବହୁଳ ହୋଇ ନଥା’ନ୍ତି। ତା’ହେଲେ ଡିଆଁ-ବୁଢ଼ିଆଣୀଟିଏ ଏତେ ଦୂରକୁ କିପରି ଡେଇଁ ପାରେ? ଏହାର ରହସ୍ୟ ନିହିତ ଥାଏ ତା’ର ଶରୀରର ରକ୍ତଚାପ ନିୟନ୍ତ୍ରଣ କ୍ଷମତାରେ। ଡିଆଁ-ବୁଢ଼ିଆଣୀଟିଏ ତତ୍‌କ୍ଷଣାତ୍ ତା’ର ଗୋଡ଼ମାନଙ୍କରେ ରକ୍ତଚାପରେ ଦ୍ରୁତ ବୃଦ୍ଧି ଘଟାଇ ଦେଇ ପାରିଥାଏ। ରକ୍ତଚାପରେ ଘଟୁଥିବା ଏହି ହଠାତ୍ ବୃଦ୍ଧି ଯୋଗୁଁ ତା’ର ଗୋଡ଼ଗୁଡ଼ିକ ବିଦ୍ୟୁତ୍ ବେଗରେ ସମ୍ପ୍ରସାରିତ ହୋଇ ତା’ର ଶରୀରକୁ ଏକ ରକେଟ୍ ଭଳି ଶୂନ୍ୟରେ ଠେଲି ଦେଇ ଲକ୍ଷସ୍ଥଳୀରେ ପହଞ୍ଚାଇ ଦିଅନ୍ତି ଓ ସେ ଶିକାରକୁ କାବୁ କରି ନିଏ।

୨୦୦୮ ନଭେମ୍ବର ୨୬ ତାରିଖ ଦିନ ନର ପିଶାଚ ଇସ୍‌ଲାମୀୟ ଆତଙ୍କବାଦୀ ମହମ୍ମଦ ଅଜ୍‌ମଲ୍ କସାବ୍ ଉପରେ ଲମ୍ଫ ପ୍ରଦାନ କରି ତାକୁ କାବୁ କରିବାରେ ସଫଳ ହୋଇ ସହିଦ ହୋଇଥିବା ମୁମ୍ବାଇ ପୁଲିସ୍‌ର ଆସିଷ୍ଟାଣ୍ଟ୍ ସବ୍‌ଇନ୍‌ସପେକ୍ଟର୍ ତୁକାରାମ୍ ଓମ୍ବଲେଙ୍କର ଗୋଡ଼ର ମାଂସପେଶୀ ଯେ ଅନ୍ୟ ପୁଲିସ୍‌ମାନଙ୍କର ଗୋଡ଼ର ମାଂସପେଶୀ ଠାରୁ ଭିନ୍ନ ହୋଇଥିବ, ଏପରି ନୁହେଁ; କିନ୍ତୁ ସେଦିନ ଯାହା ନିଶ୍ଚିତ ଘଟିଥିବ, ତାହା ହେଲା ନର ପିଶାଚ କସାବ୍‌କୁ ସମ୍ମୁଖରେ ଦେଖି ଏକ ଡିଆଁ-ବୁଢ଼ିଆଣୀ ପରି ତୁକାରାମଙ୍କ ରକ୍ତଚାପରେ ସୀମାତୀତ ବୃଦ୍ଧି।

ତୁକାରାମ ସେଦିନ ଦକ୍ଷିଣ ମୁମ୍ବାଇର ଚୌପାଟ୍ଟି ଅଞ୍ଚଳର ଏକ ଥାନାରେ ରାତି ଡ୍ୟୁଟିରେ ମୁତୟନ ଥିବା ସମୟରେ ଏକ ଖବର ପହଞ୍ଚିଲା ଯେ ଦୁଇ ଜଣ ବନ୍ଧୁକଧାରୀ ମେରାଇନ୍ ଡ୍ରାଇଭ୍‌ରୁ ଏକ କାର୍ ଅପହରଣ କରି ମାଲାବାର୍ ହିଲ୍ ଦିଗରେ ଛୁଟିବାରେ ଲାଗିଛନ୍ତି। ସେତେବେଳକୁ ପାକିସ୍ତାନରୁ ସମୁଦ୍ର ପଥରେ ଆସିଥିବା ଇସ୍‌ଲାମୀୟ ଆତଙ୍କବାଦୀ ଦଳର ସଦସ୍ୟମାନେ ଛତ୍ରପତି ଶିବାଜୀ ରେଳ ଷ୍ଟେସନ୍, ଓବେରଇ ହୋଟେଲ୍ ଓ ତାଜ୍ ହୋଟେଲ୍‌ରେ ଅାକ୍ରମଣ କରି ନରସଂହାର ରଚନା କରିବା ଖବର ପ୍ରସାରିତ ହୋଇ ସାରିଥାଏ। ତୁକାରାମ ଓ ତାଙ୍କର ସାଥୀ ପୁଲିସ୍ ଅଫିସର୍‌ମାନଙ୍କ ମନରେ ସନ୍ଦେହ ନ ଥିଲା ଯେ କାର୍ ଅପହରଣକାରୀ ବନ୍ଧୁକଧାରୀ ଦ୍ବୟ ହେଉଛନ୍ତି ସେଇ ନରହନ୍ତା ଦଳର ସଦସ୍ୟ। ତୁକାରାମ ନିଜର ମଟର୍ ବାଇକ୍‌ରେ କାର୍‌ଟିର ପିଛା କରିବାକୁ ଲାଗିବା ବେଳେ ଅନ୍ୟ ପୁଲିସ୍‌ମାନେ ପଳାୟନମାନ କାର୍‌କୁ ଅଟକାଇବାକୁ ଗିର୍‌ଗାଓଁ ଚୌପାଟ୍ଟି ଠାରେ ବ୍ୟା‌ରିକେଡ୍ ଦ୍ବାରା ରାସ୍ତା ଅବରୋଧ କରି ଅପେକ୍ଷା କରି ରହିଲେ।

ଦ୍ରୁତ ଗତିରେ ଆସୁଥିବା କାର୍‌ଟି ପ୍ରଥମେ ବ୍ୟାରିକେଡ୍‌ ଠାରୁ ପ୍ରାୟ ୫୦ ଫୁଟ ଦୂରରେ ଅଟକିଗଲା ଓ ପର ମୁହୂର୍ତ୍ତରେ ହେଡ୍‌ଲାଇଟ୍ ଜଳାଇ ବ୍ୟାରିକେଡ୍ ଆଡ଼କୁ ମାଡ଼ିଆସିଲା। ତୁକାରାମ ଏହି ସମୟରେ କାର୍‌ଟିକୁ ଅତିକ୍ରମ କରି ତା’ ସମ୍ମୁଖରେ ନିଜର ମଟର୍ ବାଇକ୍‌କୁ ଠିଆ କରିଦେବାରୁ କାର୍‌ ଚାଳକ ହଡ଼ବଡ଼େଇ ଯାଇ ଗାଡ଼ିକୁ ଡିଭାଇଡର୍‌ରେ ବାଡ଼େଇ ଦେଲା। ଏହି ସମୟରେ ହାତରେ ଏକେ-୪୭ ସ୍ବୟଂଚାଳିତ ରାଇଫ୍‌ଲ ଧରିଥିବା କସାବ୍ କାର୍‌ରୁ ବାହାରକୁ ଡେଇଁ ପଡ଼ିଲା। ତୁକାରାମଙ୍କ ହାତରେ ଥାଏ କେବଳ ଏକ ରେଡିଓ ୱାକିଟକି। ଏକ ଡିଆଁ-ବୁଢ଼ିଆଣୀ ତା’ର ଶିକାର ଉପରକୁ ଡେଇଁବା ଭଳି ତୁକାରାମ ଆଖିପିଛୁଳାକେ କସାବ୍ ଉପରକୁ ଲମ୍ଫ ପ୍ରଦାନ କରି ତା’ର ରାଇଫ୍‌ଲର ନଳୀକୁ ଦୁଇ ହାତରେ ଜାବୁଡ଼ି ଧରିଲେ। ନର ରାକ୍ଷସ କସାବ୍‌ ସାଙ୍ଗେ ସାଙ୍ଗେ ବନ୍ଧୁକର ଟ୍ରିଗର୍ ଦବାଇ ତୁକାରାମଙ୍କ ପେଟରେ ୨୩ଟି ଗୁଳି ଭର୍ତ୍ତି କରିଦେଲା।
ତୁକାରାମ ସେଇଠି ଟଳି ପଡ଼ିଲେ, କିନ୍ତୁ ଶେଷ ପର୍ଯ୍ୟନ୍ତ କସାବ୍‌ର ବନ୍ଧୁକର ନଳୀକୁ ହାତରୁ ଛାଡ଼ି ନ ଥିଲେ। ଏହାରି ସୁଯୋଗ ନେଇ ଉପସ୍ଥିତ ଅନ୍ୟ ପୁଲିସ୍‌ମାନେ କସାବ୍‌କୁ ଜୀବନ୍ତ ଅବସ୍ଥାରେ ମାଡ଼ି ବସି କାବୁ କରି ନେଲେ। ପୁଲିସ୍ ଗୁଳିରେ ଅନ୍ୟ ଆତଙ୍କବାଦୀ ଜଣକର ସେଇଠାରେ ମୃତ୍ୟୁ ଘଟିଥିଲା। ତୁକାରାମଙ୍କର ପ୍ରାଣବଳି ଯୋଗୁଁ ସେଠ‌ାରେ ଦୁଇଟି କଥା ଘଟିଲା: ସେ ବନ୍ଧୁକର ନଳୀକୁ ନିଜ ଦେହ ଦ୍ବାରା ଅଟକାଇବାରୁ ଆତଙ୍କବାଦୀ କସାବ୍ ତାଙ୍କର ସାଥୀ ପୁଲିସ୍‌ମାନଙ୍କ ଉପରେ ଗୁଳି ଚଳାଇ ପାରିଲା ନାହିଁ, ଏବଂ ୨୬/୧୧ ଆକ୍ରମଣର ଏକମାତ୍ର ଜୀବିତ ଜିହାଦୀ ରୂପେ କସାବ୍‌କୁ ବନ୍ଦୀ କରି ତା’ଠାରୁ ଇସ୍‌ଲାମୀୟ ଆତଙ୍କବାଦୀ ଚକ୍ରାନ୍ତର ବହୁ ଗୁମର ଆଦାୟ କରାଯାଇ ପାରିଲା।

ତୁକାରାମ ଓମ୍ବଲେଙ୍କ ବୀରତ୍ବ ଓ ଆତ୍ମୋତ୍ସର୍ଗକୁ ସ୍ବୀକୃତି ପ୍ରଦାନ ସ୍ବରୂପ କୃତଜ୍ଞ ଦେଶ ତାଙ୍କୁ ମରଣୋତ୍ତର ଭାବେ ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ବ ସମ୍ମାନ ‘ଅଶୋକ ଚକ୍ର’ ଦ୍ବାରା ଭୂଷିତ କରିଛି। ଗତ ସପ୍ତାହରେ କିନ୍ତୁ ସହିଦ ତୁକାରାମ ଏକ ଭିନ୍ନ କିସମର ଓ ଅଧିକ ମନଛୁଆଁ ତଥା ଚିରନ୍ତନ ସମ୍ମାନରେ ଭୂଷିତ ହେବା ଖବର ପ୍ରକାଶ ପାଇ ଦେଶବାସୀଙ୍କୁ ଆହୁରି ପୁଲକିତ କରିଛି। ନିକଟରେ ମହାରାଷ୍ଟ୍ରରେ ଦୁଇଟି ନୂତନ ଜାତିର ଡିଆଁ-ବୁଢ଼ିଆଣୀ ଆବିଷ୍କୃତ ହେବା ଖବର ପ୍ରକାଶ ପାଇଥିଲା। ଏବେ ଜଣାପଡ଼ିଛି ଯେ ରୁଷିଆର ବିଜ୍ଞାନ ପତ୍ରିକା ‘ଆର୍‌ଥ୍ରୋପୋଡ଼ା ସିଲେକ୍ଟ’ରେ ପ୍ରକାଶିତ ଏହି ଦୁଇ ଜାତିର ନବ ଆବିଷ୍କୃତ ଡିଆଁ-ବୁଢ଼ିଆଣୀ ମଧ୍ୟରୁ ଗୋଟିକର ନାମକରଣ ‌କରାଯାଇଛି: ‘ଇସିଅସ୍ ତୁକାରାମି’। ମୁମ୍ବାଇ ନିକଟବର୍ତ୍ତୀ ଥାନେ ଓ କଲ୍ୟାଣ ସହରାଞ୍ଚଳରେ ଆବିଷ୍କୃତ ହୋଇଥିବା ଏହି ଡିଆଁ-ବୁଢ଼ିଆଣୀ ତା’ର ଶରୀରର ନିମ୍ନ ଭାଗରେ ଥିବା ଦୁଇଟି ଲମ୍ବା ଧଳା ପଟି ଓ ଗୋଡ଼ର ବିଶେଷ ଆକୃତି ଦ୍ବାରା ସହଜରେ ଚିହ୍ନି ହୋଇଥାଏ।

ବୁଢ଼ିଆଣୀର ଯେଉଁ ଏକ ଅବଦାନ ସମ୍ବନ୍ଧରେ ଆମେ ପ୍ରାୟ ସଚେତନ ନ ଥାଉ, ତାହା ହେଲା, ବୁଢ଼ିଆଣୀଟିଏ କ୍ଷତିକାରକ କୀଟପତଙ୍ଗମାନଙ୍କୁ ଭକ୍ଷଣ କରି ବଗିଚାର ଗଛପତ୍ର ସବୁକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ, ଠିକ୍ ଯେମିତି ଜିହାଦୀ ଆତଙ୍କବାଦୀମାନଙ୍କୁ କାବୁ କରି ତୁକାରାମ୍ ମୁମ୍ବାଇ ବାସିନ୍ଦାମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରାଣବଳି ଦେଇଥିଲେ। ଏଣିକି ଆମ ପରିବେଶରେ ‘ଇସିଅସ୍ ତୁକାରାମି’ ଆତଯାତ ହେଉଥିବା ପର୍ଯ୍ୟନ୍ତ, ତା’ର ଦର୍ଶନ ଆମକୁ ସହିଦ ତୁକାରାମଙ୍କ ବୀରତ୍ବ କଥା ମନେ ପକାଇ ଦେଉଥିବ। ‌େ‌ତବେ ତୁକାରାମଙ୍କୁ ପ୍ରଦାନ କରାଯାଇଥିବା ଏହି ବିରଳ ସମ୍ମାନ ଗୋଟିଏ ଗୋଷ୍ଠୀକୁ ଅସୁଖକର ଲାଗିଥାଇ ପାରେ- ଅଜ୍‌ମଲ୍ କସାବ୍‌ର ମୃତ୍ୟୁଦଣ୍ଡ କୋହଳ କରିବା ପାଇଁ ହର୍ଷ ମନ୍ଦର୍‌ରୁ କଲିନ୍ ଗନ୍‌ସାଲ୍‌ଭେସ୍ ଓ ନନ୍ଦିତା ଦାସଙ୍କ ପର୍ଯ୍ୟନ୍ତ ଯେଉଁ ୨୦୩ ଜଣ ସ୍ବାକ୍ଷରକାରୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ନିବେଦନ କରିଥିଲେ, ଯାହ‌ାକୁ ମହାମହିମ ରାଷ୍ଟ୍ରପତି ଅବଶ୍ୟ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।

ସମ୍ବନ୍ଧିତ ଖବର