ଚାହୁଁ ଚାହୁଁ ଗୋଟିଏ ବର୍ଷ ଅତିବାହିତ ହୋଇଯାଇଛି। ଆଜିକୁ ଠିକ୍ ବର୍ଷକ ତଳେ ସମସ୍ତ ଦେଶବାସୀଙ୍କୁ ଚମକାଇ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ପ୍ରଚଳନରେ ଥିବା ମୋଟ ନଗଦ ମୁଦ୍ରା ପରିମାଣର ୮୬%କୁ ଅଚଳ କରିଦେଲେ। ଏଥିରୁ ଆଉ ଯାହା ଫଳାଫଳ ମିଳିଥାଉ ବା ନଥାଉ, ସ୍କୁଲ ବା କଲେଜ୍ରେ ଅର୍ଥନୀତି ବିଷୟକୁ ଅଧ୍ୟୟନ ପାଇଁ ବାଛିଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ କାଗଜମୁଦ୍ରାର ଅନ୍ତର୍ନିହିତ ମୂଲ୍ୟହୀନତା ସମ୍ବନ୍ଧରେ ଧାରଣାକୁ ବେଶ୍ ପ୍ରାଞ୍ଜଳ କରି ବୁଝାଇ ଦେଇଥିବ। ଦିନକ ତଳେ ଯେଉଁ କାଗଜ ନୋଟ୍ର ମୂଲ୍ୟ ଥିଲା ୫୦୦ ଟଙ୍କା କିମ୍ବା ୧୦୦୦ ଟଙ୍କା, ପରଦିନ ତାହା ହୋଇଯାଇଥିଲା ସମ୍ପୂର୍ଣ୍ଣ ମୂଲ୍ୟହୀନ କାଗଜ ଖଣ୍ଡେ ମାତ୍ର। ଏହି ସବୁ ଅଚଳ କରି ଦିଆଯାଇଥିବା ନୋଟ୍ ବଦଳରେ ନୂଆ ନୋଟ୍ ଦେବା ପାଇଁ ସରକାର ଯଥେଷ୍ଟ ପରିମାଣର ନୂଆ ନୋଟ୍ ଛପାଇ ନଥିଲେ। ପରବର୍ତ୍ତୀ ମାସ ମାନଙ୍କରେ ଲୋକମାନେ ନିଜର ଦରକାର ମେଣ୍ଟାଇବା ପାଇଁ ନୂଆ ନୋଟ୍ ସଂଗ୍ରହ କରିବାକୁ କିଭଳି ହନ୍ତସନ୍ତ ହୋଇ ଥିଲେ ତାହା କେହି ଭୁଲିଯାଇ ନଥିବେ। ଏହି ଉଦ୍ଦେଶ୍ୟରେ ବ୍ୟାଙ୍କ୍ ଆଗରେ ସର୍ପିଳ ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ପ୍ରାୟ ୫୦-୬୦ ଲୋକ ମଧ୍ୟ ପ୍ରାଣ ହରାଇଥିଲେ।
ବିମୁଦ୍ରୀକରଣ ରୂପେ ପରିଚିତ ଏହି ନୋଟ୍ ଅଚଳ କରାଯିବା ପଛରେ ପ୍ରଧାନମନ୍ତ୍ରୀଙ୍କର ଘୋଷିତ ଲକ୍ଷ୍ୟ ଥିଲା ତିନିଟି: ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ୍ ଆକାରରେ ଦେଶରେ ଲୁଚାଇ ରଖା ଯାଇଥିବା କଳାଧନର ମୂଳପୋଛ; ଜାଲିନୋଟ୍ର ଯୋଗାଣରେ ଅନ୍ତ; ଏବଂ ଏହାଦ୍ୱାରା ପରିପୁଷ୍ଟ ହେଉଥିବା ଆତଙ୍କବାଦରେ ପୂର୍ଣ୍ଣଚ୍ଛେଦ। ଏବେ ଯେଉଁ କୁହାଯାଉଛି ଯେ ଦେଶରେ ନଗଦ ମୁଦ୍ରା କାରବାର ସଂକୁଚିତ କରି ଡିଜିଟାଲ କାରବାର ପ୍ରଚଳନ କରିବା ବିମୁଦ୍ରୀକରଣର ଲକ୍ଷ୍ୟ ଥିଲା, ତାହା ମିଛ କଥା; ପରବର୍ତ୍ତୀ ସମୟରେ ଅବସ୍ଥା ଅଣାୟତ୍ତ ହେବାରୁ ଏବଂ ମୂଳ ଲକ୍ଷ୍ୟ ଘୁଞ୍ଚି ଘୁଞ୍ଚି ଯିବାରୁ ଚତୁରତାର ସହିତ ଏହାକୁ ଯୋଡ଼ି ଦିଆଯାଇଥିଲା। ସେହିପରି ଦେଶରେ କରଦାତାଙ୍କ ସଂଖ୍ୟାରେ ବୃଦ୍ଧି ଘଟାଇବାକୁ ଏହାର ଆଉ ଏକ ଲକ୍ଷ୍ୟ ରୂପେ କୁହାଯାଇଥିଲା।
ବର୍ଷକ ପରେ ଦେଖାଯାଉ ବିମୁଦ୍ରୀକରଣର ଏହି ଲକ୍ଷ୍ୟଗୁଡ଼ିକ କେତେଦୂର ହାସଲ ହୋଇପାରିଛି। ମୋଦୀ ବିମୁଦ୍ରୀକରଣ ଘୋଷଣା କରିବା ସମୟରେ ସୂଚନା ଦେଇଥିଲେ ଯେ ସୀମା ସେପଟରୁ ଆସୁଥିବା ଆତଙ୍କବାଦୀମାେନେ ନକଲି ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ୍ ସାହାଯ୍ୟରେ ସେମାନଙ୍କର କାର୍ଯ୍ୟକଳାପ ଚଳାଉଥିଲେ; ଏଣୁ ଏହି ଉଚ୍ଚ ମୂଲ୍ୟଯୁକ୍ତ ନୋଟ୍ ଦ୍ୱୟ ଅଚଳ ହୋଇଗଲେ ଆତଙ୍କବାଦୀମାନେ ଶ୍ୱାସରୁଦ୍ଧ ହୋଇଯିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୭ ଜୁନ୍ ୩୦ ତାରିଖରେ ପୂର୍ଣ୍ଣ ହୋଇଥିବା ଏକ ବର୍ଷ ମଧ୍ୟରେ ଚିହ୍ନଟ ହୋଇ ଧରା ପଡ଼ିଥିବା ନକଲି ନୋଟ୍ ପରିମାଣରେ ବୃଦ୍ଧି ପାଇବା ଦେଖାଯାଇଥିଲେ ହେଁ ଏହା ଥିଲା ଦେଶରେ ପ୍ରଚଳିତ ମୋଟ ନଗଦ ମୁଦ୍ରା ପରିମାଣର ମାତ୍ର ୦.୦୮%। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହା ପୂର୍ବ ବର୍ଷ ଏହି ଅନୁପାତ ଥିଲା ୦.୦୭%। ଅର୍ଥାତ୍ ବିମୁଦ୍ରୀକରଣ ପରେ ଜାଲ୍ନୋଟ୍ ଧରାପଡ଼ିବାରେ ଘଟିଥିବା ବୃଦ୍ଧି ନଗଣ୍ୟ ମାତ୍ରାର ଥିଲା। ଯାହା ଉଦ୍ବେଗର ବିଷୟ ତାହା ହେଲା ରିଜର୍ଭବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପ୍ରସ୍ତୁତ କରିଥିବା ନିଜର ସମ୍ପୂୂର୍ଣ୍ଣ ନୂତନ ୨୦୦୦ ଟଙ୍କିଆ ନୋଟ୍କୁ ଜାଲି ହେବାରୁ ରକ୍ଷା କରିପାରି ନାହିଁ। ବଜାରରେ ନକଲି ନୋଟ୍ ଧରାପଡ଼ିଲାଣି। ଏକହଜାର ଟଙ୍କିଆ ନୋଟ୍ ସ୍ଥାନରେ ୨,୦୦୦ ଟଙ୍କିଆ ନୋଟ୍ର ଆବିର୍ଭାବ ନୋଟ୍ ଜାଲ୍ କରିବା କାର୍ଯ୍ୟକୁ ଆହୁରି ଲାଭପ୍ରଦ ଓ ଆକର୍ଷଣୀୟ କରି ତୋଳିଛି।
ଗତ ବର୍ଷ ମୋଦୀ ବିମୁଦ୍ରୀକରଣ ଘୋଷଣା କରିବା ପରେ ପରେ ଏକ ଆବେଦନର ଶୁଣାଣି ସମୟରେ ସୁପ୍ରିମ୍ କୋର୍ଟରେ ଉପସ୍ଥିତ ହୋଇ ସରକାରୀ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ସରକାର ଅଚଳ କରି ଦେଇଥିବା ୧୫.୪୪ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍ ସବୁ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଆଉ ବ୍ୟାଙ୍କ୍ ମାନଙ୍କୁ ଫେରିବ ନାହିଁ। ତାଙ୍କ ଅନୁମାନ ଅନୁସାରେ ଏହା ହେଉଛି କଳାଧନ ଏବଂ ଏହାର ମାଲିକମାନେ ଧରା ନପଡ଼ିବା ପାଇଁ ସେଗୁଡ଼ିକୁ ହରାଇବେ ପଛେ ବ୍ୟାଙ୍କ୍ରେ ଜମା କରିବେ ନାହିଁ। କିନ୍ତୁ ଅଳ୍ପଦିନ ତଳେ ରିଜର୍ଭ ବ୍ୟାଙ୍କ୍ ଶେଷରେ ପ୍ରକାଶ କରିଥିବା ସୂଚନା ଅନୁସାରେ ସରକାର ଅଚଳ କରିଥିବା ନୋଟ୍ ସବୁର ପ୍ରାୟ ୯୯% ବ୍ୟାଙ୍କ୍ ମାନଙ୍କୁ ଫେରିଆସିଛି, କୁହାଯାଇପାରେ ସବୁତକ ଅଚଳ ନୋଟ୍ ଫେରିଆସିଛି। ତେଣୁ ବିମୁଦ୍ରୀକରଣ ମାଧ୍ୟମରେ କଳାଧନ ବିଲୋପ କରିବା ପାଇଁ ଉଦ୍ୟମକୁ ଏକ ଉଦାର ଦୃଷ୍ଟିଭଙ୍ଗୀ ସହିତ ଗ୍ରହଣ କଲେ କୁହାଯାଇପାରେ ଏକ ପିଲାଳିଆ କଳ୍ପନାବିଳାସ; ଏକ ଅନୁଦାର ଦୃଷ୍ଟିଭଙ୍ଗୀ ସହିତ ଗ୍ରହଣ କଲେ ଭାରତୀୟ ସମାଜ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ମାନହାନି ଅଭିଯୋଗ ଆଣିପାରେ ଯେ ସେ ଆଇନଗତ ନୋଟ୍ ବ୍ୟବହାର କରୁଥିବା ସମସ୍ତ ଭାରତୀୟମାନଙ୍କୁ କଳାଧନ ଠୁଳକାରୀ ରୂପେ ଚିତ୍ରିତ କରିଥିଲେ। ଏ ସମସ୍ତ ନୋଟ୍ ବ୍ୟାଙ୍କ୍ ମାନଙ୍କୁ ଫେରିଆସିବାର ଗୋଟିଏ ପରିଣାମ ହେଲା ଏବେ ତା’ଉପରେ ବ୍ୟାଙ୍କ୍ ଜମାକର୍ତ୍ତା ମାନଙ୍କୁ ସୁଧ ଦେବାକୁ ପଡୁଛି- ଯାହା ବ୍ୟାଙ୍କ୍ମାନଙ୍କ ପାଇଁ ଏକ ନୂତନ ବୋଝ ସୃଷ୍ଟି କରିଛି।
ଏଥିରେ ସନ୍ଦେହ ନାହିଁ ଯେ ବିମୁଦ୍ରୀକରଣ ପରେ ଦେଶରେ ଡିଜିଟାଲ ଦେଣନେଣ କାରବାର ପ୍ରସାର ବୃଦ୍ଧି ପାଇବା ଦେଖାଯାଇଛି। ଏହା ‘ପେଟିଏମ୍’ ଭଳି ଡିଜିଟାଲ୍ ଓ୍ଵାଲେଟ୍ କମ୍ପାନି ମାନଙ୍କର ବ୍ୟବସାୟରେ ବେଶ୍ ବୃଦ୍ଧି ଘଟାଇବାରେ ସହାୟକ ହୋଇଛି। କାଗଜନୋଟ୍ ଛାପା ଜନିତ ସମ୍ବଳ ଅପଚୟରେ ସଂକୋଚନ ଘଟାଇବା ସହିତ ପ୍ରତ୍ୟେକ କାରବାରର ରେକର୍ଡ ରଖୁଥିବାରୁ ଡିଜିଟାଲ କାରବାର ନିଶ୍ଚିତ ରୂପେ କାଗଜନୋଟ୍ କାରବାର ଅପେକ୍ଷା ଅଧିିକ ସ୍ୱାଗତଯୋଗ୍ୟ। କିନ୍ତୁ ପୃଥିବୀର ଅଧିକାଂଶ ଦେଶରେ ବର୍ତ୍ତମାନ ଏହି ଡିଜିଟାଲ କାରବାର ଧାରା ପ୍ରସାର ପାଇବାରେ ଲାଗିଛି। କେତେକ ଦେଶରେ ଏହା ପ୍ରାୟ ଶତକଡ଼ା ଶହେ ପାଖାପାଖି ହେଲାଣି। କିନ୍ତୁ କୌଣସି ଦେଶରେ ଏଥିପାଇଁ ବିମୁଦ୍ରୀକରଣର ସହାୟତା ନିଆଯାଇ ନାହିଁ। ତା’ର କାରଣ ବିମୁଦ୍ରୀକରଣ ହେଉଛି ଏପରି ଏକ ଚରମ ପଦକ୍ଷେପ ଯାହା ଏକଛତ୍ରବାଦୀ ମନମୁଖୀତାର ଗନ୍ଧ ବହନ କରିଥାଏ କିଂବା ଏକ କମ୍ୟୁନିଷ୍ଟସୁଲଭ ବିପ୍ଳବାତ୍ମକ ଛାପ ଧାରଣ କରିଥାଏ। ଏକ ସାଧାରଣ ସମୟରେ ଏକ ମୁକ୍ତ ଗଣତନ୍ତ୍ରରେ ଏହାର ସ୍ଥାନ ନାହିଁ। ଅବଶ୍ୟ ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳରୁ ମନେହୁଏ ନରେନ୍ଦ୍ର ମୋଦୀଙ୍କ ପାଇଁ ଏହା ରାଜନୈତିକ ଦୃଷ୍ଟିରୁ ବେଶ୍ ଲାଭପ୍ରଦ ହୋଇଛି। ମତଦାତାଙ୍କ ସମ୍ମୁଖରେ ନିଜକୁ ଜଣେ ସାହସୀ ଦୁର୍ନୀତି ବିରୋଧୀ ଯୋଦ୍ଧା ରୂପେ ପ୍ରଦର୍ଶିତ କରିବାରେ ବିମୁଦ୍ରୀକରଣ ତାଙ୍କୁ ବେଶ୍ ସହାୟକ ହୋଇଛି ନିଶ୍ଚୟ। କିନ୍ତୁ ବର୍ଷର ଗତ ଚାରିଚଉଠ ଯାକ ଦେଶର ଜିଡିପିରେ ଦେଖା ଦେଇଥିବା ଶିଥିଳତା ପ୍ରମାଣ କରିଥାଏ ଯେ ରାଜନୈତିକ ଲୋକପ୍ରିୟତା ସର୍ବଦା ଅର୍ଥନୈତିକ ବୁଦ୍ଧିମତ୍ତାର ପରିଚାୟକ ନୁହେଁ।