କରୋନାର ଛାୟାଗ୍ରସ୍ତ ୨୦୨୦ର ପୃଥିବୀରେ ଯଦି କେଉଁଠାରେ ଟିକିଏ ଆଲୋକର ଝଲକ ଦେଖିବାକୁ ମିଳିଥାଏ, ତାହା ହେଉଛି ବର୍ଷଟି ସମାପ୍ତ ହେବା ପୂର୍ବରୁ ଫଳପ୍ରଦ ପ୍ରତିଷେଧକର ଆବିର୍ଭାବ; ଯାହା ମାନବ ଜାତିର ପରିତ୍ରାଣ ଦିଗରେ ବିଶେଷ ଆଶା ସ˚ଚାର କରିଥାଏ। ସ୍ମରଣଯୋଗ୍ୟ ଯେ ଗଲା ଫେବ୍ରୁଆରି-ମାର୍ଚ୍ଚ ମାସରେ ଯେଉଁ ସମୟରେ କରୋନା ଏକ ବିଶ୍ବ ସ˚କ୍ରମଣର ରୂପ ପରିଗ୍ରହଣ କରି ସର୍ବତ୍ର ଗଣ ସ˚ହାରର ଲୀଳା ପ୍ରାରମ୍ଭ କରିଥିଲା, ସେହି ସମୟରେ ଏକ ପ୍ରତିଷେଧକର ତୁରନ୍ତ ଉଦ୍ଭାବନ ସ˚ଦର୍ଭରେ ମନ୍ତବ୍ୟ ପ୍ରଦାନ କରି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ଡବ୍ଲ୍ୟୁ.ଏଚ୍.ଓ.’ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ସନ୍ଦେହ ପ୍ରକଟ କରିଥିଲେ ଯେ ଏଭଳି କୌଣସି ଏକ ପ୍ରତିଷେଧକ ଏହି ବର୍ଷ ସମ୍ଭବ ହେବାର ଆଶା କ୍ଷୀଣ, କାରଣ ସାଧାରଣତଃ ଏକ ପ୍ରତିଷେଧକ ବ୍ୟବହାର ଲାଗି ପ୍ରସ୍ତୁତ ହେଲା ବେଳକୁ ପାଞ୍ଚ ବର୍ଷରୁ ଅଧିକ ସମୟ ଲାଗି ଯାଇଥାଏ। ଅବଶ୍ୟ, ସେତେ ବେଳକୁ ପ୍ରାୟ ଦୁଇ ଦଶନ୍ଧି ଧରି ‘ଫ୍ଲୁ’ ଏବ˚ ପରେ ‘ସାର୍ସ’ର ପ୍ରତିଷେଧକ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରି ସାରିଥିବାରୁ ‘ଅକ୍ସଫୋର୍ଡ୍ ବିଶ୍ବବିଦ୍ୟାଳୟ’ ଦ୍ବାରା ସର୍ବ ପ୍ରଥମେ ପ୍ରତିଷେଧକ ଟିକା ଆସିପାରେ ବୋଲି ଏକ ଧାରଣା ଜନ୍ମି ଥିଲା। ତେବେ ଅଗଷ୍ଟ-ସେପ୍ଟେମ୍ବର ମାସ ବେଳକୁ ଯେତେବେଳେ ସ˚କେତ ମିଳିବାକୁ ଲାଗିଲା ଯେ ‘ମଡର୍ନା’ ନାମକ ଏକ ଅଖ୍ୟାତ ଔଷଧ କ˚ପାନି ଏବ˚ ‘ଫାଇଜର’ ଦ୍ବାରା ଏକ ଅତ୍ୟନ୍ତ ଫଳପ୍ରଦ ପ୍ରତିଷେଧକ ସର୍ବ ପ୍ରଥମେ ଆତ୍ମପ୍ରକାଶ କରିବାକୁ ଯାଉଛି, ସେତେବେଳେ ତାହା ବିସ୍ମୟର କାରଣ ହୋଇଥିଲା।
କିନ୍ତୁ ଅଚିରେ ଏହା ସତ୍ୟ ବୋଲି ସାବ୍ୟସ୍ତ ହୋଇଛି ଏବ˚ ‘ଏମ୍-ଆର୍.ଏନ୍.ଏ.’ ନାମକ ଏକ ବାୟୋ-ପ୍ରଯୁକ୍ତିର ପ୍ରୟୋଗ ବଳରେ ପୃଥିବୀକୁ ରକ୍ଷା କରିବା ଲାଗି ଏକ ଅତ୍ୟନ୍ତ ଫଳପ୍ରଦ ଭ୍ୟାକ୍ସିନ ଅନେକ ଦେଶରେ କାର୍ଯ୍ୟରେ ଲାଗିଗଲାଣି। ‘ଏମ୍-ଆର୍.ଏନ୍.ଏ.’(mRNA) ବା ‘ମେସେଞ୍ଜର ଆର୍.ଏନ୍.ଏ.’ର ଓଡ଼ିଆ ଅର୍ଥ ହେବ ବାର୍ତ୍ତାବହ ଆର୍.ଏନ୍.ଏ. ଏବ˚ ଏହି ଆର୍.ଏନ୍.ଏ.ର ଗବେଷଣା ତଥା ଏହାର ବିକାଶ କ୍ଷେତ୍ରରେ ଅଗ୍ରଦୂତ ହେଉଛନ୍ତି କାଟାଲିନ କାରିଲ୍କୋ। ସେହି ଦୃଷ୍ଟିରୁ ଯଦି କାଟାଲିନ୍ କାର୍ଲିକୋଙ୍କୁ ଚଳିତ ବର୍ଷର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିତ୍ବ ରୂପେ ବିଚାର କରାଯାଏ, ତେବେ ହୁଏ’ତ ତହିଁରେ କେହି ଦ୍ବିମତ ହେବେ ନାହିଁ। ତା’ ସହିତ ଯାହା ଏଠାରେ ପ୍ରଣିଧାନ ଯୋଗ୍ୟ, ତାହା ହେଲା ଅନେକ ବର୍ଷ ହେଲା ‘ଏମ୍-ଆର୍.ଏନ୍.ଏ.’ ପ୍ରଯୁକ୍ତି ସନ୍ଦେହାସ୍ପଦ ଏବ˚ ପୃଥିବୀର ବିଶିଷ୍ଟ ବୈଜ୍ଞାନିକମାନଙ୍କ ଦ୍ବାରା ପ୍ରାୟ ପ୍ରତ୍ୟାଖ୍ୟାତ ହୋଇ ରହିଥିଲା; ଯାହା ସ˚ପ୍ରତି ପୃଥିବୀର ତ୍ରାଣକର୍ତ୍ତା ରୂପେ ଉଭା ହୋଇଛି। ସୁତରା˚, ‘ଏମ୍-ଆର୍.ଏନ୍.ଏ.’ର ଇତିହାସରେ କାଟାଲିନ କାରିଲ୍କୋଙ୍କ ଯେଉଁ ମର୍ମଦାହ ଏବ˚ ସ˚ଘର୍ଷର କାହାଣୀ ନିହିତ ରହିଛି ତାହା ଏକ ସ˚କ୍ଷିପ୍ତ ଆଲୋଚନାର ଅବକାଶ ସୃଷ୍ଟି କରିଥାଏ।
ପ୍ରତିଷେଧକ ଆବିଷ୍କାର ପଛରେ ରହିଥିବା ମୂଳ ତତ୍ତ୍ବଟି ହେଉଛି ଏକ ଉପାୟ ଅବଲମ୍ବନ କରି ମାନବ ଶରୀରରେ ରୋଗ ବିରୋଧରେ ବିପୁଳ ସ˚ଖ୍ୟକ ‘ଆଣ୍ଟିବଡି’ ସୃଷ୍ଟି କରିବା; ଯାହା ଶରୀରକୁ ସୁରକ୍ଷା ପ୍ରଦାନ କରିବା ଲାଗି ଏକ ଅତ୍ୟନ୍ତ ସମର୍ଥ ସୈନ୍ୟ ବାହିନୀ ଭଳି ଉପସ୍ଥିତ ରହି ରୋଗର ଭୂତାଣୁ ବା ବୀଜାଣୁ ଶରୀରରେ ପ୍ରବେଶ କଲା ମାତ୍ରକେ ତାର ବିନାଶ ସାଧନ କରିବ। ତେବେ ଉଲ୍ଲେଖଯୋଗ୍ୟ ହେଲା କୌଣସି ରୋଗର ପ୍ରତିଷେଧକ ଭାବେ ସେହି ନିର୍ଦ୍ଦିଷ୍ଟ ରୋଗକୁ ପ୍ରତିହତ କଲା ଭଳି ନିର୍ଦ୍ଦିଷ୍ଟ ଆଣ୍ଟିବଡି ଶରୀରରେ ଉପଲବ୍ଧ ହେବା ଆବଶ୍ୟକ। ସେହି ହିସାବରେ ‘ଏମ୍-ଆର୍.ଏନ୍.ଏ.’ ପଦ୍ଧତିର ଭୂମିକା ଉପରେ କିଞ୍ଚିତ ଆଲୋକପାତ କରାଯାଉ। ଏହି ପ୍ରଯୁକ୍ତିକୁ ଭୂତାଣୁ ବିରୋଧରେ ଏକ ଛଳ ଯୁଦ୍ଧ ବୋଲି କହିଲେ ଭୁଲ ହେବନାହିଁ। ଏହି ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ରୂପେ ବିକଶିତ କୃତ୍ରିମ ବା ‘ସି˚ଥେଟିକ୍ ଆର୍ଏନ୍ଏ’କୁ ଶରୀର ମଧୢରେ ପ୍ରବେଶ କରାଇ ଦିଆଯାଏ, ଯହିଁରୁ ଛଳନାପୂର୍ଣ୍ଣ ସ˚କେତ ପାଇ ଶରୀର ତା’ ଜୀବକୋଷରେ ‘ସ୍ପାଇକ୍ ପ୍ରୋଟିନ୍’ ବା ‘କଣ୍ଟକିତ ପ୍ରୋଟିନ୍’ ସୃଷ୍ଟି କରି ଚାଲେ, ଯାହା ଅଗତ୍ୟା ‘କୋଭିଡ୍-୧୯’ ଭୂତାଣୁ ଶରୀର ମଧୢରେ ପ୍ରବେଶ କଲେ ସୃଷ୍ଟି ହୁଅନ୍ତା। ସୁତରା˚ କୋଭିଡ୍ର ଅନୁପସ୍ଥିତିରେ ମଧୢ ଶରୀରରେ ତା’ ଦ୍ବାରା ସୃଷ୍ଟ ଉପସର୍ଗ ଦୃଶ୍ୟମାନ ହୋଇଥାଏ, ଯହିଁରେ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ବିଭ୍ରାନ୍ତିର ଶିକାର ହୋଇ ଭୂତାଣୁ ବିରୋଧରେ କାର୍ଯ୍ୟକ୍ଷମ ହେଲା ଭଳି ‘ଆଣ୍ଟିବଡି’ ତିଆରିରେ ଲାଗିଯାଏ। ସୁତରା˚, ଅବଲୀଳା କ୍ରମେ ଶରୀରଟି ଏଭଳି ଏକ ସୈନ୍ୟ ବାହିନୀ (ଆଣ୍ଟିବଡି) ଦ୍ବାରା ସଶକ୍ତ ହୋଇ ଉଠେ ଯେ ସତସତିକା କୋଭିଡ୍-୧୯ ଭୂତାଣୁ ପ୍ରବେଶ କଲା ମାତ୍ରକେ ପ୍ରତିଆକ୍ରମଣର ସମ୍ମୁଖୀନ ହୋଇ ବିନାଶ ଲାଭ କରେ।
ଉଲ୍ଲେଖଯୋଗ୍ୟ ଯେ ସ˚ପ୍ରତି ‘ଏମ୍-ଆର୍.ଏନ୍.ଏ.’ର ଚମକପ୍ରଦ ସଫଳତା ପୂର୍ବରୁ ତାହା ପ୍ରାୟ ଚାରି ଦଶନ୍ଧି ଧରି ବିଭିନ୍ନ ପ୍ରକାର ନିସ୍ପୃହତାର ଶିକାର ହୋଇ ଆସିଥିଲା। ‘ଏମ୍-ଆର୍.ଏନ୍.ଏ.’ ଗବେଷଣା କ୍ଷେତ୍ରରେ ସର୍ବାଧିକ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୬୫ ବର୍ଷ ବୟସ୍କା କାଟାଲିନ କାରିଲ୍କୋ ଏ ଦୀର୍ଘ ସମୟ ଧରି ଅନାଗ୍ରହ, ଅପମାନ, ବୃତ୍ତି ହରାଇବାର ଭୟ, ବିସ୍ଥାପନ ଓ କ୍ୟାନ୍ସର ସହ ସ˚ଘର୍ଷ କରି ଆସିଛନ୍ତି। ହଙ୍ଗେରୀରେ ଜନ୍ମ ଗ୍ରହଣ କରି ବଢ଼ିଥିବା କାରିଲ୍କୋ ନିଜ ଦାରିଦ୍ର୍ୟ ଓ ଗବେଷଣାଗତ ବାଧାବିଘ୍ନରୁ ମୁକ୍ତି ପାଇବା ଲାଗି ସେଠାରେ ନିଜ କାର୍କୁ ବିକ୍ରି କରି ତଦ୍ଦ୍ବାରା ଲବ୍ଧ କିଛି ଅର୍ଥ ନେଇ ଯୁକ୍ତରାଷ୍ଟ୍ର ଆମେରିକା ପଳାଇ ଆସିଥିଲେ। ଫିଲାଡେଲଫିଆର ଟେ˚ପଲ ବିଶ୍ବବିଦ୍ୟାଳୟରେ ସେ ନିଜର ଗବେଷଣା କାର୍ଯ୍ୟ ଆରମ୍ଭ କରି ଅନେକ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିଥିଲେ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାର ବିଶିଷ୍ଟ ବୈଜ୍ଞାନିକ ମଣ୍ତଳୀ ‘ଡିଏନ୍ଏର ଜେନେଟିକ୍ ଇ˚ଜିନିଅରି˚’ କ୍ଷେତ୍ରରେ ବ୍ୟାପୃତ ରହି ‘ଏମ୍-ଆର୍.ଏନ୍.ଏ.’ ଗବେଷଣା ଉପରେ ଗୁରୁତ୍ବ ପ୍ରଦାନ କରି ନ ଥିଲେ। ସେହି କାରଣରୁ ତାଙ୍କ ଗବେଷଣାକୁ ଅର୍ଥର ସ୍ରୋତ ଶୁଖି ଯାଇଥିଲା; ୧୯୯୦ ମସିହାରେ ତାଙ୍କୁ ଅଧୢାପକ ପଦରୁ ହଟାଇ ଦିଆଯାଇ ଏକ ଅଧସ୍ତନ ପଦରେ ଅବସ୍ଥାପିତ କରାଯାଇଥିଲା; ଯାହାକୁ ଅତ୍ୟନ୍ତ ଅପମାନିତ ହେବା ସତ୍ତ୍ବେ ସେ ସ୍ବୀକାର କରିବାକୁ ବାଧୢ ହୋଇଥିଲେ। କାରଣ, ତାହା ହୋଇ ନ ଥିଲେ ତାଙ୍କୁ ହୁଏତ ଆମେରିକାରୁ ବାଧୢତାମୂଳକ ଭାବେ ଦେଶାନ୍ତର କରି ହଙ୍ଗେରୀକୁ ପଠାଇ ଦିଆଯାଇଥାଆନ୍ତା। ଏବ˚ ସେହି ସମୟରେ ଏହା ମଧୢ ଦେଖିବାକୁ ମିଳିଥିଲା ଯେ ‘ଏମ୍-ଆର୍.ଏନ୍.ଏ.’ ପ୍ରଯୁକ୍ତିକୁ ପଶୁମାନଙ୍କ କ୍ଷେତ୍ରରେ ପ୍ରୟୋଗ କରି କିଛି ଗବେଷକ ଦୟନୀୟ ଭାବେ ବିଫଳ ହୋଇଥିଲେ। ସୁତରା˚, ‘ଏମ୍-ଆର୍.ଏନ୍.ଏ.’ ପ୍ରଯୁକ୍ତି ବିଶ୍ବାସ ହରାଇ ବସିବାକୁ ଲାଗିଥିଲା।
କିନ୍ତୁ ଏ ସବୁ ସତ୍ତ୍ବେ କାଟାଲିନ କାରିଲ୍କୋ ‘ଏମ୍-ଆର୍.ଏନ୍.ଏ.’ର ରୋଗ ଉପଶମକାରୀ ଉପଯୋଗ ଉପରେ ନିଜ ଆସ୍ଥା ଦୃଢ଼ମୂଳ କରି ରଖିଥିଲେ। ସ˚ପ୍ରତି ‘ଏମ୍-ଆର୍.ଏନ୍.ଏ.’ ପ୍ରଯୁକ୍ତକୁି ଯୁଗାନ୍ତକାରୀ ବୋଲି ଆଖ୍ୟା ଦିଆଯାଉଛି। ଏହା ଦ୍ବାରା ଇବୋଲା ଓ ଜିକା ଭଳି ବିପଜ୍ଜନକ ଭାଇରସ୍ର ପ୍ରତିଷେଧକ ପ୍ରସ୍ତୁତି ଦିଗରେ ମାର୍ଗ ଉନ୍ମୋଚିତ ହୋଇଛି; ଏହା ଦ୍ବାରା କ୍ୟାନ୍ସର ଆରୋଗ୍ୟ ଦିଗରେ ମଧୢ ଆଶା ସ˚ଚାର ହୋଇଛି। ଏପରିକି କୁହାଯାଉଛି ଯେ ଭବିଷ୍ୟତ୍ରେ ପ୍ରାୟ ସମସ୍ତ ରୋଗର ଉତ୍ତର ହେବ ‘ଏମ୍-ଆର୍.ଏନ୍.ଏ.’ ପ୍ରଯୁକ୍ତି ଆଧାରିତ ଚିକିତ୍ସା। ସୁତରା˚, ଏଥିରେ ବିସ୍ମିତ ହେବାର ନାହିଁ ଯେ ଏହି କାରଣରୁ ‘ଏମ୍-ଆର୍.ଏନ୍.ଏ.’ କ୍ଷେତ୍ରରେ ବିଶେଷ ଗବେଷଣା କରିଥିବା କାଟାଲିନ କାରିଲ୍କୋ ଏବ˚ ତାଙ୍କ ସହଯୋଗୀ ଡ୍ରିଉ ଵିଜ୍ମାନଙ୍କୁ ରସାୟନ ଶାସ୍ତ୍ର ଲାଗି ଆଗାମୀ ନୋବେଲ ପୁରସ୍କାର ସକାଶେ ସୁପାରିସ କରାଯାଇଛି। ବିଶ୍ବ ଜନ ସମାଜକୁ ମରଣ ମୁହଁରୁ ରକ୍ଷା କରିଥିବା କାରଣରୁ ସେମାନେ ଏହା ଲାଭ କରିବାର ଯଥେଷ୍ଟ ସମ୍ଭାବନା ମଧୢ ରହିଛି। ଏହି ପରିପ୍ରେକ୍ଷୀରେ ନ୍ୟୁୟର୍କରେ ଅବସ୍ଥାପିତ ପୃଥିବୀର ଅନ୍ୟତମ ସର୍ବାଧିକ ପ୍ରସିଦ୍ଧ ନ୍ୟୁରୋସର୍ଜନ ଡାକ୍ତର ଡେଭିଡ ଲାନ୍ଜରଙ୍କ ଉଦ୍ଦେଶ୍ୟରେ କାଟାଲିନ କାରିଲ୍କୋ କରିଥିବା ଟୁଇଟ୍ ପ୍ରଣିଧାନଯୋଗ୍ୟ, ଯହିଁରେ ଡେଭିଡଙ୍କ ଉଦ୍ଦେଶ୍ୟରେ ସେ ଲେଖିଥିଲେ- ‘ମୋ ପଦ-ଅବନତି ବେଳେ ବା ମୁଁ ମୋର ଜୀବିକା ହରାଇବାର ଦ୍ବାର ଦେଶରେ ଥିବା ବେଳେ ତୁମେ ମୋତେ ଅନେକ ଥର ରକ୍ଷା କରିଛ। ‘ଏମ୍-ଆର୍.ଏନ୍.ଏ.’ ପ୍ରତି ଓ ମୋ ପ୍ରତି ତୁମେ ସ୍ଥାପନ କରିଥିବା ଆସ୍ଥା ଲାଗି ଧନ୍ୟବାଦ’।