ଧର୍ମ ସଙ୍କଟ

ଭାରତ ବର୍ତ୍ତମାନ ମୁଦ୍ରାସ୍ଫୀତିର ସମ୍ମୁଖୀନ ନା ନୁହେଁ? ଅର୍ଥଶାସ୍ତ୍ରର ପରିହାସମୂଳକ ପରମ୍ପରାକୁ ଅନୁସରଣ କରି କୁହାଯାଇ ପାରେ ଯେ ଏ ପ୍ରଶ୍ନର ଉତ୍ତର ହେ‌ାଇପାରେ- ନା, ପୁଣି- ହଁ। ଯଦି ଖାଉଟି ମୁଦ୍ରାସ୍ଫୀତି ହାରକୁ ବିଚାରକୁ ନିଆଯାଏ, ତେବେ ଦେଖାଯାଇଥାଏ ଯେ ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସମ୍ମୁଖରେ ସ୍ଥାପନ କରାଯାଇଥିବା ୨-୬ ଶତାଂଶ ହାର ନିରାପଦ ବଳୟ ମଧ୍ୟରେ ରହିଛି; ତେଣୁ ଭାରତରେ ଆତଙ୍କ ସୃଷ୍ଟି କଲା ଭଳି ମୁଦ୍ରାସ୍ଫୀତି ଦେଖା ଦେଇ ନାହିଁ। କିନ୍ତୁ ଏହା ଯଦି ୨୦୧୪ ପୂର୍ବର ସମୟ ହୋଇଥା’ନ୍ତା, ତେବେ ଆମେ ଏଭଳି ନିଶ୍ଚିନ୍ତ ହୋଇ ପାରନ୍ତେ ନାହିଁ। କାରଣ ସେ ସମୟରେ ଖାଉଟି ମୁଦ୍ରାସ୍ଫୀତି ହାର ନୁହେଁ, ପାଇକାରୀ ମୁଦ୍ରାସ୍ଫୀତି ହାରକୁ ହିଁ ବିଧିବଦ୍ଧ ମୁଦ୍ରାସ୍ଫୀତି ହାର ରୂପେ ଗ୍ରହଣ କରାଯାଉଥିଲା। ଆଉ ଏହି ପାଇକାରୀ ମୁଦ୍ରାସ୍ଫୀତି ହାର ବର୍ତ୍ତମାନ ୧୪ ଶତାଂଶରୁ ଅଧିକ ହୋଇ ସାରିଲାଣି, ଯାହା ହେଉଛି ବିଗତ ୧୨ ବର୍ଷ ମଧ୍ୟରେ ସର୍ବୋଚ୍ଚ! କେହି କେହି ପ୍ରଶ୍ନ କରି ପାରନ୍ତି ଯେ ଦୁଇ ମୁଦ୍ରାସ୍ଫୀତି ହାର ମଧ୍ୟରେ ଏଭଳି ଫରକ୍ କିଭଳି ଦେଖା ଯାଉଛି? ଯଦି ପାଇକାରୀ ଦର ସବୁରେ ଏପରି ତୀକ୍ଷ୍‌ଣ ବୃଦ୍ଧି ଘଟୁଛି, ତାହା ଖାଉଟି ଦରବୃଦ୍ଧିରେ ପ୍ରତିଫଳିତ ହେଉନାହିଁ କାହିଁକି? ଏଭଳି ଅସ୍ବାଭାବିକ ମନେ ହେଉଥିବା ତାରତମ୍ୟକୁ ପରିସଂଖ୍ୟାନର ଖେଳ ବୋଲି କୁହାଯାଇପାରେ। ମୁଦ୍ରାସ୍ଫୀତି ହାର ହିସାବ କରିବା ବେଳେ ବିଚାରକୁ ନିଆଯାଉଥିବା ବିଭିନ୍ନ ଶ୍ରେଣୀର ଦ୍ରବ୍ୟ ଓ ସେବାର ଗୁରୁତ୍ବ ଅନୁସାରେ ସେଗୁଡ଼ିକୁ ଭିନ୍ନ ଭିନ୍ନ ଓଜନ ବା ‘ୱେଟ୍’ ପ୍ରଦାନ କରାଯାଇଥାଏ। କିନ୍ତୁ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ, ଗୋଟିଏ ନିର୍ଦ୍ଦିଷ୍ଟ ଶ୍ରେଣୀର ଦ୍ରବ୍ୟ ବା ସେବାକୁ ଖାଉଟି ମୁଦ୍ରାସ୍ଫୀତି ହିସାବ ପାଇଁ ଯେତିକି ‘ୱେଟ୍’ ପ୍ରଦାନ କରାଯାଇଥାଏ, ପାଇକାରୀ ମୁଦ୍ରାସ୍ଫୀତି ହିସାବ ବେଳେ ତାହାକୁ ତା’ଠାରୁ ଏକ ଭିନ୍ନ ‘ୱେଟ୍’ ଦିଆଯାଇପାରେ।

ଉଦାହରଣସ୍ବରୂପ ଖାଉଟି ମୁଦ୍ରାସ୍ଫୀତି ହିସାବ ବେଳେ ଖାଦ୍ୟଦ୍ରବ୍ୟ ଶ୍ରେଣୀକୁ ପ୍ରାୟ ୫୦ ଶତାଂଶ ‘ୱେଟ୍’ ପ୍ରଦାନ କରାଯାଉଥିବା ବେଳେ, ପାଇକାରୀ ମୁଦ୍ରାସ୍ଫୀତିରେ ସେଇ ଶ୍ରେଣୀକୁ ୨୦ ଶତାଂଶରୁ କମ୍ ‘ୱେଟ୍’ ପ୍ରଦାନ କରାଯାଇଥାଏ। ପୁଣି, ସେବା ସବୁ ଖାଉଟି ମୁଦ୍ରାସ୍ଫୀତି ପାଇଁ ଯେଉଁଭଳି ଗୁରୁତ୍ବ ବହନ କରିଥା’ନ୍ତି, ପାଇକାରୀ ମୁଦ୍ରାସ୍ଫୀତି ପାଇଁ ସେଭଳି ଗୁରୁତ୍ବ ବହନ କରି ନ ଥା’ନ୍ତି। କୌଣସି ଖାଉଟି ପାଇକାରୀ ବଜାରରେ ଶିକ୍ଷା ସେବା କିମ୍ବା ସ୍ବାସ୍ଥ୍ୟ ସେବା କିମ୍ବା ଗମନାଗମନ ସେବା କ୍ରୟ କରି ନଥାଏ। ଅପର ପକ୍ଷେ କଳକାରଖାନା ଯନ୍ତ୍ରପାତି କିମ୍ବା କଞ୍ଚାମାଲ୍ ଆଦି ପାଇକାରୀ ବଜାରରେ କାରବାର ହୋଇଥାଏ, ଖାଉଟି ବଜାରରେ ନୁହେଁ।

ଉଭୟ କିସମର ମୁଦ୍ରାସ୍ଫୀତି ହିସାବରେ ଅନୁସୃତ ଭିନ୍ନ ମାନଦଣ୍ଡ ସତ୍ତ୍ବେ ପାଇକାରୀ ମୁଦ୍ରାସ୍ଫୀତି ଛୁଇଁଥିବା ବର୍ତ୍ତମାନର ଅତ୍ୟୁଚ୍ଚ ହାର ଯେ ଖାଉଟି ମୁଦ୍ରାସ୍ଫୀତିକୁ ଆଦୌ ପ୍ରଭାବିତ କରିବ ନାହିଁ, ଏହାକୁ ଏକ ଧ୍ରୁବ ସତ୍ୟ ବୋଲି ଧରି ନେଇ ରିଜର୍ଭ ବ୍ୟାଙ୍କ୍ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନେବ ନାହିଁ, ଏଭଳି ଧାରଣା ଅଧିକ ଦିନ ଧରି କାର୍ଯ୍ୟ କରି ନ ପାରେ। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ସାଧାରଣତଃ ବ୍ୟବହାର କରୁଥିବା ପ୍ରଥମ ଅସ୍ତ୍ର ହେଉଛି- ସୁଧ ହାରରେ ବୃଦ୍ଧି ଘଟାଇ ଋଣକୁ ମହଙ୍ଗା କରି ଋଣ ସଂକୋଚନ ଘଟାଇବା। ଋଣ ସଂକୋଚନ ଅର୍ଥ ନିବେଶରେ ସଂକୋଚନ, ଅର୍ଥନୈତିକ କାର୍ଯ୍ୟକଳାପରେ ସଂକୋଚନ। ବର୍ତ୍ତମାନ ସମୟରେ ରିଜର୍ଭ ବ୍ୟାଙ୍କ୍ ଏ ଦିଗରେ କୌଣସି ନିଶ୍ଚିତ ପଦକ୍ଷେପ ନେବା ପାଇଁ ସ୍ବାଭାବିକ ଭାବରେ କୁଣ୍ଠାବୋଧ କରିପାରେ। କାରଣ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଯେପରି ହେଉଛି ରିଜର୍ଭ ବ୍ୟାଙ୍କ୍‌ର ଏକ ଦାୟିତ୍ବ, ଭାରତୀୟ ଅର୍ଥନୀତିର ଉତ୍ପାଦନ କ୍ଷମତା (ପୋଟେନ୍‌ସିଆଲ୍ ଜିଡିପି) ଓ ଉପଲବ୍‌ଧ ଉତ୍ପାଦନ (ଆକ୍‌ଚୁଆଲ୍ ଜିଡିପି) ମଧ୍ୟରେ ତଫାତ୍ ଦୂର କରି ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବା ମଧ୍ୟ ସେପରି ହେଉଛି ରିଜର୍ଭ ବ୍ୟାଙ୍କ୍‌ର ଆଉ ଏକ ଦାୟିତ୍ବ। ରିଜର୍ଭ ବ୍ୟାଙ୍କ୍ ତେଣୁ ବର୍ତ୍ତମାନ ସମ୍ମୁଖୀନ ହେଉଥିବା ଧର୍ମ ସଙ୍କଟ ବୁଝିବା କଷ୍ଟକର ନୁହେଁ।
ଚୀନା କରୋନା ଜନିତ ପାଣ୍ଡେମିକ୍ କବଳରେ ପଡ଼ି ଭାରତୀୟ ଅର୍ଥନୀତି ତା’ର ଅଭିବୃଦ୍ଧି କ୍ଷମତାର ସମ୍ପୂର୍ଣ୍ଣ ଉପଯୋଗ କରିବ କ’ଣ, ପୂରା ଦୁଇ ବର୍ଷର ସମ୍ଭାବ୍ୟ ଅଭିବୃଦ୍ଧିକୁ ସମ୍ପୂର୍ଣ୍ଣ ହରାଇ ବସିଛି। ବର୍ତ୍ତମାନ ଡେଲ୍‌ଟା ଲହରରୁ ଆଂଶିକ ମୁକୁଳି ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ପ୍ରାଣ ସଞ୍ଚାର ଘଟିବାକୁ ଆରମ୍ଭ କରିବା ବେଳକୁ ପୁଣି ଓମିକ୍ରନ୍‌ର କଳା ଛାଇ ଅର୍ଥନୀତିକୁ ଗ୍ରାସ କରିବାର ଆଶଙ୍କା ଦେଖା ଦେଇଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରିଜର୍ଭ ବ୍ୟାଙ୍କ୍ ଯଦି ମୁଦ୍ରାସ୍ଫୀତି ପ୍ରତିହତ କରିବା ପାଇଁ ଏକ କଠୋର ସଂକୋଚନ ନୀତି ଅବଲମ୍ବନ କରେ, ତାହା ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହେବ।

ବର୍ତ୍ତମାନ ଅର୍ଥନୀତିରେ ଯେଉଁ ମୁଦ୍ରାସ୍ଫୀତି ଚାପ ଦେଖାଦେଇଛି, ତାହା ବଜାରର ଉଭୟ ଚାହିଦା ଓ ଯୋଗାଣ ପାର୍ଶ୍ବରେ ଅନୁଭୂତ ହୋଇଥିବା କେତେକ କାରଣ ଯୋଗୁଁ ଘଟିଛି। ଅର୍ଥନୀତିରେ ବର୍ତ୍ତମାନ ଯେଉଁ ଇଂରେଜୀ ଅକ୍ଷର ‘ଭି’ ଆକୃତିର ପୁନର୍ଜାଗରଣ ଦେଖା ଦେଇଛି, ତାହାର ପ୍ରଭାବରେ ସାମଗ୍ରିକ ଆୟ ଓ ଚାହିଦାରେ ସ୍ଫୀତି ଘଟିବା ସ୍ବାଭାବିକ। ଯଦି ଚାହିଦାରେ ଏହି ସ୍ଫୀତି ସହିତ ତାଳ ଦେଇ ବଜାରରେ ଦ୍ରବ୍ୟ ଓ ସେବା ସବୁର ଯୋଗାଣରେ ମଧ୍ୟ ବୃଦ୍ଧି ଘଟେ, ତେବେ ଦରଦାମରେ ବୃଦ୍ଧି ଘଟିବ ନାହିଁ, ଅର୍ଥାତ୍ ମୁଦ୍ରାସ୍ଫୀତିର ଆବିର୍ଭାବ ହେବ ନାହିଁ। କିନ୍ତୁ ପାଣ୍ଡେମିକ୍ ଯୋଗୁଁ ଯୋଗାଣ ଶୃଙ୍ଖଳ ଯେଉଁ ଭଳି ଛିନ୍ନ ବିଚ୍ଛିନ୍ନ ହୋଇ ଯାଇଥିଲା, ଅନେକ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ତାହା ତଥାପି ପୂର୍ବ ଅବସ୍ଥାକୁ ଫେରିଆସି ପାରି ନାହିଁ। ଏହି ସମୟରେ ତୈଳ ଓ ଧାତବ ପଦାର୍ଥ ଦରରେ ଦେଖା ଦେଇଥିବା ଅତିରିକ୍ତ ବୃଦ୍ଧି ମଧ୍ୟ ପରିସ୍ଥିତିକୁ ଆହୁରି ଖରାପ କରିଛି। ଉଦାହରଣ ସ୍ବରୂପ, ଗତ ଏକ ବର୍ଷ ମଧ୍ୟରେ ତୈଳ ଦରରେ ଦେଖାଯାଇଥିବା ୪୦ ଶତାଂଶ ବୃଦ୍ଧି ଅନ୍ୟାନ୍ୟ ଅଧିକାଂଶ ଦ୍ରବ୍ୟ ଓ ସେବାର ଦରକୁ ମଧ୍ୟ ପ୍ରଭାବିତ କରିଛି। ମାଇକ୍ରୋଚିପ୍ ଉତ୍ପାଦନରେ ଘଟିଥିବା ସଂକୋଚନ କିପରି ସାରା ପୃଥିବୀରେ ଗାଡ଼ିମଟର ଶିଳ୍ପରୁ ପରିବହନ ଶିଳ୍ପ ପର୍ଯ୍ୟନ୍ତ ଆଣ୍ଠେଇ ଦେଇଛି, ତାହା ନିୟମିତ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଭାରତୀୟ ଅର୍ଥନୀତି ଏହାର ପ୍ରଭାବରୁ ମୁକ୍ତ ନୁହେଁ। କଣ୍ଟେନର୍ ଅଭାବ ଯୋଗୁଁ ଅନ୍ତର୍ଜାତୀୟ ଜାହାଜ ପରିବହନରେ ବ୍ୟାଘାତ ଘଟି ପରିବହନକୁ ବ୍ୟୟସାପେକ୍ଷ କରି ତୋଳିଛି।

ଇତି ମଧ୍ୟରେ ଅଧିକାଂଶ ପାଶ୍ଚାତ୍ୟ ଅର୍ଥନୀତି ବହୁ ବର୍ଷ ଧରି ନୀଚା ମୁଦ୍ରାସ୍ଫୀତି ଉପଭୋଗ କରି ଆସିବା ପରେ ଏବେ ପାଣ୍ଡେମିକ୍‌ର ମୁକାବିଲା ପାଇଁ ଅନୁସୃତ ବିଶାଳ ରାଜକୋଷୀୟ ପ୍ରୋତ୍ସାହନ କାର୍ଯ୍ୟକ୍ରମମାନଙ୍କ ଯୋଗୁଁ ଉଚ୍ଚା ମୁଦ୍ରାସ୍ଫୀତି କବଳରେ ପଡ଼ିବା ଦେଖାଯାଇଛି। ଏଥିଯୋଗୁଁ ଆମେ ବିଦେଶରୁ ଆମଦାନି କରୁଥିବା ଦ୍ରବ୍ୟ ଆଦି ମହଙ୍ଗା ହୋଇ ଯାଇଛି। ଏ ସବୁ ସତ୍ତ୍ବେ, ଯେ ପର୍ଯ୍ୟନ୍ତ ଏଠାରେ ଖାଉଟି ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ଅଛି ସେ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ୍ କୌଣସି କଠୋର ପଦକ୍ଷେପ ନ ନେଇ, ପରିସ୍ଥିତି ଉପରେ ସତର୍କ ନଜର ରଖିବା ବର୍ତ୍ତମାନର ସନ୍ଧିକ୍ଷଣରେ ଉଚିତ କାର୍ଯ୍ୟ ହେବ ବୋଲି ମ‌ନେହୁଏ।

ସମ୍ବନ୍ଧିତ ଖବର