ସପ୍ତଦଶ ଶତାବ୍ଦୀର ଆରମ୍ଭ କାଳରେ ପ୍ରକାଶିତ ସ୍ପେନ୍ର ମିଗୁଏଲ୍ ସର୍ଭାଣ୍ଟେଜ୍ଙ୍କ ‘ଡନ୍ କ୍ୱିକ୍ସୋଟ୍’ (ସ୍ପେନୀୟ ଉଚ୍ଚାରଣ- ‘କିହୋଟେ’)କୁ ସର୍ବପ୍ରଥମ ପାଶ୍ଚାତ୍ୟ ଉପନ୍ୟାସ ରୂପେ ଗ୍ରହଣ କରାଯିବା ସହିତ ଏ ଯାବତ୍ ରଚିତ ସର୍ବୋତ୍ତମ ଉପନ୍ୟାସ ରୂପେ ବିବେଚନା କରାଯାଇଥାଏ। ପୃଥିବୀର ପ୍ରାୟ ସମସ୍ତ ମୁଖ୍ୟ ଭାଷାମାନଙ୍କରେ ଅନୁବାଦ ହୋଇ ଏହାର ମୁଖ୍ୟ ଚରିତ୍ର ଡନ୍ କ୍ୱିକ୍ସୋଟ୍ ବିଗତ ଶତାବ୍ଦୀମାନଙ୍କରେ ପିଢ଼ି ପରେ ପିଢ଼ି ପୃଥିବୀବାସୀମାନଙ୍କର ସର୍ବାଧିକ ପରିଚିତ ଓ ବୋଧହୁଏ ପ୍ର୍ରିୟତମ କଳ୍ପନାପ୍ରସୂତ ଚରିତ୍ରରେ ପରିଣତ ହୋଇ ସାରିଛନ୍ତି। ଅର୍ଧପାଗଳ ଡନ୍ ଓ ତାଙ୍କର ସହଚର ସାଞ୍ଚୋ ପାଞ୍ଜା ଯଥାକ୍ରମେ ଗୋଟିଏ ଘୋଡ଼ା ଓ ଗୋଟିଏ ଗଧ ପିଠିରେ ବସି ଯେଉଁସବୁ ଅଭାବିତ, ଉଦ୍ଭଟ ଆଡ୍ଭେଞ୍ଚର୍ର ଅଂଶ ପାଲଟି ଥାନ୍ତି ତାହା ଯୁଗ ଯୁଗ ଧରି ପାଠକପାଠିକାମାନଙ୍କର ମନୋରଞ୍ଜନ କରିବାରେ ଓ ସେମାନଙ୍କୁ ଆବିଷ୍ଟ କରି ରଖିବାରେ କେବେ ବିଫଳ ହୋଇ ନାହିଁ।
ପବନ କଳକୁ ରାକ୍ଷସ ମନେ କରି ତା ଉପରେ ଆକ୍ରମଣ କରିବା ହୁଏତ ପାଠକ ମନରେ ଡନ୍ କ୍ୱିକ୍ସୋଟ୍ଙ୍କର ସର୍ବପ୍ରଧାନ, ଅଲିଭା ଚିତ୍ର ହୋଇ ରହିଥାଇପାରେ, କିନ୍ତୁ ଏହି ଆମୋଦଦାୟକ ଚିତ୍ରକୁ ଅତିକ୍ରମ କରି ବିଦଗ୍ଧ ପାଠକ ଜଣେ ଯାହା ଅନୁଭବ କରିଥାଏ, ତାହା ହେଲା ଏହି ଅର୍ଧପାଗଳ ମନେହେଉଥିବା ନାୟକ ପ୍ରକୃତରେ ଯାହା ଖୋଜି ବୁଲୁଥିଲେ ତାହା ହେଉଛି ଏକ ସତ୍ୟ, ନ୍ୟାୟ ଉପରେ ପ୍ରତିଷ୍ଠିତ ଆଦର୍ଶ ଦୁନିଆ- ଯାହା ସୃଷ୍ଟି ଆରମ୍ଭରୁ ଏକ ମରୀଚିକା ହୋଇ ରହିଆସିଛି। ଡନ୍ କ୍ୱିକ୍ସୋଟ୍ଙ୍କର ଚରିତ୍ରର ଏହି ମୁଖ୍ୟ ଦିଗର ଏକ ପ୍ରକୃଷ୍ଟ ଉଦାହରଣ ଦେଖିବାକୁ ମିଳିଥାଏ ସାଞ୍ଚୋ ପାଞ୍ଜାଙ୍କୁ ଏକ କ୍ଷୁଦ୍ର ରାଜ୍ୟର ଗଭର୍ନର୍ ରୂପେ (ମିଛି ମିଛିକା) ନିଯୁକ୍ତି ମିଳିବା ପରେ ପରେ ତାଙ୍କ ସହିତ ଡନ୍ଙ୍କର ନିଭୃତ କଥୋପକଥନରେ।
ସାଞ୍ଚୋଙ୍କ ପରି ଜଣେ ମଜାଦାର ନିର୍ବୋଧଙ୍କୁ ପାଇ ଯାଇ ଶାସକ ଡିଉକ୍ ଓ ତାଙ୍କ ପତ୍ନୀ ଡଚେସ୍ ତାଙ୍କ ସହିତ ଆଉ କିଛି ଖେଳ ଖେଳିବା ପାଇଁ ଚାହିଁ ସାଞ୍ଚୋ ପାଞ୍ଜାଙ୍କୁ ଏକ କ୍ଷୁଦ୍ର ଦ୍ୱୀପ-ରାଜ୍ୟ(ଇନ୍ସୁଲା)ର ଗଭର୍ନର ନିଯୁକ୍ତ କରାଗଲା ବୋଲି ମିଛରେ ଘୋଷଣା କରିଦେଲେ। ସାଞ୍ଚୋ ପ୍ରଥମେ ଏଇ ଛୋଟିଆ ରାଜ୍ୟର ଗଭର୍ନର ହେବାକୁ ଅନିଚ୍ଛା ପ୍ରକାଶ କଲେ ମଧ୍ୟ ଡିଉକ୍ ନିଜର କଥା ଚାତୁରୀ ବଳରେ ତାଙ୍କୁ ଶେଷରେ ଏଥିପାଇଁ ରାଜି କରାଇ ଦେଲେ। ରାଜି ହେବା ପରେ ସାଞ୍ଚୋ ଯେଉଁ କାରଣରୁ ରାଜି ହେଲେ ବୋଲି କହିଥିଲେ, ତାହା ହେଲା ସେ ଲୋଭ ଯୋଗୁଁ ଗଭର୍ନର୍ ହେବାକୁ ରାଜି ହୋଇଛନ୍ତି, କିମ୍ବା ଅନ୍ୟମାନଙ୍କ ଠାରୁ ନିଜକୁ ବଡ଼ ବୋଲି ଦେଖାଇବାକୁ ଗଭର୍ନର୍ ହେବାକୁ ଚାହୁଁଛନ୍ତି- ଏପରି ନୁହେଁ; କେବଳ ଗଭର୍ନର ହେବାଟା କିଭଳି, ତାହା ଦେଖିବା ପାଇଁ ହିଁ ସେ ଗଭର୍ନର୍ ହେବାକୁ ଯାଉଛନ୍ତି। ସାଞ୍ଚୋଙ୍କର ଏପରି କଥା ଶୁଣି ଡିଉକ୍ ତାଙ୍କୁ ବୁଝାଇ ଦେଇଛନ୍ତି ଯେ ସେ ଥରେ ଗଭର୍ନର୍ ହୋଇଯିବା ପରେ ଦେଖିବେ ଏହା ଏପରି ସୁଆଦିଆ ଯେ ସେ ନିଜର ହାତ ମଧ୍ୟ କାମୁଡ଼ି ଖାଇଯିବେ (ସତେ ଯେମିତି ଗଭର୍ନର୍ ରୂପକ ସ୍ୱାଦିଷ୍ଠ ମିଷ୍ଟାନ୍ନକୁ ସାଞ୍ଚୋ ହାତରେ ଧରି ଖାଉଛନ୍ତି)। ଗଭର୍ନର୍ ପଦ ଏଭଳି ସୁସ୍ୱାଦୁ ହେବାର କାରଣ ବୁଝାଇବାକୁ ଯାଇ ଡିଉକ୍ ସାଞ୍ଚୋଙ୍କୁ ଯାହା କହିଛନ୍ତି, ତାହା ହେଲା ସମସ୍ତଙ୍କୁ ଆଦେଶ ଦେବାର କ୍ଷମତାପ୍ରାପ୍ତ ହେବା ଏବଂ ଆଦେଶ ପ୍ରଦାନ କରିବା ମାତ୍ରେ ତାହା ପାଳିତ ହେବା ଠାରୁ ଅଧିକ ମଧୁର ଜିନିଷ ଆଉ କିଛି ନାହିଁ। ପର ଦିନ ସକାଳେ ସମ୍ପୃକ୍ତ ରାଜ୍ୟକୁ ଯାଇ ଗଭର୍ନର୍ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ରହିବା ପାଇଁ ଡିଉକ୍ ସାଞ୍ଚୋଙ୍କୁ ଅନୁରୋଧ କରିଛନ୍ତି।
ସାଞ୍ଚୋ ପାଞ୍ଜା, ଯିଏ ଡନ୍ କ୍ୱିକ୍ସୋଟ୍ଙ୍କ ସହିତ ମନ୍ଦ ଶକ୍ତିମାନଙ୍କର ବିନାଶ ପାଇଁ ଆଡ୍ଭେଞ୍ଚର୍ରେ ବାହାରିବା ପୂର୍ବରୁ ବୃତ୍ତିରେ ଥିଲେ ଜଣେ କୃଷକ- ପଶୁପାଳକ, ଅନୁଭବ କରିଛନ୍ତି ଯେ ଗୋଟିଏ ଗୋରୁପଲକୁ ନିଜର ନିୟନ୍ତ୍ରଣରେ ରଖିପାରିବା ଯେଉଁଭଳି ଆନନ୍ଦଦାୟକ, ଏକ ରାଜ୍ୟକୁ ନିଜର ନିୟନ୍ତ୍ରଣରେ ରଖିବା ବୋଧହୁଏ ସେଇଭଳି ଆନନ୍ଦଦାୟକ ହେବ। ସେ ଡିଉକ୍ଙ୍କର ପ୍ରସ୍ତାବ ଗ୍ରହଣ କରିଛନ୍ତି। ଠିକ୍ ସେଇ ସମୟରେ ସେଠାରେ ଆସି ପହଞ୍ଚିଛନ୍ତି ଡନ୍ କ୍ୱିକ୍ସୋଟ୍। ସେ ସାଞ୍ଚୋଙ୍କ ସୌଭାଗ୍ୟ ଦେଖି ବିସ୍ମିତ ହୋଇ ଯାଇ ତାଙ୍କୁ ଏକ ନିଭୃତ କୋଠରିକୁ ଭିଡ଼ିନେଇ ଏକାନ୍ତରେ କେତେକ ଉପଦେଶ ଦେଇଛନ୍ତି, ଯେପରି ସାଞ୍ଚୋ ନିଜର ବୋକାପଣ ଓ ମୂର୍ଖତା ସତ୍ତ୍ୱେ ଏ ନୂତନ ଦାୟିତ୍ୱ ନ୍ୟାୟୋଚିତ ଭାବରେ ତୁଲାଇ ପାରିବେ। ତାଙ୍କର ପ୍ରଥମ ଉପଦେଶ ହେଲା, ଈଶ୍ୱରଙ୍କୁ ସର୍ବଦା ଭୟ କରିବୁ- ତା’ ହେଲେ ବୁଦ୍ଧି ହୁଡ଼ିବୁ ନାହିଁ। ଦ୍ୱିତୀୟ, ନିଜକୁ ସର୍ବଦା ଚିହ୍ନିବାକୁ ଚେଷ୍ଟା କରିବୁ, ଏହି ଆତ୍ମଜ୍ଞାନ ହେଉଛି ସବୁଠାରୁ କଠିନ ଜ୍ଞାନ। ଯେତେବେଳେ ତୁ ନିଜକୁ ଠିକ୍ ଭାବରେ ଜାଣିବୁ, ସେତେବେଳେ ତୁ ଆଉ ସେ ବେଙ୍ଗ ଭଳି ଫୁଲିବୁ ନାହିଁ ଯିଏ ନିଜ ଦେହକୁ ଫୁଲାଇ ଫୁଲାଇ ଏକ ବଳଦ ସହ ସମାନ କରିଦେବାକୁ ଚେଷ୍ଟା କରିଥିଲା। ତୁ ଯଦି ସୀମା ମଧ୍ୟରେ ରହିବୁ, ତୋତେ ନେଇ ରାଜ୍ୟରେ କୌଣସି ଗୁଜବ ବା ନିନ୍ଦାଗାନ ସୃଷ୍ଟି ହେବ ନାହିଁ। ଏହା ବାଦ୍, ତୁ ସର୍ବଦା ସତ୍ ମାର୍ଗରେ ଚାଲିବୁ; କେବେ କୌଣସି ସ୍ୱେଚ୍ଛାଚାରିତା ପ୍ରଦର୍ଶନ କରିବୁ ନାହିଁ। ଏହା ଛଡ଼ା ଡନ୍ ତାଙ୍କର ସହଚରଙ୍କୁ ଆହୁରି ଅନେକ ସତ୍ ଉପଦେଶ ଦେଇଥିଲେ, ଯାହା ସାଞ୍ଚୋଙ୍କୁ ଜଣେ ସଫଳ, ସଚ୍ଚୋଟ ଗଭର୍ନରରେ ପରିଣତ କରିବା ପାଇଁ ଉଦ୍ଦିଷ୍ଟ ଥିଲା।
ଭାରତୀୟ ସମ୍ବିଧାନରେ ରାଜ୍ୟମାନଙ୍କ ପାଇଁ ଗଭର୍ନର୍ ପଦ ସୃଷ୍ଟି କରାଯିବା ସମୟରେ ସମ୍ବିଧାନର ପ୍ରଣେତାମାନଙ୍କ ମନରେ ଯେଉଁ ସବୁ ଭାବନା ଦେଖା ଦେଇଥିବ, ସେ ସବୁର ଯେ ଡନ୍ କ୍ୱିକ୍ସୋଟ୍ଙ୍କର ଉପରୋକ୍ତ ଉପଦେଶାବଳୀ ସହିତ ସମ୍ପୂର୍ଣ୍ଣ ତାଳମେଳ ଥିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ସମୟରେ ଗଭର୍ନର ମାନେ ଯେଉଁ ଭଳି ଆଚରଣ ଦେଖାଇ ଆସିଛନ୍ତି ତା’ ସହିତ ଯଦି କାହାର କୌଣସି ତାଳମେଳ ଥିବା ଦେଖାଯାଇଛି, ତାହା ଡନ୍ଙ୍କର ସାଞ୍ଚୋଙ୍କୁ ପ୍ରଦତ୍ତ ଉପଦେଶମାନଙ୍କର ନୁହେଁ, ତାହା ହେଉଛି ଡିଉକ୍ ସାଞ୍ଚୋଙ୍କ ସମ୍ମୁଖରେ ରଖିଥିବା ପ୍ରଲୋଭନମାନଙ୍କର। ଭାରତୀୟ ଗଭର୍ନର୍ମାନଙ୍କ ଦ୍ୱାରା ପ୍ରଦର୍ଶିତ ସାଞ୍ଚୋ-ପ୍ରଲୋଭନ-ସୁଲଭ ଆଚରଣ ଶୃଙ୍ଖଳାରେ ଯେଉଁ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି, ତାହା ପୁଣି ସର୍ଭାଣ୍ଟେଜ୍ଙ୍କ ଉପନ୍ୟାସର କ୍ଷୁଦ୍ର ‘ଇନ୍ସୁଲା’ ଭଳି ଏହି ଅପେକ୍ଷାକୃତ କ୍ଷୁଦ୍ର ରାଜ୍ୟ ଓଡ଼ିଶାରେ। ଆଉ ଘଟଣାଟି ଘଟିଛି ବର୍ତ୍ତମାନ ବହୁଚର୍ଚ୍ଚିତ ଗଭର୍ନରଙ୍କର ବିମାନ ଯାତ୍ରାକୁ କେନ୍ଦ୍ର କରି।
ଏଇମାତ୍ର ମେ ୨୯ ତାରିଖରେ ରାଜ୍ୟର ଗଭର୍ନର ରୂପେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀଯୁକ୍ତ ଗଣେଶ ଲାଲ, ତା’ର ପ୍ରାୟ ସପ୍ତାହକ ପରେ ଜୁନ୍ ୧୦ ତାରିଖରେ ଏକ ଦୁଇ ଇଞ୍ଜିନ୍ ବିଶିଷ୍ଟ ଘରୋଇ ଲିଗେସି-୬୫୦ ଜେଟ୍ ବିମାନ ଭଡ଼ାରେ ନେଇ ଦିଲ୍ଲୀ ଯାତ୍ରା କରିଥିଲେ। କୌଣସି ସରକାରୀ କାର୍ଯ୍ୟ ପାଇଁ ଏ ଯାତ୍ରା ଉଦ୍ଦିଷ୍ଟ ନଥିଲା। ଶ୍ରୀଯୁକ୍ତ ଲାଲ ଦିଲ୍ଲୀରୁ ତାଙ୍କ ଗ୍ରାମ ନିକଟବର୍ତ୍ତୀ ହରିଆନା ରାଜ୍ୟର ଶୀର୍ଷାକୁ ଯାଇଥିଲେ। ଦିଲ୍ଲୀରୁ ଶୀର୍ଷା ଯିବା ଆସିବା ପାଇଁ ସେ ଏକ ଭଡ଼ା ହେଲିକପ୍ଟର ବ୍ୟବହାର କରିଥିଲେ। ବିମାନ ଓ ହେଲିକପ୍ଟର ଯୋଗାଇ ଦେଇଥିବା ସଂସ୍ଥା ପିନାକ୍ଲ ଏଆର୍ ପ୍ରାଇଭେଟ୍ ଲିମିଟେଡ୍ ଏଥିପାଇଁ ‘ଇନ୍ସୁଲା’ ଓଡ଼ିଶାର ସରକାରଙ୍କୁ ବିମାନ ପାଇଁ ଦେଇଥିବା ବିଲ୍ର ପରିମାଣ ୪୧.୧୮ ଲକ୍ଷ ଟଙ୍କା ହୋଇଥିବା ବେଳେ, ହେଲିକପ୍ଟର ଭଡ଼ା ବାବଦକୁ ଅତିରିକ୍ତ ୫ ଲକ୍ଷ ଟଙ୍କା ଦାବି କରିଛି। ଯେହେତୁ ହେଲିକପ୍ଟର ଯାତ୍ରା ସମ୍ବନ୍ଧରେ ରାଜ୍ୟ ସରକାର ପୂର୍ବରୁ ଅବଗତ ନଥିଲେ ସରକାରଙ୍କର ସାଧାରଣ ପ୍ରଶାସନ ବିଭାଗର ସମ୍ପୃକ୍ତ ଅଧିକାରୀ ଜଣେ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଏ ସମ୍ବନ୍ଧରେ ରାଜ୍ୟପାଳଙ୍କ ଦପ୍ତରରୁ ସ୍ପଷ୍ଟୀକରଣ ମାଗିଲେ। ବର୍ତ୍ତମାନ ଘଟଣାଟି ଗଣମାଧ୍ୟମରେ ପ୍ରକାଶ ପାଇଯିବା ପରେ ସରକାର ଓଲଟା ରାଜ୍ୟପାଳଙ୍କୁ କ୍ଷମା ପ୍ରାର୍ଥନା କରିବା ସହିତ ସମ୍ପୃକ୍ତ କର୍ତ୍ତବ୍ୟନିଷ୍ଠ ଅଧିକାରୀଙ୍କୁ ଦଣ୍ଡ ଧମକ ଦେଇଛନ୍ତି।
ଯଦି ସାଞ୍ଚୋଙ୍କ ‘ଇନ୍ସୁଲା’ରେ ଏପରି ଘଟଣା ଘଟିଥାଆନ୍ତା, ତେବେ ଡନ୍ ନିଶ୍ଚୟ ସାଞ୍ଚୋ ତାଙ୍କର ଉପଦେଶ ଉଲ୍ଲଂଘନ କରିଛନ୍ତି ବୋଲି କହନ୍ତେ ଓ ତାଙ୍କୁ ଭର୍ତ୍ସନା କରନ୍ତେ। ଡନ୍ ସାଞ୍ଚୋଙ୍କୁ ମନେ ପକାଇ ଦିଅନ୍ତେ ଯେଉଁ ଇନ୍ସୁଲାରେ ସମ୍ବଳ ଅଭାବରେ ଚାଷୀମାନେ ଆତ୍ମହତ୍ୟା କରନ୍ତି, ସେଠାରେ ୪୬ଲକ୍ଷ ଟଙ୍କାରେ ଗୋଟିଏ ଚାଷୀ ପରିବାରର କେତେ ପିଢ଼ି ବଞ୍ଚି ଯାଆନ୍ତେ। ଡନ୍ ମଧ୍ୟ ସାଞ୍ଚୋଙ୍କୁ ମନେ ପକାଇ ଦିଅନ୍ତେ ରାଜ୍ୟ ସରକାର ବହନ କରିଥିବା ଏ ବିଶାଳ ଆର୍ଥିକ ବୋଝ ବାସ୍ତବରେ ଏହି ରାଜ୍ୟର ଗରିବ କରଦାତାମାନେ ହିଁ ମୁଣ୍ଡାଇବେ। ସେ ମଧ୍ୟ କହନ୍ତେ ସାଧାରଣ ପ୍ରଶାସନ ଅଧିକାରୀ ଜଣକ ସୂଚନା ମାଗି କିଛି ଭୁଲ୍ କରିନାହାନ୍ତି; ସୂଚନା ଅଧିକାର ଆଇନର ଉଦ୍ଦେଶ୍ୟ ଅନୁସାରେ ବରଂ ସୂଚନା କେହି ମାଗିବା ପୂର୍ବରୁ ତାହା ପ୍ରକାଶ ପାଇବା ଉଚିତ। କିନ୍ତୁ ଡିଉକ୍ଙ୍କ ଭାଷାରେ ସାଞ୍ଚୋ ଥରେ କ୍ଷମତାର ସ୍ୱାଦ ଚାଖିଲା ପରେ ଡନ୍ଙ୍କ ଉପଦେଶ କେତେ ମାନନ୍ତେ, ତାହା ଆଉ ଏକ ପ୍ରଶ୍ନ।