ବିଗତ ଅଠର ବର୍ଷରେ ରାଜ୍ୟରେ ପାଖାପାଖି ୩୨୦ଟି ସେତୁ ନିର୍ମିତ ହୋଇଛି। ମୁଖ୍ୟତଃ ଉନ୍ନତ ଯୋଗାଯୋଗ, ସାମାଜିକ- ଅର୍ଥନୈତିକ ପ୍ରଗତିର ଧାରାକୁ ତ୍ୱରାନ୍ଵିତ କରିବା ଲକ୍ଷ୍ୟରେ ପ୍ରତ୍ୟେକଟି ସେତୁ ଗୋଟିଏ ଗୋଟିଏ ବଳିଷ୍ଠ ପଦକ୍ଷେପ। କିନ୍ତୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦକ୍ଷିଣତମ ସୀମାନ୍ତବର୍ତ୍ତୀ ଜିଲ୍ଲା ମାଲକାନଗିରିରେ ଲୋକାର୍ପିତ ଗୁରୁପ୍ରିୟା ସେତୁ କେବଳ ଯୋଗାଯୋଗ କିମ୍ବା ସାମାଜିକ- ଅର୍ଥନୈତିକ ପ୍ରଗତି ପାଇଁ ଗୋଟିଏ ସେତୁ ମାତ୍ର ନୁହେଁ। ଓଡ଼ିଶାର ଭୌଗୋଳିକ ଅଖଣ୍ଡତା, ଓଡ଼ିଆଙ୍କ ମଧ୍ୟରେ ଭାବଗତ ସଂହତି ଓ ଏକତାକୁ ସୁଦୃଢ କରିବା ଦିଗରେ ଏହା ଏକ ଉଜ୍ଜ୍ୱଳ ମାଇଲଖୁଣ୍ଟ। ଜାନ୍ବାଇଠାରେ ଗୁରୁପ୍ରିୟା ନଦୀ ଉପରେ ନିର୍ମିତ ୯୧୦ ମିଟରର ସେତୁ ଏବଂ ୧,୨୦୦ ମିଟର ଦୀର୍ଘ ସଂଯୋଗକାରୀ ରାସ୍ତା କାଳିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପ ଯୋଗୁ ବିଚ୍ଛିନ୍ନ ୧୫୧ଟି ଗ୍ରାମ ପାଇଁ କେବଳ ଏକ ଯୋଗାଯୋଗର ସାଧନ ନୁହେଁ, ଏହା ଅପ୍ରାକୃତିକ କାରଣରୁ ବିଚ୍ଛିନ୍ନାଞ୍ଚଳର ଅଭିଶପ୍ତ ଆଖ୍ୟା ପାଇଥିବା ଗୋଟିଏ ଅଞ୍ଚଳକୁ ପୁଣି ମୁଖ୍ୟ ଭୂଖଣ୍ଡ ସହ ଯୋଡ଼ିଛି। ସଂହତିର ଏ ସେତୁ ବିଗତ ଛଅ ଦଶକ ହେଲା ଆଢୁଆଳରେ ରହି ଯାଇଥିବା ତିରିଶ ହଜାର ଓଡ଼ିଆଙ୍କୁ ଓଡ଼ିଶା ଓ ଓଡ଼ିଆ ଜନଜୀବନର ମୁଖ୍ୟସ୍ରୋତରେ ସାମିଲ କରିଛି। ସେତୁ ଯୋଗୁ ବିକାଶ ଦୃଷ୍ଟିରୁ ଛେଉଣ୍ଡ ବିଚ୍ଛିନ୍ନାଞ୍ଚଳରେ ବିକାଶର ନୂଆ ସୂର୍ଯ୍ୟୋଦୟର ଆଶା ସୃଷ୍ଟି ହେବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଏ ଅଞ୍ଚଳ ମଥାରେ ଲାଗିଥିବା ବିଚ୍ଛିନ୍ନାଞ୍ଚଳର କାଳିମା ପୋଛି ଅଭାଗା ଅଞ୍ଚଳବାସୀଙ୍କ ମନରେ ଭାଗ୍ୟ ପରିବର୍ତ୍ତନ ନେଇ ଆତ୍ମବିଶ୍ୱାସ ଓ ସ୍ୱାଭିମାନର ଭାବନା ଜାଗ୍ରତ ହେବା ତା’ଠାରୁ ସହସ୍ରଗୁଣ ଅଧିକ ଗୁରୁତ୍ୱପୂର୍ଣ୍ଣ। ଗୁରୁପ୍ରିୟା ସେତୁ ନିର୍ମାଣରେ ବ୍ୟୟ ହୋଇଛି ୧୮୭.୨୫ କୋଟି ଟଙ୍କା। କିନ୍ତୁ ଓଡ଼ିଶା ପାଇଁ ଏହାର ମୂଲ୍ୟ ପରାର୍ଧ ଗୁଣ ଅଧିକ। କୁହାଯାଇପାରେ ଓଡ଼ିଶା ପାଇଁ ଏହା ‘ଅମୂଲ ମୂଲ’। ଏହି ସେତୁ ଖାଲି ମାଲ୍କାନଗିରିର ତିରିଶ ହଜାର ବିଚ୍ଛିନ୍ନାଞ୍ଚଳ ବାସୀଙ୍କ ନୁହେଁ, ସାଢ଼େ ଚାରିକୋଟି ଓଡ଼ିଆଙ୍କ ପାଇଁ ଥିଲା ଅର୍ଦ୍ଧ ଶତାବ୍ଦୀର ସ୍ୱପ୍ନ ପ୍ରକଳ୍ପ, ଯାହା ଆଜି ସାକାର ହୋଇଛି ବୋଲି କହିଲେ ଅତିରଞ୍ଜନ ହେବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁପ୍ରିୟା ସେତୁର ପରିକଳ୍ପନା ଓ ଏହାର କାର୍ଯ୍ୟକାରିତା ନେଇ ଦୀର୍ଘ ସମସ୍ୟାବହୁଳ ଘାତ-ପ୍ରତିଘାତପୂର୍ଣ୍ଣ ଇତିହାସକୁ ଯଦି ଦେଖାଯାଏ, ତେବେ ଗୁରୁବାର ଏହାର ଲୋକାର୍ପଣ, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି, କେନ୍ଦ୍ର-ରାଜ୍ୟ ସହଯୋଗ ଓ ସମନ୍ଵୟର ଏକ ଉଜ୍ଜ୍ୱଳ ଫଳଶ୍ରୁତି। ଇଞ୍ଜିନିୟରିଂ ଓ ବୈଷୟିକ ଜ୍ଞାନ କୌଶଳ ଦୃଷ୍ଟିରୁ ସେତୁ ନିର୍ମାଣ ଯେତିକି ଏକ ବଡ଼ ଆହ୍ଵାନ ଥିଲା, ବାମପନ୍ଥୀ ଉଗ୍ରବାଦ ଉପଦ୍ରୁତ ଅଞ୍ଚଳରେ ନକ୍ସଲ ଆକ୍ରମଣର ବିପଦରୁ ନିର୍ମାଣ କାର୍ଯ୍ୟକୁ ସୁରକ୍ଷା ଦେବା ତା’ଠାରୁ ବଡ଼ ଏକ ଆହ୍ଵାନ ଥିଲା। ନକ୍ସଲ ଆନ୍ଦୋଳନ ଆରମ୍ଭ ଦିନଠାରୁ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ବିଚ୍ଛିନ୍ନାଞ୍ଚଳ ଲାଲବାହିନୀର ଏକ ଅଭେଦ୍ୟ ଦୁର୍ଗ ରହି ଆସିଛି। ନକ୍ସଲ ହିଂସାରେ ଅନେକ ଥର ବିଚ୍ଛିନ୍ନାଞ୍ଚଳ ମାଟି ରକ୍ତରଞ୍ଜିତ ହୋଇଛି। ଅନେକ ନିରୀହଙ୍କ ପ୍ରାଣ ଯାଇଛି, ଅନେକ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି। ଅଶୀ ଦଶକରେ ପ୍ରଥମେ ପରିକଳ୍ପନା କରାଯାଇଥିବା ଏହି ସେତୁ ନିର୍ମାଣ ହେବାକୁ ଯଦି ଚାଳିଶ ବର୍ଷ ସମୟ ଲାଗିଗଲା, ତେବେ ରକ୍ତମୁଖା ନକ୍ସଲଙ୍କ ଉପଦ୍ରବ ତା’ର ମୁଖ୍ୟ କାରଣ। କେନ୍ଦ୍ରୀୟ ସୁରକ୍ଷା ବାହିନୀ ବିଏସ୍ଏଫ୍ ଜବାନଙ୍କ ଅହୋରାତ୍ର ନିରାପତ୍ତା ବଳୟ ମଧ୍ୟରେ ନିର୍ମାଣ ଫଳରେ ଶେଷରେ ତିନିବର୍ଷ ତିନିମାସରେ ସେତୁ ସମ୍ପୂର୍ଣ୍ଣ ହେବା ସମ୍ଭବ ହୋଇପାରିଛି। ସେହି ସହିଦ ଜବାନମାନଙ୍କୁ ଆଜି ମନେ ପକାଇବା କଥା, ଯେଉଁମାନେ ପ୍ରାଣବଳି ଦେଇ ନକ୍ସଲ ଆକ୍ରମଣର ବିପଦରୁ ନିର୍ମାଣାଧୀନ ସେତୁକୁ ସୁରକ୍ଷା ପ୍ରଦାନ କରିଥିଲେ। ତେଣୁ ଗୁରୁପ୍ରିୟା ସେତୁ ମାଧ୍ୟମରେ ବିଚ୍ଛିନ୍ନାଞ୍ଚଳକୁ ମୁଖ୍ୟ ଭୂଖଣ୍ଡ ସହ ଯୋଡ଼ି ଓଡ଼ିଶାର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ଯେମିତି ଗୋଟିଏ ବିରାଟ ଉପଲବ୍ଧି, ସେମିତି ବିଚ୍ଛିନ୍ନାଞ୍ଚଳକୁ ସଶସ୍ତ୍ର ନକ୍ସଲ କବଳିତ ତଥାକଥିତ ‘ଲାଲ୍ ମୁକ୍ତାଞ୍ଚଳ’ (ଲିବରେଟେଡ୍ ଜୋନ୍)କୁ ମୁକୁଳାଇବା ମଧ୍ୟ ଏକ ବିରାଟ ସଫଳତା। ନକ୍ସଲ ମୁକାବିଲାରେ ରାଷ୍ଟ୍ର ଶକ୍ତିର ସଫଳତାର ଏକ ବଳିଷ୍ଠ ପ୍ରମାଣ ଗୁରୁପ୍ରିୟା ସେତୁ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସେତୁ କାର୍ଯ୍ୟକ୍ଷମ ହେବା ପରେ ମାଲକାନଗିରି ଜିଲ୍ଲାରେ କମି ଆସୁଥିବା ଲାଲ ବାହିନୀର ପ୍ରକୋପ ଆହୁରି କମିବ।
ଗୁରୁପ୍ରିୟା ସେତୁ ନିର୍ମାଣ ଲାଗି ଚାଳିଶ ବର୍ଷ ସମୟ ଲାଗିଥିଲା, କିନ୍ତୁ ବିଚ୍ଛିନ୍ନାଞ୍ଚଳର ବିକାଶ ଓ ପ୍ରଗତି ପାଇଁ ନୂଆ ସେତୁ ଯେଉଁ ନୂଆ ଆଶା ସୃଷ୍ଟି କରିଛି, ତାହା ବାସ୍ତବତାରେ ରୂପାୟିତ ହେବା ଲାଗି ବେଶି ସମୟ ଲାଗିବ ନାହିଁ। ଏହାର ସଂକେତ ମିଳିଯାଇଛି। ସେତୁ ଲୋକାର୍ପଣ ଅବସରରେ ବିଚ୍ଛିନ୍ନାଞ୍ଚଳର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ମହୋଦୟ ୧୦୦ କୋଟି ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିଛନ୍ତି। ବିଚ୍ଛିନ୍ନାଞ୍ଚଳ ଭିତରେ ଆନ୍ତ- ପଞ୍ଚାୟତ ଗମନାଗମନ ବ୍ୟବସ୍ଥାର ଉନ୍ନତି ପାଇଁ ଆହୁରି କେତେକ ଛୋଟ ସେତୁ ଏବଂ ରାସ୍ତା ନିର୍ମାଣ ହାତକୁ ନିଆଯାଉଛି। ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସାତଟି ପଞ୍ଚାୟତ ପାଇଁ ୧୦୦ କୋଟି ଟଙ୍କା। ପ୍ରତିଟି ପଞ୍ଚାୟତ ପାଇଁ ପ୍ରାୟ ୧୪ କୋଟି ଟଙ୍କା, ଗାଁ ପିଛା ୬୬ ଲକ୍ଷ ଟଙ୍କା। କିନ୍ତୁ ବିଗତ ଷାଠିଏ ବର୍ଷରେ ଉପେକ୍ଷା ଓ ଅବହେଳା ପରିପ୍ରେକ୍ଷୀରେ ବିଚ୍ଛିନ୍ନାଞ୍ଚଳ ଗାଁ ଗୁଡ଼ିକର ବିକାଶ କ୍ଷେତ୍ରରେ ଯେଉଁ ନିଅଣ୍ଟିଆ ରହିଛି, ତା’ର ଭରଣା ଲାଗି ଏତିକି ଯଥେଷ୍ଟ ନୁହେଁ। ଲମ୍ବା ଅବହେଳା ଓ ଉପେକ୍ଷାର ପ୍ରାୟଶ୍ଚିତ ପାଇଁ ଉଦାର ଭାବେ ବିଚ୍ଛିନ୍ନାଞ୍ଚଳର ବିକାଶ ପାଇଁ ସରକାର ଆହୁରି ଅର୍ଥ ବରାଦ କରିବା ଆବଶ୍ୟକ। କେବଳ ଅର୍ଥ ବରାଦରେ ସରକାରଙ୍କ ଦାୟିତ୍ୱ ସରୁନାହିଁ, ପ୍ରତିଟି ଟଙ୍କାର ଯେମିତି ସୁବିନିଯୋଗ ହୁଏ ଓ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ହାତକୁ ନିଆଯାଉଥିବା ଉନ୍ନୟନମୂଳକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିବ। ସେତୁ ସଞ୍ଚାର କରିଥିବା ଆଶା ପରିପ୍ରେକ୍ଷୀରେ ସରକାର ଓ ପ୍ରଶାସନର ଦାୟିତ୍ୱ ବଢ଼ିଯାଇଛି। ଏଥିପାଇଁ ଆବଶ୍ୟକ ପଡ଼ିଲେ, ବିଚ୍ଛିନ୍ନାଞ୍ଚଳ ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ରାଧିକରଣ ଗଠନ କରିବା ବିଷୟ ଚିନ୍ତା କରାଯାଇପାରେ। ଲୋକାର୍ପଣ ପରେ ଆଦିବାସୀ ଅଧ୍ୟୁଷିତ ବିଚ୍ଛିନ୍ନାଞ୍ଚଳ ଲୋକେ ପ୍ରଥମ ଥର ପାଇଁ ରାଜ୍ୟର ଶାସନ ମୁଖ୍ୟଙ୍କ ଆଗରେ ସେମାନଙ୍କ ଅଭାବ ଅସୁବିଧା ନେଇ ଗୁହାରି ଜଣାଇଥିଲେ। ସେତେବେଳେ ପ୍ରଥମ ଥର ପାଇଁ ଶାସନର ଅସ୍ତିତ୍ୱକୁ ଅନୁଭବ କରୁଥିବା ନିରୀହ ବିଚ୍ଛିନ୍ନାଞ୍ଚଳ ବାସୀଙ୍କ ଆଖିରେ ମୁଖ୍ୟମନ୍ତ୍ରୀ ମହୋଦୟ ନିଶ୍ଚୟ ଦେଖି ପାରିଥିବେ ସେମାନଙ୍କ ଆଶା ଓ ଆକାଂକ୍ଷା। ଏହି ଆଶା ଓ ଆକାଂକ୍ଷାର ପୂରଣ ପାଇଁ ଅନ୍ତତଃ ଆଗାମୀ ବର୍ଷକ ପାଇଁ ଆପତ୍ତି ଅଭିଯୋଗ ଶୁଣାଣି କରି ତା’ର ଆଶୁ ପ୍ରତିକାର ଲାଗି ପ୍ରସ୍ତାବିତ ପ୍ରାଧିକରଣକୁ ବିଶେଷ ଦାୟିତ୍ୱ ଦିଆଯାଉ। ଏହାଦ୍ୱାରା ବିଗତ ଛଅ ଦଶକ ଧରି ନକ୍ସଲଙ୍କ ପ୍ରଭାବ ଆଗରେ ବିଚ୍ଛିନ୍ନାଞ୍ଚଳର ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇ ଯାଇଥିବା ଶାସନର ଉପସ୍ଥିତିକୁ ଅଞ୍ଚଳବାସୀ ଅନୁଭବ କରି ପାରିବେ। ଫଳରେ ସରକାରଙ୍କ ଉପରେ ସେମାନଙ୍କ ପତଳା ପଡ଼ିଯାଇଥିବା ଆସ୍ଥା ଓ ବିଶ୍ୱାସ ଦୃଢ଼ୀଭୂତ ହେବ। ଭବିଷ୍ୟତରେ ନକ୍ସଲ ପୁଣି ଯେମିତି ଏଠାରେ ପ୍ରଭାବ ବିସ୍ତାର କରି ନ ପାରନ୍ତି, ସେଥିପାଇଁ ଏହା ଅତ୍ୟନ୍ତ ଜରୁରୀ। ଦୀର୍ଘ ଅବହେଳା ଓ ଉପେକ୍ଷାର ଶିକାର ବିଚ୍ଛିନ୍ନାଞ୍ଚଳର ବିକାଶ ଦୃଷ୍ଟିରୁ ଏହା ଏକ ଯୁଦ୍ଧକାଳୀନ ପରିସ୍ଥିତି ବୋଲି ପ୍ରଶାସନ ବିଚାର କରିବା ଉଚିତ।
କୌଣସି ବିକାଶ ମୂଳକ ପ୍ରକଳ୍ପକୁ ନେଇ ଶ୍ରେୟ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଦଳଙ୍କ ମଧ୍ୟରେ ‘ବିରାଡିଙ୍କ ପିଠା କଳି’ ଭଳି ଟଣାଓଟରା ଏବେ ଓଡ଼ିଶା ରାଜନୀତିରେ ଏକ ଗତାନୁଗତିକତା। ସେହି ଧାରାରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଗୁରୁପ୍ରିୟା ସେତୁ ପାଇଁ ସରକାର ଓ ଶାସକ ଦଳକୁ ପୂରା ଶ୍ରେୟ ଦେବାକୁ ନାରାଜ। ବରଂ ପରୋକ୍ଷରେ ଶ୍ରେୟରେ ଭାଗ ବସାଇବାକୁ ତତ୍ପର। ଏହି ଟଣାଓଟରା ଅନେକ ସମୟରେ ବିକାଶ ପ୍ରତିକୂଳ ଅସ୍ୱସ୍ତିକର ବାତାବରଣ ସୃଷ୍ଟି କରିଥାଏ। କଂଗ୍ରେସର ଦାବି ହେଲା, କଂଗ୍ରେସ ଅମଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜେ.ବି. ପଟ୍ଟନାୟକ ପ୍ରଥମେ ସେତୁର ପରିକଳ୍ପନା କରିଥିଲେ। ‘ଜେବିଙ୍କ ସ୍ୱପ୍ନକୁ ଏବେ ନବୀନ ସାକାର କରିଛନ୍ତି’। ବିଜେପିର ମତ ହେଲା, କେନ୍ଦ୍ରରେ ଦଳର ସରକାର କେନ୍ଦ୍ରୀୟ ଅର୍ଧ ସାମରିକ ବାହିନୀର ସୁରକ୍ଷା ଯୋଗାଇ ଦେବାରୁ ସେତୁ ନିର୍ମାଣ ସମ୍ଭବ ହୋଇପାରିଛି। ତେବେ, ଗୁରୁପ୍ରିୟା ଉପରେ ସେତୁକୁ ‘ଆଶାର ସେତୁ’, ‘ସଂହତିର ସେତୁ’, ‘ସ୍ୱାଭିମାନର ସେତୁ’ ଯାହାବି କୁହାଯାଉ; ଶ୍ରେୟ ପାଇଁ ଏ ବାଦାନୁବାଦ ମଧ୍ୟରେ ମୋଟିଏ ବିଷୟ ନିର୍ବିବାଦୀୟ ଯେ ଚଳିତ ନବୀନ ସରକାରଙ୍କ ଅମଳରେ ଏହା ‘ପ୍ରଗତିର ଏକ ପୋଷ୍ଟର’।