ଚକଡ଼ା ଓ ମାଟିଆଗୁଣ୍ଡି ପୋକର ସଂକ୍ରମଣରେ ଉଜୁଡ଼ି ଯାଇଥିବା ଫସଲରେ ହତାଶ ଚାଷୀମାନେ ନିଆଁ ଲଗାଇ ପୋଡ଼ି ଦେଉଛନ୍ତି। ବରଗଡ଼ର କଳାପାଣି ଚାଷୀ ବୃନ୍ଦାବନ ସାହୁ ପ୍ରଥମେ ଚକଡ଼ା ଆକ୍ରାନ୍ତ ଧାନକ୍ଷେତରେ ନିଆଁ ଲଗାଇବା ପରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନ୍ୟ ଜିଲ୍ଲାର ଚାଷୀମାନେ ମଧ୍ୟ ଅସନ୍ତୋଷ, ହତାଶା ଓ ଅସହାୟତାର ପରିପ୍ରକାଶ ପାଇଁ ‘ଫସଲ ପୋଡ଼ି’କୁ ମାଧ୍ୟମ କରିଛନ୍ତି। ପୂର୍ବରୁ ମରୁଡ଼ିରେ ଜଳି ଯାଇଥିବା ଚାଷ ଜମିରେ ଚାଷୀ ଗୋରୁ ଛାଡ଼ିବାର ନଜିର ଅଛି। କିନ୍ତୁ ନିଜେ ଉଠାଇଥିବା ଫସଲରେ ଖୋଦ୍‌ ଚାଷୀ ନିଆଁ ଲଗାଇବା ଏହା ପ୍ରଥମ। ସମ୍ଭବତଃ, ପୁଞ୍ଜିଭୂତ ନିରାଶା, ଅସହାୟତା ଓ ଅସନ୍ତୋଷ ଏତେ ଚରମରେ ପହଞ୍ଚିଛି ଯେ, ତାହା ଆଗ୍ନେୟଗିରିରୁ ଉଦ୍‌ଗୀରଣ ଭଳି ସ୍ୱାଭାବିକ ପ୍ରତିକ୍ରିୟା ସ୍ୱରୂପ ଯନ୍ତ୍ରଣାଦାୟକ ‘ଫସଲ ପୋଡ଼ି’ର ରୂପ ନେଇଛି।

Advertisment

ତେବେ ଚକଡ଼ା ଆକ୍ରାନ୍ତ ପଶ୍ଚିମର ବରଗଡ଼ରୁ ଆରମ୍ଭ କରି ମାଟିଆଗୁଣ୍ଡି ଆକ୍ରାନ୍ତ ଦକ୍ଷିଣର ରାୟଗଡ଼ା, ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ ଉଜୁଡ଼ା କ୍ଷେତରେ ଜଳୁଥିବା ନିଆଁ କେବଳ ଚାଷୀ କୁଳର ହତାଶା, ଅସନ୍ତୋଷ, ଅସହାୟତାର କରୁଣ ଚିତ୍ର ପ୍ରଦାନ କରୁନାହିଁ, ସରକାର, ଶାସନ କଳ ଓ ସାମଗ୍ରିକ ଭାବେ ପୂରା ବ୍ୟବସ୍ଥା ପ୍ରତି ଚାଷୀକୁଳର ଅନାସ୍ଥା, ଅବିଶ୍ୱାସର ମଧ୍ୟ କ୍ରୂର ଚିତ୍ର ଉପସ୍ଥାପନ କରୁଛି। ଫସଲପୋଡ଼ି ପରେ କ୍ଷେତରେ ବୁଣି ହୋଇ ପଡ଼ିଥିବା ପାଉଁଶ କେବଳ ଚାଷୀର ପୋଡ଼ି ଯାଇଥିବା ଆଶାର ପ୍ରତୀକ ନୁହେଁ, ବ୍ୟବସ୍ଥା ପ୍ରତି ଚାଷୀଙ୍କ ଦଗ୍‌ଧ ଆସ୍ଥା ଓ ବିଶ୍ୱାସର ମଧ୍ୟ ଦୁଃଖଦ ପ୍ରତୀକ। ଚାଷୀକୁଳର ଭରସା ପାଉ ନାହିଁ ଯେ, ଏ ଦୁର୍ଦିନରେ ସରକାର ସେମାନଙ୍କ ପାଇଁ ସହାୟକ ହେବେ, ବ୍ୟବସ୍ଥା ସେମାନଙ୍କ ପଛରେ ଛିଡ଼ା ହେବ। ପୋକ ଆକ୍ରାନ୍ତ ଫସଲରେ ନିଆଁ ନ ଲଗାଇବା ଲାଗି କୃଷି ବିଭାଗ ସଚିବ ନିବେଦନ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଚନ୍ତି। ଏହି ବିଳମ୍ବିତ ନିବେଦନ ଓ ଆଶ୍ୱାସନା ସତ୍ତ୍ୱେ ଫସଲ ପୋଡ଼ିର କ୍ରମ ଜାରି ରହିଛି। ଚାଷୀଙ୍କ ଭରସା ପାଉନି। ଭରସା ପାଇବ କେମିତି? ରୋଗପୋକରେ ହଜାର ହଜାର ଏକର ଫସଲ ପ୍ରଭାବିତ ବୋଲି ଧାରାବାହିକ ଭାବେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଅଥଚ କୃଷି ବିଭାଗ ବାବୁଭାୟାମାନେ କ୍ଷେତକୁ ଯାଇ ଚାଷୀର ଭଲମନ୍ଦ ପଚାରି ବୁଝିବା ଉଚିତ ମଣିଲେ ନାହିଁ। ତେଣେ ଚାଷୀ ଭାଙ୍ଗି ପଡ଼ି ମୁଣ୍ଡରେ ହାତ ଦେଇ ବସିଛି, ଏଣେ କିନ୍ତୁ ବିଭାଗୀୟ ମନ୍ତ୍ରୀ ‘ନିରୋଙ୍କ ବଂଶୀବାଦନ’ ଭଳି ରାଜନୈତିକ ବୟାନବାଜିରେ ମସଗୁଲ। ଏଥିରେ ଯଦି ସରକାରଙ୍କ ପ୍ରତି ଚାଷୀଙ୍କ ଭରସା ନ ପାଏ, ତେବେ ସେଥିପାଇଁ ସେମାନଙ୍କୁ ଦୋଷ ଦିଆଯାଇ ପାରିବ ନାହିଁ। ବାସ୍ତବରେ କେବଳ ଚାଷୀଙ୍କ ହତାଶା, ଅସନ୍ତୋଷ ଓ ଅସହାୟତାର ନିଆଁରେ କ୍ଷେତରେ ଫସଲ ପୋଡୁନାହିଁ, ସରକାର ଓ ବ୍ୟବସ୍ଥା ପ୍ରତି ରହିଥିବା ଅବିଶ୍ୱାସ ଓ ଅନାସ୍ଥାର ନିଆଁ ମଧ୍ୟ କ୍ଷେତରେ ଜଳୁଛି।

କଳାପାଣି ଚାଷୀ ବୃନ୍ଦାବନଙ୍କ ଦୁର୍ଭାଗ୍ୟଜନକ ଆତ୍ମହତ୍ୟାଠାରୁ ଏହାର ଅଧିକ କରୁଣ ତଥା ଦୁଃଖଦ ଉଦାହରଣ କ’ଣ ହୋଇପାରେ? ବୃନ୍ଦାବନ ପୋକ ଆକ୍ରାନ୍ତ ଫସଲରେ ନିଆଁ ଲଗାଇ ପୋଡ଼ି ଦେଲେ। ଖବର ପାଇ ଜିଲ୍ଲାପାଳ, ବିଧାୟକ ଓ ଅନ୍ୟ ବାବୁଭାୟାମାନେ ଆସିଲେ। ସାନ୍ତ୍ୱନା ଦେଲେ, କ୍ଷତିପୂରଣର ପ୍ରତିଶ୍ରୁତି ମଧ୍ୟ ଦେଲେ। କିନ୍ତୁ ତା’ପରଦିନ ବୃନ୍ଦାବନ କୀଟନାଶକ ପିଇ ଆତ୍ମହତ୍ୟା କଲେ। ଯେଉଁ କୀଟନାଶକ ରୋଗପୋକର ଦାଉରୁ ବୃନ୍ଦାବନଙ୍କ ଫସଲକୁ ବଞ୍ଚାଇ ପାରି ନଥିଲା, ସେହି କୀଟନାଶକ କିନ୍ତୁ ତାଙ୍କ ଜୀବନ ନେବା ପାଇଁ ଯଥେଷ୍ଟ ଥିଲା। ଏଥିରୁ ସଂକେତ ସ୍ପଷ୍ଟ ଯେ, ଜିଲ୍ଲାପାଳ, ବିଧାୟକଙ୍କ ପ୍ରତିଶ୍ରୁତି ଉପରେ ଭରସା ନ ପାଇବାରୁ ବୃନ୍ଦାବନ ଚରମ ପଦକ୍ଷେପ ନେଲେ। ପ୍ରତିଶ୍ରୁତି ଉପରେ ଭରସା ନ ଆସିବା ଆଦୌ ଅସ୍ୱାଭାବିକ ନୁହେଁ। ବୃନ୍ଦାବନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠିଥିବ, ୨୦୦୫ରୁ ୨୦୧୪ ମଧ୍ୟରେ ରାଜ୍ୟରେ ଆତ୍ମହତ୍ୟା କରିଥିବା ୧୮୯୫ ଜଣ ଚାଷୀ ଓ ତା’ପରେ ଆଜିପର୍ଯ୍ୟନ୍ତ ପ୍ରତିବର୍ଷ ନିଜର ଜୀବନ ହାରିଥିବା ହାରାହାରି ଦୁଇଶହ ଦୁର୍ଦଶାଗ୍ରସ୍ତ ଚାଷୀଙ୍କ ମୃତ୍ୟୁକୁ ଯଦି ଚାଷବାସରେ କ୍ଷତିଜନିକ ବିଚାର କରାଯାଇନାହିଁ, ତେବେ ତାଙ୍କୁ ବା କେମିତି ରୋଗପୋକ ଜନିତ ଫସଲ ହାନି ପାଇଁ କ୍ଷତିପୂରଣ ମିଳିବ? ବୃନ୍ଦାବନଙ୍କ ଫସଲ ପୋଡ଼ି ଓ ଆତ୍ମହତ୍ୟା ପରିବର୍ତ୍ତୀ ସରକାରୀ ପଦକ୍ଷେପକୁ ଦେଖିଲେ ତାଙ୍କ ଅବିଶ୍ୱାସ ଆଦୌ ନିରାଧାର ମନେ ହେଉନାହିଁ। ବିଶେଷଜ୍ଞ କମିଟିଙ୍କ ଦ୍ୱାରା ଅନୁଧ୍ୟାନ, ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ତଲବ, କ୍ଷତିପୂରଣ ପ୍ରଦାନ ଲାଗି ବିଭାଗୀୟ ମନ୍ତ୍ରୀଙ୍କ ଘୋଷଣା ଆଦିର ଗତାନୁଗତିକ ଔପଚାରିକତାର ଧାରା ଆରମ୍ଭ ହେଇଛି। କିନ୍ତୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କେବେ ଓ କେତେ ପରିମାଣର ସହାୟତା ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ। ସେହି ବରଗଡ଼ ଜିଲ୍ଲାର ଆତ୍ମହତ୍ୟା କରିଥିବା ଚକରକେନ୍‌ର ଚାଷୀ ହାଡ଼ୁ ବଗର୍ତ୍ତିଙ୍କ କ୍ଷେତ୍ରରେ ମଧ୍ୟ ଏମିତି ହୋଇଥିଲା। ଥରେ ନୁହେଁ, ଦୁଇ ଦୁଇ ଥର ପ୍ରଶାସନିକ ଅଧିକାରୀ ସରଜମିନ ଅନୁଧ୍ୟାନ କଲେ। ଏକାଧିକ ଥର ବିଧାନସଭା ହୁଲସ୍ତୁଲ ହେଲା। ବିଧାନସଭା କମିଟି ଘଟଣା ସ୍ଥଳ ପରିଦର୍ଶନ କରି ସାରିଛି। ତଥାପି ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇ ପାରିନାହିଁ ଯେ ହାଡୁ ବଗର୍ତ୍ତିଙ୍କ ଆତ୍ମହତ୍ୟା ଚାଷ ଜନିତ ନା ଅନ୍ୟ କାରଣରୁ?

ଚାଷରେ ଲଗାତାର କ୍ଷତି, କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ତ ଆଉ କେତେବେଳେ ପୋକ ସଂକ୍ରମଣରୁ ତ ପୁଣି ଆଉ କେତେବେଳେ ନକଲି ବିହନ, ନକଲି କୀଟନାଶକର ପରିଣତି। ଏତିକିରୁ କୌଣସିମତେ ବର୍ତ୍ତିଗଲେ ଅଭାବୀ ବିକ୍ରି ଜନିତ ଦୁର୍ଦଶା ଚାଷୀଙ୍କୁ ଅପେକ୍ଷା କରିଛି। ଏହା ଉପରେ ପୁଣି ଋଣବୋଝ। ବିପର୍ଯ୍ୟୟ ସେ ପ୍ରାକୃତିକ ହେଉ ଅବା ସରକାରକୃତ ଚାଷୀକୁଳର ମେରୁଦଣ୍ଡ ଭାଙ୍ଗି ଦେଇଛି। ଅନଟନର ଚାପରେ ଚାଷୀ ଆତ୍ମହତ୍ୟା କରୁଛି। ଅଥଚ ସରକାର ଚାଷୀ ଆତ୍ମହତ୍ୟା ଚାଷ ଜନିତ ବୋଲି ମାନିବାକୁ ନାରାଜ। ଚାଷୀ ଆତ୍ମହତ୍ୟା ଚାଷର ଦୁରବସ୍ଥା ଜନିତ ବୋଲି ଅସ୍ୱୀକାର କରିବା ଅର୍ଥ ବାସ୍ତବତାକୁ ଅସ୍ୱୀକାର। ତେବେ ବାସ୍ତବତାକୁ ସ୍ୱୀକାର ନ କଲେ ବାସ୍ତବତା ବଦଳି ଯାଏ ନାହିଁ। ସେଥିପାଇଁ ବୋଧହୁଏ ବରଗଡ଼ରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଆସି ଚାଷୀଙ୍କ ଅବସ୍ଥା ବଦଳାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଏହି ଜିଲ୍ଲାକୁ ଆସି ଚାଷୀଙ୍କ ପାଇଁ ପଦଯାତ୍ରା କରିଛନ୍ତି। ତଥାପି ଚାଷୀଙ୍କ ଅବସ୍ଥା ବଦଳୁ ନାହିଁ। ବିଡ଼ମ୍ବନା ହେଲା- ସବୁଜ ବିପ୍ଳବର ସ୍ୱର୍ଗ, ଓଡ଼ିଶାର ଭାତହାଣ୍ଡି, ସର୍ବାଧିକ ଧାନ ଉତ୍ପାଦନକାରୀ ଜିଲ୍ଲା ବରଗଡ଼ ସର୍ବାଧିକ ସଂଖ୍ୟାର ଚାଷୀ ଆତ୍ମହତ୍ୟାର କଳଙ୍କ ମଧ୍ୟ ବୋହିଛି। ବାସ୍ତବ ସ୍ଥିତିକୁ ସ୍ୱୀକାର ନକଲେ, ସ୍ଥିତିର ସୁଧାର ଲାଗି ବାଟ ବାହାରିବ କେମିତି? ଚାଷ ଓ ଚାଷୀ ଦୁର୍ଦଶାଗ୍ରସ୍ତ, ଏହି ବାସ୍ତବତାକୁ ସ୍ୱୀକାର କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୁଣ୍ଠା ହିଁ ଚାଷୀକୁଳଙ୍କ ମଧ୍ୟରେ ସରକାର ଓ ବ୍ୟବସ୍ଥା ପ୍ରତି ଅନାସ୍ଥା ଓ ଅବିଶ୍ୱାସକୁ ଚରମରେ ପହଞ୍ଚାଇଛି। ଯାହାର ପରିଣତି ଫସଲ ପୋଡ଼ିର କ୍ରମ। ଏକ ଗଣତାନ୍ତ୍ରିକ ଓ ଜନମଙ୍ଗଳକାରୀ ଶାସନ ବ୍ୟବସ୍ଥାରେ ଏହା ଆଦୌ ଶୁଭଙ୍କର ନୁହେଁ। ସମାଜର ଅନ୍ୟତମ ଦୁର୍ବଳ ବର୍ଗଙ୍କ ଯଦି ସରକାର ଓ ବ୍ୟବସ୍ଥା ଉପରେ ଭରସା ନ ରହେ, ତେବେ ତାହା ସ୍ୱତଃ ସରକାର ଓ ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରେ।

ତେଣୁ ସରକାର ଚାଷୀକୁଳର ବିଶ୍ୱାସ ଜିଣିବା ଲାଗି କଥାରେ ନୁହେଁ, କାମରେ କରି ଦେଖାନ୍ତୁ। ଏଥି ଲାଗି ପ୍ରଥମେ ଚାଷ ଓ ଚାଷୀର ବିପର୍ଯ୍ୟସ୍ତ ଅବସ୍ଥାକୁ ସ୍ୱୀକାର କରିବାକୁ ହେବ। ଚାଷୀଙ୍କ ଆୟ ଦୁଇଗୁଣ ହେବାର ପରିସଂଖ୍ୟାନ ଓ କୃଷି କର୍ମଣ ପୁରସ୍କାରର ଭେଳିକି ଦେଖାଇ ଅପ୍ରିତୀକର ବାସ୍ତବତାକୁ ଲୁଚା ଯାଇ ପାରିବ ନାହିଁ। ଚାଷୀଙ୍କ ଆୟ ଦୁଇଗୁଣ ହୋଇଥିବା ଦାବି କରି ଗର୍ବ କରାଯାଉଛି। ସେ ଆୟର ପରିମାଣ କେତେ? ମାସିକ ୪୯୭୬ ଟଙ୍କା। ଏହି ଆୟକୁ ଜାତୀୟ ହାରାହାରି ଆୟ ୬୪୨୬ ଓ ପଞ୍ଜାବର ୧୮,୦୫୯ ସହ ତୁଳନା କଲେ ଗର୍ବ ଆପେ ପାଣି ଫାଟିଯିବ। ଏଥିରେ ଚାଷୀଙ୍କ ଜୀବନ ଧାରଣର ମାନରେ ପରିବର୍ତ୍ତନ ଆସିବ କେମିତି? ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ କେମିତି? ଋଣ ପରିଶୋଧ ହେବ କେମିତି? ସ୍ୱତନ୍ତ୍ର କୃଷି ବଜେଟ, କିମ୍ବା କୃଷି ବିଭାଗର ନୂଆ ନାମକରଣ ଦ୍ୱାରା ଚାଷୀଙ୍କ ଅବସ୍ଥା ବଦଳିବ ନାହିଁ। ଯେଉଁ ସବୁ ମୌଳିକ ସମସ୍ୟା ରାଜ୍ୟର ଚାଷ ଚାଷୀଙ୍କୁ ଆଜି ସଙ୍କଟ ମଧ୍ୟକୁ ଠେଲି ଦେଇଛି, ସେହି ସବୁ ସମସ୍ୟାର ମଞ୍ଜି ପର୍ଯ୍ୟନ୍ତ ଯାଇ ସମାଧାନ ଖୋଜିବାକୁ ପଡ଼ିବ। ଏଥିପାଇଁ ପ୍ରାକ୍‌-ଆବଶ୍ୟକତା, ସରକାର ଓ ଶାସନ କଳର ଆଭିମୁଖ୍ୟରେ ପରିବର୍ତ୍ତନ, ସମ୍ବେଦନଶୀଳତା, ଚାଷୀଙ୍କ ସ୍ୱାର୍ଥ ରକ୍ଷା ପ୍ରତି ଦୃଢ଼ ରାଜନୈତିକ ଅଙ୍ଗୀକାର। ଚାଷୀକୁଳର ସରକାର ଓ ବ୍ୟବସ୍ଥା ପ୍ରତି ଭରସା ଫେରାଇ ଆଣିବା ଏହା ସର୍ବନିମ୍ନ ଆବଶ୍ୟକତା।