ବିଷଣ୍ଣ ବିଜନତା

ପ୍ରତିବର୍ଷ ଏହି ସମୟକୁ ଗ୍ରାମୀଣ ଓଡ଼ିଶାରେ ସାଧାରଣତଃ ଯେଉଁ ଚିତ୍ର ଦେଖିବାକୁ ମିଳିଥାଏ ତାହା ହେଲା ଆକାଶରେ ନୂଆ ଆଷାଢ଼ର ସମାବେଶ, ତା କୋଳରେ ଉଡ଼ିଯାଉଥିବା ହଳ ହଳ ବଗ ଏବ˚ ଏ ଦୁଇ ଦୃଶ୍ୟ ସହ ସାମ୍ୟ ରଖି ମାଟି ଉପରେ ପ୍ରତିଷ୍ଠିତ ବିଦ୍ୟାଳୟ ଗୁଡ଼ିକ ପରିବେଶରେ ନୂଆ ବ୍ୟସ୍ତତା ଏବ˚ ତା ମେଳରେ ନୂଆ ଛାତ୍ରଛାତ୍ରୀଙ୍କର ମଧୁର କୋଳାହଳ। ଅଥଚ ଦୁର୍ଭାଗ୍ୟର କଥା ଯେ ଯେଉଁ ବିଦ୍ୟାଳୟଗୁଡ଼ିକର ପରିବେଶ ବର୍ତ୍ତମାନ କିଶୋରକିଶୋରୀମାନଙ୍କର କୋଳାହଳରେ ପୂରିଉଠିବା କଥା ଆଜି ସେଇଠାରେ ରାଜୁତି କରୁଛି ବିରକ୍ତିକର ନିର୍ଜନତା। କରୋନା ମହାମାରୀ ଆତଙ୍କ ଯୋଗୁଁ ଗତ ମାର୍ଚ୍ଚ ମାସ ମଝାମଝିରେ ଯେତେବେଳେ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିଦିଆଗଲା ସେତେବେଳେ ଭାରତର କୋଟି କୋଟି ଶିକ୍ଷାର୍ଥୀ ଏହି ଅପ୍ରତ୍ୟାଶିତ ମୁକ୍ତିର ଆନନ୍ଦରେ ଉତ୍‌ଫୁଲ୍ଲିତ ହୋଇଥିଲେ। ପିତାମାତା ଏବ˚ ଅଭିଭାବକମାନେ ମଧୢ ଆଶ୍ବସ୍ତ ହୋଇଥିଲେ- ଅନ୍ତତଃ କିଛିଦିନ ଲାଗି ସକାଳୁ ସକାଳୁ ଉଠି ପିଲାମାନଙ୍କୁ ପ୍ରସ୍ତୁତ କରି ପଠେଇବାର ବିରକ୍ତିକର ଘୋଷରା କାମରୁ ମୁକ୍ତି ମିଳିଲା। ମାତ୍ର ଏବେ ସେଇ ‘କିଛିଦିନ’ର ଦୈର୍ଘ୍ୟ ବଢ଼ି ବଢ଼ି ଚାଲୁଥିବାବେଳେ ଏବ˚ ତାହା କେବେ ଶେଷ ହେବ ସେକଥା ଅନିଶ୍ଚିତ ହୋଇପଡ଼ୁଥିବା ସମୟରେ ପିଲାମାନଙ୍କ ମୁକ୍ତିର ଆନନ୍ଦ ବାସ୍ତବରେ ବନ୍ଦୀର ବିଷାଦରେ ପରିଣତ ହୋଇସାରିଲାଣି। ଦିଲ୍ଲୀଠାରୁ ନେଇ ପଲ୍ଲୀ ପର୍ଯ୍ୟନ୍ତ ଏବେ ଯୋଉ ଚିନ୍ତାଟି ଶିକ୍ଷକ, ଅଭିଭାବକ ଏବ˚ ବୁଦ୍ଧିଜୀବୀମାନଙ୍କୁ ଆଚ୍ଛନ୍ନ କରୁଛି ସେଇଟି ହେଲା- ପାଠପଢ଼ାର ଦଶା କଅଣ ହେବ? କେବେ ପିଲାଏ ସ୍କୁଲକୁ ଫେରିବେ?

ଇତିମଧୢରେ ଅନଲାଇନ୍‌ ପଦ୍ଧତିରେ ପିଲାମାନଙ୍କ ଶିକ୍ଷାଦାନ ଲାଗି ସମଗ୍ର ଦେଶରେ ବିତର୍କ ଆରମ୍ଭ ହୋଇଛି ଏବ˚ ଗୋଟିଏ ବୃହତ୍ତର ଗୋଷ୍ଠୀ ଅନୁଭବ କରୁଛନ୍ତି ଯେ ଏହି ଅନଲାଇନ୍‌ ଶିକ୍ଷା ହିଁ ଭବିଷ୍ୟତର ବାସ୍ତବ ପ୍ରଣାଳୀ। କେତେକ ବିଦ୍ୟାଳୟ ଏହି ପ୍ରଣାଳୀରେ ଶିକ୍ଷାଦାନ ଆରମ୍ଭ କରିଦେଲେଣି। ସେମାନଙ୍କର ଦାବି ହେଉଛି ସ୍କୁଲଘର ବନ୍ଦ ଅଛି ସିନା, ପାଠପଢ଼ା ନୁହେଁ। କରୋନା ପରି ବ୍ୟାଧି ବ୍ୟାପିଥିବା ବେଳେ ଶିକ୍ଷାନୁଷ୍ଠାନମାନଙ୍କୁ ନିଜ ପିଲାଙ୍କୁ ଛାଡ଼ିବା ଲାଗି ପିତାମାତା କଦାପି ରାଜି ହେବେ ନାହିଁ। ପୁଣି ଭାରତର ଅଧିକା˚ଶ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ଦଶା ଯାହା ସେଥିରେ ପ୍ରତିଦିନ ପ୍ରତିଟି ପିଲାଙ୍କର ଥର୍ମାଲ ସ୍କ୍ରିନି˚ କରି ଦେହର ତାତି ମାପିବା, ମୁଖା ପିନ୍ଧା ସୁନିଶ୍ଚିତ କରିବା, ହାତ ଧୁଆ ଓ ସାନିଟାଇଜେସନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ସହ ପରସ୍ପର ମଧୢରେ ସାମାଜିକ ଦୂରତ୍ବ ରକ୍ଷା କରାଇବା ସହଜ କଥା ନୁହେଁ। ଉଦାହରଣସ୍ବରୂପ, ଓଡ଼ିଶାର ଅଧିକା˚ଶ ସରକାରୀ ସ୍କୁଲରେ ଆବଶ୍ୟକ ଶ୍ରେଣୀକକ୍ଷ ନଥିବା ବେଳେ ଜଣେ ପିଲାଠାରୁ ଦୁଇ ମିଟର ଦୂରତାରେ ଆଉଜଣକୁ ବସାଇବାର ବ୍ୟବସ୍ଥା କରିବା କେବଳ କଷ୍ଟକର ନୁହେଁ, ଅସମ୍ଭବ। ସରକାରୀ ବିଦ୍ୟାଳୟ ଗୁଡ଼ିକରେ ମଧୢାହ୍ନ ଭୋଜନ ବ୍ୟବସ୍ଥା କାର୍ଯ୍ୟକାରୀ କରାଇବା ଆହୁରି କଷ୍ଟସାଧୢ। ଏହାର ଉତ୍ତରରେ ହିଁ ନୀତିବାଗୀଶମାନେ ଅନଲାଇନ୍‌ ବ୍ୟବସ୍ଥା କଥା କହୁଛନ୍ତି। ସେମାନଙ୍କ ମତରେ ୨୦୨୪ ସୁଦ୍ଧା ଦେଶର ଶତକଡ଼ା ୮୫ ଭାଗ ଘରେ ମୋବାଇଲ ଇଣ୍ଟରନେଟ୍‌ ସୁବିଧା ଉପଲବ୍‌ଧ ହେବ, ଯାହାର ସୁବିଧା ସେ ଘରର ପିଲାଏ ନେଇପାରିବେ। ଏଥିପାଇଁ ଶିକ୍ଷକମାନଙ୍କୁ ଚକ୍‌ ଓ ଭାଷଣ ମାଧୢମ ବଦଳରେ ଶିକ୍ଷାଦାନର ନୂଆ ମାଧୢମ ଆପଣେଇବାକୁ ପଡ଼ିବ ଏବଂ ପାଠ୍ୟଖସଡ଼ାକୁ ସୁଦ୍ଧା ସେହି ଅନୁସାରେ ବଦଳେଇବାକୁ ହେବ। ଅନଲାଇନ୍‌ ଶିକ୍ଷା ବ୍ୟବସ୍ଥା ଫଳରେ ଦେଶର ୧୫ ଲକ୍ଷ ସ୍କୁଲ ଓ ୫୦ ହଜାର ଉଚ୍ଚଶିକ୍ଷା ଅନୁଷ୍ଠାନ ତାଙ୍କର ଶିକ୍ଷାଦାନ ବ୍ୟବସ୍ଥା ଅବ୍ୟାହତ ରଖିପାରିବେ ବୋଲି ଅନଲାଇନ୍‌ ଶିକ୍ଷା ସପକ୍ଷରେ ଯୁକ୍ତି କରୁଥିବା ବୁଦ୍ଧିଜୀବୀଙ୍କର ମତ। ମାତ୍ର ଏ କ୍ଷେତ୍ରରେ ବଡ଼ ଅନ୍ତରାୟ ହେଉଛି, ପ୍ରଥମରୁ ଉଲ୍ଲେଖ କରିଥିବା ଗ୍ରାମୀଣ ଓଡ଼ିଶାର ବିଦ୍ୟାଳୟ ଗୁଡ଼ିକ ପରି ଲକ୍ଷ ଲକ୍ଷ ବିଦ୍ୟାଳୟର ଦୁର୍ବଳ ଭିତ୍ତିଭୂମି। କେବଳ ଗ୍ରାମୀଣ ନୁହେଁ, ଆମ ରାଜ୍ୟର ସହରାଞ୍ଚଳରେ ମଧୢ ଇଣ୍ଟରନେଟ୍‌ ସେବା ଏପର୍ଯ୍ୟନ୍ତ ଆଶାନୁରୂପ ଦକ୍ଷତା ଅର୍ଜନ କରିପାରିନାହିଁ। ବର୍ତ୍ତମାନର ଶିକ୍ଷା ପ୍ରଣାଳୀ ଚାରିଟି ଦିଗକୁ ଦୃଷ୍ଟିଦେଇ ପ୍ରସ୍ତୁତ କରାଯାଇଅଛି। ପ୍ରଥମଟି ହେଲା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପିଲାଟିଏ ଦେଖୁଛି ଓ ସେ ଯାହା ଲେଖୁଛନ୍ତି ତାହାକୁ ସେ ଲକ୍ଷ୍ୟ କରୁଛି, ଦ୍ବିତୀୟଟି ହେଲା ଶ୍ରବଣ ମାଧୢମ ବା ପିଲାଟିଏ ଶିକ୍ଷକଙ୍କୁ ଶୁଣୁଛି, ତୃତୀୟଟି ହେଲା ଲିଖନ ଏବ˚ ପଠନ। ନିଜେ ଛାତ୍ର ବା ଛାତ୍ରୀ ଲେଖା ପଢ଼ା କରିବା ଦ୍ବାରା ସେ ଶୁଣିଥିବା ପାଠ ଅଭ୍ୟାସ କରୁଛି। ଶେଷୋକ୍ତ ହେଲା ଶାରୀରିକ ବ୍ୟାୟାମ ଓ କ୍ରୀଡ଼ା, ଯହିଁରେ ଦୌଡ଼ିବାଠାରୁ ନେଇ ସନ୍ତରଣ ଓ ଯୋଗାଭ୍ୟାସ ଇତ୍ୟାଦି ଅନ୍ତର୍ଭୁକ୍ତ। ଅନଲାଇନ୍‌ ପାଠ୍ୟକ୍ରମରେ ଏହି ମଧୢରୁ ଦୁଇଟି ବା ତିନିଟି କଥାକୁ ସୁନିଶ୍ଚିତ କରାଯାଇ ପାରିବ, ମାତ୍ର ଶେ‌େଷାକ୍ତ କଥାଟିକୁ ସୁନିଶ୍ଚିତ କରିହେବ ନାହିଁ।

କରୋନାକାଳୀନ ଏହି ବାଧୢତାମୂଳକ ସୁଦୀର୍ଘ ଅବକାଶ କେବେ ଶେଷ ହେବ ସେ ନେଇ କେହି ନିର୍ଦ୍ଦିଷ୍ଟ ଭାବରେ କିଛି କହି ପାରୁନଥିବା ବେଳେ, ବିଳମ୍ବିତ ଶିକ୍ଷାଦାନ ଯୋଗୁଁ ସୃଷ୍ଟ ବିଭିନ୍ନ ଆଶଙ୍କା ସ˚ପର୍କରେ ଅଧିକା˚ଶ ଭବିଷ୍ୟବାଣୀ କରିପାରୁଛନ୍ତି। ଉଚ୍ଚଶିକ୍ଷା ସହ କେବଳ ଶିକ୍ଷାର୍ଥୀ ଯୁବକଯୁବତୀଙ୍କ ଭବିଷ୍ୟତ ନୁହେଁ, ବ୍ୟବସ୍ଥାର ଅର୍ଥନୀତି ମଧୢ ଯୋଡ଼ି ହୋଇ ରହିଛି। ସେଥିପାଇଁ ଭାରତ ଭଳି ଦେଶକୁ ଗୋଟିଏ ସମୟରେ ଦୁଇଟି ଦିଗରେ ଧୢାନ ଦେବାକୁ ପଡ଼ିବ। ପ୍ରଥମଟି ଶିକ୍ଷାନୁଷ୍ଠାନ ଗୁଡ଼ିକର ସ୍ବାସ୍ଥ୍ୟଜନକ ଭିତ୍ତିଭୂମି ଓ ପରିବେଶ ନିର୍ମାଣ। ଏ କଥା ସତ୍ୟ ଯେ, ସ୍କୁଲଶିକ୍ଷାର ବିକଳ୍ପ ନାହିଁ। ଜଣେ ଛାତ୍ର ବା ଛାତ୍ରୀ ସ୍କୁଲକୁ ଯିବା ଦ୍ବାରା କେବଳ ଯେ ଶିକ୍ଷକଙ୍କ ଠାରୁ ଶିକ୍ଷାଗ୍ରହଣ ସୁଯୋଗ ପାଏ ସେତକ ନୁହେଁ, ପରିବେଶ ଏବ˚ ସତୀର୍ଥ ମାନଙ୍କଠାରୁ ମଧୢ ବହୁ କଥା ନିରୀକ୍ଷଣ କରିଥାଏ ଯାହା ତା’ର ବ୍ୟକ୍ତିତ୍ବ ଗଠନରେ ସହାୟକ ହୋଇଥାଏ। ଅପରପକ୍ଷରେ ସାରାଦିନ ଗୋଟିଏ ଘର କି ଆପାର୍ଟମେଣ୍ଟର ଚାରିକାନ୍ଥ ଭିତରେ ବିତାଉଥିବା କିଶୋର କି କିଶୋରୀର ଜୀବନ, ଯାହା ପାଖେ ମୋବାଇଲ କିମ୍ବା ଟିଭି ପରି କେତୋଟି ଯାନ୍ତ୍ରିକ ଉପକରଣ ଭିନ୍ନ ଅନ୍ୟ କିଛି ନାହିଁ, ତାହାର ଅପ୍ରକାଶ୍ୟ ଅସହାୟତା କଳନା କରିବା ଆଦୌ ସହଜ ନୁହେଁ। ଏପରି କିଶୋର ପାଇଁ ମୁକ୍ତ ଓ ନିରାପଦ ପରିବେଶ ସବୁଠାରୁ ବଡ଼ ପ୍ରୟୋଜନ। ତେବେ ସେ ମୁକ୍ତ ପରିବେଶ ଏଭଳି ହେବା ପ୍ରୟୋଜନ, ରବୀନ୍ଦ୍ରନାଥ କହିଥିବା ପରି, ଯେଉଁଠି ତାର ଚିତ୍ତ ଭୟଶୂନ୍ୟ ରହିବା ସହ ଶିର ଉପରକୁ ଉତ୍ତୋଳିତ ଥିବ। ସେଠାରେ କରୋନା ବ୍ୟାଧି କିମ୍ବା ସେଭଳି ସ˚କ୍ରମଣର ଆଶଙ୍କା ନଥିବ। ସେଥିପାଇଁ ସୁସ୍ଥ, ପ୍ରଶସ୍ତ ଶିକ୍ଷା-ଭିତ୍ତିଭୂମି ନିର୍ମାଣ ପ୍ରାଥମିକତା ପାଇବା ଜରୁରି। ଜନମଙ୍ଗଳକାରୀ ଭାରତ ଏପର୍ଯ୍ୟନ୍ତ ସାଧାରଣ ସ୍ବାସ୍ଥ୍ୟ ପରି ସାଧାରଣ ଶିକ୍ଷାକ୍ଷେତ୍ରକୁ ସେଭଳି ଗୁରୁତ୍ବ ଦେଇଆସିନଥିବା ନେଇ ବରାବର ଅଭିଯୋଗ ହୋଇଥାଏ। କରୋନା ମହାମାରୀ ଆଣିଥିବା ଏହି ପରିସ୍ଥିତିକୁ ଆହ୍ବାନ ଭାବେ ଗ୍ରହଣ କରି ତାହାର ମୁକାବିଲା ପାଇଁ ଦୀର୍ଘମିଆଦୀ ଶିକ୍ଷା-ଭିତ୍ତିଭୂମି ନିର୍ମାଣ କରିବା ଆବଶ୍ୟକ।

କରୋନା ପରିସ୍ଥିତି ଅନ୍ୟାନ୍ୟ ଜୀବିକା ଓ ବୃତ୍ତି ସମ୍ମୁଖରେ ବିଭିନ୍ନ ସମସ୍ୟା ରଖିବା ପରି ଶିକ୍ଷା ବ୍ୟବସ୍ଥା ସମ୍ମୁଖରେ ମଧୢ ବହୁବିଧ ସମସ୍ୟା ଉପସ୍ଥାପନ କରିଛି। ହୁଏତ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ପରିବର୍ତ୍ତିତ ସମୟର ଆହ୍ବାନର ମୁକାବିଲା ପାଇଁ ସମ୍ବଳ ଯୋଗାଡ଼ କରିପାରିବେ। ମାତ୍ର ଏବେ ବି ଆମ ରାଜ୍ୟର ବେଶିଭାଗ ଛାତ୍ରଛାତ୍ରୀ ସରକାରୀ ଶିକ୍ଷାନୁଷ୍ଠାନ ଉପରେ ନିର୍ଭରଶୀଳ। ସେଭଳି ପରିବେଶରେ ଅନଲାଇନ୍‌ ଶିକ୍ଷାର ପ୍ରଚଳନ ପାଇଁ କେବଳ ଭିତ୍ତିଭୂମି ନୁହେଁ, ଯେଉଁ ଧରଣର ପ୍ରଶିକ୍ଷିତ ଶିକ୍ଷକବର୍ଗ ଆବଶ୍ୟକ ତାହା ମଧୢ ଏକ ଅନ୍ତରାୟ। ଅନଲାଇନ୍‌ ଶିକ୍ଷା ଗବେଷଣାଗାରର ପ୍ରାକ୍ଟିକାଲ ଶିକ୍ଷାଦାନକୁ କିଭଳି ବ୍ୟବସ୍ଥିତ କରାଇବ ତାହା ମଧୢ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ। ଆମର ମନେହୁଏ, ଏହି ସବୁ ପ୍ରଶ୍ନ ପ୍ରତି ଦୃଷ୍ଟିଦେବା କ୍ଷେତ୍ରରେ ଯଥେଷ୍ଟ ବିଳମ୍ବ ହୋଇଗଲାଣି। ଏ ଦିଗରେ ଅଧିକ ବିଳମ୍ବ ସ୍ପୃହଣୀୟ ନୁହେଁ। ବର୍ତ୍ତମାନ ଭାରତ ସରକାର ତଥା ଓଡ଼ିଶା ସରକାର ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଦିଗଟିକୁ ସର୍ବାଧିକ ଗୁରୁତ୍ବ ଦେଇ ପର୍ଯ୍ୟାୟକ୍ରମେ ଓ ବ୍ୟାବହାରିକ ଦୃଷ୍ଟିରୁ ଉପଯୋଗୀ ପଦକ୍ଷେପମାନ ନେବା ଉଚିତ। ଦୀର୍ଘକାଳ ଧରି ଶିକ୍ଷା ପରିସରର ବିମର୍ଷ ବିଜନତା ଯେଉଁଭଳି ସମାଜ ନିମନ୍ତେ ଶୁଭଙ୍କର ନୁହେଁ ସେହିଭଳି ଅନାବଶ୍ୟକ ମୁକ୍ତିର ଅସରନ୍ତି ଦୀର୍ଘତା ଶିକ୍ଷାର୍ଥୀର ଭବିଷ୍ୟତ ଲାଗି ଆଦୌ ଅନୁକୂଳ ନୁହେଁ।

ସମ୍ବନ୍ଧିତ ଖବର