ବିଗତ ସାତ ଦଶନ୍ଧି ଧରି ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ରାଜନୀତିର ମହାମଞ୍ଚରେ କୈମ୍ବଦନ୍ତିକ ଅଟଳ ମହାନାୟକ ଅଟଳ ବିହାରୀ ବାଜପେୟୀ ସମଗ୍ର ଦେଶବାସୀଙ୍କୁ ସ୍ତବ୍‌ଧ କରି ବିଦାୟ ନେଇଛନ୍ତି। ଜଣେ ବିରଳ ଗୁଣ ସମ୍ପନ୍ନ ଚିନ୍ତାନାୟକ, ଉଦାରବାଦୀ ରାଷ୍ଟ୍ରନୀତିଜ୍ଞ ଏବଂ ନୀତିନିଷ୍ଠ ରାଜନୀତିଜ୍ଞଙ୍କୁ ହରାଇ ଶୋକସନ୍ତପ୍ତ ଦେଶବାସୀଙ୍କ ସହ ଆମେ ମଧ୍ୟ ସ୍ତବ୍ଧ ହୋଇ ଦିବଂଗତ ମହାନାୟକଙ୍କ ମହାନ୍‌ ଆତ୍ମା ପ୍ରତି ସମ୍ମାନ ଓ ଶ୍ରଦ୍ଧା ଜ୍ଞାପନ ପୂର୍ବକ ଗତକାଲି ଏ ସ୍ତମ୍ଭକୁ ଫାଙ୍କା ଛାଡ଼ି ଦେଇଥିଲୁ। ଅଟଳ ମହାମେରୁ ସଦୃଶ ମହାନାୟକଙ୍କ ଅବର୍ତମାନ ପରେ ସମୟ ଯେତିକି ଅତିକ୍ରାନ୍ତ ହେଉଛି, ସେତିକି ମହାଶୂନ୍ୟତା ଅନୁଭୂତ ହେଉଛି। ଭାରତମାତା ଏକ ‘ରତ୍ନ’କୁ ହଜାଇବାର ଦୁଃଖ ସେତେ ଅଧିକ ଅନୁଭବ କରୁଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସରକାରଙ୍କ ଦ୍ୱାରା ଆଗତ ଆସ୍ଥା ଭୋଟରେ ମତଦାନ ପାଇଁ ୨୦୦୮, ଜୁଲାଇ ୨୨ରେ ହ୍ଵିଲ୍‌ ଚେୟାର୍‌ ସଂସଦକୁ ଆସିବା ପରେ କ୍ୱଚିତ୍‌ କୌଣସି କାର୍ଯ୍ୟକ୍ରମରେ ବାଜପେୟୀଙ୍କୁ ଦେଖାଯାଉଥିଲା। ସାଧାରଣ ଜୀବନରୁ କବିପ୍ରାଣ ପୂର୍ବତନ ପ୍ରଧାନମନ୍ତ୍ରୀ ନିଜକୁ ପ୍ରାୟତଃ ଦୂରେଇ ନେଇଥିଲେ। ଦଶକ ଦଶକ ଧରି ନିଜର ଈଶ୍ୱରଦତ୍ତ ବାଗ୍ମିତା ବଳରେ ଯେଉଁ ନେତା ଶବ୍ଦର ବର୍ଷା କରି କୋଟି କୋଟି ଭାରତୀୟ ଜନଗଣଙ୍କ ମନ ଓ ହୃଦୟକୁ ଭିଜାଇ ଦେଇଥିଲେ, ସେହି ବାଗ୍ମୀ ବାଜପେୟୀ ନିର୍ବାକ୍‌ ହୋଇ ଯାଇଥିଲେ। ଯେଉଁ ନାୟକଙ୍କ ଡାକରାରେ ଲକ୍ଷ ଲକ୍ଷ, କୋଟି କୋଟି ଜନତା ରାସ୍ତାକୁ ଓହ୍ଲାଇ ଆସୁଥିଲେ, ସେ ହୋଇଯାଇଥିଲେ ନିଶ୍ଚଳ। ତେବେ ନିର୍ବାକ୍‌, ନିଶ୍ଚଳ ହେଲେ ସୁଦ୍ଧା ସଶରୀରେ ଇହଧାମରେ ତାଙ୍କର ଉପସ୍ଥିତି ହିଁ ରାଷ୍ଟ୍ରଗଠନରେ ମାନବବାଦ, ରାଜନୀତିରେ ନୀତି, ନୈତିକତା, ମୂଲ୍ୟବୋଧ ଓ ସାଧାରଣ ଜୀବନରେ ଉଦାରବାଦୀ ଧର୍ମନିରପେକ୍ଷତା ପ୍ରତି ଭାରତୀୟ ସମାଜ, ବିଶେଷକରି ଦେଶର ରାଜନୈତିକ ବର୍ଗଙ୍କୁ ସଚେତନ କରାଇବା ଲାଗି ଯଥେଷ୍ଟ ଥିଲା। ବାଜପେୟୀ ପ୍ରଧାନମନ୍ତ୍ରୀ ପଦରେ ଆସୀନ ହୁଅନ୍ତୁ କି ବିରୋଧୀ ଦଳ ନେତାର ଭୂମିକା ନିର୍ବାହ କରନ୍ତୁ, ଗଣତନ୍ତ୍ର ପ୍ରତି ତାଙ୍କର ଅଙ୍ଗୀକାର, ନୀତି ନୈତିକତା ପ୍ରତି ନିଷ୍ଠା, ମାନବୀୟ ମୂଲ୍ୟବୋଧ ଉପରେ ବିଶ୍ୱାସ ଥିଲା ଅତୁଟ, ତାଙ୍କର ଦେଶଭକ୍ତି ଥିଲା ପ୍ରଶ୍ନାତୀତ। ସେ ଥିଲେ ଜଣେ ରାଷ୍ଟ୍ରନିର୍ମାତା, ଦେଶଭକ୍ତ ଉଦାର ଗଣତନ୍ତ୍ରବାଦୀ ରାଷ୍ଟ୍ରନୀତିଜ୍ଞ। ବ୍ୟକ୍ତିତ୍ୱରେ ଖୁନ୍ଦି ହୋଇଥିବା ଏହି ସବୁ ଅତିମାନବୀୟ ଗୁଣ ଯୋଗୁ ଅଟଳ ବିହାରୀ ସଂକୀର୍ଣ୍ଣ ରାଜନୈତିକ ଆଦର୍ଶଗତ ପ୍ରାଚୀର ଭାଙ୍ଗି ଭାରତୀୟ ରାଜନୀତିର ବାମ- ଦକ୍ଷିଣ- କେନ୍ଦ୍ର ସବୁ ଶିବିରରେ ନିଜକୁ ଗ୍ରହଣୀୟ କରାଇ ପାରିଥିଲେ। ରାଜନୈତିକ ଦଳଗତ ଓ ଆଦର୍ଶଗତ ଦୂରତ୍ୱକୁ ସେ ସଦିଚ୍ଛା, ସହଯୋଗର ସେତୁ ବାନ୍ଧି କମାଇବାରେ ସମର୍ଥ ହୋଇଥିଲେ। ଏହା ଥିଲା ତାଙ୍କର ସାଧାରଣ ଜୀବନର ବିଶେଷତ୍ୱ। ସେଥିପାଇଁ ପରମ ରାଜନୈତିକ ଶତ୍ରୁମାନଙ୍କର ମଧ୍ୟ ଅଗାଧ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହୋଇ ପାରିଥିଲେ।

Advertisment

ଏହାର ପ୍ରମାଣ ହେଲା ପ୍ରଥମ ଅଣ-କଂଗ୍ରେସ ତଥା ପ୍ରଥମ ମେଣ୍ଟ ସରକାରର ପ୍ରଧାନମନ୍ତ୍ରୀ ଭାବେ ପୂର୍ଣ୍ଣ କାର୍ଯ୍ୟକାଳ ସମାପ୍ତ କରିବା। ଭାରତରେ ମେଣ୍ଟ ରାଜନୀତିର ସେ ଥିଲେ ଜଣେ ସଫଳ ବିନ୍ଧାଣି, ରାଜନୀତିରେ ସହମତିର ଜଣେ ପ୍ରମୁଖ ସ୍ଥପତି। କେବଳ ମୁହଁରେ ସେ ‘ସହମତି’ର ପ୍ରବକ୍ତା ନଥିଲେ, ଏହା ପଛରେ ତାଙ୍କର ବିଶ୍ୱାସ ଓ ନିଷ୍ଠା ଥିଲା। ଏକ ନାନା ବର୍ଣ୍ଣ, ନାନା ଧର୍ମ ଓ ନାନା ଜାତିର ବିବିଧତାର ଦେଶରେ ସହମତି ଯେ ଏକ ରାଜନୈତିିକ ଆବଶ୍ୟକତା ଏହା ବାଜପେୟୀ ନିଜେ ବୁଝି ଅନ୍ୟକୁ ମଧ୍ୟ ବୁଝାଉଥିଲେ। ଭାରତୀୟ ରାଜନୀତିରେ ନବେ ଦଶକର ଶେଷ ପର୍ଯ୍ୟନ୍ତ କେବଳ ଦେଶର ଉତ୍ତରରେ ସୀମିତ ଏବଂ ଅନ୍ୟ ଦଳଙ୍କ ଦ୍ୱାରା ଏକପ୍ରକାର ‘ଅଛୁଆଁ’ ଦକ୍ଷିଣ ପନ୍ଥୀ ହିନ୍ଦୁତ୍ୱ ଦଳ ବିଜେପି ପକ୍ଷରେ ବୋଧହୁଏ କେନ୍ଦ୍ରରେ କ୍ଷମତା ଦଖଲ ସମ୍ଭବ ହୋଇ ନଥାନ୍ତା, ଯଦି ଉଦାରବାଦୀ ଧର୍ମନିରପେକ୍ଷ ବାଜପେୟୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରାଯାଇ ନଥାନ୍ତା। ମେଣ୍ଟ ରାଜନୀତିରେ ସଫଳତାର ସ୍ୱାକ୍ଷର ସ୍ୱରୂପ ବାଜପେୟୀ ଦେଶର ସର୍ବୋଚ୍ଚ ଆସନକର୍ତ୍ତାର ଆସନରେ ବସିଥିଲେ.କିନ୍ତୁ ତାଙ୍କ ଉଜ୍ଜ୍ୱଳ ବ୍ୟକ୍ତିତ୍ୱ ଓ ଦୃଢ଼ ନେତୃତ୍ୱ ଆଗରେ ମେଣ୍ଟ ରାଜନୀତିର ସ୍ୱାଭାବିକ ବାଧ୍ୟବାଧକତା ହାର ମାନିଥିଲା। ଗୋଟିଏ ମେଣ୍ଟ ସରକାରର ନେତୃତ୍ୱ ନେବାର ଜଟିଳତା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଭାବେ ସେ ଅନେକ ଉଜ୍ଜ୍ୱଳ ସ୍ୱାକ୍ଷର ଛାଡ଼ି ଯାଇଛନ୍ତି। ତାଙ୍କର ଦୂରଦୃଷ୍ଟି ଏବଂ କଲ୍ୟାଣକାରୀ, ବିକାଶନ୍ମୁଖୀ ଆଭିମୁଖ୍ୟର କେତେକ କୀର୍ତ୍ତିମାନ ହେଲା- ପୋଖରାନ୍‌-୨ ବା ଦ୍ୱିତୀୟ ଆଣବିକ ପରୀକ୍ଷଣ, ଉଭୟ ଜାତୀୟ ରାଜପଥ ଓ ଗ୍ରାମାଞ୍ଚଳରେ ସଡ଼କ ଯୋଗାଯୋଗର ସଂପ୍ରସାରଣ, ପାରମ୍ପରିକ ଶତ୍ରୁ ପାକିସ୍ତାନ ସହ ଶାନ୍ତିପୂର୍ଣ୍ଣ ସମ୍ପର୍କ ପାଇଁ ବସ୍‌ରେ ଲାହୋର୍‌ ଯାତ୍ରା ଏବଂ ‘ଧଳାହାତୀ’ ରାଷ୍ଟ୍ରାୟତ୍ତ ସଂସ୍ଥା ଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର ଉଦାରବାଦୀ ଅର୍ଥନୀତିକୁ ସେ ବଳ ଦେଇଥିଲେ। ବାଜପେୟୀ ଆମେରିକାର ବାସନ୍ଦକୁ ଭ୍ରୂକ୍ଷେପ କରି ଯଦି ଦ୍ୱିତୀୟ ଆଣବିକ ପରୀକ୍ଷଣ କରିନଥାନ୍ତେ, ତେବେ ବୋଧହୁଏ ଚୀନର ସାମ୍ରାଜ୍ୟବାଦର ମୁକାବିଲା ପାଇଁ ଆଜି ଭାରତ ଯେଉଁ ସ୍ଥିତିରେ ଅଛି, ସେହି ସ୍ଥିତିରେ ନଥାନ୍ତା। ଆମେରିକାର ନାଲି ଆଖିକୁ ଖାତିର ନକରି ଦ୍ୱିତୀୟ ଆଣବିକ ପରୀକ୍ଷଣ- ଏସିଆ ମହାଦେଶର ସାମରିକ ଭାରସାମ୍ୟକୁ ଭାରତ ସପକ୍ଷରେ ବଦଳାଇ ଦେଇଥିଲା। ଶାନ୍ତିର ହାତ ବଢ଼େଇ ବାଜପେୟୀ ବସ୍‌ରେ ଲାହୋର୍‌ ଗଲେ, ଅଥଚ, ପାକିସ୍ତାନର ବିଶ୍ୱାସଘାତକତାର ପ୍ରରିଣାମ ହେଲା କାର୍‌ଗିଲ୍‌। କାର୍‌ଗିଲ୍‌ ଯୁଦ୍ଧରେ ଯେଉଁଭଳି ଭାବେ ସାହସ ଓ ଧୈର୍ଯ୍ୟର ସହ ବାଜପେୟୀଙ୍କ ନେତୃତ୍ୱ ବିଶ୍ୱ ଦରବାରରେ ଭାରତର ଉଚ୍ଚତାକୁ ଆହୁରି ବଢ଼ାଇ ଦେଇଥିଲା। କାରଗିଲ୍‌ ନିଶ୍ଚୟ ଲାହୋର ଯାତ୍ରାର ଚମକକୁ ଚୋରାଇ ନେଇଥିଲା, କିନ୍ତୁ ଏବେବି ଲାହୋର ଘୋଷଣାନାମା ଭାରତ-ପାକ୍‌ ଶାନ୍ତି ଓ କଶ୍ମୀର ସମସ୍ୟାର ସମାଧାନ ଦିଗରେ ଏକ ଦିଶା ନିର୍ଦ୍ଦେଶକ ଦସ୍ତାବେଜ।

ପ୍ରଥମ ଅଣ-କଂଗ୍ରେସ ତଥା ଗୋଟିଏ ମେଣ୍ଟ ସରକାର ଦିଲ୍ଲୀରେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବା ଯଦି ବିଚକ୍ଷଣ ରାଜନୀତିଜ୍ଞ ଭାବେ ବାଜପେୟୀଙ୍କ ପରିଚୟ ଦିଏ, ତେବେ କାର୍‌ଗିଲ୍‌ ସଙ୍କଟର ମୁକାବିଲା ରାଷ୍ଟ୍ରନୀତିଜ୍ଞ ଭାବେ ତାଙ୍କର କୂଟନୈତିକ ନିପୁଣତା, ସାମରିକ ରଣକୌଶଳର ପ୍ରମାଣ। ବିଭିନ୍ନ ପ୍ରସଙ୍ଗରେ ସଂସଦରେ ଯୁକ୍ତି ଓ ତଥ୍ୟନିଷ୍ଠ ବକ୍ତବ୍ୟ ପ୍ରବୀଣ ସାଂସଦ ଭାବେ ତାଙ୍କୁ ପୃଥକ୍‌ ଏକ ପରିଚୟ ଦେଇଛି। ରାଜନୀତି ଓ ମାନବବାଦର ବିରଳ ସଂଯୋଗର ଯେ ସେ ପ୍ରତୀକ ଥିଲେ, ଏହାର ପ୍ରମାଣ ହେଲା, ୧୯୯୯ ମହାବାତ୍ୟା ପୀଡ଼ିତ ଓଡ଼ିଶାର ପୁନଃନିର୍ମାଣରେ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ସହଯୋଗପୂର୍ଣ୍ଣ ଭୂମିକା। ଅକୁଣ୍ଠ ଓ ଉଦାର ସହାୟତା ଦେଇ ବାଜପେୟୀ ବାତ୍ୟାବିଧ୍ୱସ୍ତ ଓଡ଼ିଶାବାସୀଙ୍କର ବିଶ୍ୱାସଭାଜନ ହୋଇପାରିଥିଲେ। ଅମଲାତାନ୍ତ୍ରିକ ନୀତି-ନିୟମର ବନ୍ଧନକୁ ଭାଙ୍ଗି ଓଡ଼ିଶାର ସାତଲକ୍ଷ ବାତ୍ୟା ବିପନ୍ନଙ୍କ ପାଇଁ ସେ ସ୍ୱତନ୍ତ୍ର ଗୃହ ନିର୍ମାଣ ସହାୟତା ଘୋଷଣା କରିଥିଲେ। ବାତ୍ୟା ପୀଡ଼ିତଙ୍କ ପ୍ରତି ତାଙ୍କର ସମାନୁଭୂତି ଓ ସମ୍ବେଦନଶୀଳତାକୁ ନିଶ୍ଚୟ ଓଡ଼ିଶା ଝୁରି ହେବ। କେବଳ ଓଡ଼ିଶା ନୁହେଁ, ସାରା ଦେଶର ଦରିଦ୍ରତମ ଶ୍ରେଣୀର ବ୍ୟକ୍ତିଙ୍କ ଖାଦ୍ୟ ନିରାପତ୍ତା ପାଇଁ ସେ ପ୍ରବର୍ତ୍ତନ କରିଥିବା ଅନ୍ତ୍ୟୋଦୟ ଓ ଅନ୍ନପୂର୍ଣ୍ଣା ଯୋଜନା ବାଜପେୟୀଙ୍କ ଗରିବଙ୍କ ପ୍ରତି ସମାନୁଭୂତି ଓ ମାନବୀୟ ଦରଦର ଆଉ ଏକ ଉଜ୍ଜ୍ୱଳ ଉଦାହରଣ।

ସମୟ ସୁଅରେ କିମ୍ବା ଅବସ୍ଥା ଚକ୍ରରେ ହୁଏତ ଦେଶବାସୀଙ୍କ ମନରେ ଦେଶପ୍ରେମୀ ରାଷ୍ଟ୍ରନୀତିଜ୍ଞ, ରାଜନୀତିରେ ମେଣ୍ଟର ବିନ୍ଧାଣି ଓ ସହମତିର ସ୍ଥପତି ଭାବେ ବିଜପେୟୀଙ୍କ ସ୍ମୃତି ଫିକା ପଡ଼ିଯାଇପାରେ। କିନ୍ତୁ ଗୋଟିଏ ବିଷୟ ପାଇଁ ଭାରତର ଅସ୍ତିତ୍ୱ ଥିବା ପର୍ଯ୍ୟନ୍ତ ଭାରତବାସୀ ମନ ଓ ପ୍ରାଣରେ ଅଟଳ ମହାନାୟକଙ୍କ ସ୍ମୃତି ଉଜ୍ଜୀବିତ ହୋଇ ରହିବ। ଧର୍ମନିରପେକ୍ଷତାବାଦର ଉପାସକ ଭାବେ ଏ ଦେଶ ବାଜପେୟୀଙ୍କୁ ଚିର ଦିନ ପାଇଁ ମନେ ରଖିବ। ଆର୍‌ଏସ୍‌ଏସ୍‌, ଜନସଂଘ ଓ ବିଜେପିରେ ହିନ୍ଦୁତ୍ୱବାଦୀ ଆଦର୍ଶ ମଧ୍ୟରେ ନିଜର ରାଜନୈତିକ ଜୀବନ ଗଢ଼ିଥିଲେ ସୁଦ୍ଧା, ରାଷ୍ଟ୍ରନିର୍ମାଣ ପାଇଁ ଭାରତୀୟତା, ବସୁଧୈବକୁଟୁମ୍ବକମ୍‌, ସର୍ବଧର୍ମ ସମନ୍ଵୟର ଆବଶ୍ୟକତା ଉପରେ ତାଙ୍କର ଅଗାଧ ବିଶ୍ୱାସ ଥିଲା। ଏନ୍‌ଡିଏର ପ୍ରମୁଖ ଦଳ ବିଜେପି ହେଲେ ସୁଦ୍ଧା ଧାରା ୩୭୦, ସମାନ ନାଗରିକ ସଂହିତା ଭଳି ହିନ୍ଦୁତ୍ୱ ପ୍ରସଙ୍ଗ ଶୀତଳ ଭଣ୍ଡାରକୁ ଠେଲି ମେଣ୍ଟର ସର୍ବନିମ୍ନ ରାଜନୈତିକ କାର୍ଯ୍ୟକ୍ରମ ବାଜପେୟୀଙ୍କ ଧର୍ମନିରପେକ୍ଷତା ପ୍ରତି ଅଙ୍ଗୀକାରର ପ୍ରମାଣ। ତାଙ୍କ ମତରେ ଭାରତ ଧର୍ମନିରପେକ୍ଷତା ବିନା ଭାରତ ନୁହେଁ। ଗୁଜୁରାଟ ଦଙ୍ଗା ନେଇ ଅତ୍ୟନ୍ତ ମର୍ମାହତ ବାଜପେୟୀ ରାଜ୍ୟର ବିଜେପି ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ‘ରାଜଧର୍ମ’ ବିଷୟ ସ୍ମରଣ କରାଇବାକୁ ଭୁଲି ନଥିଲେ। ବାଜପେୟୀଙ୍କ ଧର୍ମନିରପେକ୍ଷତା ଉପରେ ବିଶ୍ୱାସ କରି ଅହମ୍ମଦାବାଦର ଜଣେ ଅସହାୟା ଦଙ୍ଗା ପୀଡ଼ିତା ଭରସାର ସହ ବାଜପେୟୀଙ୍କୁ କହିଥିଲେ -‘ଆପଣ ହିଁ ଆମକୁ ଏହି ନର୍କରୁ ଉଦ୍ଧାର କରିପାରିବ’। କୁହାଯାଇପାରେ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ବାଜପେୟୀ ଥିଲେ ଭାରତୀୟ ଧର୍ମନିରପେକ୍ଷତାବାଦର ଜାଗ୍ରତ ପ୍ରହରୀ ଓ ବୋଧହୁଏ ଭାରତୀୟ ଧର୍ମନିରପେକ୍ଷତାବାଦର ଶେଷ ‘ହିନ୍ଦୁତ୍ୱ’ ପ୍ରହରୀ। ସାଂପ୍ରଦାୟିକତା ଓ ଅସହିଷ୍ଣୁତାର ବିଷ ସଂକ୍ରମଣରେ ଆଜି ଦେଶର ଯେଉଁ ଅବସ୍ଥା, ଭାତ ମାତାକୁ ବାଜପେୟୀଙ୍କ ଭଳି ଆହୁରି ଅନେକ ଧର୍ମନିରପେକ୍ଷତାବାଦର ପ୍ରହରୀ ଆବଶ୍ୟକ। ଏତିକିବେଳେ ଧର୍ମନିରପେକ୍ଷତାବାଦର ଶେଷ ‘ହିନ୍ଦୁତ୍ୱ’ ପ୍ରହରୀଙ୍କୁ ହରାଇବା ଦେଶ ପାଇଁ ଅପୂରଣୀୟ କ୍ଷତି। ଦଳ, ବର୍ଣ୍ଣ, ଧର୍ମ ମତ ନିର୍ବିଶେଷରେ ସମଗ୍ର ଦେଶବାସୀ ବାଜପେୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ସେ କ୍ଷତି ନିଶ୍ଚୟ ଭରଣା ହୋଇପାରିବ। ତାହା ହେବ ଦିବଂଗତ ଅଟଳ ମହାନାୟକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।