ବିରଳ ଏକତା

ବିଧାନସଭାରେ ଅନେକ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି। ଦଳୀୟ ବିଭାଜନ ରେଖା ଡେଇଁ ମାନ୍ୟବର ବିଧାୟକମାନଙ୍କ ସର୍ବସମ୍ମତିରେ ଗୃହରେ ଅନେକ ସଂକଳ୍ପ ଗୃହୀତ ହୋଇଛି। କିନ୍ତୁ ସଦ୍ୟ ସମାପ୍ତ ମୌସୁମୀ ଅଧିବେଶନର ଶେଷ ଦିବସରେ ସହମତିର ଆଗକୁ ଯାଇ ବିଧାନସଭାରେ ମାନ୍ୟବର ବିଧାୟକଙ୍କ ଦ୍ୱାରା ପ୍ରଦର୍ଶିତ ଏକତା ନିଶ୍ଚୟ ଏକ ବିରଳ ଦୃଷ୍ଟାନ୍ତ। ଓଡ଼ିଶାର ସମ୍ମାନ, ଓଡ଼ିଆଙ୍କ ସ୍ୱାଭିମାନ ଓ ବ୍ୟବସ୍ଥାପକ ସଭାର ଗରିମା ଯୋଡ଼ି ହୋଇଥିବା ଗୋଟିଏ ପ୍ରସଙ୍ଗରେ ପ୍ରକାଶ ପାଇଥିବା ଏ ବିରଳ ଏକତା ନିଶ୍ଚୟ ସ୍ୱାଗତଯୋଗ୍ୟ। ପ୍ରାୟ ସବୁ ପ୍ରସଙ୍ଗରେ ସଂକୀର୍ଣ୍ଣ ଦଳୀୟ ଦୃଷ୍ଟିକୋଣରୁ ବାଦ-ବିବାଦ, ଆକ୍ଷେପ-ପ୍ରତିଆକ୍ଷେପ ଦେଖିବାରେ ଅଭ୍ୟସ୍ତ ରାଜ୍ୟବାସୀଙ୍କୁ ଗୁରୁବାରର ଏହି ସୁଖଦ ବ୍ୟତିକ୍ରମ ଅବଶ୍ୟ ଆଶ୍ୱସ୍ତ କରିଥିବ।

ଓଡ଼ିଆଙ୍କ ପ୍ରାଣ ପ୍ରଭୁ ଶ୍ରୀଜଗନ୍ନାଥ, ଓଡ଼ିଶାର ଐତିହ୍ୟ, ଓଡ଼ିଶା, ଓଡ଼ିଆ, ବିଧାନସଭା ଏବଂ ବିଧାୟକଙ୍କ ସମ୍ପର୍କରେ ଜଣେ ଆତ୍ମଘୋଷିତ ବିଶେଷଜ୍ଞ ଓ ତଥାକଥିତ ଗବେଷକ ଅଭିଜିତ୍‌ ମିତ୍ରଙ୍କ ଅବାନ୍ତର, ଅଶାଳୀନ ମନ୍ତବ୍ୟ ବିରୋଧରେ ଗୃହରେ ଏହି ବିରଳ ଏକତା ଦେଖିବାକୁ ମିଳିଛି। ଗତାନୁଗତିକ ସଂସଦୀୟ ଧାରାକୁ ଭାଙ୍ଗି ଯେଭଳି ବିଜୁଳି ବେଗରେ ମିତ୍ରଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ସମାପ୍ତ ହେଲା, ତାହା ଏକ ନୂଆ ଉଦାହରଣ। ସାଧାରଣତଃ କୌଣସି ସ୍ୱାଧିକାର ନୋଟିସ୍‌ ଶୂନ୍ୟ କାଳରେ ଆସିଥାଏ। କିନ୍ତୁ ଗୁରୁବାର ଦିନ ପ୍ରଶ୍ନୋତ୍ତର କାଳ ବାତିଲ କରି ସ୍ୱାଧିକାର ଭଙ୍ଗ ନୋଟିସ୍‌ ଉପରେ ଗୃହରେ ଆଲୋଚନା ହେଲା। ଦଳ ନିବିଶେଷରେ ସବୁ ଦଳର ସଦସ୍ୟମାନେ ମିତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ମତ ଦେଇଥିଲେ। ଆଲୋଚନା ପରେ ତୁରନ୍ତୁ ଗୃହରେ ଏକ ସଂକଳ୍ପ ପାରିତ ହୋଇ ସ୍ୱାଧିକାରଭଙ୍ଗ ଅଭିଯୋଗ ବିଚାର ପାଇଁ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ଗୃହ କମିଟି ଗଠିତ ହେଲା। ପରବର୍ତ୍ତୀ ଅଧିବେଶନର ପ୍ରଥମ ଦିବସରେ କମିଟି ରିପୋର୍ଟ ଦେବେ ବୋଲି ତାରିଖ ଧାର୍ଯ୍ୟ ହୋଇଛି। ଉଲ୍ଲେଖନୀୟ ହେଲା ସରକାରୀ ଦଳର ମୁଖ୍ୟ ସଚେତକଙ୍କ ଦ୍ୱାରା ଆଗତ ସଂକଳ୍ପକୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ସମେତ ସବୁ ସଦସ୍ୟ ନିଜ ନିଜ ସ୍ଥାନରେ ଠିଆ ହୋଇ ସମର୍ଥନ ଜଣାଇଥିଲେ। ଅନେକ ସ୍ୱାଧିକାର ଭଙ୍ଗ ନୋଟିସ୍‌ ପ୍ରାରମ୍ଭିକ ଗ୍ରହଣ ସ୍ତରରେ ଝୁଲି ରହୁଥିବା ଓ ଆଉ କେତେକ ଆଲୋଚନାକୁ ସୁଦ୍ଧା ଆସୁନଥିବା କିମ୍ବା ଆଲୋଚନା ସ୍ତରରେ ପଡ଼ିରହୁଥିବା ବେଳେ ମିତ୍ରଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଟି ଗଠନ ପର୍ଯ୍ୟନ୍ତ ଔପଚାରିକତା ସମ୍ପନ୍ନ ହେବା ନିଶ୍ଚିତ ଭାବେ ଏକ ବ୍ୟତିକ୍ରମ। ଓଡ଼ିଆଙ୍କ ସାମୂହିକ ଭାବାବେଗକୁ ଆଘାତ ଦେଇଥିବା ମିତ୍ରଙ୍କ ଅଶାଳୀନ ମନ୍ତବ୍ୟ ଫଳରେ ଯେଉଁପ୍ରକାର ଅସ୍ୱସ୍ତି ପ୍ରକାଶ ପାଇଥିଲା, ସେ ଦୃଷ୍ଟିରୁ ଗୃହର ପଦକ୍ଷେପ ଯଥାର୍ଥ। ବିଧାନସଭାରେ ଓଡ଼ିଶାବାସୀଙ୍କ ସାମୂହିକ ଭାବାବେଗର ପ୍ରତିଫଳନ ଓ ପ୍ରତିବାଦର ସ୍ୱର ପ୍ରତିଧ୍ୱନିତ ହେବାର ଏହା ଥିଲା ଏକ ମହାର୍ଘ ଅବସର। ଅରୁଚିକର ମନ୍ତବ୍ୟ ଦ୍ୱାରା ଆହତ ଓଡ଼ିଆଙ୍କ ବ୍ୟଥାକୁ ବିଧାନସଭାର ଏକତା ନିଶ୍ଚୟ କିଛି ମାତ୍ରାରେ ଉପଶମ କରିଥିବ।

ଓଡ଼ିଶାର ସମ୍ମାନ, ଓଡ଼ିଆଙ୍କ ସ୍ୱାଭିମାନ ବିରୋଧୀ ଜଣେ ବ୍ୟକ୍ତିଙ୍କ ବିରୋଧରେ ବିଧାନସଭାରେ ଯେଉଁ ପ୍ରକାର ଏକତା ଏବଂ ସାମୂହିକ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଦେଖିବାକୁ ମିଳିଲା, ଅନ୍ୟ ବୃହତ୍ତର ସ୍ୱାର୍ଥ, ଓଡ଼ିଶା ଓ ଓଡ଼ିଆଙ୍କ ସ୍ୱାଭିମାନ ସହ ଯୋଡ଼ି ହୋଇଥିବା ପ୍ରସଙ୍ଗରେ ସମାନ ପ୍ରକାର ଏକତା ଓ ସାମୂହିକ ରାଜନୈତିକ ଇଚ୍ଛାଶକ୍ତି ଦେଖାଯାଉ ନାହିଁ କାହିଁକି? ମହାନଦୀ ଜଳ ବିବାଦ, ସ୍ୱତନ୍ତ୍ର ପାହ୍ୟା ରାଜ୍ୟ, ଧାନର ସର୍ମନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଆଦି ଅନେକ ପ୍ରସଙ୍ଗରେ ଗୃହରେ ସହମତି ପ୍ରକାଶ ପାଇଛି। ସର୍ବସମ୍ମତିରେ ସଂକଳ୍ପ ମଧ୍ୟ ଗୃହୀତ ହୋଇଛି। ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଦାବିରେ ତ ବିଗତ ସାଢ଼େ ତିନିଦଶକ ମଧ୍ୟରେ ଏକାଧିକ ବିଧାନସଭାରେ ବହୁବାର ସର୍ବସମ୍ମତ ସଂକଳ୍ପ ଗୃହୀତ ହୋଇଛି। କିନ୍ତୁ ସେ ସର୍ବସମ୍ମତ ସଂକଳ୍ପ ସବୁ ଈପ୍‌ସିତ ପ୍ରଭାବ ପକାଇ ପାରିନାହିଁ କି ଲକ୍ଷ୍ୟ ମଧ୍ୟ ହାସଲ ହୋଇ ପାରୁନାହିଁ। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ସ୍ଥିତି ୧୯୭୯ରେ ପ୍ରଥମେ ଉପସ୍ଥାପନ ବେଳେ ଯାହା ଥିଲା, ଆଜି ୨୦୧୮ରେ ମଧ୍ୟ ସେହି ସ୍ଥିତି ଜାରି ରହିଛି। ଏହାର ମୂଳ କାରଣ, ବିଧାନସଭାରେ ଗୃହୀତ ପ୍ରସ୍ତାବ ଉପରେ ସହମତି ଥିଲେ ସୁଦ୍ଧା ଏହା ପଛରେ ନା ରହିଛି ଏକତା, ନା ରହିଛି ସାମୂହିକ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି। ଅନ୍ୟଥା, ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ସରକାର ଥିବା ବେଳେ ଗୃହୀତ ପ୍ରସ୍ତାବକୁ କେନ୍ଦ୍ରର ଏନ୍‌ଡିଏ ସରକାର ଅଣଦେଖା କରିପାରି ନଥାନ୍ତେ। ରାଜ୍ୟ ବିଧାନସଭାରେ ସହମତିରେ ଗୃହୀତ ପ୍ରସ୍ତାବରେ ବିଜେପି ମଧ୍ୟ ପକ୍ଷଭୁକ୍ତ ହୋଇଛି। ଅଥଚ ଦଳର କେନ୍ଦ୍ରୀୟ ନେତା ଓ ମନ୍ତ୍ରୀମାନେ ଖୋଲାଖୋଲି ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ବିରୋଧ କରିଛନ୍ତି।

ଅନ୍ୟପକ୍ଷରେ ଏନ୍‌ଡିଏରେ ଭାଗୁଆଳି ଥାଇ ସୁଦ୍ଧା ବିଜେଡି ଏ ପ୍ରସଙ୍ଗରେ ବାଜପେୟୀ ସରକାର ଉପରେ କୌଣସି ପ୍ରଭାବ ପକାଇ ପାରି ନଥିଲା। ରାଜ୍ୟରେ କଂଗ୍ରେସ ସରକାର ଥିବା ବେଳେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ସବୁଠାରୁ ଅଧିକ ଥର ବିଧାନସଭାରେ ପ୍ରସ୍ତାବ ଗୃହୀତ ହୋଇଛି। କିନ୍ତୁ କେନ୍ଦ୍ରରେ କଂଗ୍ରେସ ସରକାର ଅବା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଅମଳରେ ଏ ପ୍ରସଙ୍ଗରେ କୌଣସି ସକାରାତ୍ମକ ପଦକ୍ଷେପ ଦୂରେ ଥାଉ ଅନୁକୂଳ ଆଭିମୁଖ୍ୟ ବି ଗ୍ରହଣ କରାଯାଇ ନାହିଁ। ଏପରିକି ରଘୁରାମ ରାଜନ କମିଟି ଓଡ଼ିଶାକୁ ସବୁଠାରୁ ପଛୁଆ ରାଜ୍ୟ ଭାବେ ଚିହ୍ନଟ କଲା ପରେ ବି ନା ମନମୋହନ ସିଂହ ସରକାର ନା ମୋଦୀ ସରକାର ରାଜ୍ୟର ବିକାଶ ପାଇଁ କୌଣସି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଯଦି କିଛି ମିଳିଛି ତାହା ଓଡ଼ିଶାକୁ ବିକାଶ ଓ ଦାରିଦ୍ର୍ୟ ନିରାକରଣର ପ୍ରୟୋଗଶାଳା କରିବାର ପ୍ରତିଶ୍ରୁତି। କିନ୍ତୁ ସେ ପ୍ରତିଶ୍ରୁତି ପୂରଣ ହେବ କେମିତି, ଯଦି ଓଡ଼ିଶା ନିର୍ଦ୍ଦିଷ୍ଟ କୌଣସି ସ୍ୱତନ୍ତ୍ର ବିକାଶ ଯୋଜନା ମଞ୍ଜୁର କରାନଯାଏ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି ସେ ପ୍ରଧାନମନ୍ତ୍ରୀ ହେଲେ ତାଙ୍କ ପ୍ରଥମ ଦସ୍ତଖତରେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତ ଆଦେଶନାମା ଜାରି ହେବ। କିନ୍ତୁ ଓଡ଼ିଶାର ସ୍ୱତନ୍ତ୍ର ପାହ୍ୟା ଦାବି ଉପରେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱଙ୍କ ଆଭିମୁଖ୍ୟ କ’ଣ? ଏହା ଏକ ଐତିହାସିକ ସତ୍ୟ ଯେ, କଂଗ୍ରେସ ହେଉ କି ଜନତା ଦଳ ଅବା ଭାରତୀୟ ଜନତା ପାର୍ଟି; ଜାତୀୟ ଦଳମାନେ ଓଡ଼ିଶା ପ୍ରତି କେବେ ବି ନ୍ୟାୟ କରି ନାହାନ୍ତି।

ମହାନଦୀ ଓ ଧାନର ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗରେ ବିଧାନସଭାରେ ସହମତି ସହ ପ୍ରସ୍ତାବ ଗୃହୀତ ହୋଇଥିଲା। କିନ୍ତୁ ସବୁ ଦଳ କ’ଣ ଗୋଟିଏ ସ୍ୱରରେ ଓଡ଼ିଶାର ଦାବି ସମାନ ଗୁରୁତ୍ୱର ସହ ଉପସ୍ଥାପନ କଲେ? ପ୍ରସ୍ତାବରେ ସହମତି ରହିଲା। କିନ୍ତୁ ସ୍ୱରରେ ଏକତାର ଅଭାବ ରହିଲା। ୨୦୧୭ ଡିସେମ୍ବରରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ଦାବିରେ ବିଧାନସଭାରେ ସର୍ବସମ୍ମତିକ୍ରମେ ସଂପଳ୍ପ ଗୃହୀତ ହେଲା। ଏହାର ତିିନି ମାସ ପରେ ମାର୍ଚ୍ଚ ୨୦୧୮ରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କଲେ ସିନା, ଉପରମୁଣ୍ଡରେ ବନ୍ଧ ନିର୍ମାଣ ଉପରେ ରୋକ୍‌ ଲଗାଯାଇ ପାରି ନାହିଁ। କାରଣ, ଦାବି ପଛରେ ଐକ୍ୟବଦ୍ଧ ସ୍ୱର ନାହିଁ। ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗରେ ସହମତି ପଛରେ ଏମିତି ଏକତା ଥିଲା ଯେ, ପ୍ରଧାନମନ୍ତ୍ରୀ ମହୋଦୟ ଓଡ଼ିଶା ବିଧାନସଭା ଗୃହ କମିଟିକୁ ସାକ୍ଷାତ ପାଇଁ ସମୟ ସୁଦ୍ଧା ଦେଲେ ନାହିଁ। ଓଡ଼ିଶା ସ୍ୱାର୍ଥ ଓ ସ୍ୱାଭିମନେ ପ୍ରସଙ୍ଗରେ ସହମତି ଯଥେଷ୍ଟ ନୁହେଁ। ସହମତିର ଆଗକୁ ଯାଇ ଦଳ ନିର୍ବିଶେଷରେ ସମସ୍ତଙ୍କୁ ଏକଜୁଟ ହେବାକୁ ପଡ଼ିବ। ସହମତି ପଛରେ ନିଷ୍ଠା, ଆନ୍ତରିକତାର ପ୍ରମାଣ ହେଲା, ଏକତା ଏବଂ ସାମୂହିକ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି। ଅନ୍ୟଥା ସହମତି ଭେଜାଲ। ଏକତା ରହିଲେ ମହାନଦୀ ହେଉ କି କୋଇଲା ରୟାଲଟି, କିମ୍ବା ଅନ୍ୟ ଯେ କୌଣସି ଓଡ଼ିଶା ସ୍ୱାର୍ଥ ଓ ସ୍ୱାଭିମାନ ଜଡ଼ିତ ପ୍ରସଙ୍ଗରେ ଲଢ଼େଇ ପ୍ରଭାବଶାଳୀ ହୋଇପାରିବ। ସହମତିରୁ ଆଗକୁ ବଢ଼ି ଐକ୍ୟବଦ୍ଧ ନହେଲେ ମାନ୍ୟବର ବିଧାୟକମାନେ ରାଜ୍ୟବାସୀଙ୍କୁ ଏ ଅଭିଯୋଗ କରିବାକୁ ସୁଯୋଗ ଦେବେ ଯେ, ନିଜର ସମ୍ମାନର ପ୍ରଶ୍ନ ଯୋଡ଼ି ହୋଇଥିବାରୁ ବିଧାୟକମାନେ ଏକଜୁଟ ହେଲେ, ଅଥଚ ଓଡ଼ିଶାର ସ୍ୱାର୍ଥ ଓ ସମ୍ମାନ ପ୍ରସଙ୍ଗ ବେଳକୁ ଖାଲି ସହମତିରେ ଅଟକି ଯାଉଛନ୍ତି।

ସମ୍ବନ୍ଧିତ ଖବର