ସୁଖ ସିନ୍ଦୁକର ଚାବି

ପବିତ୍ର ମୋହନ କର

ଗଲା ବୋର୍ଡ ପରୀକ୍ଷାରେ ନବେ ପ୍ରତିଶତ ନମ୍ବର ରଖିଥିବା ପିଲାର ଖୁସି ଅଶୀ ପ୍ରତିଶତ ନମ୍ବର ରଖିଥିବା ପିଲା ତୁଳନାରେ ଢେର ବେଶି ଥିଲା, ଅଥଚ ତା ସାମନାରେ ପଞ୍ଚାନବେ ପ୍ରତିଶତ ନମ୍ବର ରଖିଥିବା ପିଲାଟିଏ ଉଭା ହେବାରୁ ସେଇ ଖୁସି ମିଳେଇ ଗଲା। ନିଜ ଫଳାଫଳ ଅପେକ୍ଷା ଅନ୍ୟର ଫଳାଫଳ ଜଣକର ଉଲ୍ଲାସ ବା ବିଷାଦର କାରଣ। ନିଜର ପୁରୁଣା ଗାଡ଼ି ବିକି ନୂଆ ଖ‌େଣ୍ଡ କିଣିଲେ ଜଣେ ଯେତିକି ଖୁସି ହୁଏ, ଆଉ ଜଣେ ସେଇ ପୁରୁଣା ଗାଡ଼ିଟି କିଣି ସେତିକି ଖୁସି ହୁଏ। ତେବେ ଖୁସି କେଉଁଠି ଥାଏ? ଗାଡ଼ିରେ, ନା ଆଉ କେଉଁଠି? ବିଖ୍ୟାତ ଲେଖକ ରସ୍କିନ ବଣ୍ଡଙ୍କ ଭାଷାରେ ‘ଖୁସି ଖୋଜିଲେ ମିଳେନା, ବରଂ ନ ଖୋଜିଲେ ମିଳେ।’ ଦ୍ରବ୍ୟ ସମ୍ଭୂତ ଖୁସି ମରୀଚିକା ପରି ଭ୍ରମାତ୍ମକ ଓ କ୍ଷଣସ୍ଥାୟୀ। ଯୌଥ ପରିବାର ଗୁଡ଼ିକରେ ଅଭାବ ଓ ଜଂଜାଳ ସତ୍ତ୍ବେ ଖୁସି ଲହଡ଼ି ଭାଙ୍ଗୁଥିଲା। ସହରୀ ସଭ୍ୟତାର ପ୍ରଭାବରେ ଅଧିକାଂଶ ଏବେ ଏକକ ପରିବାରରେ ଅଭ୍ୟସ୍ତ। ଭାବ ବିନିମୟ ପାଇଁ ସମୟ ଓ ଆଗ୍ରହ ନାହିଁ। ତୀବ୍ର ପ୍ରତିଯୋଗିତାପୂର୍ଣ୍ଣ ସମାଜରେ ଆମର ଯେତେ ଥିଲେ ବି ମନରୁ ଅଭାବବୋଧ ଯାଉନାହିଁ। ସୀମିତ ସମ୍ବଳରେ ସୁରୁଖୁରୁରେ ଚଳିବା ସମ୍ଭବ ହେଲେ ବି ତାହା ଆମର ମଂଜୁର ନୁହେଁ। ପରିମାଣ ପ୍ରଦର୍ଶନର ମାନସିକତା ଆମ ଅଫୁରନ୍ତ ପ୍ରାଣ ପ୍ରାଚୁର୍ଯ୍ୟକୁ ପଛକୁ ଠେଲିଦେଇଛି। ଅନ୍ୟମାନେ କାଳେ ଆମକୁ ହେୟ ମନେ କରୁଥିବେ, ଏଇ ଭାବନା ଆମ ଅବଚେତନରେ ବସା ବାନ୍ଧି ସାରିଲାଣି। ଖୁସି ଅନୁଭବର ଚାବି ଆମେ ଅନ୍ୟ ହାତରେ ଧରେଇ ଅହେତୁକ ଅସନ୍ତୋଷ ଓ ତଜ୍ଜନିତ ଅଭିଯୋଗ ବାଢ଼ିବାରେ ବ୍ୟସ୍ତ।

ଦକ୍ଷିଣ ଆଫ୍ରିକାରେ ରଙ୍ଗଭେଦର ଶିକାର ଗାନ୍ଧୀଜୀ ନିଜେ ନିଜର ଚୂଳ କାଟୁଥିଲେ ଓ ଲୁଗା ଇସ୍ତ୍ରି କରି ପିନ୍ଧୁଥିଲେ। ଏଥିପାଇଁ ଅନ୍ୟମାନଙ୍କ ଦ୍ବାରା ଉପହସିତ ହେଉଥିଲେ ବି ନିଜକୁ କେବେ ନ୍ୟୂନ ମଣୁନଥିଲେ। ବିଲାତ ଫେରନ୍ତା ବାରିଷ୍ଟର ଓ ଭାରତୀୟ ସ୍ବାଧୀନତା ସଂଗ୍ରାମର ପ୍ରଧାନ ସେନାପତି ହୋଇ ମଧ୍ୟ ସେ ଆଣ୍ଠୁ ଲୁଚୁନଥିବା ହାତବୁଣା ଖଦଡ଼ ପିନ୍ଧୁଥିଲେ। ସେଥପାଇଁ ତାଙ୍କୁ ‘ଅଧା ଲଙ୍ଗଳା ଫକିର’ କହି ପରିହାସ କରାଯାଉଥିଲେ ବି ଗାନ୍ଧୀ କେବେ ଦୁଃଖ କରୁନଥିଲେ। ଖୁସି ହବାର ଚାବି ସିଏ ନିଜ ପାଖରେ ରଖୁଥିଲେ। ତାଙ୍କ ମନରେ କାହା ପ୍ରତି ଘୃଣା, ଈର୍ଷା କିମ୍ବା ବିଦ୍ବେଷ ଭାବ ନଥିଲା। ତେଣୁ ବାହ୍ୟ କାରଣରୁ ଗାନ୍ଧୀଜୀଙ୍କର ଅସୁଖୀ ହେବାର ପ୍ରଶ୍ନ ଉଠୁ ନ ଥିଲା।

ଆମ ଜ୍ଞାତସାରରେ ଏକ କଳ୍ପିତ ଅଭାବବୋଧ ଏବେ ଆମ ଉପରେ ସବାର। ଆମ ଦିନଚର୍ଯ୍ୟା ବଜାର ନିୟନ୍ତ୍ରିତ। ପ୍ରକୃତି, ପରିବେଶ, ପଡ଼ୋଶୀ କିମ୍ବା ପରିବାର ସହ ଆତ୍ମମଗ୍ନ ହେବା ଏବେ ସ୍ବପ୍ନ। ଏହି ବଜାର ନିୟନ୍ତ୍ରିତ ଚଳଣି ଓ କାଳ୍ପନିକ ଅଭାବବୋଧ ଜୀବନର ମହାର୍ଘତା ଓ ଅସାରତା ଉପଲବ୍‌ଧି କରିବାରେ ବଡ଼ ପ୍ରତିବନ୍ଧ। ମନବୋଧ ଚଉତିଶାର ଧାଡ଼ି ‘‘ଛ’ଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ା’’ କିମ୍ବା ଟଲଷ୍ଟୟଙ୍କ ପ୍ରସିଦ୍ଧ ଗପ “କେତେ ଜମି ଲୋଡ଼ା’’, ସବୁଠି ଜୀବନର ଅସାରତା ଓ ମହାର୍ଘତା ପ୍ରତି ଇଙ୍ଗିତ କରିଥାଏ। ବିଶ୍ବବିଜୟୀ ଆଲେକଜାଣ୍ଡର ହୁଅନ୍ତୁ ଅବା ସମ୍ରାଟ ଅଶୋକ; ଆହୁରି ଅକ୍ତିଆର କରିବାର ମାନସିକତା ଯେ ସୁଖାନୁଭବରେ ଅନ୍ତରାୟ ଶେଷରେ ବୁଝିପାରିଥିଲେ।

ହେଲେନ କେଲର ଓ ରବୀନ୍ଦ୍ର ଜୈନ ଦୃଷ୍ଟିହୀନ ଥିଲେ। ଷ୍ଟିଫେନ ହକିଙ୍ଗ ଅଚଳ ଥିଲେ। ଚିତ୍ରକର ସତୀଶ ଗୁଜରାଲ ମୂକ ଓ ବଧିର ଥିଲେ। କୃତ୍ରିମ ଗୋଡ଼ରେ ସୁଧା ଚନ୍ଦ୍ରନ ନୃତ୍ୟରେ ଓ ଅରୁଣିମା ସିହ୍ନା ଏଭରେଷ୍ଟ ଆରୋହଣରେ ସଫଳ। ଶାରୀରିକ ଅପୂର୍ଣ୍ଣତା କିମ୍ବା ଦୈବୀ ଦୁର୍ଘଟଣାରେ ହତୋତ୍ସାହିତ ନହୋଇ ସେମାନେ ଇତିହାସ ସୃଷ୍ଟି କରିଛନ୍ତି। ନୈତିକତା, ବିବେକ ଓ ପରିଚ୍ଛନ୍ନ ପ୍ରବୃତ୍ତି ମଣିଷକୁ ଶ୍ରେଷ୍ଠ ପ୍ରାଣୀର ମାନ୍ୟତା ଦେଇଛି। ଅନ୍ୟର ଦୁଃଖର କାରଣ ହେବା ମଣିଷକୁ ଶୋଭା ପାଏନା। ଲୋଭ, ଈର୍ଷା ଓ ପ୍ରତିଶୋଧ ପରାୟଣତା ଭଳି ଅବିଗୁଣ ବ୍ୟକ୍ତିର ମାନସିକତା ଓ ସମାଜର ସନ୍ତୁଳନ ବିଗାଡ଼େ। ପରାଜୟ ଜନିତ ଗ୍ଳାନିକୁ ଅତିକ୍ରମ କରି ଆଗକୁ ବଢ଼ିବା ଏକ ମହତ୍ତର ମାନବୀୟ ଗୁଣ। କ୍ରୀଡ଼ା, ଅଭିନୟ, ସଂଗୀତ, ଚିତ୍ରକଳା ଓ ଲେଖାଲେଖିରେ ପ୍ରତିଷ୍ଠା ପାଇଥିବା ପ୍ରତିଭାମାନେ ଅନେକ ସଂଘର୍ଷ କରି ଗୋଟେ କାଳଖଣ୍ଡର ପ୍ରତିନିଧି ହୋଇଥାନ୍ତି। ଏଥିପାଇଁ ଅବସାଦ ଓ ହୀନମନ୍ୟତା ଠାରୁ ଦୂରେଇ ରହିବା ଜରୁରୀ। ପରୀକ୍ଷାରେ ବିଫଳ, ପ୍ରେମରେ ଅସଫଳ, ବ୍ୟବସାୟରେ କ୍ଷତିଗ୍ରସ୍ତ ହେଲେ ଜଣେ କାହିଁକି ଆତ୍ମହତ୍ୟା ପାଇଁ ମନ ବଳାଏ? କେବଳ ଅନ୍ୟମାନଙ୍କ ନଜରରେ ପରାଜିତ ଓ ବ୍ୟର୍ଥ ବିବେଚିତ ହେବା ଭୟରେ। ଜାଗତିକ ଅଭାବବୋଧ ପରିବର୍ତ୍ତେ ଗୋଟେ ‘ଦିବ୍ୟ ଅସନ୍ତୋଷ’ କାରଣରୁ ମଦର ଟେରେସା, ଶ୍ରୀ ଅରବିନ୍ଦ, ଗୋପବନ୍ଧୁ, ଅବଦୁଲ କଲାମଙ୍କ ଭଳି ବ୍ୟକ୍ତିମାନେ ଚେତନା ସ୍ତରରେ ଉତ୍ତରଣ ହାସଲ କରିପାରିଥିଲେ। “ବସୁଧୈବ କୁଟୁମ୍ବକମ୍” ଆଦର୍ଶରେ ଦୀକ୍ଷିତ ଥିଲେ।

ବିଶ୍ବର ୧୫୬ ଦେଶର ନାଗରିକମାନଙ୍କ ସୁଖାନୁଭବକୁ ନେଇ ଜାତିସଂଘ ଦ୍ବାରା ପ୍ରସ୍ତୁତ ୨୦୨୦ ମସିହାର ସନ୍ତୋଷ ସୂଚକାଙ୍କ (Happiness Index) ତାଲିକାରେ ଭାରତ ୧୪୪ତମ ସ୍ଥାନରେ ରହିବା ନିଶ୍ଚୟ ନୈରାଶ୍ୟଜନକ। ବେଦର ଉକ୍ତି ‘‘ସଙ୍ଗଚ୍ଛଧ୍ବଂ ସମ୍ବଦଧ୍ବଂ ସଂ ବୋ ମନାଂସି ଜାନତାମ୍’’ ଅନୁସାରେ ସୁଖାନୁଭବ ଏକ ଲକ୍ଷ୍ୟ ନୁହେଁ, ବରଂ ପରିବାର, ସମାଜ ଓ ବିଶ୍ବ ସହ ସନ୍ତୁଳନ ରକ୍ଷା କରି ଜୀବନ ଜିଇବାର ଏକ ପ୍ରକ୍ରିୟା। କୌଣସି ଜାଗତିକ ବସ୍ତୁ ଚିର ସନ୍ତୋଷ ପ୍ରଦାନ କରିପାରେନାହିଁ। ଖୁସି ଏକ ଆପେକ୍ଷିକ ମାନସିକ ଅବସ୍ଥା। ସୁଖ ଏକ ଅନୁଭବର କଥା। ପାଣ୍ଡବମାନେ ଅଜ୍ଞାତବାସରେ ଥାଇ ବି ଅସୁଖୀ ନଥିଲେ। ଦୁ‌େର୍ଯ୍ୟାଧନ ରାଜପୁତ୍ର ହୋଇ ମଧ୍ୟ ସୁଖୀ ନଥିଲେ। ଈର୍ଷା ଓ ଅସହିଷ୍ଣୁତା ବର୍ଜିତ ଅର୍ଥପୂର୍ଣ୍ଣ ଜୀବନଟିଏ ଜିଇବାର ମାନସିକତା ହିଁ ସୁଖ ସିନ୍ଦୁକର ଚାବିକାଠି।
ଫକିରାବାଦ, ଠାକୁର ପାଟଣା, କେନ୍ଦ୍ରାପଡ଼ା
ମୋ- ୯୪୩୭୦୬୬୦୯୯

ସମ୍ବନ୍ଧିତ ଖବର