ଜିଲ୍ଲାପାଳ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ଏବଂ ଶାସନକୁ ସାଧାରଣ ଲୋକଙ୍କ ସହ ଯୋଡ଼ିବା ଲାଗି ଅମଲାତନ୍ତ୍ରର ବାବୁ ମାନଙ୍କୁ ଆହ୍ଵାନ ଜଣାଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଆରୋପ କରିଛନ୍ତି ଉପରୁ ତଳ ପର୍ଯ୍ୟନ୍ତ ବାବୁ ମାନଙ୍କ କ୍ଷେତ୍ର ପରିଦର୍ଶନ ଉପରେ। ବାବୁ ମାନଙ୍କ ଠାରୁ ଶାସନ ମୁଖ୍ୟ କିଛି ଅଧିକ ଆଶା କରିନାହାନ୍ତି। କ୍ଷେତ୍ର ପରିଦର୍ଶନ ବାବୁ ମାନଙ୍କ ଦୈନନ୍ଦିନ ରୁଟିନ୍ କାର୍ଯ୍ୟର ପରିସରଭୁକ୍ତ। ଅଧିକାରୀ ମାନେ ଯଦି କ୍ଷେତ୍ର ପରିଦର୍ଶନ ନ କରିବେ, ତେବେ ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମର ଠିକଣା ତଦାରଖ ହେବ କିପରି? ଲୋକଙ୍କ ସମସ୍ୟା ସମ୍ପର୍କରେ ଶାସନ ଅବଗତ ନ ହେଲେ ସମାଧାନ ଓ ପ୍ରତିକାର ପାଇଁ ପଦକ୍ଷେପ ନେବ କିପରି? ଶାସନକୁ ଲୋକାଭିମୁଖୀ, ସମ୍ବେଦନଶୀଳ ଓ ବିକାଶ କୈନ୍ଦ୍ରିକ କରିବା ଲାଗି ଏହା ଜରୁରୀ। ଶେଷ ମୁଣ୍ଡ ପର୍ଯ୍ୟନ୍ତ ସରକାରୀ ଯୋଜନାର ସୁଫଳ ପହଞ୍ଚିବା ଲାଗି ଶାସନ ହେଉଛି ବଳିଷ୍ଠ ମାଧ୍ୟମ। ଏଥିରେ ଖାଲି ବିକାଶର ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ହାସଲ ହେବ ନାହିଁ, ଗଣତନ୍ତ୍ରର ଅନ୍ତର୍ଭୁକ୍ତୀକରଣ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ଵିତ ହେବ। ସେଥିପାଇଁ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଛି ଯେ, ସଚିବ ସ୍ତରୀୟ ଅଧିକାରୀ ମାନେ ପ୍ରତି ମାସର ପ୍ରଥମ ସପ୍ତାହର ଚାରିଦିନ ଜିଲ୍ଲା ଗସ୍ତରେ ଯିବେ। ଜିଲ୍ଲାପାଳ ମାନେ ନିୟମିତ ବ୍ଲକ୍ ଓ ପଞ୍ଚାୟତ ବୁଲିବେ ଏବଂ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଗାଁ ଗାଁ ବୁଲିବେ। ବିଭାଗୀୟ ମୁଖ୍ୟ ମାନଙ୍କୁ ମଧ୍ୟ ମୁଖ୍ୟ ଦପ୍ତର ଛାଡ଼ି କ୍ଷେତ୍ରକୁ ଯିବା ଲାଗି କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅବଶ୍ୟ, ଏହା ପ୍ରଥମଥର ନୁହେଁ, ଯେତେବେଳେ ମୁଖ୍ୟମନ୍ତ୍ରୀ ବାବୁଙ୍କ ‘ଗାଁ ବୁଲା’ ଉପରେ ଗୁରୁତ୍ୱ ଦେଇ ଦିର୍ଦ୍ଦେଶ ଜାରି କରିଛନ୍ତି। ବାରମ୍ବାର ଏ ପ୍ରକାର ନିର୍ଦ୍ଦେଶ ଜାରି କରାଯାଇଛି। କିନ୍ତୁ ବିଡ଼ମ୍ବନା ହେଲା, ଯାହା ବାବୁ ମାନଙ୍କ ସ୍ୱାଭାବିକ, ଦୈନନ୍ଦିନ ଏବଂ ରୁଟିନ୍ କାର୍ଯ୍ୟ ହେବା ଉଚିତ, ସେ ବିଷୟ ବାରମ୍ବାର ମନେ ପକାଇବାକୁ ପଡୁଛି। ଏହା ଠାରୁ ଆହୁରି ଅଧିକ ଦୁର୍ଭାଗ୍ୟଜନକ ବିଡ଼ମ୍ବନାର ବିଷୟ ହେଲା- ଶାସନ ମୁଖ୍ୟଙ୍କ ବାରମ୍ବାର ନିର୍ଦ୍ଦେଶ ଓ ତାଗିଦ୍ ସତ୍ତ୍ୱେ ବାବୁ ମାନେ କ୍ଷେତ୍ର ପରିଦର୍ଶନରେ ଅତ୍ୟନ୍ତ ଢିଲା, ଉଦାସୀନ ଏବଂ ଖାମଖିଆଲି। ଶାସନ ମୁଖ୍ୟଙ୍କ ମନ୍ତ୍ର ମା’, ମାଟି, ମଣିଷ। ଅଥଚ ବାବୁ ମାନଙ୍କ ପାଦ ନା ମାଟିରେ ପଡୁଛି, ନା ମା’ ମଣିଷଙ୍କ ସହ ମିଶିବା ଲାଗି ଆଗ୍ରହ ଅଛି। ଏ କଥା ଆଉ କେହି କହୁନାହାନ୍ତି, ଖୋଦ୍ ରାଜ୍ୟ ଅମଲାତନ୍ତ୍ରର ଶୀର୍ଷ ପଦବିରେ ଥିବା ବାବୁ ମୁଖ୍ୟ ଶାସନ ସଚିବ ମହୋଦୟ ଅନୁଭବ କରିଛନ୍ତି। ଗତ ଅକ୍ଟୋବର ୧୮ ତାରିଖ ଦିନ ମୁଖ୍ୟ ଶାସନ ସଚିବଙ୍କ ଦପ୍ତରରୁ ସମସ୍ତ ବିଭାଗର ସଚିବ ମାନଙ୍କୁ ଜାରି କରାଯାଇଥିବା ଏକ ପତ୍ର ଅନୁଯାୟୀ, କ୍ଷେତ୍ର ପରିଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ଠିକ୍ ଭାବେ ଅନୁପାଳନ ହେଉ ନାହିଁ। ସଚିବମାନେ ଜିଲ୍ଲା ଗସ୍ତ କରୁନାହାନ୍ତି। ଉଲ୍ଲେଖ ଅନାବଶ୍ୟକ ଯେ, ଏହା ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ରୂପାୟନକୁ ପ୍ରଭାବିତ କରୁଛି। ଏଥିରୁ ଶାସନର ଚିତ୍ର ଓ ଚରିତ୍ର ସ୍ପଷ୍ଟ ବାରି ହେଉଛି। ନିର୍ଦ୍ଦେଶର ଅନୁପାଳନ ହେଲା ନାହିଁ, ସେଥିପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଅଗତ୍ୟା ଆଉ ଏକ ସାନି ନିର୍ଦ୍ଦେଶ ଜାରି କରିବାକୁ ପଡ଼ିଛି। ସବୁ ସଚିବଙ୍କୁ ନିଜ ନିଜ ଦାୟିତ୍ୱରେ ଥିବା ଜିଲ୍ଲା ଗସ୍ତ କରି ବିକାଶ ଓ କଲ୍ୟାଣ ମୂଳକ କାର୍ଯ୍ୟର ସମୀକ୍ଷା ଓ ତଦାରଖ ଲାଗି ବ୍ୟାପକ କ୍ଷେତ୍ର ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ‘ମମତା’ ଠାରୁ ଆରମ୍ଭ କରି ‘ବିଜୁ ପକ୍କାଘର’, ‘ଗ୍ରାମ୍ୟ ବିଦ୍ୟୁତ୍କରଣ’ ପର୍ଯ୍ୟନ୍ତ ବିଭିନ୍ନ ବାରଟି ଯୋଜନା ଓ କାର୍ଯ୍ୟକ୍ରମର ରୂପାୟନ ପ୍ରତି ବିଶେଷ ଦୃଷ୍ଟି ଦେବା ଲାଗି ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯାଇଛି।
ତେବେ, ଏଠାରେ ପ୍ରଶ୍ନ ଉଠିବା ଆଦୌ ଅସ୍ୱାଭାବିକ ନୁହେଁ ଯେ, ଯଦି ପୂର୍ବରୁ ସଚିବ ସ୍ତରୀୟ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମାନୁ ନଥିଲେ, ତେବେ ଏଥର ନିର୍ଦ୍ଦେଶର ଅନୁପାଳନ ହେବ ବୋଲି କେମିତି ଆଶା କରାଯିବ? ପୁଣି ଯଦି ସଚିବ ମାନେ ନିର୍ଦ୍ଦେଶ ଅନୁଯାୟୀ କ୍ଷେତ୍ର ପରିଦର୍ଶନ ପାଇଁ ଯିବାକୁ କୁନ୍ଥୁକୁନ୍ଥୁ, ତେବେ ଜିଲ୍ଲାପାଳ ଏବଂ ଶାସନର ଅନ୍ୟ ତଳିଆ ଅଧିକାରୀଙ୍କ ଦ୍ୱାରା ନିର୍ଦ୍ଦେଶର ଅନୁପାଳନ କେମିତି ନିଶ୍ଚିତ କରାଯାଇ ପାରିବ? ନିଃସନ୍ଦେହରେ ଏହା କୁହାଯାଇପାରେ ଯେ, ଶାସନର ସର୍ବୋଚ୍ଚ ସ୍ତରରେ ଥିବା ତୁଙ୍ଗ ଅଧିକାରୀଙ୍କ ଠାରୁ କର୍ତ୍ତବ୍ୟନିଷ୍ଠା; ନିର୍ଦ୍ଦେଶ ଅନୁପାଳନର ଯେଉଁ ପ୍ରକାର ଉଜ୍ଜ୍ୱଳ ଉଦାହରଣ ଆଶା କରାଯାଏ, ସେ ପ୍ରକାର ଉଦାହରଣ ସଚିବ ମାନେ ରଖିବାରେ ସଫଳ ହୋଇ ନାହାନ୍ତି। ବରଂ ଏହାର ବିପରୀତ ଅସୁସ୍ଥ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ପୂର୍ବର ଅଭିଜ୍ଞତା ମଧ୍ୟ କିଛି ସୁଖଦ ନୁହେଁ। ଅନେକ ବରିଷ୍ଠ ସଚିବଙ୍କୁ ବିଭିନ୍ନ ଅନୁନ୍ନତ ଜିଲ୍ଲା ଓ ନିର୍ଦ୍ଦିଷ୍ଟ ଭାବେ ରାଜ୍ୟ ସରକାରଙ୍କ କିଛି ସ୍ୱତନ୍ତ୍ର ଯୋଜନାର ତଦାରଖ ଦାୟିତ୍ୱ ଦିଆଯାଇଥିଲା। ଖବରକାଗଜ ଗୁଡ଼ିକରେ ଏହାର ବ୍ୟାପକ ପ୍ରଚାର ହେଲା ସିନା, କ୍ଷେତ୍ର ସ୍ତରରେ କୌଣସି ସୁଫଳ ଦେଖିବାକୁ ମିଳିଲା ନାହିଁ।
ତେଣୁ କ୍ଷେତ୍ର ପରିଦର୍ଶନ ଲାଗି ନିର୍ଦ୍ଦେଶ ଜାରି ଯଥେଷ୍ଟ ନୁହେଁ। ନିର୍ଦ୍ଦେଶର ଅନୁପାଳନ ନିଶ୍ଚିତ କରିବା ଲାଗି କିଛି ଢାଞ୍ଚାଗତ ବ୍ୟବସ୍ଥା, ଦଣ୍ଡ ଓ ପୁରସ୍କାରର ପ୍ରାବଧାନ ଜରୁରୀ। ଯଦି କୌଣସି ବିଶେଷ କାରଣ ନଥାଇ ଅଧିକାରୀ କ୍ଷେତ୍ର ପରିଦର୍ଶନରେ ଅବହେଳା କରୁଛନ୍ତି, ତେବେ କାହିଁକି ତାହାକୁ ବିଶୃଙ୍ଖଳା ତଥା କର୍ତ୍ତବ୍ୟରେ ଖିଲାପ ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ? କାହିଁକି ଏହା ଶାସନ ମୁଖ୍ୟଙ୍କ ପ୍ରତି ଅବଜ୍ଞା ଓ ବେଖାତିର ବୋଲି ବିଚାର କରାଯାଇ ଦଣ୍ଡବିଧାନର ବ୍ୟବସ୍ଥା ହେବ ନାହିଁ? ଉପର ସ୍ତରରେ ଶୃଙ୍ଖଳା ରହିଲେ, ଆପେ ତାହା ତଳ ସ୍ତରରେ ମଧ୍ୟ ପ୍ରତିଫଳିତ ହେବ।
ଶାସନ ପାଖରେ ପୂର୍ବରୁ ବାବୁଙ୍କ କ୍ଷେତ୍ର ପରିଦର୍ଶନ ପାଇଁ ଗାଡ଼ିଘୋଡ଼ା, ଅନ୍ୟ ସାଧନର ଅଭାବ ଥିଲା। ଏବେ ବ୍ଲକ୍ ସ୍ତରରୁ ସଚିବାଳୟ ପର୍ଯ୍ୟନ୍ତ କୌଣସି ଅଧିକାରୀଙ୍କ ପକ୍ଷରେ ସେ ପ୍ରକାର ଅଭିଯୋଗ କରିବା ଅବକାଶ ନାହିଁ। କିନ୍ତୁ ପୂର୍ବରୁ ଅଧିକାରୀ ମାନେ ନିୟମିତ, ରୁଟିନ୍ କାର୍ଯ୍ୟର ଅଂଶ ସ୍ୱରୂପ ଯେତିକି ଗସ୍ତ କରୁଥିଲେ, କ୍ଷେତ୍ର ସ୍ତରରେ ଯୋଜନାର ପ୍ରତ୍ୟକ୍ଷ ତଦାରଖ କରୁଥିଲେ, ସେ ତୁଳନାରେ ଏବେ ଅଧିକାରୀଙ୍କ ଗସ୍ତ ବହୁତ କମିଯାଇଛି। ଅଥଚ, କାର୍ଯ୍ୟକ୍ରମ, ଯୋଜନାର ସଂଖ୍ୟା ବଢ଼ିଛି। ସରକାରୀ ଯୋଜନାରେ ଖର୍ଚ୍ଚ ପରିମାଣ ମଧ୍ୟ ବହୁଗୁଣିତ ହୋଇଛି। ପରିଣତି, ଯୋଜନା ଓ କାର୍ଯ୍ୟକ୍ରମ ଗୁଡ଼ିକର ରୂପାୟନ ଠିକ୍ ଭାବେ ହେଉନାହିଁ। ଉନ୍ନୟନ ମୂଳକ ପ୍ରକଳ୍ପ ଅଯଥା ବିଳମ୍ବିତ ହେଉଛି, ଖର୍ଚ୍ଚ ବଢ଼ୁଛି। ମୋଟ ଉପରେ ସରକାରୀ ଅର୍ଥ ଶ୍ରାଦ୍ଧ ହେଉଛି ସିନା ଲୋକଙ୍କୁ ଲାଭ ପହଞ୍ଚୁୁନାହିଁ। ଅବସ୍ଥାରେ ଈପ୍ସିତ ପରିବର୍ତ୍ତନ ଆସୁନାହିଁ। ପୁଣି ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ରହିବା ଫଳରେ ରୂପାୟନରେ ଅସାଧୁତାକୁ ପ୍ରଶ୍ରୟ ମିଳୁଛି, ଦୁର୍ନୀତି ବଢୁଛି। ଏହାର ସବୁଠାରୁ ବଡ଼ ବିପଜ୍ଜନକ ପରିଣାମ ହେଲା- ଶାସନରେ ଏହା ସୃଷ୍ଟି କରୁଥିବା ନିଅଣ୍ଟିଆପଣ, ସରକାର ଓ ବ୍ୟବସ୍ଥା ପ୍ରତି ବିଶ୍ୱାସର ନିଅଣ୍ଟିଆରେ ରୂପାନ୍ତରିତ ହେଉଛି। ଆଜି ଯଦି ଅନେକ ଅଗମ୍ୟ, ପଛୁଆ ଅଞ୍ଚଳରେ ବାମପନ୍ଥୀ ଉଗ୍ରବାଦ କାୟା ବିସ୍ତାର କରିଛି, ତେବେ ତା’ପଛରେ ରହିଛି ଶାସନରେ ନିଅଣ୍ଟିଆ ଭାବ ସୃଷ୍ଟି କରିଥିବା ଶୂନ୍ୟତା। ଶାସନରେ ଶୂନ୍ୟତା, ସ୍ୱାଭାବିକ ଭାବେ ଅରାଜକତାକୁ ଆମନ୍ତ୍ରଣ।
ସମସ୍ୟାର ମୂଳରେ ରହିଛି ଅମଲାତନ୍ତ୍ରର ସାମୂହିକ ମନୋଭାବ। ଭାରତର ଶ୍ୱେତ ବିପ୍ଳବର ଜନକ କୁରିଏନ୍ ଏକଦା ମନ୍ତବ୍ୟ ଦେଇଥିଲେ- ଭାରତର ଅମଲାତନ୍ତ୍ରର ଉଦ୍ଦେଶ୍ୟ ଲୋକଙ୍କ ଉପରେ ହୁକୁମ ଚଳାଇ ଶାସନ କରିବା, ଲୋକଙ୍କ ସହ ମିଶି ସେମାନଙ୍କ ସେବା ନୁହେଁ। ଉପନିବେଶବାଦୀ ଶାସନ ଅମଳରେ ଅମଲାତନ୍ତ୍ରର ଏ ଆଭିମୁଖ୍ୟ ଠିକ୍ ଥାଇପାରେ। କିନ୍ତୁ ସ୍ୱାଧୀନତାର ସାତଦଶକ ପରେ ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ମଧ୍ୟ ଅମଲାତନ୍ତ୍ରର ସେ ଉପନିବେଶବାଦୀ ଆଭିମୁଖ୍ୟ ନ ବଦଳିବା ଦୁର୍ଭାଗ୍ୟଜନକ। ହୁକୁମ ଚଳାଇବାର ପ୍ରବଣତା ରହିଛି, ଅଥଚ ସେବା ମନୋଭାବ ନାହିଁ। ଏଥିପାଇଁ ଜନତା ଦ୍ୱାରା ନିର୍ବାଚିତ ରାଜନୈତିକ କାର୍ଯ୍ୟନିର୍ବାହୀ ନିଜ ଦାୟିତ୍ୱ ଏଡ଼ାଇ ପାରିବେ ନାହିଁ। ଲୋକଙ୍କ ପାଖରେ ରାଜନୈତିକ କାର୍ଯ୍ୟନିର୍ବାହୀ ଉତ୍ତରଦାୟୀ। ଅଥଚ ସେମାନେ ଅମଲାତନ୍ତ୍ରକୁ ନିଜ ପାଖରେ ଉତ୍ତରଦାୟୀ କରିପାରୁନାହାନ୍ତି। ଉପନିବେଶବାଦୀ ଶାସନରେ ଅମଲାତନ୍ତ୍ରର ଯେଉଁ ଚରିତ୍ର ଥିଲା, ତାହା ବଦଳିବା ଏକାନ୍ତ ଆବଶ୍ୟକ। ତେବେ ଏଥିପାଇଁ ପ୍ରାକ୍-ଆବଶ୍ୟକତା ହେଲା ଅମଲାତନ୍ତ୍ରର ଆଭିମୁଖ୍ୟରେ ପରିବର୍ତ୍ତନ, ବାବୁଗିରି ଛାଡ଼ିବାକୁ ପଡ଼ିବ, ମାଟିରେ ପାଦ ଦେଇ ମା’ ମଣିଷଙ୍କ ମେଳରେ ମିଶିବାକୁ ପଡ଼ିବ, ତେବେ ଯାଇ ଶାସନରେ ଲୋକାଭିମୁଖୀ, ସମ୍ବେଦନଶୀଳ, ଉତ୍ତରଦାୟୀ ଓ ଦକ୍ଷ ଚରିତ୍ର ଆସିବ।