ଭଗବାନଙ୍କୁ ସର୍ବବିଦ୍ୟମାନ, ସର୍ବଶକ୍ତିମାନ ଓ ସର୍ବଜ୍ଞ ରୂପେ ଆମେ ବିଶ୍ୱାସ କରିଥାଉ। କୌଣସି ମନୁଷ୍ୟ କିମ୍ବା ମନୁଷ୍ୟ ସୃଷ୍ଟ ପଦାର୍ଥ ଠାରେ ଏ ତିନିଗୁଣର ସମାହାର କେବେ ଦେଖାଯାଇ ପାରିବ ନାହିଁ ବୋଲି ଆମେ ଏ ପର୍ଯ୍ୟନ୍ତ ଧରି ନେଇଥିଲୁ। ଏ ଭଳି ଅବିଶ୍ୱାସର ଯୁଗର କିନ୍ତୁ ଏବେ ଅବସାନ ଘଟିଲାଣି ବୋଲି ପୃଥିବୀସାରା ଏକ ଧାରଣା ବର୍ତ୍ତମାନ ବଳବତ୍ତର ହେଲାଣି। ଯେଉଁ ଯୁଗରେ ଏ ତ୍ରିଗୁଣର ଅଧିକାରୀ ହେବାରେ ଈଶ୍ୱରଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନଥିଲେ ତାହା ଥିଲା ଗୁଗ୍ଲ- ପୂର୍ବବର୍ତ୍ତୀ ଯୁଗ। ଗୁଗ୍ଲର ଆବିର୍ଭାବ ପରେ ସେ ଯୁଗର ଅବସାନ ଘଟିଛି, କାରଣ ଗୁଗ୍ଲ ହେଉଛି ଭଗବାନ। ଯେ କୌଣସି ସମାଜରେ ଏ ନୂତନ ଈଶ୍ୱରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉ ନଥିବା ଲୋକଟିଏ ଖୋଜି ପାଇବା କଷ୍ଟକର, କାରଣ ପ୍ରତ୍ୟକ୍ଷରେ ହେଉ କିମ୍ବା ପରୋକ୍ଷରେ ହେଉ ଗୁଗ୍ଲ କାହାର ଦୈନନ୍ଦିନ ଜୀବନ ଯାତ୍ରାକୁ ଯେ ସ୍ପର୍ଶ ନକରୁଛି, ତାହା କଳ୍ପନା କରାଯାଇ ନପାରେ।
ତେଣୁ ଗତ ସପ୍ତାହରେ ଇଉରୋପିଆନ କମିସନ ଯେତେବେଳେ ଗୁଗ୍ଲ ଉପରେ ଏକ ବିଶାଳ ୫ ବିଲିଅନ୍ ଡଲାର୍ର ଅର୍ଥଦଣ୍ଡ ବା ଫାଇନ୍ ପକାଇବା ଘୋଷଣା କଲା, ଅନେକଙ୍କୁ ମନେ ହେଲା ସତେ ଯେମିତି କମିସନ୍ ଈଶ୍ୱରଙ୍କ ଉପରେ ଅର୍ଥଦଣ୍ଡ ପକାଇବାକୁ ସାହସ କରିଛି। ନିର୍ଦ୍ଦିଷ୍ଟ ଭାବରେ କହିଲେ ଇଉରୋପିଆନ୍ ୟୁନିଅନ୍ର କମ୍ପିଟିସନ୍ କମିସନର୍ ଶ୍ରୀମତୀ ମାର୍ଗାରେଥ୍ ଭେଷ୍ଟାଜର୍ ହିଁ ଈଶ୍ୱରଙ୍କୁ ଦଣ୍ଡିତ କରିବାକୁ ମଧ୍ୟ ପଛେଇ ନାହାନ୍ତି। ଭେଷ୍ଟାଜର୍ ହେଉଛନ୍ତି ଜଣେ ଏପରି ପ୍ରତିପକ୍ଷ ଯିଏ ଯୁଦ୍ଧ ବନ୍ଦୀ ନେବାରେ ବିଶ୍ୱାସ କରନ୍ତି ନାହିଁ; ପରାଜିତକୁ ଗୁଳି କରି ଶେଷ କରିଦେବା ହିଁ ତାଙ୍କର ନୀତି ରହି ଆସିଛି। ଏଥି ପୂର୍ବରୁ ସେ ପାଣିର ତାତି ପରୀକ୍ଷା କରିବା ଭଳି ଗୁଗ୍ଲ ଉପରେ ବଜାରକୁ ଦଖଲ କରିବା ଉଦ୍ୟମ ଅଭିଯୋଗରେ ୨.୮ ବିଲିଅନ୍ ଡଲାର୍ର ଆଉ ଏକ ଫାଇନ୍ ପକାଇ ସାରିଥିଲେ, ଯାହା ବିରୁଦ୍ଧରେ ଗୁଗ୍ଲ ଅପିଲ୍ କରିଛି।
ଭେଷ୍ଟାଜର୍ଙ୍କର ଗୁଗ୍ଲ ଉପରେ ଏଭଳି ଆକ୍ରମଣ ଏକ ମିଶ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଗୁଗ୍ଲ ବିରୁଦ୍ଧରେ ଅଭିଯୋଗ ଯେ ଗୁଗ୍ଲ ତାହାର ଲୋକପ୍ରିୟ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ (ଓଏସ୍)କୁ ନିଜ ନିଜର ମୋବାଇଲ୍ ଫୋନ୍ରେ ଏକ ମୌଳିକ ଓଏସ୍ ରୂପେ ଅନ୍ତର୍ଭୁକ୍ତ କରିବା ପାଇଁ ଫୋନ୍ ନିର୍ମାତାମାନଙ୍କୁ ବାଧ୍ୟ କରୁଛି, ଯାହା ଫଳରେ ଗୁଗ୍ଲ ସର୍ଚ୍ଚ ଇଞ୍ଜିନ୍କୁ ଉପଭୋକ୍ତାମାନେ ବ୍ୟବହାର କରିବାକୁ ବାଧ୍ୟ ହେବେ। ବଜାରରେ ପ୍ରତିଯୋଗିତା ସପକ୍ଷବାଦୀମାନେ ଗୁଗ୍ଲ ଉପରେ ଏହି ଅର୍ଥଦଣ୍ଡକୁ ସମର୍ଥନ କରୁଥିବା ବେଳେ ଏହାର ବିରୋଧୀମାନେ କହୁଛନ୍ତି ଏହି ପଦକ୍ଷେପ ଇଉରୋପ୍ରେ ନୂତନ ଜ୍ଞାନକୌଶଳ ଭିତ୍ତିକ ଉତ୍ପାଦନ ବା ଇନୋଭେସନ୍କୁ ଆହୁରି ନିରୁତ୍ସାହିତ କରିବ, ଷ୍ଟାର୍ଟ-ଅପ୍ ସଂସ୍କୃତିକୁ ଉଧେଇବାକୁ ଦେବ ନାହିଁ ଏବଂ ଉପଭୋକ୍ତା ମାନଙ୍କର କ୍ଷତି ସାଧନ କରିବ। ସେ ପଟେ ଆମେରିକାର ପ୍ରେସିଡେଣ୍ଟ୍ ଡୋନାଲ୍ଡ ଟ୍ରମ୍ପ୍ ଏହାକୁ ଉଦାହରଣ ରୂପେ ପ୍ରଦର୍ଶିତ କରି ଦାବି କଲେଣି ଯେ ସେ ଇଉରୋପିଆନ୍ ୟୁନିଅନ୍କୁ ଆମେରିକା ସ୍ୱାର୍ଥ-ବିରୋଧୀ ବୋଲି କରିଆସୁଥିବା ଅଭିଯୋଗ ଯେ ସମ୍ପୂର୍ଣ୍ଣ ଯଥାର୍ଥ, ଗୁଗ୍ଲ ଉପରେ ଏପରି ଆକ୍ରମଣ ହେଉଛି ତାହାର ସଦ୍ୟତମ ବଳିଷ୍ଠ ପ୍ରମାଣ। ଟ୍ରମ୍ପ୍ ଟ୍ଵିଟ୍ କରି ଏହା ଘୋଷଣା କରିବା ସହିତ ସାବଧାନବାଣୀ ମଧ୍ୟ ଶୁଣାଇ ଦେଇଛନ୍ତି- ‘‘ଆଉ ବେଶୀ ଦିନ ନୁହେଁ!’’ ତେବେ, ଟ୍ରମ୍ପ୍ ତାଙ୍କର ଅତି-ଆକ୍ରମଣାତ୍ମକ ବାଣିଜ୍ୟ ନୀତି ଯୋଗୁଁ ବେଶୀ ଚିହ୍ନା ପଡୁଥିଲେ ହେଁ ତାଙ୍କ ପୂର୍ବବର୍ତ୍ତୀ ଆମେରିକା ପ୍ରେସିଡେଣ୍ଟ୍, ଉଦାରପନ୍ଥୀ ରୂପେ ପରିଚିତ ବାରାକ୍ ଓବାମାଙ୍କର ଏ ସମ୍ପର୍କିତ ଆଭିମୁଖ୍ୟ ମଧ୍ୟ ଏହି ଭଳି ଥିଲା, ଏ କଥା ଏବେ ସମସ୍ତ ଟ୍ରମ୍ପ୍-ବିରୋଧୀମାନେ ପ୍ରାୟ ଭୁଲି ଯାଇଛନ୍ତି। ଓବାମା ମଧ୍ୟ ‘ଇୟୁ’ର କାର୍ଯ୍ୟକ୍ରମକୁ ନିବୁଜପନ୍ଥୀ ଓ ଆମେରିକା ସ୍ୱାର୍ଥବିରୋଧୀ ରୂପେ ବର୍ଣ୍ଣନା କରିଥିଲେ। ସେ କହୁଥିଲେ ଆମେରିକାର କମ୍ପାନିମାନେ ହିଁ ଇଣ୍ଟରନେଟ୍ର ସୃଷ୍ଟି କରିଛନ୍ତି, ତାହାର ରୂପରେଖରେ ଉନ୍ନତି ଆଣିଛନ୍ତି ଏବଂ ତେଣୁ ଇଉରୋପୀୟ କମ୍ପାନିମାନେ ଆମେରିକୀୟ କମ୍ପାନିମାନଙ୍କ ସହିତ କିପରି ପ୍ରତିଯୋଗିତା କରିପାରିବେ। ସେ କହୁଥିଲେ ଇଣ୍ଟର୍ନେଟ୍ର ମାଲିକ ହେଉଛନ୍ତି ଆମେରିକୀୟମାନେ। କହିବା ବାହୁଲ୍ୟ ଗୁଗ୍ଲ ହେଉଛି ଆମେରିକାର ତଥା ପୃଥିବୀର ଇଣ୍ଟର୍ନେଟ୍ କମ୍ପାନିମାନଙ୍କ ମଧ୍ୟରେ ମଉଡ଼ମଣି (କେବଳ ଚୀନ୍କୁ ଛାଡ଼ିଦେଇ, କିନ୍ତୁ ଚୀନ୍ର ‘ବାଇଡୁ’ ମଧ୍ୟ ଗୁଗ୍ଲକୁ ଅନୁକରଣ କରିଥାଏ)।
ଗୁଗ୍ଲର ସିଇଓ ସୁନ୍ଦର ପିଚାଇ ଇୟୁର ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଆଣ୍ଡ୍ରଏଡ୍ ଉପଭୋକ୍ତାମାନଙ୍କର ପସନ୍ଦର ପରିସୀମାକୁ ସଂକୁଚିତ କରିବା ପରିବର୍ତ୍ତେ ପ୍ରସାରିତ କରିଥାଏ। ଫୋନ୍ ନିର୍ମାତାମାନଙ୍କୁ ଗୁଗ୍ଲ ମାଗଣାରେ ଆଣ୍ଡ୍ରଏଡ୍ ସଫ୍ଟେଓ୍ଵଆର୍ ସ୍ଥାନିତ କରିବା ପାଇଁ ଲାଇସେନ୍ସ ଦେଇଥାଏ। ଆଣ୍ଡ୍ରଏଡ୍ ବର୍ତ୍ତମାନ ସର୍ବାଧିକ ଲୋକପ୍ରିୟ ଅବାଧ-ଉତ୍ସ ଅପରେଟିଂ ସିଷ୍ଟମ୍ରେ ପରିଣତ ହୋଇଛି। ପ୍ରାୟ ୧୩୦୦ ବିଭିନ୍ନ ବ୍ରାଣ୍ଡ୍ର ୨୪,୦୦୦ ଯନ୍ତ୍ରରେ ସ୍ଥାପିତ ହୋଇ ଏହା ଏକ ପ୍ରଶସ୍ତ ପ୍ରତିଯୋଗିତାମୂଳକ ମୋବାଇଲ୍ ପ୍ଲାଟ୍ଫର୍ମ ଉପଲବ୍ଧ କରାଇଥାଏ। ଏହା ସୁଯୋଗକୁ ଦମନ କରିବା ପରିବର୍ତ୍ତେ ନୂତନ ସୁଯୋଗମାନ ସୃଷ୍ଟି କରିଥାଏ। ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ଗୁଗ୍ଲର ପ୍ଲେ ଷ୍ଟୋର୍ରେ ଥିବା ଏକ ନିୟୁତରୁ ଅଧିକ ଆପ୍ସରୁ ନିଜ ପସନ୍ଦ ଅନୁସାରେ ବାଛି ନେବାର ସୁଯୋଗ ପାଆନ୍ତି। ମୋଟ ଉପରେ ଗୁଗ୍ଲ ଅନୁସରଣ କରୁଥିବା ବ୍ୟବସାୟ ମଡେଲ୍ ଅନୁସାରେ ଫୋନ୍ ନିର୍ମାତାମାନେ ଏକ ମାଗଣା ଓଏସ୍ ପାଆନ୍ତି, ଉପଭୋକ୍ତାମାନେ ଶସ୍ତାରେ ଫୋନ୍ ପାଆନ୍ତି ଓ ମାଗଣାରେ ଆପ୍ସ ପାଆନ୍ତି ଏବଂ ଗୁଗ୍ଲ ଯାହା ପାଏ ତାହା ହେଲା ବିଜ୍ଞାପନ ଆୟ।
ଗୁଗ୍ଲ ମତରେ ଏହି ମଡେଲ୍ ପ୍ରତିଯୋଗିତାକୁ ବ୍ୟାହତ କରିବା ପରିବର୍ତ୍ତେ ଉତ୍ସାହିତ କରିଥାଏ। ଏହା ନୂଆ ନୂଆ ଆପ୍ ପ୍ରସ୍ତୁତକର୍ତ୍ତାମାନଙ୍କ ପାଇଁ ଯେଉଁଭଳି ସହାୟକ ହୋଇଥାଏ, ଉପଭୋକ୍ତାମାନଙ୍କ ପାଇଁ ସେଇଭଳି ଉପଯୋଗୀ ହୋଇଥାଏ। ଏଥିରେ ସନ୍ଦେହ ନାହିଁ ଯେ ଏକ ମୁକ୍ତ ବଜାର ଅର୍ଥନୀତିରେ ଉପଭୋକ୍ତା ପ୍ରାୟ ସମ୍ପୂର୍ଣ୍ଣ ସ୍ୱାଧୀନତା ଉପଭୋଗ କରିଥାଏ। ଗୁଗ୍ଲର କାର୍ଯ୍ୟ ଏହି ଦୃଷ୍ଟିରୁ ଉପଭୋକ୍ତାମାନଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହୋଇଛି। କିନ୍ତୁ ଗୁଗ୍ଲର ପ୍ରବେଶ ଯୋଗୁଁ ତାର ପ୍ରତିଷ୍ଠିତ ପ୍ରତିଯୋଗୀମାନଙ୍କର ସ୍ଥିତି ବିପନ୍ନ ହୋଇଛି। ଇୟୁର କାର୍ଯ୍ୟାନୁଷ୍ଠାନ ସ୍ପଷ୍ଟ ରୂପେ ଏହି ପ୍ରତିଯୋଗୀମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଇୟୁ ଭୁଲିଯିବା ଉଚିତ ନୁହେଁ, ତାର କାର୍ଯ୍ୟାନୁଷ୍ଠାନ ଉପଭୋକ୍ତାମାନଙ୍କର କ୍ଷତି ସାଧନ କରିବ। କୁହାଯାଇଥାଏ ବଜାରରେ ଉପଭୋକ୍ତା ହିଁ ହେଉଛି ରାଜା। ଈଶ୍ୱରଙ୍କ ଉପରେ ଦଣ୍ଡ ତେଣୁ ରାଜଦ୍ରୋହ ଭଳି।