କହି ଦେଉଥାଇ ପରକୁ…

ରାଜନୈତିକ ଦଳମାନଙ୍କ ଆଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରସଙ୍ଗରେ ବ୍ୟାପକ ବିତର୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଜଣାଇଛନ୍ତି। ସପ୍ତାହକ ତଳେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ‘ଦିଓ୍ଵାଲି ମିଲନ୍‌’ ଅବସରରେ ମୋଦୀ ପ୍ରସ୍ତାବ ଦେଇଛନ୍ତି ଯେ, ଦଳମାନଙ୍କ ନୀତି, ଆଦର୍ଶ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା, ଦଳୀୟ ଚାନ୍ଦା, ପରବର୍ତ୍ତୀ ପିଢ଼ି ପାଇଁ ସୁଯୋଗ ଓ ସମ୍ଭାବନା ଆଦି ବିଷୟରେ ଗଣମାଧ୍ୟମରେ ଚର୍ଚ୍ଚା ହେବା ଉଚିତ। ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ। କିନ୍ତୁ ତା’ଠାରୁ ମଧ୍ୟ ଅଧିକ ସ୍ୱାଗତଯୋଗ୍ୟ ଓ ବିଶେଷ ଆନନ୍ଦର ବିଷୟ ଯେ ବିତର୍କ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମହୋଦୟ ନିଜେ ଆଗୁଆ ଆଭ୍ୟନ୍ତରୀଣ ଗଣତନ୍ତ୍ର ସପକ୍ଷରେ ଦୃଢ଼ ମତ ରଖିଛନ୍ତି। ମୋଦୀଙ୍କ ବକ୍ତବ୍ୟ ହେଲା- ସବୁ ଦଳ ଗଣତାନ୍ତ୍ରିକ ଭାବନା ଦ୍ୱାରା ଉଦ୍‌ବୁଦ୍ଧ ହେବା ଉଚିତ। ଏହା କେବଳ ସମ୍ପୃକ୍ତ ଦଳର ହିତ ପାଇଁ ନୁହେଁ, ବରଂ ସାମଗ୍ରିକ ଭାବେ ଏକ ସୁସ୍ଥ ଗଣତନ୍ତ୍ର ଓ ଏହାର ଭବିଷ୍ୟତ ପାଇଁ ମଧ୍ୟ ଏକାନ୍ତ ଅପରିହାର୍ଯ୍ୟ। ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଦର୍ଶର ଅବକ୍ଷୟ, ବିଶେଷକରି ଭିନ୍ନମତ ପ୍ରତି ଅସମ୍ମାନ ଓ ଅସହିଷ୍ଣୁତା ବୃଦ୍ଧି ନେଇ ବିଭିନ୍ନ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଗଣତନ୍ତ୍ରର ଏ ଗୁଣଗାନ ନିଶ୍ଚିତ ଭାବେ ଆଶ୍ୱସନାର ବିଷୟ। ଯେଉଁମାନେ ମୋଦୀଙ୍କ ନେତୃତ୍ୱରେ ଏକନାୟକତ୍ୱର ଛବି ଓ କାର୍ଯ୍ୟଶୈଳୀରେ ଏକଛତ୍ରବାଦର ଝଲକ ଦେଖନ୍ତି, ସେମାନଙ୍କ ପାଇଁ ତ ଏହା ‘ଲଙ୍କାରେ ହରିଶବ୍ଦ’ ସଦୃଶ।

ପ୍ରଧାନମନ୍ତ୍ରୀଙ୍କ ସହ ଯେକୌଣସି ଗଣତନ୍ତ୍ର ଅନୁରାଗୀ ବିନା ଦ୍ୱିଧାରେ ନିଶ୍ଚୟ ଏକମତ ହେବେ ଯେ, ଗୋଟିଏ ବହୁ ଦଳୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପ୍ରତ୍ୟେକ ରାଜନୈତିକ ଦଳର କାର୍ଯ୍ୟଧାରାରେ ଗଣତାନ୍ତ୍ରିକ ଚରିତ୍ର ସ୍ପଷ୍ଟ ବାରି ହେବା ଉଚିତ। କର୍ମକର୍ତ୍ତା ନିର୍ବାଚନଠାରୁ ଆରମ୍ଭ କରି ନିଷ୍ପତ୍ତି ଗ୍ରହଣ ପର୍ଯ୍ୟନ୍ତ ସବୁକିଛି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସଂପାଦିତ ହେବା ଆଶା କରାଯାଏ। ଏହାର ଅର୍ଥ ଦଳ ଭିତରେ ସବୁ ସଦସ୍ୟଙ୍କ ମତ ପାଇଁ ଯଥେଷ୍ଟ ସମ୍ମାନ ଓ ସ୍ଥାନ ରହିବା ଉଚିତ। ବିଚାର ଆଲୋଚନା ପ୍ରକ୍ରିୟାରେ ନିଷ୍ପତ୍ତି ଗ୍ରହଣ ଓ ତୃଣମୂଳ କର୍ମୀଙ୍କ ପାଇଁ ଦଳର ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଉଠିବା ଲାଗି ଯଥେଷ୍ଟ ଅବକାଶ ସୃଷ୍ଟି କରୁଥିବା ଢାଞ୍ଚାଗତ ବ୍ୟବସ୍ଥା ରହିବା ଆବଶ୍ୟକ।

ତେବେ ପ୍ରଶ୍ନ ଉଠୁଛି ରାଜନୈତିକ ଦଳଙ୍କ ଭିତରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ପାଇଁ ଓକିଲାତି ଓ ବିତର୍କ ପାଇଁ ଏ ଆହ୍ଵାନ ପଛରେ ପ୍ରଧାନମନ୍ତ୍ରୀଙ୍କ ନିଷ୍ଠା ଓ ଆନ୍ତରିକତା ରହିଛି ତ? ନା ଏହା କେବଳ ପ୍ରତିପକ୍ଷ କଂଗ୍ରେସର ‘ବଂଶବାଦ’ ଓ ଅନ୍ୟ କେତେକ ପ୍ରତିଦ୍ୱନ୍ଦ୍ୱୀ ଆଞ୍ଚଳିକ ଦଳର ‘ପରିବାର ବାଦ’ ପ୍ରତି ସାନି ଧ୍ୟାନ ଆକର୍ଷଣ ପାଇଁ ଆଉ ଏକ କୌଶଳ? ଏହା ଏକ ସଂଯୋଗ ମାତ୍ର ନୁହେଁ ଯେ, ଦଳଗୁଡ଼ିକରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରସଙ୍ଗ ମୋଦୀ ଏମିତି ଏକ ସମୟରେ ଉଠାଇଛନ୍ତି, ଯେତେବେଳେ କଂଗ୍ରେସର ନେତୃତ୍ୱ ନେହରୁ-ଗାନ୍ଧୀ ପରିବାରର ଚତୁର୍ଥ ପିଢ଼ି ହାତକୁ ଯିବା ଏକ ପ୍ରକାର ନିଶ୍ଚିତ। କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧୀଙ୍କ ନିଯୁକ୍ତି ଏବେ କେବଳ ଏକ ଔପଚାରିକତା ମାତ୍ର। କାଗଜପତ୍ରରେ ଏକ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ କଂଗ୍ରେସ ସଭାପତି ଭାବେ ଉପାଧ୍ୟକ୍ଷଙ୍କ ପଦୋନ୍ନତି ପାଇଁ ପଥ ପରିଷ୍କାର କରାଯାଇଛି। କିନ୍ତୁ ବାସ୍ତବରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ତଥା ଗାନ୍ଧୀ-ନେହରୁ ପରିବାରର ରାଜନୈତିକ ଉତ୍ତରାଧିକାରୀ ଭାବେ ରାହୁଲଙ୍କ ଅଭିଷେକ ହେବ। କଂଗ୍ରେସରେ ଏହା ଏକ ସ୍ୱାଭାବିକ ଧାରା। ବିଗତ ବହୁ ଦଶକ ଧରି ପରିବାରବାଦର ଏହି ପରମ୍ପରା କଂଗ୍ରେସରେ ଚାଲିଆସିଛି। ଅବଶ୍ୟ, ଏ ପ୍ରସଙ୍ଗରେ ସର୍ବପୁରାତନ ଦଳ କଂଗ୍ରେସ ଏକମାତ୍ର ବ୍ୟତିକ୍ରମ ନୁହେଁ। ଭାରତୀୟ ରାଜନୀତିରେ କଂଗ୍ରେସର ଆହୁରି ଅନେକ ସଂସ୍କରଣ ଅଛନ୍ତି, ଯେଉଁଠି ଅନୁରୂପ ଭେଜାଲ, ଛଳ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ରାଜା ରାଜୁଡ଼ା ପରମ୍ପରାରେ ଦଳୀୟ ନେତୃତ୍ୱ ପାଇଁ ଉତ୍ତରାଧିକାରୀ ମନୋନୟନ ଏକ ଧାରା। ଯେଉଁ ସବୁ ଦଳରେ ରାଜତନ୍ତ୍ର ସୁଲଭ ପ୍ରକ୍ରିୟାର ନେତୃତ୍ୱ ମନୋନୟନ ଏକ ପରମ୍ପରା, ସେହି ସବୁ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନିଶ୍ଚିତ ଭାବେ ଏକ ଅପରିଚିତ ତଥା ଉଦ୍ଭଟ କଳ୍ପନା। ଏ ସବୁ ଦଳରେ ନେତୃତ୍ୱ ପାଖରେ ସବୁ କ୍ଷମତା କେନ୍ଦ୍ରୀଭୂତ ହେବା ଅତ୍ୟନ୍ତ ସ୍ୱାଭାବିକ। ଫଳତଃ ଦଳୀୟ କାର୍ଯ୍ୟଧାରାରେ ଗଣତନ୍ତ୍ରର ଲେଶମାତ୍ର ସ୍ପର୍ଶ ସୁଦ୍ଧା ନରହିବା ଆଦୌ ଅସ୍ୱାଭାବିକ ନୁହେଁ।

କଂଗ୍ରେସ ଓ ଅନୁରୂପ ପରିବାର ନିୟନ୍ତ୍ରଣାଧୀନ ଦେଶର ଅନ୍ୟ କେତେକ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନଥିବା, ଗଣତାନ୍ତ୍ରିକ ଭାବନାର ଘୋର ଅଭାବ ଏକ ନିଷ୍ଠୁର ବାସ୍ତବତା ଓ ଶତପ୍ରତିଶତ ସତ। କିନ୍ତୁ ଯେଉଁ ସବୁ ଦଳ ପରିବାର ପରିଚାଳନାଧୀନ ନୁହେଁ, ସେ ସବୁ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଅଛି କି? ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ହେଉ ଅବା ଦଳିତ ରାଣୀ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି, କୌଣସି ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ। ବ୍ୟକ୍ତିକୈନ୍ଦ୍ରିକ ଦଳରେ ନେତା ସର୍ବମୟ ଓ ତାଙ୍କର କର୍ତ୍ତୃତ୍ୱ ନିରଙ୍କୁଶ। କୌଣସି ପ୍ରକାର ଭିନ୍ନମତକୁ ବିଦ୍ରୋହର ଆଖ୍ୟା ଦେଇ ବରଦାସ୍ତ କରାଯାଏ ନାହିଁ। ତେବେ ଏ ପ୍ରସଙ୍ଗରେ ଖୋଦ୍‌ ପ୍ରଧାନମନ୍ତ୍ରୀଙ୍କ ଦଳ ଭାରତୀୟ ଜନତାପାର୍ଟି ମଧ୍ୟ ବ୍ୟତିକ୍ରମ ନୁହେଁ। ଆଭ୍ୟନ୍ତରୀଣ ଗଣତନ୍ତ୍ର ନେଇ ପ୍ରବଚନ ଶୁଣାଉଥିବା ମୋଦୀ ଛାତିରେ ହାତ ଦେଇ କହି ପାରିବେ କି ନିଜ ଦଳ ବିଜେପିର କାର୍ଯ୍ୟଧାରା ଓ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ନିଜସ୍ୱ କାର୍ଯ୍ୟଶୈଳୀ ଖାଣ୍ଟି ଗଣତାନ୍ତ୍ରିକ? ପରିବାର ବାଦ ନେଇ ସେ କଂଗ୍ରେସ ଆଡ଼କୁ ଅଙ୍ଗୁଳି ଦେଖାଉଛନ୍ତି, କିନ୍ତୁ ବିଜେପିରେ ପରିବାରବାଦର ପ୍ରାଦୁର୍ଭାବ ମଧ୍ୟ କିଛି କମ୍‌ ନୁହେଁ। ସର୍ବୋଚ୍ଚ ସ୍ତରରେ ପରିବାରବାଦ ନଥାଇପାରେ। କିନ୍ତୁ ବିଜେପିର ଜିଲ୍ଲା ଓ ରାଜ୍ୟସ୍ତରରେ ପରିବାରବାଦର ଖେଳ ସର୍ବବିଦିତ। ନିର୍ବାଚନରେ ଦଳୀୟ ଟିକେଟ ବଣ୍ଟନ ବେଳେ ସାଂସଦ, ବିଧାୟକ ଓ ଅନ୍ୟ ଦଳୀୟ କର୍ମକର୍ତ୍ତାଙ୍କ ସନ୍ତାନ, ପରିିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ, ଅନୁଗ୍ରହ ପରିବାରବାଦ ନୁହେଁ ତ ଆଉ କ’ଣ? ଅନ୍ୟ ଦଳ ଭଳି ନେତା ଓ କର୍ମକର୍ତ୍ତା ନିଯୁକ୍ତି ପାଇଁ ତଥାକଥିତ ଦଳୀୟ ନିର୍ବାଚନ ପ୍ରକ୍ରିୟା ବିଜେପିରେ ମଧ୍ୟ ଲୋକଦେଖାଣିଆ। ମୁଷ୍ଟିମେୟ କିଛି ନେତାଙ୍କ ‘କଟେରି’ ଦଳର ଅଧ୍ୟକ୍ଷ କିଏ ହେବ, ତା’ର ନିଷ୍ପତ୍ତି ନିଅନ୍ତି। ସହମତି ଆଳରେ ‘କଟେରି’ର ନିଷ୍ପତ୍ତି ଲଦି ଦିଆଯାଏ।

ବିଜେପି ସଭାପତି ନିର୍ବାଚନରେ ଏହା ଏକ ପରଂପରା। ସାଧାରଣ କର୍ମକର୍ତ୍ତା କିମ୍ବା ଦଳୀୟ କର୍ମୀଙ୍କ ଏଥିରେ କୌଣସି ଭୂମିକା ନଥାଏ। ଖୋଦ୍‌ ମୋଦୀଙ୍କ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା ଏହାର ଉଦାହରଣ। ଲାଲକୃଷ୍ଣ ଆଡଭାନୀ ଓ ଅନ୍ୟମାନଙ୍କ ବିରୋଧକୁ ଅଣଦେଖା କରାଗଲା। ଅନେକ ସମୟରେ ତ ଦଳ ଭିତରେ ଦଳ ସଂକ୍ରାନ୍ତ ନିଷ୍ପତ୍ତି ନିଆ ନଯାଇ, ଆଉ ଏକ ସଂଗଠନ ଆର୍‌ଏସ୍‌ଏସ୍‌ ଉପରେ ଛାଡ଼ି ଦିଆଯାଏ। ପୁଣି ଯଦି ପ୍ରଧାନମନ୍ତ୍ରୀ ଓ ବିଜେପି ଗଣତାନ୍ତ୍ରିକ ଧାରାରେ ଭିନ୍ନମତ ପ୍ରତି ସମ୍ମାନ ଦେଉଥାନ୍ତେ, ତେବେ ଯଶବନ୍ତ ସିହ୍ନା ଅନ୍ୟ ଭିନ୍ନମତବାଦୀଙ୍କ ଉପରେ ‘ଦଳ ବିରୋଧୀ’ର ମୋହର ଲଗା ଯାଆନ୍ତା ନାହିଁ। ମହାରାଷ୍ଟ୍ରର ଜଣେ ଦଳୀୟ ସାଂସଦଙ୍କୁ ଅଭିଯୋଗ କରିବାକୁ ପଡ଼ନ୍ତା ନାହିଁ ଯେ, ସଂସଦୀୟ ଦଳ ବୈଠକରେ ଏକା ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଆଉ କାହାକୁ ନିଜ ମତ ରଖିବାର ସୁଯୋଗ ଦିଆଯାଏ ନାହିଁ। ଏହା ଅଛପା ନୁହେଁ ଯେ, ଉଭୟ ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଗତ ସାଢ଼େ ତିନିବର୍ଷ ହେଲା ପ୍ରଧାନମନ୍ତ୍ରୀ ଭାବେ ମୋଦୀ କ୍ୱଚିତ୍‌ ନିଜ କ୍ୟାବିନେଟ୍‌ ସହଯୋଗୀଙ୍କୁ ବିଶ୍ୱାସକୁ ନେଇ ବିଚାର ଆଲୋଚନା କରି ନିଷ୍ପତ୍ତି ନେବା ଦେଖାଯାଇଛି। ବିମୁଦ୍ରାୟନ ନିଷ୍ପତ୍ତି ଏହାର ଏକ ଉଦାହରଣ। ଅନ୍ୟ ମତ ଜାଣିବା ଲାଗି ମଧ୍ୟ ମୋଦୀ ଅନାଗ୍ରହୀ। ସେଥିପାଇଁ ଆଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରସଙ୍ଗରେ ମୋଦୀଙ୍କ ଦଳ ବିଜେପି, ଅନ୍ୟ ଦଳ ମାନଙ୍କ ଠାରୁ କୌଣସି ଗୁଣରେ ଭିନ୍ନ ନୁହେଁ। ଭଲ ନୁହେଁ, କି ଖରାପ ବି ନୁହେଁ। ତେଣୁ ଅନ୍ୟକୁ ପରାମର୍ଶ ଦେବା ଅପେକ୍ଷା ପ୍ରଧାନମନ୍ତ୍ରୀ ମହୋଦୟ ପ୍ରଥମେ ନିଜ ଦଳର କାର୍ଯ୍ୟଧାରାରେ ଗଣତନ୍ତ୍ରର ବାହାଲ ଲାଗି ପ୍ରୟାସ କରି ଉଦାହରଣ ସୃଷ୍ଟି କରନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ନାନା ଜାତି, ନାନା ଧର୍ମ, ନାନା ମତର ଏକ ବିବିଧତାପୂର୍ଣ୍ଣ ଦେଶର ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ ଭାବନା, ଆଭିମୁଖ୍ୟ ଓ କାର୍ଯ୍ୟଧାରାରେ ଆହୁରି ଅଧିକ ଗଣତାନ୍ତ୍ରିକ ସୁଗନ୍ଧ ଆଶା କରାଯାଏ।

ସମ୍ବନ୍ଧିତ ଖବର