ଏକ ସଦ୍ୟ ପ୍ରକାଶିତ ଖବର ଅନୁସାରେ ମାର୍ଚ୍ଚଠାରୁ ବର୍ତ୍ତମାନ ମଧ୍ୟରେ ପ୍ରାୟ ୫୦ ଜଣ ବରିଷ୍ଠ ବ୍ୟାଙ୍କ୍ ପଦାଧିକାରୀମାନଙ୍କ ବିରୋଧରେ ସିବିଆଇ ଋଣ ଖିଲାପ ମାମଲା ମାନଙ୍କରେ ସମ୍ପୃକ୍ତ ଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ଅର୍ଧେକ ହେଉଛନ୍ତି ଜେନେରାଲ୍ ମ୍ୟାନେଜର୍ ଉପର ସ୍ତରର ଅଫିସର। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହି ସମୟ ମଧ୍ୟରେ ଯେତିକି ସଂଖ୍ୟକ ଉଚ୍ଚ ପଦାଧିିକାରୀମାନଙ୍କୁ ଏପରି ସିବିଆଇ ଜାଲରେ ପଡ଼ିବା ଦେଖାଯାଇଛି ତାହା ଏଥିପୂର୍ବରୁ ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଉଚ୍ଚ ବ୍ୟାଙ୍କ୍ ଅଫିସର ସଂଖ୍ୟାର ପ୍ରାୟ ପାଞ୍ଚଗୁଣ ବୋଲି ଜଣାପଡ଼ିଛି। ଏହାକୁ ତେଣୁ ଏକ ଅଚାନକ ଘଟିଥିବା ଘଟଣା ରୂପେ ନ ଦେଖି ଏହା ଏକ ସୁଚିନ୍ତିତ ପଦକ୍ଷେପ ରୂପେ ଦେଶରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଉପରେ ନଜର ରଖିଥିବା ପର୍ଯ୍ୟବେକ୍ଷକମାନେ ବିଚାର କରୁଛନ୍ତି।
ବ୍ୟାଙ୍କିଙ୍ଗ୍କୁ ବୃତ୍ତି ରୂପେ ଗ୍ରହଣ କରିଥିବା ପଦାଧିକାରୀମାନେ ସ୍ୱାଭାବିକ ଭାବରେ ଏଭଳି ଏକ ପରିବେଶରେ ଅତ୍ୟନ୍ତ ଅସ୍ୱସ୍ତି ଅନୁଭବ କରୁଛନ୍ତି ଏବଂ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଏହାର ଏକ ପ୍ରମାଣ ଗତ ମାସରେ ଦେଖିବାକୁ ମିଳିଥିଲା ଯେତେବେଳେ ପୁନା ପୁଲିସ୍ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରର କେତେଜଣ ଉଚ୍ଚ ପଦାଧିକାରୀଙ୍କୁ ଗିରଫ ଗଲା ପରେ ବ୍ୟାଙ୍କ୍ କର୍ମଚାରୀ ସଂଘମାନେ ଏ ନେଇ ତୀବ୍ର ଅସନ୍ତୋଷ ଓ କ୍ରୋଧ ପ୍ରକାଶ କରିଥିଲେ। ସେହି ବ୍ୟାଙ୍କ୍ରୁ ଋଣ ନେଇଥିବା ଏକ ରିଅଲ୍ ଇଷ୍ଟେଟ୍ କମ୍ପାନି ତାର ନିବେଶକମାନଙ୍କଠାରୁ ସଂଗ୍ରହ କରିଥିବା ସ୍ଥାୟୀ ଜମା ପରିଶୋଧ କରିବାରେ ବିଫଳ ହେବାରୁ ଋଣ ପ୍ରଦାନକାରୀ ବ୍ୟାଙ୍କ୍ର ଅଫିସରମାନଙ୍କୁ ଗିରଫ କରାଯାଇଥିଲା। କେନ୍ଦ୍ର ବିତ୍ତ ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଏହାକୁ ଏକ ଅସ୍ୱାଭାବିକ କାର୍ଯ୍ୟାନୁଷ୍ଠାନ ରୂପେ ପରେ ମନ୍ତବ୍ୟ ଦେଇଥିଲେ ହେଁ, ପୁନା ପୁଲିସ୍ ବ୍ୟାଙ୍କର୍ମାନଙ୍କ ବିରୁଦ୍ଧରେ ଏପରି କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଉତ୍ସାହିତ ହେବାର କାରଣ ଖୋଜି ପାଇବା କଷ୍ଟକର ନୁହେଁ। ବିଜୟ ମାଲ୍ୟା ଓ ନିରବ ମୋଦୀ ଭଳି ବ୍ୟାଙ୍କ୍ ଠକେଇ ଘଟଣା କେବଳ ଏଭଳି ଋଣ ଖିଲାପକାରୀଙ୍କୁ ନୁହେଁ, ଟେବୁଲ୍ର ବିପରୀତ ପାର୍ଶ୍ୱରେ ଥିବା ସେମାନଙ୍କୁ ଋଣ ପ୍ରଦାନକାରୀମାନଙ୍କୁ ମଧ୍ୟ ଅର୍ଥାତ୍ ସମସ୍ତ ବ୍ୟାଙ୍କର୍ମାନଙ୍କୁ ଏକ ଗୋଷ୍ଠୀ ହିସାବରେ ସନ୍ଦେହର ପରିସୀମା ଭିତରକୁ ଟାଣି ଆଣିଛି। ଯେମିତି ପିଲା ଚୋର ଗୁଜବ ବ୍ୟାପିଥିବା ବେଳେ ପ୍ରତ୍ୟେକ ଅଜଣା ବ୍ୟକ୍ତି ସନ୍ଦେହୀମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି, ସେମିତି ସମସ୍ତ ବ୍ୟାଙ୍କର୍ ଜଣେ ଜଣେ ସନ୍ଦିଗ୍ଧ ଚରିତ୍ରରେ ପରିଣତ ହୋଇଛନ୍ତି।
ସାମ୍ପ୍ରତିକ ରାଜନୈତିକ ପାଣିପାଗ ମଧ୍ୟ ବ୍ୟାଙ୍କର୍ମାନଙ୍କ ବିପଦକୁ ଯେ ବହୁଗୁଣ ବଢ଼ାଇ ଦେଇଛି, ଏଥିରେ କୌଣସି ସନ୍ଦେହ ନାହିଁ। ଦେଶ ଏକ ସାଧାରଣ ନିର୍ବାଚନ ଦ୍ୱାରଦେଶରେ ଉପସ୍ଥିତ ଥିବା ବେଳେ କ୍ଷମତାସୀନ ସରକାରଙ୍କ ପାଇଁ ମାଲ୍ୟା ଓ ନିରବ ମୋଦୀ ଘଟଣାମାନ ଅତ୍ୟନ୍ତ ଅସ୍ୱସ୍ତିକର, ଏଥିରେ ସନ୍ଦେହ ନାହିଁ। ଯଦି ନିର୍ବାଚନ ପୂର୍ବରୁ ସେମାନଙ୍କୁ କିମ୍ବା ସେମାନଙ୍କ ମଧ୍ୟରୁ କାହାରିକୁ ସରକାର ଦେଶକୁ ଫେରାଇ ଆଣି ପାରନ୍ତେ ତାହା କ୍ଷମତାସୀନ ଦଳ ପାଇଁ ଏକ ବୃହତ୍ ରାଜନୈତିକ ପୁଞ୍ଜି ସୃଷ୍ଟି କରନ୍ତା। କିନ୍ତୁ ସେଭଳି ସମ୍ଭାବନା କ୍ଷୀଣ ଏବଂ ସମ୍ପୂର୍ଣ୍ଣ ଅନିଶ୍ଚିତ। ତେଣୁ ତାହାର ପରବର୍ତ୍ତୀ ବିକଳ୍ପ ଯେ ହେଉଛି ବ୍ୟାଙ୍କର୍ମାନଙ୍କ ପ୍ରତି ଏକ ଦୃଶ୍ୟମାନ କଠୋର ଆଭିମୁଖ୍ୟ, ତାହା ଜଳଜଳ ହୋଇ ଦେଖାଯାଉଛି।
ଏହା ସମ୍ପୂର୍ଣ୍ଣ ସମ୍ଭବ ଯେ ଏକ ବ୍ୟବସାୟର ସମସ୍ତ ସମ୍ଭାବ୍ୟ ଦିଗକୁ ବିଚାରକୁ ନେଇ ବ୍ୟାଙ୍କ୍ ତାହାକୁ ଋଣ ପ୍ରଦାନ କରିଥିଲେ ମଧ୍ୟ କେତେକ ଏ ଭଳି ବ୍ୟବସାୟ ବିଫଳ ହୋଇ ପାରନ୍ତି। ଏହା ମଧ୍ୟ ସମ୍ଭବ ଯେ ବେଳେ ବେଳେ ବ୍ୟାଙ୍କ୍ କୌଣସି ଏକ ବ୍ୟବସାୟର ସଫଳତା ସମ୍ଭାବନାର ସଠିକ ଆକଳନ କରି ନପାରି ଋଣ ପ୍ରଦାନ କରିଥାଇ ପାରନ୍ତି ଏବଂ ବ୍ୟବସାୟ ଯେତେବେଳେ ବିଫଳ ହୁଏ, ସେ ଋଣ ଆଉ ପରିଶୋଧ ହୋଇ ପାରେନା। ଏହା ହେଉଛି ସମ୍ପୃକ୍ତ ବ୍ୟାଙ୍କର୍ଙ୍କର ଦକ୍ଷତାର ପ୍ରସଙ୍ଗ। ଆଉ ଏହା ମଧ୍ୟ ସମ୍ଭବ ଯେ ବେଳେ ବେଳେ ବ୍ୟାଙ୍କର୍ ଦୁର୍ନୀତିଗ୍ରସ୍ତ ହୋଇ ଋଣ ମଞ୍ଜୁର କରିଥାନ୍ତି। ଏ ତିନିପ୍ରକାର ସମ୍ଭାବନା ମଧ୍ୟରେ ଥିବା ଫରକ୍ ଏତେ ସ୍ପଷ୍ଟ ଯେ ତାହା କୌଣସି ଜାଣିବା ଶୁଣିବା ଅନୁସନ୍ଧାନକାରୀଙ୍କର ଦୃଷ୍ଟିକୁ ଏଡ଼ାଇ ପାରିବ ନାହିଁ। କିନ୍ତୁ ଏବେ ଯାହା ଦେଖାଯାଉଛି, ତାହା ହେଲା ଏ ସମସ୍ତ ତିନି କିସମର ଋଣ ଖିଲାପକୁ ଋଣପ୍ରଦାନକାରୀ ବ୍ୟାଙ୍କର୍ଙ୍କ ଦୁର୍ନୀତିର ପରିଣତି ରୂପେ ବିଚାର କରାଯାଉଥିବା ଭଳି ମନେ ହେଉଛି।
ଏଭଳି ଏକ ଆଭିମୁଖ୍ୟର ବିପଦ ମଧ୍ୟ ସ୍ପଷ୍ଟ। ଭାରତୀୟ ଅର୍ଥନୀତି ବର୍ତ୍ତମାନ ଧିମା ଅବସ୍ଥାରୁ ମୁକୁଳି ପୁଣି ଦ୍ରୁତ ଅଭିବୃଦ୍ଧି ହାସଲ କରିବା ପାଇଁ ପ୍ରସ୍ତୁତ ହେଉଛି। ଏହି ସମୟରେ ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ସମ୍ବଳ ଚାହିଦାରେ ବିଶେଷ ବୃଦ୍ଧି ଘଟିବ। କିନ୍ତୁ ଠିକ୍ ଏହି ସମୟରେ ଆତଙ୍କିତ ବ୍ୟାଙ୍କର୍ମାନେ ସେମାନଙ୍କୁ ଆବଶ୍ୟକ ଋଣ ପ୍ରଦାନ କରିବାକୁ ଅତ୍ୟନ୍ତ କୁଣ୍ଠିତ ହେବେ। ଏହାର ଏକ ପ୍ରମାଣ ସ୍ୱରୂପ ଦେଖାଗଲାଣି ଯେ ଭାରତୀୟ ଶିଳ୍ପୋଦ୍ୟୋଗମାନେ ସମ୍ବଳ ସଂଗ୍ରହ ପାଇଁ ବର୍ତ୍ତମାନ ଅଧିକରୁ ଅଧିକ ସେଆର ବଜାର ଆଡ଼କୁ ମୁହାଁଇଲେଣି। ୨୦୧୮ର ପ୍ରଥମାର୍ଧରେ ଭାରତରେ ଯେତିକି ପ୍ରାରମ୍ଭିକ ଅଂଶପତ୍ର ବିକ୍ରି (ଆଇପିଓ) ହେବା ଦେଖାଯାଇଛି ତାହା ପୃଥିବୀର ଅନ୍ୟ ସମସ୍ତ ଦେଶମାନଙ୍କ ଠାରୁ ଅଧିକ। ଏହା ମାଧ୍ୟମରେ ସଂଗୃହୀତ ସମ୍ବଳ ଗତ ବର୍ଷ ଏହି ସମୟ କାଳ ମଧ୍ୟରେ ଏହି ଉପାୟରେ ସଂଗ୍ରହ ହୋଇଥିବା ସମ୍ବଳ ଠାରୁ ପ୍ରାୟ ୨୮% ଅଧିକ ହୋଇଥିବା ଦେଖାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୟୁପିଏ ସରକାରର ଶେଷ ସମୟରେ ସିଏଜି ଓ ସିବିଆଇ ଭଳି ପ୍ରହରୀ ଅନୁଷ୍ଠାନମାନଙ୍କର ଅତି ଉତ୍ସାହଜନିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅମଲାତନ୍ତ୍ର ପ୍ରାୟ କୌଣସି ନିଷ୍ପତ୍ତି ନେବା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇ ଯାଇଥିଲା। ମୋଦୀ କ୍ଷମତାକୁ ଆସିବା ପରେ ସେମାନଙ୍କୁ ସତ୍ ଉଦ୍ଦେଶ୍ୟଜନିତ ନିଷ୍ପତ୍ତି ନେବାକୁ ନ ଡରିବା ପାଇଁ ଅଭୟ ବାଣୀ ଦେଇଥିଲେ। ବର୍ତ୍ତମାନ କୋକୁଆ ଭୟଗ୍ରସ୍ତ ଦେଶର ବ୍ୟାଙ୍କର୍ମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଅନୁରୂପ ଅଭୟବାଣୀ ପ୍ରଦାନ କରିବାର ସମୟ ଉପସ୍ଥିତ।