ଇସାରା ମାତ୍ର

୨୦୧୬ ଅଲିମ୍ପିକ୍‌ସରେ ଭାରତର ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏବଂ ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମାଲିକ୍‌ଙ୍କ ପ୍ରଦର୍ଶନକୁ ଯେତେ ପ୍ରଶଂସା କଲେ ମଧ୍ୟ ନିଅଣ୍ଟ- ଏଥିରେ କେହି ଦ୍ୱିମତ ହେବେ ନାହିଁ। ସିନ୍ଧୁ ଏହି ଅଲିମ୍ପିକ୍‌ସରେ ଏକ ରୌପ୍ୟ ପଦକ ଲାଭ କରିଥିଲେ ଏବଂ ସାକ୍ଷୀ ଏକ ବ୍ରୋଞ୍ଜ୍‌ ପଦକ ଲାଭ କରିଥିଲେ। ସାରା ଦେଶ ଏଥିପାଇଁ ସେମାନଙ୍କର ଉଚ୍ଛ୍ୱସିତ ପ୍ରଶଂସା କରିଥିଲା। ସେମାନଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ସେମାନଙ୍କୁ ଏହି ପ୍ରଶଂସା ମିଳିଥିଲା। କିନ୍ତୁ ସେହି ଅଲିମ୍ପିକ୍‌ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଏକ ସଦସ୍ୟ ଦେଶ ରୂପେ ଭାରତର ପ୍ରଦର୍ଶନକୁ ଏପରି କିଛି ପ୍ରଶଂସା ମିଳିବା ଦୂରର କଥା, ଭାରତର ଉପସ୍ଥିତିକୁ ମଧ୍ୟ କେହି ହୁଏତ ଲକ୍ଷ୍ୟ ମଧ୍ୟ କରି ନଥାଇ ପାରନ୍ତି। କାରଣ ପ୍ରାୟ ୧୩୦ କୋଟି ଲୋକସଂଖ୍ୟା ଛୁଇଁବାକୁ ଯାଉଥିବା ଏହି ଦେଶକୁ ମିଳିଥିଲା ସମୁଦାୟ ସେଇ ଦୁଇଟି ପଦକ ମାତ୍ର। ଉଲ୍ଲେଖଯୋଗ୍ୟ ଯେ ସ୍ୱର୍ଣ୍ଣ ପଦକକୁ ଭିତ୍ତି କରି ପ୍ରସ୍ତୁତ ପଦକ ମାନ୍ୟତା ତାଲିକାରେ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଥିବା ମାତ୍ର ୧୮ ଲକ୍ଷ ଲୋକ ସଂଖ୍ୟା ବିଶିଷ୍ଟ କସୋଭୋ ଥିଲା ଭାରତର ବହୁ ଉପରେ।

ଏକ ଦେଶରେ ବ୍ୟବସାୟ କରିବା କେତେଦୂର ସହଜ, ତାହାକୁ ଭିତ୍ତିକରି ବିଶ୍ୱବ୍ୟାଙ୍କ୍‌ ୨୦୧୮ ପାଇଁ ପ୍ରସ୍ତୁତ କରିଥିବା ମାନ୍ୟତା ତାଲିକାରେ ଭାରତକୁ ପ୍ରଦାନ କରାଯାଇଥିବା ସ୍ଥାନରେ ବହୁ ପ୍ରଚାରିତ ଉନ୍ନତି ଉପରେ ଦୃଷ୍ଟିପାତ କଲେ ଗତ ଅଲିମ୍ପିକ୍‌ସରେ ଭାରତର ଉପର ବର୍ଣ୍ଣିତ ପ୍ରଦର୍ଶନ ପରି ଏକ ଧାରଣା ସୃଷ୍ଟି ହୋଇଥାଏ। ସିନ୍ଧୁ ବା ସାକ୍ଷୀଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ପରି ବିଶ୍ୱବ୍ୟାଙ୍କ୍‌ର ମାନ୍ୟତା ତାଲିକାରେ ବର୍ଷକ ମଧ୍ୟରେ ଭାରତର ୩୦ଟି ପାହାଚ ଆରୋହଣ ନିଶ୍ଚିତ ରୂପେ ପ୍ରଶଂସନୀୟ। ୧୯୯୨ ବାର୍ସେଲୋନା ଅଲିମ୍ପିକ୍ସରୁ ଭାରତ ଶୂନ୍ୟହସ୍ତ ହୋଇ ଫେରିବା ତୁଳନାରେ ୨୦୧୬ରେ ହାସଲ କରିଥିବା ଦୁଇଟି ପଦକ ଯେମିତି ଆନନ୍ଦ ସୃଷ୍ଟି କରିଥାଏ, ବିଗତ ବର୍ଷ ବିଶ୍ୱବ୍ୟାଙ୍କ୍‌ର ମାନ୍ୟତା ତାଲିକାରେ ମାତ୍ର ଗୋଟିଏ ସ୍ଥାନ ଉପରକୁ ଉଠିଥିବା ତୁଳନାରେ ବର୍ତ୍ତମାନର ତାଲିକାରେ ୩୦ଟି ସ୍ଥାନ ଆରୋହଣ ସେଇଭଳି ଆନନ୍ଦ ସୃଷ୍ଟି କରିଥାଏ।

କିନ୍ତୁ ଏହି ଆନନ୍ଦ ପାଣି ଫାଟି ଯାଇଥାଏ ଯେତେବେଳେ ଆମେ ସଚେତନ ହେଉ ଯେ ତିରିଶଟି ପାହାଚ ଚଢ଼ିବା ପରେ ଭାରତ ଯେଉଁ ସ୍ଥାନରେ ପହଞ୍ଚିଛି ତାହା ହେଲା ୧୯୦ଟି ଦେଶର ତାଲିକାରେ ୧୦୦ତମ ସ୍ଥାନ। ଅର୍ଥାତ୍‌ ବିଶ୍ୱବ୍ୟାଙ୍କ୍‌ କଥା ଅନୁସାରେ ପୃଥିବୀରେ ୯୦ଟି ଦେଶ ଅଛି ଯେଉଁଠି ବ୍ୟବସାୟ କରିବା ଭାରତରେ ବ୍ୟବସାୟ କରିବାଠାରୁ କଷ୍ଟକର; କିନ୍ତୁ ୯୯ଟି ଏପରି ଦେଶ ଅଛନ୍ତି ଯେଉଁଠି ବ୍ୟବସାୟ କରିବା ହେଉଛି ଭାରତରେ ବ୍ୟବସାୟ କରିବା ଅପେକ୍ଷା ସହଜ। ଆଉ ଆମେ ଯଦି ସେଇ ଅଲିମ୍ପିକ୍‌ସ ତୁଳନାକୁ ଫେରିଯିବା ତେବେ ଯାହା ଦେଖିବା ତାହା ହେଲା ସେହି ଅତିକ୍ଷୁଦ୍ର କସୋଭୋ ଉପରୋକ୍ତ ବିଶ୍ୱବ୍ୟାଙ୍କ ତାଲିକାରେ ଯେଉଁ ସ୍ଥାନ ହାସଲ କରିଛି ତାହା ହେଉଛି ଭାରତଠାରୁ ୬୦ଟି ପାହାଚ ଉପରେ। ଯାହା ବିଶେଷ ଉଲ୍ଲେଖଯୋଗ୍ୟ ତାଲିକାରେ ୪୦ତମ ସ୍ଥାନରେ ଥିବା ଏହି କସୋଭୋ ୧୯୯୦ ଦଶକରେ ଏକ ରକ୍ତାକ୍ତ ଗୃହଯୁଦ୍ଧ ବିଭୀଷିକାର ସମ୍ମୁଖୀନ ହେବା ପରେ ଏଇମାତ୍ର ୨୦୦୮ରେ ସର୍ବିଆଠାରୁ ବିଚ୍ଛିନ୍ନ ହୋଇ ଏକ ସ୍ୱାଧୀନ ଦେଶରେ ପରିଣତ ହୋଇଛି। ଆଉ ଠିକ୍‌ ତା ପରେ ପରେ ଯେଉଁ ବିଶ୍ୱବ୍ୟାପୀ ବିତ୍ତୀୟ ସଂକଟ ଆମେରିକାରୁ ସୃଷ୍ଟି ହୋଇ ସାରା ପୃଥିବୀକୁ ଓ ବିଶେଷକରି ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ଗ୍ରାସ କରିଥିଲା, କସୋଭୋ ମଧ୍ୟ ତାହାର ପ୍ରଭାବରୁ ବର୍ତ୍ତିନଥିଲା।

ଯେଉଁ ଦଶଟି ପରିମାପକକୁ ଭିତ୍ତି କରି ବିଶ୍ୱବ୍ୟାଙ୍କ୍‌ ଏହି ମାନ୍ୟତା ତାଲିକା ପ୍ରସ୍ତୁତ କରିଥାଏ ସେଗୁଡ଼ିକ ହେଲା: ବ୍ୟବସାୟଟିଏ ଆରମ୍ଭ କରିବା, ନିର୍ମାଣ ପରମିଟ୍‌ ପ୍ରଦାନ ଓ ହାସଲ ପ୍ରକ୍ରିୟା, ବିଜୁଳି ସଂଯୋଗ ପାଇବା, ସମ୍ପତ୍ତିର ପଞ୍ଜୀକରଣ, ଋଣ ପାଇବା, ସଂଖ୍ୟାନ୍ୟୂନ ନିବେଶକଙ୍କ ସ୍ୱାର୍ଥ ସୁରକ୍ଷା, ଟିକସ ପଇଠ କରିବା ବ୍ୟବସ୍ଥା, ସୀମାପାର ବାଣିଜ୍ୟ କାରବାର, ଚୁକ୍ତିବଳବତ୍ତର କରାଯିବା ଏବଂ ଦେବାଳିଆ ପରିସ୍ଥିତିର ସମାଧାନ। ଏ ପ୍ରତ୍ୟେକ ପରିମାପକ ସମାନ ମୂଲ୍ୟ ବହନ କରିଥାନ୍ତି। ଏହି ଦଶଟି ପରିମାପକ ମଧ୍ୟରୁ ଛ’ଟିରେ ଭାରତ ପୂର୍ବ ବର୍ଷ ତୁଳନାରେ ଉନ୍ନତତର ପ୍ରଦର୍ଶନ କରିଛି। ଏଥିରେ ଟିକସ ପୈଠ ବ୍ୟବସ୍ଥାରୁ ଆରମ୍ଭ କରି ଋଣ ପାଇବା, ଦେବାଳିଆ ଅବସ୍ଥାର ସମାଧାନ, ଚୁକ୍ତି ବଳବତ୍ତର କରାଯିବା, ସଂଖ୍ୟାନ୍ୟୂନ ଅଂଶୀଦାର ସ୍ୱାର୍ଥରକ୍ଷା ଆଦି ଅନ୍ତର୍ଭୁକ୍ତ। ଟିକସ ପୈଠ ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥାର ପ୍ରଚଳନ, ଦେବାଳିଆ ଅବସ୍ଥା ସମାଧାନ ନିମିତ୍ତ ଆଇନ ପ୍ରଣୟନ, ସଂଖ୍ୟାନ୍ୟୂନ ଅଂଶୀଦାରଙ୍କ ସ୍ୱାର୍ଥ ରକ୍ଷା ପାଇଁ ‘ସେବି’ ଦ୍ୱାରା ପ୍ରବର୍ତ୍ତନ କରାଯାଇଥିବା ନିୟମକାନୁନ୍‌ ଆଦି ଦ୍ୱାରା ଏହି ସମସ୍ତ ଉନ୍ନତି ହାସଲ ହୋଇ ପାରିଛି ବୋଲି ବିଶ୍ୱବ୍ୟାଙ୍କ୍‌ର ରିପୋର୍ଟରୁ ଜଣାପଡ଼େ। କିନ୍ତୁ ଏହି ରିପୋର୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତର ସ୍ଥାନ ମଧ୍ୟ ଅତ୍ୟନ୍ତ ନୀଚା ରହିଥିବା ଦେଖାଯାଏ। ଉଦାହରଣ ସ୍ୱରୂପ ବ୍ୟବସାୟଟିଏ ଆରମ୍ଭ କରିବାରେ ଭାରତର ସ୍ଥାନ ହେଉଛି ୧୫୬, ନିର୍ମାଣ ପାଇଁ ପରମିଟ୍‌ ହାସଲରେ ୧୮୧, ସମ୍ପତ୍ତି ପଞ୍ଜୀକରଣରେ ୧୫୪, ସୀମାପାର ବାଣିଜ୍ୟରେ ୧୪୬, ଏବଂ ଚୁକ୍ତି କାର୍ଯ୍ୟକାରୀ କରିବାରେ ହେଉଛି ୧୬୪।

ବିଶ୍ୱବ୍ୟାଙ୍କ୍‌ ଦ୍ୱାରା ଏଭଳି ଏକ ମାନ୍ୟତା ତାଲିକା ପ୍ରସ୍ତୁତ କରାଯିବାରେ ରହିଥିବା ଏକ ମୁଖ୍ୟ ଦୁର୍ବଳତା ହେଲା, ମାତ୍ର ଦୁଇଟି ନଗରୀ- ଦିଲ୍ଲୀ ଓ ମୁମ୍ବାଇରେ କରାଯାଇଥିବା ସର୍ବେକ୍ଷଣ ଆଧାରରେ ଏହି ମାନ୍ୟତା ପ୍ରଦାନ କରାଯାଇଛି। ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠେ ଯାହା ଦିଲ୍ଲୀ ଓ ମୁମ୍ବାଇର ବ୍ୟବସାୟୀଙ୍କ ପ୍ରତି ପ୍ରଯୁଜ୍ୟ, ତାହା କ’ଣ ଦେଶର ବାକି ସମସ୍ତ ସହର ମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ? ଦ୍ୱିତୀୟରେ ସରକାର କାଗଜ ପତ୍ରରେ ପ୍ରଣୟନ କରିଥିବା ନିୟମ କାନୁନ୍‌ ଓ ପଦକ୍ଷେପମାନଙ୍କୁ ଆଧାର କରି ସର୍ବେକ୍ଷକମାନେ ସେମାନଙ୍କର ସିଦ୍ଧାନ୍ତରେ ପହଞ୍ଚିଛନ୍ତି। କିନ୍ତୁ ବ୍ୟବସାୟୀମାନଙ୍କର ନିତିଦିନିଆ ବାସ୍ତବ ଅନୁଭୂତି ଏ ପୋଥି ପାଠଠାରୁ ଢେର୍‌ ଭିନ୍ନ ହୋଇପାରେ, ଏବଂ ହୋଇଥାଏ ମଧ୍ୟ। ଲାଞ୍ଚ, ଧରାଧରି, ଦୁର୍ନୀତି ଆଦି ଏଠାରେ ଜଣେ ବ୍ୟବସାୟୀଙ୍କ ପାଇଁ ଯେଉଁ ନିୟମିତ ପ୍ରତିବନ୍ଧ ସୃଷ୍ଟି କରିଥାଏ ତାହା ଏହି ରିପୋର୍ଟର ପରିସର ଅନ୍ତର୍ଭୁକ୍ତ ନୁହେଁ। ସେହିପରି ବିମୁଦ୍ରୀକରଣ ଓ ଜିଏସ୍‌ଟି ଭଳି ସରକାରଙ୍କର ଅସ୍ଥିରତା ସୃଷ୍ଟିକାରୀ ପଦକ୍ଷେପମାନ ବ୍ୟବସାୟୀମାନଙ୍କୁ କିଭଳି ପ୍ରଭାବିତ କରିଛି ତାହା ମଧ୍ୟ ଏହି ରିପୋର୍ଟରେ ପ୍ରତିଫଳିତ ହୋଇନାହିଁ। ତେବେ ଏସବୁ ସତ୍ତ୍ୱେ ଏହା ଅସ୍ୱୀକାର କରାଯାଇ ପାରିବ ନାହିଁ ଯେ ରିପୋର୍ଟଟି ଭାରତରେ ବ୍ୟବସାୟ ସମ୍ବନ୍ଧରେ ଏକ ସକାରାତ୍ମକ ଆଶାଜନକ ଚିତ୍ର ପ୍ରଦାନ କରିଛି ଏବଂ ଏହା ହୁଏତ ଏକ ଇସାରା ବା ବହୁଚର୍ଚ୍ଚିତ ‘ନଜ୍‌’ ପରି କାର୍ଯ୍ୟକରି ଏଠାରେ ବ୍ୟବସାୟୀ ତଥା ନିବେଶକମାନଙ୍କୁ ଆଗକୁ ମାଡ଼ିଯିବା ପାଇଁ ଉତ୍ସାହିତ କରିପାରେ।

ସମ୍ବନ୍ଧିତ ଖବର