ଗୋଟିଏ କୁଟୁମ୍ବ

ଆଲ୍‌ଫ୍ରେଡ୍‌ ହିଚ୍‌କକ୍‌ଙ୍କୁ ବିଶ୍ୱ ଚଳଚ୍ଚିତ୍ର ଇତିହାସରେ ସର୍ବଶ୍ରେଷ୍ଠ ସସ୍‌ପେନ୍‌ସ (ଅନିଶ୍ଚିତ ଭୟ, ଆଶଙ୍କା ଜନିତ ଉତ୍କଣ୍ଠା) ଫିଲ୍‌ମ ନିର୍ମାତା ରୂପେ ସ୍ୱୀକାର କରାଯାଇଥାଏ। କିନ୍ତୁ ଏହି ସସ୍‌ପେନ୍‌ସ ଗୁରୁ ମଧ୍ୟ କିପରି ବାସ୍ତବରେ ନିଜର ବ୍ୟକ୍ତିଗତ ଜୀବନରେ ଏକ ଗତାନୁଗତିକ ସସ୍‌ପେନ୍‌ସ ସମ୍ଭାଳି ନପାରି ପଳାୟନ କରିଥିଲେ, ସେ ସମ୍ବନ୍ଧରେ ଏକ ରୋଚକ କାହାଣୀ ଏବେ ବି ବେଳେବେଳେ ଶୁଣିବାକୁ ମିଳିଥାଏ। ୧୯୨୮ରେ ତାଙ୍କର ଏକମାତ୍ର ସନ୍ତାନ (କନ୍ୟା)କୁ ଜନ୍ମ ଦେବା ପାଇଁ ଆସନ୍ନ ପ୍ରସବା ପତ୍ନୀ ଆଲ୍‌ମା ଯେତେବେଳେ ପ୍ରସବ କକ୍ଷରେ ଯନ୍ତ୍ରଣା ଭୋଗ କରୁଥାନ୍ତି, ହିଚକକ୍‌ ସେତେବେଳେ କୁଆଡ଼େ ଉତ୍କଣ୍ଠା ସମ୍ଭାଳି ନପାରି ସେଠାରୁ ଚାଲି ଚାଲି ପଳାୟନ କରୁ କରୁ ପ୍ରାୟ ୨୫ ମାଇଲ୍‌ ଦୂରକୁ ଚାଲି ଯାଇଥିଲେ। ତାଙ୍କର ଏହି ଅସହ୍ୟ ସସ୍‌ପେନ୍‌ସର କାରଣ ନଥିଲା ପତ୍ନୀଙ୍କ ପ୍ରସବ ଯନ୍ତ୍ରଣା, ତାହାର କାରଣ ଥିଲା ଅନାଗତ ସନ୍ତାନ। ସନ୍ତାନଟି ଏକ ସଂକୀର୍ଣ୍ଣ ପଥ ଦେଇ ଭଲରେ ଭଲରେ ଭୂମିଷ୍ଠ ହୋଇ ପାରିବ କି ନାହିଁ, ଜୀବିତ ଅବସ୍ଥାରେ ନା ମୃତ ଅବସ୍ଥାରେ; ନିଖୁଣ ଅଙ୍ଗପ୍ରତ୍ୟଙ୍ଗ ସହ ନା ବିକଳାଙ୍ଗ ଅବସ୍ଥାରେ, ସୁସ୍ଥ ଅବସ୍ଥାରେ ନା ଅସୁସ୍ଥ ଅବସ୍ଥାରେ… ଏହି ସମସ୍ତ ପ୍ରଶ୍ନ ସସ୍‌ପେନ୍‌ସ ସମ୍ରାଟ୍‌ଙ୍କୁ ସେଦିନ ଏପରି ଧରାଶାୟୀ କରି ଦେଇଥିଲା। ସନ୍ତାନଟି ଭୂମିଷ୍ଠ ହେବା ପରେ ସର୍ବ କୁଶଳ ଜାଣି ଆଲ୍‌୍‌ଫ୍ରେଡ୍‌ ହିଚକକ୍‌ଙ୍କ ଉତ୍କଣ୍ଠାରେ ଅନ୍ତ ଘଟିଥିଲା।

ଉତ୍ତର ଥାଇଲାଣ୍ଡ୍‌ର ଥାମ୍‌ ଲୁଆଙ୍ଗ୍‌ ପର୍ବତ ଗୁମ୍ଫାରେ ୧୭ ଦିନ ଧରି ଅଟକି ରହିଥିବା ୧୨ ଜଣ ବାଳକ ଫୁଟ୍‌ବଲ୍‌ ଖେଳାଳି ଓ ତାଙ୍କର ଯୁବ କୋଚ୍‌ଙ୍କୁ ଉଦ୍ଧାର କରିବା ପାଇଁ ଯେତେବେଳେ ବ୍ରିଟେନ୍‌ ଓ ଥାଇଲାଣ୍ଡର ଦକ୍ଷ ବୁଡ଼ାଳିମାନେ ନିଜ ଜୀବନକୁ ବସ୍ତୁତଃ ପାଣି ଛଡ଼ାଇ ରାତି ଦିନ ଲାଗି ପଡ଼ିଥିଲେ ସେତେବେଳେ କେବଳ ଥାଇଲାଣ୍ଡ ନୁହେଁ, ସାରା ଦୁନିଆର ବାକି ଲୋକ ମାନଙ୍କର ମାନସିକ ଅବସ୍ଥା ସେହିପରି ହୋଇଥିଲା, ଯେଉଁଭଳି ହିଚକକ୍‌ଙ୍କର ହୋଇଥିଲା ତାଙ୍କ ପତ୍ନୀଙ୍କର ସନ୍ତାନ ପ୍ରସବ ପୂର୍ବରୁ। ସତରେ କୁହାଯାଇପାରେ ଜଣେ ଆସନ୍ନପ୍ରସବା ଜନନୀ ପରି ୧୭ ଦିନ ଧରି ପ୍ରସବ ଯନ୍ତ୍ରଣା ଭୋଗ କଲା ପରେ ଥାମ ଲୁଆଙ୍ଗ୍‌ ପାହାଡ଼ ରୂପକ ଜନନୀ ବୁଡ଼ାଳି ଧାଈମାନଙ୍କ ସହାୟତାରେ ତାର ସଂକୀର୍ଣ୍ଣ, ଜଳମଗ୍ନ, ଦୀର୍ଘ ସୁଡ଼ଙ୍ଗ ଦେଇ ୧୩ଟି ଗର୍ଭସ୍ଥ ସନ୍ତାନଙ୍କୁ ଜନ୍ମ ଦେଇଛି। ବାସ୍ତବରେ ସେ ୧୩ ଜଣଙ୍କ ପାଇଁ ଏହା ଦ୍ୱିତୀୟ ଜନ୍ମ ନୁହେଁ ତ ଆଉ କ’ଣ?

ତେବେ ଯାହା ସବୁଠାରୁ ଆଶ୍ଚର୍ଯ୍ୟଜନକ, ତାହା ହେଲା ସାରା ଦୁନିଆ ଏପରି ଅସ୍ଥିର ଉତ୍କଣ୍ଠାରେ ଦିନ ବିତାଉଥିଲେ ହେଁ, ଯେତେବେଳେ ବ୍ରିଟିସ୍‌ ବୁଡ଼ାଳିମାନେ ପ୍ରାୟ ୧୦ ଦିନ ପରେ ନିଖୋଜ ପିଲାମାନଙ୍କୁ ଅନ୍ଧାରି, ପାଣିଭର୍ତ୍ତି ସୁଡ଼ଙ୍ଗରେ ଚାରି କିଲୋମିଟର ଅଭ୍ୟନ୍ତରରେ ପ୍ରଥମେ ଠାବ କଲେ, ସେଠାରେ ସେମାନେ ଯେଉଁ ଦୃଶ୍ୟ ସାଥୀରେ ନେଇଥିବା ଟର୍ଚ୍ଚ ଆଲୁଅରେ ଦେଖିବାକୁ ପାଇଲେ, ସେଥିରେ ଭୟ, ଆଶଙ୍କା, ଉତ୍କଣ୍ଠା କିମ୍ବା ଅସ୍ଥିରତାର କୌଣସି ଚିହ୍ନ ବର୍ଣ୍ଣ ହିଁ ନଥିଲା। ଏଗାର ବର୍ଷରୁ ୧୬ ବର୍ଷ ବୟସର ବାଳକମାନେ ଏତେଦିନ ଧରି ଏଭଳି ଭୟଙ୍କର ପରିବେଶରେ ରହିବା ପରେ ସ୍ୱାଭାବିକ ଭାବରେ ଶାରୀରିକ ଶକ୍ତି ଓ ମାନସିକ ଭାରସାମ୍ୟ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବା କଥା। କିନ୍ତୁ ସମସ୍ତ ୧୨ ଜଣ ଯାକ ବାଳକ ଧୀରସ୍ଥିର ହୋଇ ବସିଥିବା ଓ ସେମାନଙ୍କଠାରେ ଭୟ ବା ଆଶଙ୍କାର କୌଣସି ଚିହ୍ନ ନଥିବା ସେମାନଙ୍କୁ ଆବିଷ୍କାର କରିଥିବା ବ୍ରିଟିସ୍‌ ବୁଡ଼ାଳିମାନେ ଦେଖି ଆଶ୍ଚର୍ଯର୍୍ୟ ଚକିତ ହୋଇ ପଡ଼ିଥିଲେ। ଦଶଦିନ କାଳ ପର୍ବତର ଅନ୍ଧାରୀ ଗର୍ଭରେ ଜଳବନ୍ଦୀ ହୋଇ ଭୋକ ଉପାସରେ ବିତାଇଥିଲେ ହେଁ ଉଦ୍ଧାରକାରୀ ମାନଙ୍କୁ ଦେଖି ସେ ପିଲାମାନେ ଆଦୌ କୌଣସି ବିଚଳିତ ଭାବ ପ୍ରକାଶ କରି ନଥିଲେ- ସତେ ଯେମିତି ଏହା ଏକ ନିତ୍ୟନୈମିତ୍ତିକ ଘଟଣା। ଅପରପକ୍ଷେ, ପ୍ରକାଶିତ ସମ୍ବାଦ ଅନୁଯାୟୀ ପ୍ରଥମେ ସେମାନଙ୍କୁ ଆବିଷ୍କାର କରିଥିବା ବ୍ରିଟିସ୍‌ ବୁଡ଼ାଳିମାନେ ସେ ପିଲାମାନଙ୍କୁ ଧୀରସ୍ଥିର ଭାବରେ ଧ୍ୟାନ ମୁଦ୍ରାରେ ବସିଥିବା ଦେଖିଥିଲେ।

ଏ ଅଭାବିତ ଆଚରଣ ପଛରେ ଯିଏ ଥିଲେ, ସେ ହେଉଛନ୍ତି ପିଲାମାନଙ୍କୁ ସୁଡ଼ଙ୍ଗ ଭିତରକୁ ନେଇ ଯାଇଥିବା ସେମାନଙ୍କର ୨୫ ବର୍ଷୀୟ ସହକାରୀ ଫୁଟ୍‌ବଲ୍‌ କୋଚ୍‌ ଏକାପୋଲ୍‌ ଚାନ୍ଥାଓ୍ଵଙ୍ଗ୍‌। ନିଜର ଚାଟମାନଙ୍କ ଦ୍ୱାରା ‘ଏକେ’ ନାମରେ ସମ୍ବୋଧିତ ଏହି ଯୁବ କୋଚ୍‌ଙ୍କ ଜୀବନ କାହାଣୀ ହିଁ ସେ ପିଲାମାନଙ୍କୁ ଏତେଦିନ ଧରି ଧୈର୍ଯ୍ୟ ନ ହରାଇ ବଞ୍ଚି ରହିବାରେ ସାହାଯ୍ୟ କରିଥିଲା ବୋଲି ସମସ୍ତେ ସମସ୍ୱରରେ ସ୍ୱୀକାର କରୁଛନ୍ତି। ‘ଏକେ’ ତାଙ୍କର ଶିକ୍ଷାର୍ଥୀମାନଙ୍କୁ ସୁଡ଼ଙ୍ଗ ଭିତରକୁ କାହିଁକି ନେଇଥିଲେ ବୋଲି ପିଲାମାନଙ୍କର ପିତାମାତାମାନେ ମଧ୍ୟ ପ୍ରଶ୍ନ କରୁନାହାନ୍ତି; ବରଂ ପିଲାମାନଙ୍କୁ ସୁରକ୍ଷିତ ରଖିଥିବାରୁ ସାରା ଦେଶ ‘ଏକେ’ଙ୍କୁ କୃତଜ୍ଞତା ଜଣାଇବାରେ ଲାଗିଛି। ଉଦାହରଣ ସ୍ୱରୂପ ବର୍ତ୍ତମାନ ଥାଇଲାଣ୍ଡର ସୋସିଆଲ୍‌ ମିଡିଆରେ ଏକ ଛବି ବ୍ୟାପକ ପ୍ରସାରିତ ହେବାରେ ଲାଗିଛି- ‘ଏକେ’ ତାଙ୍କ କୋଳରେ ୧୨ଟି ଜଙ୍ଗଲୀ ବାର୍‌ହା ଛୁଆଙ୍କୁ ଧରି ଧ୍ୟାନ ମୁଦ୍ରାରେ ବସିଛନ୍ତି। ଉଲ୍ଲେଖ ଆବଶ୍ୟକ- ପିଲାମାନଙ୍କ ଫୁଟ୍‌ବଲ୍‌ କ୍ଲବ୍‌ର ନାମ ହେଉଛି- ‘ଓ୍ଵାଇଲ୍‌ଡ ବୋର୍‌ସ’ (ଜଙ୍ଗଲୀ ବାର୍‌ହା)।

‘ଏକେ’ ଦଶ ବର୍ଷ ବୟସରେ ତାଙ୍କର ପିତାମାତାଙ୍କୁ ହରାଇ ଅନାଥ ହୋଇଥିଲେ। ତା’ପରେ ତାଙ୍କୁ ଏକ ବୌଦ୍ଧ ଆଶ୍ରମକୁ ପଠାଇ ଦିଆ ଯାଇଥିଲା, ଯେଉଁଠି ସେ ଦଶବର୍ଷ କାଳ ଜଣେ ବୌଦ୍ଧ ଭିକ୍ଷୁ ହେବାପାଇଁ ତାଲିମ ନେଇଥିଲେ। ସେଠାରେ ସେ ବୌଦ୍ଧ ଧ୍ୟାନ କୌଶଳ ସଫଳତାର ସହ ଆୟତ୍ତ କରିଥିଲେ ଓ ଘଣ୍ଟା ଘଣ୍ଟା ଧରି ଧ୍ୟାନମଗ୍ନ ହୋଇ ରହିଯାଇ ପାରୁଥିଲେ। ଧ୍ୟାନର ଦୁଇଟି ମୁଖ୍ୟ ପ୍ରଭାବ ସମ୍ବନ୍ଧରେ ସେ ସମ୍ପୂର୍ଣ୍ଣ ଅବଗତ ଥିଲେ- ମାନସିକ ସ୍ଥିରତା ଓ ଶାରୀରିକ ଶକ୍ତି ସଂଚୟ। ସେ ମଧ୍ୟ ଜାଣିଥିଲେ ଯେ ଧ୍ୟାନ ହେଉଛି: ସଂକ୍ରାମକ। ଅସ୍ଥିର ବ୍ୟକ୍ତି ତା’ର ପାଖ ଲୋକକୁ ଯେପରି ଅସ୍ଥିର କରିଥାଏ ଧ୍ୟାନମଗ୍ନ ଶାନ୍ତ ବ୍ୟକ୍ତି ତା ନିକଟବର୍ତ୍ତୀ ଲୋକଙ୍କ ମନକୁ ସେଇଭଳି ଶାନ୍ତ କରିଥାଏ। ଧ୍ୟାନସ୍ଥ ଅବସ୍ଥାରେ ଶରୀରର ସର୍ବନିମ୍ନ ଶକ୍ତି ଅପଚୟ ହୋଇଥାଏ, ଓ ଶ୍ୱାସ ପ୍ରଶ୍ୱାସ ନିୟନ୍ତ୍ରିତ ହେବା ଦ୍ୱାରା ଶରୀରର ଅମ୍ଳଜାନ ଆବଶ୍ୟକତାରେ ହ୍ରାସ ଘଟିଥାଏ। ‘ଏକେ’ଙ୍କର ଶିଷ୍ୟମାନେ ଏହି ଧ୍ୟାନ ବଳରେ ନିଜର ମାନସିକ ସ୍ଥିରତା ବଜାୟ ରଖିପାରିଥିବା ବେଳେ ଶରୀରକୁ ମଧ୍ୟ ସୁରକ୍ଷିତ ରଖି ପାରିଥିଲେ। ପରେ ଆବିଷ୍କୃତ ହୋଇଛି ଯେ ଗୁମ୍ଫା ଭିତରେ ଅମ୍ଳଜାନ ସ୍ତର ସ୍ୱାଭାବିକ ୨୧%ରୁ ଖସି ୧୫% ହୋଇ ସାରିଥିଲା। କିନ୍ତୁ ଧ୍ୟାନ ସାହାଯ୍ୟରେ ପିଲାମାନଙ୍କର ଅମ୍ଳଜାନ ଆବଶ୍ୟକତା ହ୍ରାସ ପାଇ ସେମାନଙ୍କୁ ଅସୁବିଧାରେ ପଡ଼ିବାକୁ ଦେଇ ନଥିଲା।

କୋଚ୍‌ ‘ଏକେ’ଙ୍କର ଅବଦାନ ଏତିକିରେ ସୀମିତ ନଥିଲା। ସେ ମଧ୍ୟ ପାଖରେ ଥିବା ଖାଦ୍ୟ ନିଜେ ସାମାନ୍ୟ ଭକ୍ଷଣ କରି ପିଲାମାନଙ୍କୁ ଯେତେଦୂର ସମ୍ଭବ ଯଥେଷ୍ଟ ଖାଦ୍ୟ ଯୋଗାଇବାକୁ ଚେଷ୍ଟା କରିଥିଲେ। ଏହି କାରଣରୁ ସେ ନିଜେ ଦୁର୍ବଳ ହୋଇ ପଡ଼ିଥିବା ଦେଖାଯାଇଛି। କୋଚ୍‌ ‘ଏକେ’ ଯେଉଁ ସମୟରେ ନିଜକୁ ଏଭଳି ଜଣେ ତ୍ୟାଗୀ ବୌଦ୍ଧ ଭିକ୍ଷୁରେ ପରିଣତ କରି ତାଙ୍କର ‘ଜଙ୍ଗଲୀ ବାର୍‌ହା ଶାବକ’ ମାନଙ୍କୁ ବଞ୍ଚାଇ ରଖିବାକୁ ଚେଷ୍ଟା କରି ଚାଲିଥିଲେ, ସେତେବେଳେ ଦେଶ ବିଦେଶର ପ୍ରାୟ ୯୦ ଜଣ ବୁଡ଼ାଳି ଉଦ୍ଧାରକାରୀ ସେମାନଙ୍କୁ ଜୀବିତାବସ୍ଥାରେ ବାହାର କରିବା ପାଇଁ ଯେଉଁଭଳି ଉଦ୍ୟମ କରିଥିଲେ, ଇତିହାସରେ ତା’ର ପଟାନ୍ତର ନାହିଁ। ଏମାନଙ୍କର ତ୍ୟାଗପୂତ ଅବଦାନ ମଧ୍ୟ ‘ଏକେ’ଙ୍କଠାରୁ କିଛି କମ୍‌ ନଥିଲା। ଏହି ଉଦ୍ୟମରେ ପ୍ରାଣ ବଳି ଦେଇଥିବା ଯୁବ ପୂର୍ବତନ ଥାଇ ନୌବାହିନୀ ବୁଡ଼ାଳି ସମାନ୍‌ ଗୁନାନ୍‌ ସାରା ଦୁନିଆ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ସବୁଠାରୁ ସନ୍ତୋଷଜନକ ଯାହା ତାହା ହେଲା ଗୁମ୍ଫାରେ ବନ୍ଦା ଥାଇଲାଣ୍ଡ ପିଲାଙ୍କ ଉଦ୍ଧାର ପାଇଁ ସାରା ପୃଥିବୀ ଯେଉଁ ଭଳି ସମ୍ପୃକ୍ତ ହୋଇପଡ଼ିବା ଦେଖାଗଲା ତାହା ପ୍ରମାଣିତ କରିଥାଏ ସାରା ମାନବ ଜାତି ହେଉଛି ଗୋଟିଏ କୁଟୁମ୍ବ। ଏହା ସତେ ଯେମିତି ଜନ୍‌ ଡନ୍‌ଙ୍କ ପ୍ରସିଦ୍ଧ କବିତାର ଏକ ପ୍ରତିଧ୍ୱନି: ‘‘ଏଭ୍ରି ମ୍ୟାନ୍‌’ସ ଡେଥ୍‌ ଡିମିନିସେସ୍‌ ମି, ବିକଜ୍‌ ଆଇ ଆମ୍‌ ଇନ୍‌ଭଲ୍‌ଭ୍‌ଡ ଇନ୍‌ ମ୍ୟାନ୍‌କାଇଣ୍ଡ୍‌…’’ ଅର୍ଥାତ୍‌ ପ୍ରତ୍ୟେକ ମାନବର ମୃତ୍ୟୁ ମୋର କ୍ଷୟସାଧନ କରିଥାଏ, କାରଣ ମୁଁ ମାନବଜାତି ସହ ସଂଶ୍ଳିଷ୍ଟ।

ସମ୍ବନ୍ଧିତ ଖବର