୧୭୭୬ରେ ପ୍ରକାଶିତ ଅର୍ଥଶାସ୍ତ୍ରର ପ୍ରଥମ ପୁସ୍ତକ ରୂପେ ପରିଚିତ ‘ଦି େଵଲ୍ଥ ଅଫ୍ ନେସନ୍ସ’ (‘ରାଷ୍ଟ୍ରମାନଙ୍କର ସମ୍ପଦ’) ର ଆରମ୍ଭ ଅ˚ଶରେ ଏହି ପୁସ୍ତକର ରଚୟିତା ତଥା ଏହି ନୂତନ ଶାସ୍ତ୍ରର ଜନକ ସ୍କଟିସ୍ ଦାର୍ଶନିକ ଆଡାମ୍ ସ୍ମିଥ୍ ଏକ ପିନ୍ କଣ୍ଟା ନିର୍ମାଣକାରୀ କାରଖାନାର ବର୍ଣ୍ଣନା କରିଛନ୍ତି। ତାଙ୍କ ବର୍ଣ୍ଣନା ଅନୁସାରେ,‘‘ଜଣେ ଲୋକ ତାରକୁ ଟାଣୁଛି, ଆଉ ଜଣେ ତାହାକୁ ସଳଖ କରୁଛି, ଜଣେ ତୃତୀୟ ଲୋକ ତାକୁ କାଟି ପକାଉଛି, ଚତୁର୍ଥ ଲୋକ ଜଣେ ତାକୁ ମୁନିଆ କରୁଛି, ...।’’ ସ୍ମିଥ୍ ଲେଖିଛନ୍ତି ଏଇଭଳି ନିଯୁକ୍ତ ଦଶ ଜଣ ଲୋକ ମିଳିତ ଭାବରେ ଦିନକୁ ୪୮,୦୦୦ରୁ ଅଧିକ ପିନ୍ ତିଆରି କରିପାରୁଥିଲେ। ତା’ପରେ କିନ୍ତୁ ସେ ମନ୍ତବ୍ୟ ଦେଇଛନ୍ତି ଯେ ଯଦି ଏହି ଲୋକମାନେ ପ୍ରତ୍ୟେକ ଅଲଗା ଅଲଗା ସମ୍ପୂର୍ଣ୍ଣ ପିନ୍ ନିର୍ମାଣରେ ବ୍ୟାପୃତ ଥା’ନ୍ତେ, ତେବେ ବୋଧହୁଏ ଜଣକା ଦିନକୁ ଗୋଟିଏ ବି ପିନ୍ ତିଆରି କରିପାରନ୍ତେ ନାହିଁ। କହିବା ବାହୁଲ୍ୟ, ସେପରି ସ୍ଥଳେ ପିନ୍ର ଯୋଗାଣ ଘୋର ସ˚କୁଚିତ ହୁଅନ୍ତା ଏବ˚ ଉଚ୍ଚା ମଜୁରି ଖର୍ଚ୍ଚ ଯୋଗୁଁ ପ୍ରତିଟି ପିନ୍ ବଜାରରେ ଦୁର୍ମୂଲ୍ୟ ହୋଇ ଯାଆନ୍ତା।
ସ୍ମିଥ୍ ବର୍ଣ୍ଣିତ ଏହି ବିଭାଜିତ ପିନ୍ ଉତ୍ପାଦନ ପ୍ରକ୍ରିୟାର ନାମ ହେଉଛି ‘ଶ୍ରମ ବିଭାଜନ’ ବା ‘ବିଶେଷୀକରଣ’। ସ୍ମିଥ୍ ଯଦି ଆଜି ବଞ୍ଚିଥାନ୍ତେ, ସେ ଦେଖନ୍ତେ ଯେ ଅଷ୍ଟାଦଶ ଶତାବ୍ଦୀର ସେଇ ଉତ୍ପାଦନର ବିଶେଷୀକରଣ ତୁଳନାରେ ଆଜିର ବିଶେଷୀକରଣ ଏତେ ଅଧିକ ଜଟିଳ ହୋଇଯାଇଛି ଓ ଏତେ ଆଗେଇ ଯାଇଛି ଯେ ତାଙ୍କ ପ୍ରିୟ ପିନ୍ର ତାର ହୁଏ’ତ ଗୋଟିଏ ଦେଶରେ ତିଆରି ହେଉଛି ତ, ଆଉ ଏକ ଦେଶରେ ତାକୁ ମୁନିଆ କରାଯାଉଛି ତ ଆଉ ଏକ ଦେଶରେ ତା’ର ମୁଣ୍ତ ତିଆରି ହେଉଛି... ଆଉ ଏକ ଦେଶରେ ତାକୁ ଖୋଳରେ ଭର୍ତ୍ତି କରି ବଜାରକୁ ଛଡ଼ା ଯାଉଛି। ସେତେବେଳେ ଅର୍ଥଶାସ୍ତ୍ରର ପିତାଙ୍କୁ ଜଣା ନଥିବା ଏହି ଭୌଗୋଳିକ ଭାବରେ ବିକ୍ଷିପ୍ତ ପୁଞ୍ଜିବାଦୀ ଉତ୍ପାଦନ ବ୍ୟବସ୍ଥାର ନାମ ହେଉଛି ‘ଗ୍ଲୋବାଲାଇଜେସନ୍’ ବା ‘ଜଗତ୍କରଣ’। ଏବ˚ ଯେଉଁ ଅନ୍ତର୍ନିହିତ ପ୍ରକ୍ରିୟା ବଳରେ ଏହି ବିକ୍ଷିପ୍ତ ନିର୍ମାଣ ସ୍ଥଳୀମାନଙ୍କରୁ ଅ˚ଶମାନଙ୍କୁ ପରିବହନ କରି ଏକତ୍ର କରି କୌଣସି ଏକ ଉତ୍ପାଦନ କେନ୍ଦ୍ରରେ ଅନ୍ତିମ ରୂପ ପ୍ରଦାନ କରାଯାଏ, ତାହାର ମଧୢ ସ୍ମିଥ୍ଙ୍କୁ ଅଗୋଚର ଥିବା ନାମ ହେଉଛି ‘ଯୋଗାଣ ଶୃଙ୍ଖଳ’ ବା ‘ସପ୍ଲାଇ ଚେନ୍’ ପରିଚାଳନା।
ବିଶେଷ କରି ୧୯୯୦ ଦଶକର ଆଦ୍ୟ ସମୟରୁ ବିଭିନ୍ନ ଦ୍ରବ୍ୟ ସବୁର ଉତ୍ପାଦନରେ ସର୍ବାଧିକ ସମ୍ଭବ ଦକ୍ଷତା ହାସଲ କରିବା ଉଦ୍ଦେଶ୍ୟରେ ଯୋଗାଣ ଶୃଙ୍ଖଳମାନଙ୍କର ପରିଚାଳନା ଅଗ୍ରାଧିକାର ପାଇବାକୁ ଆରମ୍ଭ କରିଛି। ଯେଉଁ ଦେଶରେ ବା ଯେଉଁ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସର୍ବନିମ୍ନ ଖର୍ଚ୍ଚରେ ଏବ˚ ସର୍ବୋଚ୍ଚ ପରିମାଣରେ ସାଧିତ ହୋଇ ପାରିବ, କମ୍ପାନିମାନେ ସେ କାର୍ଯ୍ୟକୁ ସେଇଠାରେ କେନ୍ଦ୍ରୀଭୂତ କରିଥାନ୍ତି। ଏଭଳି ଶସ୍ତା ଉତ୍ପାଦନ ସନ୍ଧାନରେ ପାଶ୍ଚାତ୍ୟ ଦେଶର କମ୍ପାନିମାନେ ସେମାନଙ୍କର ଯୋଗାଣ ଶୃଙ୍ଖଳକୁ ଚୀନ, ଦକ୍ଷିଣ-ପୂର୍ବ ଏସିଆର ଦେଶମାନଙ୍କ ଭଳି ନୀଚା ମଜୁରି-ଦେଶ କିମ୍ବା ତାଇଵାନ୍ ବା ଦକ୍ଷିଣ କୋରିଆ ଭଳି ଉଚ୍ଚ ଶ୍ରମଦକ୍ଷତା-ଦେଶମାନଙ୍କ ଦିଗକୁ ଯେତେ ଅଧିକ ସମ୍ପ୍ରସାରିତ କରିବାକୁ ଲାଗିଲେ, ଆମେରିକା, ଇଉରୋପ, କାନାଡ଼ା, ଜାପାନ ଭଳି ଶିଳ୍ପୋନ୍ନତ ଦେଶ ଓ ଅଞ୍ଚଳମାନଙ୍କରେ ଗୋଟିକ ପରେ ଗୋଟିଏ କାରଖାନା ତା’ ସହିତ ତାଳ ଦେଇ ସେତେ ବନ୍ଦ ହେବାକୁ ଲାଗିଲେ।
ଏହି ନୂତନ ବ୍ୟବସ୍ଥାରେ ବଜାରରେ ଚାହିଦା ଦେଖି ଏକ କମ୍ପାନି ତା’ର ଯୋଗାଣକାରୀଙ୍କ ଠାରୁ ଠିକ୍ ଯେତିକି ଆବଶ୍ୟକ ସେତିକି ସାମଗ୍ରୀ ଆଣି ଅନ୍ତିମ ଉତ୍ପାଦନ କରୁଥିବାରୁ କମ୍ପାନିକୁ ସର୍ବଦା ଏକ ବିଶାଳ ଯନ୍ତ୍ରା˚ଶ ଭଣ୍ତାର, ମହଜୁଦ୍ ରଖିବାକୁ ପଡ଼ିନଥାଏ। ଏହାର ନାମକରଣ କରାଯାଇଛି ‘ଜଷ୍ଟ୍ ଇନ୍ ଟାଇମ୍’ ବା ‘ଠିକଣା ସମୟରେ’ ଉତ୍ପାଦନ ବ୍ୟବସ୍ଥା। ଏହା କମ୍ପାନିକୁ ମହଜୁଦ ବ୍ୟୟରୁ ରକ୍ଷା କରିଥାଏ ସତ, କିନ୍ତୁ ଯଦି ଯୋଗାଣ ଶୃଙ୍ଖଳ କେବେ ସାବଲୀଳ ଭାବରେ କାର୍ଯ୍ୟ କରିବାରେ କୌଣସି ବ୍ୟାଘାତ ଘଟେ, ତାହା କିଭଳି ଆତଙ୍କ ଓ ବିପର୍ଯ୍ୟୟ ସୃଷ୍ଟି କରିପାରେ, ତାହା ମାର୍ଚ୍ଚ ଶେଷ ସପ୍ତାହରେ ଦେଖିବାକୁ ମିଳିଥିଲା ଛ’ ଦିନ ପାଇଁ ସୁଏଜ୍ କେନାଲ୍ରେ ଆଡ଼ ପଡ଼ି ରହି ଶହ ଶହ ମାଲବାହୀ ଜାହାଜଙ୍କର ଯାତାୟାତ ବନ୍ଦ କରିଦେଇଥିବା ଅତିକାୟ କଣ୍ଟେନର୍ ଜାହାଜ ‘ଏଭର୍ ଗିଭ୍ନ’ ରୂପରେ।
ବିଭିନ୍ନ କମ୍ପାନିମାନଙ୍କର ଅସ˚ଖ୍ୟ ଯୋଗାଣ ଶୃଙ୍ଖଳର ଅ˚ଶ ବିଶେଷ ହୋଇଥିବା କେତେ ମାଲ୍ ଏହି ଜାହାଜଟିରେ ଥିଲା ଅନୁମାନ କରିବାକୁ ହେଲେ କଳ୍ପନା କରାଯାଉ ପ୍ରାୟ ୧୨,୦୦୦ଟି ଟ୍ରକ୍ର ମାଲ୍ ‘ଏଭର୍ ଗିଭ୍ନ’ରେ ଲଦା ହୋଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା। ଛୋଟ ବଡ଼ ୪୦୦ରୁ ଅଧିକ ଜାହାଜ ଏହି ଦୁର୍ଘଟଣା ଯୋଗୁଁ ଅଟକି ରହିବା ଫଳରେ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳ କିଭଳି ବାଧାପ୍ରାପ୍ତ ହୋଇଥିବ, ସହଜେ ଅନୁମେୟ। ଛ’ ଦିନ ପରେ ଭାସମାନ ହୋଇ ‘ଏଭର୍ ଗିଭ୍ନ’ ପୁଣି ଧୀରେ ମନ୍ଥର ଗତିରେ ତା’ର ଯାତ୍ରା ପଥରେ ଆଗେଇବା ପରେ ସୁଏଜ୍ କେନାଲ୍ରେ ଜାହାଜ ଚଳାଚଳ କ୍ରମେ ସ୍ବାଭାବିକ ଅବସ୍ଥାକୁ ଫେରି ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳକୁ କ୍ରମେ ସ୍ବାଭାବିକ କରିବ ସତ, କିନ୍ତୁ ଏହି ଅତି-ଦୃଶ୍ୟମାନ ସୁଏଜ ଅବରୋଧ ଘଟଣା ଏପରି ଏକ ସମୟରେ ଘଟିଛି, ଯେତେବେଳେ ଅତି-ବିସ୍ତାରିତ ଯୋଗାଣ ଶୃଙ୍ଖଳର ଅନ୍ତର୍ନିହିତ ବିପଦ ପ୍ରତି ଜନ ମାନସରେ ଆଶଙ୍କା ସୃଷ୍ଟି ହେବାକୁ ଆରମ୍ଭ କରିଥିଲା। ବର୍ତ୍ତମାନ ‘ଏଭର୍ ଗିଭ୍ନ’ ଏହି ବିପଦର ଏକ ରୂପକଳ୍ପ ରୂପେ ଆବିର୍ଭୂତ ହୋଇଛି: ଅତିକାୟ ‘ଏଭର୍ ଗିଭ୍ନ’ ଯେଉଁଭଳି ନିୟନ୍ତ୍ରଣହରା ହୋଇ ଚଡ଼ାରେ ଲାଗି ଯାଇଥିଲା, ଅତି ବିଶାଳ ଯୋଗାଣ ଶୃଙ୍ଖଳ ସେହିପରି ନିୟନ୍ତ୍ରଣ ହରାଇ ବିଶ୍ବ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରି ଦେଇ ପାରେ।
ନିୟନ୍ତ୍ରଣହରା ଯୋଗାଣ ଶୃଙ୍ଖଳର ଯେଉଁ ବିଭିନ୍ନ ଉଦାହରଣ ମାନ ବର୍ତ୍ତମାନ ଦେଖିବାକୁ ମିଳିଛି, ସେଥି ମଧୢରୁ କେତୋଟି ଏଠାରେ ଉଲ୍ଲେଖଯୋଗ୍ୟ। ମୁଖ୍ୟତଃ ତାଇଵାନ୍ ଓ ଦକ୍ଷିଣ କୋରିଆରେ ନିର୍ମିତ ସେମି କଣ୍ଡକ୍ଟର୍ ସିଲିକନ୍ ଚିପ୍ ଯୋଗାଣରେ ଅଭାବ ଯୋଗୁଁ ପୃଥିବୀ ସାରା ମଟରଗାଡ଼ି ନିର୍ମାତାମାନେ ସେମାନଙ୍କ ଗାଡ଼ି ଉତ୍ପାଦନ ସାମୟିକ ଭାବରେ ବନ୍ଦ ରଖିବାକୁ ବାଧୢ ହୋଇଛନ୍ତି। ଚୀନ୍ର ଜିନ୍ଜିଆଙ୍ଗ୍ ପ୍ରଦେଶରେ ଉଇଘୁର୍ ମୁସଲମାନମାନଙ୍କୁ କ୍ରୀତଦାସ ଭଳି ବ୍ୟବହାର କରି ଅମଳ କରାଯାଉଥିବା ତୁଳା ଦ୍ବାରା ନିର୍ମିତ କପଡ଼ାକୁ ପାଶ୍ଚାତ୍ୟ କମ୍ପାନିମାନେ ପୋଷାକ ନିର୍ମାଣରେ ବାସନ୍ଦ କରିବାକୁ ବାଧୢ ହେବାରୁ ସମ୍ପୃକ୍ତ ବସ୍ତ୍ରଶିଳ୍ପର ଯୋଗାଣ ଶୃଙ୍ଖଳ ଭୁଶୁଡ଼ି ପଡ଼ିଛି। ଏହାର ଜବାବରେ ଚୀନ୍ କେତେକ ପାଶ୍ଚାତ୍ୟ କମ୍ପାନିମାନଙ୍କ ଉପରେ ବାସନ୍ଦ ଲାଗୁ କରିବା ଦେଖା ଯାଇଛି। ଚୀନା କରୋନା ଭୂତାଣୁ ଜନିତ ପାଣ୍ତେମିକ୍ ଯୋଗାଣ ଶୃଙ୍ଖଳ ବିପଦକୁ ପଦାରେ ପକାଇଥିଲା, ଯେତେବେଳେ ପାଶ୍ଚାତ୍ୟ ଧନୀ ଦେଶମାନଙ୍କ ଠାରୁ ଆରମ୍ଭ କରି ଆଫ୍ରିକାର ଗରିବ ଦେଶମାନଙ୍କ ପର୍ଯ୍ୟନ୍ତ ଆବିଷ୍କାର କଲେ ଯେ ନିଜ ଦେଶବାସୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କ ପାଖରେ ଆବଶ୍ୟକ ଟିକା ଉତ୍ପାଦନ କ୍ଷମତା ଛାଡ଼, ମୁହଁରେ ବାନ୍ଧିବା ପାଇଁ ସାଧାରଣ ମାସ୍କ ତିଆରି କ୍ଷମତା ମଧୢ ନାହିଁ, ଯାହା ପାଇଁ ସେମାନେ ସେଇ ଚୀନ୍ ଉପରେ ହିଁ ନିର୍ଭର କଲେ।
ଏହି ସମୟରେ ଆଘାତ ପାଇ ଫୁଲିଥିବା ଏକ ବୁଢ଼ା ଆଙ୍ଗୁଳି ପରି ଦୃଶ୍ୟମାନ ହୋଇ ସୁଏଜ୍ରେ ଅଟକି ରହିଥିବା ‘ଏଭର୍ ଗିଭ୍ନ’ ପୃଥିବୀର ସବୁ ଦେଶରେ ଯେଉଁ ଜଗତ୍କରଣ-ବିରୋଧୀ ଭାବନା ସୃଷ୍ଟି କରିଛି, ତାହା ହେଉଛି ଆମର ସୁପରିଚିତ ସ୍ଲୋଗାନ୍: ‘ବି ଭୋକାଲ୍ ଫର୍ ଲୋକାଲ୍’। ବା ‘ସ୍ବଦେଶୀ ଜାଗରଣ’। ଏଣିକି ଆମର କାଳ୍ପନିକ ଉଦାହରଣରେ ସ୍ମିଥ୍ଙ୍କ ପିନ୍ ଆଉ ବିଭିନ୍ନ ଦେଶରେ ଆ˚ଶିକ ନିର୍ମିତ ନହୋଇ ସମ୍ପୂର୍ଣ୍ଣ ରୂପେ ସ୍ମିଥ୍ଙ୍କ ସ୍ବଦେଶ ସ୍କଟ୍ଲାଣ୍ତ୍ର କାରଖାନାମାନଙ୍କରେ ନିର୍ମିତ ହୋଇ ପାରେ। କିଏ ଜାଣେ, ସୁଏଜ୍ର ସ୍ରୋତ ଅବରୋଧ କରି ‘ଏଭର୍ ଗିଭ୍ନ’ ଏକ ବିଶ୍ବବ୍ୟାପୀ ‘ସ୍ବଦେଶୀ ଜାଗରଣ’ ସ୍ରୋତ ଆରମ୍ଭ କରି ଦେଇପାରିଥାଏ!