ଏକ କ୍ଷୁଦ୍ର ଆଶ୍ବସ୍ତି ସ୍ବରୂପ ଫେବ୍ରୁଆରି ୨୬ ତାରିଖରେ ପ୍ରକାଶିତ ସୂଚନା ଅନୁସାରେ ଭାରତୀୟ ଅର୍ଥନୀତି ଏବେ କଳଙ୍କ ମୁକ୍ତ ହୋଇଛି। ଗତ ଡିସେମ୍ବରରେ ଶେଷ ହୋଇଥିବା ଚଳିତ ବିତ୍ତ ବର୍ଷର ତୃତୀୟ ଚଉଠରେ ଦେଶର ଅର୍ଥନୀତିରେ ଅର୍ଥାତ୍‌ ‘ଜିଡିପି’ରେ ସାମାନ୍ୟ ଅଭିବୃଦ୍ଧି ଘଟିଥିବା ପରିଲକ୍ଷିତ ହୋଇଛି। ଏହା ତତ୍ପର୍ଯ୍ୟପୂର୍ଣ୍ଣ, କାରଣ ଏହାର ପୂର୍ବ ଦୁଇ ଚଉଠରେ ଜିଡିପିରେ କୌଣସି ଅଭିବୃଦ୍ଧି ଘଟିବା ପରିବର୍ତ୍ତେ ଲଗାତାର ସ˚କୋଚନ ଘଟି ଭାରତୀୟ ଅର୍ଥନୀତିକୁ ଏକ ବିଧିବଦ୍ଧ ଅବପାତ ବା ‘ଟେକ୍ନିକାଲ୍‌ ରିସେସନ୍‌’ ମଧୢକୁ ଠେଲି ଦେଇଥିଲା। ‘ବସ୍ତ୍ରାଭାବେ ସୂତ୍ର˚ ଦଦ୍ୟାତ୍‌’ ଭଳି ଏଥର ଲଜ୍ଜା ନିବାରଣ ପାଇଁ ଲୁଗା ଖଣ୍ତିଏ ନମିଳିଥିଲେ ହେଁ ସୂତା ଖିଏ ଅନ୍ତତଃ ମିଳିଛି: ଅତ୍ୟନ୍ତ କ୍ଷୀଣ ହୋଇଥାଉ ପଛକେ, ତୃତୀୟ ଚଉଠରେ ‘ଜିଡିପି’ରେ ଆଉ ସ˚କୋଚନ ଘଟିବା ପରିବର୍ତ୍ତେ ୦.୪ ଶତା˚ଶ ହାରରେ ଅଭିବୃଦ୍ଧି ଘଟିଛି।

Advertisment

ଏଥିରେ ସନ୍ଦେହ ନାହିଁ ଯେ ତଳମୁହାଁ ଅର୍ଥନୀତି ଏପରି ମୁଣ୍ତ ଉଠାଇବାକୁ ଚେଷ୍ଟା କରିବାରେ ଯାହା ସହାୟକ ହୋଇଛି, ତାହା ହେଲା କ୍ରମେ ଅପସାରିତ ହେବାକୁ ଆରମ୍ଭ କରିଥିବା ଦେଶବ୍ୟାପୀ ତଥା ଆଞ୍ଚଳିକ ଲକ୍‌ଡାଉନ୍‌ ଅବସ୍ଥା। ଏହା ଆମ ପାଇଁ ଏକ ଆଶାର ଆଲୋକ ଦେଖାଇଥିବା ବେଳେ, ଯାହା ତଥାପି ଏକ ହତାଶାର ଅନ୍ଧାର ସୃଷ୍ଟି କରିଥାଏ, ତାହା ହେଲା ସମଗ୍ର ବିତ୍ତ ବର୍ଷ ପାଇଁ ଅର୍ଥନୀତିର ଆଚରଣ ସମ୍ବନ୍ଧରେ ପ୍ରକାଶ ପାଇଥିବା ସ˚ଶୋଧିତ ପୂର୍ବାନୁମାନ। ଜାନୁଆରିରେ ସରକାର ଅନୁମାନ କରିଥିଲେ ଯେ ୨୦୨୦-୨୧ ବିତ୍ତ ବର୍ଷରେ ଦେଶର ସାମଗ୍ରିକ ଅର୍ଥନୀତିର ସ˚କୋଚନ ହାର ହେବ ୭.୭ ଶତା˚ଶ। ଏଥର କିନ୍ତୁ ସେଥିରେ ପରିବର୍ତ୍ତନ ଘଟାଇ ସରକାର ସ୍ବୀକାର କରିଛନ୍ତି ଯେ ଏହି ସ˚କୋଚନର ହାର ସାମାନ୍ୟ ଅଧିକ ହେବାକୁ ଯାଉଛି: ୮.୦ ଶତା˚ଶ। ଏଥିରୁ ଜଣାପଡୁଛି ଯେ ତୃତୀୟ ଚଉଠରେ ଅଭିବୃଦ୍ଧି ଫେରିଆସିଥିଲେ ହେଁ, ତାହା ବର୍ଷ ସାରାର ଲକ୍‌ଡାଉନ୍‌ ଆକ୍ରାନ୍ତ ଅର୍ଥନୀତିର ଅଧୋଗତିକୁ ସମ୍ପୂର୍ଣ୍ଣ ଅଟକାଇ ଦେବା ପାଇଁ ଯଥେଷ୍ଟ ହୋଇ ନାହିଁ। ବିଶେଷକରି ଶିଳ୍ପ ଉତ୍ପାଦନ ବା ମାନୁଫାକ୍‌ଚରିଙ୍ଗ୍‌ କ୍ଷେତ୍ରରେ ଏବ˚ ସେବା କ୍ଷେତ୍ରରେ ଆଶା କରାଯାଉଥିବା ଭଳି ଦ୍ରୁତ ବେଗରେ ଅଭିବୃଦ୍ଧି ପ୍ରତ୍ୟାବର୍ତ୍ତନ ନକରିବାରୁ ସାମଗ୍ରିକ ଅଭିବୃଦ୍ଧି ଏଭଳି ଧିମା ହୋଇଛି।

ଲକ୍‌ଡାଉନ୍‌ ଯୋଗୁଁ ଯେତେବେଳେ କଳ କାରଖାନା ସବୁ ବନ୍ଦ ହୋଇଗଲା, ଉତ୍ପାଦନକୁ ସକ୍ରିୟ କରି ରଖୁଥିବା ଦୁଇଟି ଅତ୍ୟାବଶ୍ୟକ ଉପାଦାନର ଯୋଗାଣ ଗୁରୁତର ବାଧାପ୍ରାପ୍ତ ହେଲା: ଶ୍ରମଶକ୍ତି ଓ କଞ୍ଚାମାଲ୍‌। କାରଖାନା ଖୋଲିବା ପରେ ଛଟେଇ ହୋଇଥିବା ଶ୍ରମିକମାନେ ତତ୍‌କ୍ଷଣାତ୍‌ ସେଠାକୁ ଫେରିଆସିବା ଯେଉଁ ଭଳି ସମ୍ଭବ ନୁହେଁ, କଞ୍ଚାମାଲ୍‌ ଯୋଗାଣ ସ୍ରୋତ ପୁଣି ସଙ୍ଗେ ସଙ୍ଗେ ପୂର୍ବ ଭଳି ପ୍ରବାହିତ ହେବା ସେଇଭଳି ସମ୍ଭବ ନୁହେଁ। ଏହା ବ୍ୟତୀତ ବଜାରରେ ଚାହିଦା ପୂର୍ବ ସ୍ତର ନଛୁଇଁବା ପର୍ଯ୍ୟନ୍ତ କାରଖାନା ମାଲିକମାନେ ଉତ୍ପାଦନକୁ ପୂର୍ବ ସ୍ତରକୁ ଉଠାଇବାକୁ ମଧୢ କୁଣ୍ଠିତ ହେବା ସ୍ବାଭାବିକ। ଏ ସମସ୍ତ ପ୍ରତିବନ୍ଧ ସତ୍ତ୍ବେ ତୃତୀୟ ଚଉଠ ପରିସ˚ଖ୍ୟାନରେ ଯାହା ଆଶାର ସମ୍ଭାବନା ବହନ କରିଥାଏ, ତାହା ହେଲା ମାନୁଫାକ୍‌ଚରିଙ୍ଗ୍‌ କ୍ଷେତ୍ରରେ ଦ୍ବିତୀୟ ଚଉଠରେ ପୂର୍ବ ବର୍ଷ ତୁଳନାରେ ୧.୫ ଶତା˚ଶ ସ˚କୋଚନ ଘଟିଥିବା ବେଳେ, ତୃତୀୟ ଚଉଠରେ ସ˚କୋଚନ ପ୍ରସାରଣରେ ପରିଣତ ହୋଇ ସେ କ୍ଷେତ୍ରରେ ୧.୬ ଶତା˚ଶ ହାରରେ ଅଭିବୃଦ୍ଧି ଘଟିଛି। କ୍ରମେ ଶ୍ରମ ଓ କଞ୍ଚାମାଲ୍‌ ଯୋଗାଣରେ ଯେତେ ଶୀଘ୍ର ପୂର୍ବାବସ୍ଥା ଫେରିବାକୁ ଲାଗିବ ଏବ˚ ବଜାରରେ ଚାହିଦା ଯେତେ ଶୀଘ୍ର କାୟା ବିସ୍ତାର କରିବ, ସେତେ ଶୀଘ୍ର ଶିଳ୍ପ ଉତ୍ପାଦନରେ ଅଭିବୃଦ୍ଧି ସନ୍ତୋଷଜନକ ହେବାକୁ ଆରମ୍ଭ କରିବ।

ଭାରତୀୟ ଅର୍ଥନୀତିର ଯେଉଁ କ୍ଷେତ୍ର ତୃତୀୟ ଚଉଠରେ ନିଜର ଲକ୍‌ଡାଉନ୍‌ ବନ୍ଧନ ଛିଡ଼ାଇ ଏକ ବେଶ୍‌ ଉଚ୍ଚ ଡିଆଁ ମାରିବା ଦେଖା ଯାଇଛି, ତାହା ହେଉଛି ଭାରତୀୟ ଅର୍ଥନୀତିର ସ˚ଗଠିତ କ୍ଷେତ୍ରର ବୃହତ୍ତମ ଅ˚ଶ ବୋଲାଉଥିବା ରିଅଲ୍‌ ଇଷ୍ଟେଟ୍‌ (ଗୃହ ନିର୍ମାଣ) ଓ ଫାଇନାନ୍‌ସିଆଲ୍‌ (ବିତ୍ତୀୟ) କ୍ଷେତ୍ର। କରୋନାଜନିତ ସ୍ପର୍ଶକାତର ସମୟରେ ସ୍ପର୍ଶ ଭିତ୍ତିକ ନିର୍ମାଣ କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଦ୍ବିତୀୟ ଚଉଠରେ ଏହି କ୍ଷେତ୍ରରେ ତେଣୁ ଏକ ଉଚ୍ଚ ୯.୫ ଶତା˚ଶ ହାରରେ ସ˚କୋଚନ ଘଟିଥିଲା। ତୃତୀୟ ଚଉଠରେ ଏହି କ୍ଷେତ୍ର ଏହି ଖାଲରୁ ଉଠି ୬.୬ ଶତା˚ଶ ହାରରେ ଉଚ୍ଚ ଡିଆଁ ମାରି ସମସ୍ତଙ୍କୁ ଚମତ୍କୃତ କରି ଦେଇଛି।

କିନ୍ତୁ କରୋନା ସମୟରେ ଅର୍ଥନୀତିର ବାକି କ୍ଷେତ୍ରମାନଙ୍କରେ ଏଭଳି ଉଠା ପକା ଲାଗି ଥିବା ବେଳେ ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ସ୍ଥିତପ୍ରଜ୍ଞ ଭଳି ଏକାଗ୍ର ଚିତ୍ତରେ ଠେକୁଆ କଇଁଛ ଗପର କଇଁଛଟି ଭଳି ଧୀର ମନ୍ଥର କିନ୍ତୁ ଅବିଚଳିତ ଭାବରେ ଆଗକୁ ଆଗକୁ ଚାଲିଥିବା ଦେଖା ଯାଇଛି, ତାହା ହେଉଛି ମାତୃ କ୍ଷେତ୍ର କୃଷି। ଏକ ବିଡ଼ମ୍ବନା ଭଳି ସମ୍ପୂର୍ଣ୍ଣ ଭିନ୍ନ କାରଣରୁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା କୃଷି କ୍ଷେତ୍ରରେ ପୂର୍ବର ଅଭିବୃଦ୍ଧି ଧାରା ଅବ୍ୟାହତ ରହି ତୃତୀୟ ଚଉଠରେ ୩.୯ ଶତା˚ଶ ହାର ହାସଲ କରିଛି ଯାହା ଦ୍ବିତୀୟ ଚଉଠରେ ଥିଲା ୩.୦ ଶତା˚ଶ। ଏହା ଚୀନା କରୋନା ଗ୍ରସ୍ତ ଅର୍ଥନୀତିର ତ୍ରାଣକର୍ତ୍ତା ଭଳି ମନେ ହୁଏ, କାରଣ ଏହା ଗ୍ରାମ୍ୟ ଚାହିଦାକୁ ମଜଭୁତ କରିଥାଏ, ଯାହା ଜାତୀୟ ଅର୍ଥନୀତିର ଚାହିଦା ପାର୍ଶ୍ବ ପାଇଁ ଏକ ଟାଣ ଚଟାଣ ରୂପେ କାର୍ଯ୍ୟ କରିଥାଏ।

କରୋନା ଜନିତ ଲକ୍‌ଡାଉନ୍‌, ବେକାରି, ଆୟ ହାନି ଆଦି ଯୋଗୁଁ ଦେଶରେ ଖାଉଟି-ଆତ୍ମବିଶ୍ବାସ ଏପରି ଭୟଙ୍କର ଭାବେ ଆହତ ହୋଇଛି ଯେ ତୃତୀୟ ଚଉଠରେ ମଧୢ ଖାଉଟି କୁଣ୍ଠାରେ ବିଶେଷ ଉନ୍ନତି ଘଟିବା ଦେଖା ଯାଇ ନାହିଁ। ବିତ୍ତ ବର୍ଷର ତୃତୀୟ ଚଉଠ, ଅର୍ଥାତ୍‌ ଅକ୍ଟୋବର‌୍‌-ଡିସେମ୍ବର ତିନି ମାସ ହେଉଛି ପୂଜା ପାର୍ବଣ ଉତ୍ସବର ସମୟ, ଯେଉଁ ସମୟରେ ବଜାରରେ ସ୍ବାଭାବିକ ଭାବରେ ଖାଉଟିମାନଙ୍କ ଭିଡ଼ ଜମିଥାଏ। କିନ୍ତୁ ତା’ ସତ୍ତ୍ବେ ଏଇ ସମୟରେ ମୋଟ ଖାଉଟି ବ୍ୟୟରେ ୨.୪ ଶତା˚ଶ ସ˚କୋଚନ ପରିଲକ୍ଷିତ ହୋଇଛି, ଯଦିବା ଏହି ସ୍ଖଳନ ହାର ପୂର୍ବାପେକ୍ଷା କମ୍‌ ହୋଇଛି। ବର୍ତ୍ତମାନର ମାନ୍ଦା ସମୟରେ ଏଥିଯୋଗୁଁ ଚାହିଦା ପାର୍ଶ୍ବରେ ସୃଷ୍ଟି ହୋଇଥିବା ଗର୍ତ୍ତ ପାଠ ଅନୁସାରେ ସରକାରୀ ଖର୍ଚ୍ଚ ବୃଦ୍ଧି ଦ୍ବାରା ଭରଣା କରାଯିବା ଉଚିତ; କିନ୍ତୁ ତୃତୀୟ ଚଉଠରେ ମଧୢ ସରକାରୀ ବ୍ୟୟରେ ୧.୧ ଶତା˚ଶ ସ˚କୋଚନ ଘଟିଛି; ଅବଶ୍ୟ ପୂର୍ବ ଚଉଠରେ ସରକାରୀ ବ୍ୟୟରେ ଘଟିଥିବା ୨୪ ଶତା˚ଶ ସ˚କୋଚନ ତୁଳନାରେ ଏହା ନଗଣ୍ୟ। ଆସନ୍ତା ଦିନ ମାନଙ୍କରେ ଟେକ୍ନିକାଲ୍‌ ରିସେସନ୍‌କୁ ଅର୍ଥପୂର୍ଣ୍ଣ ଭାବରେ ପଛକୁ ଠେଲିବାକୁ ହେଲେ ସୂତା ଖିଏ ଭଳି ଅଭିବୃଦ୍ଧିକୁ ଏକ ବସ୍ତ୍ରରେ ପରିଣତ କରିବାକୁ ହେବ ଏବ˚ ସେଥିପାଇଁ ସରକାରୀ ବ୍ୟୟରେ ଆବଶ୍ୟକ ବୃଦ୍ଧି ଘଟାଇବାକୁ ହେବ।