ଗତ କିଛିଦିନ ହେଲା ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିରେ କିଛିମାତ୍ରାରେ ଉଷ୍ମତା ଓ ଉତ୍କଣ୍ଠା ସୃଷ୍ଟି କରିଥିବା ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ସମାପ୍ତ ହୋଇଛି। ଶାସକ ମେଣ୍ଟ ଏନ୍ଡିଏର ପ୍ରାର୍ଥୀ ଜେଡି(ୟୁ)ର ହରିବଂଶ ନାରାୟଣ ସିଂହ, ପ୍ରତିଦ୍ୱନ୍ଦୀ ବିରୋଧୀ ମେଣ୍ଟ ପ୍ରାର୍ଥୀ କଂଗ୍ରେସର ବିି.କେ. ହରିପ୍ରସାଦଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି। ଗତ ଜୁଲାଇ ୧ରେ ପଦରୁ ଅବ୍ୟାହତି ନେଇଥିବା ପି.ଜେ. କୁରିଏନ୍ଙ୍କ ସ୍ଥାନରେ ନୂଆ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହରିବଂଶ ନାରାୟଣଙ୍କୁ ୧୨୫ଟି ଭୋଟ ମିଳିଥିବା ବେଳେ ପ୍ରତିପକ୍ଷ ବି.କେ. ହରିପ୍ରସାଦଙ୍କୁ ୧୦୫ ଜଣ ସାଂସଦଙ୍କ ସମର୍ଥନ ମିଳିଥିଲା। ରାଜ୍ୟସଭାରେ ତିନିଜଣ ସାଂସଦ ଥିବା ଆମ୍ ଆଦ୍ମୀ ପାର୍ଟି (ଆପ୍) ଏବଂ ଦୁଇଜଣିଆ ସାଂସଦ ବିଶିଷ୍ଟ ଆନ୍ଧ୍ରପ୍ରଦେଶର ଜଗନ୍ମୋହନ ରେଡିଙ୍କ ଓ୍ଵାଇଏସ୍ଆର କଂଗ୍ରେସ ଭୋଟ ଦାନରୁ ବିରତ ରହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମାତ୍ର ୨୩୫ ଜଣ ଅପ୍ରତ୍ୟକ୍ଷ ଭାବେ ନିର୍ବାଚିତ ସାଂସଦଙ୍କ ମତଦାନ ଓ ଅନୁପସ୍ଥିତିରେ ହାରଜିତ୍ର ଫଇସଲା ହୋଇଥିବାରୁ ବରିଷ୍ଠଙ୍କ ସଦନର ଏ ଉପାଧ୍ୟକ୍ଷ ନିର୍ବାଚନ ରାଜନୈତିକ ଦୃଷ୍ଟିରୁ ନା ବିଶେଷ ଗୁରୁତ୍ୱପୂର୍ଣ୍ଣ ନା ଏଥିରୁ ଭବିଷ୍ୟତ ରାଜନୀତି ନେଇ କୌଣସି ସଂକେତ ଅଛି ବୋଲି ବିଚାର କରିବା ବୋଧହୁଏ ସାଂପ୍ରତିକ ରାଜନୈତିକ ବାସ୍ତବତାକୁ ଅସ୍ୱୀକାର ହେବ। ଏ ନିର୍ବାଚନ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା, ଏଥିପାଇଁ ଯେ, ଜୁଲାଇ ୨୦ ଅନାସ୍ଥା ଭୋଟର ଅଢ଼େଇ ସପ୍ତାହ ପରେ ଏହା ଥିଲା ଶାସକ ଓ ନୂଆ କରି ଦାନା ବାନ୍ଧୁଥିବା ବିରୋଧୀ ମେଳି ମଧ୍ୟରେ ଦ୍ୱିତୀୟ ବଳ କଷାକଷି। ଏ ଶକ୍ତି ପରୀକ୍ଷାରେ ଶାସକ ପକ୍ଷ ପୁଣି ଥରେ ସଫଳ ହୋଇଛି। ଆସ୍ଥା ଭୋଟରେ ସଫଳତା ପାଇଁ ଶାସକ ପକ୍ଷ ସକାଶେ ଏନ୍ଡିଏ ବାହାର ଆଞ୍ଚଳିକ ଦଳଙ୍କ ସମର୍ଥନ ଆଦୌ ଆବଶ୍ୟକ ନଥିଲା। କିନ୍ତୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ କେନ୍ଦ୍ର କରି ଶକ୍ତି ପରୀକ୍ଷାରେ ସଫଳତାରେ ଅଣ-ଏନ୍ଡିଏ ଆଞ୍ଚଳିକ ଦଳଙ୍କ ନିର୍ଣ୍ଣାୟକ ଭୂମିକା ରହିଛି। ବିଶେଷକରି, ଶେଷ ମୁହୂର୍ତ୍ତରେ ଏନ୍ଡିଏ ପ୍ରାର୍ଥୀଙ୍କୁ ନଅ ସାଂସଦ ବିଶିଷ୍ଟ ବିଜେଡିର ସମର୍ଥନ ଘୋଷଣା ପରେ ହରିବଂଶ ନାରାୟଣଙ୍କ ନିର୍ବାଚନ କେବଳ ଔପଚାଳିକତା ମାତ୍ର ଥିଲା। ଅନାସ୍ଥା ଭୋଟରେ ସହଯୋଗୀ ଶିବସେନାର ସମର୍ଥନ ବିନା ଏନ୍ଡିଏ ସରକାର ବର୍ତ୍ତିଗଲା। କିନ୍ତୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍ଡିଏର ସାମିଲ ସବୁ ଆଞ୍ଚଳିକ ଦଳ ସମେତ ମେଣ୍ଟରେ ନଥିବା ଅନ୍ୟ ଆଞ୍ଚଳିକ ଦଳଙ୍କ ସମର୍ଥନ ଶାସକ ପକ୍ଷ ପାଇଁ ଏକାନ୍ତ ଜରୁରୀ ଥିଲା। ଶାସକ ମେଣ୍ଟକୁ ଏହି ନିର୍ଣ୍ଣାୟକ ସମର୍ଥନ ଦେଇଥିଲେ ବିଜେଡି, ଟିଆର୍ଏସ୍ ଓ ଆନ୍ନାଡିଏମ୍କେ। ବିଗତ କିଛିଦିନର ଘଟଣାକ୍ରମ ପରିପ୍ରେକ୍ଷୀରେ ଆନ୍ନାଡିଏମ୍କେ ଏବଂ ଟିଆର୍ଏସ୍ର ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଏକ ପ୍ରକାର ନିଶ୍ଚିତ ଥିଲା। ରାଜ୍ୟସଭାରେ ଏନ୍ଡିଏ ପ୍ରାର୍ଥୀଙ୍କ ବିଜୟ ପାଇଁ ଏତିକି କିନ୍ତୁ ଯଥେଷ୍ଟ ନଥିଲା। ଦୁଇ ପ୍ରତିଦ୍ୱନ୍ଦ୍ୱୀ ମେଣ୍ଟଠାରୁ ‘ସମଦ୍ୱରତ୍ୱ’ ନୀତି ଗ୍ରହଣ କରି ଆସିଥିବା ବିଜେଡିର ସମର୍ଥନ ଏକାନ୍ତ ଅପରିହାର୍ଯ୍ୟ ଥିଲା। ଶେଷ ପର୍ଯ୍ୟନ୍ତ କିନ୍ତୁ ବିଜେଡିର ଭୂମିକା ନେଇ ଅନିଶ୍ଚିତତା ଲାଗି ରହିଥିଲା। ନିର୍ଣ୍ଣାୟକ ଭୂମିକାରେ ଥିବା ବିଜେଡିର ଆଭିମୁଖ୍ୟ ନେଇ ସୁରାକ୍ ପାଇବା ପରେ ଏନ୍ସିପି ତୃଣମୂଳ ଆଦି ଦଳମାନେ ଦୌଡ଼ରୁ ଓହରି ଯାଇଥିଲେ। ଫଳରେ କଂଗ୍ରେସକୁ ଅଗତ୍ୟା ପ୍ରତୀକାତ୍ମକ ଭାବେ ନିଜ ଜଣେ ସାଂସଦଙ୍କୁ ପ୍ରାର୍ଥୀ କରିବାକୁ ପଡ଼ିଥିଲା। ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ବିଜେଡି ପାଇଁ ସହଜ ହୋଇନଥାନ୍ତା, ଯଦି ମେଣ୍ଟର ପ୍ରମୁଖ ଦଳ ବିଜେପି ନିଜର କୌଣସି ସାଂସଦଙ୍କୁ ପ୍ରାର୍ଥୀ କରିଥାନ୍ତା। ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମର୍ଥନ ପାଇଁ ଅନୁରୋଧ କଲାବେଳେ ନବୀନ ଏ ବିଷୟ ସ୍ପଷ୍ଟ କରି ଦେଇଥିଲେ। ଜଣେ ଜେଡି(ୟୁ) ସାଂସଦଙ୍କୁ ଏନ୍ଡିଏର ପ୍ରାର୍ଥୀ କରାଯିବା ଫଳରେ ଦ୍ୱିଧା ମୁକ୍ତ ହୋଇ ସମର୍ଥନ ଦେବା ବିଜେଡି ପକ୍ଷରେ ସହଜ ହେଲା। ପ୍ରତିପକ୍ଷ ବିରୋଧୀ ମେଣ୍ଟ ପକ୍ଷରୁ କଂଗ୍ରେସର କେହି ପ୍ରାର୍ଥୀ ନହୋଇ ଯଦି ଅନ୍ୟ ସହଯୋଗୀ- ଏନ୍ସିପି କିମ୍ବା ତୃଣମୂଳର ଜଣେ ସାଂସଦଙ୍କୁ ପ୍ରାର୍ଥୀ କରାଯାଇଥାନ୍ତା, ତେବେ ବି ବିଜେଡି ଦ୍ୱନ୍ଦ୍ୱରେ ପଡ଼ି ଯାଇଥାନ୍ତା।
ଏବେ ଓଡ଼ିଶାରେ ବିରୋଧୀ, ବିଶେଷକରି କଂଗ୍ରେସ ନିଶ୍ଚୟ ପ୍ରଶ୍ନ ଉଠାଇପାରେ- ବିଜେଡିର ସମଦୂରତ୍ୱ ନୀତି ଗଲା କୁଆଡ଼େ? ବିଜେଡି ଚତୁରତାର ସହ ଏ ପ୍ରଶ୍ନର ଉତ୍ତର ଆଗୁଆ ରଖି ଦେଇଛି – ଦଳ ଏନ୍ଡିଏକୁ ନୁହେଁ, ଏକ ସମଭାବାପନ୍ନ ଦଳ ଭାବେ ଜେଡି (ୟୁ)ର ପ୍ରାର୍ଥୀଙ୍କୁ ସମର୍ଥନ କରିଛି। ଏହି କୈଫୟତ ଦେଇ ବିଜେଡି ଏନ୍ଡିଏକୁ ସମର୍ଥନ କରି ବି ନିଜକୁ ବିଜେପିଠାରୁ ଦୂରେଇ ରଖିବାର ଧାରଣା ଦେଇଛି। ତେବେ, ଅସଲ କଥା ହେଲା ସମଦୂରତ୍ୱ ଆଳରେ ଜାତୀୟ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଏ ସୁଯୋଗକୁ ହାତଛଡ଼ା କରିବା ବିଜେଡି ନେତୃତ୍ୱ ପକ୍ଷରେ ଯଥାର୍ଥ ହୋଇ ନଥାନ୍ତା।
ଗୁରୁବାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହଠାତ୍ ଜାତୀୟ ସ୍ତରରେ କୌଣସି ନୂଆ ରାଜନୈତିକ ସମୀକରଣର ସୂଚନା ଦେଉନାହିଁ। ତଥାପି, ଏହା ପୁଣିଥରେ ପ୍ରମାଣିତ କରିଛି ଯେ, ସାଂପ୍ରତିକ ଭାରତୀୟ ରାଜନୀତିରେ ଆଞ୍ଚଳିକ ଦଳଙ୍କ ଏକ ପ୍ରଭାବଶାଳୀ ଭୂମିକା ରହିଛି। ଦୁଇ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଆଞ୍ଚଳିକ ଦଳଙ୍କ ଉପରେ ନିର୍ଭରଶୀଳତାକୁ ଏଡ଼ାଇ ପାରିବେ ନାହିଁ। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦୁଇ ପ୍ରମୁଖ ଜାତୀୟ ଦଳ ପାଖରେ ମାତ୍ର ୮୩ଟି ଭୋଟ ଥିଲା। ଅବଶିଷ୍ଟ ସବୁ ଭୋଟ ୧୮ଟି (ଦୁଇ ବାମପନ୍ଥୀ ଦଳ ସମେତ) ଆଞ୍ଚଳିକ ଦଳଙ୍କ ହାତରେ ଥିଲା। ଲୋକସଭାରେ ଏକାକୀ ସଂଖ୍ୟାଗରିଷ୍ଠତା ନେଇ ବାହାସ୍ଫୋଟ ମାରି ଆସୁଥିବା ବିଜେପି ଦଳ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଅବସରରେ ପୁଣି ଆଞ୍ଚଳିକ ଦଳଙ୍କ ଗୁରୁତ୍ୱକୁ ହୃଦୟଙ୍ଗମ କରିଛି। ଜେଡି(ୟୁ)ରୁ ପ୍ରାର୍ଥୀ କରି ବିଜେପି ନେତୃତ୍ୱ କେବଳ ଏନ୍ଡିଏ ମେଣ୍ଟ ବାହାରର ଦଳଙ୍କ ସମର୍ଥନ ହାସଲ କରିନାହିଁ, ମେଣ୍ଟରେ ସାମିଲ ଥିବା ଅନ୍ୟ ସହଯୋଗୀ ଆଞ୍ଚଳିକ ଦଳଙ୍କ ଗୁରୁତ୍ୱକୁ ମଧ୍ୟ ସ୍ୱୀକାର କରିଛନ୍ତି। ଅନାସ୍ଥା ପ୍ରସ୍ତାବ ବେଳେ ମୁହଁ ମୋଡ଼ିଥିବା ଶିବସେନା ଏଥର ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇଛି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏକ ସଂକେତ ହେଲା- ଊଣେଇଶ ନିର୍ବାଚନ ପରବର୍ତ୍ତୀ ସଂଖ୍ୟା ଖେଳରେ କ୍ଷୁଦ୍ର ଓ ଆଞ୍ଚଳିକ ଦଳଙ୍କ ଭୂମିକା ନିର୍ଣ୍ଣାୟକ ହେବାର ସମ୍ଭାବନା ରହିଛି। ଆବଶ୍ୟକ ପଡ଼ିଲେ, ଦ୍ୱିତୀୟ ବାର କ୍ଷମତାକୁ ଫେରିବା ପାଇଁ ବିଜେପି ନେତୃତ୍ୱ ଏନ୍ଡିଏ ମେଣ୍ଟ ବାହାରେ ଥିବା ଆଞ୍ଚଳିକ ଦଳଙ୍କ ସମର୍ଥନ ଲୋଡ଼ିବା ଲାଗି କୁଣ୍ଠିତ ହେବେ ନାହିଁ। ଅନପକ୍ଷରେ ଏନ୍ଡିଏ ମେଣ୍ଟ ବାହାରେ ଥିବା ଦଳମାନେ ମଧ୍ୟ ବାସ୍ତବବାଦୀ ଆଭିମୁଖ୍ୟ ନେଇ ‘ଅବସ୍ଥା ଦେଖି ବ୍ୟବସ୍ଥା’ ନ୍ୟାୟରେ ନିଜ ମନୋଭାବ ପରିବର୍ତ୍ତନ କରିବା ସମ୍ଭାବନାକୁ ଅସ୍ୱୀକାର କରାଯାଇ ନପାରେ।
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଗୋଟିଏ ପଟେ କ୍ଷମତାସୀନ ବିଜେପିର ମେଣ୍ଟ ରାଜନୀତିର ସୁବିଧାଜନକ ସ୍ଥିତିକୁ ଦର୍ଶାଉଥିବା ବେଳେ, ଅନ୍ୟପଟେ ମୁଖ୍ୟ ବିରୋଧୀ କଂଗ୍ରେସ ଦଳ ମେଣ୍ଟ ରାଜନୀତିର ତଥାପି ପଛୁଆ ଥିବାର ସଂକେତ ଦେଉଛି। ଏନ୍ଡିଏ ବାହାରେ ଥିବା ଆଞ୍ଚଳିକ ଦଳମାନଙ୍କ ସମର୍ଥନ ଜୁଟାଇବାରେ କଂଗ୍ରେସର ବିଫଳତା ଏହାର ସଂକେତ ଯେ ମୁଖ୍ୟ ବିକଳ୍ପ ଭାବେ ସର୍ବପୁରାତନ ଦଳର ଗ୍ରହଣୀୟତା ତଥାପି ନିଅଣ୍ଟିଆ ରହିଛି। ତେଲଗୁ ଦେଶମ୍ ପାର୍ଟି କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାରୁ ଆନ୍ଧ୍ରର ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ଆଞ୍ଚଳିକ ଦଳ ଓ୍ଵାଇଏସ୍ଆର୍ କଂଗ୍ରେସ ଭୋଟ ଦାନରୁ ବିରତ ରହିବା ବୁଝି ହେଉଛି। କିନ୍ତୁ ଦିଲ୍ଲୀରେ କ୍ଷମତାସୀନ ବିଜେପିର କଟ୍ଟର ବିରୋଧୀ ଆମ୍ ଆଦ୍ମୀ ପାର୍ଟି କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଅପେକ୍ଷା ଭୋଟ ଦାନରୁ ବିରତ ରହିବାକୁ ଅଧିକ ପସନ୍ଦ କରିବା ନିଶ୍ଚିତ ଭାବେ ବିଜେପି ବିରୋଧୀ ମେଣ୍ଟର ଆଭ୍ୟନ୍ତରୀଣ ବିରୋଧାଭାସ ପ୍ରତି ଇଙ୍ଗିତ କରୁଛି। ଏହା ପୁଣି ଥରେ ସଂକେତ ଦେଉଛି ଯେ, କଂଗ୍ରେସ ଧରିଥିବା ବିରୋଧୀ ମହାମେଣ୍ଟର ପତାକା ତଳେ ସବୁ ବିଜେପି-ବିରୋଧୀ ଦଳ ଏକାଠି ସାମିଲ ହେବାକୁ ପ୍ରସ୍ତୁତ ନୁହନ୍ତି। ସେମାନେ ବିଜେପି-କଂଗ୍ରେସ ବାହାରେ ଆଉ ଏକ ତୃତୀୟ ବିକଳ୍ପର ତଲାସରେ ଅଛନ୍ତି। କଂଗ୍ରେସ ପ୍ରସ୍ତବାିତ ବିରୋଧୀ ମହାମେଣ୍ଟ ତଥାପି ତରଳାବସ୍ଥାରେ।
ମୋଟାମୋଟି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରୁ ବାର୍ତ୍ତା ହେଲା- ରାଜନୀତି ଏକ ସମ୍ଭାବନାର କଳା। ସବୁ ସମ୍ଭାବନା ଓ ସବୁ ବିକଳ୍ପ ପାଇଁ ସର୍ବଦା ଦ୍ୱାର ଖୋଲା। ରାଜନୀତିରେ କିଛି ସ୍ଥାୟୀ ନୁହେଁ, ପରିବର୍ତ୍ତନ ହିଁ ନିରନ୍ତର। ଏହା ହିଁ ରାଜନୈତିକ ବାସ୍ତବତା, ଯାହା ଏ ବଳ କଷାକଷିରେ ଊଣା ଅଧିକେ ପ୍ରତିଫଳିତ ହୋଇଛି।