ଓଲଟ ନର୍କସେ

୧୯୫୯ରେ ପରଲୋକ ଗମନ କରିଥିବା ଅପେକ୍ଷାକୃତ ଅଜଣା ଦେଶ ଏଷ୍ଟୋନିଆରେ ଜନ୍ମିତ ସ୍ବଳ୍ପାୟୁ ଅର୍ଥନୀତିଜ୍ଞ ରାଗ୍‌ନାର୍ ନର୍କ‌୍ସେ ବିକାଶଶୀଳ ଦେଶମାନଙ୍କରେ କିପରି ଅର୍ଥନୈତିକ ଅଭିବୃଦ୍ଧି ହାସଲ ହୋଇ ପାରିବ, ତାହାର କୌଶଳ ଉଦ୍ଭାବନ ପାଇଁ କରିଥିବା ଉଦ୍ୟମ ପାଇଁ ଅର୍ଥଶାସ୍ତ୍ରର ଏହି ଶାଖାର ଛାତ୍ରଛାତ୍ରୀଙ୍କ ନିକଟରେ ସୁପରିଚିତ। ଏହି ପ୍ରସଙ୍ଗରେ ସେ ଆବିଷ୍କାର କରିଥିବା ଯେଉଁ ଏକ ଧାରଣା ପରବର୍ତ୍ତୀ ସମୟରେ ଅର୍ଥଶାସ୍ତ୍ରର ସରହଦ ଅତିକ୍ରମ କରି ପ୍ରାୟ ଏକ ସାଧାରଣ ଜ୍ଞାନରେ ପରିଣତ ହୋଇଛି, ତାହା ହେଉଛି- ‘ଛଦ୍ମ ବେକାରି’।

ଏହି ଧାରଣା ସହିତ ପରିଚିତ ସମସ୍ତଙ୍କୁ ଜଣା ଯେ ଭାରତୀୟ ଅର୍ଥନୀତିର ଯେଉଁ କ୍ଷେତ୍ରରେ ବେକାରି ଛଦ୍ମ ବେଶ ପରିଧାନ କରି କାୟା ବିସ୍ତାର କରି ଲୁଚି ରହିଥାଏ, ତାହା ହେଉଛି କୃଷି କ୍ଷେତ୍ର। ଏହି ଛଦ୍ମ ବେଶ ହେଉଛି ନିଯୁକ୍ତିର ଛଦ୍ମ ବେଶ। ଏହି ବେଶ ପିନ୍ଧିଥିବା ବ୍ୟକ୍ତିଟିକୁ ବାହାରୁ ଦେଖିଲେ ଜଣାପଡ଼େ ସତେ ଯେମିତି ସେ କୌଣସି ଉତ୍ପାଦନଶୀଳ କାର୍ଯ୍ୟରେ ନିଯୁକ୍ତ ଅଛି; କିନ୍ତୁ ବାସ୍ତବରେ ହୋଇଥାଏ ବେକାର। ଏହି ଭେଳିକି ସୃଷ୍ଟି କରୁଥିବା କାର୍ଯ୍ୟଟି ହେଉଛି କୃଷି, ଯାହାକୁ ଏକ ଅର୍ଥନୈତିକ ବୃତ୍ତି ରୂପେ ବିଚାର କରା ନଯାଇ ପାରମ୍ପରିକ ଭାବରେ ଗ୍ରାମ୍ୟ ଜୀବନଚର୍ଯ୍ୟାର ଏକ ଅବିଚ୍ଛେଦ୍ୟ ଅଂଶ ରୂପେ ବିଚାର କରା ହୋଇ ଆସୁଥିଲା। କୌଣସି ଏକ ପରିବାରର ଚାଷ ଜମିରୁ ସର୍ବାଧିକ ସମ୍ଭବ ଫସଲ ଉତ୍ପନ୍ନ ହେବା ପାଇଁ ଯଦି ତିନି ଜଣଙ୍କର ଶ୍ରମ ସେଥିରେ ନିୟୋଜିତ ହେଉଥିବା ଯଥେଷ୍ଟ ହୋଇଥାଏ, କିନ୍ତୁ ପରିବାରର ଚାରି ଜଣ ଯାକ ଯୁବକପୁଅ ସେଇ ଚାଷ କାମରେ ଲାଗିଥା’ନ୍ତି, କହିବା ବାହୁଲ୍ୟ ସେମାନଙ୍କ ମଧ୍ୟରୁ କୌଣସି ଜଣକୁ କାମରୁ କାଢ଼ି ନେଇ ବେକାର ଭାବରେ ଘରେ ବସାଇ ଦେଲେ ମଧ୍ୟ ଫସଲ ଉତ୍ପାଦନ ଆଦୌ ହ୍ରାସ ପାଇବ ନାହିଁ। ଅର୍ଥାତ୍ ସେ ଜଣକ କୃଷି କାର୍ଯ୍ୟରେ ନିଯୁକ୍ତ ଥିବା ପରି ଧାରଣା ସୃଷ୍ଟି କରୁଥିଲେ ହେଁ, ସେ ପ୍ରକୃତରେ ହେଉଛି ବେକାର। ନର୍କ‌୍ସେଙ୍କ ଭାଷାରେ ଏଭଳି ଛଦ୍ମବେଶୀ ବେକାରମାନଙ୍କର ‘ସୀମାନ୍ତ ଉତ୍ପାଦନଶୀଳତା’ ହେଉଛି ଶୂନ୍ୟ ମାତ୍ର। ନର୍କ‌୍ସେଙ୍କ ପ୍ରସ୍ତାବ ହେଲା ଏମାନଙ୍କୁ କୃଷିକ୍ଷେତ୍ରରୁ କାଢ଼ି ନେଇ ଯଦି ଶିଳ୍ପ ଉତ୍ପାଦନରେ ଲଗାଇ ଦିଆ ଯାଇ ପାରନ୍ତା, ତେବେ କୃଷି ଉତ୍ପାଦନରେ କୌଣସି ହ୍ରାସ ଘଟନ୍ତା ନାହିଁ ଏବଂ ଶିଳ୍ପ ଉତ୍ପାଦନରେ ବୃଦ୍ଧି ଘଟନ୍ତା, ଯାହା ଦେଶରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରନ୍ତା।

ଅତ୍ୟନ୍ତ ଯୁକ୍ତିଯୁକ୍ତ ମନେ ହେଉଥିବା ନର୍କ‌୍ସେଙ୍କର ଏହି ବିକାଶ ମଡେଲ୍‌ରେ ଭାରତୀୟ ଅର୍ଥନୀତି ଭଳି ବିକାଶଶୀଳ ଅର୍ଥନୀତିମାନଙ୍କ ପାଇଁ ଛଦ୍ମବେଶୀ ବେକାରି ଯଦି ଏଇଭଳି ଏକ ଅସହ୍ୟ ବୋଝର ରୂପ ନେଇଥିଲା, ଚୀନା କରୋନାଜନିତ କୋଭିଡ୍ ପାଣ୍ଡେମିକ୍ ଏବେ ସେ ଚିତ୍ରକୁ ଯେପରି ଓଲଟାଇ ଦେଇଛି, ନର୍କ‌୍ସେ ଯଦି ତାହା ଦେଖନ୍ତେ, ସେ ସ୍ତବ୍‌ଧ ହୁଅନ୍ତେ ନା ଆମୋଦିତ ହୁଅନ୍ତେ, ତାହା ବୋଧ ହୁଏ ସ୍ଥିର କରି ପାରନ୍ତେ ନାହିଁ। ଭାରତରେ ଯେତେବେଳେ କରୋନାର ପ୍ରଥମ ଲହର ମାଡ଼ି ଚାଲିବାକୁ ଆରମ୍ଭ କଲା ସେତେବେଳେ ଯେଉଁ ଏକ ନୂତନ ମାନବୀୟ ସମସ୍ୟାର ଆବିର୍ଭାବ ଦେଶବାସୀଙ୍କୁ ହତଚକିତ କରି ଦେଇଥିଲା, ତାହା ହେଲା- ‘ଓଲଟ ସ୍ଥାନାନ୍ତର’ ଯାହା ପ୍ରବାସୀ ଶ୍ରମିକ ସମସ୍ୟା ରୂପେ ଅଧିକ ସୁପରିଚିତ। ଭାରତର ଗ୍ରାମାଞ୍ଚଳରୁ ଜୀବିକା ସନ୍ଧାନରେ ଯାଇ ସହରାଞ୍ଚଳରେ ବିଭିନ୍ନ ଅଣ-କୃଷି ବୃତ୍ତିରେ ନିଯୁକ୍ତ ଥିବା ଲକ୍ଷ ଲକ୍ଷ ଶ୍ରମିକ ଓ ତାଙ୍କର ପରିବାର ବର୍ଗ କରୋନା ଯୋଗୁଁ ସମସ୍ତ ନିଯୁକ୍ତି କେନ୍ଦ୍ର ବନ୍ଦ ହୋଇଯିବାରୁ ଯେଉଁଭଳି ପ୍ରାଣ ବିକଳରେ ପୁଣି ଉଜାଣି ସ୍ରୋତ ସୃଷ୍ଟି କରି ଗାଁ ଗଣ୍ଡା ଦିଗରେ ମୁହାଁଇଲେ ଓ ତାହା ଯେଉଁଭଳି ମାନବୀୟ ଯନ୍ତ୍ରଣାର ରୂପ ନେଇଥିଲା, ତାହାର ଛାପ ଏ ପର୍ଯ୍ୟନ୍ତ ଜାତୀୟ ମାନସପଟରୁ ଲିଭି ନାହିଁ। ୨୦୧୯-୨୦ର ‘ସାମୟିକ ଶ୍ରମ ଶକ୍ତି ସର୍ବେକ୍ଷଣ’ (ପିରିଅଡିକ୍ ଲେବର୍ ଫୋର୍ସ ସର୍ଭେ)ରୁ ଉପଲବ୍‌ଧ ସୂଚନା ଅନୁସାରେ ଏହି ଉଜାଣି ସ୍ଥାନାନ୍ତରର ଅଂଶ ସ୍ବରୂପ ପ୍ରାୟ ୩ କୋଟି ୨୦ ଲକ୍ଷ ଶ୍ରମିକ ସହରୀ ନିଯୁକ୍ତି ତ୍ୟାଗ କରି ପୁଣି ସେଇ ମାଟି ମା’ କୋଳକୁ ବାହୁଡ଼ି ଗଲେ, ଯେଉଁଥିଯୋଗୁଁ କୃଷି କ୍ଷେତ୍ରରେ ନିଯୁକ୍ତ ଶ୍ରମିକଙ୍କ ସଂଖ୍ୟାରେ ସିଧାସଳଖ ୩ ଶତାଂଶ ଅଚାନକ ବୃଦ୍ଧି ଘଟିଲା। ନର୍କ‌୍ସେ ଅବଶ୍ୟ ଏମାନଙ୍କୁ ଛଦ୍ମବେଶୀ ବେକାର ବୋଲି ଅଭିହିତ କରନ୍ତେ, କିନ୍ତୁ ମା’ଟିଏ ତା’ର ପିଲାମାନଙ୍କ ପ୍ରତି ବାଛ ବିଚାର ନ କରି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ପରି, ଗାଁ ମାଟି ସେମାନଙ୍କୁ କଠିନ କୋଭିଡ୍ ସମୟରେ ଆହାର ଯୋଗାଇ ବଞ୍ଚାଇ ରଖିଲା। କୃଷିକ୍ଷେତ୍ର ଯଦି ସେମାନଙ୍କୁ ଏକ ଛଦ୍ମବେଶ ପିନ୍ଧାଇ ଦେଇଥିଲା, ତାହା ଥିଲା ଜୀବନ-ରକ୍ଷାକାରୀ ଛଦ୍ମ ବେଶ।

ଭାରତୀୟ କୃଷିକୁ ଅବଶ୍ୟ ଏଥିରେ ଯାହା ସହାୟତା କରିଛି, ତାହା ହେଲା ଲାଗ ଲାଗ ଦେଖାଯାଇଥିବା ତିନିଟି ଅନୁକୂଳ ମୌସୁମୀ ଋତୁ ଏବଂ ଲଗାତାର ପଞ୍ଚମ ବର୍ଷ ପାଇଁ ଏକ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ। ପାଣ୍ଡେମିକ୍‌-ଆହତ ପୃଥିବୀରେ ଦେଖା ଦେଇଥିବା ଖାଦ୍ୟାଭାବ ମେଣ୍ଟାଇବା ପାଇଁ ଏହା ସାହାଯ୍ୟରେ ଭାରତ ବିଦେଶକୁ ରପ୍ତାନି କରି ପାରିଥିବା କୃଷିଜାତ ପଦାର୍ଥ ୨୦୨୦-୨୧ ବିତ୍ତ ବର୍ଷରେ ଏକ ନୂତନ ରେକର୍ଡ କରିଥିବା ବେଳେ, ୨୦୨୧-୨୨ ବିତ୍ତ ବର୍ଷରେ ସେ ରେକର୍ଡକୁ ମଧ୍ୟ ଅତିକ୍ରମ କରିବାକୁ ଯାଉଛି। ଭାରତୀୟ ଅର୍ଥନୀତିରେ ବର୍ତ୍ତମାନ ‘ଷ୍ଟାର୍ଟ-ଅପ୍’ ଏକ ମନ୍ତ୍ରର ରୂପ ପରିଗ୍ରହଣ କରିଛି। ଗତ ସପ୍ତାହରେ ହିଁ ଜାନୁଆରି ୧୬ରେ ଜାତୀୟ ଷ୍ଟାର୍ଟ-ଅପ୍ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ପୁଣି ଥରେ ଦୋହରାଇବା ଦେଖାଯାଇଥିଲା ଯେ ‘ଷ୍ଟାର୍ଟ-ଅପ୍’ ଭାରତୀୟ ଅର୍ଥନୀତିର ମେରୁଦଣ୍ଡରେ ପରିଣତ ହେବାକୁ ଯାଉଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ କୋଭିଡ୍ ପାଣ୍ଡେମିକ୍ ସମୟରେ କୃଷି କ୍ଷେତ୍ର ସମ୍ପର୍କିତ ‘ଷ୍ଟାର୍ଟ-ଅପ୍’ମାନଙ୍କ ପାଇଁ ଉପଲବ୍‌ଧ ହୋଇଥିବା ପାଣ୍ଠି ନିବେଶରେ ଚମକପ୍ରଦ ବୃଦ୍ଧି ଘଟିବା ଦେଖାଯାଇଛି। ଉଦାହରଣ ସ୍ବରୂପ ୨୦୨୦ ବିତ୍ତ ବର୍ଷର ପ୍ରଥମାର୍ଦ୍ଧରେ ଏହା ୬୧୯ନିୟୁତ ଡଲାର୍ ଥିବା ବେଳେ ୨୦୨୧ ବିତ୍ତ ବର୍ଷର ପ୍ରଥମାର୍ଦ୍ଧରେ ତାହା ତିନିଗୁଣରୁ ଅଧିକ ବୃଦ୍ଧି ପାଇ ୨ ବିଲିଅନ୍ ଡଲାର୍ ହୋଇଥିଲା। କୃଷିରେ ଉନ୍ନତ ବୈଷୟିକ ଜ୍ଞାନର ପ୍ରସାର ଓ ପ୍ରୟୋଗ ପାଇଁ ରହିଥିବା ବ୍ୟାପକ ସୁଯୋଗ ସବୁର ସଦ୍‌ବ୍ୟବହାର ‘ଷ୍ଟାର୍ଟ-ଅପ୍’ମାନଙ୍କର ବଂଶ ବୃଦ୍ଧି ଦ୍ବାରା ସମ୍ଭବ ହୋଇପାରିବ।

ଏକ ଆକଳନ ଅନୁସାରେ ୨୦୨୫ ସୁଦ୍ଧା କୃଷି-ପ୍ରବିଧି ବଜାରର ଆକାର ୨୪ ବିଲିଅନ୍ ଡଲାର୍ ସ୍ପର୍ଶ କରିଥିବ, ଯାହାର ବର୍ତ୍ତମାନ ସୁଦ୍ଧା ମାତ୍ର ଏକ ଶତାଂଶ ପ୍ରାୟ ବାସ୍ତବ ହୋଇଛି। କୃଷି କ୍ଷେତ୍ରରେ ଦେଖା ଦେଇଥିବା ଏହି ନୂତନ ଉଦ୍ଦୀପନାକୁ ସହାୟତା ପ୍ରଦାନ କରିବା ପାଇଁ ଉପଯୁକ୍ତ ଭିତ୍ତିଭୂମି ଯୋଗାଇବା ଠାରୁ ଆରମ୍ଭ କରି ଏକ ଅନୁକୂଳ ନିୟନ୍ତ୍ରଣ ପରିବେଶ ସୃଷ୍ଟି କରାଯିବା ଜରୁରୀ। ଆବଶ୍ୟକ ସଂସ୍କାର ବିନା ଏହି ନୂତନ ଉତ୍ସାହ ଝାଉଁଳି ପଡ଼ିବାର ସମସ୍ତ ସମ୍ଭାବନା ରହିଛି। ଅସଲ ସଂକଟ ସମୟରେ କିପରି ଏକ ଓଲଟ- ନର୍କ‌୍ସେ ସୁଲଭ ଆଚରଣ ପ୍ରଦର୍ଶନ କରି ଭାରତୀୟ କୃଷିକ୍ଷେତ୍ର ସର୍କସ୍‌ର ନିରାପଦ-ଜାଲ ଟ୍ରାପିଜ୍ ଖେଳାଳିମାନଙ୍କୁ ରକ୍ଷା କଲା ଭଳି କୋଟି କୋଟି ସଂଖ୍ୟକ ବାହୁଡ଼ା ପ୍ରବାସୀମାନଙ୍କର ଜୀବନ ରକ୍ଷା କରିଛି, ତାହା ଦେଖିବା ପରେ ଏହି ଜାଲକୁ ସମ୍ପୂର୍ଣ୍ଣ ମଜଭୁତ କରିବା ପାଇଁ ସବୁମନ୍ତେ ଉଦ୍ୟମ କରାଯିବା ଯେ ଉଚିତ- ନର୍କ‌୍ସେ ମଧ୍ୟ ସେଥିରେ ଏକମତ ହୁଅନ୍ତେ।

ସମ୍ବନ୍ଧିତ ଖବର