ଉଦାରବାଦୀ ହିନ୍ଦୁତ୍ୱ ଆଡ଼କୁ

ଆଉ ଛଅ ଦିନ ପରେ ସେପ୍‌ଟେମ୍ବର ୨୭ରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ବର୍ତ୍ତମାନର ମୁଖ୍ୟ ମୋହନ ଭାଗବତ ହେଉଛନ୍ତି ସଂଘର ସପ୍ତମ ସରସଂଘସଂଚାଳକ। ଏହାପୂର୍ବରୁ ୧୯୨୫ରେ ଗଠିତ ଆର୍‌ଏସ୍‌ଏସ୍‌ ପ୍ରତିଷ୍ଠାତା କେଶବ ବଳିରାମ ହେଡ଼ଗେଓ୍ଵାରଙ୍କଠାରୁ ଆରମ୍ଭ କରି ୨୦୦୯ରେ ଏହାର ମୁଖ୍ୟ ଥିବା କେ. ସୁଦର୍ଶନଙ୍କ ପର୍ଯ୍ୟନ୍ତ ସଂଘ ଅନ୍ୟ ଛଅ ଜଣ ସରସଂଘସଂଚାଳକଙ୍କୁ ଦେଖିଛି। ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଆର୍‌ଏସ୍‌ଏସ୍‌ ପକ୍ଷରୁ ଆୟୋଜିତ ‘ଭବିଷ୍ୟତ ଭାରତ’ ଶୀର୍ଷକ ତିନିଦିନିଆ ବକ୍ତତା ମାଳା ଅବସରରେ ଭାଗବତଙ୍କ ବକ୍ତବ୍ୟର ସ୍ୱର ପୂର୍ବବର୍ତ୍ତୀ ସଂରସଂଘ ସଂଚାଳକ ମାନଙ୍କ ସ୍ୱର ଠାରୁ ଭିନ୍ନ। ଅନେକ ପ୍ରସଙ୍ଗରେ ଭାଗବତଙ୍କ ମତରେ ୩୬୦ ଡିଗ୍ରି ଭିନ୍ନତା ସ୍ପଷ୍ଟ। ଦୀର୍ଘ ତିରିଶ ବର୍ଷ ଧରି ଆର୍‌ଏସ୍‌ଏସ୍‌ର ମଙ୍ଗ ଧରିଥିବା ‘ଗୁରୁଜି’ ମାଧବ ସଦାଶିବ ଗୋଲଓ୍ଵାଲ୍‌କରଙ୍କ ସ୍ପଷ୍ଟ ମତ ଥିଲା ଯେ, ଭାରତରେ ଅଣ-ହିନ୍ଦୁମାନେ ଅଲୋଡ଼ା। ଦେଶରେ ରହିବାକୁ ହେଲେ ଅଣ-ହିନ୍ଦୁଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ରହିବାକୁ ହେବ। ଗୁରୁ ଗୋଲଓ୍ଵାଲକରଙ୍କ ‘ବଞ୍ଚ୍‌ ଅଫ୍‌ ଥଟ୍ସ’ ରେ ଆର୍‌ଏସ୍‌ଏସ୍‌ର ପରିକଳ୍ପିତ ‘ହିନ୍ଦୁ ରାଷ୍ଟ୍ର’ରେ ଅଣ-ହିନ୍ଦୁଙ୍କ ସ୍ଥାନ ନଥିଲା। କିନ୍ତୁ ବର୍ତ୍ତମାନ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ବକ୍ତବ୍ୟରେ ‘ହିନ୍ଦୁ ରାଷ୍ଟ’ର ପରିଭାଷାରେ ପରିବର୍ତ୍ତନର ସଂକେତ ମିଳୁଛି। ‘ଭବିଷ୍ୟତର ଭାରତ’ ବକ୍ତତା ମାଳା ଅବସରରେ ଭାଗବତ ଦେଇଥିବା ବକ୍ତବ୍ୟରେ ଏହା ପ୍ରତିଧ୍ୱନିତ ହୋଇଛି। ଭାଗବତଙ୍କ ପରିକଳ୍ପିତ ‘ହିନ୍ଦୁ ରାଷ୍ଟ୍ର’ରେ ହିନ୍ଦୁଙ୍କ ସହ ଅଣ-ହିନ୍ଦୁଙ୍କ ମଧ୍ୟ ସ୍ଥାନ ରହିଛି। ସେ ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି ଯେ, ହିନ୍ଦୁରାଷ୍ଟ୍ରର ଅର୍ଥ ନୁହେଁ ଯେ ସେଠାରେ ମୁସଲମାନଙ୍କ ସ୍ଥାନ ନାହିଁ। ମୁସଲମାନଙ୍କୁ ଅଲୋଡ଼ା ବିଚାର କଲେ ହିନ୍ଦୁତ୍ୱର ଅସ୍ତିତ୍ୱ ରହିବ ନାହିଁ। ହିନ୍ଦୁତ୍ୱର ପରିସରକୁ ବ୍ୟାପକ କରି ଏହାକୁ ଏକ ଉଦାରବାଦୀ ‘ବସୁଧୈବ କୁଟୁମ୍ବକଂ’ ଚରିତ୍ର ଦେବାକୁ ଭାଗବତଙ୍କ ଏହା ଏକ ସାଧୁ ପ୍ରୟାସ।

କେବଳ ଏତିକି ନୁହେଁ, ଏହି ଅବସରରେ ଭାଗବତ ଆହୁରି ଏମିତି ଅନେକ କଥା କହିଛନ୍ତି, ଯେଉଁଥିରୁ ହିନ୍ଦୁତ୍ୱବାଦୀ ଆର୍‌ଏସ୍‌ଏସ୍‌ର ଆଭିମୁଖ୍ୟରେ ‘ଗ୍ଲାସନଷ୍ଟ’ର ସୁଖଦ ବାସ୍ନା ବାରି ହେଉଛି। ପୂର୍ବତନ ସୋଭିଏଟ୍‌ ୟୁନିଅନ୍‌କୁ ଗଣତନ୍ତ୍ରର ଆବାହନ କରିଥିବା ତତ୍କାଳୀନ ସୋଭିଏଟ୍‌ ନେତା ମିଖାଇଲ୍‌ ଗୋର୍ବାଚୋଭଙ୍କ ‘ଗ୍ଲାସ୍‌ନଷ୍ଟ’ ଓ ‘ପେରେଷ୍ଟ୍ରୋଇକା’ ଥିଲା ପରିବର୍ତ୍ତନର ବାହକ। ଖୋଲାମନରେ ଅନ୍ୟର ବିଚାର, ଭିନ୍ନମତକୁ ସ୍ଥାନ ଓ ସମ୍ମାନ ଦେଇ ପରିବର୍ତ୍ତନ ଲାଗି ଦ୍ୱାର ଖୋଲା ରଖିବା ହେଉଛି ଗ୍ଲାସନଷ୍ଟ। ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କ ବକ୍ତବ୍ୟରେ କେବଳ ହିନ୍ଦୁ ରାଷ୍ଟ୍ର ପ୍ରସଙ୍ଗରେ ପରିବର୍ତ୍ତନ ପ୍ରତିଫଳିତ ହୋଇ ନାହିଁ, ନାନା ଧର୍ମ, ନାନା ଜାତି, ବିଭିନ୍ନ ଭାଷାର ଦେଶ ଭାରତର ବିବିଧତାର ଗରିମାମୟ ଗୁରୁତ୍ୱକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି। ଏହା ଆର୍‌ଏସ୍‌ଏସ୍‌ର ହିନ୍ଦୁତ୍ୱ ଓ ଭାରତୀୟତା ମଧ୍ୟରେ ଦୂରତ୍ୱକୁ କମାଇ ପରସ୍ପରକୁ ନିକଟତର କରାଇଛି।

ଅନେକ ସମୟରେ ସମ୍ବିଧାନର ପୁନଃଲିଖନର ଆବଶ୍ୟକତା ଉପରେ ଜୋର୍‌ ଦେଇ ଆସୁଥିବା ଆର୍‌ଏସ୍‌ଏସ୍‌ର ମୁଖ୍ୟ ସମ୍ବିଧାନ ଦେଶର ସହମତିର ଫଳଶ୍ରୁତି ଏବଂ ସ୍ୱାଧୀନତାର ପ୍ରତୀକ ଓ ଏଥି ପ୍ରତି ସଂଘ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି। ଗୋ-ସୁରକ୍ଷା ଆଳରେ ହେଉ କି ଅନ୍ୟ କୌଣସି ଆଳରେ ହିଂସାର ସେ ନିନ୍ଦା କରିଛନ୍ତି। କଂଗ୍ରେସ ସମ୍ପର୍କରେ ଭାଗବତଙ୍କ ବକ୍ତବ୍ୟ ମଧ୍ୟ ଗତାନୁଗତିକ ଧାରାରେ ଆଉ ଏକ ବ୍ୟତିକ୍ରମ। ଦେଶର ସ୍ୱାଧୀନତା ଓ ଦେଶ ଗଠନରେ କଂଗ୍ରେସର ଅବଦାନର ସେ ପ୍ରଶଂସା କରିଛନ୍ତି। ଯେଉଁ ଦଳର ସରକାର ଅମଳରେ ଆର୍‌ଏସ୍‌ଏସ୍‌କୁ ତିନିଥର ନିଷିଦ୍ଧ କରାଯାଇଥିଲା, ସେହି ଦଳକୁ ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କ ପ୍ରଶଂସା ନିଶ୍ଚୟ ପରିବର୍ତ୍ତନର ସଂକେତ। ଭାଗବତଙ୍କ ବକ୍ତବ୍ୟରେ ଆର୍‌ଏସ୍‌ଏସ୍‌ରେ ଗ୍ଲାସନଷ୍ଟର ଭାବନା, ଅନ୍ୟ ବିଚାର, ଭିନ୍ନମତ ପ୍ରତି ଖୋଲାପଣର ସୂଚନା। ସମ୍ଭବତଃ, ଭାଗବତ ପୂର୍ବତନ ସଂଘସଂଚାଳକ ଗୁରୁ ଗୋଲଓ୍ଵାଲକରଙ୍କ ଚିନ୍ତନ ଅପେକ୍ଷା ପ୍ରତିଷ୍ଠାତା ହେଡଗେଓ୍ଵାରଙ୍କ ବିଚାର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ହେଡ଼ଗେଓ୍ଵାରଙ୍କ ମତ ଥିଲା ସମୟ ଓ ପରିବର୍ତ୍ତନ ସହ ତାଳ ଦେଇ ସଂଘର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମରେ ମଧ୍ୟ ପରିବର୍ତ୍ତନ ଆଣିବାରେ କୌଣସି କୁଣ୍ଠା ରହିବା ଉଚିତ ନୁହେଁ।

ନୂଆଦିଲ୍ଲୀ ବିଜ୍ଞାନ ଭବନରେ ସରସଂଘ ସଂଚାଳକ ମୋହନ ଭାଗବତଙ୍କ ବକ୍ତବ୍ୟରେ ଏହା ହିଁ ପ୍ରତିଫଳିତ ହୋଇଛି। ଯଦି ଆର୍‌ଏସ୍‌ଏସ୍‌ର ଆଭିମୁଖ୍ୟରେ ପରିବର୍ତ୍ତନର ଏହା ପ୍ରକୃତ ପ୍ରତିଫଳନ, ତେବେ ଏହା ସର୍ବାଦୌ ସ୍ୱାଗତଯୋଗ୍ୟ। ସଂପ୍ରତି ଦେଶରେ ଧର୍ମ ଓ ଜାତି ନାମରେ ରାଜନୈତିକ ଧ୍ରୁବୀକରଣ ଲାଗି ଉଦ୍ୟମ ଚାଲିଥିବା ବେଳେ ଭାଗବତଙ୍କ ଏହି ବସୁଧୈବ କୁଟୁମ୍ବକମ୍‌ ବାର୍ତ୍ତା ନିଶ୍ଚୟ ଏକ ନୂଆ ବାର୍ତ୍ତା ସୃଷ୍ଟି କରୁଛି। କିନ୍ତୁ ଏ ପରିବର୍ତ୍ତନର ବିଶ୍ୱସନୀୟତା ଉପରେ ତଥାପି କେତେକ ମହଲରେ ସନ୍ଦେହ ଓ ଆଶଙ୍କା ପ୍ରକାଶ ପାଇଛି। ଏହା ଅସ୍ୱାଭାବିକ ନୁହେଁ। କାରଣ ଗତ ନଅ ଦଶକ ଧରି ସଂଘ ହିନ୍ଦୁତ୍ୱର ନାଭିକେନ୍ଦ୍ର ହୋଇ ରହି ଆସିଛି। ଅବଶ୍ୟ, ଏ ଆଶଙ୍କା ଓ ସନ୍ଦେହ ଦୂର ହେବ ସେତେବେଳେ, ଯେତେବେଳେ ଉଚ୍ଚାରଣରେ ଏ ପରିବର୍ତ୍ତନ ବିଶାଳ ସଂଘ ପରିବାରର ସବୁ ସଂଗଠନ- ବିଶ୍ୱ ହିନ୍ଦୁ ପରିଷଦ ଠାରୁ ଆରମ୍ଭ କରି ଭାରତୀୟ ମଜଦୁର ସଂଘ, ସ୍ୱଦେଶୀ ଜାଗରଣ ମଞ୍ଚ, ବଜରଙ୍ଗ ଦଳ ପର୍ଯ୍ୟନ୍ତ କର୍ମୀ ଓ କର୍ମକର୍ତ୍ତାଙ୍କ ଆଚରଣରେ ପ୍ରତିଫଳିତ ହେବ। ବିଶେଷକରି, କେନ୍ଦ୍ର ଓ ଅଧିକାଂଶ ରାଜ୍ୟରେ ଶାସନରେ ଥିବା ଆର୍‌ଏସ୍‌ଏସ୍‌ର ଆଦର୍ଶଗତ ରାଜନୈତିକ ସନ୍ତାନ ଭାରତୀୟ ଜନତା ପାର୍ଟି ଏହି ପରିବର୍ତ୍ତନକୁ ଗ୍ରହଣ କରି ଅନୁରୂପ ମାର୍ଗ ଅନୁସରଣ କଲେ ଯାଇ ପରିବର୍ତ୍ତନ ବାସ୍ତବତାରେ ରୂପାନ୍ତରିତ ହୋଇପାରିବ।

ରାଷ୍ଟ୍ରବାଦୀ ଦେଶପ୍ରେମୀ ଆର୍‌ଏସ୍‌ଏସ୍‌ର ନେତୃତ୍ୱ ନେଉଥିବା ଭାଗବତ ନିଶ୍ଚୟ ଅବଗତ ଥିବେ ଯେ, ପରିବର୍ତ୍ତନର କଥା କହିବା ଯେତିକି ସହଜ ଏହାକୁ କାମରେ କରି ଦେଖାଇବା ସେତିକି ସହଜ ନୁହେଁ। ଆଭିମୁଖ୍ୟ ଓ ଆଚରଣରେ ପରିବର୍ତ୍ତନ ସକାଶେ ପ୍ରଥମେ ମାନସିକତାରେ ପରିବର୍ତ୍ତନ ଏକାନ୍ତ ଅପରିହାର୍ଯ୍ୟ। ଗତ ନଅ ଦଶକ ଧରି ଦେଶ ପ୍ରେମ, ରାଷ୍ଟ୍ରବାଦ, ସାଂସ୍କୃତିକ ଜାତୀୟତା ଆଦି ପ୍ରସଙ୍ଗରେ ଆର୍‌ଏସ୍‌ଏସ୍‌ର ଯେଉଁ ସାମୂହିକ ମାନସିକତା ରହି ଆସିଛି ତାହା ରାତାରାତି ବଦଳିବା ଆଶା କରାଯାଏ ନାହିଁ। ଗୋଟିଏ ମାନସିକତା ତିଆରି ଲାଗି ଯେମିତି ବର୍ଷବର୍ଷ ସମୟ ଲାଗିଛି, ସେମିତି ଏହାର ପରିବର୍ତ୍ତନ ପାଇଁ ମଧ୍ୟ ଦୀର୍ଘ ସମୟ ଲାଗିଯାଇପାରେ। ତେବେ, ପରିବର୍ତ୍ତନର ଲକ୍ଷ୍ୟ ଆଡ଼କୁ ଆଗେଇବାକୁ ପଡ଼ିବ। ଲକ୍ଷ୍ୟ ଯେତେ ଦୂରେ ଥାଉ, ସହସ୍ର ମାଇଲର ଯାତ୍ରାରେ ଯେମିତି ଗୋଟିଏ ଗୋଟିଏ ପାଦ ପକାଇ ଆଗେଇବାକୁ ହୁଏ, ସେମିତି ଲକ୍ଷ୍ୟ ଆଡ଼କୁ ଆଗେଇବାକୁ ପଡ଼ିବ। ପ୍ରଥମ ପାଦ ପକାଇଥିବା ଖୋଦ୍‌ ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କୁ ଏ ପରିବର୍ତ୍ତନ ଯାତ୍ରାର ନେତୃତ୍ୱ ନେବାକୁ ପଡିବ। ଯଦି ଆଦର୍ଶଗତ ସନ୍ତାନ ରାଜନୈତିକ ଦଳ ବିଜେପି ଏଥରେ ଖାଲି ସହଯୋଗ ନୁହେଁ, ଯାତ୍ରାରେ ସକ୍ରିୟ ଭାବେ ସାମିଲ ହୁଏ, ତେବେ ପରିବର୍ତ୍ତନର ଲକ୍ଷ୍ୟ ଅପହଞ୍ଚ ହୋଇ ରହିବ ନାହିଁ। ଏହା ଦେଶର ରାଜନୈତିକ- ସାମାଜିକ ପରିବେଶରେ ଏକ ବୃହତ୍‌ ସକାରାତ୍ମକ ପରିବର୍ତ୍ତନର ସମ୍ଭାବନା ରଖୁଛି।

ସମ୍ବନ୍ଧିତ ଖବର