ହୁଗୁଳା ବଳୟ

ଆମେରିକାର ଅର୍ଥନୀତି ୧୯୩୦ ଦଶକରେ ଯେତେବେଳେ ଏକ ମହା ଅବପାତ କବଳରେ ପଡ଼ି ଛଟପଟ ହେଉଥିଲା, ସେତେବେଳେ ଶୁଖି ଯାଇଥିବା ନଳକୂପରେ ବାହାର ପାଣି ଭର୍ତ୍ତି କରି ସେଥିରେ ପୁଣି ଜଳପ୍ରବାହ ସକ୍ରିୟ କରାଯାଉଥିବା ଭଳି ସରକାରୀ ବ୍ୟୟ ବୃଦ୍ଧି ମାଧୢମରେ ଅର୍ଥନୀତିର ଶୁଷ୍କ ଚାହିଦା ପାର୍ଶ୍ବକୁ ପରିପୁଷ୍ଟ କରି ଚାହିଦା-ଯୋଗାଣ-ନିଯୁକ୍ତି-ଆୟ-ଚାହିଦା ଚକ୍ରକୁ ପୁଣି ସକ୍ରିୟ କରିବାକୁ ଯୋଜନାବଦ୍ଧ ଭାବରେ ଉଦ୍ୟମ କରାଯାଇଥିଲା। ଏହାର ଅ˚ଶ ସ୍ବରୂପ ୧୯୩୩ରୁ ୧୯୩୬ ମଧୢରେ ସେ ଦେଶରେ ମୋଟ ସରକାରୀ ବ୍ୟୟରେ ପ୍ରାୟ ୫୦ ଶତା˚ଶ ବୃଦ୍ଧି ଘଟିବା ଦେଖା ଯାଇଥିଲା। ତିନି ବର୍ଷର ଏଭଳି ନଳକୂପରେ ପାଣି ଭର୍ତ୍ତି କରିବା (‘ପମ୍ପ୍‌ ପ୍ରାଇମିଙ୍ଗ୍‌’) ପରେ ସେ ଦେଶର ଜାତୀୟ ଆୟ ଓ ଜାତୀୟ ଖାଉଟି ଖର୍ଚ୍ଚରେ ମଧୢ ପ୍ରାୟ ୫୦ ଶତା˚ଶ ବୃଦ୍ଧି ଘଟିବା ଦେଖା ଯାଇଥିଲା। ଏହା ସତ୍ତ୍ବେ କିନ୍ତୁ ସେଠାରେ ଏକ ଉତ୍କଟ ବେକାରି ସମସ୍ୟା ନଛୋଡ଼ବନ୍ଦା ହୋଇ ତଥାପି ବିରାଜମାନ ଥିଲା, ଯାହା ସରକାରୀ ନୀତି ନିର୍ଦ୍ଧାରକମାନଙ୍କୁ ତଥା ଏଭଳି ନୀତିର ବୌଦ୍ଧିକ ପିତା ମହାନ୍‌ ବ୍ରିଟିସ୍‌ ଅର୍ଥନୀତିଜ୍ଞ ଜନ୍‌ ମେନାର୍ଡ କେନ୍‌ସଙ୍କୁ ଚିନ୍ତାରେ ପକାଇ ଦେଇଥିଲା।

‘ପମ୍ପ୍‌ ପ୍ରାଇମିଙ୍ଗ୍‌’ର ଏପରି ଆ˚ଶିକ ବିଫଳତାର ଅନୁଶୀଳନ କରାଯାଇ ଯେଉଁ କେତେକ କାରଣ ଆବିଷ୍କାର କରାଯାଇଥିଲା, ସେଥିରୁ ଅନ୍ୟତମ ଥିଲା ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍‌ ବ୍ୟବସ୍ଥା (ଆମ ରିଜର୍ଭ ବ୍ୟାଙ୍କ୍‌ର ସମତୁଲ୍ୟ ଅନୁଷ୍ଠାନ)ର ଏକ ଅସ୍ଥିମଜ୍ଜାଗତ ଭୟ- ମୁଦ୍ରାସ୍ଫୀତି ପ୍ରତି। ଏକ ନିମ୍ନମୁଖୀ ଅର୍ଥନୈତିକ ଅବପାତର ମଝିରେ ଥାଇ, ଯେତେବେଳେ ସମସ୍ତ ଦରଦାମ୍‌ ତଳ ମୁହାଁ ହୋଇଥାନ୍ତି, ମଧୢ ମୁଦ୍ରାସ୍ଫୀତିର ସମ୍ଭାବନା ପ୍ରତି ‘ଫେଡେରାଲ୍‌ ରିଜର୍ଭ ବୋର୍ଡ‌୍‌’ର ଏଭଳି ଭୟ ପରବର୍ତ୍ତୀ ସମୟରେ ପର୍ଯ୍ୟବେକ୍ଷକମାନଙ୍କୁ ବେଶ୍‌ ଆମୋଦିତ କରିଆସିଥିଲେ ହେଁ, ସେ ସମୟରେ ତାହାହିଁ ଥିଲା ସତ୍ୟ, ଯେଉଁଥି ଯୋଗୁଁ ଆମେରିକାର ବ୍ୟାଙ୍କ୍‌ମାନଙ୍କୁ ଋଣ ପ୍ରଦାନରୁ ନିରୁତ୍ସାହିତ କରିବା ପାଇଁ ଫେଡେରାଲ୍‌ ରିଜର୍ଭ ଆବଶ୍ୟକ ନୀତି ଅବଲମ୍ବନ କରିଥିଲା।

ଚୀନା କରୋନା ଦ୍ବାରା ଗୁରୁତର ଆହତ ହୋଇ ପଡ଼ିଥିବା ଭାରତୀୟ ଅର୍ଥନୀତି ବର୍ତ୍ତମାନ ଯେଉଁ ଏକ ଦ୍ବନ୍ଦ୍ବର ସମ୍ମୁଖୀନ ହୋଇଛି, ତାହାର ସେ ସମୟର ଆମେରିକାରେ ଦେଖାଯାଇଥିବା ଏହି ସ˚ଶୟ ସହିତ ଏଭଳି ସାମଞ୍ଜସ୍ୟ ରହିଛି ଯେ ମନେ ହେଉଛି, ଏଠାରେ ଇତିହାସର ପୁନରାବୃତ୍ତି ହେଉନାହିଁ ତ? ଆମ ଅର୍ଥନୀତିର ଚାହିଦା ପାର୍ଶ୍ବ କୋଭିଡ୍‌ ମାଡ଼ ଯୋଗୁଁ ଯେ ଅତ୍ୟନ୍ତ ଦୁର୍ବଳ ହୋଇ ଯାଇଛି, ଏହା ଜଣାଶୁଣା, ଏବ˚ ଏହାର ପୁନରୁଦ୍ଧାର ପାଇଁ ଯେ ସରକାରଙ୍କ ତରଫରୁ ଏକ ଲଗାତାର ତଥା ବିଶାଳ ଆକାରର ‘ପମ୍ପ୍‌ ପ୍ରାଇମିଙ୍ଗ୍‌’ର ଆବଶ୍ୟକତା ରହିଛି, ଏହା ମଧୢ ଆମ ନୀତି ନିର୍ଦ୍ଧାରକମାନଙ୍କୁ ବେଶ୍‌ ଜଣା। କରୋନା ଯୋଗୁଁ ପୂର୍ବରୁ ଅର୍ଥନୀତିରେ ସକ୍ରିୟ ଥିବା ଯୋଗାଣ ଶୃଙ୍ଖଳ ମଧୢ ଅନେକା˚ଶରେ ଧ୍ବସ୍ତ ବିଧ୍ବସ୍ତ ହୋଇ ପଡ଼ିଛି। ବୃହତ୍‌ ସରକାରୀ ଖର୍ଚ୍ଚ ଯୋଗୁଁ ଚାହିଦାରେ ସ୍ଫୀତି ଘଟିବା ପରେ ଯୋଗାଣ ଯଦି ତା’ ସହିତ ସାବଲୀଳ ଭାବରେ ତାଳ ଦେଇ ନପାରେ, ତା’ହେଲେ ପରିଣାମ ସ୍ବରୂପ ଦରଦାମ୍‌ରେ ବୃଦ୍ଧି ଘଟିବ ଅର୍ଥାତ୍‌ ମୁଦ୍ରାସ୍ଫୀତି ପରିସ୍ଥିତି ଖରାପ ହେବ ବୋଲି ଏକ ଆଶଙ୍କା ଏଠାରେ ନୀତି ନିର୍ଦ୍ଧାରକମାନଙ୍କ ମନରେ ସେଇ ଭଳି ଛକି ରହିଛି, ଯେଉଁଭଳି ସେ ସମୟରେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍‌କୁ ବିବ୍ରତ କରିଥିଲା।
ଭାରତରେ ବିଗତ ପାଞ୍ଚବର୍ଷ ଧରି ବଳବତ୍ତର ଥିବା ଏକ ବିଧିବଦ୍ଧ ‘ମୁଦ୍ରାସ୍ଫୀତି ନିଶାଣ ନୀତି’ (‘ଇନ୍‌ଫ୍ଲେସନ୍‌ ଟାର୍ଗେଟିଙ୍ଗ୍‌ ପଲିସି’) ହେଉଛି ସେମାନଙ୍କୁ ଏଭଳି ସ˚କଟରେ ପକାଇବାର ଅନ୍ୟତମ ମୁଖ୍ୟ କାରଣ। କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ୍‌ ମଧୢରେ ପାଞ୍ଚ ବର୍ଷ ତଳେ ହୋଇଥିବା ରାଜିନାମା ଅନୁସାରେ ଦେଶରେ ମୁଦ୍ରାସ୍ଫୀତି ହାରକୁ ପାଞ୍ଚ ବର୍ଷ ପାଇଁ (୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ) ବାର୍ଷିକ ୪ ଶତା˚ଶ ହାରରେ ସ୍ଥିର ରଖିବା ହେଉଛି ରିଜର୍ଭ ବ୍ୟାଙ୍କ୍‌ର ଦାୟିତ୍ବ। ଅବଶ୍ୟ ଏହି ହାର ଉପରକୁ ୨ ଶତା˚ଶ ଓ ତଳକୁ ୨ ଶତା˚ଶ ବଳୟ ଅର୍ଥାତ୍‌ ୬ ଶତା˚ଶ ଓ ୨ ଶତା˚ଶ ବଳୟ ମଧୢରେ ଦୋଳାୟମାନ ହେବା ଏହି ରାଜିନାମା ଅନୁଯାୟୀ ଗ୍ରହଣୀୟ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଏହି ସମୟ କାଳ ମଧୢରେ ରିଜର୍ଭ ବ୍ୟାଙ୍କ୍‌ ନିଜର ଦାୟିତ୍ବ ପ୍ରାୟ ସୁଚାରୁ ରୂପେ ନିର୍ବାହ କରିଛି। ଯଦିବା କୋଭିଡ୍‌ ପ୍ରଭାବରେ ମୁଦ୍ରାସ୍ଫୀତି ହାର ସାମୟିକ ଭାବରେ ଏକଦା ୬ ଶତା˚ଶ ସୀମା ଅତିକ୍ରମ କରିଥିଲା, ସଦ୍ୟତମ ସୂଚନା ଅନୁସାରେ ତାହା ପୁଣି ଖସି ଆସି ସୁନା ପିଲାଟି ପରି ପୁଣି ପ୍ରାୟ ୪ ଶତା˚ଶରେ ସନ୍ତୁଳନ ରକ୍ଷା କରିଛି।

କିନ୍ତୁ ସମସ୍ୟା ହେଲା ଅର୍ଥନୀତିର ପୁନଃ ଜାଗରଣ ପାଇଁ ରିଜର୍ଭ ବ୍ୟାଙ୍କ୍‌ ଯଦି ସୁଧହାରରେ ସ୍ଖଳନ ଘଟାଏ ଏବ˚ ବ୍ୟାଙ୍କ୍‌ ଋଣ ପ୍ରଦାନ ବ୍ୟବସ୍ଥାକୁ କୋହଳ କରେ, ତେବେ ନିକଟ ଭବିଷ୍ୟତରେ ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟି ୬ ଶତା˚ଶ ଉପର ସୀମାକୁ ଅତିକ୍ରମ କରିଯାଇପାରେ। ଏହା ଘଟାଇ ନ ଦେବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ଯଦି ୧୯୩୦ ଦଶକର ଆମେରିକୀୟ ଫେଡେରାଲ୍‌ ରିଜର୍ଭ ପରି ଏକ ରକ୍ଷଣଶୀଳ ମୁଦ୍ରାନୀତି ଅନୁସରଣ କରେ, ତା’ହେଲେ ଏଠାରେ ମଧୢ ଅର୍ଥନୀତିର ପୁନରୁଦ୍ଧାର ବିଳମ୍ବିତ ହେବ ଏବ˚ ବେକାରି ସମସ୍ୟାରେ ଆଶାଜନକ ଉନ୍ନତି ଘଟିବ ନାହିଁ।
ଏହି ପରିପ୍ରେକ୍ଷୀରେ ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାଞ୍ଚବର୍ଷିଆ ଇନ୍‌ଫ୍ଲେସନ୍‌ ଟାର୍ଗେଟିଙ୍ଗ୍‌ ପଲିସିର ଆସନ୍ତା ମାସରେ କଣ୍ଟ ପୂରୁଥିବାରୁ ତାହାର ପୁନଃ ସମୀକ୍ଷା ହେବାକୁ ଯାଉଛି ବୋଲି ଯେଉଁ ଘୋଷଣା କରିଛନ୍ତି, ତାହା ଭାରତୀୟ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି। ୨୦୨୦-୨୧ରେ କେନ୍ଦ୍ର ସରକାର ୧୨.୮ ଲକ୍ଷ କୋଟି ଟଙ୍କାର ମୋଟ ଋଣ କରିଛନ୍ତି। କୋଭିଡ୍‌ ଯୋଗୁଁ ଟିକସ ସ˚ଗ୍ରହ କମିବା ସହିତ ସ୍ବାସ୍ଥ୍ୟ ଓ ସାମାଜିକ ନିରାପତ୍ତା ବାବଦରେ ଖର୍ଚ୍ଚ ବୃଦ୍ଧିର ସମ୍ମୁଖୀନ ହୋଇ ସରକାରଙ୍କୁ ଏପରି ବିଶାଳ ଋଣ କରିବାକୁ ପଡ଼ିଥିଲା। ୨୦୨୧-୨୨ ବର୍ଷ ପାଇଁ ମଧୢ ସରକାର ୧୨ ଲକ୍ଷ କୋଟି ଟଙ୍କାର ଋଣ ବୋଝ ସୃଷ୍ଟି କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ଏଥିସହିତ ୨୦୨୫-୨୬ ମଧୢରେ ରାଜକୋଷୀୟ ନିଅଣ୍ଟ ଅନୁପାତକୁ ବର୍ତ୍ତମାନର ୯.୫ ଶତା˚ଶରୁ ହ୍ରାସ କରି ୪.୫ ଶତା˚ଶ ସ୍ତରରେ ରଖିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତେବେ ଅର୍ଥନୀତିର ଶକ୍ତି ଫେରିଲେ ହିଁ ସରକାର ନିଜର ନିଅଣ୍ଟ ସୀମିତ କରିବାରେ ସଫଳ ହେବେ; ଏବ˚ ସେଥିପାଇଁ ସାମୟିକ ଭାବରେ ସରକାରୀ ଖର୍ଚ୍ଚ ବୃଦ୍ଧି କରି ସାମାନ୍ୟ ଅଧିକ ମୁଦ୍ରାସ୍ଫୀତି ଚାପ ସହିବାକୁ ଆମେ ପ୍ରସ୍ତୁତ ହେବାକୁ ପଡ଼ିବ।

ଏସବୁକୁ ବିଚାରକୁ ନେଲେ, ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ୍‌କୁ ଫଳପ୍ରଦ ଭାବରେ କାର୍ଯ୍ୟ କରିବାରେ ସହାୟକ ହେବା ପାଇଁ ବର୍ତ୍ତମାନର ମୁଦ୍ରାସ୍ଫୀତି ବଳୟକୁ ପୁନଃ ସମୀକ୍ଷା ସମୟରେ ଆଉ ଟିକେ ହୁଗୁଳା କରି ୨-୬ ଶତା˚ଶ ସ୍ଥାନରେ ହୁଏତ ୨-୭ ଶତା˚ଶ କରିବା ଉଚିତ ହେବ- ମଧୢମ ହାର ହେବ: ୪.୫ ଶତା˚ଶ। ଏଠାରେ ଯାହା ଅନୁସରଣୀୟ ହେବା ଉଚିତ, ତାହା ହେଉଛି ୧୯୨୩ରେ ଖୋଦ କେନ୍‌ସ ଦେଇଥିବା ଉପଦେଶ: ‘ମୁଦ୍ରାସ୍ଫୀତି ହେଉଛି ଅନ୍ୟାୟ ଏବଂ ଅବସ୍ଫୀତି ହେଉଛି ଅବାଂଛିତ। ଦୁଇଟି ମଧ୍ୟରୁ ଅବସ୍ଫୀତି ହେଉଛି ଅଧିକ କ୍ଷତିକାରକ।’

ସମ୍ବନ୍ଧିତ ଖବର