ହିଂସା ଦୂତ

ପାକିସ୍ତାନର ତାଜା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଟ୍ଵିଟ୍‌ କରି କହିଛନ୍ତି: ‘‘ନବଜୋତ୍‌ ସିଂହ ସିଦ୍ଧୁ ହେଉଛନ୍ତି ଶାନ୍ତିଦୂତ’’। ଏହା ସେହିପରି କଥା ଯେପରି ସିଦ୍ଧୁ ଯଦି ଟ୍ଵିଟ୍‌ କରି କହନ୍ତେ: ‘‘ଇମ୍ରାନ୍‌ ଖାନ୍‌ ହେଉଛନ୍ତି ଜଣେ ଆଜୀବନ ବ୍ରହ୍ମଚାରୀ!’’ କାରଣ ସିଦ୍ଧୁ ଏଭଳି ଜଣେ ଜଣାଶୁଣା ଭାବରେ ଶାନ୍ତିପ୍ରିୟ ବ୍ୟକ୍ତି ଯେ ୧୯୮୮ରୁ ଏପର୍ଯ୍ୟନ୍ତ ସେ ଏକ ନରହତ୍ୟା ମାମଲା ଅଭିଯୁକ୍ତ ଭାବରେ କଟାଇବା ପରେ ଦୀର୍ଘ ୩୦ ବର୍ଷ ପରେ ମଇ ୨୦୧୮ରେ ସୁପ୍ରିମ୍‌ କୋର୍ଟ ତାଙ୍କୁ ଅଭିଯୋଗ ମୁକ୍ତ କରିଛନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ କିନ୍ତୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଘୋଷଣା କରି ନାହାନ୍ତି। କାର୍‌ ପାର୍କିଂକୁ ନେଇ ସାମାନ୍ୟ ଯୁକ୍ତତର୍କ ୩୦ ବର୍ଷ ତଳେ ଏହି ‘ଶାନ୍ତିଦୂତ’ଙ୍କୁ ଏଭଳି କ୍ରୋଧାନ୍ଵିତ କରିଥିଲା ଯେ ସେ ଗୁର୍‌ନାମ ସିଂହ ନାମକ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ, ଯାହା ଗୁର୍‌ନାମଙ୍କ ପ୍ରାଣବାୟୁ ଉଡ଼ାଇ ଦେଇଥିଲା। ୨୦୦୬ରେ ପଞ୍ଜାବ ହାଇକୋର୍ଟ ସିଦ୍ଧୁଙ୍କୁ ଏଥିପାଇଁ ନରହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲା। ୨୦୦୭ରେ ସୁପ୍ରିମ୍‌ କୋର୍ଟ ସିଦ୍ଧୁଙ୍କ ଅପିଲ୍‌ର ବିଚାର କରି ଏହା ଉପରେ ସ୍ଥଗିତାଦେଶ ପ୍ରଦାନ କରିଥିଲେ। ୨୦୧୮ରେ ସେହି କୋର୍ଟ ସିଦ୍ଧୁଙ୍କୁ ନରହତ୍ୟା ଅଭିଯୋଗରୁ ମୁକ୍ତ କରିଥିଲେ, କିନ୍ତୁ ଆଇପିସି ଧାରା-୩୨୩ ଅନୁଯାୟୀ ମରଣାନ୍ତକ ଆକ୍ରମଣ ଅପରାଧରେ ଦୋଷୀ ସାବ୍ୟସ୍ତ କରି ତାଙ୍କ ଉପରେ ୧,୦୦୦ ଟଙ୍କାର ଜୋରିମାନା ଲଗାଇଥିଲେ। ଅଦାଲତ ଚାହିଁଥିଲେ ମଧ୍ୟ ଏହି ଧାରା ଅନୁସାରେ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ୍‌କୁ ପଠାଇ ଦେଇ ପାରିଥାନ୍ତେ; କିନ୍ତୁ ଦୟା ଭାବ ପ୍ରଦର୍ଶନ କରି ତାହା କରିନଥିଲେ। କିନ୍ତୁ ନରହତ୍ୟା ଅଭିଯୋଗରୁ ଖଲାସ ହେବା ସତ୍ତ୍ୱେ ମଧ୍ୟ କେହି ଦ୍ୱିମତ ହେବେ ନାହିଁ ଯେ ସିଦ୍ଧୁ ହେଉଛନ୍ତି ଆଇପିସି ଧାରା-୩୨୩ ଅନୁସାରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ସାବ୍ୟସ୍ତ ହୋଇଥିବା ଜଣେ ହିଂସାଖୋର୍‌ ଅପରାଧୀ।

ସିଦ୍ଧୁଙ୍କ ପାଇଁ ଯେଉଁ ଉପାଧି ତେଣୁ ଅଧିକ ପ୍ରଜୁଯ୍ୟ ହୁଅନ୍ତା ତାହା ହେଉଛି ‘ହିଂସା ଦୂତ’। ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଇମ୍ରାନ୍‌ ଖାନ୍‌ଙ୍କ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ ଉତ୍ସବରେ ଏକମାତ୍ର ଭାରତୀୟ ରୂପେ ଯୋଗ ଦେବା ଅବସରରେ ସିଦ୍ଧୁ ପାକିସ୍ତାନରେ ହିଂସାର ସର୍ବୋଚ୍ଚ ପ୍ରତୀକ ସେ ଦେଶର ସେନାଧ୍ୟକ୍ଷ ଜେନେରାଲ୍‌ କମର୍‌ ଜାଭେଦ୍‌ ବାଜ୍‌ଓ୍ଵାଙ୍କୁ ନିଜର ଗଭୀର ଆଲିଙ୍ଗନ ପାଶରେ ଆବଦ୍ଧ କରି ପକାଇଥିଲେ। ରୋଚକ କଥା ହେଲା, ଇମ୍ରାନ୍‌ ଯେପରି ସିଦ୍ଧୁଙ୍କଠାରେ ଶାନ୍ତିପ୍ରିୟତା ଆବିଷ୍କାର କରିଛନ୍ତି, ସିଦ୍ଧୁ ମଧ୍ୟ ଜେନେରାଲ୍‌ ବାଜ୍‌ଓ୍ଵାଙ୍କଠାରେ ସେହିପରି ଶାନ୍ତିପ୍ରୀତି ଆବିଷ୍କାର କରିଛନ୍ତି। କାରଣ, ସିଦ୍ଧୁ ଏବେ ନିଜ ଦେଶରେ ତୀବ୍ର ସମାଲୋଚନା ଓ ଭର୍ତ୍ସନାର ସମ୍ମୁଖୀନ ହେବା ପରେ ପ୍ରକାଶ କରିଛନ୍ତି ଯେ ଜେନେରାଲ୍‌ ବାଜଓ୍ଵା ଶାନ୍ତି ଚାହାନ୍ତି ବୋଲି ତାଙ୍କୁ କହିଛନ୍ତି (ସିଦ୍ଧୁ ବୋଧହୁଏ ତାଙ୍କ ନେତା ରାହୁଲ ଗାନ୍ଧୀଙ୍କୁ ଅନୁକରଣ କରି ଏ କୌଶଳ ବ୍ୟବହାର କରିଛନ୍ତି: ରାହୁଲ ଯେପରି ଅଳ୍ପଦିନ ତଳେ ପାର୍ଲିଆମେଣ୍ଟରେ କହିଥିଲେ ଯେ ଖୋଦ୍‌ ଫ୍ରାନ୍‌ସର ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ୍‌ ରାଫାଲ୍‌ ଚୁକ୍ତି ସମ୍ବନ୍ଧରେ ତାଙ୍କୁ ବ୍ୟକ୍ତିଗତ ଭାବରେ ସୂଚନା ପ୍ରଦାନ କରିଥିଲେ- ସତେ ଯେମିତି ଏ ମହାନ୍‌ ବ୍ୟକ୍ତିତ୍ୱ ସମ୍ପନ୍ନ ନେତାମାନେ ହେଉଛନ୍ତି ଭାରତର ପ୍ରକୃତ ପ୍ରତିନିଧି!) ଆଶ୍ଚର୍ଯ୍ୟର କଥା, କିମ୍ବା ଆଶ୍ଚର୍ଯ୍ୟର କଥା ମଧ୍ୟ ନୁହେଁ ଯେ ଭାରତ ପ୍ରତି ଯେ ପାକିସ୍ତାନର ଆଭିମୁଖ୍ୟରେ ଏପରି ଶାନ୍ତିକାମୀ ପରିବର୍ତ୍ତନ ଘଟିଲାଣି, ଏ ସମ୍ବନ୍ଧରେ ସରକାରୀ ଭାବରେ କୌଣସି ସୂଚନା ମିଳିନାହିଁ କିମ୍ବା ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ କିଛି ଗୋଚର ନାହିଁ।

ସିଦ୍ଧୁଙ୍କ ବାଜଓ୍ଵ୍ଵା-ଆଲିଙ୍ଗନରେ ମଧ୍ୟ ରାହୁଲଙ୍କ ମୋଦୀ-ଆଲିଙ୍ଗନର ଅକାରଣ ନିର୍ବୋଧତା ସ୍ପଷ୍ଟ। ସିଦ୍ଧୁଙ୍କ ଆଲିଙ୍ଗନକୁ ଯାହା କିନ୍ତୁ ବହୁ ଅଧିକ ଅବାନ୍ତର ଓ ବେଦନା ଦାୟକ କରିଥାଏ, ତାହା ହେଲା ତାଙ୍କର ପାକିସ୍ତାନ ଗସ୍ତର ଅବ୍ୟବହିତ ପୂର୍ବରୁ ସୀମାରେ ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଚାରିଜଣଙ୍କ ପ୍ରାଣହାନି ଘଟିବା ଓ ଆତଙ୍କବାଦୀମାନଙ୍କ ଶିବିର ଉପରେ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବା। ଏହା ହିଁ ପାକିସ୍ତାନ ସେନାବାହିନୀର ଭାରତ ସହିତ ଶାନ୍ତି ପ୍ରତିଷ୍ଠା ପାଇଁ ‘ଆଗ୍ରହ’ର ସଦ୍ୟତମ ପ୍ରମାଣ, ସିଦ୍ଧୁଙ୍କ କାନରେ ବାଜଓ୍ଵାଙ୍କର ମଧୁର ବଚନ ନୁହେଁ। ସିଦ୍ଧୁ ମଧ୍ୟ ଭୁଲିଯିବା ଉଚିତ ନଥିଲା, ସେ ଯେଉଁ ପାକିସ୍ତାନୀ ସାମରିକ ମୁଖ୍ୟଙ୍କ ବାହୁ ବନ୍ଧନରୁ ଏତେ ଆନନ୍ଦ ଲାଭ କରିଛନ୍ତି, ତାଙ୍କରି ସୈନ୍ୟମାନେ, ହୁଏତ ତାଙ୍କରି ନିର୍ଦ୍ଦେଶରେ ମୃତ ଭାରତୀୟ ସୈନିକମାନଙ୍କ ମୁଣ୍ଡ କାଟି ନେଇଥିବା ଭଳି ବୀଭତ୍ସ ଘଟଣା ଘଟାଇଥିଲେ। ଏହି ଦେଶଭକ୍ତ ବୀର ସୈନିକମାନେ କ’ଣ ଦେଶରକ୍ଷା ପାଇଁ ନିଜର ପ୍ରାଣ ସହ ମୁଣ୍ଡ ବଳି ଦେଇଥିଲେ, ପରେ ସିଦ୍ଧୁଙ୍କ ପରି କଂଗ୍ରେସ ନେତା ପାକିସ୍ତାନ ଯାଇ ସେ ନରହନ୍ତାଙ୍କୁ ଆଲିଙ୍ଗନ କରିବା ପାଇଁ? ଏହା ଦ୍ୱାରା ସିଦ୍ଧୁ ଶିଖ ସମାଜରେ ମଧ୍ୟ କିପରି ଘୃଣାର ପାତ୍ରରେ ପରିଣତ ହୋଇଛନ୍ତି ତାହାର ଏକ ନମୁନା ଦେଖିବାକୁ ମିଳିଥିଲା ସେ ଓ୍ଵାଘା ସୀମା ପାର ହୋଇ ଭାରତକୁ ଫେରିବା ମାତ୍ରେ ଅଟାରିଠାରେ। ସେଠାରେ ‘ପଗଡ଼ି ସମ୍ଭାଲ୍‌ ଜଟ୍ଟା’ ନାମକ ଏକ ଶିଖ ସଂଗଠନର ବହୁସଂଖ୍ୟକ ସଦସ୍ୟ ଏକତ୍ର ହୋଇ ହାତରେ ପ୍ରତିବାଦ ସୂଚକ ପ୍ଲାକାର୍ଡମାନ ଧରି ସିଦ୍ଧୁଙ୍କ ବିରୋଧରେ ସ୍ଲୋଗାନ୍‌ ମାନ ଦେଇଥିଲେ। ପୁଲିସ୍‌ ସୁରକ୍ଷା ମଧ୍ୟରେ ସିଦ୍ଧୁ ସେଠାରୁ ନିରାପଦରେ ଖସି ଆସିବାରେ ସକ୍ଷମ ହୋଇଥିଲେ।

ଉଦ୍ଭଟ ଭାବରେ ସିଦ୍ଧୁ ଓ କଂଗ୍ରେସ ନେତାମାନେ ମୋଦୀ-ନଓ୍ଵାଜ ସରିଫ୍‌ ଭେଟକୁ ନଜିର ଦେଇ ସିଦ୍ଧୁଙ୍କ ଆଚରଣକୁ ଯଥାର୍ଥ ପ୍ରତିପାଦନ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ ସେମାନେ ଥିଲେ ଦୁଇ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଏବଂ ସରକାରୀ ନୀତିର ବାହକ। ସିଦ୍ଧୁ ଅତିବେଶୀରେ ଜଣେ ଆତ୍ମନିଯୁକ୍ତ ପ୍ରତିନିଧି ମାତ୍ର। ତାଙ୍କୁ ଦେଶ ବା ସରକାର ଏଥିପାଇଁ ଅଧିକାର ଦେଇନାହିଁ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଅସଲରେ ଭାରତ ପ୍ରତି ସଦିଚ୍ଛା ଯୋଗୁଁ ହିଁ ବାଜ୍‌ଓ୍ଵାଙ୍କ ସେନା ଚାପରେ ନଓ୍ଵାଜ ସରିଫ୍‌ କ୍ଷମତାଚ୍ୟୁତ ହେଲେ। ସିଦ୍ଧୁଙ୍କୁ ଶାନ୍ତିବାର୍ତ୍ତା ପ୍ରଦାନ କରିଥିବାରୁ ଜେନେରାଲ୍‌ ବାଜ୍‌ଓ୍ଵା କ’ଣ ସେଇଭଳି କ୍ଷମତାଚ୍ୟୁତ ହେବେ?

ସିଦ୍ଧୁ ଅତୀତରେ କ୍ରିକେଟ୍‌ ଖେଳୁଥିଲେ ଏବଂ ବର୍ତ୍ତମାନ ଜଣେ କମେଡି ସୋ’ ଚରିତ୍ର ରୂପେ ଅଧିକ ପରିଚିତ। ସେ ବୋଧହୁଏ ବାସ୍ତବ ଦୁନିଆକୁ ମଧ୍ୟ ଏକ କମେଡି ସୋ’ ବୋଲି ବିଚାର କରୁଛନ୍ତି ଓ ସେଇଭଳି ଅବାସ୍ତବ ଆଚରଣ ପ୍ରଦର୍ଶନ କରୁଛନ୍ତି। ଯେଉଁମାନେ କିନ୍ତୁ ସିଦ୍ଧୁଙ୍କ ଅପେକ୍ଷା କ୍ରିକେଟ୍‌ରେ ବହୁ ଅଧିକ ଖ୍ୟାତି ଅର୍ଜନ କରିଛନ୍ତି ଓ ବହୁ ଅଧିକ ବିଚାରବନ୍ତ ବୋଲି ବିବେଚିତ ହୋଇଛନ୍ତି, ସୁନୀଲ ଗାଭାସ୍କର ଓ କପିଳ ଦେବଙ୍କ ଭଳି ସେପରି ବ୍ୟକ୍ତିମାନେ ଇମ୍ରାନ୍‌ ଖାନ୍‌ଙ୍କ ଠାରୁ ନିମନ୍ତ୍ରଣ ପାଇଥିଲେ ମଧ୍ୟ ନିଜର ବିବେକବତ୍ତା ଓ ଦେଶଭକ୍ତିର ପରିଚୟ ଦେଇ ସେ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ଯେପରି କୁହାଯାଇଥାଏ: ‘‘ଫୁଲ୍‌ସ ରସ୍‌ ଇନ୍‌ ହେ୍ଵଆର ଆଞ୍ଜେଲ୍‌ସ ଫିଅର୍‌ ଟୁ ଟ୍ରେଡ୍‌’’ (‘‘ବିଜ୍ଞ ଜନ ଯେଉଁଠି ପାଦ ପକାଇବାକୁ ଭୟ କରନ୍ତି, ନିର୍ବୋଧମାନେ ସେଠି ଧସେଇ ପଶନ୍ତି।’’)

ସମ୍ବନ୍ଧିତ ଖବର