ଭାରତ ଫୁଟ୍ବଲ ଖେଳର ଯୋଗାଣ ପାର୍ଶ୍ୱରେ ଏକ ନଗଣ୍ୟ ସ୍ଥାନରେ ରହିଆସିଥିବା ବେଳେ ପୃଥିବୀର ଏହି ସର୍ବାଧିକ ଲୋକପ୍ରିୟ ଖେଳର ଚାହିଦା ପାର୍ଶ୍ୱରେ ଏହାର ଉପସ୍ଥିତିକୁ ଯେ କେହି ଅସ୍ୱୀକାର କରିପାରିବେ ନାହିଁ, ବତ୍ତର୍ମାନ ଭାରତୀୟମାନଙ୍କୁ ଘାରିଥିବା ରୁଷିଆରେ ଚାଲିଥିବା ଓ୍ଵାର୍ଲଡ୍ କପ୍ ନିଶା ହେଉଛି ତାହାର ବଳିଷ୍ଠ ପ୍ରମାଣ। ଏ ନିଶାର ପ୍ରଭାବରେ କେରଳର ଜଣେ ଘରୋଇ ଗଣିତ ଶିକ୍ଷକ ସାଇକେଲ୍ ଚଢ଼ି ରୁଷିଆ ଯାତ୍ରା କରିବା ଦେଖାଯାଇଛି ତ ଆଉ ଜଣେ ଫୁଟ୍ବଲ ପ୍ରେମୀ ଯୁବକ ତାଙ୍କ ହିରୋ ଆର୍ଜେଣ୍ଟିନାର ଲିଓନେଲ୍ ମେସିଙ୍କ ବିଫଳତାରେ ଭଗ୍ନହୃଦୟ ହୋଇ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ଆରମ୍ଭ ହୋଇ ଯାଇଥିବା ନକ୍ ଆଉଟ୍ ପର୍ଯ୍ୟାୟରେ ବିଳମ୍ବିତ ରାତିରେ ଥିବା ମ୍ୟାଚ୍ ଦେଖି ପରଦିନ ଅର୍ଧଜାଗ୍ରତ ଅବସ୍ଥାରେ ଦେଖିବାକୁ ମିଳୁଥିବା ଖେଳପ୍ରେମୀଙ୍କ ସଂଖ୍ୟା କିଛି କମ୍ ନୁହେଁ। ଓ୍ଵାର୍ଲଡ୍ କପ୍ ଟୁର୍ନାମେଣ୍ଟ୍ରେ ଭାରତର ନାମଗନ୍ଧ ନଥିଲେ ମଧ୍ୟ ନକ୍ ଆଉଟ୍ ସ୍ତରର ଉତ୍ତେଜନା ଅନେକ ଦର୍ଶକଙ୍କ ପାଇଁ ଅସହନୀୟ ହୋଇପାରେ।
ଆଉ ଏହି ଉତ୍ତେଜନା ଯେ କିଭଳି ଚରମ ସୀମାରେ ପହଞ୍ଚିପାରେ ତାହା ରବିବାର ଦିନ ଖେଳାଯାଇଥିବା ପ୍ରଥମ ଦୁଇଟି ପ୍ରି-କ୍ୱାର୍ଟର୍ ନକ୍ ଆଉଟ୍ ମ୍ୟାଚ୍ରେ ହିଁ ପୂରା ମାତ୍ରାରେ ଦେଖିବାକୁ ମିଳିଥିଲା। ଫୁଟ୍ବଲ୍ ପ୍ରତିଯୋଗିତାର ଏହି ସର୍ବୋଚ୍ଚ ସ୍ତରରେ ଯାହା ଦର୍ଶକମାନଙ୍କୁ ସର୍ବାଧିକ ଉତ୍ତେଜନା ଯୋଗାଇ ହୃତ୍ସ୍ପନ୍ଦନ ବନ୍ଦ କରି ଦେଇଥାଏ ତାହା ହେଉଛି ପେନାଲ୍ଟି ସୁଟ୍ ଆଉଟ୍। ଆଉ ଏକ ଅତ୍ୟନ୍ତ ବିରଳ ଘଟଣାକ୍ରମରେ ରବିବାର ହୋଇଥିବା ଦୁଇଟି ଯାକ ମ୍ୟାଚ୍ରେ ପ୍ରତିଦ୍ୱନ୍ଦ୍ୱୀ ଟିମ୍ ମାନଙ୍କର ଅନ୍ତିମ ଭାଗ୍ୟ ନିର୍ଣ୍ଣିତ ହୋଇଥିଲା ଏହି ପେନାଲ୍ଟି ସୁଟ୍ ଆଉଟ୍ ମାଧ୍ୟମରେ ହିଁ। ଆୟୋଜନକାରୀ ରୁଷିଆ ତାର ପ୍ରତିପକ୍ଷ ଶକ୍ତିଶାଳୀ ସ୍ପେନ୍କୁ (ରୁଷିଆ ସ୍ଥାନ ବିଶ୍ୱ ଫୁଟ୍ବଲ୍ ମାନ୍ୟତା ତାଲିକାରେ ୭୦ ହୋଇଥିବା ବେଳେ ସ୍ପେନ୍ର ସ୍ଥାନ ହେଉଛି ଦଶମ- ଅର୍ଥାତ୍ ରୁଷିଆ ଏକ ଫୁଟ୍ବଲ୍ ଶକ୍ତି ଭାବରେ ସ୍ପେନ୍ଠାରୁ ୬୦ଟି ସ୍ଥାନ ତଳେ ରହିଛି) ଶେଷରେ ପେନାଲ୍ଟି ସୁଟ୍ ଆଉଟ୍ ଦ୍ୱାରା ପରାସ୍ତ କରିଥିବା ବେଳେ ପୂର୍ବ ୟୁରୋପୀୟ କ୍ଷୁଦ୍ର ଦେଶ କ୍ରୋଏସିଆ ମଧ୍ୟ ଶକ୍ତିଶାଳୀ ଡେନ୍ମାର୍କ ଦଳକୁ ସେଇ ପେନାଲ୍ଟି ସୁଟ୍ ଆଉଟ୍ ମାଧ୍ୟମରେ ପରାସ୍ତ କରିଛି। ଉଭୟ ବିଜୟୀ ଦଳର ଗୋଲ୍ କିପର୍ ବର୍ତ୍ତମାନ ନିଜ ନିଜ ଦେଶରେ ଜାତୀୟ ହିରୋ।
ଉଲ୍ଲେଖଯୋଗ୍ୟ ଯେ ଟୁର୍ନାମେଣ୍ଟ୍ର ଏହି ନକ୍ ଆଉଟ୍ ସ୍ତରରେ ପେନାଲ୍ଟି ସୁଟ୍ ଆଉଟ୍ର ପ୍ରବେଶ ବିଶେଷ ପୁରାତନ ନୁହେଁ। ଚାଳିଶ ବର୍ଷ ତଳେ ପୂରା ଦୁଇ ଘଣ୍ଟା ଧରି ଖେଳ ହେବା ପରେ (ନିର୍ଦ୍ଧାରିତ ସମୟ ୯୦ ମିନିଟ୍ ଠାରୁ ୩୦ ମିନିଟ୍ ଅଧିକ) ଯଦି ଉଭୟ ପକ୍ଷ ସମାନ ସ୍ଥିତିରେ ରହୁଥିଲେ, ତେବେ ଭାଗ୍ୟ ଦେବୀଙ୍କ ହାତରେ ବିଜୟ ନିଷ୍ପତ୍ତିକୁ ଛାଡ଼ି ଦିଆଯାଉଥିଲା: କଏନ୍ଟିଏ ଟସ୍ କରି। କିନ୍ତୁ ୧୯୭୮ରେ ଏଥିରେ ଭାଗ୍ୟର ଭୂମିକାକୁ ହ୍ରାସ କରିବା ଉଦ୍ଦେଶ୍ୟରେ (ଯଦିବା ପେନାଲ୍ଟି ସୁଟ୍ ଆଉଟ୍ରେ ମଧ୍ୟ ଯେ ଭାଗ୍ୟର କିଛି ଭୂମିକା ରହିଥାଏ, ତାହା ସମସ୍ତେ ସ୍ୱୀକାର କରନ୍ତି) ନିୟମରେ ପରିବର୍ତ୍ତନ କରାଯାଇ ଖେଳ କୌଶଳକୁ ପ୍ରାଧାନ୍ୟ ଦିଆଯିବା ପାଇଁ ଉଦ୍ୟମ ଆରମ୍ଭ ହେଲା। ୧୯୮୨ରେ ପ୍ରଥମ ଥର ପାଇଁ ଏକ ଓ୍ଵାର୍ଲଡ କପ୍ ପ୍ରତିଯୋଗିତାରେ ବାସ୍ତବରେ ପେନାଲ୍ଟି ସୁଟ୍ ଆଉଟ୍ ପ୍ରୟୋଗ ହେବା ପର ଠାରୁ ବର୍ତ୍ତମାନର ଓ୍ଵାର୍ଲଡ୍ କପ୍ ଆରମ୍ଭ ହେବା ପୂର୍ବ ପର୍ଯ୍ୟନ୍ତ ମୋଟ ୨୬ଥର ଏହି ପଦ୍ଧତି ପ୍ରୟୋଗ ହେବା ଦେଖାଯାଇଥିଲା। ଏହି ସମୟକାଳ ମଧ୍ୟରେ ଯେଉଁ ନଅଟି ଓ୍ଵାର୍ଲଡ୍ କପ୍ ଫାଇନାଲ୍ ମ୍ୟାଚ୍ ଖେଳା ଯାଇଛି, ସେଥିରେ ଭାଗ ନେଇଥିବା ୧୮ଟି ଟିମ୍ ମଧ୍ୟରୁ ସାତଟି ଟିମ୍ ପେନାଲ୍ଟି ସୁଟ୍ ଆଉଟ୍ ବାଟ ଦେଇ ହିଁ ଫାଇନାଲ୍ରେ ପହଞ୍ଚି ପାରିଥିଲେ। ଆଉ ଉପରୋକ୍ତ ନଅଟି ଫାଇନାଲ୍ ମ୍ୟାଚ୍ ମଧ୍ୟରୁ ଦୁଇଟିର ଫଳାଫଳ ପେନାଲ୍ଟି ସୁଟ୍ ଆଉଟ୍ ମାଧ୍ୟମରେ ହିଁ ନିର୍ଣ୍ଣିତ ହୋଇଥିଲା।
ତେବେ ଯଦିବା ଲଟେରୀ ଅପେକ୍ଷା ପେନାଲ୍ଟି ସୁଟ୍ ଆଉଟ୍ର ଫଳାଫଳ ଖେଳ କୌଶଳ ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ ବୋଲି ବିଶ୍ୱାସ କରାଯାଉଛି, ଅନୁଶୀଳନରୁ ଜଣାପଡ଼େ ଯେ କୌଣସି ଦଳର ଖେଳ ଦକ୍ଷତା ସହିତ ପେନାଲ୍ଟି ସୁଟ୍ ଆଉଟ୍ରେ ସେ ଦଳର ସଫଳତାର ବିଶେଷ ସମ୍ପର୍କ ନାହିଁ। କିନ୍ତୁ ଏହି ଅନୁଶୀଳନ ମଧ୍ୟ ଏହା ସୂଚାଇଥାଏ ଯେ ପେନାଲ୍ଟି ସୁଟ୍ ଆଉଟ୍ରେ ସଫଳତା ମଧ୍ୟ ସମ୍ପୂର୍ଣ୍ଣ ଅନିଶ୍ଚିତ ନୁହେଁ। କେତେକ ପାରିପାର୍ଶ୍ୱିକ ଅବସ୍ଥା ବା କାରଣ ପେନାଲ୍ଟି ସୁଟ୍ ଆଉଟ୍ରେ ସଫଳତାକୁ ନିୟନ୍ତ୍ରଣ କରିଥାନ୍ତି। ଏଥିରେ ଗୋଟିଏ ହେଉଛି- ଯେଉଁ ଦଳକୁ ପ୍ରଥମ ସୁଟ୍ କରିବା ସୁଯୋଗ ମିଳିଥାଏ, ସେ ଦଳ ଏହି ପାଞ୍ଚଟଙ୍କିଆ ସୁଟ୍ ଆଉଟ୍ ପ୍ରତିଯୋଗିତା ଜିଣିବାର ସମ୍ଭାବନା ଅଧିକ। ମର୍ଯ୍ୟାଦାଜନକ ଲଣ୍ଡନ୍ ସ୍କୁଲ୍ ଅଫ୍ ଇକନୋମିକ୍ସର ଗବେଷକ ଡକ୍ଟର୍ ଇଗ୍ନାସିଓ ପାଲାସିଅସ-ହୁଏର୍ତା ୧,୦୦୦ଟି ପେନାଲ୍ଟି ସୁଟ୍ ଆଉଟ୍କୁ ଟିକିନିଖି ଅନୁଶୀଳନ କରି ଆବିଷ୍କାର କରିଛନ୍ତି ଯେ ଓ୍ଵାର୍ଲଡ୍ କପ୍ ସମେତ ବିଭିନ୍ନ ପ୍ରତିଯୋଗିତାମାନଙ୍କରେ ହୋଇଥିବା ଏହି ପେନାଲ୍ଟି ସୁଟ୍ ଆଉଟ୍ ମାନଙ୍କରେ ଯେଉଁ ଟିମ୍ ସୁଟ୍ ଆଉଟ୍ର ପ୍ରଥମ ବଲ୍ କିକ୍ କରିବା ସୁଯୋଗ ପାଇଛି ସେ ଟିମ୍ ଏହି ସୁଟ୍ ଆଉଟ୍ରେ ସଫଳତା ଲାଭ କରିବା ହାର ହୋଇଛି ୬୦%।
ଏହାର ଅର୍ଥ ପେନାଲ୍ଟି ସୁଟ୍ ଆଉଟ୍ରେ ସଫଳତା ପାଇବାର ଏକ କୌଶଳ ହେଉଛି ବଲ୍କୁ ପ୍ରଥମେ କିକ୍ ବା ସୁଟ୍ କରିବାର ସୁଯୋଗ ହାସଲ କରିବା। କିନ୍ତୁ ସମସ୍ୟା ହେଲା ବଲ୍କୁ କେଉଁ ଦଳ ପ୍ରଥମେ କିକ୍ କରିବ ତାହା ନିର୍ଭର କରିଥାଏ ସମ୍ପୂର୍ଣ୍ଣ ରୂପେ ଭାଗ୍ୟ ଉପରେ- ଏକ କଏନ୍ ଟସ୍ର ଫଳାଫଳ ଉପରେ। ତେଣୁ କୁହାଯାଇପାରେ ପେନାଲ୍ଟି ସୁଟ୍ ଆଉଟ୍ ଜିଣିବାର କୌଶଳ ଆବିଷ୍କୃତ ହୋଇଥିଲେ ମଧ୍ୟ ଏହାକୁ ଅକ୍ତିଆର କରିବାର କୌଣସି ଉପାୟ ନାହିଁ- ଏହା ଭାଗ୍ୟର ଅକ୍ତିଆରରେ। ଏଥିରୁ ମଧ୍ୟ ଭାଗ୍ୟ ଦେବୀଙ୍କୁ ବିତାଡ଼ିତ କରିବା ପାଇଁ ଏକ ଉପାୟ ଚିନ୍ତା କରାଗଲାଣି- ଏଥିରେ ଟେନିସ୍ର ‘ଟାଏ ବ୍ରେକର୍’ ନିୟମ ଲାଗୁ କରିବା। ବର୍ତ୍ତମାନ ପ୍ରଚଳିତ ପ୍ରଥା ଅନୁସାରେ ପ୍ରଥମେ ‘କ’ ଟିମ୍ କିକ୍ କଲା ପରେ ‘ଖ’ ଟିମ୍ କିକ୍ କରେ, ତା’ ପରେ ପୁଣି ‘କ’, ତା’ ପରେ ପୁଣି ‘ଖ’... ‘କ,ଖ’, ‘କ, ଖ’...ଏମିତି ହୁଏ। କିନ୍ତୁ ଟେନିସ୍ ‘ଟାଏ ବ୍ରେକର’ରେ ଅନ୍ତର୍ଗତ ଶୃଙ୍ଖଳା ହେଲା -‘କ’, ‘ଖ’, ‘ଖ’, ‘କ’; ‘କ’, ‘ଖ’...। ଏହି କ୍ରମ ଫୁଟବଲରେ ବ୍ୟବହୃତ ହେଲେ ପ୍ରତ୍ୟେକ ଟିମ୍କୁ ଅଦଳ ବଦଳ ହୋଇ ପ୍ରଥମ ସୁଟ୍ କରିବାର ସୁଯୋଗ ମିଳିପାରନ୍ତା, ଯେମିତି ଟେନିସ୍ ଖେଳାଳିମାନଙ୍କୁ ମିଳିଥାଏ। ଅବଶ୍ୟ ଫୁଟ୍ବଲ୍ର ଆନ୍ତର୍ଜାତିକ ନିୟନ୍ତ୍ରକ ସଂଗଠନ ‘ଫିଫା’ ଏ ପ୍ରସ୍ତାବ ଏବେ ଗ୍ରହଣ କରିବାର କୌଣସି ଲକ୍ଷଣ ଦିଶୁ ନାହିଁ। ତେବେ, ଏ ନେଇ ଫୁଟ୍ବଲ୍ ପ୍ରେମୀମାନେ ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ- ରବିବାର ଦିନ ପେନାଲ୍ଟି ସୁଟ୍ ଆଉଟ୍ରେ ହାରିଥିବା ଦୁଇଟି ଯାକ ଟିମ୍- ସ୍ପେନ୍ ଓ ଡେନ୍ମାର୍କ- ଟସ୍ ଜିଣି ପ୍ରଥମ ସୁଟ୍ ଆଉଟ୍ କରିଥିଲେ। ବଲ୍ ବିଜ୍ଞାନ ବିଫଳ ହୋଇଛି!