‘ମୋଦୀ କେୟାର’ ବନାମ ‘ନବୀନ କେୟାର’

ପୂରା ହୋଇ ନଥିବା ପ୍ରତିଶ୍ରୁତି ପୂରଣର ଲକ୍ଷ୍ୟ ଏବଂ ପୁଣି ଜନାଦେଶ ହାସଲର ଆଶାରେ ଚତୁର୍ଥ ପାଳିର ଶେଷ ବର୍ଷରେ ପହଞ୍ଚି ଯାଇଥିବା ନବୀନ ସରକାର ଗତ କିଛି ମାସ ହେଲା ଅନେକ ଗୁଡ଼ିଏ ବିକାଶ ଓ କଲ୍ୟାଣମୂୂଳକ କାର୍ଯ୍ୟକ୍ରମ ଓ ଯୋଜନା ଘୋଷଣା କରି ଚାଲିଛନ୍ତି।ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଆଉ ଏକ ଯୋଜନା- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତିି। ଅବଶ୍ୟ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ‘ଆଉ ଏକ ଯୋଜନା’ ମାତ୍ର ବୋଲି ଆଖ୍ୟା ଦେବା ଠିକ୍‌ ହେବ ନାହିଁ। ଓଡ଼ିଶା ଭଳି ଏକ ପଛୁଆ, ଦାରିଦ୍ର୍ୟ ଓ ରୋଗପ୍ରବଣ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହାକୁ ଏକ ଉଚ୍ଚାକାଂକ୍ଷୀ, ଅଥଚ ସମୟୋପଯୋଗୀ ସୁଦୂରପ୍ରସାରୀ କଲ୍ୟାଣକାରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା କହିଲେ ବୋଧହୁଏ ଅତିରଞ୍ଜନ ହେବ ନାହିଁ। ଯେତେବେଳେ ଡାକ୍ତରଖାନାରେ ଚିକିତ୍ସା ଖର୍ଚ ଗତ ଦଶବର୍ଷରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯଥାକ୍ରମେ ୧୬୦ ଏବଂ ୧୭୬ ପ୍ରତିଶତ ବୃଦ୍ଧି ପାଇଛି, ସେତେବେଳେ ରାଜ୍ୟର ୭୦ ଲକ୍ଷ ପରିବାରଙ୍କୁ ଚିକିତ୍ସା ବାବଦ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ପ୍ରଦାନର ପ୍ରତିଶ୍ରୁତି ଦେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଗରିବ, ନିମ୍ନ ଓ ମଧ୍ୟମ ଆୟକାରୀ ବର୍ଗଙ୍କ ପାଇଁ ଦୁର୍ଦ୍ଦିନରେ ଏକ ବିଶେଷ ଭରସା।

ପ୍ରଶ୍ନ ଉଠାଯାଉଛି, ଗତ ବଜେଟରେ କେନ୍ଦ୍ର ସରକାର ‘ଆୟୁଷ୍ମାନ୍‌ ଭାରତ’ ଯୋଜନା ଅଧୀନରେ ଦେଶର ୧୦ କୋଟି ପରିବାରଙ୍କୁ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ ଲାଗି ଘୋଷଣା କରି ସାରିଥିବା ବେଳେ ରାଜ୍ୟ ସରକାର କାହିଁକି ପୃଥକ୍‌ ଭାବେ ଆଉ ଗୋଟିଏ ଅବିକଳ ସମାନ ଯୋଜନା ହାତକୁ ନେଲେ? ଏ ପ୍ରଶ୍ନର ଉତ୍ତରରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମହୋଦୟ ଯେଉଁ ଯୁକ୍ତି ରଖିଛନ୍ତି, ତାହା ଅଯଥାର୍ଥ ମନେ ହେଉନାହିଁ। ‘ଆୟୁଷ୍ମାନ୍‌ ଭାରତ’ ଯୋଜନାରେ ରାଜ୍ୟ ସରକାର ନିଜର ୪୦ ପ୍ରତିଶତ ଭାଗ ସ୍ୱରୂପ ୪୦୦ରୁ ୫୦୦ କୋଟି ଟଙ୍କା ଦେଇଥାନ୍ତେ। ସେତିକି କିମ୍ବା ତା’ଠାରୁ କମ୍‌ ଅର୍ଥରେ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରେ ଅଧିକ ସଂଖ୍ୟାରେ ରାଜ୍ୟବାସୀ ଉପକୃତ ହେବେ। ‘ଆୟୁଷ୍ମାନ୍‌ ଭାରତ’ରେ ଅତିବେଶୀରେ ୬୧ ଲକ୍ଷ ପରିବାରଙ୍କୁ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିଥାନ୍ତା। କିନ୍ତୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ୭୦ ଲକ୍ଷ ପରିବାରଙ୍କୁ ସୁବିଧା ମିଳିପାରିବ। ଅର୍ଥାତ୍‌ ତିନି କୋଟି ୫ ଲକ୍ଷ ପରିବର୍ତ୍ତେ ରାଜ୍ୟର ପ୍ରାୟ ୩ କୋଟି ୫୦ ଲକ୍ଷ ଲୋକ ରାଜ୍ୟ ଯୋଜନାର ପରିସରଭୁକ୍ତ ହେବେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ବର୍ତ୍ତମାନ ବି ବିଜୁ କୃଷକ କଲ୍ୟାଣ ଯୋଜନା ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ମାଧ୍ୟମରେ ଗରିବ ରୋଗୀଙ୍କୁ ସହାୟତା ମିଳୁଛି। ‘ମୋଦୀ କେୟାର’ କୁହାଯାଉଥିବା ‘ଆୟୁଷ୍ମାନ୍‌ ଭାରତ’ ଠାରୁ ‘ନବୀନ କେୟାର’ କୁହାଯାଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଯାହା ବିଶେଷ ସ୍ୱାତନ୍ତ୍ର୍ୟ ପ୍ରଦାନ କରୁଛି, ତାହାହେଲା- ରୂପାୟନର ପଦ୍ଧତି ଓ ପ୍ରକ୍ରିୟା। କେନ୍ଦ୍ରୀୟ ଯୋଜନା ବୀମା ଭିତ୍ତିକ ହୋଇଥିବା ବେଳେ ରାଜ୍ୟ ଯୋଜନା ରୋଗୀଙ୍କୁ ଚିକିତ୍ସା ସହାୟତା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଉଛି। ରାଜ୍ୟ ଯୋଜନାର ‘ବୀମା କମ୍ପାନି’ଙ୍କ କୌଣସି ମଧ୍ୟସ୍ଥି ଭୂମିକା ନାହିଁ। ସିଧାସଳଖ ଏକ ଟ୍ରଷ୍ଟ ଦ୍ୱାରା ଯୋଜନା ପରିଚାଳିତ ହେବ। ‘ଆୟୁଷ୍ମାନ୍‌’ଠାରୁ ବିଜୁ ଯୋଜନା ଅପେକ୍ଷାକୃତ କମ୍‌ ଜଟିଳ। ପୁଣି ‘ଆୟୁଷ୍ମାନ୍‌ ଭାରତ’ର ଆରମ୍ଭ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସଠାରୁ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି।

କେନ୍ଦ୍ରରେ କ୍ଷମତାସୀନ ବିଜେପିର ରାଜ୍ୟ ଶାଖା ‘ଆୟୁଷ୍ମାନ୍‌ ଭାରତ’କୁ ପ୍ରତ୍ୟାଖ୍ୟାନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରବର୍ତ୍ତନ ରାଜନୈତିକ ନ୍ୟସ୍ତ ସ୍ୱାର୍ଥ ପାଇଁ ଅଭିସନ୍ଧି ବୋଲି ଅଭିଯୋଗ କରିଛି। ବିରୋଧୀ ଦଳ ଭାବେ ବିଜେପିର ଏହି ଅଭିଯୋଗ ପଛରେ ଯଥେଷ୍ଟ ଯୁକ୍ତି ମଧ୍ୟ ଥାଇପାରେ। କିନ୍ତୁ ରାଜନୀତିକ ବିତର୍କ ଏବଂ କେନ୍ଦ୍ର-ରାଜ୍ୟ ବିବାଦ ଊର୍ଦ୍ଧ୍ୱରେ ଏହାକୁ ଅସ୍ୱୀକାର କରାଯାଇ ନ ପାରେ ଯେ ‘ମୋଦୀ କେୟାର’ ଅପେକ୍ଷା ‘ନବୀନ କେୟାର’ ଅନ୍ତତଃ କାଗଜରେ ଉନ୍ନତତର ଓ ଏହାର ପରିସର ମଧ୍ୟ ଅଧିକ ବ୍ୟାପକ। ଆୟୁଷ୍ମାନ୍‌ ତୁଳନାରେ ରାଜ୍ୟ ଯୋଜନାରେ ୯ ଲକ୍ଷ ଅଧିକ ପରିବାର ଅର୍ଥାତ୍‌ ଅଧିକ ୪୫ ଲକ୍ଷ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତାର ପ୍ରତିଶ୍ରୁତି କିଛି କମ୍‌ ବଡ଼ ପାର୍ଥକ୍ୟ ନୁହେଁ। ଅବଶ୍ୟ, ଫଳେନ ପରିଚୟେତ୍‌ ନ୍ୟାୟରେ ସ୍ୱାଧୀନତା ଦିବସଠାରୁ କାର୍ଯ୍ୟକାରିତା ଆରମ୍ଭ ହେବା ପରେ ଯାଇ ଯୋଜନାର ଦୋଷ-ଗୁଣ ଅଧିକ ଜଣାପଡ଼ିବ। ଉଲ୍ଲେଖନୀୟ ଯେ, ‘ଆୟୁଷ୍ମାନ୍‌ ଭାରତ’ରୁ ଓହରି ଆସିବାରେ ଓଡ଼ିଶା ପ୍ରଥମ ରାଜ୍ୟ ନୁହେଁ। ପଶ୍ଚିମବଙ୍ଗ, ପଞ୍ଜାବ ଓ ଦିଲ୍ଲୀ ଆଦି ତିନିଟି ରାଜ୍ୟ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନାକୁ ପୂର୍ବରୁ ‘ନା’ କହି ସାରିଛନ୍ତି।

‘ନବୀନ କେୟାର’ ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯେ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ, କଲ୍ୟାଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ, ଏହା ଅନସ୍ୱୀକାର୍ଯ୍ୟ। ଟଙ୍କିକିଆ ଚାଉଳ, ବିଜୁ ପକ୍କାଘର, ଆମ ଗାଁ- ଆମ ବିକାଶ ଭଳି ନବୀନଙ୍କ ପ୍ରମୁଖ ଲୋକାଭିମୁଖୀ ଜନାଦୃତ ଯୋଜନା ଗୁଡ଼ିକ ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟ ସ୍ଥାନ ପାଇବ। ତେବେ ଏ କାର୍ଯ୍ୟକ୍ରମ ଯେତେ ସକାରାତ୍ମକ, କଲ୍ୟାଣକାରୀ, ପ୍ରଗତିଶୀଳ ହେଉ ନା କାହିଁକି ରାଜ୍ୟବାସୀଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ସକାଶେ ସରକାରୀ ସ୍ୱାସ୍ଥ୍ୟ ସେବାର ଉନ୍ନତ ଭିତ୍ତିଭୂମିର ଏହା ଏକ ବିକଳ୍ପ ନୁହେଁ। ଗରିବ ଓ ନିମ୍ନ ଆୟକାରୀଙ୍କୁ ମହଙ୍ଗା ଓ ଉନ୍ନତତର ଚିକିତ୍ସା ଯୋଗାଇବା ଲାଗି ଏହା ସହାୟକ ହୋଇପାରେ, କିନ୍ତୁ ସ୍ୱାସ୍ଥ୍ୟ ସେବାକୁ ସାର୍ବଜନିନ କରି ସମସ୍ତଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଲକ୍ଷ୍ୟ ହାସଲରେ ଏହା ବିଶେଷ ସହାୟକ ହେବ ନାହିଁ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନିମ୍ନ ଓ ସ୍ୱଳ୍ପ ଆୟକାରୀଙ୍କୁ ଉନ୍ନତତର, ମହଙ୍ଗା ଚିକିତ୍ସା ଉପଲବ୍ଧ କରାଯାଇପାରେ। କିନ୍ତୁ ମାତୃ ଓ ଶିଶୁ ମୃତ୍ୟୁ ହାର ନିୟନ୍ତ୍ରଣ, ମ୍ୟାଲେରିଆ, ଝାଡ଼ାବାନ୍ତି ଓ ଅନ୍ୟ ସଂକ୍ରାମକ ରୋଗର ମୁକାବିଲା ପାଇଁ ତୃଣମୂଳରେ ସରକାରୀ ସ୍ୱାସ୍ଥ୍ୟ ସେବାର ଉନ୍ନତି ଏକାନ୍ତ ଅପରିହାର୍ଯ୍ୟ।

ସର୍ବଜନୀନ ସ୍ୱାସ୍ଥ୍ୟ ସେବା ବା ସମସ୍ତଙ୍କ ପାଖରେ ସହଜରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଲକ୍ଷ୍ୟ ସେତେବେଳେ ହାସଲ ହୋଇ ପାରିବ ଯେତେବେଳେ ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ଡାକ୍ତରଖାନା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଲୋକଙ୍କୁ ଗୁଣାତ୍ମକ ଚିକିତ୍ସା ନିଶ୍ଚିତ କରାଯାଇ ପାରିବ। ତେବେ, ଦୁଃଖର ବିଷୟ ହେଲା, ଗୁଣାତ୍ମକ ତ ଦୂରେ ଥାଉ, ମୌଳିକ ଚିକିତ୍ସା ଯୋଗାଇ ଦେବା ଲାଗି ମଧ୍ୟ ରାଜ୍ୟର ସରକାରୀ ସ୍ୱାସ୍ଥ୍ୟ ସେବା ଉତ୍କଟ ନିଅଣ୍ଟିଆ ଅବସ୍ଥା ଦ୍ୱାରା ଆକ୍ରାନ୍ତ। କର୍ମଚାରୀ ଓ ଭିତ୍ତିଭୂମିରେ ଥିବା ନିଅଣ୍ଟିଆ ଭରଣା ନହେଲେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ହୋଇ ରହିଯିବ। ଏ ସମସ୍ୟାର ସମାଧାନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଯୋଜନା ଦ୍ୱାରା ସମ୍ଭବ ନୁହେଁ। ସ୍ୱାସ୍ଥ୍ୟ ସେବାରେ ନିଅଣ୍ଟିଆ ଅବସ୍ଥା କେତେ ଉତ୍କଟ ସେ ନେଇ କିଛି ପରିସଂଖ୍ୟାନ ଏଠାରେ ଉପସ୍ଥାପନ କରାଯାଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନକ ଅନୁଯାୟୀ ପ୍ରତି ୧୦୦୦ ଲୋକସଂଖ୍ୟା ପାଇଁ ଜଣେ ଡାକ୍ତର ଆବଶ୍ୟକ ଥିବା ବେଳେ ରାଜ୍ୟରେ ୯,୪୩୭ ଲୋକଙ୍କ ପାଇଁ ଅଛନ୍ତି ଜଣେ ଡାକ୍ତର। ପ୍ରତି ୧୦୦୦ ଲୋକଙ୍କ ପାଇଁ ଗୋଟିଏ ଡାକ୍ତରଖାନା ଶଯ୍ୟା ରହିବା କଥା। କିନ୍ତୁ ରାଜ୍ୟରେ ହାରାହାରି ୧୦ ହଜାର ଲୋକସଂଖ୍ୟା ପାଇଁ ରହିଛି ମାତ୍ର ୪ଟି ଶଯ୍ୟା। ୨୦୦୯-୧୦ରେ ରାଜ୍ୟ ଲୋକସଂଖ୍ୟାର ୬.୬୧ ପ୍ରତିଶତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେଉଥିଲେ। ୨୦୧୪-୧୫ ବେଳକୁ ଏହା ୧୦.୪୧ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ଅନୁୁପାତରେ କିନ୍ତୁ ଡାକ୍ତରଖାନା ଶଯ୍ୟା ସଂଖ୍ୟା ବୃଦ୍ଧି ହୋଇ ନାହିଁ। ୨୦୧୭ର ରୁରାଲ୍‌ ହେଲ୍‌ଥ ଷ୍ଟାଟିଷ୍ଟିକ୍ସ (ଆର୍‌ଏଚ୍‌ଏସ୍‌) ଅନୁଯାୟୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ୩୫୩ ଡାକ୍ତର ପଦ ଖାଲି ପଡ଼ିଛି। ୧୦୫ଟି ପିଏଚ୍‌ସି ଡାକ୍ତରଶୂନ୍ୟ। ୧୨୪୬ଟି ପିଏଚ୍‌ସି ଓ ୬୫ଟି ସିଏଚ୍‌ସିର ଅସ୍ତ୍ରୋପଚାର କକ୍ଷ ନାହିଁ। ୭୨୧ ପିଏଚ୍‌ସିର ପ୍ରସୂତି କକ୍ଷ ନାହିଁ। ଏମିତି ନାହିଁ ନାହିଁର ତାଲିକା ଖୁବ୍‌ ଲମ୍ବା, ଯାହା ସ୍ୱାସ୍ଥ୍ୟ ସେବାର ଏକ ନିରାଶାଜନକ ଚିତ୍ର ପ୍ରଦାନ କରେ। ରାଜ୍ୟରେ ଗୋଟିଏ ପିଏଚ୍‌ସି ଉପରେ ହାରାହାରି ୨୭ ହଜାର ଏବଂ ଗୋଟିଏ ସିଏଚ୍‌ସି ଉପରେ ହାରାହାରି ଲକ୍ଷେ ଲୋକ ନିର୍ଭର କରନ୍ତି। ତେଣୁ ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଣର ଲକ୍ଷ୍ୟ ହାସଲ ସକାଶେ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବାର ନିଅଣ୍ଟିଆ ଭରଣା ପ୍ରତି ପ୍ରାଥମିକତା ଦେବାକୁ ପଡ଼ିବ। ଅନ୍ୟଥା ଉଚ୍ଚାକାଂକ୍ଷୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମେତ ନିଦାନ, ସହାୟ, ନିରାମୟ ଆଦି ଯେତେ ଛୋଟବଡ଼ ଯୋଜନା କାର୍ଯ୍ୟକାରୀ ହେଲେ ବି ‘ସୁସ୍ଥ ଓଡ଼ିଶା’ର ଲକ୍ଷ୍ୟ ହାସଲ ସୁଦୂର ପରାହତ ହେବ, ‘ମୋଦୀ କେୟାର’ କି ‘ନବୀନ କେୟାର’ ଔଷଧ କାଟୁ କରିବ ନାହିଁ।

ସମ୍ବନ୍ଧିତ ଖବର