ଗୟାଙ୍କ ପ୍ରେତ

୨୦୦୬ର ସ୍ପାନିସ-ଆମେରିକାନ୍‌ ଫିଲ୍‌ମ ‘ଗୟାଜ୍‌ ଘୋଷ୍ଟ’ ସେ ସମୟରେ କ୍ୟାଥଲିକ୍‌ ଚର୍ଚ୍ଚ ଜଗତ୍‌ରେ ବେଶ୍‌ ଗୁଞ୍ଜରଣ ସୃଷ୍ଟି କରିଥିଲା। କାରଣ ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ ସ୍ପେନୀୟ ଚିତ୍ରକର ଫ୍ରାନ୍‌ସିସ୍କୋ ଗୟାଙ୍କ ନାମରେ ନାମିତ ଏହି ସିନେମା ମାନବ ସଭ୍ୟତାରେ କୌଣସି ଧର୍ମୀୟ ବ୍ୟବସ୍ଥାରେ ଆଚରିତ ନିଷ୍ଠୁରତମ ପ୍ରଥା ରୂପେ କୁଖ୍ୟାତ ‘ସ୍ପାନିସ୍‌ ଇନ୍‌କ୍ୱିଜିସନ୍‌’ (ସ୍ପେନୀୟ ପଚରା ଉଚରା ବା ଅନୁସନ୍ଧାନ)ର ବୀଭତ୍ସ ଚେହେରାକୁ ପୁଣି ଥରେ ବର୍ତ୍ତମାନ ସମୟର ଦର୍ଶକମାନଙ୍କ ସମ୍ମୁଖରେ ଉନ୍ମୋଚିତ କରିଥିଲା। ଏହି ଫିଲ୍‌ମର ମୁଖ୍ୟ ଖଳନାୟକ ଚର୍ଚ୍ଚର ଶକ୍ତିଶାଳୀ ପଦାଧିକାରୀ ବ୍ରଦର୍‌ ଲୋରେଞ୍ଜୋ ନିଜକୁ ସ୍ୱାଭାବିକ ଭାବରେ ଈଶ୍ୱରଙ୍କ ପ୍ରତିନିଧି ଓ ପ୍ରଶ୍ନାତୀତ ଉତ୍ତମ ଚରିତ୍ରର ଅଧିକାରୀ ରୂପେ ପ୍ରଦର୍ଶିତ କରୁଥିଲେ। ରାଜ ଦରବାରର ଚିତ୍ରକର ଗୟା କିନ୍ତୁ ବ୍ରଦର୍‌ ଲୋରେଞ୍ଜୋଙ୍କର ଯେଉଁ ପ୍ରତିକୃତି ଅଙ୍କନ କରିଥିଲେ ତାହା ଏପରି ଏକ ବିକୃତ ଚରିତ୍ରର ପ୍ରତିନିଧିତ୍ୱ କଲା ଭଳି ମନେ ହେଉଥିଲା, ଯାହାକୁ ଲୋରେଞ୍ଜୋ ନିଜର ପ୍ରତିକୃତି ରୂପେ ଗ୍ରହଣ କରିବାକୁ କୁଣ୍ଠିତ ଥିଲେ। ଗୟାଙ୍କ ତୂଳୀରେ ଅଧିକାଂଶ ବିଶିଷ୍ଟ ବ୍ୟକ୍ତିଙ୍କର ଦଶା ଏହାହିଁ ହୋଇଥିଲା।

ଈଶ୍ୱରଙ୍କ ପ୍ରତିନିଧି ଲୋରେଞ୍ଜୋ କିନ୍ତୁ କିପରି ଗୟାଙ୍କର ଏହି ପ୍ରେତ ସୁଲଭ ଚିତ୍ର ପାଇଁ ହକ୍‌୍‌ଦାର ଥିଲେ ତାହା ଫିଲ୍‌ମର କାହାଣୀ ଆଗେଇବା ପରେ ସ୍ପଷ୍ଟ ହୋଇଯାଇଛି। ବ୍ରଦର୍‌ ଲୋରେଞ୍ଜୋଙ୍କ ପରି ଇନ୍‌କ୍ୱିଜିଟର୍‌ ବା ଅନୁସନ୍ଧାନକାରୀ ମାନଙ୍କ କାର୍ଯ୍ୟ ଥିଲା ଧର୍ମଦ୍ରୋହୀମାନଙ୍କୁ ଠାବ କରି, ପଚରା ଉଚରା କରି ସେମାନଙ୍କଠାରୁ ଧର୍ମଦ୍ରୋହ ସମ୍ବନ୍ଧୀୟ ସ୍ୱୀକାରୋକ୍ତି ଆଦାୟ କରିବା। ଏଥିପାଇଁ ସେମାନେ ଯେଉଁ ପଦ୍ଧତି ବ୍ୟବହାର କରୁଥିଲେ, ତାହା ସନ୍ଦିଗ୍ଧଙ୍କ ଉପରେ ନଜର ରଖି ସେମାନଙ୍କୁ ଆଣି ଅନୁସନ୍ଧାନ ସ୍ଥଳୀରେ ଅକାରଣେ ଅଟକ ରଖିବା, ସେମାନଙ୍କୁ ଅକଥ୍ୟ ଶାରୀରିକ ଯନ୍ତ୍ରଣା ପ୍ରଦାନ କରିବା ଏବଂ ସେମାନଙ୍କଠାରୁ ଜବରଦସ୍ତ ସ୍ୱୀକାରୋକ୍ତି ଆଦାୟ କରିବା। ନିଜର ଏହି କ୍ଷମତା ବ୍ୟବହାର କରି ବ୍ରଦର୍‌ ଲୋରେଞ୍ଜୋ ଗୟାଙ୍କ ଚିତ୍ର ଅଙ୍କନ ପାଇଁ ମଡେଲ୍‌ ରୂପେ କାର୍ଯ୍ୟ କରୁଥିବା ସୁନ୍ଦରୀ ତରୁଣୀ ଇନେସ୍‌ ବିଲ୍‌ବାତୁଆଙ୍କୁ ପଚରାଉଚରା ପାଇଁ ଉଠାଇ ଆଣିଛନ୍ତି। ଇନେସ୍‌ଙ୍କ ଅପରାଧ ହେଲା ସେ କୁଆଡ଼େ ଏକ ସ୍ଥାନୀୟ ରେଷ୍ଟୁରାଣ୍ଟରେ ଘୁଷୁରି ମାଂସ ଖାଇବାକୁ ମନା କରି ଦେଇଥିଲେ ଯାହା କୌଣସି ପଇଁତରା ମାରୁଥିବା ଇନ୍‌କ୍ୱିଜିଟର୍‌ଙ୍କ ଦୃଷ୍ଟିରେ ପଡ଼ିଗଲା। ଘୁଷୁରି ମାଂସ ଖାଇବା ଇହୁଦୀ ଧର୍ମରେ ନିଷିଦ୍ଧ। ଏଣୁ ଇନେସ୍‌ ଜଣେ କ୍ୟାଥଲିକ୍‌ ହୋଇଥିଲେ ହେଁ ସେ ଗୋପନରେ ଇହୁଦୀ ଧର୍ମ ପାଳନ କରୁଛନ୍ତି ବୋଲି ରେଷ୍ଟୁରାଣ୍ଟରେ ତାଙ୍କର ଆଚରଣ ପ୍ରମାଣ କରିଥାଏ ବୋଲି ଇନ୍‌କ୍ୱିଜିଟର୍‌ମାନେ ଅଭିଯୋଗ କରି ତାଙ୍କୁ ଅଟକ ରଖିଲେ। ଉଦ୍ଦେଶ୍ୟ ସେ ବ୍ରଦର୍‌ ଲୋରେଞ୍ଜୋଙ୍କ ନିକଟରେ ସ୍ୱୀକାର କରିବେ (କନ୍‌ଫେସନ୍‌) ଯେ ସେ ଧର୍ମଦ୍ରୋହ କରିଛନ୍ତି।

ତାଙ୍କଠାରୁ ବଳପୂର୍ବକ ଏହି ତଥାକଥିତ ସ୍ୱୀକାରୋକ୍ତି ଆଦାୟ କରିବା ପରେ ଇନେସ୍‌ଙ୍କୁ ବର୍ଷ ବର୍ଷ ଧରି ଏକ କାଳ କୋଠରିରେ ଅଟକ ରଖାଯାଇ ଅଚିନ୍ତନୀୟ ଶାରୀରିକ ଯନ୍ତ୍ରଣାରେ ଜର୍ଜରିତ କରାଯାଇଛି। ଏହି ସମୟରେ ବ୍ରଦର୍‌ ଲୋରେଞ୍ଜୋ ଇନେସ୍‌ଙ୍କୁ ନିରୀକ୍ଷଣ କରିବା ବାହାନାରେ ବାରମ୍ବାର ବନ୍ଦୀଶାଳାକୁ ଆସିଛନ୍ତି। ଏହି ସବୁ ଅବସରରେ ସେ ଦୁର୍ଦଶାଗ୍ରସ୍ତା ଇନେସ୍‌ଙ୍କ ଅସହାୟତାର ସୁଯୋଗ ନେଇ ଯାହା କରିଛନ୍ତି ତାହା କୌଣସି ଧର୍ମାତ୍ମା ଦୂରେ ଥାଉ, କୌଣସି ସାଧାରଣ ହୃଦୟବାନ୍‌ ବ୍ୟକ୍ତିଠାରୁ ଆଶା କରାଯାଏନା। ଧର୍ମଦ୍ରୋହର ବିଚାରକ ସାଜିଥିବା ଏହି ଧର୍ମରକ୍ଷକ ବ୍ରଦର ଲାରେଞ୍ଜୋ ବନ୍ଦୀଶାଳାରେ ଅଭାଗିନୀ ଇନେସ୍‌୍‌ଙ୍କୁ ବାରମ୍ବାର ଧର୍ଷଣ କରି ଗର୍ଭବତୀ କରି ଦେଇଛି। ଗୟା ଆଙ୍କିଥିବା ଚିତ୍ରରେ ପରିସ୍ଫୁଟ ହୋଇଥିବା ପରି ଧର୍ମାତ୍ମା ବ୍ରଦର୍‌ଙ୍କର ପାପୀ ପ୍ରେତାତ୍ମା ଚେହେରା ଇନେସ୍‌ଙ୍କ ସମ୍ମୁଖରେ ପଦାରେ ପଡ଼ିଯାଇଛି।

ପରେ କାହାଣୀ ନେଇଥିବା ଭିନ୍ନ ରୋଚକ ମୋଡ଼ ଏଠାରେ ପ୍ରାସଙ୍ଗିକ ନୁହେଁ, କିନ୍ତୁ ଏତିକି ଉଲ୍ଲେଖଯୋଗ୍ୟ ଯେ ଦୟା ଓ କରୁଣାର ଧର୍ମ ରୂପେ ଖ୍ୟାତି ଲାଭ କରିଥିବା ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଚାରିତ ଧର୍ମରେ ଇନ୍‌୍‌କ୍ୱିଜିସନ୍‌ ପରି ବିକୃତିର ପ୍ରବେଶ ଯେଉଁ ଭଳି ସତ୍ୟ, ଧର୍ମାତ୍ମା ଛଦ୍ମବେଶରେ ଗୟାଙ୍କ ପ୍ରେତାତ୍ମାମାନଙ୍କର ଅନୁପ୍ରବେଶ ମଧ୍ୟ ସେହିପରିୁ ସତ୍ୟ। କେବଳ ଅଷ୍ଟାଦଶ ଶତାବ୍ଦୀର ସ୍ପେନ୍‌ ନୁହେଁ, ସାମ୍ପ୍ରତିକ ସମୟରେ ମଧ୍ୟ ପୃଥିବୀରେ ପ୍ରାୟ ଏପରି କୌଣସି ଦେଶ ନାହିଁ, ଯେଉଁଠି ଚର୍ଚ୍ଚରେ ବ୍ରଦର୍‌ ଲୋରେଞ୍ଜୋମାନଙ୍କ ଭଳି ଚରିତ୍ର ମାନଙ୍କର ଉପସ୍ଥିତି ନିୟମିତ ଭାବରେ କେଳେଙ୍କାରୀ ସୃଷ୍ଟି କରି ଚାଲି ନାହିଁ। ଉଦାହରଣ ସ୍ୱରୂପ ଅଳ୍ପଦିନ ତଳେ ଆମେରିକାର ପେନ୍‌ସିଲ୍‌ଭାନିଆଠାରେ ଏକ ଗ୍ରାଣ୍ଡ୍‌ଜୁରୀ ଅନୁସନ୍ଧାନ ଦ୍ୱାରା ସାବ୍ୟସ୍ତ ହୋଇଥିଲା ଯେ ସେଠାରେ ବିଗତ ୭୦ ବର୍ଷ ଧରି ୩୦୦ରୁ ଅଧିକ ପାଦ୍ରୀ ହଜାର ହଜାର ପିଲାଙ୍କର ଯୌନ ଶୋଷଣ କରି ଆସୁଛନ୍ତି। ଅଷ୍ଟ୍ରେଲିଆରେ କାର୍ଡିନାଲ୍‌ରୁ ଆର୍ଚ୍ଚବିଶପ୍‌ ପର୍ଯ୍ୟନ୍ତ ଏବେ ଯୌନ ଶୋଷଣ ମାମଲାରେ ଛନ୍ଦି ହୋଇ ରହିଛନ୍ତି। ଏଣୁ ଏହି ପୃଷ୍ଠଭୂମିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ଯେ କେରଳର ଜଣେ ନନ୍‌ ତଥା ମଦର୍‌ ସୁପରିଅର୍‌ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି ଯେ ନିକଟରେ ଜଳନ୍ଧରର ବିଶପ୍‌ ପଦ ତ୍ୟାଗ କରିଥିବା ଫ୍ରାଙ୍କୋ ମୁଲାକ୍କାଲ୍‌ ତାଙ୍କୁ ୨୦୧୪ରୁ ୨୦୧୬ ମଧ୍ୟରେ ୧୩ ଥର ଧର୍ଷଣ କରିଛନ୍ତି। ବିଶପ୍‌ଙ୍କର ଗିରଫଦାରୀ ଦାବି କରି କେରଳରେ ମିସନାରିଜ୍‌ ଅଫ୍‌ ଜିସସ୍‌ ସମ୍ପ୍ରଦାୟର ନନ୍‌ମାନେ ଏକ ଗଣଆନ୍ଦୋଳନ ଆରମ୍ଭ କରିଛନ୍ତି। ମୁଲାକ୍କାଲ୍‌ ଅବଶ୍ୟ ଚିରାଚରିତ ଭାବରେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ତେବେ, ଭାରତରେ କ୍ୟାଥଲିକ୍‌ ଚର୍ଚ୍ଚରେ ଯୌନଶୋଷଣ ଅଭିଯୋଗ ନୂଆ ନୁହେଁ। ୨୦୧୪ରେ ତ୍ରିଶୂରସ୍ଥିତ ସେଣ୍ଟ ପଲ୍‌ ଚର୍ଚ୍ଚର ଭାଇକାର୍‌ ରାଜୁକୋକ୍କନ୍‌ ଜଣେ ନ’ବର୍ଷୀୟା ବାଳିକାକୁ ଧର୍ଷଣ କରିବା ଅଭିଯୋଗରେ ଗିରଫ ହୋଇଥିଲେ। ୨୦୧୭ରେ କାନ୍ନୁର୍‌ସ୍ଥିତ ସେଣ୍ଟ୍‌ ସେବାଷ୍ଟିଆନ୍‌ ଚର୍ଚ୍ଚର ଫାଦର୍‌ ରବିନ୍‌ ମାଥ୍ୟୁ ଜଣେ ଅପ୍ରାପ୍ତ ବୟସ୍କା ବାଳିକାକୁ ଯୌନ ଶୋଷଣ କରି ଗର୍ଭବତୀ କରିବା ଅଭିଯୋଗରେ ଗିରଫ ହୋଇଥିଲେ। କିନ୍ତୁ ମୁଲାକ୍କାଲ୍‌ ଘଟଣାର ବିଶେଷତ୍ୱ ହେଲା ପ୍ରଥମଥର ପାଇଁ ନନ୍‌ମାନେ ଚର୍ଚ୍ଚ ଅଭ୍ୟନ୍ତରରୁ ବାହାରିୁ ସଡ଼କରେ ଖୋଲାଖୋଲି ବିକ୍ଷୋଭ ପ୍ରଦର୍ଶନ କରି ଅଭିଯୁକ୍ତ ବିଶପ୍‌ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୁଣ୍ଠିତ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ଦେଖାଯାଇଛି। ବିଶପ୍‌ ମୁଲାକ୍କାଲ୍‌ ୨୯ ତାରିଖରେ ପୁଲିସ୍‌ ଜେରାର ସମ୍ମୁଖୀନ ହେବେ ବୋଲି ଖବର ପ୍ରକାଶ ପାଇଛି। ଶେଷରେ ସେ ଦୋଷୀ କି ନିର୍ଦ୍ଦୋଷ ତାହା ଅଦାଲତରେ ସାବ୍ୟସ୍ତ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଂଖ୍ୟାଲଘୁ ଉଚ୍ଚ ଧର୍ମାଧିକାରୀ ମଧ୍ୟ ଦେଶର ଆଇନ ନିକଟରେ ମୁଣ୍ଡ ନୁଆଁଇଛନ୍ତି ଯେଉଁଭଳି ଅତୀତରେ ଆଶାରାମ ବାପୁ କିମ୍ବା ରାମ ରହିମ୍‌ଙ୍କ ଭଳି ଶକ୍ତିଶାଳୀ ତଥାକଥିତ ଧର୍ମଗୁରୁ ମାନଙ୍କୁ କରିବାକୁ ପଡ଼ିଛି। ପୃଥିବୀର ସବୁ ଧର୍ମରେ ମୁଖା ପିନ୍ଧି ପ୍ରବଚନ ଦେଉଥିବା ଗୟାଙ୍କ ପ୍ରେତ ମାନଙ୍କର ଏଭଳି ଉପସ୍ଥିତି ଦେଖି ସୁପରଷ୍ଟାର୍‌ ଐତିହାସିକ ୟୁଭାଲ୍‌ ନୋଆ ହାରାରିଙ୍କ ସହିତ ଏକମତ ନ ହୋଇ ରହି ହୁଏ ନାହିଁ: ‘‘ଯଦି ଏକ ହଜାର ଲୋକ ଏକ ମନଗଢ଼ା କଥାକୁ ଏକ ମାସ ଧରି ବିଶ୍ୱାସ କରନ୍ତି ତାହା ହେଉଛି ‘ଫେକ୍‌ ନିଉଜ୍‌’, ଯଦି ଏକ ଶହ କୋଟି ଲୋକ ଏକ ମନଗଢ଼ା କଥାକୁ ଏକ ହଜାର ବର୍ଷ ଧରି ବିଶ୍ୱାସ କରନ୍ତି, ତାହାର ନାମ ହେଉଛି- ଧର୍ମ।’’

ସମ୍ବନ୍ଧିତ ଖବର