‘ବ୍ଳୁମ୍ସବରୀ ଗ୍ରୁପ୍’ର ଜଣେ ପ୍ରମୁଖ ସଦସ୍ୟା ପ୍ରସିଦ୍ଧ ବ୍ରିଟିସ୍ ଲେଖିକା ଭର୍ଜିନିଆ ଉଲ୍ଫ ତାଙ୍କର ୧୯୨୯ରେ ପ୍ରକାଶିତ ବୈପ୍ଳବିକ ପ୍ରବନ୍ଧ, ‘ଏ ରୁମ୍ ଅଫ୍ ଵାନ୍ସ ଓନ୍’ (‘ନିଜର ଏକ କୋଠରି’)ରେ ଜଣେ ନାରୀର ସର୍ଜନାତ୍ମକ ସ୍ବାଧୀନତା ଅବ୍ୟାହତ ରହିବା ପାଇଁ ଦୁଇଟି କଥା ଆବଶ୍ୟକ ବୋଲି ଲେଖିଥିଲେ: ଗୋଟିଏ ତାଲା ପଡ଼ି ପାରୁଥିବା କୋଠରି; ବାର୍ଷିକ ୫୦୦ ପାଉଣ୍ତ୍ (ଆଜିର ଭାରତୀୟ ମୁଦ୍ରା ଆକାରରେ ୩୦ ଲକ୍ଷ ଟଙ୍କା) ଆୟ। ଏହି ମାନଦଣ୍ତ ଅନୁସାରେ ନିଜେ ଭର୍ଜିନିଆ ସମ୍ପୂର୍ଣ୍ଣ ସ୍ବାଧୀନ ଥିଲେ, କାରଣ ଉତ୍ତରାଧିକାର ସୂତ୍ରରେ ସେ ପାଇଥିବା ସମ୍ପତ୍ତି ଓ ଆୟ ଏହାଠାରୁ ବହୁ ଅଧିକ ଥିଲା। କିନ୍ତୁ ସେ ସମୟର ଦୁନିଆରେ ସାଧାରଣତଃ ଜଣେ ନାରୀ ପାଇଁ ଉନ୍ମୁକ୍ତ ଏକମାତ୍ର ଭବିଷ୍ୟତ ଥିଲା- ବିବାହ କରି ଗୃହିଣୀରେ ପରିଣତ ହେବା। ପରିବାରର ଅର୍ଥନୀତିକୁ ସମ୍ଭାଳିବାରେ ଗୃହିଣୀଙ୍କର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲେ ହେଁ, ତାଙ୍କର ନିଜସ୍ବ ଆର୍ଥିକ ଆୟ ଶୂନ୍ୟ ହୋଇଥାଏ, କାରଣ ତାଙ୍କୁ ତାଙ୍କର କାର୍ଯ୍ୟ ପାଇଁ କୌଣସି ପାରିଶ୍ରମିକ ମିଳିନଥାଏ। ସେମାନଙ୍କର ଆୟ ଶୂନ୍ୟ ଅର୍ଥନୈତିକ ପରାଧୀନତା ଅନିବାର୍ଯ୍ୟ ଭାବରେ ସର୍ଜନାତ୍ମକ ପରାଧୀନତାକୁ ଜନ୍ମ ଦେଇଥାଏ।
ସତେ ଯେମିତି ଭର୍ଜିନିଆ ଉଲ୍ଫ ନାରୀମାନଙ୍କର ଅର୍ଥନୈତିକ ଅସହାୟତା ପ୍ରତି କରିଥିବା ଏଭଳି ପରୋକ୍ଷ ଇସାରାକୁ ବାସ୍ତବତାରେ ପରିଣତ କରିବା ସେମାନଙ୍କର ଲକ୍ଷ୍ୟ ଥିଲା, ଉଲ୍ଫଙ୍କ ପ୍ରବନ୍ଧ ପ୍ରକାଶର ପ୍ରାୟ ଏକ ଦଶନ୍ଧି ପରେ ଦୁଇ ବ୍ରିଟିସ୍ ଅର୍ଥନୀତିଜ୍ଞ ଜେମ୍ସ ମିଡ୍ ଓ ରିଚାର୍ଡ ଷ୍ଟୋନ୍ କୌଣସି ଦେଶର ଜାତୀୟ ଆୟ ହିସାବ କରିବାର ଯେଉଁ ପଦ୍ଧତି ଉଦ୍ଭାବନ କଲେ ସେଥିରେ ସେମାନେ ପାରିଶ୍ରମିକ ବିହୀନ। ଗୃହିଣୀମାନଙ୍କୁ ଜର୍ଜ ଅର୍େଵଲ୍ଙ୍କ ଭାଷାରେ ଅର୍ଥନୈତିକ ‘ଅଣ-ବ୍ୟକ୍ତି’ରେ ପରିଣତ କରି ଦେଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ପଦ୍ଧତି ଅନୁସାରେ ଏକ ଦେଶରେ ଗୋଟିଏ ବର୍ଷ ମଧୢରେ ପ୍ରକୃତରେ କ୍ରୟବିକ୍ରୟ ହୋଇଥିବା ସମସ୍ତ ଦ୍ରବ୍ୟ ଓ ସେବାର ମୂଲ୍ୟ ହିସାବ କରାଯାଇ ସେ ଦେଶର ଜାତୀୟ ଆୟ ନିର୍ଣ୍ଣୟ କରାଯାଇଥାଏ, ଯାହା ଆଜିକାଲି ‘ଜିଡିପି’ ନାମରେ ସୁପରିଚିତ। ପୃଥିବୀ ସାରା ଅନୁସୃତ ଏହି ପଦ୍ଧତିରେ ଗୃହିଣୀମାନଙ୍କୁ ସ୍ବୀକୃତି ମିଳିନଥାଏ, କାରଣ ସେମାନେ ଯୋଗାଉଥିବା ସେବା ବଦଳରେ ଆର୍ଥିକ ପାରିଶ୍ରମିକ ପାଇ ନ ଥାନ୍ତି; ତେଣୁ ସେମାନଙ୍କ ସେବାର ଆର୍ଥିକ ମୂଲ୍ୟ ନ ଥାଏ; ତେଣୁ ତାହା ‘ଜିଡିପି’ର ଅ˚ଶ ହୋଇନଥାଏ।
ଏବେ ଭାରତରେ ଦୁଇଜଣ ଚର୍ଚ୍ଚିତ ବ୍ୟକ୍ତି ମହିଳାମାନଙ୍କ ପ୍ରତି ହୋଇ ଚାଲିଥିବା ଏଭଳି ଅବିଚାରରେ ଆ˚ଶିକ ସ˚ଶୋଧନ ଆଣିବା ପାଇଁ ଏକ ପ୍ରସ୍ତାବ ଦେଇ ଉଭୟ ସାମାଜିକ ଗଣମାଧୢମ ଓ ମୁଖ୍ୟ-ସ୍ରୋତ ଗଣମାଧୢମରେ ଏକ ବିତର୍କର ସୂତ୍ରପାତ କରିଛନ୍ତି। ଏମାନଙ୍କ ମଧୢରୁ ଜଣେ ହେଉଛନ୍ତି ସଦ୍ୟ ସଦ୍ୟ ରାଜନୀତିରେ ପ୍ରବେଶ କରିବାକୁ ଉଦ୍ୟମ ଚଳାଇଥିବା ବର୍ଷୀୟାନ ଚିତ୍ର ତାରକା କମଲ୍ହାସାନ୍ ଓ ଅନ୍ୟ ଜଣକ ହେଉଛନ୍ତି କ˚ଗ୍ରେସ ନେତା ଓ ଲୋକସଭା ସା˚ସଦ ଶଶୀ ଥରୁର୍। ଆଉ ଏମାନଙ୍କ ଉଦ୍ୟମରୁ ଖୁଣ ବାହାର କରି ମୂଳରୁ ଭଣ୍ତୁର କରିବାକୁ ଯିଏ ବାହାରି ପଡ଼ିଛନ୍ତି, ସେ ହେଉଛନ୍ତି ଅଗ୍ନିକନ୍ୟା ଚିତ୍ରତାରକା କଙ୍ଗନା ରନାଵତ।
୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ବାହାରିଥିବା କମଲ୍ହାସାନ୍ ଯଦି କ୍ଷମତାକୁ ଆସନ୍ତି, ତେବେ ସେ ରାଜ୍ୟରେ ସରକାର ଗୃହିଣୀମାନଙ୍କୁ ନିୟମିତ ଭତ୍ତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଶଶୀ ଥରୁର୍ କମଲ୍ହାସାନ୍ଙ୍କ ଏହି ଘୋଷଣାକୁ ସ୍ବାଗତ କରି ଟ୍ବିଟ୍ କରିଛନ୍ତି ଯେ ଏହା କାର୍ଯ୍ୟକାରୀ ହେଲେ ଗୃହିଣୀମାନଙ୍କର ଶକ୍ତି ଓ ସ୍ବାୟତ୍ତତାରେ ବୃଦ୍ଧି ଘଟିବା ସହିତ (ଭର୍ଜିନିଆ ଉଲ୍ଫଙ୍କ ପ୍ରତିଧ୍ବନି?) ଏକ ‘ପାଖାପାଖି ସାର୍ବଜନୀନ ମୌଳିକ ଆୟ’ (‘ୟୁନିଭର୍ସାଲ୍ ବେସିକ୍ ଇନ୍କମ୍’) ସୃଷ୍ଟି ହେବ। ବାସ୍, କଙ୍ଗନାଙ୍କୁ ଆଉ ସମ୍ଭାଳେ କିଏ? ଟ୍ବିଟ୍ ମାଧୢମରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଗୃହ ଚଳାଇବା ଏକ ବ୍ୟବସାୟ ନୁହେଁ; ଗୃହିଣୀ ହେଉଛି ନିଜ ଗୃହରେ ରାଣୀ; ସନ୍ତାନସନ୍ତତିଙ୍କ ଲାଳନ ପାଳନ ପାଇଁ କିମ୍ବା ପତିଙ୍କ ସହ ଯୌନ ସମ୍ପର୍କ ରଖିବା ପାଇଁ ସେମାନେ ମୂଲ ଚାହାଁନ୍ତି ନାହିଁ... ଇତ୍ୟାଦି। ଏହା ପରେ ବିଚରା ଥରୁର୍ ସେ ଆ˚ଶିକ ଭାବରେ କଙ୍ଗନାଙ୍କ ସହିତ ଏକମତ କିନ୍ତୁ ଗୃହକର୍ମକୁ ଏକ ଅର୍ଥନୈତିକ କାର୍ଯ୍ୟରେ ପରିଣତ କରିବା ଏବ˚ ସାର୍ବଜନୀନ ମୌଳିକ ଆୟ ସୃଷ୍ଟି ଦିଗରେ ଏହା ଏକ ସ୍ବାଗତଯୋଗ୍ୟ ପ୍ରସ୍ତାବ ବୋଲି ପୁଣି ଟ୍ବିଟ୍ କରି ପ୍ରତିକ୍ରିୟା ରଖିଛନ୍ତି।
ଉଭୟ ପକ୍ଷର ଯୁକ୍ତିକୁ ଯଦି ନିରପେକ୍ଷ ଭାବରେ ଅନୁଶୀଳନ କରାଯାଏ, ତେବେ ଯାହା ମନେ ହୁଏ କଙ୍ଗନାଙ୍କ ଯୁକ୍ତି ସମ୍ପୂର୍ଣ୍ଣ ରୂପେ ଆବେଗଭିତ୍ତିକ ହୋଇଥିବା ବେଳେ, ହାସାନ୍-ଥରୁର୍ ଟିମ୍ର ପ୍ରସ୍ତାବ ଅଧିକ ଉପଯୋଗିତାପୂର୍ଣ୍ଣ ହୋଇଥାଏ। ରାଣୀମାନଙ୍କର ମଧୢ ଅର୍ଥନୈତିକ ସ୍ବାଧୀନତା ଦରକାର ହୋଇଥାଏ। କେବଳ ରାଣୀ କ’ଣ, ଭାରତୀୟ ସ˚ସ୍କୃତିରେ ତ ନାରୀମାନଙ୍କୁ ତା’ଠାରୁ ଊର୍ଦ୍ଧ୍ବରେ, ଦେବୀ ଆସନରେ ଅଧିଷ୍ଠିତ କରାଯାଇଥାଏ। ଏହା କିନ୍ତୁ ବାସ୍ତବ ଦୁନିଆରେ ଗୃହିଣୀ ଓ ଅନ୍ୟ ମହିଳାମାନେ ସମ୍ମୁଖୀନ ହେଉଥିବା ନିୟମିତ ନିର୍ଯାତନା ଓ ଦୁଃଖ ଯନ୍ତ୍ରଣା ଦୂର କରିବାରେ ଆଦୌ ସହାୟକ ହୋଇନାହିଁ। ଅପରପକ୍ଷେ ହାସାନ୍-ଥରୁର୍ ପ୍ରସ୍ତାବିତ ଗୃହିଣୀ-କୈନ୍ଦ୍ରିକ ସାର୍ବଜନୀନ ମୌଳିକ ଆୟ ଯେ ନିଶ୍ଚିତ ରୂପେ ଗୃହିଣୀ ଓ ତାଙ୍କ ପରିବାରର ମଙ୍ଗଳ ସାଧନରେ ସହାୟକ ହେବ ତାହା ନିଃସନ୍ଦେହ ଓ ଅନୁଭୂତି ଦ୍ବାରା ସାବ୍ୟସ୍ତ ହୋଇଛି।
ପ୍ରାୟ ଦୁଇ ନିୟୁତ ସଦସ୍ୟ ବିଶିଷ୍ଟ ‘ଦି ସେଲ୍ଫ ଏମ୍ପ୍ଲଏଡ୍ ଵିମେନ୍ସ ଆସୋସିଏସନ୍’ (‘ଆତ୍ମନିଯୁକ୍ତ ମହିଳା ସ˚ଘ’) ବା ସ˚କ୍ଷେପରେ ‘ସେବା’ ନାମକ ମହିଳା ସ˚ଗଠନ ମହିଳାମାନଙ୍କ ଜୀବନ ଉପରେ ପ୍ରତ୍ୟକ୍ଷ ସାର୍ବଜନୀନ ଆୟ ଯୋଜନାର ପ୍ରଭାବ ଆକଳନ କରିବା ପାଇଁ ନିକଟ ଅତୀତରେ କେତେକ ପରୀକ୍ଷା ଆୟୋଜନ କରିଥିଲା। ସେମାନେ ପ୍ରଥମେ ଦିଲ୍ଲୀରେ ଏକ ଛୋଟ ଆକାରର ପରୀକ୍ଷା କଲା ପରେ ମଧୢପ୍ରଦେଶର ଗ୍ରାମାଞ୍ଚଳରେ ୧୧,୦୦୦ରୁ ଅଧିକ ହିତାଧିକାରୀଙ୍କୁ ନେଇ ଦୁଇଟିି ପୃଥକ୍ ପରୀକ୍ଷା ଆୟୋଜନ କରିଥିଲେ। ଏମାନଙ୍କ ମଧୢରେ ନାରୀ, ପୁରୁଷ ଓ ଶିଶୁ ଅନ୍ତର୍ଭୁକ୍ତ ଥିଲେ। ପ୍ରତି ମାସରେ ପ୍ରତ୍ୟେକ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଏକ ନିର୍ଦ୍ଦିଷ୍ଟ ରାଶି ଜମା କରି ଦିଆଯାଉଥିଲା, ପିଲାଙ୍କ ରାଶି ମା’ମାନଙ୍କ ଆକାଉଣ୍ଟରେ ଜମା ହେଉଥିଲା। ପରୀକ୍ଷା ଶେଷରେ ଫଳାଫଳ ଆକଳନ କରି ‘ସେବା’ ମହିଳାମାନେ ଏଥିରୁ ଅନ୍ତତଃ ପାଞ୍ଚଟି ନିର୍ଦ୍ଦିଷ୍ଟ ଉପକାର ପାଇଥିବା ଆବିଷ୍କାର କରିଥିଲା, ଯାହା ଏଠାରେ ସ˚କ୍ଷେପରେ ଉପସ୍ଥାପନ କରାଯାଇପାରେ। ପ୍ରଥମ, ଦେଖାଗଲା ବାଳକମାନଙ୍କ ତୁଳନାରେ ବାଳିକାମାନଙ୍କ ପୁଷ୍ଟି, ସ୍ବାସ୍ଥ୍ୟ ଓ ଶିକ୍ଷାରେ ଏଥିଯୋଗୁଁ ଅଧିକ ଉନ୍ନତି ସାଧିତ ହୋଇଛି। ଦୁଇରୁ ପାଞ୍ଚବର୍ଷ ବୟସ ପର୍ଯ୍ୟନ୍ତ ଶିଶୁକନ୍ୟାମାନଙ୍କ ପାଇଁ ପୁଷ୍ଟିରେ ଉନ୍ନତି ସର୍ବାଧିକ ହୋଇଥିବା ବେଳେ କିଶୋରୀମାନଙ୍କର ସ୍କୁଲ୍ରେ ଦାଖଲ ଓ ଉପସ୍ଥାନରେ ଚମକପ୍ରଦ ଉନ୍ନତି ପରିଲକ୍ଷିତ ହୋଇଥିଲା। ଦ୍ବିତୀୟ, ଏହି ପ୍ରତ୍ୟକ୍ଷ ଆର୍ଥିକ ଆୟ ନାରୀମାନଙ୍କ ପାଇଁ ପରିବାରର ପୁରୁଷମାନଙ୍କ ସହିତ ଅଧିକ ଅର୍ଥନୈତିକ ସାମ୍ୟ ସୃଷ୍ଟି କରିଥିଲା। ତୃତୀୟ, ଏହି ଆୟ ସହାୟତାରେ ମହିଳାମାନେ ପୂର୍ବରୁ ନିୟୋଜିତ ଥିବା ନିମ୍ନ ଉତ୍ପାଦନଶୀଳ କାର୍ଯ୍ୟରେ ପରିବର୍ତ୍ତନ ଘଟାଇ ଅଧିକ ଲାଭପ୍ରଦ କାର୍ଯ୍ୟ ବା ବ୍ୟବସାୟ ଆଡ଼େ ମୁହାଁଇଲେ। ଚତୁର୍ଥ, ଏହି ଆୟ ଯୋଗୁଁ ଉଭୟ ପରିବାର ଓ ସମାଜରେ ମହିଳାମାନଙ୍କ ମତକୁ ଅଧିକ ପ୍ରାଧାନ୍ୟ ମିଳିଲା। ପଞ୍ଚମ, ଆଶ୍ଚର୍ଯ୍ୟଜନକ ଭାବରେ ଅଠର ମାସ ପରେ କେତେକ ଗ୍ରାମରେ ମଦ୍ୟପାନ ଭଳି ବଦଭ୍ୟାସରେ ହ୍ରାସ ଘଟିବା ଦେଖାଯାଇଥିଲା। ଏଣୁ ହାସାନ୍-ଥରୁର୍ ଯୋଜନା ଯଦି ବାସ୍ତବରେ କାର୍ଯ୍ୟକାରୀ ହୁଏ ତାହା ଗୃହିଣୀମାନଙ୍କୁ ପ୍ରକୃତରେ ରାଣୀ କରିବା ଦିଗରେ ଏକ ନିଶ୍ଚିତ ପଦକ୍ଷେପ ହେବ। କିନ୍ତୁ ସମସ୍ୟା ଏ ପ୍ରସ୍ତାବରେ ନାହିଁ; ସମସ୍ୟା ହେଉଛି ପ୍ରସ୍ତାବକ ଦ୍ବୟଙ୍କୁ ନେଇ। ଗୃହିଣୀମାନଙ୍କର ଏପରି ମଙ୍ଗଳ କାମନା କରୁଥିବା ଦୁଇଜଣଯାକ ଚରିତ୍ର ଅତୀତରେ ଏଭଳି ନିଜ ନିଜର ପତ୍ନୀ ପରିବର୍ତ୍ତନ କରିଛନ୍ତି, ଯେମିତି ଜଣେ ବ୍ୟକ୍ତି ନିଜର ପୋଷାକ ବଦଳାଇଥାଏ! ଏହା ଗୃହିଣୀମାନଙ୍କ ପ୍ରତି ସେମାନଙ୍କର ପ୍ରକୃତ ସମ୍ମାନବୋଧ ଉପରେ ପ୍ରଶ୍ନବାଚୀ ଲଗାଇଥାଏ।