‘ନିରାଧାର’

ପ୍ରକୃତିଗତ ଭାବରେ ମନୁଷ୍ୟ ଯେ କୌଣସି ପରିବର୍ତ୍ତନକୁ ସନ୍ଦେହ ଚକ୍ଷୁରେ ଦେଖିଥାଏ ଏବଂ ତା’ର ପ୍ରଥମ ସ୍ବାଭାବିକ ପ୍ରତିକ୍ରିୟା ହୋଇଥାଏ ଏଥି ପ୍ରତି ଖୋଲାଖୋଲି କିମ୍ବା ଲୁକ୍କାୟିତ ବିରୋଧ। ପରବର୍ତ୍ତୀ ସମୟରେ ଏ ସମ୍ବନ୍ଧରେ ସେ ଅଧିକ ସୂଚନା ସଂଗ୍ରହ କରିବା ପରେ କିମ୍ବା ଅଧିକ ପରିଚିତି ହାସଲ କରିବା ପରେ ହୁଏ’ତ ତା’ର ପ୍ରାଥମିକ ସନ୍ଦେହ ନିରାଧାର ସାବ୍ୟସ୍ତ ହୋଇପାରେ ଓ ପରିବର୍ତ୍ତନ ପ୍ରତି ତା’ର ବିରୋଧ ଆନୁଗତ୍ୟରେ ପରିଣତ ହୋଇ ଯାଇ ପାରେ।

ମନସ୍ତତ୍ତ୍ବବିତ୍‌ମାନେ ପରିବର୍ତ୍ତନ ପ୍ରତି ବ୍ୟକ୍ତିର ଏଭଳି ଆଭିମୁଖ୍ୟ ଚକ୍ରକୁ ଚାରି ଭାଗରେ ବିଭକ୍ତ କରିଥା’ନ୍ତି: ପ୍ରତ୍ୟାଖ୍ୟାନ; ବିରୋଧ; ଅନୁସନ୍ଧାନ ଓ ପ୍ରତିଶ୍ରୁତିବଦ୍ଧତା। ପ୍ରଥ‌େ‌ମ ଏକ ଅପରିଚିତ ପରିବର୍ତ୍ତନକୁ ଏକ ଅନୁପ୍ରବେଶକାରୀକୁ ବିତାଡ଼ିତ କରିବା ଭଳି ପ୍ରତ୍ୟାଖ୍ୟାନ କରି ଦିଆଯାଏ; ତା’ ପରେ ଯେତେବେଳେ ପ୍ରତ୍ୟାଖ୍ୟାନ ପରେ ମଧ୍ୟ ଅନୁପ୍ରବେଶକାରୀ ଅନ୍ତର୍ଦ୍ଧାନ ହୋଇଯାଏ ନାହିଁ, ସେତେବେଳେ ତା’ ପ୍ରତି ସକ୍ରିୟ ବିରୋଧ ପ୍ରକଟ କରାଯାଏ; ଅନୁପ୍ରବେଶକାରୀ ଯେତେବେଳେ ବିରୋଧ ସତ୍ତ୍ବେ ମଧ୍ୟ ସ୍ଥାନ ଛାଡ଼ି ଯିବାକୁ ଅମଙ୍ଗ ହୁଏ, ସେତେବେଳେ ତା’ ସମ୍ବନ୍ଧରେ ଅଧିକ ଜାଣିବା ବୁଦ୍ଧିମାନର କାର୍ଯ୍ୟ ହେବ ବୋଲି ବିଚାର କରି ଆମେ ଅନୁସନ୍ଧାନ ଆରମ୍ଭ କରି ଦେଉ; ଆଉ ଅନୁସନ୍ଧାନର ଫଳ ସ୍ବରୂପ ଯଦି ଆମର ହୃଦ୍‌ବୋଧ ହୁଏ ଯେ ପରିବର୍ତ୍ତନଟି ଆମର କ୍ଷତି କରିବା ପରିବର୍ତ୍ତେ ଆମର ବରଂ ମଙ୍ଗଳ ସାଧନ କରିପାରେ, ସେତେବେଳେ ଆମେ ଆମର ପ୍ରାଥମିକ ଆଭିମୁଖ୍ୟରେ ପରିବର୍ତ୍ତନ ଘଟାଇ ପରିବର୍ତ୍ତନକୁ ଶେଷରେ ସ୍ବାଗତ କରିପାରୁ ଏବଂ ତାକୁ ଗ୍ରହଣ କରିବାକୁ ସ୍ଥିର କରିପାରୁ- ଯାହାକୁ ପ୍ରତିଶ୍ରୁତିବଦ୍ଧତା ରୂପେ ବର୍ଣ୍ଣନା କରାଯାଇପାରେ।

ଏହି ପରିବର୍ତ୍ତନ ସମ୍ପର୍କିତ ଆଭିମୁଖ୍ୟ ଚକ୍ରର ଅଧିକ ବ୍ୟାଖ୍ୟାନ ଏଠାରେ ବୋଧହୁଏ ଅନାବଶ୍ୟକ; କିନ୍ତୁ ଆମେ ଯଦି ନିକଟ ଅତୀତରେ କୌଣସି ଏକ ପରିବର୍ତ୍ତନକୁ ଆମ ଦେଶରେ ଏହି ସମ୍ପୂର୍ଣ୍ଣ ଚକ୍ର ଦେଇ ଗତି କରିବା ଦେଖିଛୁ ବୋଲି କୁହାଯାଇପାରେ, ତାହା ହେଉଛି ଯେ ‘ଆଧାର’, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ପ୍ରଥମେ ଯେତେବେଳେ ପୂର୍ବର କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ଏହି ପରିବର୍ତ୍ତନକୁ ପ୍ରବେଶ କରାଇବାକୁ ଉଦ୍ୟମ ଆରମ୍ଭ କଲା, ସେ ସମୟରେ ବିରୋଧୀ ଦଳର ଭୂମିକାରେ ଅଭିନୟ କରୁଥିବା ଭାଜପା ଏଥି ପ୍ରତି ଯେଉଁ ବିରୋଧ ପ୍ରକଟ କରିଥିଲା, ତାହା କିପରି ଉପରୋକ୍ତ ପୂର୍ଣ୍ଣାଙ୍ଗ ଚକ୍ର ଦେଇ ଗତି କରି ଶେଷ‌େର ୨୦୧୬ରେ ଆଧାର ଆକ୍ଟ୍‌ର ରୂପ ପରିଗ୍ରହଣ କରିଥିଲା, ତାହା ଆମର ସାମୂହିକ ସ୍ମୃତିରେ ଏ ପର୍ଯ୍ୟନ୍ତ ସତେଜ ଅଛି। କିନ୍ତୁ ୨୦୧୬ରେ ଆଧାର ଆକ୍ଟ୍‌ର ଆବିର୍ଭାବ ପରେ ପୁଣି ଏଥି ପ୍ରତି ଏକ ନୂତନ ଆଭିମୁଖ୍ୟ ଚକ୍ରର ଆବିର୍ଭାବ ଘଟିଥିଲା ଯାହା ଶେଷରେ ଦେଶର ସର୍ବାଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟଙ୍କର ପ୍ରାୟ ଏକ ଦେଢ଼ ହଜାର ପୃଷ୍ଠା ବ୍ୟାପୀ ରାୟରେ ଚକ୍ରର ଚତୁର୍ଥାବସ୍ଥା ଅର୍ଥାତ୍ ପ୍ରତିଶ୍ରୁତିବଦ୍ଧତା ପରିଗ୍ରହଣ କରିଥିଲା।

ବର୍ତ୍ତମାନ ପ୍ରାୟ ସମସ୍ତେ ଏକମତ ଯେ ଭାରତୀୟ ଉଦ୍ଭାବନ ‘ଆଧାର’ ଏଠାରେ ସମାଜର ଦୁର୍ବଳ ବର୍ଗଙ୍କ ପାଇଁ ଏକ ସଶକ୍ତୀକରଣ ଆୟୁଧ ରୂପେ ନିଜକୁ ପ୍ରମାଣିତ କରିଛି। ସଂକ୍ଷେପରେ ସରଳ ଭାବରେ କହିଲେ ଆମେ ଜାଣିଥିବା ଭଳି ଆଧାର ହେଉଛି ଏକ ବିଶେଷ ସଂଖ୍ୟା ଯାହା ବ୍ୟକ୍ତିର ଆଖିର ପୁଅ ଡୋଳା ଓ ଆଙ୍ଗୁଳିର ରେଖା ସହିତ ସଂଯୁକ୍ତ ହୋଇଥାଏ, ଯାହାକୁ ଆଉ କେହି ନକଲ କରିବା ସମ୍ଭବପର ନୁହେଁ। ତେଣୁ ପୂର୍ବ ଭଳି ଆଉ ମିଥ୍ୟା ପରିଚୟ ଦେଇ ଜଣେ ଦୁର୍ବଳ ବର୍ଗର ବ୍ୟକ୍ତିକୁ ତା’ର ନ୍ୟାଯ୍ୟ ପ୍ରାପ୍ୟରୁ ବଞ୍ଚିତ କରି ତାହାକୁ ହଡ଼ପ କରିନେବା ଏବେ ସମ୍ଭବ ହେଉ ନାହିଁ। କିନ୍ତୁ ‘ଆଧାର’ ଏହି ସାମୂହିକ ସ୍ବୀକୃତି ପାଇ ସାରିଥିବା ସତ୍ତ୍ବେ ବର୍ତ୍ତମାନ ଏହାର ଏକ ପ୍ରୟୋଗକୁ ନେଇ ପୁଣି ଏବେ ‘ଆଧାର’ ଏକ ବିରୋଧ ଚକ୍ରର ସମ୍ମୁଖୀନ ହେବା ଦେଖା ଦେଇଛି, ଯେମିତି ଏହାର ଜନ୍ମ ସମୟରେ ଦେଖିବାକୁ ମିଳିଥିଲା। ‘ଓମିକ୍ରନ୍’ର ପ୍ରସାର ଯୋଗୁଁ ନିର୍ବାଚନ କମିସନଙ୍କର ଆଗାମୀ ପାଞ୍ଚଟି ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ସ୍ଥଗିତ ନ ରଖିବା ଯେଉଁ ଭଳି ସମାଲୋଚନାର ସମ୍ମୁଖୀନ ହୋଇଛି, ଏଥି ପୂର୍ବରୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ସମୟରେ ଭୋଟରଙ୍କର ‘ଆଧାର’ ନମ୍ବର ସେଥି ସହିତ ସଂଯୁକ୍ତ କରିବା ପାଇଁ ଆଇନରେ କରାଯାଇଥିବା ସଂଶୋଧନ ସେଇ ଭଳି ସମାଲୋଚନାର ସମ୍ମୁଖୀନ ହୋଇଛି। (ଏଥି ପୂର୍ବରୁ ୧୯୯୦ ଦଶକରେ ଭୋଟର ଫଟୋ ପରିଚୟ ପତ୍ର ପ୍ରବର୍ତ୍ତନ, କିମ୍ବା ଇଲେକ୍‌ଟ୍ରୋନିକ୍ ଭୋଟିଙ୍ଗ୍ ମେସିନ୍- ‘ଇଭିଏମ୍’ର ବ୍ୟବହାର ଆରମ୍ଭ ମଧ୍ୟ ଅନୁରୂପ ପରିବର୍ତ୍ତନ-ବିରୋଧର ସମ୍ମୁଖୀନ ହୋଇ ସମ୍ପୂର୍ଣ୍ଣ ଆଭିମୁଖ୍ୟ ଚକ୍ର ଅତିକ୍ରମ କରିବା ଦେଖା ଯାଇଛି।)

ବର୍ତ୍ତମାନ ଦେଖାଯାଉ ‘ଆଧାର’ ସଂଖ୍ୟାକୁ ଭୋଟର ତାଲିକା ସହିତ ସଂଯୋଗ କରାଯିବା ଦ୍ବାରା ନିର୍ବାଚନ ପ୍ରକ୍ରିୟାରେ କିପରି ଉନ୍ନତି ସାଧନ ହୋଇପାରିବ। ଆମ ଦେଶରେ ପ୍ରତିଟି ପୋଲିଙ୍ଗ୍ ବୁଥ୍‌ର ଭୋଟର ତାଲିକା ଭିତ୍ତିରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଏହି ତାଲିକାରେ କିନ୍ତୁ ଭୋଟରଙ୍କର ପୂରା ନାମ ନ ଥାଇପାରେ ଓ ଏକାଧିକ ବୁଥ୍‌ରେ ଜଣେ ଭୋଟର ତାଲିକାରେ ସ୍ଥାନ ପାଇ ପାରିଥା’ନ୍ତି। ଆଧାର ନମ୍ବର ସଂଯୁକ୍ତ ହେବା ପରେ ଆୟକର ପାନ୍ କାର୍ଡ‌୍ର ଏପରି ନକଲ ଅସମ୍ଭବ ହୋଇଥିବା ପରି ଏବେ ଭୋଟର ତାଲିକାରେ ଏପରି ନକଲ ଆଉ ସମ୍ଭବ ହେବ ନାହିଁ। ଜଣେ ବ୍ୟକ୍ତି ୧୮ ବର୍ଷ ବୟସରେ ପଦାର୍ପଣ କରି ସାବାଳକ ହେବା ପରେ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ସ୍ଥାନ ପାଇବା ଏହା ଦ୍ବାରା ଏକ ଅତ୍ୟନ୍ତ ସହଜ ଓ ସରଳ ପ୍ରକ୍ରିୟାରେ ପରିଣତ ହେବ। ସ୍ଥାନାନ୍ତର ଗମନ କରୁଥିବା ଦୁର୍ବଳ ବର୍ଗର ଶ୍ରମିକମାନଙ୍କ ପାଇଁ ନୂତନ ଅଞ୍ଚଳର ଭୋଟର ତାଲିକାରେ ପ୍ରବେଶ କରିବା ଏହା ଦ୍ବାରା ସହଜ ହେବ। ନୂତନ ଅଞ୍ଚଳରେ ସେମାନେ ମତଦାତାରେ ପରିଣତ ହୋଇଗଲେ, ସେ ଅଞ୍ଚଳର ରାଜନେତାମାନେ ସ୍ବାଭାବିକ ଭାବରେ ସେମାନଙ୍କୁ ଅଧିକ ଗୁରୁତ୍ବ ପ୍ରଦାନ କରିବେ ଓ ସେମାନଙ୍କର ବିଭିନ୍ନ ସମସ୍ୟା ପ୍ରତି ଅଧିକ ସମ୍ବେଦନଶୀଳ ହେବେ। ବର୍ତ୍ତମାନ ପାର୍ଲିଆମେଣ୍ଟ୍, ବିଧାନସଭା ଏବଂ ଅନ୍ୟାନ୍ୟ ନିର୍ବାଚନ ପାଇଁ ପୃଥକ୍ ପୃଥକ୍ ଭୋଟର ତାଲିକା ପ୍ରସ୍ତୁତ ହେଉଥିବା ବେଳେ, ‘ଆଧାର’ ସଂଯୁକ୍ତ ହେବା ପରେ ସେ ସବୁର ଏକତ୍ରୀକରଣ ସୁଗମ ଓ ସହଜ ହେବ।
‘ଆଧାର’ ଏକ ନାଗରିକ ପରିଚୟ ପତ୍ର ନୁହେଁ ସତ, କିନ୍ତୁ ଏକ ନାଗରିକ ପରିଚୟ ପତ୍ର ରୂପେ ବ୍ୟବହୃତ ପାସ୍‌ପୋର୍ଟ‌୍କୁ ତ ନିକଟ ଅତୀତରେ ‘ଆଧାର’ ସହିତ ସଂଯୁକ୍ତ କରାହୋଇଛି। ଏଣୁ ‘ଆଧାର’କୁ ବିରୋଧ ପୂର୍ବ ଭଳି ଏଥର ମଧ୍ୟ ‘ନିରାଧାର’ ସାବ୍ୟସ୍ତ ହେବ।

ସମ୍ବନ୍ଧିତ ଖବର