ଦେଶ ଛାଡ଼!

କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉଭୟ ପାଟନା ହାଇକୋର୍ଟ ଏବଂ ସୁପ୍ରିମ୍‌ କୋର୍ଟରେ ସିନିଅର ଆଡ୍‌ଭୋକେଟ୍‌ ମାନ୍ୟତା ଲାଭ କରିଥିବା ଜଣେ ବିଜ୍ଞ ଓକିଲ ରୂପେ ସୁପରିଚିତ। ରହସ୍ୟରେ କୁହାଯାଇଥାଏ ଓକିଲମାନେ କଳାକୁ ଧଳା କରିବାରେ ସିଦ୍ଧହସ୍ତ। ଆଠ ତାରିଖ ଦିନ ବିମୁଦ୍ରୀକରଣର ବର୍ଷ ପୂରଣକୁ ବିରୋଧୀ ଦଳମାନେ କଳା ଦିବସ ରୂପେ ପାଳନ କରିବାକୁ ବିରୋଧ କରି ରବିଶଙ୍କର ପ୍ରସାଦ ତାହାକୁ ଯେଉଁପରି ଧଳା ରଙ୍ଗ ଦେବାକୁ ଚେଷ୍ଟା କରିଛନ୍ତି, ତାହାକୁ ତାଙ୍କର ବୃତ୍ତିଗତ ନିପୁଣତାର ଏକ ଚରମ ନିଦର୍ଶନ ରୂପେ ବିଚାର କରାଯିବ। ସେ କହିଛନ୍ତି ଯେ ବିମୁଦ୍ରୀକରଣ ଯୋଗୁଁ କଶ୍ମୀରର ଟେକା ମାଡ଼ ହ୍ରାସ ପାଇଛି, ଦେଶରେ ଅନ୍ୟତ୍ର ନକ୍ସଲ୍‌ କାର୍ଯ୍ୟକଳାପରେ ଅଙ୍କୁଶ ଲାଗିଛି, କର୍ମଚାରୀ ମାନଙ୍କର ପ୍ରୋଭିଡେଣ୍ଟ ଫଣ୍ଡ୍‌ ଏବଂ ବୀମା ସୁରକ୍ଷାରେ ବିଶେଷ ବୃଦ୍ଧି ଘଟିଛି ଏବଂ ଦେଶରେ ଡିଜିଟାଲ ଦେଣନେଣ କାରବାରରେ ଅଗ୍ରଗତି ଘଟିଛି। ସେ ବୋଧହୁଏ କହିବାକୁ ଭୁଲି ଯାଇଛନ୍ତି ବିମୁଦ୍ରୀକରଣ ଯୋଗୁଁ ହିଁ ଡୋକ୍‌ଲାମ୍‌ରୁ ଚୀନ୍‌ ତାର ସୈନ୍ୟସାମନ୍ତ ହଟାଇ ନେଲା କିମ୍ବା ଦିନିକିଆ କ୍ରିକେଟ୍‌ ଶୃଙ୍ଖଳାରେ ଭାରତ ଅଷ୍ଟ୍ରେଲିଆକୁ ହରାଇ ଦେଲା!

ବିମୁଦ୍ରୀକରଣର ଏହି ଗୁଣଗାନ ସମୟରେ ରବିଶଙ୍କର ପ୍ରସାଦ ଏହାର ଆଉ ଯେଉଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି, ତାହା ବିମୁଦ୍ରୀକରଣର ମୂଳ ରଚୟିତାମାନେ ମଧ୍ୟ ଏହାକୁ ଜନ୍ମ ଦେବା ବେଳେ ଅନୁମାନ କରିପାରି ନଥିବେ। ନଚେତ୍‌ ବିମୁଦ୍ରୀକରଣ ଘୋଷଣାର ପରବର୍ତ୍ତୀ ଦିନମାନଙ୍କରେ ଯେତେବେଳେ ମୂଳ ତିନିଟି ଲକ୍ଷ୍ୟ ପଦ୍ମ ଘୁଞ୍ଚିଯିବା ପରି ଘୁଞ୍ଚି ଘୁଞ୍ଚି ଯିବା ଦେଖାଗଲା ଏବଂ ଏହି ରଚୟିତାମାନେ ଛାନିଆ ହୋଇ ଚତୁରତାର ସହିତ ନୂଆ ନୂଆ ଲକ୍ଷ୍ୟମାନ ଯୋଡ଼ି ଚାଲିଲେ, ସେତେବେଳେ ରବିଶଙ୍କର ପ୍ରସାଦ ବର୍ତ୍ତମାନ ପେସ୍‌ କରିଥିବା ଏହି ତଥାକଥିତ ଉପଲବ୍‌ଧିଟିକୁ ବିମୁଦ୍ରୀକରଣର ଅନ୍ୟତମ ଲକ୍ଷ୍ୟ ରୂପେ ତାଲିକାରେ ଯୋଡ଼ି ଦେଇଥାନ୍ତେ। ପ୍ରସାଦଙ୍କ ଦାବି ଅନୁସାରେ ବିମୁଦ୍ରୀକରଣ ଯୋଗୁଁ ଦେଶରେ ବେଶ୍ୟାବୃତ୍ତିରେ ତୀବ୍ର ହ୍ରାସ ଘଟିଛି। ସେ ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ପାଖରେ ଏ ସମ୍ପର୍କରେ ଡାଟା ଉପଲବ୍‌ଧ ଅଛି। ପ୍ରସାଦଙ୍କ ଯୁକ୍ତି ଅବଶ୍ୟ ବୁଝିବା କଷ୍ଟକର ନୁହେଁ। ତାଙ୍କ ମତରେ ଗ୍ରାହକମାନେ ନଗଦ ମୁଦ୍ରା ସାହାଯ୍ୟରେ ଯୌନ ସେବା କ୍ରୟ କରୁଥିବାରୁ, ନଗଦ ଅଭାବରେ ଚାହିଦାରେ ସଂକୋଚନ ଘଟିଛି।

ସମାଜର ପ୍ରାଚୀନତମ ବୃତ୍ତି ପ୍ରତି ରବିଶଙ୍କର ପ୍ରସାଦଙ୍କର ଏଭଳି ଆଭିମୁଖ୍ୟ କେତେଦୂର ଯଥାର୍ଥ ସେ ନେଇ ସମାଜଶାସ୍ତ୍ରରୁ ଆରମ୍ଭ କରି ଅର୍ଥଶାସ୍ତ୍ର ପର୍ଯ୍ୟନ୍ତରେ ଅସୁମାରି ଗବେଷଣା, ଅନୁଶୀଳନ ଓ ଅନୁସନ୍ଧାନର ଫଳାଫଳ ଉପଲବ୍‌ଧ। ଆମେ କିନ୍ତୁ ସେ ଅରଣ୍ୟରେ ପ୍ରବେଶ ନକରି ଏହି ବିଷୟବସ୍ତୁକୁ ଆଧାର କରି ଊନବିଂଶ ଶତାବ୍ଦୀର ଶେଷ ଦଶକରେ ମହାନ୍‌ ବୁଦ୍ଧିଦୀପ୍ତ ନାଟ୍ୟକାର ଜର୍ଜ ବର୍ଣ୍ଣାଡ ଶ’ଙ୍କ ଦ୍ୱାରା ରଚିତ ପ୍ରସିଦ୍ଧ ନାଟକ ‘ମିସେସ୍‌ ଓ୍ଵାରେନ୍‌’ସ ପ୍ରଫେସନ୍‌’ ପ୍ରତି ଦୃଷ୍ଟି ଆକର୍ଷଣ କରିବା ଯଥାର୍ଥ ହେବ ବୋଲି ବିଚାର କରୁଛୁ। ଏ ସମ୍ବନ୍ଧରେ ଅଧିକ କିଛି କହିବା ପୂର୍ବରୁ ବୋଧହୁଏ ଉଲ୍ଲେଖ କରିବା ସମୀଚୀନ ହେବ ଯେ ନାଟକର ବିଷୟବସ୍ତୁ ସମସାମୟିକ ବ୍ରିଟିସ ସମାଜର ବିଚାର ଧାରାକୁ ଉଲ୍ଲଂଘନ କରୁଥିବା ଯୋଗୁଁ ନାଟକଟି ୧୮୯୪ରେ ରଚିତ ହୋଇଥିଲେ ହେଁ, ଏହାର ପ୍ରଦର୍ଶନ ଉପରେ ସରକାର ନିଷେଧାଦେଶ ଲାଗୁ କରିଥିଲେ ଏବଂ ୧୯୦୨ରେ ଏକ ଘରୋଇ କ୍ଲବ୍‌ରେ ଏହାର ପ୍ରଦର୍ଶନ ଆୟୋଜିତ ହୋଇଥିଲା ଯାହା। ନାଟକଟିର ସାର୍ବଜନୀନ ପ୍ରଦର୍ଶନ ସମ୍ଭବ ହେବା ପାଇଁ ଆଉରି ଦୁଇ ଦଶନ୍ଧିରୁ ଅଧିକ କାଳ ଲାଗିଯାଇଥିଲା- ୧୯୨୬ରେ। ନାଟକଟି ପ୍ରତି ଏପରି ବିରୋଧର କାରଣ ଖୋଜିବାକୁ ହେଲେ ବୋଧହୁଏ ନାଟକଟିର ମୁଖବନ୍ଧରେ ଶ’ଙ୍କର କେତୋଟି ଧାଡ଼ି ଉପରେ ଦୃଷ୍ଟି ପକାଇବା ଯଥେଷ୍ଟ ହେବ। ଶ’ ଲେଖିଥିଲେ: ‘‘ମିସେସ୍‌ ଓ୍ଵାରେନ୍‌ସ ପ୍ରଫେସନ୍‌’ ୧୮୯୪ରେ ଲେଖାଯାଇଥିଲା ଏହି ସତ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଯେ ବେଶ୍ୟାବୃତ୍ତି ନାରୀର ଦୁରାଚାର କିଂବା ପୁରୁଷର ବ୍ୟଭିଚାର ଯୋଗୁଁ ନୁହେଁ, କିନ୍ତୁ ସିଧାସଳଖ କହିବାକୁ ଗଲେ ନାରୀମାନଙ୍କୁ ଏ ଭଳି ଲଜ୍ଜାଜନକ ଭାବରେ କମ୍‌ ପାରିଶ୍ରମିକ ଦିଆଯାଇଥାଏ, ସେମାନଙ୍କର ଏପରି ଅବମୂଲ୍ୟାୟନ କରାଯାଇଥାଏ ଏବଂ ସେମାନଙ୍କୁ ଏତେ ଅଧିକ ଖଟିବାକୁ ବାଧ୍ୟ କରାଯାଇଥାଏ ଯେ ସେମାନଙ୍କ ମଧ୍ୟରୁ ସବୁଠାରୁ ଅସହାୟ ମାନଙ୍କୁ ଜୀବନ ବଞ୍ଚାଇବା ପାଇଁ ବେଶ୍ୟାବୃତ୍ତିର ସାହାଯ୍ୟ ନେବା ପାଇଁ ବାଧ୍ୟ ହେବାକୁ ପଡ଼ିଥାଏ।’’

ତତ୍‌କାଳୀନ ବ୍ରିଟିସ୍‌ ରକ୍ଷଣଶୀଳ ସମାଜର ଚିନ୍ତାଧାରା ସହିତ ବର୍ତ୍ତମାନର ଭାରତୀୟ ସମାଜର ଚିନ୍ତାଧାରା ପୂରାପୂରି ସମାନ ନହେଲେ ମଧ୍ୟ ଆମ ସମାଜରେ ଏବେବି ବଳବତ୍ତର ଥିବା ମହିଳାମାନଙ୍କ ପ୍ରତି ଆଭିମୁଖ୍ୟ ଯେ କିଛି କମ୍‌ ରକ୍ଷଣଶୀଳ ନୁହେଁ ତାହା କେହି ବି ଅସ୍ୱୀକାର କରିପାରିବେ ନାହିଁ। ଖାପ୍‌ ପଞ୍ଚାୟତ, ଅନର୍‌ କିଲିଙ୍ଗ୍‌, ଧର୍ଷଣ, ପାରିବାରିକ ହିଂସା, କାର୍ଯ୍ୟ କ୍ଷେତ୍ରରେ ଯୌନ ଶୋଷଣ- ଏ ସବୁ ହେଉଛି ଜଣେ ସାଧାରଣ ଭାରତୀୟ ନାରୀ ତା’ର ଜୀବନ ଓ ଜୀବିକାର ଗତାନୁଗତିକ ଭାବରେ ସମ୍ମୁଖୀନ ହେଉଥିବା ବାସ୍ତବ ସମ୍ଭାବନା ମାନ। ଏମାନଙ୍କ ମଧ୍ୟରୁ କେତେକ ଯଦି ନିଜର ଅସହାୟତାରୁ ସାମୟିକ ମୁକ୍ତି ପାଇବା ପାଇଁ ଶେଷ ଉପାୟ ସ୍ୱରୂପ ଦେହ ବ୍ୟବସାୟର ଆଶ୍ରୟ ନେଉଥାନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ରବିଶଙ୍କର ପ୍ରସାଦଙ୍କ ବାହାସ୍ଫୋଟ ଯଦି ସତ ହୋଇଥାଏ ତେବେ ବିମୁଦ୍ରୀକରଣ ବର୍ତ୍ତମାନ ସେମାନଙ୍କ ଠାରୁ ଏଇ ଶେଷ ଭରସାଟିକୁ ମଧ୍ୟ ଛଡ଼ାଇ ନେଇଛି।

ଏହା କହିବା ଅର୍ଥ ଆମେ ବେଶ୍ୟାବୃତ୍ତିର ସମର୍ଥନ କରୁନାହୁଁ। କିନ୍ତୁ ଏକଶତାବ୍ଦୀ ତଳେ ବର୍ଣ୍ଣାଡ୍‌ ଶ’ ସୂଚାଇଥିବା ଭଳି ବେଶ୍ୟାବୃତ୍ତିର ମୂଳୋତ୍ପାଟନ ସେତେବେଳେ ସମ୍ଭବ ହେବ ଯେତେବେଳେ ମହିଳାମାନେ ଅର୍ଥନୈତିକ, ସାମାଜିକ ଶକ୍ତିର ଅଧିକାରିଣୀ ହେବେ। ବିମୁଦ୍ରୀକରଣ ବେଶ୍ୟାବୃତ୍ତିକୁ ବନ୍ଦ କରିବାରେ ସଫଳ ହୋଇଛି କହିବା ଅର୍ଥ ଏହି ବୃତ୍ତିରେ ନିୟୋଜିତ ମହିଳା ମାନଙ୍କ ପ୍ରତି ନାକଟେକିବା। ମହିଳାମାନଙ୍କ ପାଇଁ ଯଥେଷ୍ଟ ବିକଳ୍ପ ସୁଯୋଗ ସୃଷ୍ଟି କରିବା ପରିବର୍ତ୍ତେ ଏଭଳି ଏକ ଆଭିମୁଖ୍ୟ ପ୍ରଦର୍ଶନ କରିବା ବିଶୁଦ୍ଧ ଶଠତା ଛଡ଼ା ଆଉ କିଛି ନୁହେଁ। ଯେଉଁ ତଥାକଥିତ ଭଦ୍ର ସମାଜ ବେଶ୍ୟାବୃତ୍ତି ପ୍ରତି ଏପରି ଆଭିମୁଖ୍ୟ ପ୍ରଦର୍ଶନ କରିଥାଏ ସେମାନଙ୍କୁ ଲକ୍ଷ୍ୟ କରି ଶ’ଙ୍କ ନାଟକର ଏକ ସଂଳାପ ଥିଲା ଏହିପରି: ‘‘ତୁମେ ଯଦି ନୈତିକ ମାନଦଣ୍ଡ ଅନୁସାରେ ତୁମର ସାଙ୍ଗସାଥୀ ବାଛିବାକୁ ଚାହୁଁଛ, ତେବେ ତୁମେ ବରଂ ଏ ଦେଶ ଛାଡ଼ି ପଳାଅ, ନଚେତ୍‌ ତୁମକୁ ସାରା ଭଦ୍ର ସମାଜରୁ ବିଚ୍ଛିନ୍ନ ହେବାକୁ ପଡ଼ିବ।’’

ସମ୍ବନ୍ଧିତ ଖବର