ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍ଡ଼ିଏ ସରକାର ବିରୋଧରେ ଆଗତ ପ୍ରଥମ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟର ଫଳାଫଳ ନେଇ କୌଣସି ଉତ୍କଣ୍ଠା ନଥିଲା। ଯାହା ଆକଳନ କରାଯାଇଥିଲା, ତାହା ହିଁ ଘଟିଛି। ଟିଡ଼ିପି ଓ ଅନ୍ୟ ବିରୋଧୀ ଦଳଙ୍କ ପକ୍ଷରୁ ମିଳିତ ଭାବେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଲୋକସଭାରେ କାଟ ଖାଇ ଯାଇଛି। ୧୯୬୩ରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସରକାରଙ୍କ ବିରୋଧରେ ଆଚାର୍ଯ୍ୟ ଜେ.ବି. କୃପାଳିନିଙ୍କ ପ୍ରଥମ ଅନାସ୍ଥା ପ୍ରସ୍ତାବଠାରୁ ଆରମ୍ଭ କରି ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ପର୍ଯ୍ୟନ୍ତ ଲୋକସଭାରେ ବିଭିନ୍ନ ସରକାର ବିରୋଧରେ ମୋଟ ୨୭ଟି ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ସେଥିରୁ ଗୋଟିଏ ବ୍ୟତିକ୍ରମ- ୧୯୭୯ରେ ମୋରାରଜୀ ଦେଶାଇ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା- ବ୍ୟତୀତ ଅନ୍ୟ କୌଣସି ସରକାର ଅନାସ୍ଥା ପ୍ରସ୍ତାବ ଦ୍ୱାରା ଗାଦିଚ୍ୟୁତ ହୋଇନାହାନ୍ତି। ମୋଦୀ ସରକାର କ୍ଷେତ୍ରରେ ମଧ୍ୟ ସେହି ଧାରା ବଜାୟ ରହିଛି। ଫଳାଫଳ ନେଇ କୌଣସି ଉତ୍କଣ୍ଠା ନଥିବାରୁ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ଥିଲା ଅନାସ୍ଥା ପ୍ରସ୍ତାବ ବିତର୍କ ଉପରେ। ଆଶା କରାଯାଉଥିଲା, ସଂପ୍ରତି ଦେଶ ଯୁଝୁଥିବା ବିଭିନ୍ନ ସମସ୍ୟାର ପ୍ରଭାବଶାଳୀ ମୁକାବିଲା ସକାଶେ ବିତର୍କରୁ କିଛି ନୂତନ ଦିଶା ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ, ‘ସଂଖ୍ୟା ଗରିଷ୍ଠତା ବନାମ ନୈତିକତା’ର ଲଢ଼େଇ ବୋଲି କୁହାଯାଉଥିବା ପ୍ରସ୍ତାବ ଉପରେ ବିତର୍କରେ ଦିଗ୍ଦର୍ଶନ ଦେଲାଭଳି ସେମିତି କିଛି ନୂତନତ୍ୱ ପରିଲକ୍ଷିତ ହୋଇ ନାହିଁ। ଦୀର୍ଘ ବ୍ୟବଧାନ ପରେ ସଂସଦରେ ଗତାନୁଗତିକ ହଟ୍ଟଗୋଳ, ବିଶୃଙ୍ଖଳା ରହିତ ଏକ ମୋଟାମୋଟି ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ବିତର୍କ ବ୍ୟତୀତ ଆଉ କିଛି ବିଶେଷତ୍ୱ ନଥିଲା। ସଂଖ୍ୟା ଗରିଷ୍ଠତାର ପଶୁବଳ ବିରୋଧରେ ନୈତିକତା ଦୃଷ୍ଟିରୁ ଶାସକ ପକ୍ଷ ପାଇଁ ବିରୋଧୀ ଏମିତି କିଛି ଆହ୍ଵାନ ଠିଆ କରିପାରି ନଥିଲେ। ପୁରୁଣା ପାଠର ପୁନରାବୃତ୍ତି ସଦୃଶ ବିରୋଧୀ ପକ୍ଷ ସେହି ସମାନ- ଅସହିଷ୍ଣୁତା, ଭିଡ଼ ହିଂସା, ଗଣତାନ୍ତ୍ରିକ ଅନୁଷ୍ଠାନ ଓ ପରମ୍ପରା ପ୍ରତି ଅବମାନନା, ମହିଳା ବିରୋଧୀ ଅପରାଧ, ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରତି ଆକ୍ରୋଶ -ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ। କାଁଭାଁ ଠାଏ ଅଧେ ଛାଡ଼ିଦେଲେ ବିରୋଧୀ ଆକ୍ରମଣରେ ଶାଣ ନଥିଲା। ଅନ୍ୟପକ୍ଷରେ ସରକାରୀ ପକ୍ଷ ମଧ୍ୟ ତାଙ୍କର ପୁରୁଣା ଆତ୍ମରକ୍ଷା କୌଶଳ ଅନୁଯାୟୀ ଅତୀତରେ କଂଗ୍ରେସର ବିଫଳତାକୁ ଢାଲ କରି ନିଜର ବିଫଳତାକୁ ଢାଙ୍କିବାର ପ୍ରୟାସ କରିଥିଲେ। ସ୍ୱଚ୍ଛ ଭାରତଠାରୁ ଆରମ୍ଭ କରି ଏମ୍ଏସ୍ପି ବୃଦ୍ଧି, ଜନଧନ, ସର୍ଜିକାଲ୍ ଷ୍ଟ୍ରାଇକ୍ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଓ ପଦକ୍ଷେପକୁ ଦର୍ଶାଇ ସଫଳତାର କାହାଣୀ ପୁଣି ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନବେ ମିନିଟ୍ର ଦୀର୍ଘ ଭାଷଣ ହେଉ କି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ସରକାରଙ୍କ ପକ୍ଷରେ ଓକିଲାତି ହେଉ, ସବୁଥିରେ ନାଟକୀୟତା ଥିଲା ସିନା ସମସ୍ୟାର ମୁକାବିଲା ପାଇଁ ସରକାରଙ୍କ ନୀତି ଓ ଆଭିମୁଖ୍ୟ ନେଇ ବିଶେଷ କୌଣସି ନୂତନ ସଂକେତ ନଥିଲା।
୧୯୮୪ର ଶିଖ୍ ବିରୋଧୀ ଦଙ୍ଗାକୁ ଦେଖାଇ କ’ଣ ସରକାର ସଂପ୍ରତି ଦେଶର ବିଭିନ୍ନ ସ୍ଥାନରେ ଗୋ-ସୁରକ୍ଷା ଆଳରେ ଚାଲିଥିବା ଧାରାବାହିକ ହିଂସା, ନିର୍ଦ୍ଦିଷ୍ଟ ଭାବେ ସଂଖ୍ୟା ଲଘୁ ଓ ଦଳିତଙ୍କ ବିରୋଧରେ ଆକ୍ରମଣ ପ୍ରସଙ୍ଗରେ ନିଜର ଉତ୍ତର-ଦାୟିତ୍ୱ ଏଡ଼ାଇ ପାରିବେ? ଜନଧନ ଯୋଜନାରେ ଖୋଲା ଯାଇଥିବା ବ୍ୟାଙ୍କ୍ ଜମାଖାତାର ସଂଖ୍ୟା ଅର୍ଥନୈତିକ ଦୁର୍ବଳ ବର୍ଗଙ୍କ ଅର୍ଥନୈତିକ ବିକାଶର କ’ଣ ମାପକାଠି? ବିକାଶ ନେଇ ପରିସଂଖ୍ୟାନ ଘୋଷି ବାସ୍ତବ କ୍ଷେତ୍ରରେ ବିକାଶର ନିଅଣ୍ଟକୁ ଘୋଡ଼ାଇବା ଲାଗି ସରକାରଙ୍କ ପ୍ରୟାସ ଯଥେଷ୍ଟ ନଥିଲା। ମୋଟ ଉପରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ପାଇଁ ଉଣେଇଶ ଲାଗି ନିର୍ବାଚନୀ ଭାଷଣର ଆଗୁଆ ଅଭ୍ୟାସ ମାତ୍ର ଥିଲା। ଆଗାମୀ ସାଧାରଣ ନିର୍ବାଚନ ବେଳେ ଦୁଇପକ୍ଷର ପ୍ରଚାର ଅଭିଯାନର ସ୍ୱର କ’ଣ ହେବ, ତା’ର ଆଭାସ ମିଳିଥିଲା, କିନ୍ତୁ ଦେଶ ଆଗରେ ଥିବା ସମସ୍ୟାଗୁଡ଼ିକର ସମାଧାନ ନେଇ କୌଣସି ଆଶାର ସଂକେତ ମିଳି ନଥିଲା। ଯେହେତୁ, ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଅନାକର୍ଷଣୀୟ, ଉତ୍ସାହହୀନ, ମୁଖ୍ୟତଃ ରାଜନୈତିକ ଆକ୍ରମଣ- ପ୍ରତିଆକ୍ରମଣରେ ସୀମିତ ରହିଲା, ସେଥି ପାଇଁ ଏହି ପ୍ରଭାବଶୂନ୍ୟ ବିତର୍କ ଉପରେ ଏକ ଅଲୋଡ଼ା ଘଟଣା ଭାରି ପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲଗାନ୍ଧୀଙ୍କ ଡ୍ରାମାବାଜି ଅଧିକ ଚର୍ଚ୍ଚାରେ ରହିଛି। ମୋଦୀଙ୍କ ଛପନ ଇଞ୍ଚ ଛାତିରେ ମୁଣ୍ଡ ରଖି ରାହୁଲଙ୍କ ‘ଯାଦୁ କି ଝପ୍ପି’ ଜନତାଙ୍କୁ ଆମୋଦିତ କରି ଥାଇପାରେ। କିନ୍ତୁ ଏଥିରୁ ଲାଭ ମିଳିଲା କ’ଣ?ରାହୁଲଙ୍କ ମୁନ୍ନା ଭାଇ ଷ୍ଟାଇଲ୍ ଝପ୍ପିକୁ ନେଇ ବାଦ ବିବାଦର ଧୂଆଁ ଭିତରେ ଦେଶର ବୃହତ୍ତର ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ହଜିଯାଉଛି।
ତେବେ, ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କର ଗତାନୁଗତିକ ଧାରା ଏବଂ ବିଷୟବସ୍ତୁ ପ୍ରାୟତଃ ନିରୁତ୍ସାହଜନକ ପୁନରାବୃତ୍ତି ମଧ୍ୟରେ କିଛି ବିସ୍ମୟକର ଘଟଣାକ୍ରମ ଉଲ୍ଲେଖ ଓ ଆଲୋଚନାର ଅପେକ୍ଷା ରଖୁଛି। ଅନାସ୍ଥା ପ୍ରସ୍ତାବ ପୂର୍ବଦିନ ମୋଦୀ ସରକାରକୁ ସମର୍ଥନ ଘୋଷଣା କରିଥିବା ଏନ୍ଡିଏର ବିଦ୍ରୋହୀ ସହଯୋଗୀ ଶିବସେନା ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇ ଭୋଟ ଦାନରୁ ବିରତ ରହିଥିଲା। ଦିନକ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିରୁ ଓହରିଯିବା ପର୍ଯ୍ୟବେକ୍ଷକଙ୍କୁ ଯେତିକି ବିସ୍ମିତ କରିଛି, ତା’ଠାରୁ ଅଧିକ ବିସ୍ମିତ କରିଛି ଦଳର ଲୋକସଭାରେ ଶିବସେନା ସଂସଦୀୟ ଦଳର ମୁଖ୍ୟ ସଚେତକଙ୍କ ବିରୋଧରେ ଦଳୀୟ ନେତୃତ୍ୱର କାର୍ଯ୍ୟାନୁଷ୍ଠାନ। ସରକାର ସପକ୍ଷରେ ଭୋଟ ଦେବା ପାଇଁ ହ୍ଵିପ୍ ଜାରି କରିଥିବାରୁ ମୁଖ୍ୟ ସଚେତକଙ୍କୁ ଏହି ଶାସ୍ତି ମିଳିଛି। ଭୋଟଦାନରୁ ବିରତ ରହିବା ନେଇ ଶିବସେନାର ପଦକ୍ଷେପ ନିଶ୍ଚିତ ଭାବେ ଏନ୍ଡିଏର ଆଭ୍ୟନ୍ତରୀଣ ସମୀକରଣକୁ ଅସ୍ଥିରତା ମଧ୍ୟକୁ ଠେଲିଦେଇଛି। ଶିବସେନା ଏବେ ଟିଡ଼ିପି ରାସ୍ତାରେ ଯିବା ସଂକେତ ଅଧିକ ସ୍ପଷ୍ଟ ହୋଇଛି। ୨୦୧୯ରେ ଶିବସେନା ଏନ୍ଡିଏର ସହଯୋଗୀ ଭାବେ ବିଜେପି ସହ ମେଣ୍ଟରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିବା ସମ୍ଭାବନା କ୍ଷୀଣ ମନେ ହେଉଛି। ଅନାସ୍ଥା ପ୍ରସ୍ତାବ ଅବସରରେ ଦ୍ୱିତୀୟ ବିସ୍ମିତ କଲାଭଳି ଘଟଣାଟି ହେଉଛି, ଆଲୋଚନା ପୂର୍ବରୁ ୧୯ ସାଂସଦ ବିଶିଷ୍ଟ ଓଡ଼ିଶାରେ କ୍ଷମତାସୀନ ଆଞ୍ଚଳିକ ଦଳ ବିଜେଡ଼ିର କକ୍ଷ ତ୍ୟାଗ।
କଂଗ୍ରେସ ଓ ବିଜେପିଠାରୁ ସମ ଦୂରତ୍ୱ ରକ୍ଷା ନୀତିରେ କାଏମ୍ ଥିବା ବିଜେଡି ଅନାସ୍ଥା ପ୍ରସ୍ତାବ ଭୋଟ ବେଳେ ଅନୁପସ୍ଥିତ ରହିବା ନିଶ୍ଚିତ ଥିଲା। ପୂର୍ବଦିନ ମଧ୍ୟ ଦଳ ପକ୍ଷରୁ ଏ ସମ୍ପର୍କରେ ଯଥେଷ୍ଟ ଆଭାସ ମିଳିସାରିଥିଲା। ଅପେକ୍ଷା କରାଯାଉଥିଲା, ଭୋଟରୁ ବିରତ ରହିଲେ ସୁଦ୍ଧା ଆଲୋଚନାରେ ଭାଗ ନେଇ ଓଡ଼ିଶା ପ୍ରତି କେନ୍ଦ୍ରୀୟ ଅବହେଳା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ, ପୋଲାଭରମ୍ ଆଦି ପ୍ରସଙ୍ଗ ଦଳ ଉଠାଇବ। କିନ୍ତୁ କେବଳ ଭୋଟ ନୁହେଁ, ବିଜେଡି ଆଲୋଚନାକୁ ମଧ୍ୟ ବର୍ଜନ କଲା; ଯାହା ନିଶ୍ଚିତ ଭାବେ ଏକ ପ୍ରହେଳିକା। କକ୍ଷ ତ୍ୟାଗ ପୂର୍ବରୁ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଅତି ସ୍ପଷ୍ଟ ଓ ଦୃଢ଼ ଶବ୍ଦରେ ଓଡ଼ିଶା ପ୍ରତି ଗତ ଚଉଦ ବର୍ଷ ଧରି ଉଭୟ ୟୁପିଏ ଏବଂ ଏନ୍ଡିଏ ସରକାର ଦ୍ୱାରା କ୍ରମାଗତ ଅବହେଳାର ପ୍ରତିବାଦ କରିବା ବୁଝାପଡୁଛି। କିନ୍ତୁ ଅଧିକ ସ୍ପଷ୍ଟ ଓ ଶାଣିତ ଭାବେ ପ୍ରତିବାଦ ଉପସ୍ଥାପନ ଲାଗି ଦେଶର ଶାସନ ବ୍ୟବସ୍ଥାର ସର୍ବୋଚ୍ଚ ମଞ୍ଚ ସଂସଦରେ ମିଳିଥିବା ଏ ବିରଳ ସୁଯୋଗକୁ ଏମିତି ବାଏଁ ବାଏଁ ହାତଛଡ଼ା କରିବା ବୁଝି ହେଉନାହିଁ। ଓଡ଼ିଶାବାସୀ ବିଜେଡିଠାରୁ ଏହାର ଉତ୍ତର ନିଶ୍ଚୟ ଅପେକ୍ଷା କରିବେ।
ଶେଷରେ, ଅନାସ୍ଥା ଭୋଟ ଫଳାଫଳ ନେଇ କୌଣସି ଉତ୍କଣ୍ଠା ନଥିଲେ ସୁଦ୍ଧା ମତଦାନ ପରେ ପ୍ରସ୍ତାବ ସପକ୍ଷରେ ଏବଂ ବିପକ୍ଷରେ ଭୋଟର ଯେଉଁ ସଂଖ୍ୟା ମିଳିଛି, ତାହା ନିଶ୍ଚୟ ଉଲ୍ଲେଖର ଅପେକ୍ଷା ରଖୁଛି। ଆକଳନ କରାଯାଇଥିଲା, ଅନାସ୍ଥା ପ୍ରସ୍ତାବ ବିପକ୍ଷରେ ସରକାରଙ୍କୁ ସମର୍ଥନ କରି ବର୍ତ୍ତମାନ ୫୩୫ ସଦସ୍ୟ ଥିବା ଲୋକସଭାରେ ୩୧୪ରୁ ୩୧୫ ସାଂସଦ ଭୋଟ ଦେବେ। ଭୋଟରେ ଭାଗ ନେଇଥିବା ସାଂସଦଙ୍କ ସଂଖ୍ୟା ୪୫୧କୁ ଖସିବା ଏବଂ ସହଯୋଗୀ ଶିବ ସେନା ଭୋଟ ଦାନରୁ ବିରତ ରହିବା ସତ୍ତ୍ୱେ ସରକାରଙ୍କ ସପକ୍ଷରେ ୩୨୫ ଭୋଟ ପଡ଼ିଛି। ଏହାର ଅର୍ଥ ବିଜେପିକୁ ଆକଳନଠାରୁ ଅଧିକ ସମର୍ଥନ ମିଳିଛି। ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱରେ ଏକାଠି ହେଉଥିବା ଅଣ-ବିଜେପି ବିରୋଧୀଙ୍କ ସଂଖ୍ୟା ୧୪୦ ଥିବା ବେଳେ ପ୍ରସ୍ତାବ ସପକ୍ଷରେ ୧୨୬ଟି ଭୋଟ ପଡ଼ିଛି। ଏଥିରୁ ଉଣେଇଶରେ ବିଜେପିର ମୁକାବିଲା ଲାଗି ଦାନା ବାନ୍ଧୁଥିବା ମେଣ୍ଟ ତଥାପି ତରଳ ଅବସ୍ଥାରେ ଥିବା ସୂଚନା ମିଳୁଛି। ଅବଶ୍ୟ, ଅନାସ୍ଥା ପ୍ରସ୍ତାବ ଭୋଟରେ ପ୍ରତିଫଳିତ ସମୀକରଣ ଯେ ଉଣେଇଶ ବେଳକୁ ବି ଅପରିବର୍ତ୍ତିତ ରହିବ, ତାହା ନିଶ୍ଚିତ ନୁହେଁ।
ମୋଟାମୋଟି, ଉଣେଇଶ ନିର୍ବାଚନକୁ ଆଉ ଆଠ ମାସ ଥିବା ବେଳେ ଅନାସ୍ଥା ପ୍ରସ୍ତାବକୁ ଯେତେ ଗୁରୁତ୍ୱପୂର୍ଣ୍ଣ ବୋଲି ଚିତ୍ରଣ କରାଯାଉଥିଲା, ବାସ୍ତବରେ ତାହା ନିଷ୍ଫଳ ଭାବେ ପରିଗଣିତ ନ ହେଲେ ସୁଦ୍ଧା ସେମିତି ଏକ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କସରତ ଭାବେ ପ୍ରମାଣିତ ହୋଇ ପାରିନାହିଁ।