ଶସ୍ତା ତୁଳା ଇତିହାସ ସାରା ପାଶ୍ଚାତ୍ୟ ବସ୍ତ୍ର ଶିଳ୍ପ ପାଇଁ ଏକ ଦୁର୍ବାର ଆକର୍ଷଣ ହୋଇ ରହି ଆସିଛି। ଏମାନଙ୍କର ତୁଳା କ୍ଷୁଧା ମେଣ୍ଟାଇବା ପାଇଁ ଆମେରିକାର ଦକ୍ଷିଣ ରାଜ୍ୟମାନେ ବସ୍ତୁତଃ କୃଷ୍ଣକାୟ ଆଫ୍ରିକୀୟ କ୍ରୀତଦାସମାନଙ୍କ ପିଠି ଉପରେ ସେମାନଙ୍କର କପା ଚାଷ ଚଳାଇ ଥିବା ବେଳେ ଭାରତରୁ ଶସ୍ତାରେ ତୁଳା ସ˚ଗ୍ରହ ଉଦ୍ଦେଶ୍ୟରେ ଇ˚ରେଜ ସରକାର ଏକ ଅଭିନବ ଉପାୟ ଅବଲମ୍ବନ କରିଥିଲେ। ଭାରତର ଔପନିବେଶକ ବ୍ରିଟିସ୍ ସରକାର ୧୮୮୭ ସାଲରେ ‘ବେରାର୍ କଟନ୍ ଆଣ୍ତ୍ ଗ୍ରେନ୍ ମାର୍କେଟ୍ ଆକ୍ଟ’ (ବେରାର୍ କାର୍ପାସ ଓ ଶସ୍ୟ ବଜାର ଆଇନ, ୧୮୮୭) ପ୍ରଣୟନ କରିଥିଲେ, ଯାହା ବଳରେ ଆଞ୍ଚଳିକ ଶାସକ ବ୍ରିଟିସ୍ ରେସିଡେଣ୍ଟ୍ ନିୟନ୍ତ୍ରିତ ବଜାର ପ୍ରତିଷ୍ଠା କରି କେବଳ ସେଇଠାରେ ହିଁ ନିର୍ଦ୍ଧାରିତ ନୀଚା ଦରରେ ସେମାନଙ୍କ କପା ବିକ୍ରି କରିବା ପାଇଁ ଭାରତୀୟ କପା ଚାଷୀମାନଙ୍କୁ ବାଧୢ କରି ପାରିଲେ (ବର୍ତ୍ତମାନ ବହୁ ଚର୍ଚ୍ଚିତ ‘ଏପିଏମ୍ସି’ ମଣ୍ତିର ପ୍ରଥମ ଅବତାର)। ଏହା ଆମେରିକୀୟ କ୍ରୀତଦାସ ପ୍ରଥାର ଏକ ପରୋକ୍ଷ ସ˚ସ୍କରଣ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।
ବର୍ତ୍ତମାନର ପାଶ୍ଚାତ୍ୟ ସମାଜ ନିଜକୁ ଯେତେ ଉଦାରପନ୍ଥୀ ବୋଲି ପ୍ରଦର୍ଶିତ କରିବାକୁ ଚେଷ୍ଟା କରୁଥିଲେ ହେଁ ସେମାନଙ୍କ ବସ୍ତ୍ର ଶିଳ୍ପ ଓ ଦାସ ପ୍ରଥା ମଧୢରେ ସମ୍ପର୍କ ପୂର୍ବଭଳି ଯେ ଅବିଚ୍ଛେଦ୍ୟ ରହି ଆସିଛି, ବର୍ତ୍ତମାନ ପ୍ରକାଶ ପାଇ ଚାଲିଥିବା ଚୀନ୍ର ଉଇଘୁର୍ ଅଞ୍ଚଳରେ ଉତ୍ପନ୍ନ କପା ଓ ସମଗ୍ର ପାଶ୍ଚାତ୍ୟ ବସ୍ତ୍ର ଶିଳ୍ପ ମଧୢରେ ଥିବା ଘନିଷ୍ଠ ସମ୍ପର୍କରୁ ତାହା ପ୍ରମାଣିତ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ସାରା ପୃଥିବୀରେ ଉତ୍ପନ୍ନ ହେଉଥିବା କପାର ଏକ ପଞ୍ଚମା˚ଶ ଚୀନ୍ରେ ଉତ୍ପନ୍ନ ହୋଇଥାଏ ଏବ˚ ଚୀନ୍ରେ ଉତ୍ପନ୍ନ ହେଉଥିବା ସମୁଦାୟ କପାର ପ୍ରାୟ ୮୫ ଶତା˚ଶ ଉତ୍ପନ୍ନ ହୋଇଥାଏ ସେ ଦେଶର ପଶ୍ଚିମାଞ୍ଚଳରେ ଅବସ୍ଥିତ ସ˚ଖ୍ୟାଲଘୁ ମୁସଲମାନ ଉଇଘୁର୍ମାନେ ବସବାସ କରୁଥିବା ଜିନ୍ ଜିଆଙ୍ଗ୍ ପ୍ରଦେଶରେ। ଏବ˚ ଏ ଅଞ୍ଚଳରୁ ଆମଦାନି ହେଉଥିବା କାର୍ପାସ ପ୍ରାୟ ସମସ୍ତ ନାମୀଦାମୀ ପାଶ୍ଚାତ୍ୟ ପୋଷାକ ନିର୍ମାଣକାରୀ କମ୍ପାନିମାନଙ୍କର ପୋଷାକର ଉପାଦାନ ରୂପେ ବ୍ୟବହୃତ ହୋଇଥାଏ। ଏଥିରେ କିଛି ଅସୁବିଧା ନଥାନ୍ତା ଯଦି ଜିନ୍ ଜିଆଙ୍ଗ୍ର କପା କ୍ଷେତ ମାନଙ୍କରେ ଯେଉଁମାନେ ପିଠିଭଙ୍ଗା ପରିଶ୍ରମ କରି ସେ ତୁଳା ଉତ୍ପନ୍ନ କରନ୍ତି, ସେମାନେ ପ୍ରାୟ ସମସ୍ତେ ସ˚ଖ୍ୟାଲଘୁ ଉଇଘୁର ହୋଇ ନଥାନ୍ତେ, ଯେଉଁମାନଙ୍କୁ ଜୋର ଜବରଦସ୍ତ ଚୀନା ସରକାର ସେ କାର୍ଯ୍ୟରେ ନିୟୋଜିତ କରିଛନ୍ତି।
ଉଇଘୁରମାନଙ୍କ ନିକଟ ଅତୀତର ଇତିହାସର ଆରମ୍ଭ ସମୟ ୨୦୧୩ ବୋଲି ଧରାଯାଇ ପାରେ। ସେ ବର୍ଷ ଉଇଘୁର ବିଚ୍ଛିନ୍ନତାବାଦୀ ଇସଲାମୀୟ ଚରମପନ୍ଥୀମାନେ ରାଜଧାନୀ ବେଜି˚ରେ ପଥଚାରୀମାନଙ୍କ ଉପରେ ଏକ ବର୍ବର ଆକ୍ରମଣ କରିଥିଲେ, ଯାହାର ପର ବର୍ଷ ସୁଦୂର କୁନ୍ମିଙ୍ଗ୍ ସହରରେ ତାହାର ପୁନରାବୃତ୍ତି ଘଟିଥିଲା। ଚୀନ୍ ଏକ ସହନଶୀଳ ଗଣତନ୍ତ୍ର ନୁହେଁ, ତାହା ହେଉଛି ଏକ କମ୍ୟୁନିଷ୍ଟ ଏକଛତ୍ର ଶାସନାଧୀନ ଦେଶ। ଇସଲାମୀୟ ଚରମପନ୍ଥୀମାନଙ୍କର ଏହି ଆକ୍ରମଣର ପ୍ରତିକ୍ରିୟାରେ ୨୦୧୬ ଠାରୁ ଜିନ୍ ଜିଆଙ୍ଗ୍ ପ୍ରଦେଶରେ ‘ପୁନଃ ଶିକ୍ଷା ଶିବିର’ (ରିଏଜୁକେସନ କ୍ୟାମ୍ପ) ମାନ ପ୍ରତିଷ୍ଠା କରି ପ୍ରତ୍ୟେକ ସନ୍ଦିଗ୍ଧ ଆଚରଣ ପ୍ରଦର୍ଶନ କରୁଥିବା ଉଇଘୁର ମୁସଲମାନ ବ୍ୟକ୍ତିଙ୍କୁ ଜବରଦସ୍ତ ଉଠାଇ ନେଇ ସରକାର ଏହି ଶିବିରରେ ଭର୍ତ୍ତି କରି ଦେଉଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ଦଶ ଲକ୍ଷ ଉଇଘୁର ଏ ଭଳି ଶିବିରମାନଙ୍କରେ ବନ୍ଦୀ ଅବସ୍ଥାରେ ରହି ନୂତନ ଶିକ୍ଷା ଲାଭ କରିବାରେ ଲାଗିଛନ୍ତି। ସେଠାରେ ସେମାନେ ନିଜର ଧର୍ମ ଓ ସା˚ସ୍କୃତିକ ପରିଚୟ ଯେପରି ସମ୍ପୂର୍ଣ୍ଣ ରୂପେ ପାଶୋରି ଯାଇ ଚୀନ୍ର କମ୍ୟୁନିଷ୍ଟ ପାର୍ଟି ପ୍ରତି ସମ୍ପୂର୍ଣ୍ଣ ଆନୁଗତ୍ୟ ପ୍ରଦର୍ଶନ କରନ୍ତି, ତାହା ନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ଦୈହିକ ଓ ମନସ୍ତାତ୍ତ୍ବିକ କୌଶଳ ସେମାନଙ୍କ ପ୍ରତି ପ୍ରୟୋଗ କରାଯାଉଛି।
ଚୀନା ସରକାର ଜିନ୍ ଜିଆଙ୍ଗ୍ ପ୍ରଦେଶରେ ତଥାକଥିତ ଦାରିଦ୍ର୍ୟ-ଦୂରୀକରଣ ଯୋଜନା ନାମରେ ଉଇଘୁର୍ମାନଙ୍କୁ ବାଧୢତାମୂଳକ ଭାବରେ ବିଭିନ୍ନ ପ୍ରକାର ଶ୍ରମଭିତ୍ତିକ କର୍ମସ୍ଥଳୀରେ ସ୍ଥାପନ କରୁଛନ୍ତି। ଏଇ ବାହାନାରେ ସେମାନଙ୍କୁ ନିଜ ନିଜର ପରିବାରଠାରୁ କେବଳ ଯେ ଛଡ଼ାଇ ନିଆଯାଉଛି, ତାହା ନୁହେଁ, ପୂର୍ବରୁ ସମ୍ମାନଜନକ କାର୍ଯ୍ୟରେ ନିଯୁକ୍ତ ଥିବା ଦପ୍ତର କାର୍ଯ୍ୟ କରୁଥିବା ଉଇଘୁର୍ମାନଙ୍କୁ ସେଠାରୁ ବାହାର କରି ନେଇ ବିଭିନ୍ନ ଶାରୀରିକ ଶ୍ରମ ଭିତ୍ତିକ କାର୍ଯ୍ୟରେ ନିୟୋଜିତ କରିଦିଆଯାଉଛି। ‘ପୁନଃ ଶିକ୍ଷା ଶିବିର’ମାନଙ୍କରେ ସରକାର ଚଳାଇଥିବା ‘ମସ୍ତିଷ୍କ ସଫେଇ’ କାର୍ଯ୍ୟକୁ ଯେପରି ‘କର୍ମ ତାଲିମ’ର ଛଦ୍ମନାମ ପ୍ରଦାନ କରାଯାଇଛି, ଏଭଳି ଦାସତ୍ବ ପରିଚୟ ବାଧୢତାମୂଳକ ଶ୍ରମ ଆଦାୟକୁ ସେହିପରି ‘ଦାରିଦ୍ର୍ୟ ଦୂରୀକରଣ’ ଭଳି ଛଦ୍ମନାମ ପ୍ରଦାନ କରାଯାଇଛି। ଅତୀତରେ ପଲ୍ ପଟ୍ଙ୍କର ଅତ୍ୟାଚାରୀ ଏକଛତ୍ରବାଦୀ ଶାସନ ସମୟରେ କାମ୍ବୋଡ଼ିଆରେ ଯେପରି ଦେଖା ଯାଇଥିଲା କିମ୍ବା ମାଓଙ୍କ ସମୟରେ ଚୀନ୍ରେ ଯେପରି ଦେଖା ଯାଇଥିଲା, ଶିକ୍ଷିତ, କୁଶଳୀ ଉଇଘୁର୍ମାନଙ୍କୁ ସେମାନଙ୍କ ବୃତ୍ତିରୁ ଭିଡ଼ିନେଇ କପା ଚାଷ ଭଳି କଠିନ ଅଣକୁଶଳୀ କାର୍ଯ୍ୟରେ ଲଗାଇ ଦିଆଯାଉଛି। କେବଳ ଯେ ଉପରୋକ୍ତ ‘ପୁନଃ ଶିକ୍ଷା ଶିବିର’ମାନଙ୍କରୁ ଅନ୍ତେବାସୀମାନଙ୍କୁ କପା କିଆରିକୁ ପଠାଇ ଦିଆଯାଉଛି, ତାହା ନୁହେଁ, ସେ ଶିବିର ବାହାରେ ଥିବା ଗାଁ ଗଣ୍ତାରୁ ମଧୢ ଲୋକମାନଙ୍କୁ ନେଇ ଯାଇ ଦାରିଦ୍ର୍ୟ ଦୂରୀକରଣ ନାମରେ କପା ଚାଷରେ ଲଗାଇ ଦିଆଯିବାର ଖବର ପ୍ରକାଶ ପାଉଛି। ଉଇଘୁର୍ମାନଙ୍କ ଚାରିତ୍ରିକ ଆଳସ୍ୟକୁ ଦୂର କରି ସେମାନଙ୍କ ମଧୢରେ ଏକ ଉତ୍ପାଦନଶୀଳ କର୍ମସ˚ସ୍କୃତି ରୋପଣ କରିବା ପାଇଁ ସରକାର ଏପରି ପଦକ୍ଷେପ ନେଉଛନ୍ତି ବୋଲି କହୁଛନ୍ତି। ଯେହେତୁ ଅଳସୁଆର ମସ୍ତିଷ୍କ ହେଉଛି ସଇତାନର ବାସସ୍ଥଳୀ, ସେମାନଙ୍କୁ ଏପରି କଠିନ ପରିଶ୍ରମରେ ସର୍ବଦା ବୁଡ଼ାଇ ରଖିଲେ, ସେମାନେ ଆଉ ବିଚ୍ଛିନ୍ନତାବାଦ ଏବ˚ ଇସଲାମୀୟ ଆତଙ୍କବାଦ ବା ଜିହାଦ ସମ୍ବନ୍ଧରେ ଚିନ୍ତା କରିବାକୁ ବେଳ ପାଇବେ ନାହିଁ ବୋଲି ସରକାର ବିଶ୍ବାସ କରୁଛନ୍ତି।
‘ସେଣ୍ଟର୍ ଫର୍ ଗ୍ଲୋବାଲ୍ ପଲିସି’ ନାମକ ଏକ ଆମେରିକୀୟ ଚିନ୍ତନ ସ˚ସ୍ଥା ଦ୍ବାରା ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୧୮ କପା ତୋଳା ଋତୁରେ ତିନିଟି ଉଇଘୁର୍ ଅଞ୍ଚଳରୁ ପ୍ରାୟ ୫,୭୦,୦୦୦ ସ˚ଖ୍ୟକ ଲୋକଙ୍କୁ ସରକାର ବାଧୢତାମୂଳକ ଭାବରେ କପା ତୋଳିବା କାର୍ଯ୍ୟରେ ନିୟୋଜିତ କରିଥିଲେ। ଉପଲବ୍ଧ ସରକାରୀ ନଥି ସବୁର ଅନୁଧୢାନ କରି ଏହି ସ˚ସ୍ଥା ଏହି ତଥ୍ୟ ଆବିଷ୍କାର କରିଥିଲା। ଉଲ୍ଲେଖ ନିଷ୍ପ୍ରୟୋଜନ ଏହି ବାଧୢତାମୂଳକ ଶ୍ରମିକମାନଙ୍କୁ ସେମାନଙ୍କର ଶ୍ରମ ବଦଳରେ ଉପଯୁକ୍ତ ପାରିଶ୍ରମିକ ପ୍ରଦାନ କରାଯାଇ ନଥାଏ। ଏଣୁ ଏହା ଏକ ବିଶୁଦ୍ଧ ଆଧୁନିକ ଦାସ ପ୍ରଥା ଛଡ଼ା ଆଉ କିଛି ନୁହେଁ।
ଏହି ଦାସ ପ୍ରଥା ସାହାଯ୍ୟରେ ଉପୁଜୁଥିବା ତୁଳା ପ୍ରାୟ ସମସ୍ତ ପାଶ୍ଚାତ୍ୟ ବସ୍ତ୍ର ନିର୍ମାତା ଓ ଫେସନ୍ ବ୍ରାଣ୍ତ୍ମାନଙ୍କ ଦ୍ବାରା ନିର୍ମିତ ପୋଷାକପତ୍ର ଓ ଅନ୍ୟାନ୍ୟ ପଦାର୍ଥମାନଙ୍କର ଅବିଚ୍ଛେଦ୍ୟ ଅ˚ଶ ହୋଇଥାଏ- ‘ନାଇକି’ରୁ ଆରମ୍ଭ କରି ‘ଜାରା’, ‘ଆଡିଡାସ୍’, ‘ଗ୍ୟାପ୍’- ପର୍ଯ୍ୟନ୍ତ। ଗୁରୁତ୍ବପୂର୍ଣ୍ଣ କଥା ହେଲା ଉଇଘୁର୍ମାନଙ୍କ ପ୍ରତି ଚୀନ୍ର ଆଚରଣ ବେଶ୍ କିଛି କାଳ ଧରି ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚାର ବିଷୟବସ୍ତୁ ହୋଇ ଆସିଥିଲେ ହେଁ ବିଲେଇ ଆଖି ବୁଜି ଦୁଧ ପିଇବା ଭଳି ଏହି କମ୍ପାନିମାନେ ଏ ବିଷୟରେ ଅବଗତ ନଥିବାର ଅଭିନୟ କରିଆସୁଥିଲେ। ଏହା ସମ୍ପୂର୍ଣ୍ଣ ସମ୍ଭବ ଯେଉଁ ପୋଷାକ ପରିଧାନ କରି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡୁ କିମ୍ବା କେତେକ ବ୍ରିଟିସ୍ ଲେବର ପାର୍ଟି ସା˚ସଦ ଭାରତ ସରକାର ପ୍ରବର୍ତ୍ତନ କରିଥିବା ପ୍ରଗତିଶୀଳ କୃଷି ସ˚ସ୍କାର ଆଇନ ବିେରାଧରେ ବିଷୋଦ୍ଗାର କରୁଥିଲେ, ସେଥିରୁ ଉଇଘୁର୍ କପା ଦାସତ୍ବର ଗନ୍ଧ ବାହାରୁ ଥିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/sampadakiya-logo-ff.jpg)