ଭାରତବାସୀ ଆଜି ଦେଶର ଦ୍ୱିସପ୍ତତିତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛନ୍ତି। ସ୍ୱାଧୀନ ଭାରତର ପରମ୍ପରା ଅନୁଯାୟୀ ଏ ଅବସରରେ ପ୍ରଧାନମନ୍ତ୍ରୀ ଐତିହାସିକ ଲାଲକିଲ୍ଲାର ପ୍ରାଚୀର ଉପରେ ତ୍ରିରଙ୍ଗା ଉତ୍ତୋଳନ କରି ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବେ। ସରକାରଙ୍କ ସଫଳତାର ବିବରଣୀ ଦେଇ ଅଗଷ୍ଟ ପନ୍ଦରରେ ନୂଆ ଯୋଜନା, ନୂଆ ନୀତି ଘୋଷଣା ତଥା ଦେଶର ସ୍ୱାର୍ଥ ରକ୍ଷା ଓ ଜନତାଙ୍କ କଲ୍ୟାଣ ପାଇଁ ସଂକଳ୍ପ ଓ ଅଙ୍ଗୀକାରର ପୁନଃ ନବୀକରଣ ସକାଶେ ପ୍ରଧାନମନ୍ତ୍ରୀ ମାନଙ୍କ ପାଇଁ ଲାଲକିଲ୍ଲା ଭାଷଣ ଏକ ମହାର୍ଘ ଅବସର ହୋଇ ଆସିଛି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪, ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ତାଙ୍କର ପ୍ରଥମ ସ୍ୱାଧୀନତା ଦିବସ ଭାଷଣ ଦେଇ ଛଅଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ଏହି ଘୋଷଣା ଗୁଡ଼ିକ ମଧ୍ୟରେ ଥିଲା, ସ୍ୱଚ୍ଛ ଭାରତ, ସ୍ୱଚ୍ଛ ବିଦ୍ୟାଳୟ, ଜନଧନ ଆଦି ଯୋଜନା ଓ ଯୋଜନା କମିସନ୍ ବଦଳରେ ନୀତି ଆୟୋଗର ଗଠନ ନିଷ୍ପତ୍ତି। ପରବର୍ତ୍ତୀ ତିନିଟି ଲାଲକିଲ୍ଲା ଭାଷଣରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ମହୋଦୟ ଦୁର୍ନୀତି, କଳାଧନ ବିରୋଧରେ ଲଢ଼େଇ ଓ ଗରିବଙ୍କ କଲ୍ୟାଣ ପାଇଁ ସଂକଳ୍ପବଦ୍ଧତାକୁ ଦୋହରାଇବା ସହ କେତେକ ନୂଆ ଯୋଜନା ଓ ନୀତି ଘୋଷଣା କରି ଦେଶବାସୀଙ୍କୁ ପ୍ରଗତି ଓ ବିକାଶର ସ୍ୱପ୍ନ ଦେଖାଇ ଆସିଛନ୍ତି। ଦେଶର ପ୍ରଗତି, ଲୋକଙ୍କ କଲ୍ୟାଣ ପାଇଁ ସରକାରଙ୍କ ନିଷ୍ଠାପର, ଆନ୍ତରିକତାପୂର୍ଣ୍ଣ ଆଭିମୁଖ୍ୟର ସଂକେତ ସ୍ୱରୂପ ମୋଦୀଙ୍କ ଲାଲକିଲ୍ଲା ଭାଷଣରୁ ‘ସ୍ୱରାଜରୁ ସ୍ୱରାଜ’, ‘ଚଲ୍ତାହୈ ନହିଁ, ବଦଲ୍ ସକ୍ତା ହୈ, ‘ନ୍ୟୁ ଇଣ୍ଡିଆ’ ଭଳି କିଛି ପ୍ରେରଣାଦାୟୀ ସ୍ଲୋଗାନ୍ ମଧ୍ୟ ଶୁଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚଉଦରୁ ପ୍ରଧାନମନ୍ତ୍ରୀ ପଦରେ ପାଞ୍ଚବର୍ଷିଆ କାର୍ଯ୍ୟକାଳ ଆରମ୍ଭ କରିଥିବା ମୋଦୀ ଏଥର ଲାଲକିଲ୍ଲାରୁ ତାଙ୍କର ପଞ୍ଚମ ତଥା ଶେଷ ଉଦ୍ବୋଧନ ଦେବେ। କେମିତି ରହିବ ମୋଦୀଙ୍କ ପଞ୍ଚମ ଲାଲକିଲ୍ଲା ଭାଷଣ? କ’ଣ ସବୁ ନୂଆ ଯୋଜନା ଓ ନୀତିଗତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ଘୋଷଣା କରିବେ? ଏ ପ୍ରଶ୍ନ ଉପରେ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ସବୁ ମହଲରେ ବେଶ୍ ଉତ୍କଣ୍ଠାର ସହ ବ୍ୟାପକ ବିଚାର ଆଲୋଚନା ଚାଲିଛି। ପୂର୍ବଥର ଗୁଡ଼ିକ ଅପେକ୍ଷା ଏଥର ପ୍ରଧାନମନ୍ତ୍ରୀଙ୍କ ଲାଲକିଲ୍ଲା ଭାଷଣର ଚିତ୍ର ଓ ଚରିତ୍ର ନେଇ ଉତ୍କଣ୍ଠାର ମାତ୍ରା ଅଧିକ, ଏଥିପାଇଁ ଯେ, ଦେଶ ଏବେ ନିର୍ବାଚନ ମୁହାଁ। ଗତ କିଛି ମାସ ହେଲା ନିର୍ବାଚନ ନେଇ ଉଷ୍ମତା ରହିଆସିଛି। ଏବେ କିନ୍ତୁ ହଠାତ୍ କେତେକ ରାଜ୍ୟର ବିଧାନସଭା ସହ ଆଗୁଆ ସାଧାରଣ ନିର୍ବାଚନର ସମ୍ଭାବନା ରାଜନୈତିକ ବାତାବରଣର ତାତି ବଢାଇ ଦେଇଛି। ଏଣୁ ପ୍ରଧାନମନ୍ତ୍ରୀଙ୍କ ପଞ୍ଚମ ତଥା ଶେଷ ଲାଲକିଲ୍ଲା ଭାଷଣ ଉପରେ ସମସ୍ତଙ୍କ ବିଶେଷ ନଜର ରହିବା ସ୍ୱାଭାବିକ। ଅନ୍ୟପକ୍ଷରେ ୭୨ତମ ସ୍ୱାଧୀନତା ଦିବସ ଅବସରରେ ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବାବେଳେ ଦ୍ୱିତୀୟବାର ପଦକୁ ଫେରିବା ଲକ୍ଷ୍ୟରେ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନଜର ମଧ୍ୟ ଭୋଟ ଉପରେ ରହିବ।
ସ୍ୱାଧୀନତା ଦିବସ ଉଦ୍ବୋଧନ ଦେବା ପାଇଁ ଲାଲକିଲ୍ଲାକୁ ଉଠିଲା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଣିରୁ ମତଦାତାଙ୍କୁ ପ୍ରଭାବିତ କଲାଭଳି ଅବଶ୍ୟ କିଛି ନୂଆ ଯୋଜନା ନିଶ୍ଚୟ ବାହାରିବ। ଯେମିତି ‘ଆୟୁଷ୍ମାନ ଭାରତ’ ଯୋଜନାରେ ମୁଣ୍ଡ ପିଛା ପାଞ୍ଚଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା। ତେବେ ନୂଆ ଯୋଜନା ଅପେକ୍ଷା ପୂର୍ବରୁ ଚାଲୁ ରହିଥିବା କିଛି ଯୋଜନାର ହିତାଧିକାରୀଙ୍କୁ ବାନ୍ଧି ରଖିବା ସହ ନୂଆ ହିତାଧିକାରୀ ସୃଷ୍ଟି ପାଇଁ ଯୋଜନାଗୁଡ଼ିକର ସଂପ୍ରସାରଣ ଓ ଉନ୍ନତୀକରଣ ଉପରେ ଭୋଟ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି। ପାଞ୍ଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଜନାରୁ ଅନେକ ରାଜ୍ୟ ଓହରି ଗଲା ପରେ ପୂର୍ବରୁ ଏହି ଯୋଜନା ଯେମିତି ଚମକପ୍ରଦ ହେବ ବୋଲି ଆଶା କରାଯାଉଥିଲା, ସେ ଆଶା ମଉଳି ଯାଇଛି। ସମଗ୍ର ଦେଶ ପାଇଁ ଆୟୁଷ୍ମାନ ଭାରତ ଅନ୍ତର୍ଗତ ସ୍ୱାସ୍ଥ୍ୟ ବୀମା ଯୋଜନା ଘୋଷଣା ପରିବର୍ତ୍ତେ ପରୀକ୍ଷା-ମୂଳକ ଭାବେ କେବଳ ୧୧ଟି ରାଜ୍ୟର ୮୦ଟି ଜିଲ୍ଲାରେ ଏହା ଆରମ୍ଭ ଲାଗି ନିଷ୍ପତ୍ତି ହୋଇଛି। ଫଳରେ ‘ମୋଦୀ କେୟାର’ରୁ ଚମକ ଉଡ଼ିଯାଇଛି। ଯେହେତୁ ପୂର୍ବ ଆକଳନ ମୁତାବକ ଆୟୁଷ୍ମାନ ଭାରତର କାର୍ଯ୍ୟକାରିତା ସମ୍ଭବ ହୋଇପାରୁ ନାହିଁ, ଏବେ ‘ଉଜ୍ଜ୍ୱଳା’, ‘ପ୍ରଧାନମନ୍ତ୍ରୀ ଆବାସ’, ‘ସୌଭାଗ୍ୟ’, ‘ଜନଧନ’, ‘ଅଟଳ ପେନ୍ସନ’ ଆଦି ଯୋଜନାର ସଂପ୍ରସାରଣ ଓ ଉନ୍ନତୀକରଣ ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବା ସମ୍ଭାବନା ରହିଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସାମାଜିକ-ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ, ଗରିବ ଓ ଗ୍ରାମାଞ୍ଚଳ ଭୋଟରଙ୍କୁ ଲକ୍ଷ୍ୟରେ ରଖି ଏହି ଯୋଜନା ଗୁଡ଼ିକର ଉଭୟ ସଂଖ୍ୟାତ୍ମକ ଓ ଗୁଣାତ୍ମକ ପରିବର୍ଦ୍ଧନ ଉପରେ ଗୁରୁତ୍ୱ ଦିଆଯାଉଛି।
‘ଉଜ୍ଜ୍ୱଳା’ ଯୋଜନାରେ ୫ କୋଟି ଗୃହିଣୀଙ୍କୁ ରନ୍ଧନ ଗ୍ୟାସ୍ ସଂଯୋଗ ଦେବାକୁ ଲକ୍ଷ୍ୟ ଥିଲା। ଗତ ଫେବ୍ରୁଆରିରେ ଏହାକୁ ୮ କୋଟିକୁ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଅଗଷ୍ଟ ସୁଦ୍ଧା ପ୍ରାୟ ସାଢ଼େ ଚାରି କୋଟି ହିତାଧିକାରୀଙ୍କୁ ଗ୍ୟାସ୍ ସଂଯୋଗ ଦିଆଯାଇଛି। ସ୍ୱାଧୀନତା ଦିବସ ଅବସରରେ ଆହୁରି ଅଧିକ ମହିଳା ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବା ବିଷୟ ଘୋଷଣା କରାଯାଇପାରେ। ମହିଳା ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ‘ଉଜ୍ଜ୍ୱଳା’ ଏକ ମାଧ୍ୟମ। ସେହିପରି ‘ସୌଭାଗ୍ୟ’ ଯୋଜନାରେ ଗ୍ରାମାଞ୍ଚଳର ୧୦ ଲକ୍ଷ ପରିବାରକୁ ବିଦ୍ୟୁତ୍ ଯୋଗାଣର ଲକ୍ଷ୍ୟକୁ ୩୭ ଲକ୍ଷକୁ ବୃଦ୍ଧି କରାଯାଇପାରେ। ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଯୋଜନାରେ ଅଗଷ୍ଟ ପହିଲା ସୁଦ୍ଧା ୪ ଲକ୍ଷ ୮୦ ହଜାର ବାସଗୃହ ନିର୍ମାଣ ସରିଛି। ଆଗାମୀ ଡିସେମ୍ବର ଶେଷ ସୁଦ୍ଧା ୧୦ ଲକ୍ଷ ବାସଗୃହ ନିର୍ମାଣ ଲକ୍ଷ୍ୟ ହାସଲ ବିଷୟ ଘୋଷଣା କରାଯାଇପାରେ। ୨୦୧୮ ଏପ୍ରିଲ୍ ୧୪ ରୁ ଆରମ୍ଭ ହୋଇଥିବା ଗ୍ରାମ ସ୍ୱରାଜ ଅଭିଯାନରେ ଦେଶର ୧୧୫ଟି ଆକାଂକ୍ଷା ଜିଲ୍ଲାର ୪୯ ହଜାର ଗ୍ରାମରେ ‘ଉଜ୍ଜ୍ୱଳା’, ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଏବଂ ସୌଭାଗ୍ୟ ଯୋଜନା ଯେମିତି ସବୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚେ ସେଥି ପ୍ରତି ପ୍ରାଥମିକତା ଦିଆଯାଇଛି। ମତଦାତାଙ୍କ ଧ୍ୟାନ ଆକର୍ଷଣ ପାଇଁ ଏ ବିଷୟକୁ ପ୍ରଧାନମନ୍ତ୍ରୀ ପୁଣି ଦୋହରାଇ ପାରନ୍ତି। ୨୦୧୪ରୁ ଆରମ୍ଭ ହୋଇଥିବା ଜନଧନ ଯୋଜନାର ହିତାଧିକାରୀମାନଙ୍କ ପାଇଁ କିଛି ବିଶେଷ ସ୍ୱାଧୀନତା ଦିବସ ଉପହାର ଘୋଷଣାର ଅପେକ୍ଷା କରାଯାଉଛି।
ଜନଧନ ଯୋଜନାରେ ସାମିଲ ୩୨ କୋଟି ହିତାଧିକାରୀଙ୍କ ପାଇଁ ‘ଓଭର ଡ୍ରାଫ୍ଟ’ ସୁବିଧା ଦୁଇଗୁଣ ବୃଦ୍ଧି କରି ୫ ହଜାରରୁ ୧୦ ହଜାରକୁ ବଢ଼ାଇବା ବିଷୟ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଘୋଷଣା କରିପାରନ୍ତି। ଅଟଳ ପେନ୍ସନ ଯୋଜନାରେ ସର୍ବନିମ୍ନ ପେନ୍ସନ ପରିମାଣକୁ ମଧ୍ୟ ୫ ହଜାରରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇପାରେ। ଚାଷୀ ଅସନ୍ତୋଷକୁ ଆଖି ଆଗରେ ରଖି ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପରେ ପ୍ରଧାନମନ୍ତ୍ରୀ କୃଷି ଓ କୃଷକ କଲ୍ୟାଣ ପାଇଁ ଆଉ କିଛି ଯୋଜନା ଘୋଷଣା କରିପାରନ୍ତି। ଅନୁସୂଚିତ ଜନଜାତିଙ୍କ ପାଇଁ ଲଘୁ ବନଜାତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ବିଷୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭାଷଣରେ ସ୍ଥାନ ପାଇବା ସମ୍ଭାବନା ରହିଛି।
ତେବେ, ପ୍ରଧାନମନ୍ତ୍ରୀ ଓ ଶାସକ ପକ୍ଷର ସହଯୋଗୀମାନେ ଭୁଲିଯିବା ଉଚିତ ନୁହେଁ ଯେ, ନିର୍ଦ୍ଦିଷ୍ଟ ବର୍ଗଙ୍କ ପାଇଁ କେବଳ କେତେକ ଲୋଭନୀୟ ଯୋଜନା ଘୋଷଣା କରିଦେଲେ ସଂପୃକ୍ତ ବର୍ଗର ଭୋଟ ପକ୍କା ହୋଇ ଯାଏ ନାହିଁ। ଜନମତକୁ ପ୍ରଭାବିତ କରିବା ଲାଗି ଯୋଜନା ପ୍ରଣୟନ ଓ ଘୋଷଣା ଅପେକ୍ଷା ଏହାର ରୂପାୟନ ଅଧିକ ଗୁରୁତ୍ୱପୂର୍ଣ୍ଣ। ଯୋଜନାର ରୂପାୟନ ନହେଲେ ଯେଉଁମାନଙ୍କ ପାଇଁ ଯୋଜନା ଉଦ୍ଦିଷ୍ଟ ସେମାନେ ଉପକୃତ ହୁଅନ୍ତି ନାହିଁ। ସ୍ୱଚ୍ଛ ଭାରତ ଯୋଜନାରେ ଗ୍ରାମାଞ୍ଚଳର ୭୭ ପ୍ରତିଶତ ଘରେ ବର୍ତ୍ତମାନ ପାଇଖାନା। ଅଥଚ ଏଥିରୁ ଅଧାରୁ ଅଧିକ ବ୍ୟବହାର ହେଉନାହିଁ। ସ୍ୱଚ୍ଛ ବିଦ୍ୟାଳୟ ଯୋଜନାରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ବର୍ଷକ ମଧ୍ୟରେ ସବୁ ସ୍କୁଲରେ ଉଭୟ ବାଳକ ଓ ବାଳିକାଙ୍କ ପାଇଁ ଶୌଚାଳୟ ରହିବ। କିନ୍ତୁ ଚାରି ବର୍ଷ ପରେ ବି ବାଳିକାଙ୍କ ପାଇଁ ୨୦ ହଜାର ସ୍କୁଲ ଓ ବାଳକଙ୍କ ପାଇଁ ୨୮ ହଜାର ସ୍କୁଲରେ ଶୌଚାଳୟ ନାହିଁ। ପୁଣି ଯେତିକି ତିଆରି ହୋଇଛି ସେଥିରୁ ଦେଢ଼ଲକ୍ଷରୁ ଅଧିକ ବ୍ୟବହାର ଉପଯୋଗୀ ନୁହେଁ। ଏଥିରେ ପରିସଂଖ୍ୟାନ ଦେଖାଇ ସଫଳତାର କାହାଣୀ କୁହାଯାଇପାରେ, କିନ୍ତୁ ପରିମଳ କ୍ଷେତ୍ରରେ ଅବସ୍ଥାର ପରିବର୍ତ୍ତନ ସମ୍ଭବ ନୁହେଁ। ‘ଉଜ୍ଜ୍ୱଳା’ରେ ସାଢ଼େ ଚାରିକୋଟି ଗୃହିଣୀଙ୍କୁ ରନ୍ଧନ ଗ୍ୟାସ୍ ଦିଆଯାଇଛି। ଅଥଚ ସେଥିରୁ ୩୦ ପ୍ରତିଶତ ହିତାଧିକାରୀ ଦ୍ୱିତୀୟଥର ଗ୍ୟାସ୍ ସିଲିଣ୍ଡର ନେଇ ନାହାନ୍ତି। ଏମିତିରେ ଯୋଜନାର ଲକ୍ଷ୍ୟ ପୂରଣ ହେବ କେମିତି?
ତେଣୁ ପ୍ରଧାନମନ୍ତ୍ରୀ ମହୋଦୟ ଲାଲକିଲ୍ଲାରୁ ଯୋଜନା ଘୋଷଣା କରି ନିଜର ଦାୟିତ୍ୱ ସାରିଦେଲେ ଏଥିରୁ ଭୋଟ ଅମଳ ଆଶା କ୍ଷୀଣ। ପ୍ରଭାବଶାଳୀ ରୂପାୟନର ଉତ୍ତରଦାୟିତ୍ୱ ନେଲେ ହିଁ ଭୋଟ ଅମଳର ଆଶା ଉଜ୍ଜ୍ୱଳ ହୋଇପାରେ।