ଈଶ୍ବରଙ୍କ ପାଇଁ

ଘୋର ବିପତ୍ତି କାଳରେ ସମସ୍ତ ଈଶ୍ବର ବିଶ୍ବାସୀ ଦୁଇ ପ୍ରକାର ମନୋଭାବ ପ୍ରଦର୍ଶନ କରିଥାଆନ୍ତି: ଯାହା ମଧୢରୁ ଗୋଟିଏ ହେଲା ଈଶ୍ବର କୌଣସି ଆଲୌକିକତାର ପ୍ରଦର୍ଶନ ଦ୍ବାରା ସେମାନଙ୍କ ସମ୍ମୁଖରେ ଥିବା ସ˚କଟକୁ ଟାଳି ଦେବେ ବୋଲି ଆଶା ପୋଷଣ କରିବା ଏବ˚ ଅନ୍ୟଟି ହେଲା ସ˚କଟ ଅବଧାରିତ ବୋଲି ମଣି ତାହାକୁ ସହନ କରିବା ସକାଶେ ଈଶ୍ବର ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିବା। ହିନ୍ଦୁ ଧର୍ମ ଧାରଣାରେ ଅବତାରମାନେ ଧରାବତରଣ କରି ମନୁଷ୍ୟ ଜାତିକୁ ଅତ୍ୟାଚାର ଓ ବିଲୁପ୍ତିର ମୁହଁରୁ ରକ୍ଷା କରିଥିବା ବିଷୟ ପ୍ରାୟ ଅକାଟ୍ୟ ହୋଇ ରହିଛି। ଇହୁଦୀମାନେ ଏଭଳି ମନୋଭାବକୁ ‘ଲୋହିତ ସାଗର’ ଅନୁଭୂତି ବୋଲି ବର୍ଣ୍ଣନା କରିଥାଆନ୍ତି। କାରଣ ବାଇବେଲର ‘ଓଲ୍‌ଡ ଟେଷ୍ଟାମେଣ୍ଟ’ର ‘ଏକ୍‌ସୋଡୋସ୍‌’(ସ୍ଥାନାନ୍ତରଣ) ଅଧୢାୟରେ ବର୍ଣ୍ଣିତ ଥିବା ଭଳି ଗଣ ସ˚ହାରରୁ ପଳାୟନ କରୁଥିବା ଇହୁଦୀମାନଙ୍କୁ ପଶ୍ଚାତ୍‌ଧାବନରତ ଇଜିପ୍‌ଟୀୟମାନଙ୍କ କବଳରୁ ରକ୍ଷା କରିବା ଲାଗି ଈଶ୍ବର ଲୋହିତ ସାଗରକୁ ଦୁଇ ଭାଗରେ ବିଭାଜିତ କରି ସେମାନଙ୍କ ପଳାୟନର ମାର୍ଗ ସୁଗମ କରି ଦେଇଥିଲେ। କହିବା ବାହୁଲ୍ୟ ଯେ ସ˚କଟ ମୋଚନକାରୀ ଏଭଳି ଐଶ୍ବରୀୟ ଅଲୌକିକତାର ଦୃଷ୍ଟାନ୍ତ ସବୁ ଧର୍ମ ବିଶ୍ବାସରେ ବିଦ୍ୟମାନ ରହିଛି ଏବ˚ ଏ ଯାବତ୍‌ (ବିଜ୍ଞାନର ଯୁଗରେ) ଅତ୍ୟନ୍ତ ମଜଭୁତ ହୋଇ ରହିଛି ମଧୢ। ତେବେ, ଇହୁଦୀମାନଙ୍କ ଚରମ ଅତ୍ୟାଚାର ଓ ସ˚ହାର ଲୀଳାର ସାକ୍ଷୀ ଥିଲା ବି˚ଶ ଶତାବ୍ଦୀର ମଧୢ ଭାଗ।

ସେତିକି ବେଳେ ହିଟଲରର ଯୋଜନାବଦ୍ଧ ଗଣ ବଧର ସମ୍ମୁଖୀନ ହୋଇଥିବା ହଜାର ହଜାର ସ˚ଖ୍ୟକ ଇହୁଦୀ ଐଶ୍ବରୀୟ ହସ୍ତକ୍ଷେପଜନିତ ନିସ୍ତାରର କୌଣସି ଆଶା ନ ଦେଖି ଅକଳ୍ପନୀୟ ଯାତନା ଦେଇ ଗତି କରୁଥିବା ବେଳେ ଦୁଃଖ ସହିବା ଲାଗି ଈଶ୍ବରଙ୍କ ଠାରୁ ଶକ୍ତି ମାଜଣା କରିଥିଲେ, ଯାହାର ପ୍ରମାଣ ସ୍ବରୂପ ଅନେକ ମରଣ ଶିବିରର କାନ୍ଥରେ ମୃତ୍ୟୁ ପଥଗାମୀ ଇହୁଦୀମାନଙ୍କ ଦ୍ବାରା ସେଭଳି ବାକ୍ୟ ଲିପିବଦ୍ଧ ଥିବା ଦେଖିବାକୁ ମିଳିଥିଲା। ତେବେ କେବଳ ଇହୁଦୀମାନେ ନୁହନ୍ତି, ଊଣାଅଧିକେ ସବୁ ଈଶ୍ବର ବିଶ୍ବାସୀ ଜାତି ସ˚କଟ କାଳରେ ଐଶ୍ବରୀୟ ଅଲୌକିକତା ଲାଭ କରି ନ ପାରିଲେ ସୁଦ୍ଧା ଈଶ୍ବରଙ୍କ ପ୍ରତି ଆସ୍ଥା ଅତୁଟ ରଖିଥାଆନ୍ତି ଓ ଈଶ୍ବରଙ୍କ ଆଶ୍ରୟ ଲୋଡ଼ି ଥାଆନ୍ତି। ସୁତରାଂ, ଏହି ପରିପ୍ରେକ୍ଷୀରେ କରୋନା ପାନ୍‌ଡେମିକ୍‌ ଦ୍ବାରା ସୃଷ୍ଟ ବିଭୀଷିକା କାଳରେ ପୃଥିବୀ ବ୍ୟାପୀ ସର୍ବତ୍ର ଉପାସନା ପୀଠଗୁଡ଼ିକ ବନ୍ଦ ହୋଇଯିବା ଏବ˚ ତଦ୍ଦ୍ବାରା ଏକ ଦାରୁଣ ସ˚କଟ କାଳରେ ମଣିଷମାନେ ସେମାନଙ୍କ ନିଜ ଆସ୍ଥା ପୀଠ ଗୁଡ଼ିକର ସମୀପ୍ୟ ଓ ସ˚ସର୍ଗରୁ ବଞ୍ଚିତ ହେବା ଏକ ବିରୋଧାଭାସ ବ୍ୟତୀତ ଅନ୍ୟ କିଛି ନୁହେଁ। ସ୍ମରଣଯୋଗ୍ୟ ଯେ ଲକ୍‌ଡାଉନ୍‌ ଘୋଷଣା ସହିତ ସମଗ୍ର ପୃଥିବୀରେ ଉପସନା ସ୍ଥଳଗୁଡ଼ିକର ଦ୍ବାର ବନ୍ଦ ହୋଇଯାଇଥିଲା। ଆମ ଦେଶରେ ତିନି ମାସରୁ ଅଧିକ କାଳ ପରେ ଯେତେବେଳେ ‘ଅନ୍‌ଲକ୍‌’ ପ୍ରକ୍ରିୟା ଆରମ୍ଭ ହୋଇ କ୍ରମେ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ସମସ୍ତ କ୍ଷେତ୍ର ଖୋଲିବାକୁ କରିଥିଲା, ସେତିକି ବେଳେ ଉପାସନା ସ୍ଥଳୀଗୁଡ଼ିକୁ ବନ୍ଦ ରଖାଯାଇଥିବାରୁ ତାର ଔଚିତ୍ୟ ନେଇ ପ୍ରବଳ ପ୍ରଶ୍ନ ଉଠିବାରେ ଲାଗିଥିଲା। ଏହା ସ୍ବାଭାବିକ ଥିଲା, କାରଣ ପାନ୍‌ଡେମିକ୍‌ କାଳରେ ଏ ସ˚ଦର୍ଭରେ ସର୍ବେକ୍ଷଣ କରିଥିବା ପ୍ରସିଦ୍ଧ ‘ପିଉ ରିସର୍ଚ୍ଚ ସେଣ୍ଟର’ର ରିପୋର୍ଟ କହିଥିଲା ଯେ ଭାରତରେ ଉପାସନା ସ୍ଥଳୀକୁ ଯାଉଥିବା ଏକ ଅତ୍ୟନ୍ତ ବିଶାଳ ବର୍ଗ (ଭାରତୀୟ ଜନସ˚ଖ୍ୟାର ପ୍ରାୟ ୮୦%)ରୁ ଅର୍ଧାଧିକ କରୋନା କାଳୀନ ଉପାସନା ସ୍ଥଳୀ ନିଷେଧାଦେଶ ଯୋଗୁ ଅସନ୍ତୁଷ୍ଟ ଥିଲେ। ସୁତରା˚, ଏହି ପୃଷ୍ଠଭୂମିରେ ଗତ ୨୩ ତାରିଖରେ ଓଡ଼ିଶାର ସର୍ବ ପ୍ରମୁଖ ଆସ୍ଥା ପୀଠ ପୁରୀର ଶ୍ରୀମନ୍ଦିରର ଦ୍ବାର ଖୋଲା ଯିବାର ପ୍ରକ୍ରିୟା ଆରମ୍ଭ ହେବା ଯେଉଁ ସାମୂହିକ ଆବେଗ ସୃଷ୍ଟି କରିଛି ତାହା ବିଶେଷ ପ୍ରଣିଧାନଯୋଗ୍ୟ।

ଏଠାରେ ସ୍ମରଣ କରାଯାଇପାରେ କି କରୋନା ପାନ୍‌ଡେମିକ୍‌ର ପ୍ରାରମ୍ଭ କାଳରେ ବିଭିନ୍ନ ଉପାସନା ସ୍ଥଳଗୁଡ଼ିକ ହିଁ ‘ସୁପର ସ୍ପ୍ରେଡ୍‌’ର କାରଣ ହୋଇଥିଲା। ଦେଖିବାକୁ ମିଳିଥିଲା ଯେ ଦକ୍ଷିଣ କୋରିଆର ସ˚କ୍ରମିତଙ୍କ ସ˚ଖ୍ୟାର ୬୦ ପ୍ରତିଶତ ଶିନକେଓନ୍‌ଜି ଚର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ସମାବେଶରୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କୋଭିଡ୍‌-୧୯ ଆହରଣ କରିଥିଲେ। ସେହିଭଳି ନୂଆଦିଲ୍ଲୀ ବା କୁଆଲାଲା˚ପୁରରେ ଅନୁଷ୍ଠିତ ହୋଇଥିବା ତବଲିଘୀ ଜମାତର ସମ୍ମିଳନୀ ଉଭୟ ଭାରତ ଏବ˚ ମାଲେସିଆରେ କରୋନା ସ˚କ୍ରମଣକୁ ବ୍ୟାପକତା ଓ କ୍ଷିପ୍ରତା ପ୍ରଦାନ କରିଥିଲା। ସେହିଭଳି ବଳଦେବ ସି˚ହ ନାମକ ଜନୈକ ଧର୍ମଗୁରୁଙ୍କ ଠାରୁ ତାଙ୍କ ଦ୍ବାରା ଆହୂତ ଭକ୍ତ ସମ୍ମିଳନୀ ଜରିଆରେ ପ˚ଜାବରେ କୋଭିଡ୍‌ ସ˚କ୍ରମଣ ଉଗ୍ର ରୂପ ପରିଗ୍ରହଣ କରିଥିଲା। ସେହିଭଳି ଇରାନର ତେହେରାନରେ ହେଉ ଅଥବା ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସହରରେ ହେଉ; ଧର୍ମୀୟ ସମାବେଶରୁ କରୋନା ସ˚କ୍ରମଣ ପ୍ରବଳ ହୋଇଥିଲା। ସୁତରା˚, ଲକ୍‌ଡାଉନ୍‌ ବେଳେ ଉପାସନା ସ୍ଥଳୀଗୁଡ଼ିକ ବନ୍ଦ କରାଯିବାର ନିଷ୍ପତ୍ତି ଅତ୍ୟନ୍ତ ଉପଯୋଗୀ ଥିଲା। କେବଳ ସେତିକି ନୁହେଁ, ତାହା ସହିତ ଜନ ସମାବେଶ ସୃଷ୍ଟି କରୁଥିବା ବିଭିନ୍ନ ପର୍ବପର୍ବାଣିର ପାଳନ ଉପରେ କଟକଣା ରହି ଶ୍ରଦ୍ଧାଳୁମାନଙ୍କୁ ମୁହ୍ୟମାନ କରିଛି ସତ, କରୋନା ସ˚କ୍ରମଣର ସ୍ବରୂପକୁ ଦେଖିଲେ ଏହାର ଯଥାର୍ଥତା ହୃଦୟଙ୍ଗମ କରିହୁଏ।

ପୁରୀ ଶ୍ରୀମନ୍ଦିରର ଦ୍ବାର ଖୋଲା ହେବା କ୍ଷଣି ବୈଷ୍ଣବ ପୁରୀ (ସ୍ଥାନୀୟ ଲଙ୍ଗଳୀ ମଠର ଅନ୍ତେବାସୀ) ନାମକ ଜଣେ ଆବେଗ ଆପ୍ଳୁତ ସାଧୁ ସମସ୍ତ ବାରଣ ଉଲ୍ଲଂଘନ କରି ଶ୍ରୀମନ୍ଦିର ମଧ୍ୟକୁ ଯେମିତି ଧସେଇ ପଶି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲେ ବା ଦୀର୍ଘ କାଳର ଅନ୍ତରାଳ ପରେ ସେହି ଦିନ ଶ୍ରୀଜିଉମାନଙ୍କୁ ଦର୍ଶନ କରିବାର ସୁଯୋଗ ଲାଭ କରିଥିବା ଭକ୍ତମାନେ ଯେଉଁଭଳି ଅବିଶ୍ରାନ୍ତ ଅଶ୍ରୁପାତ କରୁଥିବାର ଦୃଶ୍ୟ ଟେଲିଭିଜନ ପରଦାରେ ଦେଖିବାକୁ ମିଳିଥିଲା, ତାହା ସୂଚାଇ ଥାଏ ଯେ ଆସନ୍ତା ୩ ତାରିଖରେ ଶ୍ରୀମନ୍ଦିର ଜନସାଧାରଣଙ୍କ ଲାଗି ଖୋଲା ହେବା ପରେ ଏଭଳି ଆବେଗାତିଶଯ୍ୟର ଅନେକ ଉଦାହରଣ ସୃଷ୍ଟି କରିବ; ଯହିଁରେ ଶ୍ରଦ୍ଧାଳୁମାନେ କରୋନା ସତର୍କତାକୁ ଜଳାଞ୍ଜଳି ଦେବାର ସମ୍ଭାବନା ଅଧିକ। ତେଣୁ ଏ କ୍ଷେତ୍ରରେ କରୋନା ଗାଇଡ୍‌ ଲାଇନର କଠୋର ଅନୁପାଳନ ଅପରିହାର୍ଯ୍ୟ।

ଆମ ରାଜ୍ୟରେ ଛୋଟ ବଡ଼ ଅସ˚ଖ୍ୟ ମନ୍ଦିର ରହିଛି (କେବଳ ଭୁବନେଶ୍ବରରେ ମନ୍ଦିର ସ˚ଖ୍ୟା ୭୦୦), ଯାହା ଉପରେ ନିର୍ଭର କରି ମନ୍ଦିରର ପୂଜକ ଏବ˚ ଅନ୍ୟାନ୍ୟ ଆନୁଷଙ୍ଗିକ ସେବା ପ୍ରଦାନକାରୀ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାଆନ୍ତି। ପୂର୍ବରୁ କେବେ ଦେଖାଯାଇ ନ ଥିବା ଭଳି ଏହି ଦୀର୍ଘ କାଳୀନ ବନ୍ଦ ଦ୍ବାରା ସେମାନେ ଘୋର କ୍ଷତିଗ୍ରସ୍ତ ହୋଇଛନ୍ତିି। ଶ୍ରୀମନ୍ଦିର ଏବ˚ ଏହା ପରେ ପରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଉନ୍ମୁକ୍ତ ହେବାର ଯୋଜନା ସହିତ କ୍ରମେ ଅନ୍ୟାନ୍ୟ ମନ୍ଦିର ଓ ଉପାସନା ପୀଠ ଖୋଲିବା ନେଇ ଆଶା ଉଜ୍ଜ୍ବଳ ହୋଇଛି। କିନ୍ତୁ ଏ ପରିପ୍ରେକ୍ଷୀରେ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଆବେଗାଧୀର ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ କରାଯିବା ବା ଶ୍ରଦ୍ଧାଳୁମାନେ ସ୍ବୟ˚ ସ˚ଯମଶୀଳ ହେବା ଭଳି ବିବେଚନାବୋଧର ପ୍ରଦର୍ଶନ କରିବା। କାରଣ, ଆଧୢାତ୍ମିକ ଆବେଗାତିଶଯ୍ୟର ଅଧୀନସ୍ଥ ଭକ୍ତ ବାସ୍ତବତା ପ୍ରତି ଅନ୍ୟମନସ୍କ ରହି କରୋନା ସ˚କ୍ରମଣକୁ ବୃଦ୍ଧି କରିବାର ସୁଯୋଗ ସୃଷ୍ଟି କରିପାରନ୍ତି। ସ˚କଟ ପଡ଼ିଲେ ତାକୁ ଦୂର କରିବା ଲାଗି ଈଶ୍ବରଙ୍କୁ ପ୍ରାର୍ଥନା କରିବା ଯେତିକି ମହତ୍ତ୍ବପୂର୍ଣ୍ଣ, ତା’ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି, ମୂଳରୁ ସ˚କଟ ସୃଷ୍ଟି ନ ହେଉ ବୋଲି ଯେଉଁ ବିବେଚନାବୋଧର ପ୍ରୟୋଜନ ରହିଛି ଓ ଯାହାକୁ ଈଶ୍ବର ପ୍ରତ୍ୟେକ ମନୁଷ୍ୟ ଠାରେ ପ୍ରଦାନ କରିଛନ୍ତି, ତାର ଯଥାର୍ଥ ଉପଯୋଗ କରିବା। ଏହା ଈଶ୍ବରଙ୍କୁ ମଧୢ ସୁଖୀ କରିବ।

ସମ୍ବନ୍ଧିତ ଖବର